Unknown

 

 

 

 

 

 

 

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

୧୭୦ତମ ସଂଖ୍ୟା କୋଣାର୍କ ୨୦୧୩

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

୧୭୦ତମ ସଂଖ୍ୟା କୋଣାର୍କ ୨୦୧୩

(ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର-୨୦୧୩)

 

ଉପଦେଷ୍ଟା:

ଶ୍ରୀ ସାତକଡ଼ି ହୋତା

 

ସଂପାଦକ ମଣ୍ଡଳୀ

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

 

ସୂଚୀ

 

ସମ୍ପାଦକୀୟ

୧.

ତନ୍ମୟ ମନର ମନ୍ମୟ କବି

ଗୀତିକାର ନନ୍ଦକିଶୋର ସିଂହ

ତୁଳସୀ ଓଝା

୨.

ଯାଜପୁରରେ ବୌଦ୍ଧ ପରମ୍ପରା:

ଏକ ଐତିହାସିକ ଓ ସାଂସ୍କୃତିକ ଅନୁଶୀଳନ

ଗିରିଧାରୀ ସ୍ୱାଇଁ

୩.

କଥାକାର ରାଜକିଶୋର ପଟ୍ଟନାୟକ

ଶାରଦା ପ୍ରସାଦ ମହାନ୍ତି

4.

ସମୟର ଆହ୍ୱାନ ଓ ସତ୍ୟବାଦୀର ସ୍ୱର

ଗୋବିନ୍ଦଚନ୍ଦ୍ର ଚାନ୍ଦ

୫.

ବୈକୁଣ୍ଠନାଥଙ୍କ ପ୍ରବନ୍ଧ ଜଗତ

ବ୍ରଜମୋହନ ମିଶ୍ର

୬.

ଓଡ଼ିଆ ଆତ୍ମଜୀବନୀ : ଏକ ଆକଳନ

ଉଦୟନାଥ ସାହୁ

୭.

ସାଂପ୍ରତିକ ଓଡ଼ିଆ ଶିଶୁଗଳ୍ପ ରଚନାର ସମସ୍ୟା

ମନୀନ୍ଦ୍ର ମହାନ୍ତି

୮.

କୋରାପୁଟ ଜିଲ୍ଲାର ଆଦିବାସୀ ଲୋକ କବିତା:

ଏକ ସାଂସ୍କୃତିକ ବିଶ୍ଳେଷଣ

ସୁବାସ ଚନ୍ଦ୍ର ମିଶ୍ର

୯.

ଓଡ଼ିଆ ଜୀବନୀ ଓ ଆତ୍ମଜୀବନୀ ସାହିତ୍ୟ

ଭୋଳାନାଥ ରାଉତ

୧୦.

ବସନ୍ତ କୁମାର ଶତପଥୀଙ୍କ ଗଳ୍ପ-ପ୍ରତିଭା

ବିଚିତ୍ରାନନ୍ଦ ସାହୁ

୧୧.

ଅନୁବାଦ ସାହିତ୍ୟ

ବାବାଜୀ ଚରଣ ପଟ୍ଟନାୟକ

 

***

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଯତୀନ୍ଦ୍ର କୁମାର ଦାଶ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଆନନ୍ଦ ପ୍ରିଣ୍ଟର୍ସ, ଚଣ୍ଡୀ ଛକ, କଟକ-୧

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

୯.

ମୁଦ୍ରଣ ସ୍ଥାନ

ଆନନ୍ଦ ପ୍ରିଣ୍ଟର୍ସ, ଚଣ୍ଡୀ ଛକ, କଟକ-୧

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସମ୍ପାଦକୀୟ...

 

ଓଡ଼ିଆ ଭାଷା ସାହିତ୍ୟ ଗବେଷଣା ନିମନ୍ତେ ବିଭିନ୍ନ ଦୃଷ୍ଟିକୋଣରୁ ରଚିତ ପ୍ରବନ୍ଧଗୁଡ଼ିକୁ ପାଠକପାଠିକାଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର କର୍ତ୍ତୃପକ୍ଷ ଏକ ଗବେଷଣାଧର୍ମୀ ସାହିତ୍ୟ ପତ୍ରିକା ପ୍ରକାଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ଓଡ଼ିଶାର ବିଶ୍ୱବିଖ୍ୟାତ ଭାସ୍କର୍ଯ୍ୟ କୋଣାର୍କ ମନ୍ଦିରର ନାମାନୁସାରେ ଏହି ପତ୍ରିକାର ନାମ କୋଣାର୍କ ରଖିବାକୁ ସ୍ଥିର କରାଯାଇଥିଲା । ଏହି ପତ୍ରିକାଟି ତ୍ରୈମାସିକ ଭାବେ ୧୯୫୮ ମସିହା ସେପ୍ଟେମ୍ବର ମାସରେ ତତ୍କାଳୀନ ସମ୍ପାଦକ ତଥା ସାହିତ୍ୟିକ ଗୌରୀକୁମାର ବ୍ରହ୍ମାଙ୍କ ସମ୍ପାଦନାରେ ପ୍ରଥମ କରି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହାର ସମ୍ପାଦନା ଦାୟିତ୍ୱ ଏକାଡେମୀର ସଭାପତି, ଉପ ସଭାପତି ଓ ସର୍ବୋପରି ବିଶିଷ୍ଟ ଲେଖକମାନେ ଭିନ୍ନ ଭିନ୍ନ ସମୟରେ ନିର୍ବାହ କରିଛନ୍ତି ।

 

ଅଦ୍ୟାବଧି ଏହି ପତ୍ରିକାର ୧୬୯ ଗୋଟି ସଂଖ୍ୟା ପ୍ରକାଶିତ ହୋଇସାରିଛି । ଏଥିରେ ମୁଖ୍ୟତଃ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷାବିତ୍ ଓ ଅନ୍ୟାନ୍ୟ ଗବେଷକ ଏବଂ ସାହିତ୍ୟିକମାନଙ୍କର ଦୁଇ ହଜାରରୁ ଉର୍ଦ୍ଧ୍ୱ ପ୍ରବନ୍ଧ ପ୍ରକାଶିତ ହୋଇଛି । ଆଜି ସୁଦ୍ଧା ପ୍ରକାଶିତ ହୋଇଥିବା ଏହି ୧୬୯ ଗୋଟି ସଂଖ୍ୟା ମଧ୍ୟରେ ଓଡ଼ିଆ ସାହିତ୍ୟର ବିଭିନ୍ନ ଲେଖକଙ୍କ ଜୀବନୀ ଓ ସୃଷ୍ଟିକୁ ନେଇ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ବିଶେଷ ସଂଖ୍ୟା ପ୍ରକାଶ ଲାଭ କରିଛି । ଏହାବ୍ୟତୀତ ଅନ୍ୟ ସଂଖ୍ୟାଗୁଡ଼ିକ ମଧ୍ୟରେ କେତେକ ନିରୋଳା ସାହିତ୍ୟ ସଂଖ୍ୟା ଭାବେ ପରିଚିତ ହୋଇଥିବା ବେଳେ ଅନ୍ୟ ସମସ୍ତ ସଂଖ୍ୟା ସାଧାରଣ ସଂଖ୍ୟା ଭାବେ ପ୍ରକାଶିତ । ଏଥିରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ଉପଯୋଗୀ ହୋଇଛି ।

 

 

 

ସାହିତ୍ୟକ, ଅଧ୍ୟାପକ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏଗୁଡ଼ିକ ବେଶ ଆଦୃତି ଲାଭ କରିଛି । ପ୍ରକାଶିତ ବିଶେଷ ସଂଖ୍ୟାଗୁଡ଼ିକ ମଧ୍ୟରେ ପଞ୍ଚସଖା, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ, ଗଣକବି ବୈଷ୍ଣବ ପାଣି, ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଗୋପୀନାଥ ମହାନ୍ତି, ସନ୍ଥକବି ଭୀମଭୋଇ, ହରେକୃଷ୍ଣ ମହତାବ, କାହ୍ନୁ ଚରଣ ମହାନ୍ତି, ମାୟାଧର ମାନସିହ, ଜଗନ୍‌ମୋହନ ଲାଲ, ପ୍ୟାରୀମୋହନ ଆଚାର୍ଯ୍ୟ, ଐତିହାସିକ କୃପାସିନ୍ଧୁ ମିଶ୍ର, ଜଗବନ୍ଧୁ ମିଶ୍ର, କଥାକାର ପୂର୍ଣ୍ଣାନନ୍ଦ ଦାନୀ, ନିତ୍ୟାନନ୍ଦ ମହାପାତ୍ର, ସ୍ୱଭାବ କବି ଗଙ୍ଗାଧର ମେହେର, ରାଧାମୋହନ ଗଡ଼ନାୟକ, ବିନୋଦ କାନୁନ୍‍ଗୋ, ଅନନ୍ତ ପଟ୍ଟନାୟକ, ଲୋକକବି ଜଗନ୍ନାଥ ପାଣି ଇତ୍ୟାଦି ଅନ୍ତର୍ଭୁକ୍ତ ।

 

ସୁଖର ବିଷୟ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପି.ଏଚ୍.ଡ଼ି. ଉପାଧି ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କର ପ୍ରବନ୍ଧ ଏହି ପତ୍ରିକାରେ ପ୍ରକାଶିତ ହେଲେ ତାହା ପି.ଏଚ୍.ଡ଼ି. ଉପାଧି ପ୍ରଦାନ କରିବା ପାଇଁ ସ୍ୱୀକୃତ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଗବେଷଣାତ୍ମକ ପ୍ରବନ୍ଧ କୋଣାର୍କରେ ଅଧିକ ସଂଖ୍ୟାରେ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଗବେଷଣାମାନଙ୍କ ପାଇଁ ମଧ୍ୟ ସହାୟକ ହୋଇପାରିବ ।

 

ଚଳିତ ୧୭୦ତମ ସଂଖ୍ୟାଟି ଏକ ସାଧାରଣ ସଂଖ୍ୟା ଭାବେ ପ୍ରକାଶିତ ହୋଇଛି । ଏଥିରେ ୧୦ ଗୋଟି ଓଡ଼ିଆ ଭାଷା ସାହିତ୍ୟ ପର୍ଯ୍ୟବେଶିତ ବିଶିଷ୍ଟ ସାହିତ୍ୟକମାନଙ୍କର ପ୍ରବନ୍ଧ ସ୍ଥାନିତ ହୋଇଛି । ଆଶା କରାଯାଏ ଏହି ପ୍ରବନ୍ଧଗୁଡ଼ିକ ଓଡ଼ିଆ ଗବେଷକ, ସାହିତ୍ୟିକ ଓ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଶ୍ଚୟ ଉପଯୋଗୀ ହୋଇପାରିବ ।

 

 

ସଂପାଦନା ମଣ୍ଡଳୀ ପକ୍ଷରୁ

ଗିରି ଦଣ୍ଡେସନା

ଉପ ସଭାପତି

 

***

 

ତନ୍ମୟ ମନର ମନ୍ମୟ କବି

ଗୀତିକାର ନନ୍ଦକିଶୋର ସିଂହ

ତୁଳସୀ ଓଝା

 

ଗୀତି କବିତା ଲେଖିବା ମୋର ଏକ ନିଶା । ମନରେ ଯେତେବେଳେ ଏକ ଭାବର ସ୍ଫରୁଣ ହୁଏ ସେତେବେଳେ ଗୀତଟିଏ ରଚନାର ଆବେଗ ସହି ହୁଏନା । ସେଇ ତନ୍ମୟତା ଭିତରେ ଗୀତଟି କଲମ ମୁନ ଦେଇ ଝରିଆସେ । ତା’ପରେ ମୁଁ ପାଏ ମାନସିକ ଶାନ୍ତି ଓ ଗୀତଟିର ରଚନା ଜନିତ ଆନନ୍ଦ । ମୋର ଗୀତି କବିତା ରଚନାର ଏଇ ହେଲା ପୃଷ୍ଠଭୂମି । ତେଣୁ କବି ଲେଖନ୍ତି:-

 

‘‘କବିତା ମୋର ଏମିତି ଏକ ଫୁଲ

ନା ଡାଳରେ ଫୁଟେ ସିଏ ନା ମୂଳରେ ଝୁଲେ ସିଏ

ନା ଭଅଁର ସଂଗେ ହୋଇଛି ଭେଟି ତାର

ସିଏତ ମୋର ଛାତିର କୋଣେ ଅଲିଭା ଏକ ଗାର ।’’

 

ନିଜ ନିଶାରେ ନିଜେ ମସଗୁଲ ଏଇ କବିଙ୍କର ସୃଷ୍ଟି ସମୀକ୍ଷା କରିବାକୁ ଗଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ – ବିଶାଳ ତାଙ୍କର କୃତି । ତନ୍ମୟ ମନର ମନ୍ମୟ ଶ୍ୱେତପତ୍ର । ସେ ଲଖିଛନ୍ତି କବିତା – ‘ଆବୃତ ଅନାବୃତ’, ‘ପ୍ରୀତି, ପ୍ରିୟା ପୃଥିବୀ’, ନାଟକ- ‘ଲୁହଲହୁ’, ‘ମାନସୀ ଗବେଷଣାଗାର’, ‘ସବୁ ମଣିଷ ସମାନ’, ‘ଗୁରୁ ଦକ୍ଷିଣା’, ଗୀତି କବିତା- ‘ଗୀତିଗୁଚ୍ଛ’, ‘ଗୀତି ଓ ଗଜଲ’, ‘ଇଚ୍ଛାବତୀ ନଦୀ’, ‘ନନ୍ଦକିଶୋର ଗୀତି ବିଚିତ୍ରା’, ‘ନବ ସ୍ୱାକ୍ଷର’, ଢଗଢମାଳିରେ ଚାଷବାସ କଥା’, ‘ସୁଜାତା ସେବା ସମିତି’, ‘ମୋ ଗାଁ ମୋ ମାଆ’, ‘ସକଳ ଘଟେ ନାରାୟଣ’, ‘ଯେତେ ଦିଅଁ ସେତେ ପୂଜା’, ଏହା ବ୍ୟତିତ ତେର ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ଓ ଆଠଖଣ୍ଡ ଅନୁବାଦ ପୁସ୍ତକ । ଯାଜପୁର ଜିଲ୍ଲାର କୋରେଇ ଗାଁରେ ନନ୍ଦକିଶୋର ସିଂଙ୍କର ଜନ୍ମ ୧୯୪୨ ମସିହା ମଇ ମାସ ୧୫ ତାରିଖରେ । ମୁଖ୍ୟତଃ ତାଙ୍କର ବହୁ ରଚନା ମଧ୍ୟରୁ ଗୀତିକାର ଭାବରେ ସେ ସର୍ବଥା ପରିଚିତ । ୧୯୬୪ରେ ସେ ଆକାଶବାଣୀର ଗୀତିକାର ଭାବରେ ସ୍ୱୀକୃତି ପ୍ରାପ୍ତି ।

 

ଜୀବନଠାରୁ ଜୀବନକୁ, ମୃତ୍ୟୁଠାରୁ ମୃତ୍ୟୁକୁ ଏବଂ ପ୍ରେମଠାରୁ ପ୍ରେମକୁ ଅଲଗା କରି ଦେଖିବାର ଦୃଷ୍ଟିଭଙ୍ଗୀ କବିକୁ ଦିଏ କବିତାର ଅନନ୍ତ ସ୍ରୋତସ୍ୱିନୀ ପାଇଁ ଅଜସ୍ର ଅମୃତ ଜଳବିନ୍ଦୁ । ସେଠି ନିଜର ହୋଇ କିଛି ନ ଥାଏ । ଯାହା ଥାଏ ସବୁ ସାର୍ବଜନୀନ । ଯାହାଥାଏ ସବୁ ସର୍ବକାଳୀନ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ନିଜ ନିଜର ସ୍ୱକୀୟ ସତ୍ତା ହରାଇ ଏକାଠି ହେଉଥାନ୍ତି – ଏକତ୍ରୀତ ହେଉଥାନ୍ତି କବିଙ୍କୁ ଏକ ଦିବ୍ୟ ଦୃଷ୍ଟି ପ୍ରଦାନ କରିବା ପାଇଁ, ସେ ଦୃଷ୍ଟିର ଅନ୍ତରାଳରେ କିଛି ନିଜସ୍ୱ ବେଦନା ବୋଧ କଡ଼ ଲେଉଟାଇବାର ଅସହାୟ ଚେଷ୍ଟା କରୁଥାଏ ଏବଂ କବି ବାରମ୍ୱାର ତାକୁ ଦୃଷ୍ଟିର ଅନ୍ତରାଳରୁ ଠେଲି ରଖିବାର ଅସହାୟ ଚେଷ୍ଟା କରୁଥାଏ । ତଥାପି ସେ ବିଫଳ ହୁଏ ନାହିଁ । ହୋଇପାରେ ନାହିଁ । କାରଣ ଚାରୋଟି ଶବ୍ଦରେ ଯାହାକୁ ସେ ବ୍ୟାଖ୍ୟା କରିବ କିଛି ସମୟ ପରେ ସେ ଅନ୍ୟର ଆତ୍ମକଥନ ପାଲଟି ଯିବ । ପାଲଟି ଯିବାକୁ ବାଧ୍ୟ ।

 

      ‘‘ସୁଦୂରର ଏଇ ତୁଷାର ଗୁହାରେ

                  ବନ୍ଦୀ ମୁଁ ଏକ ଯାଯାବର

      ମୋ ଚାରି ପାଖରେ ହିମର ପ୍ରାଚୀର

                  ଗଢ଼ିଛି ଶୀତଳ କାରାଗାର ।’’

 

କବିର ଏକ ଆତ୍ମକୈନ୍ଦ୍ରିକ ଆତ୍ମକଥନ । ଆମ ପାଖରେ ତାର ବନ୍ଦୀ ଜୀବନ କି ଯାଯାବର ଜୀବନ ସମ୍ପର୍କରେ କିଛି ସୂଚନା ନାହିଁ । ଅଥଚ କିଛି ମୁହୁର୍ତ୍ତ ପରେ ପାଠକର ମନେହେବ ସତରେ ଏ ପୃଥୃବୀରେ ତ ସେ ଏକ ବନ୍ଦୀ ଯାଯାବର । ହୁଏତ କବିତାରେ ଅଛି ଏଇ ଅନୁଭୂତି । ତଥାପି ଶାସ୍ତ୍ର କହେ – ପ୍ରତ୍ୟେକ ଗୀତି କବି କିଛିଟା ଆତ୍ମ କୈନ୍ଦ୍ରିକ ନିଶ୍ଚୟ । ଆତ୍ମକୈନ୍ଦ୍ରିକ ହେବା କିଛି ଅଗୌରବର କଥା ନୁହେଁ । କାରଣ ସେଇ ଆତ୍ମକୈନ୍ଦ୍ରିକ ଚିନ୍ତାଧାରା ସହିତ ବି ତାର ଆତ୍ମାନୁଭୂତି ଓ ଜୀବନଚର୍ଯ୍ୟା ସାର୍ବଜନୀନ ହୋଇ ଆତ୍ମପ୍ରକାଶ କରିଥାଏ ।

 

‘‘ତୁମ ଆଖି ନୀଳ ନିଳିମା ଛାଇରେ ମରିଯାଏ ମୋର କାକଳି ।’’

 

ଏ ଅନୁଭବ ଭିତରେ ଅନୁଭବ କରିହୁଏ କବି ମନର ଅନ୍ତରୀଣ ଦରଜ-ଆତ୍ମିକ ପ୍ରବଣତା-ଜୀବନ ଉଚ୍ଛ୍ୱାସ ବିନ୍ଦୁର ମନ୍ଦ୍ର ମଧୁରତା । ଏ ମଧୁର ବିଷର୍ଣ୍ଣତା ପୁନଶ୍ଚ ଗୋଟିଏ ହୃଦୟରୁ ଆଉ ଗୋଟିଏ ହୃଦୟ, ସେଥିରୁ ଆଉ ଗୋଟିଏରୁ ସଂପ୍ରସାରିତ ହୋଇ ପାଲଟିଯାଏ ସାର୍ବଜନୀନ । ଏହା ହିଁ ଗୀତି କବିତାର ନିଜସ୍ୱ ସୌନ୍ଦର୍ଯ୍ୟ । ଗୀତି କବିତାରେ ନିଜସ୍ୱ ଭାବ୍ୟ ତଥା ଗୀତି କବିତାର ଚିରନ୍ତନ ଭାବ ରହସ୍ୟର ଗୁପ୍ତ ମନ୍ଦିର । ଏହି ମହାମନ୍ତ୍ରକୁ ନିଜସ୍ୱ କରି ବହୁ ପ୍ରାଚୀନ କାଳୁ ଅନେକ ଗୀତି କବି ଗୀତ ରଚନା କରି ଆସୁଛନ୍ତି । ସେ ଯଶୋଦାଙ୍କର ବାତ୍ସଲ୍ୟ ହେଉ କି ଭକ୍ତ ଚରଣ ଦାସଙ୍କର ବୈରାଗ୍ୟମାନ (କହଇ ମନ ଆରେ ମୋ ବୋଲକର) ହେଉ ପ୍ରଥମେ ତାହା କବିର ଆତ୍ମକୈନ୍ଦ୍ରିକ ଭାବ ଚେତନାରୁ ଜାତ ହୋଇଥାଏ । ପରବର୍ତ୍ତୀ କାଳରେ ତାହା ଅନେକ ଆତ୍ମାର ପ୍ରତିଧ୍ୱନିତ ହୁଏ । ତଥାପି ପ୍ରତ୍ୟେକ କବିର ଏକ ନିଜସ୍ୱ ଜୀବନ ଦର୍ଶନ ବା ଜୀବନ ପ୍ରତି ନିଜସ୍ୱ ଦୃଷ୍ଟିଭଙ୍ଗୀ ରହିଛି । ଯାହାକୁ ଆଧାର କରି ଆମେ କବିର ପ୍ରେରଣା ଭୂମି ପାଖରେ ପହଞ୍ଚିଥାଉ । ତାହା କବିର ନିଜସ୍ୱ ପରିଚିତ । ଏହି ପରିପ୍ରେକ୍ଷୀରେ ପ୍ରୀତି, ସ୍ମୃତି, ପ୍ରିୟା ଓ ପୃଥିବୀର ତନ୍ମୟତା ଭିତରେ ନିଖୋଜ ମନ୍ମୟ କବି ନନ୍ଦକିଶୋର ସିଂଙ୍କୁ ଭେଟି ହୁଏ । ବିଭିନ୍ନ ଭାବକୁ ନେଇ ଗୀତ ରଚନା କରିଥିବା କବି ନନ୍ଦକିଶୋରଙ୍କ ରଚନାକୁ ତେଣୁ ବିଭିନ୍ନ ଭାବ ରସରେ ବିଭକ୍ତ କରି ତା’ରି ଆଲୋଚନା କରାଯାଇପାରେ ।

 

ଜଣେ ପ୍ରତିଷ୍ଠିତ ଗୀତିକାର ଭାବର ବିଭିନ୍ନ ଭାବ ରସର ଗୀତ ରଚନା କରିବା ତାଙ୍କର ବୃତ୍ତି ଏବଂ ପ୍ରବୃତ୍ତି ଏହି ଧାରାରେ ସେ ବିଭିନ୍ନ ସ୍ୱାଦର ଗୀତ ରଚନା କରିଛନ୍ତି । ପ୍ରେମକୁ ନେଇ, ପ୍ରକୃତିକୁ ନେଇ, ବୟସକୁ ନେଇ, ଯୌବନକୁ ନେଇ, ଜୀବନକୁ ନେଇ ପୁଣି କେବେ ଈଶ୍ୱରଙ୍କୁ ନେଇ ତ ପୁଣି କେବେ ନିଜର ଜନ୍ମମାଟି ଗାଁ ଭୂଇଁକୁ ନେଇ । କିନ୍ତୁ ପ୍ରତ୍ୟେକ ରଚନାରେ ମୁଖ୍ୟ ବିଭାବ ପାଲଟି ଯାଇଛି ତାଙ୍କର ପ୍ରେମ ପ୍ରେମିକର ମନନେଇ ସେ ରଚନା କରିଛନ୍ତି ଅନେକ ଶୃଙ୍ଗାର ରସାତ୍ମକ ଗୀତିକ ।

 

ପ୍ରୀତି-ପ୍ରଣୟ ବା ପ୍ରେମ ମନୁଷ୍ୟର ବିବିଧ ଚିତ୍ତ ବୃତ୍ତିର ଆପାତତଃ ମୂଳ ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ସବୁ ଦେଶର ସାହିତ୍ୟରେ ବିଶେଷ କରି ଗୀତ ରଚନାରେ ପ୍ରଣୟର ବା ଶୃଙ୍ଗାର ଚେତନାର (ପ୍ରେମଭକ୍ତି, ଅନୁରାଗ, ବିରାଗ, ଆନନ୍ଦ ନିରାନନ୍ଦ ଇତ୍ୟାଦି ବିବିଧ ଚିତ୍ତବୃତ୍ତିର ସମାହାର) । ପ୍ରାବଲ୍ୟ ଦେଖା ଯାଇଥାଏ । ଏହା ଆପାତତଃ ଗୀତି କବିତାମାନଙ୍କୁ ମାଧୁର୍ଯ୍ୟ ମଣ୍ଡିତ, କମନୀୟ, ମାର୍ଜିତ ଓ ଉନ୍ନତ ରସଯୁକ୍ତ କରିବାରେ ଯଥେଷ୍ଟ ସାହାଯ୍ୟ କରିଛି । ଏହି ଦୃଷ୍ଟିରୁ ଆପାତତଃ ଗୀତି କବିତାମାନେ ବିଚାର୍ଯ୍ୟ । ତତ୍ତ୍ୱନିଷ୍ଠ ଗୀତିକବିତା, ଚର୍ଯ୍ୟାଗୀତିକାର ଡୋମ୍ବୀ କାପାଳିକ ବା ଶବର ଶବରୁଣୀର ପ୍ରେମଚର୍ଯ୍ୟା ହେଉ ବା ତା’ର ପ୍ରଭାବରେ ଗୋପୀ, ଗୋପାଳ, ରାଧାକୃଷ୍ଣ ବୃନ୍ଦାବନର ମହାରାହାସ ହେଉ ପ୍ରେମ ଚିନ୍ତନର ଏକ ଗଭୀର ଓ ସୁକ୍ଷ୍ମ ପ୍ରେମ ଚିତ୍ର ଦେଖିବାକୁ ମିଳିଥାଏ । ଯୋଗେଶ୍ୱର କୃଷ୍ଣ ଓ ହ୍ଲାଦିନୀ ରାଧାଙ୍କର ପ୍ରେମାନୁଭୂତି ମାନବୀୟ ଭାବ ସଂଭାରର ବେଶି ଉର୍ଦ୍ଧ୍ୱକୁ ଯାଇପାରୁ ନାହିଁ । କାରଣ ସେମାନେ କ୍ରମାନ୍ୱୟରେ କବିର ଆତ୍ମସତ୍ତା ମଧ୍ୟରେ ନିମଗ୍ନ ହୋଇ ଯାଇଛନ୍ତି । ଉପଲକ୍ଷ୍ୟ ଯାହା ହେଉନା କାହିଁକି କବିର ଚିତ୍ତଭୂମି ହିଁ ସେଠାରେ ମୁଖ୍ୟ ବିଭାବ ହୋଇପଡ଼ିଛି । ସେହି ଅନୁଚିନ୍ତା ଆଜିର ଅସଂଖ୍ୟ ଗୀତି କବିଙ୍କ କବିତାରେ ଅନୁରଣିତ । ପ୍ରେମ, ପ୍ରଣୟ, ପ୍ରତ୍ୟୟ ଓ ଯୌବନର କବି ନନ୍ଦକିଶୋର ସିଂହଙ୍କର ପ୍ରତ୍ୟେକ କବିତାରେ ପ୍ରେମାନୁଭୂତି ସହିତ କିନ୍ତୁ ବୟସାନୁଭୂତି ହିଁ ମୁଖ୍ୟ । ବୟସ କୈଶୋର ନୁହେଁ – ଯୌବନ । କବି ବୁଝିଛନ୍ତି ଯୌବନ ହିଁ ସମସ୍ତ ଅନୁପ୍ରେଣାର ଉତ୍ସ । ପ୍ରାଚୀନ କାଳର ବେଦ ପୁରାଣରେ ମଧ୍ୟ ଆମେ ଦେଖିଥାଉ ଅନନ୍ତ ଯୌବନ ଦେବୀଦେବମାନଙ୍କୁ । ସେମାନଙ୍କୁ କେବେ ବାର୍ଦ୍ଧକ୍ୟ ଛୁଏଁ ନାହିଁ । ସେଇ ଅନୁସାରେ ସେମାନଙ୍କର ଜନ୍ମ, ଜୀବନ ଓ ପ୍ରେମାନୁଭୂତିର ବର୍ଣ୍ଣନା ଦେଖିବାକୁ ମିଳେ । ଯଦିଓ ଆଧୁନିକ ଓଡ଼ିଆ ଗୀତି କବିତାରେ ଅନେକ ସ୍ଥାନରେ କୈଶୋର ଓ ତା’ର ତରଳ ସ୍ମୃତି ଜୀବନକୁ ଜର ଜର କରିଥାଏ । ସେ ଅନୁଭୂତି ନନ୍ଦ କିଶୋରଙ୍କ ରଚନାରେ ଖୁବ୍ କମ୍ ଦେଖିବାକୁ ମିଳେ । ତେଣୁ ତାଙ୍କ କବିତାରେ ଯୌବନଦୀପ୍ତ ପ୍ରେମିକ ମନର ଉଚ୍ଛ୍ୱାସ ଅତି ସ୍ପଷ୍ଟ ଭାବେ ପ୍ରକାଶିତ ।

 

ବିଶ୍ୱକବି ରବୀନ୍ଦ୍ରନାଥ ପ୍ରକୃତି କବି, ପ୍ରେମିକ କବି ଜୀବନର ଉଚ୍ଛ୍ୱାସର କବି । କିନ୍ତୁ ତଥାପି ପ୍ରେମର ସଂଜ୍ଞା ନିରୂପଣ କରିବାକୁ ଯାଇ ସେ ଲେଖିଛନ୍ତି –

 

‘‘ପ୍ରେମେର ଆନନ୍ଦ ଥାକେ ସୁଧୁ ଅଳ୍ପକ୍ଷଣ

ପ୍ରେମେର ବେଦନା ଥାକେ ସମସ୍ତ ଜୀବନ ।’’

(ଲେଖନ-୩୯)

 

ଏହି ଚିରନ୍ତନୀ ସତ୍ୟ କଥନଟିକୁ ଓଡ଼ିଶାର ଗୀତିକବି, ଉର୍ଦ୍ଦୁର ଗଜଲ କବିମାନେ ଆପାତତଃ ଅନୁସରଣ କରି ଆସିଛନ୍ତି, ଫଳରେ ସେମାନଙ୍କ ସୃଷ୍ଟି ସଂରଚନା ମଧ୍ୟରେ ବାରମ୍ବାର ତାର ଝଙ୍କାର ଶୁଣିବାକୁ ମିଳେ । ତେଣୁ ପ୍ରେମର ଅଛୁଆଁ କେତକୀର ବାସ୍ନା କବି ମନକୁ ଆମୋଦିତ କଲେ ମଧ୍ୟ କଣ୍ଟକର ଦଂଶନକୁ କବି ଅତି ପାଖରୁ ଦେଖିବାର ଚେଷ୍ଟା କରିଛନ୍ତି । ପ୍ରେମକୁ ନେଇ କବିତା ଲେଖିଲା ବେଳେ ସଚେତନ କବି ଆଗ ମାନବୀୟ ପ୍ରେମ ଖେଳର ଆଙ୍କନ୍ତି ଚିତ୍ରଟିଏ,

 

‘‘କେତେବେଳେ ଗଢ଼ି ଦେଉ ସପନ ଉଆସ

କେତେବେଳେ ଭେଟି ଦେଉ ମଶାଣି ପାଉଁଶ ।’’

(୧୨-ଇ. ନଦୀ)

 

ତଥାପି ମଣିଷ ପ୍ରେମରେ ପଡ଼େ । ପ୍ରେମ ନିଶାଠାରୁ ବଡ଼ ନିଶାତ ପୃଥିବୀରେ ନାହିଁ । ପ୍ରେମ ଏକ ଅନନ୍ତ ଲୋଡ଼ିବା ପଣ । କବି ଗୁରୁଙ୍କ ଭାଷାରେ-

 

‘‘ସୁନ୍ଦରୀ ଛାୟାର ପାନେ ତରୁଚେୟେ ଥାକେ

ସେ ତାର ଆପନ ତବୁ ପାଏନା ତାହାକେ ।’’

(ଲେଖନ-୧୧)

 

କବି ମଣିଷଟି ଜାଣେ ପ୍ରାପ୍ତି ହିଁ ପ୍ରେମର ଅନ୍ତିମ ପାବଚ୍ଛ – ତା’ପରେ ଆଉ କିଛି ଉପଲବ୍‌ଧି ନ ଥାଏ । ତେଣୁ ଏକ ନିରାନନ୍ଦ ଆନନ୍ଦମୟ ସତ୍ତାକୁ ନିଜସ୍ୱ କରି କବି ଅପ୍ରାପ୍ତିର ପୁଲକକୁ ନିଜର କରି ବଞ୍ଚେ ପ୍ରତି ମୁହୂର୍ତ୍ତରେ ସେ ସୁଖକର ଅନୁଭୂତିଟି ତା’ଭିତରେ କଡ଼ ଲେଉଟାଉ ଥାଏ । ସେ ନିଆରା ଅନୁଭୂତିକୁ କବିତାରେ ରୂପାୟିତ କରି କବି ଲେଖେ:-

 

‘‘ପାଷାଣର ଛାତି ଲାଗେ ଫୁଲଠୁ କଅଁଳ

ଶାଖାହୀନ ଗଛେ ଝୁଲେ ଅଦିନ ବଉଳ ।’’

(୧୩-ଇ. ନଦୀ)

 

ସେଇ ଅଦିନ ବଉଳର ମହକରେ ଅନ୍ଧ ମହୁମାଛି ପରି କବି ବିଭୋର ହୁଏ, ବ୍ୟାକୁଳ ହୁଏ, ପ୍ରେମିକ ହୁଏ, ସ୍ୱପ୍ନ ଦେଖେ ତପସ୍ୟା କରେ । ଅସାଧାରଣ ତା’ର ତପସ୍ୟା ।

 

      ‘‘କେତେ ବଇଶାଖ ତାତିଲା ନିଆଁରେ

                  ପ୍ରଜାପତି ଡେଣା ଜଳେ ।

      ତଥାପି ଚାଲିଛି ଆଗକୁ ଆଗକୁ

                  କଣ୍ଟା ଓ କୁସୁମ ପରେ’’

(ନ.ଗୀ.ବିଚିତ୍ରା-୨୩)

 

ଏକ ନୀରବ, ନିଃସଙ୍ଗ ଓ ନିଛାଟିଆ ଜନପଦର ପଥିକ କବି ନନ୍ଦକିଶୋର ସିଂହ । ଅଭିଯୋଗ ହୀନ, ପ୍ରତ୍ୟାଶାହୀନ ପ୍ରେମ ତରିର ଆରୋହୀ, ଦିଶା ଜଣାନାହିଁ – କୂଳ ପାଇଁ ନିଘା ନାହିଁ –ବୁଡ଼ିବାର ଭୟ ନାହିଁ – କି ଅଥଳ ଜଳରେ ଭାସି ବୁଲିବାର କ୍ଳାନ୍ତି ମଧ୍ୟ ନାହିଁ । ତେଣୁ ତାଙ୍କ ପ୍ରେମରେ ନାହିଁ ହାରଜିତର ତାଡ଼ନା – ଅଛି କେବଳ ଏକ ପ୍ରତିବିମ୍ବହୀନ ବିମ୍ବ । ଏକ ଏକମୁଖୀ ପ୍ରେମର ଲୋହିତ ବିନ୍ଦୁ । ଯେ କବିକୁ ହସାଏ-କନ୍ଦାଏ-ସ୍ୱପ୍ନ ପରି ଆଚ୍ଛନ୍ନ କରେ ଏବଂ ବାସ୍ତବ ପରି ବିମୁକ୍ତ କରେ । ଏହି ପ୍ରତ୍ୟାଶାହୀନ ପ୍ରେମ ହିଁ କବିର ପ୍ରେମିକାକୁ କରିଛି ସୌନ୍ଦର୍ଯ୍ୟମୟୀ-ଲାସ୍ୟମୟୀ-ଅନନ୍ତ ଯୌବନା ତଥା ଅବିମିଶ୍ରିତ ପ୍ରେମ ପାଳିତ ପ୍ରତିମା-ଠିକ୍ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ପରି । ‘ଆମି ତୋମାୟା ଭାଲୋ ବାସି’ ତମେ ମତେ ଭଲ ପାଅ କି ନ ପାଅ । ଏହି ରଚନାରେ କବିଗୁରୁ ଚାହିଁ ନାହାନ୍ତି ପ୍ରତ୍ୟାଶା କରିନାହାନ୍ତି ଦାବି- କି ବାଢ଼ି ନାହାନ୍ତି ଅଭିଯୋଗ- କାରଣ ପ୍ରେମରେ ଏ ସବୁର ସ୍ଥାନ ନାହିଁ । ଠିକ୍ ସେମିତି ପ୍ରେମ କରିବାକୁ ଚାହିଁଛନ୍ତି ନନ୍ଦ କିଶୋର – ସେ ଯେଉଁଠି ଥାଉ- ଯେମିତି ଥାଉ ତା’ର ଅନନ୍ତ ସୁଷମା ମତେ ପ୍ରେରିତ କରୁଥାଉ ତାରି ପ୍ରେରଣାରେ ତ ମୁଁ କବି – ତାରି ନୂପୁର ସିଂଜନରେ ତ ମୁଁ ଗାୟକ – ତାର ମନୋଲୋଭା ରୂପର କାଉଁରୀର ଅମୃତ ପିଇ ପିଇ ତ ମୁଁ ଜୀବନ୍ମୁକ୍ତ – ଏମିତି ଏକ ନୈସର୍ଗିକ ଚିନ୍ତାଧାରା ହିଁ କବିତାର ଶବ୍ଦ ମଞ୍ଜରୀମାନଙ୍କୁ ମଞ୍ଜୁଳ କରିବା ପାଇଁ କବିଙ୍କୁ ପ୍ରେରଣା ଯୋଗାଇଛି ।

 

‘‘ସେ କେଉଁ ରୂପସୀ ଲହୁ ଲୁହ ଧୁଆ ଭଙ୍ଗା ପିଆଲାକୁ ଧରି

ପୋଡ଼ି ଯାଇଥିବା ଅଙ୍ଗୁରବଣ ପାଉଁଶକିୁ ଦିଏ ଠେଲି

ସେ ଅଙ୍ଗାର ନେଇ ପିରାମିଡ୍‍ ଦେହେ

ବେଦନା ଲିପି ମୋ ଲେଖେ ।’’

(ନ.ଗୀବି)

 

ସେଇ ବେଦନା ଭିତରେ ଉକୁଟି ଉଠେ ଅଜସ୍ର ଭିଜା ଭିଜା ସପନର ଅଭିଲେଖ, ଫୁଟି ଉଠେ ଅନେକ ଫଗୁଣର ନବମଲ୍ଲିକା, ଅଶିଣ ଆକାଶର, ମାତାଲ ଜ୍ୟୋତ୍ସ୍ନା-ଭୋଦୁଅ ରାତିର ନୀଳକଇଁ -। ଭଲ ପାଇବାର କଳା ଆଉ କଳଙ୍କଲାଞ୍ଛନା ଓ ଗୌରବକୁ ଏକାଠି କରି କବି ଲେଖେ-

 

‘‘ଭଲ ପାଇବାଟା ତୁମ ପାଇଁ ସିନା କାଚଫୁଲ ଦାନିଟିଏ

ଭଲ ପାଇବାଟା ତୁମ ପାଇଁ ପୁଣି ଖିଆଲି ସୂତାରୁ ଖିଏ

ମୋ ପାଇ ତ ସିଏ ଲୁହଭିଜା ଏକ

ରକ୍ତର କୋଣାରକ ।’’

(୨୮-ନ.ଗୀ.ବି.)

 

ସେଇ ରକ୍ତ ମାଂସର ପ୍ରେମିକାର ସେ ଆଙ୍କନ୍ତି ଏକ ଅଶରୀରୀ ପ୍ରତିଛବି । ରାଧାପରି,ସୀତାପରି, ଶକୁନ୍ତଳା ଓ ଅହଲ୍ୟା ପରି ପୂର୍ଣ୍ଣ ନାରୀତ୍ୱର ଜୀବନ୍ତ ପ୍ରତିମା ।

 

      ‘‘ରାଧାପରି ଜଳି ଜାଣେ ବିରହ ନିଆଁରେ

            ସୀତାପରି ପଶି ଜାଣେ ଜଳନ୍ତା ନିଆଁରେ

      ଶକୁନ୍ତଳା ପରି ମୁଁ ଯେ ଦେଇଜାଣେ ମନ

            ଅହଲ୍ୟା ପରି ମୁଁ ସହି ଜାଣେ ଯେ କଷଣ

            ଚନ୍ଦ୍ରାବଳୀ ସମ ମାତିପାରେ ମୁଁ କୁଞ୍ଜରେ ।

      ଲାବଣ୍ୟବତୀର ପରି ହୁଏ ମୁଁ ପ୍ରେମିକା

            କଳାବତୀ ହୋଇ ସାଜେ କବିର ନାୟିକା

            ସତୀ ପରି ଝାସ ଦେଇ ଜାଣେ ଚିତା ନିଜେ ।’’

(ଇ.ନଦୀ-୪୬)

 

ଏଇ ଇଚ୍ଛାମତୀ ନଦୀର ସୁଅରେ ବାରମ୍ବାର ଭାସିଯିବାକୁ ଇଚ୍ଛା କରିଛନ୍ତି କବି ପ୍ରେମରେ-ସଂଭୋଗରେ-ବିରହରେ-ସ୍କୃତିରେ ଓ ବିସ୍ମୃତିରେ, ଯନ୍ତ୍ରଣାରେ । ଅଥଚ କେବେ ସେ ତାକୁ (ପ୍ରେମିକାକୁ) ଭୁଲିବାକୁ ଚାହିଁ ନାହାନ୍ତି ।

 

      ‘‘ଲୁହ ଟୋପା ପାଇଁ ଢାଳି ଦେଲା ଯିଏ

            ଶହେ ଟୋପା ତାର ଲହୁ

      ଅସହଣି ଏଇ ଦୁନିଆ କେମିତି

            ଭୁଲିବାକୁ ତାକୁ କହୁ ।’’

(ଇ.ନଦୀ-୧୭)

 

ସେଇ ପ୍ରେମିକାର ଏକ ମନୋମୁଗ୍ଧକର ସରଳ ତରଳ ଛବି ଆଙ୍କି କବି ଲେଖିଛନ୍ତି:-

 

      ‘‘ମୋତେ ତୁମ ନଜରରେ ବୁଲିବାକୁ କୁହନି

      ଫୁଲଙ୍କ ଟାହି ଟାପରା ମୁଁ ତ ସହିପାରୁନି ।

      ମୋ ଓଠକୁ ଦେଖି ତମ ଗୋଲାପଟା ହସୁଛି ।

      କଣ୍ଟାରେ ମୋ ପଣତକୁ ଭିଡ଼ିଭିଡ଼ି ନେଉଛି

      ଦୋହଲି ଦୋହଲି ମତେ ଚାଲିବାକୁ ଦେଲାନି’’

(ଗୀତିଗୁଚ୍ଛ-୧୯)

 

ପ୍ରେମରେ ସ୍ୱର୍ଗୀୟ କାମନାର କଦମ୍ବ ସବୁବେଳେ ଫୁଟେ ନାହିଁ । କି ସବୁ କଦମ୍ବ ଆଣିଦେଇ ପାରେ ନାହିଁ ଆଷାଢ଼ର ରୋମାଞ୍ଚ । ଅଥଚ- ଗୋଟିଏ ସୋହାଗ ବୋଳା ମୁହୂର୍ତ୍ତର ସ୍ମୃତି ଫିଟାଇ ଦେଇପାରେ ଅସଂଖ୍ୟ ପ୍ରେମ ପୁଲକର ଅମୁହାଁ ଦୁଆର – ଦେଇପାରେ ଅଜସ୍ର କଦମ୍ବର ରୋମାଞ୍ଚ ।

 

‘‘ସବୁ ରାତି ଆସେନାତ ସପନ ନେଇ

ସବୁ ସ୍ମୃତି ପାରେନା ତ ମରମ ଛୁଇଁ ।’’

(ଇ.ଡ଼.-୪)

 

କିନ୍ତୁ ଯେଉଁ ସ୍ମୃତି ମରମକୁ ଛୁଏଁ – ତାକୁ ଇ ସମ୍ବଳ କରି କବି ରଚନା କରେ ସ୍ମୃତି ବିଭୋର ପ୍ରୀତିର ଶବ୍ଦଲିପି । କାରଣ ପ୍ରେମଠାରୁ ପ୍ରେମ ପର୍ଯ୍ୟାୟରେ ସ୍ମୃତି ହିଁ କବି ପାଇଁ ମହତ୍ତ୍ୱପୂର୍ଣ୍ଣ । ଏକ ଗେହ୍ଲା ଝିଅ ପରି ସ୍ମୃତି ଆସି ବେଳ ଅବେଳରେ ଅଝଟ କରେ – କେବେ ଲୁହ ଝରାଏ ତ କେବେ ହସର କାକଳୀରେ ଭରିଦିଏ ମନ ଅଙ୍ଗନ - ଆଉ କେବେ କଣ୍ଟାର ଆଘାତରେ ଦିଏ ଅଜସ୍ର ଯନ୍ତ୍ରଣା –

 

      ‘‘ଇଚ୍ଛାବତୀ ନଦୀ ମୋର ମନର ମରୁରେ

      ବହିଯାଏ ଝରଝର କଳକଳ ସୁରେ

      ସେ ନଦୀର ଧାରେ ଧାରେ ସ୍ମୃତିର ଶାମୁକା

      ଉଡ଼ିଗଲେ ତା ବୁକୁରେ ବିସ୍ମୃତି ବଳାକା

      ହସର ଫସଲ ଲୋଟେ ଲୁହର ବନ୍ୟାରେ

      ସେ ନଦୀରେ ଝରିଗଲେ ପୀରତି ଜୋଛନା

      କାମନାର ରାଜହଂସ ଝାଡ଼େ ରଙ୍ଗ ଡେଣା

      ସ୍ୱପ୍ନ ସବୁ ଭାଙ୍ଗିଯାଏ ବେଦନା ଝଡ଼ରେ ।’’

 

ତଥାପି ସ୍ମୃତିର ଫରୁଆରେ ହିଁ ସାଇତାଥାଏ କବିର କବିତା ପାଖୁଡ଼ାର ରତ୍ନ ମଞ୍ଜରୀମାନ-

 

‘‘ରଜନୀଗନ୍ଧା ଗାଁରେ ଝଲମଲ ଜହ୍ନରାତି

ଜରି ଝରା ସକାଳରେ ହସ ଖୁସି ପ୍ରଜାତି ।’’

(ଇ.ନ.୫)

 

ସେମାନଙ୍କୁ କବି ଦେଖେ କେବେ ପ୍ରତ୍ୟକ୍ଷରେ, ପୁଣି କେବେ ସ୍ମୃତିରେ । ଅନନ୍ତ ବିରହ ହିଁଗୀତି କବିର ମନ ବୃନ୍ଦାବନର ଅଫୁଟା ପୁଷ୍ପ । ପ୍ରତୀକ୍ଷା ହିଁ ତା’ ଜୀବନର ମହାମନ୍ତ୍ର-ଅପହଞ୍ଚ ଦୂରତାରେ ଥିବା ପ୍ରେମିକା ହିଁ ବିଞ୍ଚୁଥାଏ ତା ମନ ଅଗଣାରେ ପଦ୍ମପରାଗ ରେଣୁ ।

 

‘‘ମୋ ସପନ ତାଲିକାରେ ତୁମ କଥା ଲେଖା ନାହିଁ

କେମିତି ଆସିଲ ତୁମେ ମୋ ଆଖିରେ ନିଦ ନେଇ ।’’

(ନ, ଗୀ.ବି-୩୨)

 

ଅଥଚ ଏଇ ଆସିବାର ଅପେକ୍ଷାରେ ବିତିଯାଏ କବିର ଦିନ ପରେ ଦିନ, ରାତି ପରେ ରାତି, ମାସ ପରେ ମାସ, ଋତୁପରେ ଋତୁ । ଯଦିଓ କବି ଜାଣେ-

 

‘‘ସବୁ ଋତୁ ଆସେନାତ ସପନ ନେଇ

ସବୁ ସ୍ମୃତି ପାରେନାତ ମରମ ଛୁଇଁ’’

 

ତଥାପି ହଜିଲା ଦିନର ଦୁଃଖ ଓ ଦରଜକୁ ଅଲିଭା ଦୀପଟିଏ କରି ଜିଇ ଥାଏ କବି ସାଉଁଟୁଥାଏ ସ୍ମୃତିର ଶାମୁକା-ବେଦନାର ଶବ୍ଦଳିପି ।

 

      ‘‘ଦୁଃଖ ଯେ ମୋର କୁହୁଳା ଛାତିର

            ଅନ୍ଧାରିକୋଣେ

                  ଜଳୁଥାଏ ହୋଇ ଦୀପଟିଏ ।

      ଦୁଃଖ ଯେ ମୋର ହଜିଲା ଦିନର

                  ଫଗୁଣ ମନେ

                  ଝରି ପଡ଼ିଥିବା ଫୁଲଟିଏ ।’’ (୫୭ ଇ.ନ.)

 

ହୃଦୟର ନିଭୃତ କୋଣରେ- ସେଇ ଦୁଃଖର ବାସ୍ନାରେ ସୁରଭିତ ହୋଇଉଠେ କବିତାର ପାଖୁଡ଼ାମାନ । ତେଣୁ ଅକାତରେ କବି ବ୍ୟକ୍ତ କରରିପାରନ୍ତି-

 

            ‘‘କବିତା ମୋର ଏମିତି ଏକ ଫୁଲ

      ନା ଡାଳରେ ଫୁଟେ ସିଏ ନା ମୂଳରେ ଝୁଲେ ସିଏ

            ନା ଭଅଁର ସଙ୍ଗେ ହୋଇଛି ଭେଟ ତାର

      ସିଏ ତ ମୋର ଛାତିର କୋଣେ

                  ଅଲିଭା ଏକ ଗାର ।’’ (ଇ.ନ.୮)

 

ସେଇ ଅଲିଭାଗାର କବିକୁ କବି କରିବା ସହିତ କରିଛି ଚିର ଯୌବନର ବାର୍ତ୍ତାବହ । ଚିର ଯୁବକ । ପ୍ରୀତି ଓ ସ୍ମୃତିର ନିଶାରେ ପିଇଚାଲେ ଯୌବନର ପଦ୍ମ ମଧୁ । ସ୍ମୃତିର ଚମ୍ପା ଫୁଲର ମହକରେ, ଉଜୁଡ଼ା ଜହ୍ନ ରାତିର ଅଗଣାରେ, ବିରହରେ ଅମାପ ଯନ୍ତ୍ରଣାରେ ସେ ଲେଖିବସେ କବିତା-ଆଙ୍କି ବସେ ପ୍ରେମିକାର ମୁଗ୍ଧ ପ୍ରତିଛବି –

 

      ‘‘ବିରହ ମୋର ମାନସୀ ନାଭିରେ ଟୋପାଏ ଗୋଲାପୀ ଝାଳ

      ବିରହ ମୋର ମାନସୀ ଓଠରେ ଲୁହଭିଜା ପଦ୍ମଫୁଲ

      x      x      x      x      x

      ବିରହ ମୋର ମାନସୀ ଦୁଆରେ ଉଜୁଡ଼ା ଜହ୍ନରାତି

      ବିରହ ମୋର ମାନସୀ ପୂଜାରେ ପ୍ରତୀକ୍ଷା ଧୂପକାଠି ।

      ବିରହ ମୋର ମାନସୀ ସ୍ମୃତିରେ ଲକ୍ଷେ ଚମ୍ପାର ଫୁଲ ।। (ଇ.୧୬)’’

 

ପ୍ରେମ, ପ୍ରୀତି, ସ୍ମୃତି, ପ୍ରେମିକା, ବିରହ ମିଳନ ସହିତ କବିର ମନକୁ ପ୍ରତିମୁହୂର୍ତ୍ତରେ ଯାହାର ମୋହିନୀମାୟା ପ୍ରଲୁବ୍ଧ କରି ରଖିଥାଏ – ସେ ହେଉଛି ପ୍ରକୃତି । ତେଣୁ କବି ଯେଉଁଠି ଆଖି ରଖେ ସେଠି ପ୍ରକୃତିର ପ୍ରଲମ୍ବିତ ରୂପକୁ ସେ ଭେଟିଥାଏ – କେବେ ପ୍ରେମିକା ରୂପରେ- କେବେ ପ୍ରିୟତମା ରୂପରେ ତ ପୁଣି କେବେ ମନର ମାନସୀ ଭାବରେ-ଆଜି ପର୍ଯ୍ୟନ୍ତ ପୃଥିବୀର କୌଣସି କବି ସେଥିରୁ ମୁକ୍ତ ହୋଇପାରି ନାହାନ୍ତି – କାରଣ ପ୍ରକୃତି ହିଁ କବିକୁ ପ୍ରତ୍ୟେକ ଭାବ ଓ ଅନୁଭାବ ନିମିତ୍ତ ଏକ ସଞ୍ଚାରି ଭାବ ଦେଇଥାଏ-ଯେଉଁଥିରେ କବି ପ୍ରେମିକ ହୁଏ, ଦାର୍ଶନିକ ହୁଏ, ବିରହୀ ହୁଏ – ମିଳନ ଆକାଂକ୍ଷାରେ ଜର୍ଜରିତ ହୁଏ ପୁଣି ପ୍ରକୃତିର ଚାରୁ ଶୋଭା ଭିତରେ ହଜୁ ହଜୁ ନିଜକୁ ଖୋଜିନିଏ । କେବେ ବସନ୍ତର ଗୋଲାପୀ ଚିଠିର ମହକରେ ସେ ମହକି ଉଠେତ, କେବେ ବରଷାର ଚପଳ ଛନ୍ଦ ତାକୁ ବିଡ଼ମ୍ବନାରେ ପକାଇ ଦିଏ । ବସନ୍ତର ଆଗମନରେ କବି ଖୋଜେ ପ୍ରିୟତମାର ସ୍ପର୍ଶ, ପଢ଼ିଦେଖେ-

 

      ‘‘ବସନ୍ତ ଲେଖିଚି ଚିଠି ଗୋପୀ ଗୋଲାପୀ

                  ଗୋଲାପୀ ଗୋଲାପୀ

      ଫୁଲ ଲଫାପାରେ ଭରି ପାଖୁଡ଼ା କେତୋଟି ।’’ (୨୧ ନ.ଗୀ.କ.)

 

ଅଳ୍ପକ୍ଷଣର ଏ ଉନ୍ମାଦନା ପରିଣତ ହେଇଯାଏ ପୁଣି ବିରହାଗ୍ନିର ନିଝୁମ ଯାତନାରେ-

 

‘‘ବରଷା କି ଆସ ବିରହୀ ପରାଣେ ଭରିଦେବା ପାଇଁ ବିରହ

ବୁକୁତଳେ ଜାକ ପ୍ରଣୟର ନିଆଁ ଦାହ ତାର ବଡ଼ ଅସହ ।

ବରଷା କି ଆସ ଘନ ବନାନୀର ଶାଖାରେ ଶାଖାରେ ଶିହରି

କପୋତ କପୋତୀ ମିଥୁନ ଡେଣାରେ ଲଗାଇ ବହଳ କାଉଁରି

କୋକ ଯୁଗଳରେ ଆଖି ଲୁହେ ତୁମେ

ସରିତର ଶେଯ ଭିଜାଅ ।’’

 

ଖାଲି ଉନ୍ମାଦନା କି ଅଭିଯୋଗରେ ସରେ ନାହିଁ କବିର କବିତା ରଚନା କରିବାର ଅନୁଜ୍ଞା-। ବେଳେବେଳେ କବିର ତନ୍ମୟ ଚିତ୍ତ ପ୍ରକୃତିର ରୂପ ଓ ରୂପାନ୍ତରକୁ ନେଇ ମନ୍ମୟ ଗୀତିକା ମଧ୍ୟ ରଚନା କରେ । ମୁଗ୍ଧ ବିଭୋର କବି ଲେଖନୀରୁ ଝରିଆସେ ।

 

‘‘ରାତିର ସାଗର ଡ଼େଇଁ ଆସଇ ଯେ ଆଲୋକ ବୋଇତ

ସପନ ସଉଦା ସାରି ଫେରିଯାଏ ନିଦର ବରିକ ।

ରୂପାର ପାଲିଙ୍କି ଚଢି ଚାଳିଗଲା ପୁନେଇଁର ଜହ୍ନ

କୁଆଁରୀ କଇଁ କାନ୍ଦଇ ଖୋଜି ତାର ଜୋଛନାର ମନ

ସୂର୍ଯ୍ୟମୁଖୀର ମନେ ପ୍ରୀତି ଛୁଆଁ ପହିଲି ପୁଲକ ।’’

(ନ.ଗୀ.କ.-୩୩)

 

କେତେବେଳେ ପୁଣି କବି ନିଜର ସମସ୍ତ ଭାବନା, ବ୍ୟକ୍ତିଗତ ଓ ଜୀବନକୁ ବ୍ୟକ୍ତ କରିବା ପାଇଁ ପ୍ରକୃତିର ପ୍ରଚ୍ଛାୟାକୁ ହିଁ ଉପଯୋଗ କରିଥାଏ ।

 

‘‘ଜହ୍ନକୁ ମାଗିଲେ ମୁଠେ ଜୋଛନା

ଏ ଆକାଶ ଢାଳି ଦିଏ କାଳିମା

ଝରଣାକୁ ମାଗିଲେ ମୁଁ ଶୀତଳ ଜଳ

ମୋ ଚାରି ପାଖରେ ମରୁ ବାଲୁକା ଝଡ଼

ଛାଇଟିକେ ଖୋଜି ଖୋଜି ପାଏନା ।’’

(ନ.ଗୀ.ବି-୩୧)

 

କବିର ଦାର୍ଶନିକ ଚିତ୍ତକୁ ପ୍ରକୃତିର ବହୁରଙ୍ଗୀ ପ୍ରବର୍ତ୍ତନ ଓ ପରିବର୍ତ୍ତନ ପ୍ରେମ, ପ୍ରୀତି ବିରହ ବା ମିଳନ ଜନିତ ଦୁଃଖ, ସୁଖ ମଧ୍ୟରେ କେବଳ ସୀମିତ କରି ରଖେ ନାହିଁ । ବରଂ ଏକ ଉନ୍ମୁକ୍ତ, ଅତିନ୍ଦ୍ରୀୟ ଚେତନାର ଦ୍ୱାର ଖୋଲି ଦେଇଛି । ଯାହା କବିଙ୍କର କବିତାକୁ ଅଧିକ ମାର୍ମିକ, ସମୃଦ୍ଧ ତଥା ଅନ୍ତର୍ମୁଖୀ କରିବାରେ ସାହାଯ୍ୟ କରନ୍ତି । ଗଭୀର ଜୀବନ ବୋଧର ଦ୍ୱାର ଉନ୍ମୋଚିତ କରିଦେଇଛି । କବିତା ହୋଇଛି ବିଚିତ୍ରବର୍ଣ୍ଣା । ପ୍ରକୃତିକୁ ଆଧେୟ କରି ଏକ ଚମତ୍କାର ଚିତ୍ରକଳ୍ପ ତିଆରି କରି ପାରିଛନ୍ତି-

 

‘‘ମୁଁ ଏକ ନିଃସଙ୍ଗ ଦ୍ୱୀପ ସୀମାହୀନ ସାଗର ମଝିରେ

ବିଜନେ ବିରହେ ଜଳି ଶୋଇଛି ମୁଁ ବାଲୁକା ଶେଯରେ

ମୋ ଚାରିପାଖରେ ଯେବେ ଢେଉ ସବୁ କୁଳୁକୁଳୁ ହୋଇ

ମୋ କାନେ ଚୁପିଚୁପି ସାଗରିକ କଥାଗଲେ କହି ।

ମୁଁ ଚାହେଁ ଆକାଶ ବୁକେ

ନୀଳଶୂନ୍ୟ

ନିଥର ମଝିରେ ।’’ (୨୯)

 

ଏହି ଚିତ୍ର କଳ୍ପଟି ଅତ୍ୟନ୍ତ ଚମତ୍କାର । ଏଠାରେ କବି ଦରିଆ ମଝିରେ ଥିବା ଏକ ନିଃସଙ୍ଗ ଦ୍ୱୀପର ଚିତ୍ର ସହିତ ନିଜ ନିଃସଙ୍ଗତାକୁ ଅତି ଚମତ୍କାର ଭାବରେ ବ୍ୟାଖ୍ୟା କରିଛନ୍ତି । ଚାରି ପାଖେ ଅଜସ୍ର ଜଳ ଥଇ ବି ରହିଛି ଛୋଟିଆ ମରୁଟିଏ । ଶୋଷିଲା । ସବୁ ଚାରିପାଖରେ ପୂର୍ଣ୍ଣ ହୋଇ ରହିଥିଲେ ବି କେତେବେଳେ ମଣିଷ ଏ ନିଃସଙ୍ଗ ଦ୍ୱୀପଟିଏ ପରି ଶୋଷିଲା ହୋଇଯାଏ । ପୂର୍ଣ୍ଣତାକୁ ଚାହିଁ ରହିଥାଏ ଲୋଭିଲା ଆଖିରେ:-

 

      ‘‘ମୁଁ ଚାହେଁ ଲୋଭିଲା ହୋଇ

                  ଚନ୍ଦ୍ର ଯେବେ

                  ଢେଉ ସାଥେ ଖେଳେ ।’’ (ନ.ଗୀ.କ.-୨୯)

 

ଏ ଶୋଷର ବି ଶେଷ ହୋଇଯାଏ, ଯେତେବେଳେ ଏ ଶୋଷର ପଣତ ଧରି କବି ପହଞ୍ଚି ଯାଆନ୍ତି ଅନ୍ୟ ଏକ ଉପତ୍ୟକାରେ-ଶୁଣନ୍ତି ଏକ ଅନାହତ କୋମଳ ଗାନ୍ଧାରର ମଧୁର ମୁର୍ଚ୍ଛନା, ଦେଖନ୍ତି – ଗାଁ ତୋଟା ମାଳର ଅନାବିଳ ସବୁଜିମା, ଗାଁ ଗହୀରର ସୁନେଲି ଧାନକ୍ଷେତର ଐଶ୍ୱର୍ଯ୍ୟ, ଦେଖନ୍ତି ସୋରିଷ ଫୁଲର ହଳଦୀ ମଖା ଯୌବନ, କୁହୁଡ଼ିଆ ସକାଳ, ଲୋହିତ ସନ୍ଧ୍ୟା । ସେଇଠି ଅଭିନୀତ ହେଉଥିବା ବହୁ ନିଚ୍ଛକ ନାଟକମାନଙ୍କର ଜୀବନ ଚର୍ଯ୍ୟାର ରସମୟ ପ୍ରତିକୃତିକୁ । ଯାହା ପାଲଟିଯାଏ କବିଙ୍କର ଗୀତି କବିତାର ଆତ୍ମା । ଆପାତତଃ ଓଡ଼ିଶାର ପ୍ରତ୍ୟେକ ଗୀତି କବି ରଚନା କଲାବେଳେ ତାକୁ ହିଁ ଆଧେୟ ଭାବରେ ଗ୍ରହଣ କରିଛନ୍ତି । ଜୀବନର ଅଧିକାଂଶ ଦିନ ଏଇ ପରିବେଶରେ କଟେଇଥିବା କବିଙ୍କ ଲେଖନୀରେ ଗାଁ ଭୂଇଁର ଚିତ୍ର ଏତେ ଚମତ୍କାର ଭାବରେ ଉତ୍ତୁରି ଯାଇଛି ଯେ, ତାର ମନ୍ଦ୍ର ନିସ୍ୱନ ଯେକୌଣସି ଶ୍ରୋତାକୁ କ୍ଷଣକ ପାଇଁ ହେଲେ ବି ସେଇ ମନୋହର, ଚିତ୍ତଚୋରା ଜଗତକୁ ନେଇ ଯାଇଥାଏ । ଏହି ପଲ୍ଲୀଚିତ୍ର ସଂକଳିତ ଗୀତିଗୁଡ଼ିକର ରଚନାଶୈଳୀ ଯେପରି ସାବଲୀଳ ତାର ଭାବ ସମ୍ପ୍ରସାରଣ ମଧ୍ୟ ସେହିପରି ମନୋମୁଗ୍ଧକର-

      

‘‘ଗୁହାଳେ ଯେବେ ଦୁଇଟି ଗାଈ

                  ଗୋଟିଏ ଧୋବ ଗୋଟିଏ କଳା

      ବାଛୁରୀ ହେଲେ ଦୁଇ ଜାତିକା

                  ଗୋଟିଏ ଟେରୀ ଗୋଟିଏ ଟେରା

      ତୋହରି ଅଧେ ମୋହର ଅଧା

                  ତୋହର କାହ୍ନୁ ମୋହର ରାଧା ।’’ (ନ.ଗୀ.ବି.-୩୭)

x      x      x      x      x

“ଆଗେ ପଢ଼ୁଥିଲୁ ଉପନ୍ୟାସ ଗୋରୀ ଏବେ ଖୋଲିଲୁଣି ଭାଗବତ

ଆଗେ ନାଉଥିଲୁ ଖୋସାରେ ବଉଳ ଏବେ ତାକୁ ହେଉ ଦଣ୍ଡବତ ।’’

(୪୨-ନ.ଗୀ)

X      x      x      x      x

‘‘ପାନ ଭାଙ୍ଗିବାକୁ ଗୁଆ କାଟୁ କାଟୁ ହାତ ମୁଁ ବସିଲି କାଟି

ଆର ପାଳି ହାଟୁ କଷି ଦିଅର ମୋ ଆଣିଥିଲେ ପରା

ଶାଣ ଦେଇ ଖିଲିକାତି ।’’

(୪୯.ନ.ଗୀ.ବି)

x      x      x      x      x

‘‘ବାଡ଼ିରେ ତ ଡେଙ୍ଗା ସଜନା ଗଛକୁ ଘରେ ଏଣେ ଗେଡ଼ୀ ବୋହୁ

ଛୁଇଁ ପାରିବାକୁ ନଗି ବଢ଼ାଇଲେ ଦିନଗଲା ଚାହୁଁ ଚାହୁଁ ।’’

x      x      x      x      x

ଆଦି ଗୀତିକା ମଧ୍ୟରେ ତାଙ୍କ ପଲ୍ଲୀ ପ୍ରାଣତାକୁ ସହଜରେ ଉପଲବ୍ଧ କି ହୁଏ ।

 

ଏହା ବ୍ୟତୀତ ଗାଁର ନିତ୍ୟ ନୈମିତ୍ତିକ ଜୀବନର ଅନେକ ଚିତ୍ର ତାଙ୍କ ରଚନାରେ ଉକୁଟି ଉଠେ-ଜୀବନର ଛୋଟ ଛୋଟ ଖୁସି-ଛୋଟ ଛୋଟ, ହସ ଥଟ୍ଟା ମଜା । ଗ୍ରାମ୍ୟ ଜୀବନରେ ଯାହା ଅନେକ ମହତ୍ତ୍ୱ ରଖେ । ଯାହାକୁ ସହରର ଉତୁଙ୍ଗ ସଭ୍ୟତାର ନିଅନ ଆଳୁଅ ତଳେ ଖୋଜିଲେ ଆଦୌ ମିଳେ ନାହିଁ ।

 

‘‘ଶଗଡ଼ ଚାଲିଛି କେଁ କଟର ଲୋ ତଳମାଳ ଗାଁ ଡେଇଁ

ଶଗଡ଼ିଆ ଭାଇ ମନ ଉଚ୍ଚାଟ ଲୋ ଚାହିଁଥିବ ଚାନ୍ଦମୁହିଁ ।

ଭାତ ଫୁଟୁଥିବ ଟକର ମକର ପେଜ ପଡ଼ୁଥିବ ଛିଟି

ବାଉଁଶ ନଳରେ ଚାନ୍ଦଗୋରୀ ତାର ଚୁଲି ଦେଇଥିବ ଫୁଙ୍କି

ଗଜ କପାଳରୁ ଝାଳ ଥୋପି ଥୋପି ଧୀରେ ଯାଉଥିବ ବୋହି

ବାଉଁଆ ବଳଦ ମଠୁଆ ବୋଲିକି ଲାଞ୍ଜଟାଏ ଦିଏ ମୋଦି

ସୁନା ଗୋରୀ ମିଠା ସିନିହ ବଚନ ମନରେ ଯାଉଛି ପଡ଼ି

ଉଚ୍ଚାଟ ମନରେ ପଣତ ବିଛେଇ ବସିଥିବ ବାଟ ଚାହିଁ ।’’

(ଗୀତି ଗଜଲ-୪୯)

 

ଏହି ଏକ ଗୀତିକାରେ ଗୋଟିଏ ସମ୍ପୂର୍ଣ୍ଣ ଗ୍ରାମ୍ୟ ଚିତ୍ର ଉକୁଟି ଉଠୁଛି । ସମ୍ପୂର୍ଣ୍ଣ ଏକ ପ୍ରତ୍ୟକ୍ଷ ଅନୁଭୂତି ନ ଥିଲେ ଏହିପରି ଏକ ନିଖୁଣ ଗ୍ରାମ୍ୟ ଚିତ୍ର ଅଙ୍କନ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ନନ୍ଦ କିଶୋର ସିଂହଙ୍କର ଗୀତି ବିଚିତ୍ରାକୁ ଅନୁଧ୍ୟାନ କଲେ ଦେଖାଯାଏ ଅନ୍ୟାନ୍ୟ ଗୀତି ରଚନା ଅପେକ୍ଷା ସେ ପଲ୍ଲୀଗୀତ ରଚନାରେ ଅଧିକ ସଫଳତା ପାଇଛନ୍ତି ଓ ଗାୟକମାନେ ଏହି ଗୀତ ଗାନ କରି ଯଥେଷ୍ଟ ଲୋକପ୍ରିୟ ହୋଇଛନ୍ତି ।

 

      ‘‘ମୁଁ ତ ଶଶୁର ଘରକୁ ଜୋଇଁ

            ଯାଇଥିଲି ଦିନେ ପୁନେଇ ଖାଇ ।’’ (ଗୀ.ଗଜଲ-୪୩)

       x      x      x      x      x      

      ‘‘ଚୋରାଚିଠି ଖାଲି ଲେଖି ଲେଖି ତୋର ପାଖକୁ

      ଡେଇଁ ପାରିଲିନି ଏକାଦଶ ଶ୍ରେଣୀ ବନ୍ଧକୁ

      ତୋ ପାଇଁ ହେଲି ମୁ ହତାଶିଆ ପ୍ରେମ ଭିକାରି

      ନାଲିପାନ ବିବି ପଛେ ମୁଁ ଗୋଲାମ ଠିକିରି ।’’ (୪୨-ଗୀତି ଓ ଗଜଲ)

 

ଯେତେବେଳେ ସେ ପଲ୍ଲୀ ଜୀବନକୁ ନେଇ ଗୀତି କବିତା ରଚନା କରିଛନ୍ତି ତାଙ୍କ ଲେଖନୀ ଅତ୍ୟନ୍ତ ପ୍ରଗଲଭ ହୋଇଉଠିଛି । ସମ୍ପୂର୍ଣ୍ଣଣ ନିଜସ୍ୱ ଢଙ୍ଗରେ ନିଜସ୍ୱ ଅନୁଭୂତି ମଧ୍ୟ ଦେଇ ତାଙ୍କ ଗୀତିଗୁଡ଼ିକ ଚଳଚଞ୍ଚଳ ଓ ଶ୍ରୁତି ମଧୁର ହୋଇପଡ଼ିଛି । ନନ୍ଦ କିଶୋର ସିଂହ ଜଣେ ଭିନ୍ନ ସ୍ୱାଦର ପ୍ରତିଭା । ତାଙ୍କ ରଚନାରେ ତେଣୁ ବହୁ ବର୍ଣ୍ଣ ଗୀତିକାମାନଙ୍କୁ ଦେଖିବାକୁ ମିଳେ । କେବେ ସେ ବିଭୁ ପ୍ରେମେ ବିଭୋର ତ କେବେ ମାନୁଷୀ ପ୍ରେମରେ ସଜଳ-କେବେ ଛନ୍ଦ ମଧୁର ଗଜଲରେ ବିମୁଗ୍ଧ ତ କେବେ ପ୍ରାଚୀନ ଶୈଳୀର ଓଡ଼ିଶୀ ରଚନାରେ ଆପ୍ଳୁତ ପୁଣି କେବେ ଉଦ୍ଦାମ ଶେଷ କରି ରଚନାରେ ଗତାନୁଗତିକ ତ କେବେ ନିଜର ଶିକ୍ଷକ ଜୀବନର ସାର୍ଥକତାକୁ ପ୍ରତିପାଦନ କରିବା ନିମିତ୍ତ ଶିଶୁଗୀତି ରଚନାରେ ପ୍ରବୃତ୍ତ । ପ୍ରତ୍ୟେକ ରଚନାରେ ସେ ଗାୟନ ଓ ଶ୍ରୋତାମାନଙ୍କର ସ୍ୱୀକୃତି ଓ ଶ୍ରଦ୍ଧା ଲାଭ କରିଛନ୍ତି । ତେଣୁ ତାଙ୍କର ଭିନ୍ନ ସ୍ୱାଦର ଗୀତିମାନଙ୍କର ଆଲୋଚନା କରିଲାବେଳେ ତାହାକୁ ପ୍ରଥମେ ଦୃଷ୍ଟିରେ ରଖିବାକୁ ପଡ଼େ । ଯାହା ରୂପରେ ରୂପାୟିତ – ରସରେ ରସାଣିତ ପୁନଶ୍ଚ ଛନ୍ଦରେ ଛନ୍ଦାୟିତ ସେଇ ଗୀତି କବିତାର ମାନ ନିର୍ଦ୍ଧାରଣ ନିଶ୍ଚିତ ଭାବରେ ଏକ କଷ୍ଟକର ବ୍ୟାପାର – ତଥାପି ଯଥାଯଥ ଭାବରେ ତାଙ୍କର ଗୀତିଗୁଡ଼ିକରମାନ ଏଠାରେ ନିର୍ଦ୍ଧାରଣ କରିବାର ଚେଷ୍ଟା କରାଯାଇଛି । ଓଡ଼ିଆ ସାହିତ୍ୟ ତାର ଏକ ସମୟକୁ ଭକ୍ତ କବିମାନଙ୍କୁ ଉତ୍ସର୍ଗ କରିଥିବା ଏକ ଗୌରବର ବିଷୟ । ତେଣୁ ଓଡ଼ିଆ ସାହିତ୍ୟରେ ଭଜନ, ଜଣାଣ ଆଦି ବିଭୂ ପ୍ରେମ ସମ୍ୱଳିତ ରଚନାର ବହୁଳ ପ୍ରସ୍ତୁତି – ଦେଖାଯାଏ । ଆଧୁନିକ ଓଡ଼ିଶାର ଗୀତି କବିମାନେ ମଧ୍ୟ ସେଥିରୁ ନିବୃତ୍ତ ନୁହନ୍ତି । ସେହି ପରମ୍ପରାରେ ନନ୍ଦ କିଶୋର ମଧ୍ୟ କେତେକ ଭକ୍ତ ଗୀତ ରଚନା କରିଛନ୍ତି । ମହାକବି ଭୀମଭୋଇଙ୍କ ପନ୍ଥାକୁ ଅନୁସରଣ କରି କବି ଲେଖିଛନ୍ତି ।

 

      ‘‘ମୋତେ ଯେତେ ଦୁଃଖ ଦିଅ ନାହିଁ ମୋର ଶୋଚନା

      ଆଉକାର ଦୁଃଖ ମୋତେ ଦେଖିବାକୁ ଦିଅନା

      ମୋ ଚଲା ପଥରେ ପ୍ରଭୁ ଭରିଦିଅ କଣ୍ଟକ

      ମଥାରେ ମୋ ଲଦିଦିଅ ଯେତେ ପାର କଳଙ୍କ

      ଆଉ କାରେ କଳଙ୍କିତ କରିବାକୁ ଦିଅନା ।’’ (ନ.ଗୀ.ବି.-୩)

 

ନିଷ୍କପଟ ହୃଦୟର କବିଙ୍କର ଏ ଅଭିବ୍ୟକ୍ତି ଅତ୍ୟନ୍ତ ମାର୍ମିକ । ଏଇ ମାର୍ମିକ ଅନୁଭୂତିର ମଣିଷଟିଏ ହିଁ ବହୁ ମର୍ମସ୍ପର୍ଶୀ ଚିନ୍ତା ଓ ଚେତନାକୁ ଆଘ୍ରାଣ କରି ତାକୁ କବିତାରେ ରୂପ ଦେଇପାରେ । କବିଙ୍କର ଶିଶୁଗୀତଗୁଡ଼ିକ ତାର ଏକ ଏକ ଚମତ୍କାର ଉଦାହରଣ:-

 

      ‘‘ନଡ଼ିଆ ଗଛରେ ନଡ଼ିଆ ଗଛ

      ହୋଇଲୁ କେମିତି ଏଡ଼ିକି ଉଚ୍ଚ

      x      x      x      x      

      ମଥାକୁ ଯଦି ତୁ ଦିଅନ୍ତୁ ନଇଁ

      ତୋ କାନରେ କଥା କହନ୍ତି ମୁହିଁ

      ଭଲରେ ମନ୍ଦରେ ଦେଖା ଶୁଣା ହେବା

      ତୋର ମୋର ପରା ବସିଲେ ମିତ ।’’ (୯୧-ନ.ଗୀ.ବି.)

      x      x      x      x

ପୁନଶ୍ଚ      

      ‘‘ଭସା ବାଦଲରେ ଭସା ବାଦଲ

      ବହୁରୂପା ସାଜୁ ବଡ଼ ବାଗର

      କେତେବେଳେ ହେଉ ରୂପେଲୀ ପରୀ

      ଆକାଶରେ ଉଡ଼ୁ ଡେଣା ତୋ ମେଲି

      କଳାମେଘି ପାଟ ପିନ୍ଧି କେବେ ହେଉ

                  ସାତ ତାଳ ପାଣି କଳା ଘୁମର ।’’ (ନ.ଗୀ.ବି.୯୨)

 

ଏହା ବ୍ୟତୀତ ଛବି ବହି, ଭାଡ଼ିତଳର ମୂଷା, ବାଲିଗରଡ଼ା, ଖଣ୍ଡିଆ ଭୂତ, ଗପୁଡ଼ି ଆଇ, କଜଳପାତି, ଘୁଷୁରିଆ ଆଦିଙ୍କୁ ନେଇ ସେ ଯେଉଁ ଶିଶୁଗୀତିକାଗୁଡ଼ିକ ରଚନା କରିଛନ୍ତି ତାହା ଶିଶୁ ମନକୁ ନିଶ୍ଚୟ ଛୁଇଁ ପାରିବ ଏଥିରେ ସନ୍ଦେହ ନାହିଁ ।

 

ଅନେକ ଭିନ୍ନ ଋଚିର କବିତା ରଚନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କବିଙ୍କର ଓଡ଼ିଶା ଗୀତିଗୁଡ଼ିକ ଆପାତତଃ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର, ଦାମୋଦର ହୋତା, ଆରତୀ ମିଶ୍ର, ଇନ୍ଦ୍ରାଣୀ ମିଶ୍ର, ପ୍ରଣବ ପଟ୍ଟନାୟକ ପ୍ରମୁଖ ଏହି ସଙ୍ଗୀତଗୁଡ଼ିକୁ ଯଦିଓ ପରିବେଷଣ କରିଛନ୍ତି କବି ଏହି ରଚନାରେ ଓଡ଼ିଶୀ ସଂଗୀତର ଭାବ ସଂରକ୍ଷିତ ରଖିଲେ ମଧ୍ୟ ଏଥିରେ ରାଗ-ରାଗିଣୀ-ବୃତ୍ତ ଓ ନିର୍ଦ୍ଦିଷ୍ଟ ଛନ୍ଦ, ତାଳ ଏବଂ ମାତ୍ରାର କୌଣସି ଉଲ୍ଲେଖ କରିନାହାନ୍ତି । ଅତଏବ ଏହି ରଚନାଗୁଡ଼ିକୁ ତାଙ୍କର ଆଧୁନିକ ଗୀତଠାରୁ ଅଲଗା କରିନାହାନ୍ତି । ଆଧୁନିକ ଗୀତର ଭାବ ଓ ଓଡ଼ିଶୀ ସଂଗୀତ ଭାବ ପ୍ରାୟ ସମାନ ଓ ରଚନା ଶୈଳୀ ମଧ୍ୟ ସମାନ । ଯଦିଓ ରାଧା ଓ କୃଷ୍ଣଙ୍କର ଭାବରସ ଏହାକୁ ଓଡ଼ିଶୀ ସଙ୍ଗୀତ ଭାବରେ ପରିଚତ କରାଇଛି । କିଛି ପ୍ରାଚୀନ ଶବ୍ଦର ସୁସମ ବ୍ୟବହାର ଏହି ଗୀତଗୁଡ଼ିକୁ ସଙ୍ଗୀତ କରିବାରେ ଯଥେଷ୍ଟ ସହାୟତା କରିଛନ୍ତି । ମୁଖ୍ୟ ଚରିତ୍ର ରାଧାକୃଷ୍ଣଙ୍କର ପ୍ରୀତି ।

 

‘‘କୁଞ୍ଜକୁ ଅନା ସଜନୀ ଦିଶେ ସୁମନ

କଞ୍ଜନ ଅନଳ ସମ ଦିଶେ ଗାଈ ବଦନ

କମଳ ନୟନ କରେ କର ଧରି କିଶୋରୀ

ସରମେ ସରଲ ଶ୍ୟାମ ସୋହାଗିନୀ ସୁନ୍ଦରୀ

ଧୀରେ ଚାଲେ ସୁଧୀରା ସେ ଧରା କରେ ମଣ୍ଡନ ।’’ (୮୧.ଗୀ.ବି.)

 

ରେ ରାଧାଙ୍କର ପାରମ୍ପରିକ ରୂପ ବର୍ଣ୍ଣନା ଦେଖିବାକୁ ମିଳିଥାଏ । ସଙ୍ଗୀତ ମଧ୍ୟ ସୁମଧୁର । କିନ୍ତୁ ଆଉ କେତେକ ଓଡ଼ିଶୀ ସଙ୍ଗୀତରେ ଯଦିପାତ ଜନିତ ବିଭ୍ରମତା ଦେଖାଯାଏ । କୁଞ୍ଜବନ କଣ୍ଟକ, କରମବାଙ୍କ-ଧ୍ରୁବ ପଦରେ ରହିଥିଲେ ମଧ୍ୟ ପରବର୍ତ୍ତୀ ପଦରେ ନବଘନେ ସେତ, ଫେରି ସେ ନନ୍ଦ ସୁତ, ଯଥାର୍ଥ ଯତି ପରି ମନେ ହୁଏ ନାହିଁ । ଓଡ଼ିଶୀ ସଙ୍ଗୀତ ବିଶାରଦମାନେ ଏହାର ଯଥାଯଥ ବିଚାର କରିବେ । ଏହାପରେ ନନ୍ଦ କିଶୋର ସିଂହଙ୍କର ଗଜଲଗୁଡ଼ିକ ଉପରେ ଦୃଷ୍ଟି ପକାଇବା ଆବଶ୍ୟକ । ଓଡ଼ିଆ ଗୀତ କବିତା ଜଗତରେ ଗଜଲ ଏକ ନୂତନ ସୃଷ୍ଟି । ଆପାତତଃ ଏହା ଉର୍ଦ୍ଦୁ ସାହିତ୍ୟର ଅନୁସରଣରେ ସୃଷ୍ଟି । ଓଡ଼ିଶାର ପ୍ରଖ୍ୟାତ ଗୀତିକାର ତଥା ଗାୟକ ୰ ଅକ୍ଷୟ ମହାନ୍ତି ପ୍ରଥମେ ଓଡ଼ିଆରେ ଗଜଲ ଲେଖିବାର ପରମ୍ପରା ଆରମ୍ଭ କରିଥିଲେ ଏବଂ ସେଥିରେ ସେ ସଫଳ ମଧ୍ୟ ହୋଇଥିଲେ । ଗଜଲ ଏକ ପ୍ରଣୟସିକ୍ତ ରଚନା ଯେଉଁଥିରେ କେବଳ ପ୍ରେମ ଓ ପ୍ରେମିକାର କଥା କୁହାଯାଇପାରେ । ତେଣୁ ହିନ୍ଦୀ ସାହିତ୍ୟରେ ଏହାର ବହୁ ସମାଦର ଥିଲା- କାରଣ କେତୋଟି ପଦ ମଧ୍ୟରେ ଅନ୍ତରର ଗଭୀରତମ ପ୍ରଦେଶର ଭାବାନୁଭୂତିକୁ ଏଥିରେ ଅତି ସୁନ୍ଦର ଭାବରେ ବ୍ୟକ୍ତ କରାଯାଇଥାଏ । ତେଣୁ ଏହା ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଥାଏ । ଗଜଲ ସମ୍ପର୍କୀତ ବିଶଦ ଆଲୋଚନା ମନ ବୃନ୍ଦାବନର ଏକାକୀ ମଧୁମକ୍ଷିକା ଅକ୍ଷୟ ମହାନ୍ତି ନିବନ୍ଧରେ ଆଲୋଚିତ । ସେ ଦୃଷ୍ଟିରୁ ବିଚାର କଲେ ନନ୍ଦ କିଶୋର ସିଂହ କେତେକ ମୁକ୍ତ ଛନ୍ଦ ଗଜଲ ରଚନା କରିଛନ୍ତି । ପ୍ରେମ, ପ୍ରଣୟ ଓ ପ୍ରଣୟିନୀକୁ ନେଇ – କିନ୍ତୁ ଏହି ଗଜଲଗୁଡ଼ିକ ସେତେ ହୃଦୟଗ୍ରାହୀମନେ ହୁଅନ୍ତି ନାହିଁ ।

 

‘‘ପୀରତା ବାସରେ ପ୍ରଦୀପ ଦୁଇ ଏ ଆଖି

ପୀରତିତ ସାକ୍ଷୀ ପୁଣି ଏଇ ଦୁଇ ଆଖି ।’’ (୬୨)

x      x      x      x      x

‘‘ପ୍ରୀତି ମୋ ଖୋଜୁଛି ନିତି ପ୍ରିୟ ହୃଦ ଆସନ

ପ୍ରୀତି ବିନା ପ୍ରିୟା ବିନା ଶୂନ୍ୟ ହୃଦ ଆସନ ।’’

 

ଆଦି ପଂକ୍ତି ମଧ୍ୟରେ ଗଜଲର ସେହି ସଜଳ ଅଭିବ୍ୟକ୍ତି ଦେଖିବାକୁ ମିଳେ ନାହିଁ । ଭାଷା ସହିତ ଭାବର ସାମ୍ୟ ଏକାନ୍ତ ଆବଶ୍ୟକ । ଗୀତି କବିତାର ଭାଷା ଅନ୍ୟ ସମସ୍ତ ସାହିତ୍ୟିକ ସୃଷ୍ଟିଠାରୁ ସ୍ୱତନ୍ତ୍ର-ଅତଏବ ଯେତେବେଳେ ଜଣେ ଗୀତିକାର ଗୀତ ରଚନା କରେ- ଭାବ ସହିତ ଶବ୍ଦ ଓ ସୁର ତାର ହୃଦୟ ମଧ୍ୟରେ ଅତି ଗଭୀର ଭାବରେ ଆଲୋଡ଼ିତ ହୋଇଥାଏ । ଯାହା ଫଳରେ ସେଥିରୁ ଭାବମୟ ସଙ୍ଗୀତର ଏକ ସୁଲଳିତ ମୂର୍ଚ୍ଛନା ଭାସିଆସେ । ପ୍ରାଚୀନ ଓଡ଼ିଆ ଗୀତ କବିତାରେ ଯେଉଁ ସୃଷ୍ଟିଗୁଡ଼ିକ ଚଉପଦୀ, ଚଉତିଶା, କୋଇଲି, ପୋଈ, ବୋଲି, ଷୋଡ଼ଶା ଆଦି ଭାବରେ ରଚିତ ହୋଇଛି ତାହା ସବୁ ଏକ ନିର୍ଦ୍ଦିଷ୍ଟ ବ୍ୟାକରଣର ଧାରା ଅନୁସରଣ କଲେ ମଧ୍ୟ ଭାବ ପ୍ରକାଶରେ ସେଥିରେ କୌଣସି ବିଡ଼ମ୍ବନା ଦେଖାଯାଏ ନାହିଁ । ସେହି ସମୟର ଗୀତିକବିତା କିଛି ଲୋକଗୀତ (ଢଗଢମାଳି ଇତ୍ୟାଦି) ଓ କିଛି ସଂସ୍କୃତ ସାହିତ୍ୟର ଶାସ୍ତ୍ରୀୟ ଅନୁଲେପକୁ ନେଇ ରଚିତ ହୋଇଥିଲେ ମଧ୍ୟ ତାହା କବିର ଶବ୍ଦ ଚୟନ ଚାତୁରୀ ମାଧ୍ୟମରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇ ପାରିଥିଲା । ଅତଏବ ଗୀତି କବିତାରେ ଗୀତର ବ୍ୟାକରଣ-ସ୍ୱର, ତାଳ, ଲୟ, ମାତ୍ରା, ଛନ୍ଦ, ତାନ ଧ୍ରୁବ ପଦ ଇତ୍ୟାଦି ରହିଥିଲେ ମଧ୍ୟ କବି ଯଦି ନିଜସ୍ୱ ଭାଷା ଦକ୍ଷତା ମଧ୍ୟରେ ତାହାର ଅନୁସରଣ କରିବ ଗୀତି କବିତା ଅଚିରେ ସାର୍ଥକ ହୋଇପାରିବ ।

 

ଏହାର କିଛି ଉଦାହରଣ ନନ୍ଦ କିଶୋର ସିଂଙ୍କର ଅନନ୍ୟ ରଚନା ଶୈଳୀ ମଧ୍ୟରେ ଦୃଷ୍ଟି ଗୋଚର ହୋଇଥାଏ । ଯେପରି:-

 

‘‘ଅଭିମାନର ପାଚେରି କେଡ଼ିକି ଉଚ୍ଚ

ଆଶା ନିରାଶାର ପୁଣି କେତେ ପାହାଚ

ଭଲ ପାଇବା ରାତିରେ ସପନ କେତେ

ସକାଳଠୁଁ ସଞ୍ଜଦେବୀ ହିସାବ କେତେ ।’’ (ଇ.ନ.୬)

 

ଚମତ୍କାର ଖଣ୍ଡ ପଦର ବ୍ୟବହାର-ମହକ ବତୁରା ଫୁଲର ସକାଳ, ପ୍ରଜାପତି ଦେହର ବଗିଚା, ସପନରେ ଝୁଡ଼ୁବୁଡ଼ୁ ଚୁଗୁଲିଆ ଆଖି, ମୋଫସିଲ ଫସଲ ମୁଁ କାଟି ଚାଲିଥିବି, ସହିତ ଉନ୍ନତମାନର ଜୀବନ ଜିଜ୍ଞାସାରେ ଉବୁଟୁବୁ ପଦ ସଂଯୋଜନା-

 

୧-

‘‘ମନଟାକୁ ବାନ୍ଧିଥିଲି ପଣତ କାନିରେ

 

କେତେବେଳେ ହଜିଥିଲା ଖିଆଲି ନଈରେ ।’’ (ଗୀ.ତ/-୨୫)

୨-

‘‘ସବୁ ନହାରିଲେ ଜିଣିବ କି ପ୍ରିୟା ହୃଦୟ

 

ଅସରା ଲୁହରେ ନ ଭିଜିଲେ ସେ କି ହୃଦୟ ।’’ (୧୦୯)

୩-

‘‘ପୁଣ୍ୟକୁ ସିନା ବଞ୍ଚାଇ ରଖିଛି ଦୁନିଆର ଯେତେ ପାପ

 

ଯେମିତି ଲୁହର ଦରିଆ ମଝିରେ ହସର ପ୍ରବାଳଦ୍ୱୀପ ।’’

୪-

‘‘କେତେ ବଇଶାଖ ତାତିଲା ନିଆଁରେ

 

ପ୍ରଜାପତି ଡେଣାଜଳେ

 

ତଥାପି ଚାଲିଚି ଆଗକୁ ଆଗକୁ

 

କଣ୍ଟା କୁସୁମ ପରେ ।’’

 

ତାଙ୍କ କବିତାକୁ ଭାବାବେଗୀ କରିବାରେ ସାହାଯ୍ୟ କରିଛି । କିନ୍ତୁ ଏଇଠି ଗୋଟିଏ କଥା ସୂଚୀତ କରିବା ନିହାତି ଆବଶ୍ୟକ ଯେ ଗୀତି କବିତା ନିଶ୍ଚିତ ଭାବରେ ଭାବାଶ୍ରୟୀ ହେବା ଆବଶ୍ୟକ କିନ୍ତୁ କେବଳ ଭାବ ଗୋଟିଏ ଗୀତି କବିତା ପାଇଁ ଯଥେଷ୍ଟ ନୁହେଁ- ବିସଦୃଶ ପଦ ସଂଯୋଜନା-ଉପମା ଓ ରୂପକର ଅଯଥା ଅସାବଧାନତା ପ୍ରୟୋଗ, ତଥା ଶବ୍ଦ ପ୍ରୟୋଗରେ ସୂଚୀତା ରକ୍ଷା ନ କଲେ ଗୀତି କବିତା ତାର ଅନ୍ତର୍ନିହିତ ଆବେଗ ହରାଇ ବସିଥାଏ । ଶ୍ରୀଯୁକ୍ତ ନନ୍ଦ କିଶୋର ସିଂ ଜଣେ ବହୁ ଚର୍ଚ୍ଚିତ ଓ ପ୍ରତିଷ୍ଠିତ କବି-ଆଧୁନିକ ଓଡ଼ିଆ ଗୀତି କବିତା ରଚନାରେ ଜଣେ ବରିଷ୍ଠ – କବି ତଥାପି ପଦ ସଂଯୋଜନା ଗତ ତୃଟି, ପଦ ବ୍ୟବହାର ଗତ ତୃଟି ଉପମା ଓ ରୂପକ ପ୍ରୟୋଗରେ ତୃଟି ତାଙ୍କ ରଚନାରେ ବହୁଳ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଏହା ବ୍ୟତୀତ ଘୋଷାପଦ ବା ଧ୍ରୁବପତ ସହିତ ଶବ୍ଦ ସାମଞ୍ଜସ୍ୟ ରଖି ଏକ ଶବ୍ଦର ବାରମ୍ବାର ପ୍ରୟୋଗ ତାଙ୍କ ସୃଷ୍ଟିକୁ ଭାରାକ୍ରାନ୍ତ କରିଛି । ଯାହା ତାଙ୍କ ଗୀତି କବିତାର ଉନ୍ନତମାନକୁ ବ୍ୟାହତ କରିଛି । ଏହି ସମ୍ପର୍କେ କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା ।

 

(୧)

‘‘ମୁଁ ଏକ ମଉକା ତାରା ଏତେ ତମେ ଜୋଛନା ଢାଳନି ।’’

 

ତାରା ସହିତ ଜୋଛନାର ସମ୍ପର୍କ କ’ଣ ? ଜୋତ୍ସ୍ନାର ଆଲୋକରେ ତାରା କ’ଣ ଉଦ୍‌ଭାସିତ ହୁଏ କି ?

 

(୨)

‘‘ରାଧା ଚଲାପଥ ଘାସକର ମୋତେ କରି ଗୋପଦାଣ୍ଡ ଧୁଳି ।’’

 

ଏଠି କାମନା ଚଲାପଥର ଘାସ, ପୁଣି କାମନା ଧୂଳି, ଅଥଚ ଏ ଦୁଇର ସଂଯୁକ୍ତି ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରତୀତି କରେ ନାହିଁ ।

 

(୩)

‘‘ ମୁଁ ଏକ ବିୟୋଗାନ୍ତକ ନାଟକର ନାୟକ ।’’ ଏହି ପଦଟିରେ ବ୍ୟବହୃଦ ‘ବିୟୋଗାନ୍ତକ’ ଶବ୍ଦଟି କିଛିଟା ଅକାବ୍ୟିକ ମନେ ହୋଇଥାଏ । ଏହା କବିତାର ଭାଷା ହୋଇପାରେ ମାତ୍ର ଗୀତି ବା ଗଜଲରେ ଶ୍ରୁତିକଟୁ ମନେ ହୁଏ । ସେହିପରି

 

      ‘‘ଶଙ୍ଖଦ୍ୱୀପର ମତ୍ସ୍ୟ କନ୍ୟା ଗୋ ପଦ୍ମଗନ୍ଧା ସ୍ୱପ୍ନ ମାନସୀ

      ପ୍ରବାଳ ଓଠର ଚାରୁ ଚନ୍ଦ୍ର ହାସ୍ୟ ମଧୁଛନ୍ଦା ସୁର ସାରସୀ ।’’ (ଗୀ.ଗୁ.୧୩)

 

ରଚନାଟି ଗୀତିଠାରୁ କିଛିଟା ଭିନ୍ନ ପ୍ରତୀୟମାନ ହୁଏ । ଏହିପରି ଗୋଟିଏ ଗୀତିକୁ ନିଆଯାଉ ।

 

      ‘‘ଫୁଲ ତୁମେ ପଠାଇଲ ଫଗୁଣ ହାତରେ

      ସେ ଫୁଲ ପିନ୍ଧିବି ମୋର ମାଳତୀ ଗଭାରେ ।’’

 

ଏହା ଏକ କମନୀୟ ଅର୍ଥ ପ୍ରତୀତି ଓ ଭାବମୟତା ସୃଷ୍ଟି କରିଥାଏ କିନ୍ତୁ ପରବର୍ତ୍ତୀ ପଦ:-

 

‘‘କାନନ କୁମାରୀ ମୁଁ ଗୋ ହରିଣୀ ଚଞ୍ଚଳ

ଝରଣା ଭିଜାଏ ମୋର କାମିନୀ ଅଞ୍ଚଳ

ତୁମ ରଙ୍ଗ ଅଙ୍ଗ ରାଗ ମାଗେ ମୁଁ ଅଙ୍ଗରେ

ତମାଳ ଆଖିରେ ମୁଁ ତ ତମକୁ ଚାହିଁଛି

ପଲାସ ଓଠରେ ତୁମ ପାଇଁ ମୁଁ ହସୁଛି

ତୁମରି ଗୀତ ମୁଁ ଗାଏ କୋଇଲି କୁହୁରେ ।’’

 

ପୂର୍ବପଦ ସହିତ ସମତା ରକ୍ଷା କରିପାରେ ନାହିଁ । ଫଳରେ ଏକ ନିର୍ଦ୍ଦିଷ୍ଟ ଆଲୋଡ଼ନ ସୃଷ୍ଟି କରିବା ନିମିତ୍ତ ଏହା ଅସମର୍ଥ ହୋଇପଡ଼େ । ସେହିପରି ଯତିପାତ ପାଇଁ କବରୀ, କବରୀ କବରୀ, କଙ୍କଣ, କଙ୍କଣ କଙ୍କଣ, ତପସ୍ୟା, ତପସ୍ୟା ତପସ୍ୟା, ଝରକା, ଝରକା ଝରକା, ନୂପୁରୁ, ନୂପୁର ନୂପୁର, ଧରମ ଧରମ ଧରମ, ପାଉଁଶ ପାଉଁଶ ପାଉଁଶ, ଅଳପ, ଅଳପ ଅଳପ, ମନେ ପଡ଼ୁଛି, ମନେ ପଡ଼ୁଛି, ଶୋଷ, ଶୋଷ ଶୋଷ, ସୁନ୍ଦରୀ ସୁନ୍ଦରୀ ସୁନ୍ଦରୀ, ଶ୍ରାବଣ ଶ୍ରାବଣ, ଶ୍ରାବଣ, ହୃଦୟ, ହୃଦୟ ହୃଦୟ, କ୍ଷମା କ୍ଷମା କ୍ଷମା, କ୍ଷମା ଆଦି ଶବ୍ଦ ପ୍ରତ୍ୟେକ ପଦ ଶେଷରେ ବାରମ୍ବାର ପ୍ରୟୋଗ କିଛିଟା ଶ୍ରୁତି କଟୁ ମନେ ହୋଇଥାଏ । ଗଜଲମାନଙ୍କରେ ଏକ ଶବ୍ଦର ବାରମ୍ବାର ପ୍ରୟୋଗ ଘଟିଥାଏ ଯମକ ବା ଅନୁପ୍ରାସ ଅଳଙ୍କାରରେ ମଧ୍ୟ ଏହିପରି ଶବ୍ଦର ପ୍ରୟୋଗ ହୋଇଥାଏ । କିନ୍ତୁ ତାହା ଯେପରି ଶ୍ରୁତି ମଧୁର ହୋଇଥାଏ ଏଠାରେ ତାହା ହୋଇନାହିଁ ।

 

ଗୀତି କବି ନନ୍ଦକିଶୋର ସିଂ ବହୁ ଆଧୁନିକ କବିତାର ରଚୟିତା ମଧ୍ୟ । ଗୀତର ବ୍ୟାକରଣ ସମ୍ପର୍କରେ ସେ ମଧ୍ୟ ଜ୍ଞାତ । ତଥାପି ତାଙ୍କ ଗୀତରେ କବିତା ଧର୍ମିତା ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ । ଶବ୍ଦ ଚୟନେ, ପଦ ବ୍ୟବହାର, ତଥା ଭାବ ପ୍ରକାଶରେ ଗୀତି କବିତା ଅପେକ୍ଷା ସମ୍ପୂର୍ଣ୍ଣ ଆଧୁନିକ କବିତାର ଧର୍ମ ଅଧିକ ସ୍ପଷ୍ଟ । ପ୍ରତୀକ୍ଷା ଧୂପକାଠି, କାନ୍ତ କାନ୍ତା, ଶାନ୍ତ ଶୀତଳ, ଅଭିଲମ୍ବ, ନୀଳ ସ୍ୱପ୍ନ, ମୁର୍ଖକୀଟ, ଉଦୟାସ୍ତଂ, ମେଘନୀଳାମ୍ବରୀ, ଶଙ୍ଖ ଦ୍ୱୀପର ପଦ୍ମସୁରା, ଆକ୍ଷାଂଶ ଦ୍ରାଘିମା, ଚନ୍ଦ୍ରଭାଗା ସୂର୍ଯ୍ୟ, କାରୁକାର୍ଯ୍ୟ, ତ୍ୱର୍ଯ୍ୟ, କୌମୁର୍ଯ୍ୟ ଆଦି ଶବ୍ଦଗୁଡ଼ିକର ସଂଯୋଜନା ଏହି ଗୀତଗୁଡ଼ିକୁ ଗୀତି ଧର୍ମୀ ପରିବର୍ତ୍ତେ ଅଧିକ କବିତା ଧର୍ମୀ କରିଛି । ଏହି ସମ୍ପର୍କରେ କବି ସଚେତନ ହେଲେ ତାଙ୍କର ଗୀତି କବିତାରେ ଯେଉଁ ଭାବ ଧର୍ମିତା ରହିଛି ତାହା ଅଧିକ ରସଗ୍ରାହୀ ଓ ଉଚ୍ଚମାନର ହୋଇପାରିବ । ତାଙ୍କରି କବିତାରେ ସେ ଯେଉଁଦର୍ଶନ ବାଢ଼ିଛନ୍ତି ।

 

      ‘‘କାଠିଟିଏ

            ଜଳି ଜଳି ବିତରିଲେ ବାସ

            ନାଁ ତାର ଧୂପ

      କଢ଼ିଟିଏ ଫୁଟିଫୁଟି ବିତରିଲେ ବାସ

            ନାଁ ତାର ପୁଷ୍ପ

            ଶିଖାଟିଏ

            ଜଳି ଜଳି ବିତରି ଆଲୋକ

            ନାମ ବହେ ଦୀପ ।’’

 

ତାହା ତାଙ୍କରି ଗୀତି କବିତା ପ୍ରତି ପ୍ରଯୁଜ୍ୟ ହେବ-ଧୂପର ବାସ୍ନାରେ ଫୁଲର ମହକରେ ଓ ଶିଖାର ଆଲୋକରେ ତାଙ୍କ ଗୀତିଗୁଡ଼ିକ ରଞ୍ଜିତ ହୋଇଉଠିବ । ତନ୍ମୟ ମନର ମନ୍ମୟ କି ହୋଇ ଉଠିବେ ଅପ୍ରତିଦ୍ୱନ୍ଦୀ ଗୀତିକାର ।

 

ନରେନ୍ଦ୍ର କୋଣ, ପୁରୀ

 

***

 

ଯାଜପୁରରେ ବୌଦ୍ଧ ପରମ୍ପରା :

ଏକ ଐତିହାସିକ ଓ ସାଂସ୍କୃତିକ ଅନୁଶୀଳନ

ଗିରିଧାରୀ ସ୍ୱାଇଁ

 

ବହୁ ପ୍ରାଚୀନ କାଳରୁ ବିଭିନ୍ନ ଧର୍ମଧାରାର ମହାପ୍ଳାବନ ଯାଜପୁର ମାଟିକୁ ମହନୀୟା କରିଛି । ସର୍ବଧର୍ମ ସମନ୍ୱୟର ମହାମିଳନ ପୀଠ ଭାବରେ ଯାଜପୁର ସଂସ୍କୃତି ପରିପୃଷ୍ଠ । ଶାକ୍ତ, ଶୈବ, ବୈଷ୍ଣବ, ସୌର, ଗାଣପତ୍ୟ, ବୌଦ୍ଧ, ଜୈନ୍ୟ, ନାଥ ପ୍ରଭୃତି ବିଭିନ୍ନ ଧର୍ମଧାରାର ପ୍ରଭାବରେ ପ୍ରଭାବିତ ହୋଇ, ରାଜନ୍ୟ ବର୍ଗ ଏଥିପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି । ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିଛନ୍ତି । ଏସବୁ ଧର୍ମ ଧାରା ମଧ୍ୟରୁ ବୌଦ୍ଧଧର୍ମ ବ୍ୟାପକ ପ୍ରସାର ଲାଭ କରିଛି । ତେଣୁ ଯାଜପୁରକୁ ବୌଦ୍ଧ ଧର୍ମର ଭୂସ୍ୱର୍ଗ କୁହାଯାଏ । ଯାଜପୁରର ଗିରିକନ୍ଦର ବଣପାହାଡ଼, ନଦୀନାଳ-ଯେଉଁଠି ମୁଠାଏ ମାଟି ଖୋଳିଲେ ସେଠି ଝଲସି ଉଠିବ ବୌଦ୍ଧକୀର୍ତ୍ତି ରାଜି । ସମଗ୍ର ଯାଜପୁରର ବ୍ୟାପକ ଅଞ୍ଚଳରୁ ଆବିଷ୍କୃତ ବୌଦ୍ଧ କୀର୍ତ୍ତିରାଜି ଦେଖିଲେ ଏହାର ଯଥାର୍ଥତା ପ୍ରତିପାଦିତ ହୁଏ । ବୌଦ୍ଧଧର୍ମଗ୍ରନ୍ଥ ହାଠା ବଂଶରୁ ଜଣାଯାଏ ଯେ, ଗୃହ ଶିବ ହେଉଛନ୍ତି, ଯାଜପୁର ମଣ୍ଡଳର ସର୍ବପ୍ରାଚୀନ ବୌଦ୍ଧ ରାଜା । ଏଥିରେ ଉଲ୍ଲେଖ ଅଛି ଯେ ଗୌତମ ବୁଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପ୍ରିୟ ଶିଷ୍ୟ ଖେମ – ବୁଦ୍ଧଙ୍କର ଗୋଟିଏ ବାମଦନ୍ତ କଳିଙ୍ଗ ରାଜା ବ୍ରହ୍ମଦତ୍ତଙ୍କୁ ପ୍ରଦାନ କରିଥିଲେ । ଉତ୍ତରାଧିକାରୀ ଭାବରେ ଗୃହଶିବ ଏହି ଦନ୍ତକୁ ପୂଜା କରୁଥିଲେ । ସେ ବୌଦ୍ଧ ହେଲେ ମଧ୍ୟ ଦେବୀ ବିରାଜ ଓ ହିନ୍ଦୁଧର୍ମ ପ୍ରତି ତାଙ୍କର ଆନୁଗତ୍ୟ ଥିଲା । ଗୃହେଶ୍ୱର ପାଟକ ବା ଏବେକାର ଗୋହିରା ଟିକିରୀଠାରେ ଗୃହଶିବଙ୍କ କୀର୍ତ୍ତି ଦୃଷ୍ଟିଗୋଚରୁ ହୁଏ । ଐତିହାସିକ ଡଃ ହରେକୃଷ୍ଣ ମହତାବ ଲେଖିଛନ୍ତି-

 

‘‘It (Jajpur) was the seat of Orissan Kings of the Bhaumakar dynasty for about three centuries Sri Subhakar Dev of this dynastry established contact with his contemporary King of China in the 7th Century A.D. under the region of this dynasty. Jajpur became one of the most famous Buddhist centre attracted students from all over India’’

 

ସପ୍ତମ ଶତାବ୍ଦୀରେ, ଯାଜପୁରଠାରେ ରାଜୁତି କରୁଥିବା ରାଜା ଶୁଭାକର ଦେବ ତତ୍କାଳୀନ ଚିନ ବୌଦ୍ଧ ରାଜାଙ୍କ ସହିତ ଯୋଗାଯୋଗ କରୁଥିଲେ । ସେତେବେଳେ ଯାଜପୁର ଠାରେ ବୌଦ୍ଧଧର୍ମର ପ୍ରସାର ଘଟିଥିଲା । ବିଭିନ୍ନ ସ୍ଥାନରେ ବୌଦ୍ଧ ବିହାର ମାନ ଗଢ଼ି ଉଠିଥିଲା । ଭାରତ ତଥା ଭାରତ ବାହାରୁ ଶିକ୍ଷାର୍ଥୀବୃନ୍ଦ, ଏଠାରେ ଶିକ୍ଷା ଲାଭ କରିବାକୁ ଆସୁଥିଲେ । କ୍ରମେ ବୌଦ୍ଧଧର୍ମ ସାର୍ବଜନୀନ ଗଣଧର୍ମ ଭାବରେ କଳିଙ୍ଗ ଉତ୍କଳ ଜନ ଜୀବନକୁ ପ୍ରଭାବିତ କରିଥିଲା । ଗୌତମ ବୁଦ୍ଧଙ୍କ ସର୍ବପ୍ରଥମ ପଟ୍ଟଶିଷ୍ୟଦ୍ୱୟ ତପସୁ ଓ ଭଲ୍ମିକ ଯାଜପୁର ବାସୀ । ସେ ଦୁହେଁ ବୃତ୍ତିରେ ବ୍ୟବସାୟୀ ଥିଲେ । ସେ ଦୁହେଁ ସର୍ବ ପ୍ରଥମେ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ଏହାର ପ୍ରଚାର ପ୍ରଚାର କରିଥିଲେ । ଗୌତମ ବୁଦ୍ଧଙ୍କ ମହାପ୍ରୟାଣ ପରେ, ସେମାନେ ଅସିତାଂଜ ନଗରୀ ଅନ୍ତର୍ଗତ ଭଲୁକୋଠାରେ କେଶସ୍ତୂପ ଓ ନଖସ୍ତୂପ ନିର୍ମାଣ କରି ଧର୍ମ ପ୍ରଚାରର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

 

ଗବେଷକ ହରିଶ୍ଚନ୍ଦ୍ର ପୃଷ୍ଟି ଲେଖିଛନ୍ତି – ମୋ ସର୍ବେକ୍ଷଣାନୁଯାୟୀ ଶତାଧିକ ବୌଦ୍ଧ ବିହାର ପୀଠ, କୀର୍ତ୍ତିରାଜିରେ ବିମଣ୍ଡିତ ଯାଜପୁର ଜିଲ୍ଲା ଅଧୀନସ୍ଥ ଐତିହାସିକ ‘ଅସିହା’ ପର୍ବତମାଳା ଅନ୍ତର୍ଗତ କେଶ ବିହିପୁର ଓ ଭୁଲୁକା ଅଞ୍ଚଳ ସହିତ ଚିହ୍ନିତ କରାଯାଇଛି । କେଶରହିପୁର ଗ୍ରାମର ପାରାଭାଡ଼ି ପାହାଡ଼ ଓ ଲଣ୍ଡା ପାହାଡ଼ ଶୀର୍ଷରୁ ସୁନା ଫରୁଆରେ ଥିବା ବୁଦ୍ଧଙ୍କ ପବିତ୍ର ଦନ୍ତଧାତୁ ଆବିଷ୍କାର ଏକ ଉଲ୍ଲେଖନୀୟ ଘଟଣା । ବୌଦ୍ଧ ପାଲି ଗ୍ରନ୍ଥରେ ମଧ୍ୟ ତପସୁ ଓ ଭଲ୍ଲିକଙ୍କ ଦ୍ୱାରା ନଖସ୍ତୂପ ଓ କେଶସ୍ତୂପ ନିର୍ମାଣ କରାଯାଇଛି ବୋଲି ଉଲ୍ଲେଖ ଅଛି ।

 

ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜ ହୁଏନ୍‌ସାଂ ଓଡ଼୍ରଦେଶ (ଓଡ଼ିଶା) ଆସି ‘‘ପୁ.ସି.ପୋ.କି.ଲି’’ (ପୁଷ୍ପଗିରି) ବୌଦ୍ଧ ବିହାର ଦର୍ଶନ କରି ଅତ୍ୟନ୍ତ ପ୍ରୀତ ଓ ବିସ୍ମିତ ହୋଇଥିଲେ । ସେ ସମୟରେ ମୌର୍ଯ୍ୟ ସମ୍ରାଟ ଅଶୋକ, ଗୁରୁ ଉପଗୁପ୍ତଙ୍କ ଠାରୁ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କୁ ବୌଦ୍ଧଧର୍ମ ପ୍ରଚାର ନିମିତ୍ତ ସିଂହଳକୁ ପଠାଇଥିଲେ । ହୁଏନ୍‌ସାଂଙ୍କ ବିବରଣୀରୁ ଜଣାଯାଏ ଯେ, ସେ ସମୟରେ ବୌଦ୍ଧ ସଂସ୍କୃତି, କଳା ସ୍ଥାପତ୍ୟର ଚରମ ବିକାଶ ସାଧିତ ହୋଇଥିଲା । ଅଶୋକ ବହୁସ୍ତୂପ, ଚୌତ୍ୟ, ବୌଦ୍ଧବିହାର, ବୌଦ୍ଧ ମୂର୍ତ୍ତିମାନ ନିର୍ମାଣ କରିଥିଲେ । ଯାଜପୁର ଜିଲ୍ଲାରେ ହୀନଯାନ ପନ୍ଥୀ ଦଶଟି ବୌଦ୍ଧସ୍ତୂପ ଆବିଷ୍କୃତ ହୋଇଛି । କେବଳ ଓଡ଼ିଶା କାହିଁକି ବୌଦ୍ଧଗୟା, କପିଳବାସ୍ତୁ, ସାରନାଥ, ମଥୁରା, ନାଗାର୍ଜୁନ କୁଣ୍ଡା ଓ ଅମରାବତୀରୁ ଅଶୋକଙ୍କ ନିର୍ମିତ ବହୁପ୍ରାଚୀନ ବୌଦ୍ଧସ୍ତୂପ, ଚୈତ୍ୟ ଓ ମୂର୍ତ୍ତିର ଭଗ୍ନାଂବଶେଷ ଆବିଷ୍କୃତ ହୋଇଛି ।

 

ପୁନଶ୍ଚ ୨ୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱ ସମୟରେ ଖ୍ରୀଷ୍ଟିୟ ୩୯୯ରେ ଚୀନ ପରିବ୍ରାଜକ ଫାହିୟାନ ଭାରତ ଭ୍ରମଣରେ ଆସି, ପାଟଳିପୁତ୍ର ନଗରୀରେ ମହାଯାନପନ୍ଥୀ ବୌଦ୍ଧମାନଙ୍କର ରଥଯାତ୍ରା ଦେଖିଥିଲେ । ତିରିଶ ଫୁଟର ଅଧିକ ଉଚ୍ଚତା ବିଶିଷ୍ଟ ସୁସଜ୍ଜିତ ରଥମାନ, ଯାତ୍ରା ପାଇଁ ପ୍ରସ୍ତୁତ କରା ଯାଇଥିଲା । ବୌଦ୍ଧ ସଂସ୍କୃତି ଓ ପରମ୍ପରା, ପରବର୍ତ୍ତୀ ସମୟରେ ଶାକ୍ତ ଓ ବୈଷ୍ଣବୀୟ ପରମ୍ପରାରେ ଏକିଭୂତ ହୋଇ ଏକ ସମନ୍ୱୟ ସଂସ୍କୃତି ଗଢ଼ିଉଠିଛି, ଯାଜପୁର ମାଟିରେ । ବିରଜା ଦେବୀଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାର ପ୍ରତୀକ । ପୁନଶ୍ଚ ବିରଜାକ୍ଷେତ୍ରର ନାଭିଗୟା ପ୍ରସଙ୍ଗରେ ଯେଉଁ ଗୟାସୁର ଆଖ୍ୟାନଟି ପ୍ରଚଳିତ ତାହା ବୌଦ୍ଧ ଜାତକର ଗୌତମ ବୁଦ୍ଧଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ । ବୁଦ୍ଧଙ୍କ ସତ୍ୟ ଅହିଂସା ପ୍ରତୀକ ସ୍ୱରୂପ ଗୟାସୁର ଆଖ୍ୟାନ ପ୍ରଚଳିତ ବୋଲି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, କେଦାର ନାଥ ମହାପାତ୍ର, ଡ ହରେକୃଷ୍ଣ ମହତାବ ପ୍ରମୁଖ ମତବ୍ୟକ୍ତ କରିଛନ୍ତି ।

 

ଖ୍ରୀ:ଷ୍ଟ-୨୬୧ରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । ଅଶୋକଙ୍କ ଧଉଳି ଶିଳା ଲେଖରୁ ବହୁ ଐତିହାସିକ ତଥ୍ୟ ବିରଜା ମଣ୍ଡଳର ଅବସ୍ଥିତି ଓ ଏହାର ପ୍ରାଚୀନତା ସୂଚାଏ । ପୂର୍ବରୁ କୁହାଯାଇଛି, ଭୌମବଂଶର ରାଜାମାନେ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ହେଁ ସେମାନଙ୍କର ହିନ୍ଦୁଧର୍ମ ପ୍ରତି ଅନୁରାଗ ଥିଲା । ଖଡ଼ିପଦାରୁ ମିଳିଥିବା ଅବଲୋକିତେଶ୍ୱର ପଦ୍ମପାଣି ମୂର୍ତ୍ତିରେ ଥିବା ଏକ (ଏବେ ଓଡ଼ିଶା ମ୍ୟୁଜିୟମରେ ସ୍ଥାନୀତ) ଶିଳାଲେଖରୁ ଜଣାଯାଏ ଯେ, ପ୍ରଥମ ଶୁଭାକର ଦେବଙ୍କ ରାଜତ୍ୱ କାଳରେ ତାଙ୍କ ଗୁରୁ ରାହୁଳଙ୍କ ସନ୍ତୋଷ ବିଧାନ ପାଇଁ ଏହି ମୂର୍ତ୍ତିଟି ନିର୍ମିତ ହୋଇଥିଲା । ରାଉଳଭଦ୍ର ନାଳନ୍ଦାର ପ୍ରଧାନ ଆଚାର୍ଯ୍ୟ ଥିଲେ । ସେ ଜଣେ ନୈଷ୍ଠିକ ଓଡ଼ିଆ ବ୍ରାହ୍ମଣ ଥିଲେ ବୋଲି ତିବ୍ବତୀୟ ଐତିହାସିକ ତାରାନାଥ ଲେଖିଛନ୍ତି ।

 

ସମଗ୍ର ଯାଜପୁରର ନଦନଦୀ, ପାହାଡ଼, ପୁରପଲ୍ଲୀ ସର୍ବତ୍ର ବୌଦ୍ଧକୀର୍ତ୍ତି ରାଜି ଏବେ ବି ଇତିହାସର ମୂକସାକ୍ଷୀ ଭାବେ ଦଣ୍ଡାୟମାନ । ଯାଜପୁର ସହର ପାଖ ଷୋଳମପୁର ଗ୍ରାମରୁ ଭୌମକର ଯୁଗୀୟ ବୌଦ୍ଧ ବିହାର, ବୌଦ୍ଧମୂର୍ତ୍ତି, ତାରା, ଜମ୍ବଳ, ଜାଙ୍ଗୁଳା, ମଞ୍ଜୁଶ୍ରୀ ମୂର୍ତ୍ତିମାନ ଆବିଷ୍କୃତ ହୋଇଛି । ଏତଦ୍‌ବ୍ୟତୀତ ଯାଜପୁର ସହରର ଶ୍ରୀରାମପୁରଠାରେ ଭୂମିସ୍ୱଶ ମୁଦ୍ରାରେ ଆସୀନ ବୁଦ୍ଧମୂର୍ତ୍ତି, ଶୀତଳେଶ୍ୱରଠାରେ ୬ଟି ଧ୍ୟାନୀ, ବୁଦ୍ଧମୂର୍ତ୍ତି, ଗଣପତିପୁରରେ ପ୍ରକାଣ୍ଡ ବୁଦ୍ଧମୂର୍ତ୍ତି ଆବିଷ୍କୃତ ହୋଇଛି । ଯାଜପୁରର ଦଶରଥପୁର ନିକଟସ୍ଥ ତରାଙ୍ଗ ସାଗରପୁରଠାରେ ଇଟା ନିର୍ମିତ ବୁଦ୍ଧ ବିହାର, ବୁଦ୍ଧ, ବୋଧିସତ୍ୱ ବିରାଟକାୟ ବୁଦ୍ଧ ମସ୍ତକ, ବହୁ ମାଟିପାତ୍ର ଆବିଷ୍କୃତ ହୋଇଛି । ବିଞ୍ଝାରପୁର ଅନ୍ତର୍ଗତ କପିଳାଠାରେ ଇଟାନିର୍ମିତ ବୌଦ୍ଧବିହାର, ଦିଭୁଜାପଦ୍ମପାଣି, ଅବଲୋକିତେଶ୍ୱର ମୂର୍ତ୍ତି, ଚତୁର୍ଭୁଜ ଜଟାମୁକୁଟ ଲୋକେଶ୍ୱର ମୂର୍ତ୍ତି, ପଦ୍ମପାଣି ବୋଧିସତ୍ତ୍ୱ ମୂର୍ତ୍ତିମାନ ଲୋକ ଲୋଚନକୁ ଆସିଛି । ବରୀବ୍ଲକ୍ ଅନ୍ତଗର୍ତ ଏରଡ଼ାଠାରେ ବୌଦ୍ଧବିହାର ସ୍ତୂପ, ବିରାଟକାୟ ବୁଦ୍ଧ ମସ୍ତକ, ଜମ୍ବଳ, ପଦ୍ମପାଣି ମୂର୍ତ୍ତି ରାଜିର ଭଗ୍ନାଂବଶେଷ ପରିଲକ୍ଷିତ ହୁଏ । ଯାଜପୁର ସଂସ୍କୃତି ଭବନ ପରିସରରେ ଥିବା ସଂଗ୍ରହାଳୟରେ ବୋଧିସତ୍ୱ ପଦ୍ମପାଣି ଓ ଧ୍ୟାନୀ ବୁଦ୍ଧ ମୂର୍ତ୍ତିଦ୍ୱୟ ଭୌମକରଙ୍କ ସମୟର ବୋଲି ଗବେଷକ ଡଃ ଏକାଦଶୀ ପାଢ଼ୀ ତାଙ୍କ ଗବେଷଣା ସନ୍ଦର୍ଭରେ ଉଲ୍ଲେଖ କରିଛନ୍ତି । ଏହି ମୂର୍ତ୍ତିଦ୍ୱୟ ଗୁପ୍ତଯୁଗୀୟ କଳାର ନମୁନା । ୧୮୯୯ ଖ୍ରୀ:ଅ:ରେ ଯାଜପୁରକୁ ଏସ୍.ଡ଼ି.ଓ. ହୋଇ ଆସିଥିବା ଜି. ମିଲ୍‌ଟନ ସନ୍ଥମାଧବ ଗ୍ରାମର ଏକ ମାଟିଗଦା ତଳୁ ଏହି ଦୁଇ ମୂର୍ତ୍ତି ସମେତ ଚାମୁଣ୍ଡା, ବରାହୀ, ଇନ୍ଦ୍ରାଣୀ ଓ ଗରୁଡ଼ ମୂର୍ତ୍ତି ଉଦ୍ଧାର କରିଥିଲେ । (Archological remains at Jajpur, Cuttack gazette August-04-1969 page-565-567)

 

ପୁନଶ୍ଚ କଲିକତା ଆର୍ଟ ସ୍କୁଲର ପ୍ରିନ୍ସପାଲ ମି.ଲୋକ ୧୮୭୨ ଖ୍ରୀ:ଅ:ରେ ଯାଜପୁର ଭ୍ରମଣରେ ଆସି ଏସ୍.ଡ଼ି. ଓ ଆର୍ମଷ୍ଟ୍ରଙ୍ଗଙ୍କ ସହାୟତାରେ ଏଗୁଡ଼ିକୁ ଏସ୍.ଡ଼ି.ଓଙ୍କ ହତାରେ ସ୍ଥାନୀତ କରାଇଥିଲେ । (Proceedings of Asiatic Society of Bengal 2nd February 1872) କଳାପାହାଡ଼ଙ୍କ ସେନାପତି ଆଳିବୋଖାରୀ ମନ୍ଦିର ମାଳିନୀ ଯାଜପୁରର ବିରଜା ମନ୍ଦିର, ବହୁ ଦେବଦେବୀ ମନ୍ଦିର, କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତିମାନ ଭାଙ୍ଗି ଧ୍ୱଂସ କରି ଦେଇଥିଲେ । କଳା ନୈପୁଣ୍ୟ କଳା କୃତିଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲେ । ଏସ.ଡ଼ି.ଓଙ୍କ ହତାରେ ରଖାଯାଇ ଥିବା ମୂର୍ତ୍ତି ସମେତ ସପ୍ତମାତୃକା ମୂର୍ତ୍ତିଗୁଡ଼ିକୁ ମଧ୍ୟ ମାଟିତଳୁ ଅଳିଆଗଦାରୁ ଉଦ୍ଧାର କରା ଯାଇଥିଲା । ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନୃସିଂହ ଚୌଧୁରୀ କଲେଜ, ବରିଜା ବକ୍ତୃତାମାଳା – ୧୯୭୩ ପୃ. ୪୯-୫୦ ।

 

ବିଶ୍ୱ ବିଖ୍ୟାତ ବୌଦ୍ଧ ପୀଠ ରତ୍ନଗିରି – ଯାଜପୁର ବୌଦ୍ଧ କୀର୍ତ୍ତିର ସର୍ବଶ୍ରେଷ୍ଠ ନିଦର୍ଶନ । ‘‘ଲାମା ତାରାନାଥଙ୍କ ବର୍ଣ୍ଣନାନୁଯାୟୀ ଗୁପ୍ତ ସମ୍ରାଟ ନରସିଂହ ଗୁପ୍ତ ବାଳାଦିତ୍ୟ ଖ୍ରୀଷ୍ଟୀୟ ୫ମ ଶତାବ୍ଦୀରେ ରତ୍ନଗିରିଠାରେ ଏକ ବିହାର ସମେତ ଏହାର ଚତୁଃପାର୍ଶ୍ୱରେ ପାଞ୍ଚ ଶହ ଶ୍ରମଣଙ୍କ ପାଇଁ ଉଦ୍ଦିଷ୍ଟ ୮ଟି ବୌଦ୍ଧବିହାର ମଧୁଚକ୍ର ଭଳି ନିର୍ମାଣ କରିଥିଲେ ।’’ ସଂପ୍ରତି ଏଠାରେ ଏକ ବିରାଟ ସଂଗ୍ରହାଳୟ କରାଯାଇ ଏଠାରୁ ଆବିଷ୍କୃତ ବୌଦ୍ଧ ମୂର୍ତ୍ତି, ବୋଧିସତ୍ତ୍ୱ, ତାରା, ଛୋଟ ଛୋଟ ପାତ୍ର, ଫୁଲ, ଧ୍ୟାନୀବୁଦ୍ଧ, ବଜ୍ରପାଣି, ମୌତ୍ରୈୟ, ମଞ୍ଜୁଶ୍ରୀ, ଯାମ୍ବଳ, ବସୁଭଦ୍ର, ଅପରାଜିତ, ହେରୁକା, ବଜ୍ରତାରା, ମାରିଚ ପ୍ରଭୃତି ବିଭିନ୍ନ ଧାତୁରେ ନିର୍ମିତ ମୂର୍ତ୍ତି, ଅନେକ ସ୍ତୂପ, ସ୍ତମ୍ଭ, ଇତ୍ୟାଦି ସଂରକ୍ଷଣ କରାଯାଇଛି ।

 

ଉଦୟଗିରି, ବଜ୍ରଯାନୀ ବୌଦ୍ଧ ପୀଠ ଭାବରେ ଖ୍ୟାତ । ଏଠାରେ ବୌଦ୍ଧ ଭିକ୍ଷୁମାନଙ୍କ ପାଇଁ ଏକ ମହାବିହାର ନିର୍ମିତ ହୋଇଥିଲା । ଏଠାରୁ ବୌଦ୍ଧମୂର୍ତ୍ତି ସହ ବୌଦ୍ଧ ଯୁଗୀୟ ମୋହର ଆବିଷ୍କୃତ ହୋଇଛି । ଧର୍ମଶାଳା ଅନ୍ତର୍ଗତ କାଏମା ପାହାଡ଼ ଓ ରାଧାନଗରଠାରେ ବୌଦ୍ଧ କୀର୍ତ୍ତିମାନ ଆବିଷ୍କୃତ ହୋଇଛି । ଏଠାରେ ଇଟା ନିର୍ମିତ ଏକ ପ୍ରାଚୀନ ଦୁର୍ଗ ସମେତ ବହୁ, ବୌଦ୍ଧ ସ୍ତୂପ, ବୌଦ୍ଧ ବିହାର ଓ ମୁଦ୍ରା ଆବିଷ୍କୃତ ହୋଇଛି ।

 

ଧର୍ମଶାଳା ବ୍ଲକ୍ ମିର୍ଜାପୁର ଗ୍ରାମ ପଞ୍ଚାୟତର ସାଲେପୁର ଗ୍ରାମରେ ଲାଙ୍ଗୁଡ଼ି ପାହାଡ଼ ଅବସ୍ଥିତ । ଏଠାରେ ୩୬ଟି ପ୍ରସ୍ତର କଟା ସ୍ତୂପ, ଗୋଟିଏ ଇଟା ସ୍ତୂପ ଓ ୨ଟି ବୌଦ୍ଧବିହାର ଆବିଷ୍କୃତ ହୋଇଛି । ଏହି ବୌଦ୍ଧକୀର୍ତ୍ତିରାଜ ଭୌମ ଯୁଗର ବୋଲି ଐତିହାସିକ ବି.ଏନ୍. ମୁଖାର୍ଜୀ ଉଲ୍ଲେଖ କରିଛନ୍ତି । ଧର୍ମଶାଳା ନିକଟବର୍ତ୍ତୀ ଦେଉଳପୁର ପାହାଡ଼ ଶୀର୍ଷରୁ ୯ଟି ବୌଦ୍ଧଗୁମ୍ଫା ଓ ଶୁଭଙ୍କର ଦେବଙ୍କ ପ୍ରଦତ୍ତ ଗୋଟିଏ ତାମ୍ର ଫଳକ ପଣ୍ଡିତ ବିନାୟକ ମିଶ୍ରଙ୍କ ଦ୍ୱାରା ଆବିଷ୍କୃତ ହୋଇଛି । ଧର୍ମଶାଳାର ଜାରକାଠାରେ ବ୍ରାହ୍ମଣୀ ନଦୀ ତୀରରେ ଦେଉଳି ଓ ଗୋକର୍ଣ୍ଣେଶ୍ୱର ପାହାଡ଼ ଅବସ୍ଥିତ । ଦେଉଳି ପାହାଡ଼ ଉପରେ ଏକାଧିକ ବୌଦ୍ଧ ଗୁମ୍ଫା ଓ ଗୋକର୍ଣ୍ଣେଶ୍ୱର ପାହାଡ଼ରେ ୨ଟି ଗୁମ୍ଫା ଦୃଷ୍ଟିଗୋଚର ହୁଏ । ଏହା ବ୍ୟତୀତ ବୌଦ୍ଧ ବିହାର ସ୍ତୂପ, ବୋଧିସତ୍ତ୍ୱ, ଧ୍ୟାନୀବୁଦ୍ଧ ଓ ତାରା ଆଦି ମୂର୍ତ୍ତି ଆବିଷ୍କୃତ ହୋଇଛି । ସେହି ଧର୍ମଶାଳା ଅନ୍ତର୍ଗତ ନଠୁଆବରଠାରେ ମଧ୍ୟ ଧ୍ୟାନୀବୁଦ୍ଧ, ଜମ୍ବଳ ବୋଧିସତ୍ତ୍ୱ ଆଦି ମୂର୍ତ୍ତିରାଜି ଗବେଷକ ହରିଶ୍ଚନ୍ଦ୍ର ପୃଷ୍ଟିଙ୍କ ଦ୍ୱାରା ଆବିଷ୍କୃତ ହୋଇଛି । ଏତଦବ୍ୟତୀତ ଯାଜପୁରର ଆହୁରି ଅନେକ ସ୍ଥାନ ଏ ଯାବତ ଅନ୍ଧକାର ଗହ୍ୱରରେ ରହିଯାଇଛି । ଅନେକ ସ୍ଥାନରେ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଛି ।

 

ମନେପଡ଼େ ଜିଲ୍ଲା ସ୍ୱାକ୍ଷରତା କାର୍ଯ୍ୟକ୍ରମରେ ଗସ୍ତକଳାବେଳେ ସେ ଦିନ ଲାଙ୍ଗୁଡ଼ି ପାହାଡ଼, ନଠୁଆ ବର ଓ ରାଧାନଗରର ବୌଦ୍ଧ କୀର୍ତ୍ତିମାନ ଦେଖିବାର ସୁଯୋଗ ମିଳିଲା । ଲାଙ୍ଗୁଡ଼ିଠାରେ ଜଣେ ଗବେଷକ ବନ୍ଧୁଙ୍କ ସହ ସାକ୍ଷତ ହେଲା । ପାହାଡ଼ ପାଦ ଦେଶରେ ଗୋଟିଏ ସ୍ଥାନ ଖୋଳାଖୋଳି ହେଉଥାଏ, ଆମେ ସେଇ ବାଟଦେଇ ଗଲାବେଳେ ଜଣେ ଲୋକର ଘସି ବାଡ଼ ପାଖରେ ୫/୬ଟି ଛୋଟ ଭଗ୍ନଂମୂର୍ତ୍ତିର ହାତରେ ଘସିଭାଡ଼ିର ୨ଟି ଖୁଣ୍ଟ ଦିଆ ଯାଇଥିଲା । ଏହାର ଫଟୋ ନେଲୁ । ଗବେଷକ ବନ୍ଧୁଙ୍କଠାରୁ ଶୁଣିଲୁ – ଖାଲି ସେହି ଲୋକର ବାଡ଼ି ନୁହେଁ । ପାହାଡ଼ ପାଖରେ ଅନେକ ସ୍ଥାନରେ ଏପରି ଭଗ୍ନ ମୂର୍ତ୍ତିମାନ ଏଣେ ତେଣେ ଲୋକ ଲୋଚନ ଅଗୋଚରରେ ପଡ଼ିଚି । ଶୈବ, ଜୈନ୍ୟ ଏପରିକି ତାନ୍ତ୍ରିକ ଚାମୁଣ୍ଡା ମୂର୍ତ୍ତିମାନ ଦୃଷ୍ଟିଗୋଚର ହୁଏ । ମହାକାଳପଡ଼ାଠାରେ ଆବିଷ୍କୃତ ହୋଇଥିବା ଏକ ବିରାଟ ଇଟା ନିର୍ମିତ ବୌଦ୍ଧ ବିହାରରେ ବୌଦ୍ଧ ମୂର୍ତ୍ତି ସମେତ ବହୁ ଶିବଲିଙ୍ଗ ଦୃଷ୍ଟି ଗୋଚର ହୁଏ । ଅନେକ ସ୍ଥାନରେ ତନ୍ତ୍ରସାଧନ ପୀଠର ସନ୍ଧାନ ମିଳୁଛି । ରତ୍ନଗିରି ବୌଦ୍ଧ ବିହାର ନିକଟରେ ମହାକାଳ ମନ୍ଦିର, ଶ୍ରୀ କାଳଚକ୍ର ଯୋଗ ତନ୍ତ୍ର, ତାନ୍ତ୍ରିକ ଯୋଗାଚାର ପ୍ରକ୍ରିୟାର ପ୍ରସାର ଘଟିଛି । ଯାଜପୁରଠାରେ ବୌଦ୍ଧଧର୍ମର ବ୍ୟାପକ ପ୍ରସାର ଘଟିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସର୍ବ ଧର୍ମର ସୁମଧୁର ସମନ୍ୱୟ ଘଟିଛି । ତେଣୁ ସର୍ବଧର୍ମ ସମନ୍ୱୟ ବାଦ ବିରଜା ସଂସ୍କୃତିର ବୈଶିଷ୍ଟ୍ୟ ।

 

ଯାଜପୁର ଏ ଯାବତ ପର୍ଯ୍ୟଟନ ପୀଠର ମର୍ଯ୍ୟାଦା ଲାଭ କରିପାରି ନାହିଁ । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଉପେକ୍ଷିତ ଓ ଅବହେଳିତ ଏ କ୍ଷେତ୍ର । କେବଳ ରତ୍ନଗିରିଠାରେ ଏକ ସଂଗ୍ରହାଳୟ ସ୍ଥାପିତ ହୋଇଥିଲେ ମଧ୍ୟ ଅନ୍ୟ ବୌଦ୍ଧ ପୀଠଗୁଡ଼ିକ ଏଯାବତ୍ ଅବହେଳିତ । ରତ୍ନଗର୍ଭା ଯାଜପୁରର ଗୌରବ କେବଳ ପୁରାଣ ପୃଷ୍ଠାରେ ରହିଯାଇଛି । ବହୁ ଭଗ୍ନମୂର୍ତ୍ତି ମନ୍ଦିର ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ କଳାନୈପୁଣ୍ୟ କୀର୍ତ୍ତିରାଜି ବି ଲୁଣ୍ଠିତ । ନିରାଜନା ରହିତ ଦେବାଦେବୀ, ବଣଖମଣରେ, କିଆ ଗୋହିରି କି ଦେବଦାରୁ ବଣରେ ପଡ଼ିଥିବା ବହୁ କୀର୍ତ୍ତିରାଜିର ସୁରକ୍ଷା ଏକାନ୍ତ ଜରୁରୀ । ତଥାପି ଏ କ୍ଷେତ୍ରରେ ଅନେକ କିଛି ରହିଯାଇଛି, ଅନ୍ଧକାର ଗହ୍ୱରରେ । ଏହାକୁ ଆଲୋକକୁ ଆଣିବା ପ୍ରତ୍ୟେକ ସଚେତନ ନାଗରିକର ଜାତୀୟ କର୍ତ୍ତବ୍ୟ ।

 

କୁଆଁସରପୁର, ଦେବୀଦ୍ୱାର, ଯାଜପୁର

***

 

କଥାକାର ରାଜକିଶୋର ପଟ୍ଟନାୟକ

ଶାରଦା ପ୍ରସାଦ ମହାନ୍ତି

 

ଓଡ଼ିଆ କ୍ଷୁଦ୍ରଗଳ୍ପ ୧୮୯୮ରୁ ଆଦ୍ୟ ଓଁକାର ସୃଷ୍ଟି କରି କ୍ରମ ଗତିପଥରେ ଆଗେଇ ଆସିଛି ଦୀର୍ଘ ଏକଶତ ବର୍ଷରୁ ଉର୍ଦ୍ଧ୍ୱ କାଳଧରି । ଏହି ଗତିପଥରେ କେତେକେତେ ଗାଳ୍ପିକଙ୍କର ଆବିର୍ଭାବ ଘଟିଛି । ପ୍ରତ୍ୟେକଙ୍କ ସୃଷ୍ଟିରେ ଓଡ଼ିଆ କ୍ଷୁଦ୍ରଗଳ୍ପର ସୃଷ୍ଟି ସମ୍ଭାର ହୋଇଛି ରୁଦ୍ଧିମନ୍ତ । ପ୍ରତ୍ୟେକଙ୍କ ମନନଶୀଳତାରେ ଓ ସାମାଜିକ ଅବବୋଧରେ ଓଡ଼ିଆ ଗଳ୍ପ ସାମଗ୍ରିକ ଭାବରେ ତା’ର ଶ୍ରୀ ଓ ସୌନ୍ଦର୍ଯ୍ୟ ବିକାଶ କରିଛି । କ୍ରମେ ତା’ର ଭାଷା ଓ ଶୈଳୀ ବଦଳିଛି । ସ୍ୱାଧୀନତା ଲାଭ ପୂର୍ବରୁ ଓଡ଼ିଆ କ୍ଷୁଦ୍ରଗଳ୍ପର ଯେଉଁ ଆଦର୍ଶବାଦୀ ସଂସ୍କାରମୁଖୀ ଧାରାଟିଏ ଥିଲା ତାହା ସ୍ୱାଧୀନତା ପରେ କ୍ରମଶଃ ନୂତନ ରୂପ ଲାଭ କରିଛି । ଗଳ୍ପ ହୋଇଛି ବ୍ୟକ୍ତିମୁଖୀ ଚେତନାର ପରିପ୍ରକାଶ । ଓଡ଼ିଆଗଳ୍ପର ଏହି ଗତି ପ୍ରବାହ ଭିତରେ ଆବିର୍ଭୁତ ହୋଇଛନ୍ତି ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ୟତମ ମହାରଥୀ ରାଜକିଶୋର ପଟ୍ଟନାୟକ । ବୃତ୍ତିରେ ସେ ଥିଲେ ଜଣେ ଓକିଲ । ପ୍ରବୃତ୍ତିରେ କିନ୍ତୁ ସେ ଥିଲେ ସାରସ୍ୱତ ସାଧକ । ତାଙ୍କ ପୂର୍ବରୁ ଫକୀରମୋହନ ସେନାପତି, ଚନ୍ଦ୍ରଶେଖର ନନ୍ଦ, ଦିବ୍ୟସିଂହ ପାଣିଗ୍ରାହୀ, କାଳିନ୍ଦୀଚରଣ ପାଣିଗ୍ରାହୀ, ଅନନ୍ତ ପ୍ରସାଦ ପଣ୍ଡା ପ୍ରମୁଖ ବହୁ ଗାଳ୍ପିକ ଓଡ଼ିଆ ଗଳ୍ପ ସାହିତ୍ୟକୁ ଏକ ନୂତନ ମାର୍ଗ ଦର୍ଶାଇଥିଲେ ମଧ୍ୟ ରାଜକିଶୋର ପଟ୍ଟନାୟକ ୧୯୩୮-୩୯ ପୂର୍ବରୁ ଓଡ଼ିଆ ଗଳ୍ପ ସାହିତ୍ୟରେ ମାନବିକତାର ବାସ୍ତବ ଚିତ୍ର, ତଳିଆ ବର୍ଗର ମଣିଷ, ଚାକିରିଜୀବୀ ପ୍ରମୁଖଙ୍କୁ ନେଇ ଯେପରି ଭାବରେ ସେ ଗଳ୍ପ ରଚନା କଲେ ଓ ସେଥିରେ ଗୋଟିଏ ନୂତନତ୍ୱ ସୃଷ୍ଟି କଲେ ତାହା ବାସ୍ତବିକ ଅନନ୍ୟ । ସେ ଗଳ୍ପ ଲେଖିଛନ୍ତି, ଉପନ୍ୟାସ ଲେଖିଛନ୍ତି । ଲେଖିଛନ୍ତି ମଧ୍ୟ ଅନ୍ୟାନ୍ୟ ତାତ୍ତ୍ୱିକ ରଚନା, ଅନୁବାଦ ମଧ୍ୟ କରିଛନ୍ତି ।

 

କଥାଶିଳ୍ପୀ ରାଜକିଶୋର ପଟ୍ଟନାୟକଙ୍କର କଥାଶିଳ୍ପରେ ତାଙ୍କର ନିଜସ୍ୱ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ । ଅନାଡ଼ମ୍ବର ନିତିଦିନିଆ ଜୀବନର ଭାଷାରେ ଭାବ ପ୍ରକାଶର କୁଶଳତା ତାଙ୍କ ପ୍ରକାଶଭଙ୍ଗୀର ବୈଶିଷ୍ଟ୍ୟ । ଜଣେ ସମର୍ଥ ଔପନ୍ୟାସିକ ଓ କ୍ଷୁଦ୍ରଗଳ୍ପ ଲେଖକ ରୂପେ ତାଙ୍କର ପ୍ରତିଷ୍ଠା ଆଲୋଚ୍ୟକାଳ ମଧ୍ୟରେ ଅବିସମ୍ବାଦିତ ।

 

ରାଜକିଶୋର ପଟ୍ଟନାୟକଙ୍କ ସାହିତ୍ୟ ସାଧନା ଆକସ୍ମିକ ନୁହେଁ । ତାଙ୍କ ପରିସ୍ଥିତି ପରିବେଶ ହିଁ ତାଙ୍କୁ ଲେଖକ କରି ଗଢ଼ି ତୋଳିଥିଲା । ସେ ଜୀବନର ଓ ସମାଜର ବାସ୍ତବ ସ୍ଥିତି ଅଙ୍କନ କରି ବେଶ୍ ସଫଳତା ଲାଭ କରିଅଛନ୍ତି । ତେବେ ତାଙ୍କ ସାରସ୍ୱତ ଜୀବନର କିପରି ଶୁଭାରମ୍ଭ ଘଟିଥିଲା ତାହା ଏଠାରେ ସ୍ମରଣଯୋଗ୍ୟ ।

 

ଓଡ଼ିଆ ଗଳ୍ପ ସାହିତ୍ୟର ବିକାଶ ପର୍ବରେ ରାଜକିଶୋର ପଟ୍ଟନାୟକ ଓଡ଼ିଆ ସାହିତ୍ୟକୁ ପ୍ରବେଶ କରନ୍ତି । ଫକୀରମୋହନଙ୍କ ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାହିତ୍ୟ କ୍ଷେତ୍ରରେ ରାଜକିଶୋର ପଟ୍ଟନାୟକ ପ୍ରମୁଖ ଗାଳ୍ପିକ ଭାବେ ପରିଚିତ । ଫକୀରମୋହନଙ୍କ ପରେ ରାଜକିଶୋରଙ୍କର କେତୋଟି ଗଳ୍ପ ଉପନ୍ୟାସ ସେତେବେଳକାର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଆଖିକୁ ଝଲସାଇ ଦେଇଥିଲା ।

 

ସେ ତାଙ୍କର ଛାତ୍ର ଜୀବନରୁ ଲେଖକ ଭାବରେ ପରିଚିତ ହୋଇଥିଲେ । ସ୍କୁଲ ମାଗାଜିନ୍‌ରେ ତାଙ୍କର ଲେଖା ପ୍ରକାଶ ହେଉଥିଲା । ସେତେବେଳେ ତାଙ୍କର ସେସବୁ ଲେଖାରୁ ଆଭାସ ମିଳୁଥିଲା, ଦିନେନା ଦିନେ ସେ ଜଣେ ପ୍ରତିଷ୍ଠିତ ଲେଖକ ଭାବରେ ଲୋକ ଲୋଚନକୁ ଆସିବେ । ୧୯୩୭ ମସିହାରେ ସେ ରେଭେନ୍‌ସାରେ ଆଇନର ଛାତ୍ର ଥିବାବେଳେ ତାଙ୍କର ପ୍ରଥମ ଉପନ୍ୟାସ ‘ପଞ୍ଜୁରିପକ୍ଷୀ’ ନାମରେ ୧୯୪୩ରେ ଗ୍ରନ୍ଥାକାରରେ ପ୍ରକାଶିତ ହେଲା ।

 

ସ୍ୱାଧୀନତା ପୂର୍ବରୁ ତାଙ୍କର ସାହିତ୍ୟ ପ୍ରତିଷ୍ଠିତ ହୋଇ ସାରିଥିଲା, କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ତାଙ୍କର ସାହିତ୍ୟ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ପ୍ରସିଦ୍ଧ ଅର୍ଜନ କରି ପାରିଥିଲା ।

 

ରାଜକିଶୋରଙ୍କର ସାହିତ୍ୟକୃତି ମଧ୍ୟରେ ଗଳ୍ପ ଓ ଉପନ୍ୟାସ ମୁଖ୍ୟତଃ ପ୍ରାଧାନ୍ୟ ଲାଭ କରିଛି । ତାଙ୍କର ସାହିତ୍ୟାକୃତିର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ବ୍ରଜମୋହନ ମହାନ୍ତି ଲେଖିଛନ୍ତି-

 

୧୯୩୪ ମସିହାରୁ ତାଙ୍କର ଆରମ୍ଭ ହୁଏ ଲେଖକ ଜୀବନ । ପ୍ରଥମେ ସେ ‘ମିଷ୍ଟିଜ୍ ଅଫ୍ ହାର୍ଟ ଅଫ୍ ଲଣ୍ଡନ’’ ଛାୟାରେ ଏକ ଉପନ୍ୟାସ ରଚନା କରନ୍ତି । ଅବଶ୍ୟ ଏ ଉପନ୍ୟାସ ଏ ପର୍ଯ୍ୟନ୍ତ ଅପ୍ରକାଶିତ । ପରେ ପରେ ୧୯୩୬ରେ ସେ ଲେଖନ୍ତି ‘ପଥର’ ଗଳ୍ପ । ଏହା ପ୍ରକାଶିତ ହୁଏ ସହକାର ମାସିକ ପତ୍ରରେ । ଏହି ସମୟକୁ ତାଙ୍କ ଲେଖନୀ ଚାଲେ ଅବାରିତ ଗତିରେ । ବିଶେଷକରି ୧୯୩୬ରେ । ନବଭାରତରେ ପ୍ରକାଶିତ ‘ମୋ ଚିଠି ପାଇଲ’ ତାଙ୍କୁ ପ୍ରତିଷ୍ଠିତକ ଲେଖକ ଭାବେ । ୧୯୩୮ ମସିହାରେ ସେ ହାତ ଦିଅନ୍ତି ପ୍ରଥମ ପ୍ରକାଶିତ ଉପନ୍ୟାସ ବହୁ ପ୍ରଶଂସିତ ‘ସିନ୍ଦୁରଗାର’ ଉପନ୍ୟାସରେ । ଏହିପରି ‘ଅସରନ୍ତି’ ଉପନ୍ୟାସ । ୧୯୩୯ ମସିହାର, ‘ସ୍ମୃତିର ମଶାଣି’ ୧୯୫୨ ମସିହାର ‘ଭସାମେଘ’ ୧୯୫୧ ମସିହାର ପ୍ରେମିକାର ଡାଏରୀ, ସଞ୍ଜବତୀ, ଚଲାବାଟ ୧୯୫୨ ରୁ ୧୯୫୪ ମସିହା ମଧ୍ୟରେ ଅଷ୍ଟମୀଚାନ୍ଦ ୧୯୫୮ ମସିହାରେ, କଳାପରଦା ୧୯୬୬ ମସିହାରେ, ପ୍ରୀତିର ବଣିକ ୧୯୬୪ ମସିହାରେ ପ୍ରକାଶ ପାଏ । ୧୯୩୯ ମସିହାର ପ୍ରକାଶିତ ‘ଅସରନ୍ତି’ ଉପନ୍ୟାସ ପରି ‘କଜଳଗାର’ ନାମରେ ମଧ୍ୟ ପ୍ରକାଶ ପାଇଛି । ଏତଦ୍‌ବ୍ୟତୀତ ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ସପନ କୁହୁଡ଼ି’, ‘ସକାଳ କୁହୁଡ଼ି’ ଏବଂ ଏ ପର୍ଯ୍ୟନ୍ତ ଆଲୋକକୁ ଆସି ନ ଥିବା ପ୍ରୀତିର କଜଳ ଉପନ୍ୟାସଗୁଡ଼ିକ ଓଡ଼ିଆ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ।

 

ଠିକ ସେହିପରି ତାଙ୍କ ରଚିତ ଗଳ୍ପଗୁଚ୍ଛ ମଧ୍ୟରେ ‘ତୁଠ ପଥର’, ପଥୁରୀ, ଶାଳଗ୍ରାମ, ନିଶାଣଖୁଣ୍ଟ, ପଥରଡିମା, କଳ୍ପନାର ଫୁଲ, ହାଟସଉଦା, ହାଟବାହୁଡ଼ା ଯେପରି ଗୁରୁତ୍ୱପୂର୍ଣ୍ଣ ସେହିପରି ଅଭିନନ୍ଦନୀୟ ସୃଷ୍ଟି ।

 

ଏହି ଗଳ୍ପଗୁଡ଼ିକ ମଧ୍ୟରୁ ‘ତୁଠପଥର’ ଓ ‘ପୃଥିବୀ’ ମାଟ୍ରିକ ପିଲାଙ୍କ ପାଇଁ ‘ଶାଳଗ୍ରାମ’ ଓ ‘ନିଶାଣଖୁଣ୍ଟ’ ଆଇ.ଏ. ପିଲାଙ୍କ ପାଇଁ ପାଠ୍ୟକ୍ରମ ରୂପେ ନିର୍ବାଚିତ ହୋଇଥିଲା । (୧)

 

ସାହିତ୍ୟ କ୍ଷେତ୍ରରେ ରାଜକିଶୋରଙ୍କର କେତୋଟି ନିର୍ଦ୍ଦିଷ୍ଟ-ନିଜସ୍ୱ ମତବାଦ ରହିଛି । ତାଙ୍କର ସାହିତ୍ୟ ସମାଜ କୈନ୍ଦ୍ରିକ ଓ ସ୍ୱମତ ମୁଖର । ରାଜକିଶୋର ସାହିତ୍ୟରେ ମୁଖ୍ୟତଃ କଥା ସାହିତ୍ୟର ଚିନ୍ତା ସରଳ, ଭାଷା ସଂକ୍ଷେପ ଓ ସିଧାସଳଖ ଭାବେ ନ୍ୟସ୍ତ ହୋଇଥାଏ । ମାତ୍ର ଭାବ ଅନୁଯାୟୀ ତାଙ୍କ ରଚନା ଶୈଳୀ ଦ୍ରୁତ ଓ ପ୍ରବହମାନ । ସେ ଯେ ଓଡ଼ିଆ ସାହିତ୍ୟରେ ଜଣେ ସୁପ୍ରତିଷ୍ଠିତ ଲେଖକ ଏଥିରେ ଦ୍ୱିମତର ଅବକାଶ ନାହିଁ । ତାଙ୍କର ଲେଖନ ଶୈଳୀ, ଚିନ୍ତାଧାରା ଓ ବିଷୟବସ୍ତୁ ବିଶ୍ଳେଷଣ ଉଚ୍ଚକୋଟୀର ।

 

ଏହି ସମାଜର ସାଧାରଣ ଚରିତ୍ରମାନଙ୍କୁ ନେଇ ତାଙ୍କ ସାହିତ୍ୟରେ ସ୍ଥାନ ଦେଇଛନ୍ତି । ସେମାନଙ୍କର ଦୁଃଖ, ସମସ୍ୟା, ଜୀବନ ଯନ୍ତ୍ରଣାକୁ ସୁନ୍ଦର ଭାବରେ ରୂପାୟିତ କରିବାରେ ସେ ଥିଲେ ସିଦ୍ଧହସ୍ତ । ଆଦର୍ଶ, ଦୃଢ଼ ଆତ୍ମବିଶ୍ୱାସ ମନୋବଳ ଥିଲେ ମଣିଷ ସବୁଠି ସଫଳ ହୋଇପାରିବ ଏବଂ ସବୁ ସମସ୍ୟାକୁ ଅତିକ୍ରମ କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବ । ଏହାଥିଲା ତାଙ୍କ ସାହିତ୍ୟ କୃତିର ନିର୍ଯ୍ୟାସ ।

 

ସାହିତ୍ୟ ରଚନା ଗୋଟିଏ ସହଜ କଥା ନୁହେଁ ଏହା ଏକ ସାଧନା । ପ୍ରତିଭା ସାଧନାରେ ଦୀପ୍ତିମନ୍ତ ହୁଏ । ସାଧନା କରେ ପ୍ରତିଭାକୁ ବିକଶିତ । ପ୍ରତିଭା ଈଶ୍ୱରଦତ୍ତ ବୋଲି କୁହାଯାଇପାରେ-। ରାଜକିଶୋର ପଟ୍ଟନାୟକ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଏହି ପ୍ରତିଭା ସମ୍ପନ୍ନ ରାଜକିଶୋର ପଟ୍ଟନାୟକଙ୍କ ସମ୍ପର୍କରେ ପ୍ରଫେସର ଭରଦ୍ୱାଜ ମହାନ୍ତି ସ୍ୱକୀୟ ଅନୁଭବର ଏକ କଥା ପ୍ରକାଶ କରିଛନ୍ତି –

 

ରାଜକିଶୋରଙ୍କ ସୃଜନଶୀଳତାର ଏକ ବୈଚିତ୍ର୍ୟ ଓ ବୈଶିଷ୍ଟ୍ୟ ସମ୍ପର୍କରେ ମୁଁ ଗୋଟିଏ କଥା ଶୁଣିଥିଲି ସେ କୁଆଡ଼େ ଗଳ୍ପ, ଉପନ୍ୟାସ ସବୁ ଲେଖିନେବା ପାଇଁ ଅନ୍ୟ ବ୍ୟକ୍ତିକୁ ଡାକି ଦେଇପାରନ୍ତି । ସାଧାରଣତଃ ଲେଖକମାନଙ୍କୁ ଗଳ୍ପ, ଉପନ୍ୟାସ ଭାବିଛନ୍ତି ଲେଖିବାକୁ ପଡ଼ିଥାଏ । ତାହାକୁ ପୁଣି ଉତ୍ତାରିଲା ବେଳେ ସଂଶୋଧନ କରିବାକୁ ହୁଏ । ମାତ୍ର ଶ୍ରୁତଲିଖନ ରୀତିରେ କିପରି ଗଳ୍ପ ପ୍ରସ୍ତୁତ ହୋଇଥାଏ । ଏହା ମୁଁ ଜାଣି ନ ଥିଲି । ଏହାର ପରୀକ୍ଷା ଲାଗି ଦିନେ ମୋ ମନରେ କୌତୁହଳ ଜନ୍ମିଲା । ଏହା ବୋଧହୁଏ ୧୯୬୪ ମସିହାର କଥା । କ୍ରମେ ମୁଁ ଏହାର ସତ୍ୟାସତ୍ୟ ଜାଣିବାକୁ ଚାହିଁଲି, ରାଜକିଶୋର ପଚାରିଲେ – କ’ଣ ଏହାର ପରୀକ୍ଷା ଚାହାନ୍ତି । ବିଶ୍ୱାସ କରୁନାହାନ୍ତି । ଚାହିଁଲି ରାଜକିଶୋର ପଚାରିଲେ – କ’ଣ ଏହାର ପରୀକ୍ଷା ଚାହାନ୍ତି । ବିଶ୍ୱାସ କରୁନାହାନ୍ତି ।

 

ମୁଁ କହିଲି- ଆପଣ କ’ଣ ଏବେ ସଙ୍ଗେ ସଙ୍ଗେ ଗଳ୍ପଟିଏ ଡାକି ଦେଇପାରିବେ ? ମୁଁ ଲେଖିବାକୁ ପ୍ରସ୍ତୁତ ଅଛି ।

 

ରାଜକିଶୋର ମୁହୂର୍ତ୍ତେ ବିଳମ୍ବନ ନ କରି କହିଲେ- ଆଚ୍ଛା, ଲେଖନ୍ତୁ ପାଖରେ କାଗଜ ପ୍ରସ୍ତୁତ ଥିଲା । ମୁଁ କଲମ କାଢ଼ି ପ୍ରସ୍ତୁତ ହୋଇଗଲି । ରାଜକିଶୋର ଖଣ୍ଡେ ବିଡ଼ିରେ ଅଗ୍ନିସଂଯୋଗ କରି ହଠାତ୍ ଡାକିବା ଆରମ୍ଭ କରିଦେଲେ । ଭାବିବାକୁ ଆଦୌ ସମୟ ନଦେଇ ଶବ୍ଦ ପରେ ଶବ୍ଦ ସେ ଡାକି ଯାଉଥାନ୍ତି ସଙ୍ଗେ ସଙ୍ଗେ ଯଥା ସ୍ଥାନରେ କମା, ପୂର୍ଣ୍ଣଛେଦ ପ୍ରଭୃତିର ସୂଚନା ମଧ୍ୟ ଦେଇଥାନ୍ତି । ମୁଁ ମଧ୍ୟ ଖୁବ୍ ଶୀଘ୍ର ଲେଖି ଚାଲିଥାଏ । ପ୍ରାୟ ଅଧପୃଷ୍ଠାଏ ଲେଖା ହେବା ପରେ ସେ ହଠାତ୍ ରହି ବୋଧହୁଏ ମୋର ଶ୍ରୁତଲିଖନ ରୀତି ତାଙ୍କର ମନୋନୀତ ହେଲା ନାହିଁ । ନିକଟରେ ଉପବିଷ୍ଟ କୁମାରୀଙ୍କୁ ଲକ୍ଷ୍ୟକରି ସେ କହିଲେ- ‘ବସନ୍ତକୁ କାଗଜ ଦିଅନ୍ତୁ । ସେ ଲେଖୁ ।

 

ଏହାପରେ ସେ ସ୍ୱାଭାବିକ କଥାବାର୍ତ୍ତା କଲାଭଳି ଡାକିଗଲେ । ବସନ୍ତଦେବୀ ମଧ୍ୟ ନୀରବରେ ଲେଖି ଚାଲିଲେ । ପ୍ରାୟ ଅଧଘଣ୍ଟାଏ ମଧ୍ୟରେ ୪/୫ ପୃଷ୍ଠାର ଗପଟିଏ ପ୍ରସ୍ତୁତ ହୋଇଗଲା । ନିର୍ବାକ ହୋଇ ମୁଁ କେବଳ ଏହା ଦେଖୁଥାଏ । ଏହାପରେ ରାଜକିଶୋର ସେଇ କାଗଜକୁ ପିନ୍‌ରେ ଗୁନ୍ଥି ପକେଟସ୍ଥ କଲେ ଓ ଆମେ ଦୁହେଁ ପୁରୀଘାଟରୁ ପିଠାପୁର ଆଡ଼େ ସାଇକେଲରେ ଆସିଲୁ । ରାତି ସାଢ଼େ ଆଠଟା ହେବ ଡଗର ପ୍ରେସ୍ ଖୋଲାଥାଏ । ରାଜକିଶୋରଙ୍କ ସାଇକେଲ ସେଇଠି ଅଟକିଲା । ପକେଟରୁ ଗଳ୍ପ ଲେଖା କାଗଜତକ କାଢ଼ି ସେ ସମ୍ପାଦକଙ୍କୁ ବଢ଼ାଇ ଦେଲେ । ଅଳ୍ପ କେତେଦିନ ପରେ ଡଗରରେ ସେହି ଗଳ୍ପଟି ମୁଦ୍ରିତ ହୋଇ ପ୍ରକାଶ ପାଇଥିଲା । ଗଳ୍ପଟିର ଶୀର୍ଷକ କ’ର ସ୍ମରଣ କରିପାରୁ ନାହିଁ । ମାତ୍ର ରାଜକିଶୋରଙ୍କ ଗଳ୍ପ ରଚନାରେ ସିଦ୍ଧହସ୍ତତା ଓ ବୈଶିଷ୍ଟ୍ୟର ଏହା ଏକ ଅନନ୍ୟ ନିଦର୍ଶନ । (୨)

 

ରାଜକିଶୋର ଲେଖାଲେଖିରେ କାହିଁକି ପ୍ରବେଶ କଲେ ତାହାର ଉତ୍ତର ମଧ୍ୟ ସେ ସହଜରେ ଦେଇଛନ୍ତି:-

 

-‘‘କାହିଁକି ଲେଖା ଆରମ୍ଭ କଲି କହିପାରିବି ନାହିଁ । ବୋଧହୁଏ ଯୁବକ ମନ ଆନନ୍ଦରେ ଦିନେ ଦିନେ ବସି ଗୁଣୁଗୁଣୁ ହୋଇ ଗାଇଲା ପରି ଭାବର ଆବେଗରେ ଯାହା ଲେଖି ଯାଇଥିଲି, ସେହି ମୋର ପ୍ରଥମ ଲେଖା । ସେତେବେଳେ ସାହିତ୍ୟିକ ବନ୍ଧୁମାନଙ୍କ ପାଖକୁ ନେଇ ସେଇଟିକୁ କଟାଛଣ୍ଟା କରି ଠିକ୍ କଲି । ତା’ପରେ ବ୍ରହ୍ମପୁରରେ ପ୍ରକାଶ ପାଉଥିଲା ଗୋଟିଏ ସାହିତ୍ୟ ପତ୍ରକୁ ପଠାଇ ପ୍ରକାଶର ଅପେକ୍ଷାରେ ରହିଲି ।

 

ଗୋଟିଏ ପରେ ଗୋଟିଏ ସପ୍ତାହ ଗଡ଼ି ଚାଲିଲା । ହିସାବ କରି କରି କାର୍ଡ଼ ଲେଖା ଆରମ୍ଭ କରିଦିଏ ମୋର ଶବଦଟିର କୁଶଳ ଜାଣିବାକୁ । ବୋଧହୁଏ ଏହି ଉତ୍ପାତରେ ଶେଷକୁ ପାଞ୍ଚ ସପ୍ତାହ ପରେ ଉତ୍ତର ଆସିଲା ଯେ, ଲେଖାଟି ‘କରେଣ୍ଟ ଫାଇଲ’ରେ ଅପେକ୍ଷା କରି ରହିଛି ସିଲେକ୍‍ସନ ଫାଇଲକୁ ଯିବ ବୋଲି । ଶେଷକୁ ଯାଇପାରିଲା ନାହିଁ ।
 

ଏଣେ ସେହି ଲେଖାର ଦୁଇଟି ନକଲି କରି ସ୍ଥାନୀୟ ସାହିତ୍ୟ ପତ୍ରିକା ଦୁଇଟିକୁ ବାଛି ପଠାଇଦେଲି । ବଡ଼ ଅପ୍ରତ୍ୟାଶିତ ଭାବରେ ଦୁଇଟିଯାକ ପତ୍ରିକାରେ ଏକ ମାସରେ ଛପା ହୋଇଗଲା । ବଡ଼ ବିବ୍ରତ ହୋଇ ଗୋଟିକର ସମ୍ପାଦକଙ୍କୁ ବହୁତ ଅନୁନୟ କରି ଛାପା ହେବା ଫର୍ମା ଭଙ୍ଗାଇଲି ।

 

ହଠାତ୍ ମନେହେଲା ଯେ, ମୁଁ ଜଣେ ଲେଖକ, କାରଣ ମୋର ଲେଖା ଛାପା ହୋଇପାରୁଛି । ପଛକୁ ପଛ ଲେଖି ନ ଗଲେ ଛାପା ହେବାରେ ବାଧା ଆସିବ ବୋଲି ବଡ଼ ଅଧ୍ୟବସାୟ ସହିତ କେଇବର୍ଷ ଲେଖିଲି । ସେହିଗୁଡ଼ିକରେ ଯୁବକ ମନର, କଅଁଳ ଅନୁଭୂତିର ସବୁ ରସ ନିଗାଡ଼ି ଦେଇଛି । କୋଟିଏ ଓଡ଼ିଆଙ୍କର ଜଣେ ଲେଖକ ବୋଲି ସୁମାରିକୁ ଆସିଛି, ସେହି ଲେଖାଗୁଡ଼ିକୁ ପତ୍ରିକା ଓ ପୁସ୍ତକରେ ପଢ଼ିବାକୁ ଓ ରଖିବାକୁ ମୋର ଓଡ଼ିଆ ଭାଇମାନେ ଦୟାକରି କିଣି ନେଇଛନ୍ତି । ସମ୍ପାଦକ ଓ ପ୍ରକାଶକମାନେ ମଧ୍ୟ ଦୟାକରି ସେହି କେମ୍ଫା, କଣା, କୁଜାଗୁଡ଼ିକୁ ଛାଫି ଓ ଛପେଇ ଦେଇଛନ୍ତି । (୩)

 

ରାଜକିଶୋର ପଟ୍ଟନାୟକ ପ୍ରମୁକ ଗାଳ୍ପିକ ଭାବରେ ପରିଚିତ, ତାଙ୍କୁ ଗଳ୍ପ ଲେଖିବା ପାଇଁ କୌଣସି ପ୍ଲଟ ଚିନ୍ତା କରିବାକୁ ପଡ଼େ ନାହିଁ । ଯେକୌଣସି ସ୍ଥାନରେ ଯେକୌଣସି ବିଷୟରେ ଗଳ୍ପ ଲେଖିପାରିବେ । ସେ ପନ୍ଦର ମିନିଟ ମଧ୍ୟରେ ଗଳ୍ପଟିଏ ଲେଖି ଦେଇ ପାରନ୍ତି । ଥରେ ଔପନ୍ୟାସିକ କାହ୍ନୁଚରଣଙ୍କ କଥାରେ ବାରଘଣ୍ଟା ସମୟ ଦେଇ ଦଶଗୋଟି ଗଳ୍ପ ଲେଖି ଦେଇଥିଲେ । ଏହା ଅନ୍ୟ ଲେଖକଙ୍କ ପାଇଁ ସମ୍ଭବ ନୁହେଁ ।

 

ଗଳ୍ପ କ୍ଷେତ୍ରରେ ତାଙ୍କର ଥିଲା ଅଧିକ ଆଗ୍ରହ । ଗଳ୍ପ ପାଠକକୁ ଆମୋଦିତ କରେ ଓ ଲେଖକକୁ ଉତ୍ସାହିତ କରେ ବୋଲି ତାଙ୍କର ବିଶ୍ୱାସ ଥିଲା । ତେଣୁ ସେ ଗଳ୍ପ ଲେଖିବା ପ୍ରତି ସମୟ ଦେଲେ । ତାଙ୍କ ମତରେ-

 

‘‘ସହଜରେ ହୋଇଯିବ ବୋଲି ଗଳ୍ପ ଲେଖୁଥିଲି । ଓଡ଼ିଆରେ ସବୁଠାରୁ ଭଲ ଗଳ୍ପ ମୋର ହେଉଥିବ ବୋଲି ବେଳେବେଳେ ଧାରଣା ହେଉଥିଲା । ତେବେ ସେତକ ଭୁଲ । ଏବେ ଗଳ୍ପ ପାଇଁ ଟଙ୍କା ମିଳୁଛି । ଗୋଟିଏ ଗଳ୍ପ ଏବେ ଓଡ଼ିଶାରେ ପ୍ରଥମ ହୋଇ ଦୁଇଶହ ଟଙ୍କା ପୁରସ୍କାର ପାଇଲା । କିନ୍ତୁ ଗୋଟିଏ ଗଳ୍ପରୁ ସର୍ବପ୍ରଥମ ପାଞ୍ଚଟଙ୍କା ପାଇଥିଲି । ସେତକ ପୁଣି ଗଳ୍ପ ପ୍ରକାଶ କରିବାର ନ’ବର୍ଷ ତିନିମାସ ପରେ ।

 

ପତ୍ରିକାରେ ଗଳ୍ପ ରହିବା ଦରକାର ବୋଲି ଗଳ୍ପ ଲେଖୁଥିଲି । ପତ୍ରିକାର ବିକ୍ରିର ଅସୁବିଧା ହେଉଥିଲା । ପ୍ରବନ୍ଧ, ପଦ୍ୟ ଆଦି ମୋତେ ଜଣାନାହିଁ । ଆଜି ଅନେକ ଗଳ୍ପ ଲେଖକ ଓ ଗଳ୍ପ ମଧ୍ୟ ହେଲାଣି । ମୋର ନାଁ ଥିବା ଲୋକ ଜଣେ ଅଧେ ଗଳ୍ପ ବି ଲେଖୁଛନ୍ତି । ତେଣୁ ପାଠକମାନେ ବୋଧହୁଏ ମନେ କରୁଥିବେ ମୁଁ ଲେଖୁଛି । କିନ୍ତୁ ଝାଡ଼ୁଦାର ସାହିତ୍ୟିକ ହିସାବରେ ମୋର କର୍ତ୍ତବ୍ୟ ମୁଁ ଶେଷ କରିଛି କହିଲେ ଚଳେ । ଖାଲି ମୁଁ ଯେ ଲେଖୁଥିଲି ଓ ଲେଖିପାରିବି ବୋଲି ପ୍ରମାଣ କରିବାକୁ ବେଳେବେଳେ କେମିତି ଲେଖିଦିଏ । (୪)

 

ଓଡ଼ିଆ ସାହିତ୍ୟର ଜଣେ ପ୍ରସିଦ୍ଧ ଔପନ୍ୟାସିକ ତଥା ଶକ୍ତିଶାଳୀ ଗାଳ୍ପିକ ତତା ଆଇନଜ୍ଞଭାବେ ରାଜକିଶୋର ପଟ୍ଟନାୟକ ବେଶ୍‍ ପରିଚିତ । କଥାକାର ଭାବେ ତାଙ୍କର ସ୍ୱାତନ୍ତ୍ର୍ୟ ରହିଛି । ଜୀବନର ବିବିଧ ରୂପକୁ ରୂପାୟନ କରିବା କ୍ଷେତ୍ରରେ ତାଙ୍କର ଗଳ୍ପଗୁଡ଼ିକର ଭୂମିକା ବିଶେଷ ସ୍ମରଣୀୟ । ଅନାଡ଼ମ୍ବର ନିତିଦିନିଆ ଜୀବନର ଭାଷାରେ ଭାବ ପ୍ରକାଶର କୁଶଳତା, ତାଙ୍କ ପ୍ରକାଶଭଙ୍ଗୀର ବୈଶିଷ୍ଟ୍ୟ । ମାନବ ଚରିତ୍ର ଅଧ୍ୟୟନରେ ତାଙ୍କର ଗଭୀର ନିଷ୍ଠା ପ୍ରଣିଧାନ ଯୋଗ୍ୟ-। ତାଙ୍କର ଅଧିକାଂଶ କଥାରେ ସ୍ୱକୀୟ ଅନୁଭୂତି ଜଡ଼ିତ ।

 

ରାଜକିଶୋରଙ୍କର ସାହିତ୍ୟିକ ଜୀବନର ଶୁଭାରମ୍ଭ ଘଟିଥିଲା ଉପନ୍ୟାସରୁ । ଉପନ୍ୟାସ ହେଉଛି ସାହିତ୍ୟର ଏକ ଲୋକପ୍ରିୟ ବିଭାଗ । ଉପନ୍ୟାସ ଥିଲା ରାଜକିଶୋରଙ୍କ ଅନୁଭବର ମାଧ୍ୟମ ମାତ୍ର । ‘ପଞ୍ଜୁରିପକ୍ଷୀ’ ଉପନ୍ୟାସ ପ୍ରକାଶିତ ହେବା ପରେ ସେ ଉତ୍ସାହିତ ହୋଇଥିଲେ ଉପନ୍ୟାସ ପରେ ଉପନ୍ୟାସ ଲେଖିବା ପାଇଁ ।

 

ରାଜକିଶୋର ପଟ୍ଟନାୟକ ହେଉଛନ୍ତି ପ୍ରାୟ ସ୍ୱାଧୀନତା କାଳର ଅନ୍ୟତମ ସୁଖ୍ୟାତ ଔପନ୍ୟାସିକ । ସେ ପଞ୍ଜୁରି-ପକ୍ଷୀ, ସିନ୍ଦୁରଗାର, ଅସରନ୍ତି, ଉଷାମେଘ, ସଞ୍ଜବତୀ, ପ୍ରେମିକାର ଡାଏରୀ, ଚଲାବାଟ ପ୍ରଭୃତି ବହୁ ଉପନ୍ୟାସ ରଚନା କରିଛନ୍ତି । କେବଳ ମନୋରଞ୍ଜନ କଥାବସ୍ତୁ ବା ଉପାଖ୍ୟାନ ଦ୍ୱାରା ପାଠକର ମନକୁ ବିନୋଦିତ କରିବା ଲେଖକଙ୍କର ଅଭିପ୍ରାୟ ନୁହେଁ । ମନୋବିଶ୍ଳେଷଣ ପ୍ରତି ସମଧିକ ଅନୁରାଗ ତାଙ୍କ ଉପନ୍ୟାସଗୁଡ଼ିକରୁ ଉପଲବ୍ଧ ହୋଇଥାଏ । ହୃଦୟର ନିଗୁଢ଼ ରହସ୍ୟ ସନ୍ଧାନ କରିବାରେ ସବିଶେଷ ଆଗ୍ରହ ତାହାଙ୍କ ଉପନ୍ୟାସର ଅନ୍ୟତମ ବୈଶିଷ୍ଟ୍ୟ ।

 

ପଞ୍ଜୁରି-ପକ୍ଷୀକୁ ତାଙ୍କର ପ୍ରଥମ ଉପନ୍ୟାସ କୁହାଯାଉଥିଲେ ମଧ୍ୟ ତାଙ୍କର ପ୍ରଥମ ପ୍ରକାଶିତ ଉପନ୍ୟାସ ହେଉଛି ୧୯୩୮ର ବହୁ ପ୍ରଶଂସିତ ଉପନ୍ୟାସ ‘ସିନ୍ଦୁରଗାର’ । ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ଯେଉଁ ସ୍ରଷ୍ଟାଗଣ ସେମାନଙ୍କ ନିଷ୍ଠାରେ ଋଦ୍ଧିମନ୍ତ ଓ ପ୍ରାଣବନ୍ତ କରି ପ୍ରତିଷ୍ଠା ଦେଇଛନ୍ତି ସେମାନଙ୍କ ମଧ୍ୟରେ କଥାଶିଳ୍ପୀ ରାଜକିଶୋର ପଟ୍ଟନାୟକ ଅନ୍ୟତମ । ଓଡ଼ିଆ କଥା ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଶିଳ୍ପୀ ରାଜକିଶୋର ଦକ୍ଷ ଗାଳ୍ପିକ ହେଲେ ମଧ୍ୟ ଅଧିକ ସମ୍ମାନ ଦାବି କରନ୍ତି ଔପନ୍ୟାସିକ ଭାବରେ, ତାଙ୍କ ସୃଷ୍ଟି ଉପନ୍ୟାସଗୁଡ଼ିକ ଓଡ଼ିଆ ଉପନ୍ୟାସ ସୃଷ୍ଟିରେ ମୂଳକଥା ହେଉଛି ସେହି ଗୋଟିଏ କଥା ପ୍ରେମ, ପ୍ରଣୟ ଓ ଭଲ ପାଇବାର କଥା ।

 

ତାଙ୍କ ଉପନ୍ୟାସ ରଚନା ସମ୍ପର୍କରେ ଏକ କୌତୁହଳପୂର୍ଣ୍ଣ ମନ୍ତବ୍ୟ ଦେଇ ଶ୍ରୀଜାନକୀ ବଲ୍ଲଭ ମହାନ୍ତି କହିଛନ୍ତି :-

 

-ରାଜକିଶୋରଙ୍କ ସହ ଆଲୋଚନା ପ୍ରସଙ୍ଗରେ ମୁଁ କହିଲି – ‘‘ଆପଣ ବହୁ ବିଷୟକୁ ନେଇ ଗଳ୍ପ ଉପନ୍ୟାସ ଲେଖିଛନ୍ତି – ମାତ୍ର ଯେଉଁ ବିଷୟଟି ଏକାନ୍ତ ଭାବେ ଆପଣଙ୍କ ବୃତ୍ତିମୂଳକ ସେ ବିଷୟରେ ଆପଣ କିଛି ଲେଖିନାହନ୍ତି ବୋଲି ମୋର ଧାରଣା । ରାଜକିଶୋର ମୋର ମନ୍ତବ୍ୟ ଶୁଣିଲେ, କୌଣସି ଅଭିମତ ପ୍ରକାଶ କଲେ ନାହିଁ । ଏହା ବୋଧହୁଏ ୧୯୬୬ ମସିହାର କଥା । ଏହାପରେ କେତେ ମାସ ବିତିଗଲା । ୬୭ ମସିହାର ଫେବୃୟାରୀ ବା ମାର୍ଚ୍ଚ ମାସରେ ଦିନେ ସନ୍ଧ୍ୟାବେଳେ ହଠାତ୍ ଆମ ଘରେ ରାଜକିଶୋରଙ୍କ ଆବିର୍ଭାବ ହାତରେ ବହିଟିଏ । ବହିଟିକୁ ମୋ ହାତକୁ ବଢ଼ାଇଦେଲେ । ବହିଟି ତାଙ୍କ ହାତରୁ ନେଇ ଦେଖିଲି : ଏହାର ନାମ ‘କଳାପରଦା’ ୨୩୫ ପୃଷ୍ଠାର ଉପନ୍ୟାସଟିଏ । ଇନର ପୃଷ୍ଠାଟି ଖୋଲିବା ମାତ୍ରେ ନଜରରେ ପଡ଼ିଲା, ବହିଟି ରାଜକିଶୋର ମୋ ନାମରେ ଉତ୍ସର୍ଗ କରିଛନ୍ତି । ସେଥିରେ ବଡ଼ ଅକ୍ଷରରେ ମୁଦ୍ରିତ ହୋଇଛି

 

‘‘ଅଧାପକ ଶ୍ରୀ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କର କରକମଳରେ ରାଜକିଶୋର-।’’(୫)

 

ଏହି ଉପନ୍ୟାସଟି ପ୍ରକୃତରେ ଅସମ୍ପୂର୍ଣ୍ଣ । ଏହା ତାଙ୍କ ବୃତ୍ତି ଉପରେ ଆଧାରିତ ।

 

ତାଙ୍କ ଉପନ୍ୟାସ କେବଳ ମନୋରଞ୍ଜନ କଥାବସ୍ତୁ ବା ଉପାଖ୍ୟାନ ଦ୍ୱାରା ପାଠକଙ୍କ ମନକୁ ବିନୋଦିତ କରିବା ଲେଖଙ୍କର ଅଭିପ୍ରାୟ ନୁହେଁ । ମନୋବିଶ୍ଳେଷଣ ପ୍ରତି ସମଧିଙ୍କ ଅନୁରାଗ ତାଙ୍କର ଉପନ୍ୟାସଗୁଡ଼ିକରୁ ଉପଲବ୍ଧ ହୋଇଥାଏ । ହୃଦୟର ନିଗୁଢ଼ ରହସ୍ୟ ସନ୍ଧାନ କରିବାରେ ସବିଶେଷ ଆଗ୍ରହ ତାହାଙ୍କ ଉପନ୍ୟାସର ଅନ୍ୟତମ ବୈଶିଷ୍ଟ୍ୟ । ତାଙ୍କର ଅଧିକାଂଶ ଉପନ୍ୟାସରୁ ଏକ ଖିଆଲୀ ଭାବାଳୁତାର ସ୍ପର୍ଶ ହିଁ ପାଠକ ମୁଖ୍ୟତଃ ଉପଲବ୍ଧ କରିଥାଏ । ମନୁଷ୍ୟର ସ୍ୱଳ୍ପାୟ ଭାବାବେଗ ପରି ତାହାଙ୍କ ଉପନ୍ୟାସର ପ୍ରଭାବ ସ୍ୱଳ୍ପସ୍ଥାୟୀ । ତଥାପି ଅଧ୍ୟୟନ କାଳରେ ଏହା ପାଠକର ମନରୁ ଭାବାବେଗରେ ଆଦ୍ର; କୋମଳ ଓ ନମନୀୟ କରିଥାଏ ।

 

ନେତାଜୀ ନଗର, ମଧୁପାଟଣା

କଟକ- ୭୫୩୦୧୦

***

 

ସମୟର ଆହ୍ୱାନ ଓ ସତ୍ୟବାଦୀର ସ୍ୱର

ଗୋବିନ୍ଦଚନ୍ଦ୍ର ଚାନ୍ଦ

 

‘‘ଯୁଗେ ଯୁଗେ ଦେଶେ ଦେଶେ ତପସ୍ୟାର ମାହାତ୍ମ୍ୟ ବିଘୋଷିତ ହୋଇଛି । ଇତିହାସର ପୃଷ୍ଠା ପ୍ରତି ଦୃଷ୍ଟିପାତ କଲେ ଏହା ସୁସ୍ପଷ୍ଟ ବୁଝାଯିବ । ବିନା ତପସ୍ୟା ଓ ସାଧନାରେ ମାନବୀୟ କୌଣସି କାର୍ଯ୍ୟ ସୁସିଦ୍ଧ ହୋଇନାହିଁ । ଛୋଟ ବଡ଼ ସମସ୍ତ କାର୍ଯ୍ୟର ମୂଳରେ କଠୋର ତପସ୍ୟା ଓ ସାଧନା । ମାନବେତର ଜୀବମାନଙ୍କ ମଧ୍ୟରେ ମଧ୍ୟ ସାଧନାର ପ୍ରମାଣ ମିଳେ ।’’ (ସାହିତ୍ୟ ସାଧନା-କୃଷ୍ଣ ପ୍ରସାଦ ଚୌଧୁରୀ) । ତପସ୍ୟା ଓ ସାଧନାରେ ସୁସିଦ୍ଧ ହେଉଥିବା କାର୍ଯ୍ୟ ପଛରେ ନିହିତ କାରଣ ସମୟର ଆହ୍ୱାନ ପ୍ରତି ସର୍ବଦା ଅନୁରକ୍ତ ହୋଇଆସିଛି । ଏ କ୍ଷେତ୍ରରେ ମଧ୍ୟ ଆଦର୍ଶଟିଏ ଯୋଡ଼ି ହୋଇରହିଛି । ଏହି ଅଲକ୍ଷିତ ଆଦର୍ଶ ଲକ୍ଷ୍ୟ ଅଭିମୁଖୀ ହୋଇଛି । ବାଧାକୁ ଅତିକ୍ରମ କରିବାର ପ୍ରେରଣାଟି ଯୋଗାଇଛି । ‘‘ମାନବ ଜୀବନର ଗୋଟିଏ ଆଦର୍ଶ ଅଛି ସେ ନିତ୍ୟ ଅଲକ୍ଷିତ ଭାବରେ ସେହି ଆଦର୍ଶ ବା ପୂର୍ଣ୍ଣତାଆଡ଼କୁ ଅଗ୍ରସର ହେଉଛି – ଅନ୍ତତଃ ତାହାର ପ୍ରବଣତା ସେହିଆଡ଼କୁ । ଆମ୍ଭେମାନେ ଯେ ଆମ୍ଭମାନଙ୍କ ଦୁର୍ଗତି ଓ ହୀନତା ଅନୁଭବ କରିପାରୁଅଛୁ ଏବଂ ଆମ୍ଭମାନଙ୍କର ପ୍ରାଣରେ ଗୋଟାଏ ପ୍ରବଳ ଆକାଂକ୍ଷା ସମୟ ସମୟରେ ଜାଗ୍ରତ ହୋଇ ଆମ୍ଭମାନଙ୍କୁ ବ୍ୟାକୁଳ କରିଥାଏ ତାହା କେବଳ ସେହି ଅବ୍ୟକ୍ତ ଆଦର୍ଶର ଆକର୍ଷଣ-।’’ (ଜୀବନ ଓ ସାହିତ୍ୟ-ବିଶ୍ୱନାଥ କର) । ତପସ୍ୟା, ସାଧନ ଓ ଆଦର୍ଶ ସମୟର ଆହ୍ୱାନକୁ ସାମର୍ଥ୍ୟ ଭାବେ ସାମ୍ନା କରିଥାନ୍ତି । ‘‘ଅନେକ ସମୟରେ ଦେଖା ଯାଇଥାଏ ବିପଦରେ, ଅତି ବିଷମ ସଂକଟରେ ମାନବର ଅଦ୍ଭୁତ ଶକ୍ତି ପ୍ରକାଶ ପାଇଥାଏ । ଜାତି ବିଶେଷର ମଧ୍ୟ ସେହିପରି ଅପୂର୍ବ ପରାକ୍ରମ ଓ ଅଭାବନୀୟ ଶକ୍ତି ଉତ୍କଟ ଆତଙ୍କ ସମୟରେ ପ୍ରକଟିତ ହୋଇଥାଏ ।’’ (ନୂତନବର୍ଷ-ଗୋପବନ୍ଧୁ ରଚନାବଳୀ (୮ମ ଖଣ୍ଡ, ୧୯୭୮) –ପୃ.୪୭ । ଓଡ଼ିଆ ସମ୍ବାଦପତ୍ର ଓ ପତ୍ରପତ୍ରିକାର ପ୍ରକାଶ କ୍ଷେତ୍ରରେ ଏହି ତପସ୍ୟା, ସାଧନା, ଆଦର୍ଶ, ପ୍ରାଣର ପ୍ରବଳ ଆକାଂକ୍ଷା ଓ ଅପୂର୍ବ ପରାକ୍ରମକୁ ହିଁ ଲକ୍ଷ୍ୟ କରାଯାଏ । ସମୟର ଆହ୍ୱାନକୁ ଏ କ୍ଷେତ୍ରରେ ବେଶ ସଚେତନତାର ସହ ଗ୍ରହଣ କରାଯାଇଛି । ମହାନ୍ ଲକ୍ଷ୍ୟ ସିଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନିଷ୍ଠାର ସହ ନିର୍ବାହ କରାଯାଇଛି ।

 

ସମାଲୋଚକ ଡକ୍ଟର ନଟବର ସାମନ୍ତରାୟଙ୍କ ମତରେ, ‘‘୧୯୬୬ ସାଇ ଅଗଷ୍ଟ ମାସରେ ପ୍ରକାଶିତ ‘ଉତ୍କଳ ଦୀପିକା’ର ଆବିର୍ଭାବ ଆଦୌ ଆକସ୍ମିକ ନୁହେଁ, ଏହା ହିଁ ଦମିତ ଜନଚିତ୍ତର ପ୍ରଥମ ବହିଃସ୍ଫୁରଣ ମାତ୍ର ।’’ (ଓଡ଼ିଆ ସାହିତ୍ୟ ଇତିହାସ, ୧୮୦୩-୧୯୨୦, ପୃଷ୍ଠା-୨୩) ଯେଉଁ ସମୟରେ ଓଡ଼ିଆ ଅସ୍ମିତା ପ୍ରତି ଆଘାତ ପହଞ୍ଚିଛି, ସେତେବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ନେତୃତ୍ୱ ମିଳିଛି । ନେତୃତ୍ୱ ନେଇଛନ୍ତି ଗୌରୀଶଙ୍କର ଓ ତାଙ୍କ ଆୟୁଧ ହୋଇଛି ‘ଉତ୍କଳ ଦୀପିକା’ । ସମୟର ଆହ୍ୱାନ ହେତୁ ଯେପରି ଉତ୍କଳ ଦୀପିକାର ସୃଷ୍ଟି, ଠିକ୍ ସେହିପରି ସମୟର ଆହ୍ୱାନକୁ ଗ୍ରହଣ କରି ‘ଉତ୍କଳ ସାହିତ୍ୟ’, ‘ସତ୍ୟବାଦୀ’, ‘ନବଭାରତ’ ଓ ‘ଆଧୁନିକ’ ଆଦି ପତ୍ରପତ୍ରିକା ପରି ଊନବିଂଶ ଶତକର ଶେଷ ଭାବ ଓ ବିଂଶ ଶତାବ୍ଦୀର ପ୍ରଥମ ପାଦରେ ଆତ୍ମପ୍ରକାଶ କରିଥିବା ପତ୍ରପତ୍ରିକା ମଧ୍ୟ ସୃଷ୍ଟି । ୪ ଅଗଷ୍ଟ ୧୮୬୬ରେ ଆତ୍ମପ୍ରକାଶ କରିଥିବା ‘ଉତ୍କଳ ଦୀପିକା’ ସମସାମୟିକ ଓଡ଼ିଶାର ଜାତୀୟ ଜୀବନର ପୂର୍ଣ୍ଣାଙ୍ଗ ଚିତ୍ର ଦେବାରେ ସମର୍ଥ ହୋଇଥିଲା । ୧୮୬୪ରେ ‘କଟକ ପ୍ରିଣ୍ଟିଂ କୁମ୍ପାନୀ’ ଗଠନରେ ଯେଉଁ ମହାନ କର୍ମର ଶୁଭାରମ୍ଭ ହୋଇଥିଲା ‘ଉତ୍କଳ ଦୀପିକା’ ତାହାର ଥିଲା ସାର୍ଥକ ଫଳଶ୍ରୁତି । ଏଠି ସାଧନା, ତପସ୍ୟା, ଆଦର୍ଶ ଓ ସମୟର ଆହ୍ୱାନ ହେଉଛନ୍ତି ପ୍ରମୁଖ ନିୟାମକ । ମୂକ ଓଡ଼ିଆଙ୍କ ମୁଖରେ ଭାଷା ଦେବା, ସାମ୍ନା କରାଯାଉଥିବା ସମସ୍ୟାକୁ ଅବିକଳ ଭାବେ ଉପସ୍ଥାପନ କରି ଏକ ସଚେତନତାର ଅବକାଶ ସୃଷ୍ଟି କରିବା ଏହି ସବୁର ମଧୁମୟ ପରିଣତି । ଠିକ୍ ସେହିପରି ଭାଷା, ସାହିତ୍ୟ, ସମକାଳୀନ ଜୀବନ ଓ ବ୍ୟବସ୍ଥାର ଚିତ୍ରଣକୁ ସଚେତନ ଭାବେ ଉପସ୍ଥାପନ କରିବା ହୋଇଛି ପରବର୍ତ୍ତୀ ପତ୍ରପତ୍ରିକାର ଲକ୍ଷ୍ୟ । ଏହି ଧାରାରେ ଆସିଛି ‘ସତ୍ୟବାଦୀ’ (୧୯୧୫ ଫେବୃଆରୀ/ମାର୍ଚ୍ଚ) ।

 

ସମାଜସେବା ପ୍ରତି ନିଜକୁ ନିବେଦିତ ଉତ୍କଳମଣି ଗୋପବନ୍ଧୁ ଦାସ ସାହିତ୍ୟ ସେବା ପାଇଁ ୧୩୨୨ ସାଲ କୁମ୍ଭ ମାସରେ ‘ସତ୍ୟବାଦୀ’ ପତ୍ରିକାର ପ୍ରକାଶ କରିଥିଲେ । ‘ସତ୍ୟ-ବବିଷ୍ୟାମି’ – ସତ୍ୟ ପ୍ରତି ଅହେତୁକ ଅନୁରାଗରୁ ହିଁ ସତ୍ୟବାଦୀ ନାମକରଣ ଓ ଏହାକୁ ନେଇ ନିଜର ଆଦର୍ଶକୁ ଉପସ୍ଥାପିତ କରିବାର ଆକାଂକ୍ଷା ସୃଷ୍ଟି ହୋଇଛି । ଜାତୀୟ ଜୀବନରେ ସତ୍ୟର ପ୍ରତିଷ୍ଠା, ଜୀବନକୁ ସତ୍ୟ ସନ୍ଧାନୀ କରିବାର ମହତାକାଂକ୍ଷା ହିଁ ଏପରି ଏକ ପତ୍ରିକା ପ୍ରକାଶ ପଶ୍ଚାତ୍‌ରେ ରହିଥିଲା ।

 

‘ସତ୍ୟବାଦୀ’ ପ୍ରଥମେ ବ୍ରହ୍ମପୁର ‘ଆଶା ପ୍ରେସ’ରୁ ପ୍ରକାଶ ପାଇଥିଲା । ସାହିତ୍ୟ ଆଲୋଚନା, ପଲ୍ଲୀ ପ୍ରସଙ୍ଗରେ ଉପସ୍ଥାପନା, ଶିକ୍ଷା ଓ ଛାତ୍ର ସମସ୍ୟାର ବିଚାର ସହ ଇତିହାସ, ଦର୍ଶନ ଓ ରାଜନୀତି ସମ୍ପର୍କରେ ସ୍ପଷ୍ଟଧାରଣା ପାଠକ ମନରେ ସୃଷ୍ଟି କରିବା ପାଇଁ ଉଦ୍ୟମ ହୋଇଛି ଏହି ପତ୍ରିକାରେ ।

 

‘ସତବାଦୀ’ ପତ୍ରିକା ସମ୍ପର୍କରେ ଆଲୋକପାତ କରିବା ସମୟରେ ସତ୍ୟବାଦୀ-ସାହିତ୍ୟର ବିଶେଷତ୍ୱକୁ ବିଚାର କରିବାକୁ ହେଉଛି ଏଇଥିପାଇଁ ଯେ ନିର୍ଦ୍ଦିଷ୍ଟ ଏକ ଦୃଷ୍ଟିକୋଣକୁ ନେଇ ଏହା ସ୍ୱାତନ୍ତ୍ୟ ସ୍ୱୀକୃତ ହୋଇଛି ଓ ଏହାର ପୃଷ୍ଠପୋଷକତା କରିଛି ଏହି ପତ୍ରିକା । ଜାତୀୟତା ଭାବକୁ ପ୍ରାଧାନ୍ୟ ପ୍ରଦାନ କରି ଏହି ସାହିତ୍ୟ ସମକାଳୀନ ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲା । ୧୮୬୯ରେ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ, ୧୮୯୬ରେ ସମ୍ବଲପୁର କଚେରିରୁ ଓଡ଼ିଆ ଭାଷା ଲୋପ ଓ ଏହାକୁ ନେଇ ପ୍ରତିକ୍ରିୟା, ୧୯୦୩ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଆଦି ଘଟଣାକ୍ରମ ମଧ୍ୟରେ ଜାତୀୟତା ଭାବର ଯେଉଁ ସ୍ପନ୍ଦନ ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ଉଠିଥିଲା ତାହା ସତ୍ୟବାଦୀ- ଚିନ୍ତାଧାରାରେ ପରିପ୍ରକାଶ ହୋଇଥିଲା । ଉଦାର ମାନବିକତା ଓ ଜାତୀୟତା ଭାବ ସତ୍ୟବାଦୀ ସାହିତ୍ୟ କ୍ଷେତ୍ରରେ ଥିଲା ସର୍ବଶ୍ରେଷ୍ଠ ସତ୍ୟ । ରାଧାନାଥୀୟ କାବ୍ୟ-ପରମ୍ପରାରୁ ନିଜକୁ ମୁକ୍ତ ରଖି ‘ସତ୍ୟବାଦୀ’ ଗୋଷ୍ଠୀଙ୍କ ସାରସ୍ୱତ ସାଧନା ସ୍ୱତନ୍ତ୍ର ସରଣୀ ପ୍ରସ୍ତୁତ କରିଥିଲ। ଏହାଥିଲା ସମ୍ପୂର୍ଣ୍ଣ ମୌଳିକ, ଅନନ୍ୟା ଓ ଅସାଧାରଣ । ଗୋପବନ୍ଧୁଙ୍କ ‘ବନ୍ଦୀର ଆତ୍ମକଥା’, ‘ବନ୍ଦୀର ସ୍ୱଦେଶଚିନ୍ତା’, ‘ଧର୍ମପଦ’, ନୀଳକଣ୍ଠଙ୍କ ‘କୋଣାର୍କ’, ‘ଖାରବେଳ‘, ଗୋଦାବରୀଶଙ୍କ ‘ଅଲେଖିକା’, ‘କିଶଳୟ’ ଏହାର ଗୋଟିଏ ଗୋଟିଏ ନମୁନା ମାତ୍ର ।

 

କେଉଁଠି ଜାତୀୟ ଭାବ ସୃଷ୍ଟି ପାଇଁ ଦେଶ ପ୍ରୀତିମୂଳକ କବିତା ରହିଛି ତ କେଉଁଠି ଐତିହ୍ୟ ଭିତରେ ଆମର ସମୃଦ୍ଧ ଇତିହାସକୁ ଉପସ୍ଥାପନ କରାଯାଇଛି ଆଉ କେଉଁଠି ଗାଥାକବିତାରେ ରହିଛି ଜାତୀୟଭାବର ସ୍ୱରଲିପି । ଜାତିର ଜଡ଼ତାକୁ ଭାଙ୍ଗି ତା’ ନିକଟରେ ମହତର ଆକାଂକ୍ଷା ସୃଷ୍ଟି କରିବା ପାଇଁ ଗୋପବନ୍ଧୁ ପ୍ରକାଶ କରିଥିଲେ ‘ସତ୍ୟବାଦୀ’ । ୧୯୯୫ରେ ‘ସତ୍ୟବାଦୀ’ରେ ଉଲ୍ଲେଖ ହୋଇଥିଲା ଏହାର ମହାନ୍ ଲକ୍ଷ୍ୟ – ‘ଜନ୍ମଭୂମିର ଉନ୍ନତିରେ ଯଥାଶକ୍ତି ଆତ୍ମନିୟୋଗ କରିପାରିଲେ ଆମ୍ଭେମାନେ ବିଶ୍ୱସେବା କଲୁ ବୋଲି ମନେକରି ଆଶ୍ୱସ୍ତ ହେବୁ । ଦେଶାନୁରାଗ ବିଶ୍ୱପ୍ରୀତିର ବିରୋଧୀ ନୁହେଁ, ବରଂ ବିଶ୍ୱପ୍ରୀତି ବିହୀନ ପ୍ରାଣରେ ଜାତୀୟତା ଏବଂ ସ୍ୱଦେଶବାତ୍ସଲ୍ୟ ଅସମ୍ଭବ ।’‘

 

ମାତ୍ର ଛ’ ବର୍ଷର ଜୀବନକାଳ ମଧ୍ୟରେ ‘ସତ୍ୟବାଦୀ’ ତା’ର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛି । ଜାତୀୟ ଜୀବନର ପ୍ରଖ୍ୟାପନ, ଜାତୀୟ ଭାବର ବିକାଶ ପାଇଁ ‘ସତ୍ୟବାଦୀ’ ଏକ ମାଧ୍ୟମ ହୋଇ ଯାଇଥିଲା । ‘‘ସତ୍ୟକୁ ଜୀବନର ପରମବ୍ରତ ରୂପେ ବରଣ କରିନେଇ ଗୋପବନ୍ଧୁ ସତେ ଯେପରି ସାହିତ୍ୟସେବା ପାଇଁ ‘ସତ୍ୟବାଦୀ’ ପରି ପତ୍ରିକାର ପରିକଳ୍ପନା କରିଥିଲେ । ମାନବ ଜୀବନର ସତ୍ୟକୁ ଗୁରୁତ୍ୱ ଦେଇ ଗୋପବନ୍ଧୁ ସର୍ବତ୍ର ସତ୍ୟକୁ ଖୋଜିଛନ୍ତି । ଜାତୀୟ ଜୀବନରେ, ସଂସ୍କୃତିରେ, ଶିକ୍ଷାରେ, ମାନବର କ୍ରିୟାକଳାପରେ ସେ ସତ୍ୟର ସନ୍ଧାନ ପାଇଁ ଆପଣାର ନିଷ୍ଠା ପ୍ରଦର୍ଶନ କରିଛନ୍ତି । ଯେତେ ଅପ୍ରିୟ ହେଲେ ମଧ୍ୟ ଆପଣା ଅନ୍ତରର ସତ୍ୟକୁ ସେ ନିର୍ଭୀକ ଭାବରେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ।’’ (ଓଡ଼ିଆ ସାହିତ୍ୟ ଇତିହାସ (୨୦୧୦) – ବାଉରୀବନ୍ଧୁ କର ପୃ.୨୮୬-୨୮୭)

 

‘ସତ୍ୟବାଦୀ’ କେବଳ ଓଡ଼ିଆ ସାହିତ୍ୟ କଥା କହିନାହିଁ, ଏକ ପରିବ୍ୟାପ୍ତ ପରିସରରେ ଚେତାନକୁ ଉଦ୍ଦୀପ୍ତ କରିବାର ଦାୟବଦ୍ଧ ଭୂମିକାଟିଏ ଗ୍ରହଣ କରିଛି । ଏହାର ପୃଷ୍ଠାରେ ଗୋପବନ୍ଧୁଙ୍କ ସମୟୋଚିତ ଓ ସମ୍ବେଦନଶୀଳ ଦୃଷ୍ଟିକୋଣ ପରିପ୍ରକାଶ ଘଟିଛି । ‘ସାହିତ୍ୟ ସମାଜ’, ବାଣୀ’, ‘ବନବାଣୀ, ‘ହୀରାଖଣ୍ଡ’, ‘ଶାନ୍ତି ଓ ସଂଗ୍ରାମ’, ‘ଜୟ କାହାର’, ‘ବିନାଶ ନା ବିକାଶ’, ‘ମହୀଶୂର ବିଶ୍ୱବିଦ୍ୟାଳୟରେ ସାର୍ ଆଶୁତୋଷ’, ‘ପଣ୍ଡିତ ଗୋବିନ୍ଦ ରଥ’, ସତ୍ୟବାଦୀ ବିଦ୍ୟାଳୟରେ ପ୍ରତିଷ୍ଠାନୋତ୍ସବ’, ‘ବିଶ୍ୱବିଦ୍ୟାଳୟ ପରୀକ୍ଷା ଫଳ’, ‘ସ୍ୱର୍ଗୀୟ ଫକୀରମୋହନ’, ‘ସତ୍ୟବାଦୀର ନବପ୍ରସ୍ଥ’ ଆଦି ଶୀର୍ଷକରେ ତାଙ୍କ ଲେଖା ବିଭିନ୍ନ ଦିଗକୁ ଆଲୋକିତ କରିଛି । ସବୁଥିରେ ଉତ୍କଳମଣିଙ୍କ ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ଲକ୍ଷ୍ୟ କରାଯାଏ । କେତୋଟି ଦୃଷ୍ଟାନ୍ତ ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ :

 

(୧)

ଉତ୍କଳ ସାହିତ୍ୟ ସମାଜ ଓଡ଼ିଶାର ଏକମାତ୍ର ଦଳଗତ ଅନୁଷ୍ଠାନ । ଉତ୍କଳ ସମ୍ମିଳନୀ ପୂର୍ବରୁ ଏହାର ସୃଷ୍ଟି । ସମ୍ମିଳନୀ କ’ଣ କରୁଛି ବୋଲି ସମୟେ ସମୟେ ଯେ ପ୍ରଶ୍ନ ହୋଇଥାଏ ଉତ୍କଳ ସାହିତ୍ୟ ସମାଜ ସମ୍ବନ୍ଧେ ତାହା ଯେ ନ ଶୁଣାଯାଏ ଏହା ନୁହେଁ । ମାତ୍ର ସାହିତ୍ୟ ସଙ୍ଗେ ଅତି ଅଳ୍ପସଂଖ୍ୟକ ଲେଖକଙ୍କର ସମ୍ପର୍କ ବୋଲି ଏହା ତେତେ ଅଧିକ ପରିମାଣରେ ଏବଂ ବିସ୍ତୃତ ଭାବରେ ଶୁଣାଯାଏ ନାହିଁ । ଅନ୍ୟାନ୍ୟ ପ୍ରଦେଶର ସାହିତ୍ୟ ସମାଜମାନଙ୍କ ଦୃଷ୍ଟିରେ ଉତ୍କଳ ସାହିତ୍ୟ ସମାଜର ଗତି ଯେ କିଛି ନୁହେଁ ଏବଂ ବଡ଼ ଆକ୍ଷେପଜନକ ଏହାତ ବୋଲିବା ନିଷ୍ପୟୋଜନ । ଅନ୍ୟ ସଙ୍ଗେ ତୁଳନା ନ କରି ସ୍ୱତନ୍ତ୍ର ଭାବରେ କେବଳ ଏହାର କାର୍ଯ୍ୟ ପରିମାଣ ବିବେଚନା କଲେ ଆହ୍ଲାଦ ଏବଂ ଆଶ୍ୱାସନାର କେତେ ମଧ୍ୟ କାରଣ ନାହିଁ । ଅବଶ୍ୟ ଯେଉଁମାନେ ସାହିତ୍ୟ ସମାଜ, ସମ୍ମିଳନୀ ବା ଅନ୍ୟ ଯେକୌଣସି ଜାତୀୟ ଅନୁଷ୍ଠାନ ସମ୍ବନ୍ଧେ କ’ଣ କରାଗଲା ବୋଲି ପ୍ରଶ୍ନ କରନ୍ତି ସେମାନେ ସରଳ ସଦଭିପ୍ରାୟରେ ସେହିପରି କହନ୍ତି ନାହିଁ । ମାତ୍ର ସେମାନଙ୍କର ବୁଝିବା ଉଚିତ୍ ଯେକୌଣସି ଦଳଗତ ଉଦ୍ୟମର ବ୍ୟକ୍ତି ବିଶେଷ ସଭ୍ୟ ପ୍ରତ୍ୟେକ ଅନୁଷ୍ଠାନ ପ୍ରତି ନିଜର ସାଧ୍ୟମତେ କର୍ତ୍ତବ୍ୟ ପାଳନ ନକଲେ ଏବଂ ସମଗ୍ର ଜାତିର ତହିଁ ପ୍ରତି ସହାନୁଭୂତି ନ ଜନ୍ମିଲେ ସମୂହ ଉନ୍ନତି ହେବ କାହୁଁ ? (ସାହିତ୍ୟ ସମାଜ) ।

(୨)

ଆମ୍ଭମାନଙ୍କ ମଧ୍ୟରେ କାହାରି କୌଣସି ବିଷୟରେ ସେପରି ନୈଷ୍ଠିକ ସାଧନା ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହି: । ପୁଣି ସାହିତ୍ୟ କ୍ଷେତ୍ରରେ କୃତିତ୍ୱ ସହଜ ଲଭ୍ୟ ବୋଲି ଅନେକେ ମନେ କଲାପରି ଜଣାଯାଏ । ପ୍ରଥମେ ଯାହା କିଛି ଲେଖି ତହିଁ ପ୍ରତି ସାଧାରଣଙ୍କ ଦୃଷ୍ଯି ଦାବି କରିବା ଲେଖକଙ୍କ ସଂଖ୍ୟା ବିରଳ ନୁହେଁ । (ବାଣୀ)

(୩)

ସମ୍ବଲପୁରର କେଉଁ ଅଜ୍ଞାତକୋଣରେ ବସି କବି ଗଙ୍ଗାଧର ଉତ୍କଳ ବୀଣାପାଣିଙ୍କର ଯେପରି ନିଷ୍ଠାପର ଆରାଧନା ଆଜୀବନ କରି ଆସୁଛନ୍ତି, ତାହା ଯେକୌଣସି ଅଞ୍ଚଳ ପକ୍ଷେ ଅତୀବ ପ୍ରଶଂସା ଏବଂ ସୌଭାଗ୍ୟର ବିଷୟ । ସମ୍ବଲପୁର ଉଦୀୟମାନ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ କେତେଜଣ ସୁଲେଖକ ଅଛନ୍ତି । ମାତୃଭାଷାର ଗୌରବ ବଢ଼ାଇବା ଲାଗି ସମ୍ବଲପୁରବାସୀ ଯେ ଏକାନ୍ତ ବଦ୍ଧପରିକର ଏହା ବୋଲିବା ବାହୁଲ୍ୟ ମାତ୍ର । (ହୀରାଖଣ୍ଡ)

(୪)

ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପବିତ୍ର ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଅଛନ୍ତି, ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତିରେ ଉଜ୍ଜୀବିତ । (ବନ୍ୟବାଣୀ)

(୫)

ଶାନ୍ତି ଓ ସଂଗ୍ରାମ ଏ ଦୁଇଟି ଆପେକ୍ଷିକ ବିଷୟ । ଏକ ଅନ୍ୟର ଅପେକ୍ଷା କରେ । ଏକର ଅଭାବରେ ଅନ୍ୟର ପ୍ରଭାବ ବା ପ୍ରୟୋଜନୀୟତା ବୁଝିବା ଅସମ୍ଭବ । (ଶାନ୍ତି ଓ ସଂଗ୍ରାମ)

(୬)

ରାଞ୍ଚି ଜିଲ୍ଲାର ଅରଣ୍ୟ ମଧ୍ୟରେ, ବଙ୍ଗ ପ୍ରଦେଶର ରୂପନାରାୟଣ କୂଳରେ, ମାନ୍ଦ୍ରାଜର ଗୋଦାବରୀ ଅଞ୍ଚଳରେ, ମଧ୍ୟ ପ୍ରଦେଶର ଗିରିପ୍ରାନ୍ତରେ, ଓଡ଼ିଶାର ସାଗର ସୈକତରେ ଜଗନ୍ନାଥଙ୍କର ପବିତ୍ର ମଧୁର ଭାଗବତ ପଦାବଳୀ ଅଦ୍ୟାପି ବିକଳାଙ୍ଗ ଓଡ଼ିଆ ଜାତିର ହୃତ୍‌ପିଣ୍ଡକୁ ଅଖଣ୍ଡ ଅକ୍ଷୁର୍ଣ୍ଣ ଏବଂ ଜାଗ୍ରତ ରଖିଛି । (ଓଡ଼ିଆ ଭାଗବତ ସମାଲୋଚନା)

 

ଏଥିରେ ସ୍ପଷ୍ଟ ହୋଇଯାଏ ‘ସତ୍ୟବାଦୀ’ ପତ୍ରିକାର ଦୃଷ୍ଟିକୋଣ । ପତ୍ରିକାର ‘ଛାତ୍ରଭାଗ’ ହେଉ ବା ‘ପଲ୍ଲୀ ପ୍ରସଙ୍ଗ’ ବିଭାଗ ଗ୍ରହଣ କରିଛି ଏକ ସମୃଦ୍ଧ ସମାଜ ଗଠନର ଆଭିମୁଖ୍ୟ । ଛାତ୍ର ଓ ପଲ୍ଲୀ ଜୀବନର ବିକାଶକୁ ଉତ୍କଳମଣି କେତେ ଗୁରୁତ୍ୱ ଦେଉଥିଲେ ଓ ଏହା ଥିଲା ସମୟର ଆବଶ୍ୟକତା । ସମୃଦ୍ଧ ଇତିହାସର ଉପସ୍ଥାପନା ଭିତରେ ଏ ଜାତିକୁ ଅଗ୍ରଗାମୀ କରିବାର ଦୃଷ୍ଟିକୋଣ ବି ଏହି ପତ୍ରିକାର ଲେଖାରୁ ସ୍ପଷ୍ଟ ହୋଇଛି । ବିଶେଷଷକରି ମୌଳିକ ଚିନ୍ତନର ଉପସ୍ଥାପନା ଓ ଏହି ଚିନ୍ତନ କିପରି ଏ କ୍ଷେତ୍ରରେ ନୂତନ ସରଣୀ ସୃଷ୍ଟି କରିବ ଏ ମହାନ୍ ଲକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଛି ।

 

ନୀଳକଣ୍ଠ ଦାସଙ୍କ ‘ଲାବଣ୍ୟବତୀର ଆଲୋଚନ’, ‘ଯୌନର ପ୍ରଭାବ ଓ ପ୍ରତିଷ୍ଠା’, ‘ଜାତୀୟତାର ଭିତ୍ତିଭୂମି’, ଗୋଦାବରୀଶ ମିଶ୍ରଙ୍କ ‘ମନୁଷ୍ୟର କ୍ରମବିକାଶ’, କୃପାସିନ୍ଧୁ ମିଶ୍ରଙ୍କ ‘ହିନ୍ଦୁ ସମାଜର ବିଧାନ’, ଭାରତରେ ଇଂରେଜୀ ସାମ୍ରାଜ୍ୟ ବିସ୍ତାର’, ଜଗବନ୍ଧୁ ସିଂହଙ୍କ ‘ସମର ତରଙ୍ଗ’’, ‘ଜୟଦେବ’, ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ‘ଓଡ଼ିଆ ଶବ୍ଦତତ୍ତ୍ୱ ସନ୍ଦର୍ଭ’, ରତ୍ନାକର ପତିଙ୍କ ‘ସମାଜ ସଂସ୍କାର’, ‘ସଂଯମ ବିଧି’ ବିରୁପାକ୍ଷ କରଙ୍କ କେଶରୀ ବଂଶ ସମ୍ପର୍କରେ ଧାରାବାହିକ ଆଲୋଚନା ଆଦି ମଧ୍ୟରୁ ଓଡ଼ିଆ ସାହିତ୍ୟର ପ୍ରବନ୍ଧ ଓ ଆଲୋଚନା କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ ‘ସତ୍ୟବାଦୀ’ର ସ୍ମରଣୀୟ ଭୂମିକାକୁ ସ୍ୱୀକାର କରିବାକୁ ହେଉଛି ।

 

ଆଲୋଚନା ଓ ସମାଲୋଚନା ଉପରେ ଗୁରୁତ୍ୱ ଦେଇ ଆସିଥିଲା ‘ସତ୍ୟବାଦୀ’ । ଏହା ପଛରେ ରହିଥିବା କାରଣ ସମ୍ପର୍କରେ ପଣ୍ଡିତ ଗୋପବନ୍ଧୁ ‘ସତ୍ୟବାଦୀର ନବପ୍ରସ୍ଥ’ ଶୀର୍ଷକରେ ଲେଖିଥିଲେ, ‘‘ସମାଲୋଚନା ନ ହେବାରୁ ସାହିତ୍ୟରେ ରୁଚି ବିକାଶ ପାଉ ନାହିଁ । ଯେଉଁଠାରେ ସାହିତ୍ୟିକ ରୁଚି ନାହିଁ, ସେଠାରେ କାବ୍ୟ ଉପନ୍ୟାସ ଜାତୀୟ ସାହିତ୍ୟର ଅଙ୍ଗ ବୃଦ୍ଧି କରିପାରେ, କିନ୍ତୁ ଅଙ୍ଗବୃଦ୍ଧି ସ୍ୱାସ୍ଥ୍ୟର ଚିହ୍ନ ନୁହେଁ । ଜୀବନର ଉଚ୍ଛ୍ୱାସ ଇଙ୍ଗିତରେ ସେ କାବ୍ୟ ଉପନ୍ୟାସାଦିର ସ୍ଥାନ ନାହିଁ । ତାହା ଜାତୀୟ ଭାବ ଜଗାଇବ ନାହିଁ । ଫଳରେ ଜାତି ତାହା ପଢ଼ିବ ନାହିଁ । ଆମ ଦେଶ ସାହିତ୍ୟ; ଅତଏବ ପଢ଼ିବା ଉଚିତ୍ ବୋଲି ଯେଉଁମାନେ ପଢ଼ନ୍ତି ସେମାନଙ୍କର ଉତ୍ସାହ ନମସ୍ୟ, କିନ୍ତୁ ତାହା ସାଧାରଣ ନୁହେଁ ।’’ ଯେଉଁ ସମୟରେ ପୁସ୍ତକର ଆଦର ସମ୍ପର୍କରେ ଆମେ ପ୍ରଶ୍ନ ଉଠାଉଛେ, ସେତେବେଳେ ସେ ସମୟରେ ଉତ୍କଳମଣିଙ୍କ ବକ୍ତବ୍ୟର ପ୍ରାସଙ୍ଗିକତା ବହୁ କାଳ ପରେ ମଧ୍ୟ ରହିଛି । ସେ ବକ୍ତବ୍ୟଟି ହେଉଛି, ‘‘ଯେଉଁ ପୁସ୍ତକ ପ୍ରତି ଆଦର ନ ନହେଲେ, ତା’ର କିଣା ନ ହୋଇପାରେ; ମାତ୍ର ଯାହା ପଢ଼ିବାକୁ ସୁଖ ଲାଗିଲା ବା ଅନ୍ୟ କାରଣରୁ ଯେଉଁ ପୁସ୍ତକ ପ୍ରତି ଆଦର ଓ ସମ୍ମାନ ଅଛି, ତାହା କିଣିବା ହିଁ ଏକ ପ୍ରକାର ସାହିତ୍ୟସେବା । ଲୋକ ସାଧାରଣ ଯେତେଦିନ ଏହା ବୁଝି ଏହି ଅନୁସାରେ କାର୍ଯ୍ୟ କରିନାହାନ୍ତି ସେତେଦିନ ସାହିତ୍ୟର ଉନ୍ନତି ହେବନାହିଁ ଏବଂ ଓଡ଼ିଶାରେ ସାହିତ୍ୟର ଉନ୍ନତି ହେବ ନାହିଁ ଏବଂ ଓଡ଼ିଶାରେ ସାହିତ୍ୟର ଉନ୍ନତି ନ ହେଲେ ଜାତୀୟ ଉନ୍ନତି ଏକ ପ୍ରକାର ଅସମ୍ଭବ ।’’ (ସତ୍ୟବାଦୀର ନବପ୍ରସ୍ତ-ଗୋପବନ୍ଧୁ ରଚନାବଳୀ, ୮ମ ଖଣ୍ଡ (୧୯୭୮), ପୃ.୫୫)

 

‘ସତ୍ୟବାଦୀ’ର ଜୀବନକାଳ ଦୀର୍ଘସ୍ଥାୟୀ ନଥିଲା । ରାଜନୈତିକ ଜୀବନର ଆହ୍ୱାନ ଓ ଦୈନିକ ସମ୍ବାଦପତ୍ର ‘ସମାଜ’ (୪ ଅକ୍ଟୋବର ୧୯୧୧ ବିଜୟାଦଶମୀ)ର ପ୍ରକାଶ ଓ ସେଥିପାଇଁ ଅଧିକରୁ ଅଧିକ ମନୋନିବେଶ ‘ସତ୍ୟବାଦୀ’ ଜୀବନରେ ପୂର୍ଣ୍ଣଛେଦ ଟାଣିଥିଲା । ସମାଲୋଚକ ଗବେଷକ ନଟବର ସାମନ୍ତରାୟଙ୍କ ଯଥାର୍ଥ ବିଚାରରେ ‘ସତ୍ୟବାଦୀ ବନବିଦ୍ୟାଳୟ’, ‘ସତ୍ୟବାଦୀ’ ଓ ‘ସମାଜ’ ପତ୍ରିକା ଗୋପବନ୍ଧୁଙ୍କ ଚିନ୍ତାରାଶିର ଜୀବନ ବିଗ୍ରହ, ଜାତିର ମାନସିକ ଉନ୍ନତି ସାଧନ ପାଇଁ ଏମାନେ ଥିଲେ ଉଦ୍ଦିଷ୍ଟ ।

 

ଗୋପବନ୍ଧୁ କହୁଥିଲେ ଜୀବନରେ ନିଷ୍ଠା ନଥିଲେ, ସମାଜର ଦୃଢ଼ତା କଦାପି ଜନ୍ମିବ ନାହିଁ । ପ୍ରକୃତ ପକ୍ଷେ ଦାସେ ଆପଣଙ୍କର ନିଷ୍ଠାପର ସାଧନାର ସାର୍ଥକ ଫଳଶ୍ରୁତି ଥିଲା ‘ସତ୍ୟବାଦୀ’ । ସମସାମୟିକ ସମୟର ଆହ୍ୱାନ ମଧ୍ୟରୁ ଏହାର ସୃଷ୍ଟି ଓ ଜାତୀୟ ଜୀବନକୁ ବଳିଷ୍ଠ କରିବାରେ ଆହ୍ୱାନ ତେଜିବାରେ ଏହା ସମର୍ଥ ହୋଇଥିଲା ।

 

ବିଠ୍‌ଲା ଭବନ, ଆଦିତ୍ୟ ନଗର,

ପୋତାପୋଖରୀ, ନୂଆବଜାର, କଟକ-୪

***

 

ବୈକୁଣ୍ଠନାଥ ପ୍ରବନ୍ଧ ଜଗତ

ବ୍ରଜମୋହନ ମିଶ୍ର

 

ଗୋଠ, ମଠ ଓ ଫଟୋର ଧୃତରାଷ୍ଟ୍ରୀ ଆଲିଙ୍ଗନରୁ ଆପଣାକୁ ରକ୍ଷା କରି ସ୍ୱାନ୍ତ ସୁଖ ତଥା ସ୍ୱଜ୍ଞାରେ ଅଭିମନ୍ତ୍ରିତ ହୋଇଥିବା ନିରୁତ ପ୍ରାବନ୍ଧିକ ବୈକୁଣ୍ଠନାଥ ସତରେ ଥିଲେ ନିର୍ମଳ କବିତ୍ୱ ତଥା ଭଞ୍ଜୀୟ ‘ବିବେକୀ ପାଠକ’ର ସୁଷ୍ଠୁ ସମବାୟ । ପ୍ରତିଭା (ଉଭୟ ଭାବୟିତ୍ରୀ ଓ କାରୟିତ୍ରୀ), ବ୍ୟୁତ୍ପତ୍ତି ତଥା ଅଭ୍ୟାସ (ଯେଉଁ ତ୍ରିଶକ୍ତିର ଅଧିକାରୀ ଥିଲେ ଜଣେ କବି ହୋଇପାରନ୍ତି)ର ଅନ୍ୟନାମ ବୈକୁଣ୍ଠ ସୃଷ୍ଟି ସୌରଭ । କେବଳ ଲେଖିବାକୁ ନ ଲେଖି ଅନ୍ତର୍ଦୁଷ୍ଟିରେ ଯାହା ତାଙ୍କ ଦେଖାଯାଇ ପ୍ରକାଶ ପାଇଁ ଉଚ୍ଛନ୍ନ କରିଛି, ତାହା କେତେ ସୁଷମ ତଥା ସଂହତ ଭାବରେ ମୂର୍ତ୍ତିମନ୍ତ ହୋଇଛନ୍ତି ତାଙ୍କ ପ୍ରବନ୍ଧ ପୀୟୁଷରରେ । ଜଣେ ମରମୀ ପାଠକ ସ୍ପଷ୍ଟ ଉପଲବ୍ଧି କରିପାରିବେ ପ୍ରାବନ୍ଧିକ ବୈକୁଣ୍ଠନାଥ କିପରି ସାକାର କରିଛନ୍ତି ‘ଆତ୍ମା ସଂସ୍କୃତି ର୍ଭବଶିଳ୍ପାନି’ର ସେହି ମହନୀୟ ଭାବନାକୁ । କଳା ଯେ ଜୀବନଠାରୁ ବୃହତ୍ତର ଓ ଅଧିକ ମହନୀୟ ତାହା ଏତାଦୃଶ ସାହିତ୍ୟଶିଳ୍ପୀ ବେଶ୍‍ କହିଯାଆନ୍ତି । ୧୯୬୦ ରୁ ପ୍ରାୟ ୨୦୦୦ ମସିହା ଯାଏଁ ନିରବଚ୍ଛିନ୍ନ ଲେଖନୀ ଚାଳନା କରି ଶହ ଶହ ପ୍ରବନ୍ଧ ରଚନା କରିଛନ୍ତି ବୈକୁଣ୍ଠନାଥ । ପଚାଶ ଦଶନ୍ଧିରେ ତାଙ୍କର ପ୍ରବନ୍ଧମାନ ପ୍ରକାଶିତ ହୋଇଛନ୍ତି ତତ୍‌କାଳୀନ ସମ୍ଭ୍ରାନ୍ତ ସାହିତ୍ୟପତ୍ର ସହକାର, ଉତ୍କଳସାହିତ୍ୟ ଆସନ୍ତାକାଲି ଇତ୍ୟାଦିରେ । ଉତ୍କୃଷ୍ଟ ପ୍ରବନ୍ଧ ରଚନା ପାଇଁ ବୈକୁଣ୍ଠ ମଧ୍ୟ ଛାତ୍ରାବସ୍ଥାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପୁରସ୍କୃତ ହୋଇଛନ୍ତି ଏକଶତ ଟଙ୍କା । ତାଙ୍କର ପ୍ରବନ୍ଧଗୁଡ଼ିକ ଏଯାବତ୍ ସାତଖଣ୍ଡରେ ପ୍ରକାଶିତ । ୧୯୬୦ରେ ତାଙ୍କର ପ୍ରଥମ ପ୍ରକାଶିତ ପ୍ରବନ୍ଧ ପୁସ୍ତକ ‘ଓଡ଼ିଆ ଗଦ୍ୟ ସାହିତ୍ୟ’ରେ ଯେଉଁ ମନନଶୀଳତା ପ୍ରାଞ୍ଜଳ, ତାହାର ସ୍ୱଚ୍ଛନ୍ଦ ପ୍ରବାହ ଘଟିଛି ଜାତି ଓ ଜାଗୃତି (୧୯୬୩), ଚିନ୍ତା ଓ ଚରିତ (୧୯୬୮), ସାହିତ୍ୟର ଆକାଶ (୧୯୮୬), ବିନ୍ଦୁ ଓ ବିସ୍ତାର (୧୯୯୧), ଚର୍ଯ୍ୟା ଓ ଚର୍ଚ୍ଚା (୧୯୯୮) ଓ ପ୍ରଣୟ ଓ ପ୍ରତିମା (୨୦୦୪)ରେ । ଲକ୍ଷ୍ୟ କରିବାର କଥା ଦ୍ୱିତୀୟ ତଥା ତୃତୀୟ ପୁସ୍ତକ ପ୍ରକାଶ ମଧ୍ୟରେ ଦୀର୍ଘ ଦୁଇ ଦଶନ୍ଧି ବିତିଯାଇଛି । ତା ମୂଳରେ ଲେଖକଙ୍କର କୌଣସି ବ୍ୟକ୍ତିଗତ କାରଣ ଥାଇପାରେ କିନ୍ତୁ ଯାହା ମନେହୁଏ ତାର ଅସଲ କାରଣ ହେଉଛି ତାଙ୍କପରି ପ୍ରବନ୍ଧ ବିତିହୋତ୍ରଙ୍କର ପ୍ରସାର ଓ ପ୍ରଚାରର ଅଭାବ । ‘ଚିନ୍ତା ଓ ଚରିତ’ ପରି ପୁସ୍ତକ ବ୍ୟବସାୟିକ ଲାଭ କରିପାରିଲା ନାହିଁ । ତା ସତ୍ତ୍ୱେ ବୈକୁଣ୍ଠଙ୍କ ସୃଜନଶୀଳତା ଅକୁଣ୍ଠ ରହିଲା । ଏଇଠି ପ୍ରଶ୍ନ ଉଠେ, ହୁଏତ ସେତେବେଳେ ସେ ସେପରି ପରିଚିତ ନ ଥିଲେ ସାହିତ୍ୟସ୍ରଷ୍ଟା ଭାବରେ, ତେଣୁ ତାଙ୍କର ମୂଲ୍ୟାୟନ ହୋଇପାରି ନଥିଲା । ହେଲେ ୨୦୦୪ ସୁଦ୍ଧା ତାଙ୍କର ପ୍ରବନ୍ଧଗୁଡ଼ିକ ଯୋଗୁଁ ସେ ଯେ ଜଣେ ଅନନ୍ୟ ସାଧାରଣ ପ୍ରାବନ୍ଧିକ ତାହା ବେଶ୍ ଫର୍ଚ୍ଚା ହୋଇଗଲା । ତା ସତ୍ତ୍ୱେ କାହିଁକି ସେ ମହାନଦୀ ପରି ଗୁପତେ ରହିଲେ ଯେତେବେଳେ ଅନେକ କ୍ଷୁଦ୍ର ସିପ୍ରା ସ୍ରୋତ ଜଗତରେ ଖାଲି ବିଖ୍ୟାତ ହେଲେ ନାହିଁ ଅଧିକନ୍ତୁ ମହାନଦୀର ପ୍ରତିଭାସ ସୃଷ୍ଟି କଲେ ?

 

ଯଦି କୌଣସି ସାହିତ୍ୟ ସଂକ୍ରମଣରେ ଅସମର୍ଥ ତାହାହେଲେ ବରଂ ତାହା ଉଚିତ୍ ନହେବା ଭଲ । ଏହି ସଂକ୍ରମଣ, ସାହିତ୍ୟର ସେହି ଶକ୍ତିରୁ ଉଦ୍ଧୃତ, ଯାହାକୁ ଯୋଗଶାସ୍ତ୍ରରେ ଉତ୍‌ସର୍ପିଣୀ ବୋଲି କୁହାଯାଏ । ଯାହା ଅସ୍ୱାଭାବିକ ସ୍ରଷ୍ଟାର ଅସ୍ୱାଭାବିକ ମର୍ଜିର ମହିମା’’- “True literature can exist only where it is not created by diligent and trustworthy officials, but by madmen, heretics, dreamers, rebels and skeptics. But when a writer must be sensible…. There can be no bronze literature, therer can only be newspaper literature, which is real today and used for wrapping soap tomorrow” (Yevgeny Zamyatin) ଦ୍ୱିକ୍ୱେନ୍ସିଙ୍କ ଭାଷାରେ ସେ ସାହିତ୍ୟ ‘‘Literature of knowledge’’ ନୁହେଁ, ତାହା Literature of power ପ୍ରଥମ ପ୍ରକାର ସାହିତ୍ୟ ଜ୍ଞାନ ଦେଇ ଅବା ମସ୍ତିଷ୍କ ପରିପୂର୍ଣ୍ଣ କରୁଥିବା ବେଳେ ଦ୍ୱିତୀୟ ପ୍ରକାର ବି ଆମ ହୃଦୟର ସମ୍ପ୍ରସାରଣ କରେ । ଗୋଟିଏ ଜଣାଏ ଅନ୍ୟଟି ଆଧ୍ୟାତ୍ମିକ ହଲଚଲ କରାଏ । ଆପଣାର ପ୍ରବନ୍ଧ ପୃଥିବୀରେ ଏଇ ‘ହଲଚଲ ଭାବ’ର ସମ୍ୟକ ସଂଚାରଣ କରିପାରିଥିବାରୁ ବୈକୁଣ୍ଠଙ୍କ ସାରସ୍ୱତ ସୃଷ୍ଟି ହେଉଛି ଶକ୍ତିର ସମ୍ଭାର, ଉତ୍‌କ୍ରାନ୍ତିର, ବିଦଗ୍ଧ ବାଙ୍‌ଗୟତା ଏବଂ ଚିଦ୍‌ବିସ୍ତାରର ପରାଶକ୍ତି । ତାହାହିଁ ସାହିତ୍ୟର ସମ୍ବାଦତ୍ୱ ଯାହା ସର୍ବଦା ସମ୍ବାଦ ହୋଇ ରହେ (Literature is news that stays news-Ezra Pound) ବିସ୍ମୟକର ଧୀ ଓ ଧାରଣାର ଏକ ଚମତ୍କାର ଆଧାର ଓ ଅଧିଷ୍ଠାନ ହେଉଛନ୍ତି ବୈକୁଣ୍ଠନାଥ । ତାଙ୍କ ରଚନାର ଛତ୍ରେ ଛତ୍ରେ ବାକ୍ ବୈଦଗ୍ଧ୍ୟ ସହ ବିପୁଳ ବିଦ୍‌ବତ୍ତାର ଯେଉଁ ପାତିବ୍ରତ୍ୟ ପରିଲକ୍ଷିତ, ତାହା ଅବଧାରଣୀୟ-। ସତେ ଯେପରି ତାହା ଏକ ବିସ୍ତୀର୍ଣ୍ଣ ଅଥଚ ସଂଭ୍ରାନ୍ତ ଶାରଦୀୟ କେଦାର ଯାହାର ସବୁଜିମାର ସୁଷମା ତଥା ଶୁଭ ସମ୍ଭାବନାର ପ୍ରୀତିମୟ ସହାବସ୍ଥାନ । ବ୍ୟାସ, ବାଲ୍ମିକୀ, ଯାଜ୍ଞବଳ୍‌କ୍ୟ, ବୁଦ୍ଧ, ଶଙ୍କର, କାଳିଦାସ, ଭାରତୀ, ମାଘ, ଭବଭୂତି, ଭାରତୀୟ ଷଡ଼ଦର୍ଶନ, ବେଦବେଦାନ୍ତ, ସାରଳା, ଜଗନ୍ନାଥ, ଅଚ୍ୟୁତ, ଉପେନ୍ଦ୍ର, ବଳଦେବ, ଗୋପାଳକୃଷ୍ଣ, ଦୀନକୃଷ୍ଣ, ଅଭିମନ୍ୟୁ, ଫକୀରମୋହନ, ରାଧାନାଥ, ମଧୁସୁଦନ, ନନ୍ଦକିଶୋର, ଗଙ୍ଗାଧର, ବିଶ୍ୱନାଥ, ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ, ଲକ୍ଷ୍ମୀକାନ୍ତ, ମାନସିଂ, କାଳିଚରଣ, ବୈକୁଣ୍ଠନାଥ, ଅନ୍ନଦାଶଙ୍କର, ସଚ୍ଚିଦାନନ୍ଦ, ଗୁରୁପ୍ରାଦ, କୃଷ୍ଣପ୍ରସାଦ, ରମାକାନ୍ତ, ବସନ୍ତ, ଦୀପକ, ଚନ୍ଦ୍ରଶେଖର, ଚିତ୍ତରଞ୍ଜନ, ଶରତ କୁମାର, ମନୋଜ, ମହାପାତ୍ର, ନୀଳମଣି, ମହତାବ, ଅନନ୍ତ, ଗଗନେନ୍ଦ୍ର, ସେକ୍ସପିଅର, ମିଲ୍‌ଟନ, ବେଲକ, ଗୋଲ୍‌ଡ଼ସ୍ମିଥ, ଓ୍ୱାଡ଼ର୍ସଓ୍ୱର୍ଥ, ବ୍ରାଉନିଂ, କୀଟ୍‌ସ, ସେଲି, ବାଇରନ, ଏଜ୍ରୀପାଉଣ୍ଡ, ଏଲିଅଟ, ଅଡ଼େନ, ଏଡ଼ଓ୍ୱାର୍ଡ଼ ହ୍ୱାଇଟ, ରବର୍ଟ ବ୍ରିଜେସ, ଜେମସ ଜଏସ ପ୍ରିଷ୍ଟଲି, ଚାର୍ଲସ ଡିକେନ୍ସ, ଟମାସ ହାର୍ଡ଼ି, କାର୍ଲାଇଲ, ବ୍ୟାକନ, ରବର୍ଟଲିନ୍ସ, ଚେଷ୍ଟରଟନ୍, ହ୍ୟାଜଲିଟ, ଚାର୍ଲସ ମରର୍ଗାନ, ବର୍ଟ୍ରାଣ୍ଡ ରସେଲ, ସକ୍ରେଟିସ, ପ୍ଲେଟୋ, ଏରିଷ୍ଟୋଟଲ, ଏପିକ୍ୟୁରର, ହେଜିସିୟସ, ଜନାଲକ, ବର୍କଲେ ଚାର୍ଲସ ଡାରଉଇନ, ଟଏନବି, ହେରାକ୍ଲିଟସ, ଲାଇବ୍‌ନିଜ, ବୁବର ମାର୍ଟିନ, ଓ୍ୱିଟଗେନଷ୍ଟାଇନ, ଆଇନ୍‌ଷ୍ଟାଇନ୍‌, ସ୍ଫିରୋ, କ୍ରୋଚେ, ଗେଟେ, ହୋମର, କାଫକା, ସାର୍ତ୍ତ, କାମୁ୍ୟ, କିଅରଗାଡ଼, ନିଚସେ, ଜେ.କୃଷ୍ଣମୂର୍ତ୍ତି, ଶ୍ରୀଅରବିନ୍ଦ, ଗାନ୍ଧି, ବିବେକାନନ୍ଦ, ଲୋହିଆ, ମାର୍କ ଏଙ୍ଗେଲସ, ରୁକଷା, ଭଲଟତ୍ ଆର, ଟଲଷ୍ଟୟ, ମୋପାସ୍ତା, ବାଜିନ୍‌, ଲାଓସି, କନଫ୍ୟୁସିଅସ, ଖଲିଲ ଜିବ୍ରାନ, ଦସ୍ତୋଭସ୍କି, ଗର୍କୀ, ହେମିଂଓ୍ୱେ ସ, ହାର୍ଡ଼, ରାଜାରାଓ, ରବୀନ୍ଦ୍ରନାଥ, ହୀରେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ, ରିମ୍ବୋ, ବୋଦଲେୟାର, ଗଁତିଆର, ଆବ୍ରାହମ୍, ମାସ୍‌ଲୋ, ଭେବ୍‌ଲେନ, ଜନ୍ ସାଲିସବରି, ଓଡ଼ିଆ ଲୋକସାହିତ୍ୟ ଓ ଅନ୍ୟାନ୍ୟ ବହୁ ଶାସ୍ତ୍ରପାଠୀ ବୈକୁଣ୍ଠନାଥ ବାସ୍ତବିକ ଏପରି ଜଣେ ଜ୍ଞାନପିପାସୁ ଯାହାଙ୍କ ପିପଠିଷା ଯେପରି ଅସାଧାରଣ ସେହିପରି ଅଦ୍ଭୁତ । ତାଙ୍କର ଏ ଜ୍ଞାନରାଶିକୁ ଆପଣାସହ ସମୁଚିତ ସମୂଚ୍ଚାୟ କରିବା । ପ୍ରଖର ଧୀଶକ୍ତି ନ ହେଲେ ଏହା କଦାଚ ସମ୍ଭବ ହୋଇପାରିବ ନାହିଁ ।

 

କେବଳ ଭକ୍ତ ବାହ୍ୟ ଶକ୍ତିରେ ସାମର୍ଥ୍ୟ ଲାଭ କରି ବୈକୁଣ୍ଠ ସାର୍ଥକ ସାହିତ୍ୟ ସ୍ରଷ୍ଟା ହୋଇନାହାନ୍ତି । ତା ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଛି ତାଙ୍କର ଦାର୍ଶନିକ ସୁଲଭ ଜଗତ ଦୃଷ୍ଟି ଓ ଜୀବନ । ଯେଉଁ ସ୍ରଷ୍ଟା ଯେତେବେଳେ ଚିତ୍‌ଶକ୍ତିର ନିଷ୍ଠା, ଧ୍ୟାନ ଓ ଧାରଣାରେ ନିର୍ବିକଳ୍ପ ତଲ୍ଲୀନ ହୋଇଯାଏ, ସେ ସେତେବେଳେ ଅଭ୍ରାନ୍ତ ଭାବରେ ଭିନ୍ନ ଜଣେ ବ୍ରହ୍ମଚାରୀ ପାଲଟିଯାଏ । ସେତେବେଳେ ତାର ସାହିତ୍ୟ ହୁଏ ବ୍ରହ୍ମଚର୍ଯ୍ୟର ସାହିତ୍ୟ ଯାହା ସଂସାରୀ ମଣିଷକୁ ଯାବତୀୟ ମହତୀ ବିନଷ୍ଟ ସମ୍ପର୍କରେ ସଚେତ କରାଇଥାଏ । ବୈକୁଣ୍ଠନାଥଙ୍କ ସକଳ ପ୍ରବନ୍ଧରେ ଏଇ ଦୃଷ୍ଟି ଓ ଦର୍ଶନ କେତେବେଳେ ଲକ୍ଷ୍ୟରେ ବା କେତେବେଳେ ଅଲକ୍ଷ୍ୟରେ ନିହିତ ।

 

ବୈକୁଣ୍ଠ ବିଶ୍ୱାସ କରନ୍ତି ନାହିଁଯେ ସାହିତ୍ୟ ସାମାଜିକ ପରିବର୍ତ୍ତନ ଆଣିଦେବ । ତା ସତ୍ତ୍ୱେ ତାଙ୍କର ଉକ୍ତି, ‘‘ତଥାପି ସାହିତ୍ୟରେ କୌଣସି ସୃଷ୍ଟି ନିରର୍ଥକ ନୁହେଁ, ନିଷ୍ଫଳ ବି ନୁହେଁ (ଚିନ୍ତା ଓ ଚରିତ- କହି ରଖେ-୬୫) । ‘‘ଏହି ପରିପ୍ରେକ୍ଷୀରେ ସାହିତ୍ୟ କ୍ଷେତ୍ରରେ ଅଜ୍ଞାନକୁଳଶୀଳ ମୋର ଏ ପ୍ରବନ୍ଧ ସଂକଳନର ମୂଲ୍ୟ ମୋ ପାଇଁ ମୁଖ୍ୟତଃ ମାନସିକ ଆନନ୍ଦ, ପ୍ରସାରରେ ପରିଚିତ ହେବା ପାଇଁ ପ୍ରାବନ୍ଧିକର ସାଧନା ମୋର ନାହିଁ ।’’ (ତତ୍ରୈବ) । ଏକଥା ସେ ଯେତେ କହିଲେ ବି ତାଙ୍କର ସକଳ ପ୍ରବନ୍ଧ କେବଳ ତାଙ୍କର ମାନସିକ ଆନନ୍ଦର ଆଧାର ନୁହନ୍ତି । ଅଧିକନ୍ତୁ ସେସବୁ ‘‘କର୍ଣ୍ଣର ଭିତରଦିଆ ହୃଦୟେ ପଶିଲ ଗୋ ।’’/ପାଠକର ହୃଦୟ ଭେଦିଲେ ସାହିତ୍ୟ କଳା କାଳୋତ୍ତୀର୍ଣ୍ଣ ହୁଏ ଏବଂ ପାଠକକୁ କଳାପୁରୁଷ କରିଦିଏ, ଯୁଗପୁରୁଷ ନୁହେଁ । ତେରରୁ ସେ ଅନ୍ତର ଭରି ଗାଈ ଉଠେ, ‘‘ତୋମାର କାଛେ କାଛେ ମୋର ଏଇ ଶେଷ ନିବେଦନ/ ସକଲ କ୍ଷୀନତା ମମ କର ହେ ଦହନ ।’’ ସକଳ କ୍ଷୀଣତା, ବ୍ୟକ୍ତିକୁ ସକଳଠାରୁ, ସମଗ୍ରଠାରୁ, ସଂହତିଠାରୁ, ସମ୍ପ୍ରଦାନଠାରୁ, ସଂଯୋଗଠାରୁ, ସମୀକ୍ଷଣ ଠାରୁ ଓଟାରି ଆଣେ । ତାହାହିଁ ଆଲିଏନେସ୍‌ର ମୂଳକାରଣ । ମୁଁ ଯଦି ସମଗ୍ରର ବହୁବ୍ରୀହି ହୋଇପାରୁ ନାହିଁ ତା ମୂଳରେ ଅଛି ମୋର କ୍ଷୀଣତା । ଏହି କ୍ଷୀଣତାର ଅନ୍ୟନାମ ନୀଚତା, ଅସାଧୁତା, ନିର୍ଦ୍ଦୟତା ଯାହାକୁ ଅସଭ୍ୟତାର ଲକ୍ଷଣ ବୋଲି ନାମିତ କରାଯାଇଛି । ଯଦି ସଭ୍ୟତାର ଅର୍ଥ ସୌନ୍ଦର୍ଯ୍ୟସୃଷ୍ଟି, ତାହାହେଲେ ଏଇ ତିନିଟି ଅଭିଘାତ ତାର ଚରମ ପରିପନ୍ଥୀ । ବୈକୁଣ୍ଠନାଥ ହୁଅନ୍ତୁ କି ବଟ୍ରାଣ୍ଡ ରସେଲ ହୁଅନ୍ତୁ ବା ହୁଅନ୍ତୁ ମିଲ୍‌ଟନ ବା ଜଗନ୍ନାଥ କି ମହାଦେବୀ ବର୍ମା । ଏ ସମସ୍ତେ ସେଇ ସୌନ୍ଦର୍ଯ୍ୟର ସ୍ରଷ୍ଟା ଯାହା ମଣିଷକୁ ସୁନ୍ଦରର ଅର୍ଥାତ୍‍ ସୁଦୃଢ଼ କରିବାକୁ ଚାହେଁ । ଏଇ ସୁନ୍ଦରପଣିଆ ଅବା ସୁହୃତ୍‌ଭାବ ଉଦ୍ରେକ କରିବା ପାଇଁ ବୈକୁଣ୍ଠନାଥ କେବଳ ଓଡ଼ିଆ ଗଦ୍ୟସାହିତ୍ୟ ଭିତରକୁ ପଶିନାହାନ୍ତି, ଅଧିକନ୍ତୁ ସେ ଆଲୋଚନା କରିଛନ୍ତି ସାମାନ୍ୟ, ଅସାମାନ୍ୟ, ଜ୍ଞାନ, ଅଜ୍ଞାନ ବିବିଧ କିସମର ଭାବ ସମ୍ଭାର । ବହୁସ୍ଥାନରେ ସେ ଏକ ଗଭୀରଗଣ୍ଡ ପରି ଅତ୍ୟନ୍ତ ରହସ୍ୟମୟ ଏବଂ ତଥାପି ରମଣୀୟ ଏବଂ ଆଉ କେତେକ ସ୍ଥଳରେ ସେ ଆପାତ ତରଳ ବହମାନସ୍ରୋତ ଯାହା କ୍ରମେ କ୍ରମେ ଏକ ସ୍ୱକୀୟ ନୀରବ ବ୍ୟଞ୍ଜନାରେ ହୋଇଉଠିଛି ଅତ୍ୟନ୍ତ ହୃଦ୍ୟ ଓ ଚିନ୍ତନୀୟ । କେଉଁଠି ସେ ଗୁରୁଗମ୍ଭୀର ଭାବରେ ଯଥା କଳା ଓ ପ୍ରତାରଣା, ପଳାୟନବାଦ, ସାହିତ୍ୟର ଆକାଶ, ମନମୁନ ଚଇତନ, ବଡ଼ଦାଣ୍ଡରେ ଠଣା, ବଞ୍ଚିବାର କଳା ଓ କଳାକାର, ଆଧିୁନିକତା, ଅନୁଭବରୁ ଅନୁଭୂତି, ଚେତନାର ସ୍ୱରୂପ, ମୂଲ୍ୟବୋଧ, ସୀତାଠାବ, ଜଗନ୍ନାଥ ଏକ ବିଶୁଦ୍ଧ ଚେତନା, ବୀରଭାବ ବୀରରସ, ସଭ୍ୟତାର ଛାଇ, ମରାରୁ ରାମ, ଯନ୍ତ୍ରଣା, ଜ୍ଞାନ, ଭୟ, ବିଶ୍ୱରୂପ, କର୍ମ ପ୍ରଚୋଦନ, ଜୀବନ ଓ ତାର ଲକ୍ଷ୍ୟ, କାଳ, ସମ୍ଭବ ଓ ସମ୍ଭାବନା, ଭାଷର ଖେଳ, ଶବ୍ଦ ରାଜ୍ୟରେ ଗତି ଓ ପ୍ରକୃତି, ବିଶ୍ୱାସ, ସାହସ ଇତ୍ୟାଦି ପ୍ରବନ୍ଧରେ ଅତ୍ୟନ୍ତ ମୌଳିକ ଚିନ୍ତା ପ୍ରକଟ କରିଛନ୍ତି ଏବଂ ପୁଣି ଆପାତ ଲଘୁ, ସହଜ, ସରଳବୋଧ ହେଉଥିବା ଓଠ, ଷ୍ଟାଇଲ, ବିଶ୍ୱାସ, ନାମମାହାତ୍ମ୍ୟ, ସ୍ମୃତି, ମଡ଼ିଛି, ନୈତିକତା ଓ ଗାନ୍ଧିଜୀ, ଅପରାହ୍ନର ଚିନ୍ତା, କଣ ଓ କାହିଁକି, ନୀତି ଓ ନୈତିକତା, ଆଶଙ୍କା, ଦୁନିଆ, ଭାରତଛାଡ଼-ଇତିହାସ ଓ ଉତ୍ସବ, ଜଗନ୍ନାଥ : ଏକ ବିଶୁଦ୍ଧ ଚେତନା, ଗଣ ଓ ନେତା, ତିନିଭାଇ, ସାମାଜିକ ମୂଲ୍ୟବୋଧ, ଜଣେ ସାଧାରଣ ଲୋକ ଦୃଷ୍ଟିରେ, ଲୋକେ କ’ଣ କହିବେ, ଚରିତ୍ର, ରାଜନୈତିକ ଧର୍ମାନୁଶାସନ, ପଦ୍ୟ ପାଇଁ ପଦେ, ଓଡ଼ିଆ ସାହିତ୍ୟରେ ଗୋପବନ୍ଧୁ, ଫକୀରମୋହନଙ୍କ ଗଳ୍ପରେ ଆଧୁନିକ ଶିକ୍ଷାପ୍ରାପ୍ତ ଚରିତ୍ର, କହିଜାଣିଲେ ଇତ୍ୟାଦି ରଚନାମାନଙ୍କରେ ବି କିଛି କମ୍ ଗମ୍ଭୀରତା ଓ ଗଭୀରତା ପ୍ରଦର୍ଶନ କରିନାହାନ୍ତି । ଉଦାହରଣ ସ୍ୱରୂପ ଆମେ କେଇଟି ପ୍ରବନ୍ଧ ଆଲୋଚନା କରିବା ।

 

ସରଳ ଓ ଆମର ବେଶ୍ ପରିଚିତ ‘ଚରିତ୍ର’ (ବିନ୍ଦୁ ଓ ବିସ୍ତାର) ବିଷୟରେ ବୈକୁଣ୍ଠନାଥଙ୍କର ବିଶ୍ଳେଷଣ ଉଲ୍ଲେଖନୀୟ । ସେ କହନ୍ତି, ‘‘ଚରିତ୍ର ଗଦ୍ୟରେ ଶୂନ ଭଳି ।’’ ଚରିତ୍ର ବିଷୟ ରୂପକ ବିନ୍ଦୁର ବିସ୍ତାର ତାର ପରବର୍ତ୍ତୀ ବାକ୍ୟମାନଙ୍କରେ ଘଟିଛି ଯେଉଁଠାରେ ପ୍ରାବନ୍ଧିକ ପ୍ରକାଶ କରନ୍ତି, ‘‘ଆପେ ଆପେ ତାହା କିଛି ସୂଚାଏ ନାହିଁ । ସମାଜରେ ଥିବା ବ୍ୟକ୍ତି ସମ୍ପର୍କିତ ହୋଇ ଅବସ୍ଥା ଭେଦରେ ଏହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥାଏ । ବ୍ୟକ୍ତି ସେହି ଅନୁସାରେ ଉପରକୁ ଉଠିଥାଏ । ପୁଣି ତଳକୁ ଖସିପଡ଼େ’’ (ପୃଷ୍ଠା ୨୫୧) । ଚରିତ୍ର ସମ୍ପର୍କରେ ଆମର ଯେଉଁ ପୂର୍ବଧାରଣା ଏପରି ଏକ ମନ୍ତବ୍ୟରେ ହଠାତ୍ ଓଲଟ ପାଲଟ ହୋଇଯାଏ । କିନ୍ତୁ ସ୍ଥିର ଚିତ୍ତରେ ବିଚାର କଲେ ଏ ମନ୍ତବ୍ୟଟି ଯେ କେତେ ଠିକ୍ ତାହା ବେଶ୍ ଧରି ହୁଏ । ଜଣକର ଚରିତ୍ର ଜଣାପଡ଼େ ଯେତେବେଳେ ସେ କାହା ସମ୍ପର୍କିତ ହୋଇଯାଏ । ଶୂନ୍ୟ ଯେପରି ସଂଖ୍ୟା ବିନା ମୂଲ୍ୟହୀନ ଓ ଅର୍ଥହୀନ, ଚରିତ୍ର ମଧ୍ୟ ସମ୍ପର୍କହୀନ ହେଲେ ତାର ଅର୍ଥ କିଛି ନ ଥାଏ । ଚରିତ୍ର କହିବାମାତ୍ରେ ଆମେ ମୁଖ୍ୟତଃ ଯୌନ ଶୁଦ୍ଧତା ବୁଝିଥାଉଁ । ସାଧାରଣ ଦୃଷ୍ଟିରେ ଜଣେ ଚରିତ୍ରବାନ ବ୍ୟକ୍ତିର ଅର୍ଥ ବ୍ୟକ୍ତିଜଣକ ଏହି ଗୁଣରେ ବଳୀୟାନ । ସେ ସମ୍ପର୍କରେ ବୈକୁଣ୍ଠନାଥ କହନ୍ତି, ‘‘ଯୌନତା ଠିକ୍ ଏକ ବିଚିତ୍ର ନୁହେଁ, ଏହା ପ୍ରାଣୀକତା, ଏକ ସାମୟିକ ପ୍ରବେଗ, ବୟସର ମାନସିକତା । ଯୌନଜୀବନ ଖୁବ୍ ବେଶିରେ ଚରିତ୍ରର ଏକ ଲଘୁ ଅର୍ଥ, ସମାଜ ସମ୍ପର୍କରେ ଗୋଟିଏ ଚିହ୍ନ । ଏଥିରେ ସାମାଜିକ କଳା ଅଛି । ଅପସ୍ଥିତ ହେଲେ, କିଛି କଳଙ୍କ ଅଛି, କାହାଣୀ ଅଛି, କାମନା ଅଛି, ନିରୟ ଅଛି, ପୁଣି ଅଛି ନିମଜ୍ଜ ପ୍ରାଣତା ।’’ ବୈକୁଣ୍ଠନାଥ ଯଥାର୍ଥରେ କେବଳ ଯୌନତାକୁ ଚରିତ୍ର ବୋଲି ଗ୍ରହଣ କରିନାହାନ୍ତି । ଏହି ପ୍ରସଙ୍ଗରେ ସେ ପୁଣି ଉଲ୍ଲେଖ କରିଛନ୍ତି, ‘‘ଲୋକ ଚରିତ୍ରର ବହୁ ଦିଗ ଅଛି, ଯାହାକି ବ୍ୟକ୍ତିର ଯୌନ ଦୁର୍ବଳତାଠାରୁ ଖୁବ୍ ବେଶି ମାରାତ୍ମକ, ସମାଜ ସ୍ଥିତିର ଘୋର ପରିପନ୍ଥୀ ।’’ ‘ଚରର’ ଧାତୁର ଚରିତ୍ର ଶବ୍ଦ । ଏହାର ଅର୍ଥ ଗତିଶୀଳତା । ତେଣୁ ଚରିତ୍ର ସହଜାତ ପ୍ରବୃତ୍ତିକୁ ସ୍ଥିର ରହିଯାଏ ନାହିଁ । ଏହା ପରିବର୍ତ୍ତନଶୀଳ, ପ୍ରସାରତାର ମାନସ ସ୍ଥିତି । ବାସ୍ତବିକ ଚରିତ୍ର ହିଁ ବ୍ୟକ୍ତିର ପ୍ରସାରଣଶୀଳତା । ଚରିତ୍ର ଥିଲେ ବ୍ୟକ୍ତି ବଞ୍ଚିଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ – ସମ୍ପ୍ରସାରଣ ହିଁ ଜୀବନ, ସଙ୍କୋଚନ ମୃତ୍ୟୁ । ଏହି ସଂପ୍ରସାରଣତା କେତୋଟି ବିଭାଗ ଉପରେ ନିର୍ଭରଶୀଳ । ପ୍ରାବନ୍ଧିକଙ୍କ ମତେ ସେଗୁଡ଼ିକ ହେଲେ ବିଶ୍ୱସନୀୟତା, ଉଦ୍ୟମଶୀଳତା, କର୍ତ୍ତବ୍ୟପରାୟଣତା । ଏଗୁଡ଼ିକ ସଦ୍‌ଗୁଣ ଯାହା ସମସ୍ତଙ୍କର ହିତକର, ‘‘ ଯାହା ସାଧାରଣ ଭାବେ ଭଲ ରୂପେ ଗୃହୀତ, ତାହାରି ସମ୍ପର୍କରେ ଧାରଣା ଓ ଆଚରଣକୁ ସଦ୍‌ଗୁଣ କୁହାଯିବ ।’’ ଉକ୍ତ ପ୍ରବନ୍ଧଟିର ବିଷୟ ପାଠକକୁ ସାଧାରଣ ଓ ପରିଚିତ ଜଣା ଯାଉଥିଲେ ବି ଏ ସମ୍ପର୍କରେ ବୈକୁଣ୍ଠଙ୍କ ସ୍ୱକୀୟ ମୌଳିକତା ତାର ଚିତ୍ତରାଜ୍ୟକୁ ଆଲୋଡ଼ିତ, ଆହ୍ଲାଦିତ ତଥା ଅଲୌକିତ କରେ । ଅନୁରୂପ ଭାବରେ ଅନ୍ୟ ଏକ ରଚନା ‘ଈର୍ଷା’ ଯେଉଁ ବିଷୟ ସମ୍ପର୍କୀୟ ଆମର ଉଣା ଅଧିକ ଧାରଣା ଅଛି କିନ୍ତୁ ବୈକୁଣ୍ଠଙ୍କ ଏ ରଚନା ପାଠ କଲାପରେ ଈର୍ଷା ସମ୍ପର୍କରେ ଆମେ ଯଥେଷ୍ଟ ଜ୍ଞାନଲାଭ କରୁ । ପ୍ରବନ୍ଧର ଆରମ୍ଭ କରିଛନ୍ତି ଲେଖକ ତାଙ୍କର ଏକ ବ୍ୟକ୍ତିଗତ ଘଟଣାରୁ, ‘‘ଅଳ୍ପ ବ୍ୟବଧାନରେ ଛଦ୍ମନାମେ ଦୁଇଟି ଚିଠି ପାଇଲାପରେ, ମୁଁ ବୁଝିଲି, କେହି ଜଣେ ପାଖ ଅଞ୍ଚଳରେ ଜଳୁଛି ।’’ (ପୃ.୩୩୯) ସାରଳା ମହାଭାରତରୁ ଏକ ଘଟଣା ଉଦ୍ଧାର କରି ସେ ଏଇ ଈର୍ଷାର ତୀବ୍ରତା କଥା ପ୍ରକାଶ କରିଛନ୍ତି । ପାଣ୍ଡୁଙ୍କ ଶାସନ ଦକ୍ଷତାରେ ଧୃତରାଷ୍ଟ୍ର ଭାରି ଈର୍ଷାନ୍ୱିତ ହେଲେ । ଅନ୍ଧ ଥିବାରୁ ସେ ଶାସନଭାର ଗ୍ରହଣ କରିପାରିଲେ ନାହିଁ । ଅପରନ୍ତୁ, ପାଣ୍ଡୁଙ୍କ ସମ୍ପର୍କରେ ଜନଖ୍ୟାତି ତାଙ୍କର ଅସହ୍ୟ ହେଲା । ସେ ନିଜର ମନୋବେଦନା ଗାନ୍ଧାରୀଙ୍କ ଆଗରେ ପ୍ରକାଶ କଲେ, ଗାନ୍ଧାରୀ ତାଙ୍କୁ ଈର୍ଷାନ୍ୱିତ ନ ହେବାକୁ ବୁଝାଇଲେ । ଈର୍ଷା ଏକ ବିଚିତ୍ର ମନଃସ୍ଥିତି – ନିଜେ ଅସମର୍ଥ ଅଥଚ ଅନ୍ୟର ସାମର୍ଥ୍ୟକୁ ସହି ହେଉ ନାହିଁ । ଏହି ଘଟଣାର ଉଦ୍ଧୃତି ପ୍ରାବନ୍ଧିକଙ୍କ ପାଣ୍ଡିତ୍ୱର ପରିଚାଳୟକ ପୁଣ ତାର ଅବତାରଣାରେ ପାଠକକୁ ସ୍ୱ ବିଷୟ ପ୍ରବେଶ କରିବାକୁ ସେ ଆଗ୍ରହୀ କରାଇଛନ୍ତି । ପାଠକ ଏହାପରେ ଈର୍ଷା ସମ୍ପର୍କରେ ଲେଖକଙ୍କର ଅଧିକ ମନ୍ତବ୍ୟ କ’ଣ ତାହା ଜାଣିବାକୁ ବ୍ୟଗ୍ର ହୋଇଉଠେ । ଫଳରେ ପ୍ରବନ୍ଧରେ ଭିତରକୁ ପଶିପଶି ଗଲେ ସାଗର ଗର୍ଭରୁ ମୁକ୍ତାଲାଭ କରି ପାଠକ ଅନେକ ଆହ୍ଲାଦକାରୀ ସୂକ୍ତି ଲାଭ କରେ ଯଥା – ‘‘ଈର୍ଷା ନିଜେ ଏକ ଅପ୍ରକାଶ୍ୟ ବୃତ୍ତି । ସେ ପଦାକୁ ବାହାରି କଳି କରେ ନାହିଁ, ଶତ୍ରୁତା ଆଚରଣ କରି ସର୍ବନାଶ କରିବାକୁ ଶକୁନିପଣ ତାହାଠାରେ ନାହିଁ । ଈର୍ଷାରେ ପ୍ରତିଜ୍ଞା ନାହିଁ, କିନ୍ତୁ ଈର୍ଷା କରାଯାଉଥିବା ଲୋକଟି କାହାଦ୍ୱାରା କୌଣସି କ୍ଷେତ୍ରରେ ଅପଦସ୍ତ ହେବାର ଶୁଣିଲେ କି ଦେଖିଲେ, ଈର୍ଷୁକର ଦଂଶନ ଅଛି, ବିଷ ଅଛି, ମାତ୍ର ତା ହାତରେ ମୃତ୍ୟୁ ନାହିଁ (ପୃଷ୍ଠା ୩୪୨) । ‘‘ଈର୍ଷା ଖାଲି ମାନବିକ ଦୁର୍ବଳତା ନୁହେଁ, ଏହା ବ୍ୟକ୍ତି ଚରିତ୍ରର ଏକ ଅସ୍ପଶ୍ୟ, ଅଶୋଭନୀୟ ନିଭୃତି-। ଏହା ରାତିରେ, ରାତିରେ ଲୁଚି ଲୁଚି ଧାନ କିଆରିରେ ବାଳୁଙ୍ଗା ବୁଣିଦିଏ, ଭଲକୁ ଭେଲ କରିବା ଚେଷ୍ଟାରେ ଥାଏ । ଈର୍ଷା ଏକ ଖର ପବନ । ପତ୍ର, ଫୁଲ, ଛିଣ୍ଡେଇନିଏ, ବାତ୍ୟାଭଳି ଗଛ ଉପାଡ଼ି ପାରେ ନାହିଁ । ପଥ ଅବରୋଧ କରିଦିଏ ନାହିଁ । ଈର୍ଷାର ବଶବଂଦତା ଈର୍ଷୁକର ଯଥା ସମ୍ଭବ ଆତ୍ମଗୋପନ’’ (ପୃଷ୍ଠା ୩୪୮) । ବାସ୍ତବିକ ପ୍ରେମ ଓ ଈର୍ଷା ପରି ମଣିଷକୁ ମୋହଗ୍ରସ୍ତ କରିବା ଭଳି ଖୁବ୍ କମ୍ ଆବେଗ ଅଛନ୍ତି ବୋଲି ଷୋଡ଼ଶ ଶତାବ୍ଦୀ ଇଂରାଜୀ ସାହିତ୍ୟର ପ୍ରସିଦ୍ଧ ପ୍ରାବନ୍ଧିକ ଫ୍ରାନ୍‌ସିସ ବ୍ୟାକନ ମତ ପ୍ରକାଶ କରନ୍ତି ତାଙ୍କ ପ୍ରବନ୍ଦ ‘Of Envy’ ରେ, “There be none of the affections which have been noted to fascinate or bewitch, but love and envy. They both have vehement wishes; they frame themselves readily into imaginations and suggestions and they come easily into the eye, especially upon the presence of the objects” । ଅଥେଲୋ ନାଟକରେ ସେକ୍ସପିଅର ଏମିଲିଆ ମୁଖରେ ଈର୍ଷାର ଆସୁରିକତା ଉପରେ ଆଲୋକପାତ କରିଛନ୍ତି, ‘‘But jealous souls will not be/answered so./They are not ever jealous for the cause./ But jealous for they are jealous. This is a monster/Begoat upon itself, born on itself.” (ଅଙ୍କ ୩, ଦୃଶ୍ୟ ୪-୧୬୦-୧୬୪) । ଈର୍ଷୁକମାନଙ୍କୁ ଭଗବତଗୀତାରେ ‘ଅଭ୍ୟସୂୟକାଃ’ (ମାମାତ୍ମ ପରଦେହେଷୁ ପ୍ରଦ୍ୱିଷନ୍ତୋଅଭ୍ୟ ସୂୟକାଃ – ୧୬/୧୮) ବୋଲି ନାମିତ କରାଯାଇଛି । ଏମାନେ ଅପରର ଦୋଷଦର୍ଶୀ, ନିନ୍ଦୁକ, ଗୁଣଖଣ୍ଡନକାରୀ ଏବଂ ଗୁଣରେ ଦୋଷାରୋପ କରନ୍ତି । ଏମାନେ ଦୈବୀ ପ୍ରକୃତି ବିରୁଦ୍ଧ ଆସୁରୀ ପ୍ରକୃତିର ପ୍ରାଣୀ । ଏମାନେ ମତ୍‌ସାରୀ । ଏହି ଈର୍ଷା ସମ୍ପ୍ରତି ସାମାଜିକ ଚଳଣିରେ ଏକ ବିଷଚକ୍ର ସୃଷ୍ଟି କରିଛି ବିଶେଷତଃ ପୁରସ୍କାର କ୍ଷେତ୍ରେ ଲେଖକଙ୍କ ଭାଷାରେ, ‘‘ଏଥିରେ ସର୍ଜନଶୀଳ ଲେଖକମାନେ ବି ବେଳେବେଳେ ପଥ ହୁଡ଼ନ୍ତି, ମାନସିକ ସ୍ଥିରତା ରଖିପାରନ୍ତି ନାହିଁ । କେହି ପୁରସ୍କୃତ ବା ସମ୍ମାନିତ ହେବାର ଦେଖିଲେ, କେତେ ଅଭିଯୋଗ ଆରୋପିତ ହୁଏ (ପୃଷ୍ଠା ୩୮୩) । ’ପ୍ରୟୋଜନ’ ଅନ୍ୟ ଏକ ଆଖି ଖୋଲିଦେବା ପ୍ରବନ୍ଧ, ‘‘ବ୍ୟବହାରର ଆବଶ୍ୟକତାକୁ ନେଇ ପ୍ରୟୋଜନ ନିର୍ଦ୍ଧାରିତ ହେବାର କଥା, ଆବଶ୍ୟକତା ନଥାଇ ପ୍ରୟୋଜନ କେବଳ ଲାଳସାର ନାମାନ୍ତର । ଭୋକ ନ ଥାଇ ଖାଇବା ଭଳି । ଏବେ ଏହି ଲାଳସା ବଢ଼ିଯାଇଛି । ତେଣୁ ଆମର ପ୍ରୟୋଜନ ଅନେକ ଅନାବଶ୍ୟକତାକୁ ଆବୋରି ବସୁଛି । ଦ୍ରବ୍ୟଗୁଡ଼ିକ ସେମାନଙ୍କର ମୌଳିକ ଗୁଣମାନଙ୍କର ବ୍ୟବହୃତ ନ ହୋଇ ଭିନ୍ନ ଲାଗୁଛନ୍ତି ।’’ ଏହି ଅନାବଶ୍ୟକତା ହିଁ ଉପଭୋକ୍ତାବାଦର ଅନ୍ୟତମ ସ୍ରଷ୍ଟା । ତେଣୁ କେଲ୍‌ଭିନ କୁଲିଜଙ୍କୁ ଉଦ୍ଧାର କରି ପ୍ରାବନ୍ଧିକ କହନ୍ତି, ‘‘ଆମେ ବେଶି ଗୁଡ଼ା ଭୌତିକ ଉନ୍ନତି ଦରକାର କରୁନା । ବେଶି ଆଧ୍ୟାତ୍ମିକ ଉନ୍ନତି ଆବଶ୍ୟକ, ବେଶି ବୌଦ୍ଧିକ ଶକ୍ତି ଲୋଡ଼ା ନାହିଁ, ଲୋଡ଼ା ଅଧିକ ନୈତିକ ଶକ୍ତି, ବେଶି ଜ୍ଞାନ ଦରକାର ନାହିଁ, ଦରକାର ଚରିତ୍ର । ଅଧିକ ଶାସନ ଠାରୁ ଅଧିକ ସଂସ୍କୃତି ପ୍ରୟୋଜନ । ସତରେ, ପ୍ରୟୋଜନର ହିତ ଅହିତ ଦିଗକୁ ଚିହ୍ନି ପାରିଲେ, ଜୀବନକୁ ଚିହ୍ନିବା ସହଜ ହେବ, ବାଟ ଚାଲିବା ସରଳବୋଧ ହେବ ।’’ ‘ବୀରଭାବ-ବୀରରସ’ ପ୍ରବନ୍ଧରେ ବୈକୁଣ୍ଠନାଥଙ୍କ ସୁକ୍ଷ୍ମ ଅନୁଶୀନଳ ପରିସ୍ଫୁଟ ବୀରତ୍ୱ ବୀରଭାବ ଜୀବନର ଏକ ବିଭାବ ହୋଇଥିବାବେଳେ ବୀରରସ ସାହିତ୍ୟର ନରରସ ମଧ୍ୟରେ ଅନ୍ୟତମ । ଶୃଙ୍ଗାର ପରେ ଏହାର ସ୍ଥାନ । ଏବେ ନାଟକରେ ଆଉ ବୀରରସର ପ୍ରାଧାନ୍ୟ ନାହିଁ ଏବଂ ତା ପରିବର୍ତ୍ତେ ଚିତ୍ତ ଉତ୍ତେଜକ ଫାଇଟିଂ ସ୍ଥାନ ପାଇଛି । ତାହା କେବଳ ରସାଭାସ । ‘‘ବୀରରସକୁ ସ୍ଥାନ ଦେଇ ସମାଜରେ ଗୋଟିଏ ଶାସନୀୟତା, ଶାଳୀନତା ପ୍ରତିଷ୍ଠିତ ହୋଇଥିଲା । ତାହା ଗୁଡ଼ିଏ ଲଘୁ ପ୍ରବୃତ୍ତି ଦ୍ୱାରା ଅଧିକୃତ ହୋଇଗଲାଣି ।’’ ବୀରଭାବ ମଧ୍ୟ ଏବେ ସମାଜରୁ ଅନ୍ତର୍ହିତ । ଲେଖକର ଭାଷାରେ ଯେଉଁଠି ଏ ଭାବ ଯେତେ ପରିସ୍ଫୁଟ, ସେ ସମାଜ ସେତିକି ବ୍ୟବସ୍ଥିତ । ‘‘ଯଜୁର୍ବେଦରେ ‘ବୀରୋ ଜାୟତା’ ବୀରମାନେ ରାଷ୍ଟ୍ରୀୟ ସଂହତିକୁ ରକ୍ଷା କରିବା ଲାଗି ଅଭିଳାଷ ଉକ୍ତ ହୋଇଛି ବୋଲି ଯଥାର୍ଥ ଭାବେ ବୈକୁଣ୍ଠନାଥ ପ୍ରକାଶ କରିଛନ୍ତି । ପୁଣି ଭିକ୍ଟୋରିଆ ଯୁଗର ପ୍ରଖ୍ୟାତ ପ୍ରାବନ୍ଧିକ ଟମାସ୍ କାର୍ଲାଇଲଙ୍କ ହୀରୋ ଏବଂ ହୀରେ ଓ୍ୱରସିପ୍ ପୁସ୍ତକର ଅନୁସରଣରେ ପ୍ରାବନ୍ଧିକ ସାହିତ୍ୟରେ ବୀରତ୍ୱ ବା ବୀରଭାବର ପର୍ଯ୍ୟାଲୋଚନା କରିଛନ୍ତି-। ସାହିତ୍ୟ ବୀରର ଲକ୍ଷଣ ମୌଳିକତା, ପ୍ରତିଭା, ନିଷ୍ଠାପରତା ବୋଲି ପ୍ରକାଶ କରିଛନ୍ତି । ଉପସଂହାରରେ ସେ ଏକ କ୍ୟାବ୍ୟିକ ଭାଷାରେ ଉଲ୍ଲେଖ କରିଛନ୍ତି, ‘‘ବୀର ରସ ସାହିତ୍ୟର ଅଙ୍ଗ ହେଲେ ବି ବୀରଭାବ ବହୁ ରକ୍ତ ନଦୀ ସନ୍ତରଣ କରି ବିକାଶର ପ୍ରତି ସ୍ତରରେ ପୌରୁଷର, କୃତଜ୍ଞତାର ପୁତ୍ରମୁଖ ଖୋଜୁଥାଏ । ଜୀବନ ଋଣରେ ମାନବିକ ପତାକାକୁ ଉଚ୍ଚ ରଖିବାକୁ ଚେଷ୍ଟା କରୁଥାଏ । ବୀରରସ ମତେ ସିକ୍ତ କରେ, ବୀରଭାବ – ବୀରତ୍ୱ ଅଧିକ ମୁଗ୍ଧ କରେ । କୌଣସି କ୍ଷେତ୍ରରେ ମୁଁ ଜଣେ ବୀର ହୋଇଥାନ୍ତି କି ?’’ (ପୃଷ୍ଠା-୩୨୦) । ‘ଦାଦା’ ପ୍ରବନ୍ଧଟି ସାମାନ୍ୟ ହାସ୍ୟୋଦ୍ଦୀପକ ହେଲେ ବି ତୀବ୍ର ଅନୁଭୂତିରେ ଏହା ଋଦ୍ଧିମନ୍ତ । ବୈକୁଣ୍ଠଙ୍କ ଭାଷାରେ, ‘‘ଦାଦାମାନେ ଦୁର୍ଦ୍ଦାନ୍ତ ହେଲେ ବି, ବେଳେବେଳେ ସେମାନେ ଖୁବ୍ କାମରେ ଆସନ୍ତି ।’’ (ପୃ.୩୫) ‘‘ନିଶଟି ଦାଦାମାନଙ୍କର ଏକ ଅପରିହାର୍ଯ୍ୟ ଦାମ୍ଭିକ ଲକ୍ଷଣ, ପ୍ରକାଶମାନ ବିଜ୍ଞାପନ । ହାତ ପତେଇବା ମାଗିବା ଦାଦାଙ୍କ ଜାତିରେ ନାହିଁ । ଦାଦାମାନେ କାହାରି ବୋଲକରା ନୁହନ୍ତି । ଏବର ରାଜନୈତିକ ନେତାମାନେ ସେମାନଙ୍କ ସ୍ୱାର୍ଥ ଜଗିବାକୁ ଜଣେ ଦି’ଜଣ ଦାଦାଙ୍କୁ ପାଖରେ ରଖିଛନ୍ତି-। ଏହି ପେଶୀପୁଷ୍ଟ ଦାଦାମାନେ ସେମାନଙ୍କ ରକ୍ଷାକବଚ (ପୃ.୩୧୭) । ଠିକ୍ ୟାର ବିପରୀତ ଜଣେ ରାଜୁଡ଼ା ମିଜାଜର ଦାଦାଙ୍କ ଚିତ୍ର ସେ ସଂକ୍ଷେପରେ ଉପସ୍ଥାପନ କରିଛନ୍ତି, ତାଙ୍କ ପାଖରେ ଦୈନିକ ଦରବାର ବସୁଥିଲା । ଦଶ ପଚାଶ ଦୁଃଖୀ ରଙ୍କୀ ସାହାଯ୍ୟ ଆଶାରେ ରୁଣ୍ଡ ହେଉଥିଲେ । ପରିତାପର ବିଷୟ ସେପରି ବ୍ୟକ୍ତି ଏବେ ଅଲଭ୍ୟ । ଘର ସଂସାର, ଗୁରୁଜନ, ବନ୍ଧୁବାନ୍ଧବ, ଦାଦାଙ୍କୁ ଖୁବ୍ ସଂଲଗ୍ନ କରି ନ ଥାଏ । ଦାଦାଙ୍କୁ ଗୁଣ୍ଡା, ଚୋର, ଡକାୟତ ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ, ଯଦିଓ ଏଭଳି ଲୋକଙ୍କର ଉଗ୍ରତା, ନିଷ୍ଠୁରତା ତାଙ୍କଠାରେ କିଛି କିଛି ଥାଏ ।’’ ଅଭ୍ରାନ୍ତ ଅବଲୋକନର ଆମୋଦକର ଏ ଚିତ୍ର ଯାହା ପାଠକକୁ ଅବଶ୍ୟ ସ୍ପର୍ଶ କରେ ।

 

‘ଚର୍ଯ୍ୟା ଓ ଚର୍ଚ୍ଚା’ ପୁସ୍ତକରେ ଅନ୍ୟ ଏକ ତାତ୍ତ୍ୱିକ ରଚନା ହେଉଛି ‘ଯନ୍ତ୍ରଣା’ । ଯନ୍ତ୍ରଣା କିମ୍ବା ଉଲ୍ଲାସରୁ କବିତାର ଜନ୍ମ ବୋଲି ପ୍ରାବନ୍ଧିକ ମତପ୍ରଦାନ କରି ଜୀବନ ଦୁଃଖମୟ ଏବଂ ଏଥିରୁ ନିଷ୍କୃତି ସକାଶେ ବୁଦ୍ଧଙ୍କ ପରି କାମନାର ବିନାଶ କଥା କହି ଗ୍ରୀସର ଦାର୍ଶନିକ ହେଜିସିୟସ ଆତ୍ମହତ୍ୟା ଦ୍ୱାରା ଦୁଃଖର ନିରାକରଣ କରାଯାଇପାରେ ବୋଲି କହିଛନ୍ତି । ଆଧୁନିକ ଯୁଗ ଯନ୍ତ୍ରଣାର ଉତ୍ସ ନିରୂପଣ କରିଛନ୍ତି ବୈକୁଣ୍ଠନାଥ ଏକ ଐତିହାସିକ ରୀତିରେ ଦାର୍ଶନିକ ଭଙ୍ଗୀରେ । ତାଙ୍କ ଭାଷାରେ, ‘‘ଶିଳ୍ପ ବିପ୍ଳବ କ୍ରମରୁ ବର୍ଦ୍ଧିଷ୍ଣୁ ଦ୍ରବ୍ୟ, ସେସବୁକୁ ଭୋଗିବାର ଲୋଭ, ଅଥଚ, ଅସମ କ୍ରିୟାଶକ୍ତି ହେତୁ ଅସାମର୍ଥ୍ୟ, ବିଶୁଦ୍ଧ ଯୁଦ୍ଧ ଓ ପରେ ପରେ ଲାଗି ରହିଥିବା ଶୀତଳ ଯୁଦ୍ଧ, ଅମାନୁଷିକ ହତ୍ୟା ଓ ବର୍ବରତା ସମ୍ପର୍କରେ ଅଣ ଆନ୍ତରିକତା, ସବୁଠି କିପରି ଗୋଟାଏ ବ୍ୟବସାୟ ଦୃଷ୍ଟି, ଉଚ୍ଚସ୍ତରର ଅସାଧୁତା, ଶାସକମାନଙ୍କର ଶଠତା, ଧନୀ ହେବାର ଉଦ୍ଭଟ ଅଭିଳାଷ, ଧର୍ମୀୟ ଛଳନା, ଶହଶହ ବର୍ଷ ପ୍ରଥାନୁବନ୍ଧତା, ବିଶିଷ୍ଟ ପରିବାର ଅଧିକ ନିକଟତର ହେଉଥିବା କାରଣରୁ ନାରୀ-ପୁରୁଷଙ୍କ ମଧ୍ୟରେ ଶିଥିଳ ଯୌନ ସମ୍ପର୍କ, ଅତ୍ୟଧିକ ଗୋଠ ମଡ଼ାଣ, ନ୍ୟାୟ ଦେବା ନାଁରେ ଅସହଣୀୟ କାଳକ୍ଷେପଣ, ନିଯୁକ୍ତ କର୍ମରେ ଦାରୁଣ ଅବେହଳା, କର୍ତ୍ତବ୍ୟ-ଦୃଷ୍ଟି-ବିହୀନ ଅଧିକାରୀ ସଚେତନତା ଓ ବିଭିନ୍ନ ଦାବି ଜନିତ ଗୋଷ୍ଠୀ ସଂଘର୍ଷ, ଧର୍ମ, ଧର୍ମନିରପେକ୍ଷତା, ଗଣତନ୍ତ୍ର, ସଂଖ୍ୟାଲଘୁ ଇତ୍ୟାଦି ଶବ୍ଦଗୁଡ଼ିକର ଛଦ୍ମ ଉଦ୍ଦେଶ୍ୟ ସାଧନକାରୀ ପ୍ରୟୋଗ, ଗଭୀରଶୋକ, ହାର୍ଦ୍ଦିକ ଶୁଭେଚ୍ଛା, ଭାବବିହ୍ୱଳ ଅଭିନନ୍ଦନ ଇତ୍ୟାଦିରେ ପ୍ରକାଶ ଛଳନା, ବିଭିନ୍ନ କ୍ଷୟକାରୀ ରୋଗର ପ୍ରାଦୁର୍ଭାବ, ପ୍ରକୃତିରୁ ବିଚ୍ଛିନ୍ନତା, ଏମିତି ଆହୁରି ଅନେକ କାରଣରୁ ଅନ୍ତର୍ଦହନ ଭୋଗୁଛନ୍ତି । ସ୍ଥିତିବାଦୀ ଦାର୍ଶନିକମାନେ ତଥା ଆଧୁନିକ କବିମାନେ ଏ ଯନ୍ତ୍ରଣା ସମ୍ବନ୍ଧରେ ବେଶ ସଚେତନ । କିନ୍ତୁ ଏ ଯନ୍ତ୍ରଣାରୁ ନିଷ୍କୃତି ଲାଗି କବିର ଦାୟିତ୍ୱ ଅଧିକ ।’’ ପ୍ରାବନ୍ଧିକଙ୍କ ଭାଷାରେ, ‘‘ସେମାନେ ହିଁ ଏ ଦିଗରେ ଏକମାତ୍ର ଆଶାର ପାତ୍ର ।’’ ତେଣୁ ସେ ଆଶାବାଦୀ ଯେ, ‘‘ପରାଜୟ ଧ୍ୱଂସକାରୀ ପ୍ରଭଞ୍ଜନ, ଏହିଭଳି ଓ ଏସବୁର ଯନ୍ତ୍ରଣା ମଧ୍ୟରୁ କବି ଯେମିତି ସାଂସାରିକ, ସେତିକି ବା କିଛି ଅଧିକ ଆଧ୍ୟାତ୍ମିକ – ଏକ ଚିତ୍‌ସତ୍ତା, ଜୀବନକୁ କେବଳ ଜାନ୍ତବ ସ୍ତରରେ ଫୋପାଡ଼ି ନ ଦେଇ ସେ ଚିନ୍ତାସ୍ତରରକୁ ନେଇପାରେ, ଯହିଁରେ ପ୍ରତି ବ୍ୟକ୍ତିଗତ ଜୀବନରେ ବୃହତ୍ତର ଜିଇବା ଆବଶ୍ୟକତା ସୃଷ୍ଟି କରିହେବ-। କେହି କେହି ଆଖିଦୃଶିଆ କିଛି କରି ନ ପାରେ, ମାତ୍ର ନିଜସ୍ୱ ମୂଲ୍ୟବୋଧ ଶୈଳୀରେ ସେ ପରୋକ୍ଷରେ ମାଟିକି ଉର୍ବର କରୁଥାଏ, ଯହିଁରେ ଯନ୍ତ୍ରଣା ଭିତରେ ବି ଉଲ୍ଲାସ ଗଜା ମାରୁଥାଏ । (ପୃ. ୩୮୫)

 

ଚିରଞ୍ଜିବୀ ପ୍ରାବନ୍ଧିକ ବୈକୁଣ୍ଠଙ୍କ ଉପରେ ଆଲୋଚକ ପ୍ରବନ୍ଧମାନଙ୍କଠାରୁ ତାଙ୍କର ବିଷୟ ଅବଲୋକନ, ଅବଧାରଣ, ଅବଗାହନ ଯେ କେତେ ଆତ୍ମିକ, ଅନ୍ତରଙ୍ଗ ଓ ଅନାବିଳ, ତାହା ସୁସ୍ପଷ୍ଟ-। ଏଥିରେ ଜୀବନର ଅନେକ ଫର୍ଦ୍ଦ ଉନ୍ମୋଚିତ ହୋଇ ପାଠକର ଚିତ୍ତିଭୂମିକୁ ଉର୍ବର ତଥା ଉର୍ଜସ୍ୱଳ କରିବାର ସମସ୍ତ ଉପାଦାନ ନିହିତ । ଏପରି ଆହୁରି ବହୁ ପ୍ରବନ୍ଧରେ ବୈକୁଣ୍ଠଙ୍କ ସୃଜନଶୀଳତାର ବିବିଧତ୍ୱର ବୈଚିତ୍ର୍ୟ ଉପଲବ୍ଧ । ଏସବୁ ପ୍ରବନ୍ଧର ଅନେକ ଉର୍ଦ୍ଧ୍ୱରେ ଭିନ୍ନ କାଟର ଯେଉଁ ପ୍ରବନ୍ଧମାନ ତାଙ୍କଦ୍ୱାରା ପରିବେଷିତ ହୋଇଛି ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବାତ୍ମକ । ସେଥିରେ ବିଶ୍ଳେଷଣ ଅପେକ୍ଷା ଅଧିକ ମୌଳିକ ଚିନ୍ତନ ପରିଲକ୍ଷିତ । ସମଗ୍ର ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ସେଇ ଧରଣର ପ୍ରବନ୍ଧ ଏବେ କେଇଜଣ ରଚନା କରୁଛନ୍ତି ବା କରିପାରିବେ – ଏ ପ୍ରଶ୍ନ ମନରେ ଜାଗରିତ ହୁଏ । ଉଦାହରଣସ୍ୱରୂପ କଳା ଓ ପ୍ରତାରଣା, ପଳାୟନବାଦୀ, ବ୍ୟକ୍ତି ପୁରୁଷର ପ୍ରତିଷ୍ଠା ପ୍ରଣନ, ସାହିତ୍ୟର ଆକାଶ, ଲୋକେ କ’ଣ କହିବେ, ବଞ୍ଚିବାର କଳା ଓ କଳାକାର, ଅନୁଭବରୁ ଅନୁଭୂତି, ଭାଷା ସଂସ୍କୃତି, ଚେତନାର ସ୍ୱରୂପ, ମୂଲ୍ୟବୋଧ, ସୀତାଠାବ ଇତ୍ୟାଦି । ‘ସାହିତ୍ୟର ଆକାଶ’ ପ୍ରବନ୍ଧ ଏକ ପରିଶୀଳିତ ମନର ଅନବଦ୍ୟ ଅଭିବ୍ୟକ୍ତି । ନିୟତ ମୃତ୍ୟୁଆଡ଼କୁ ଧାବମାନ ଜୀବନକୁ ସାହିତ୍ୟ ଚିରାୟତ କରେ । ସେହି ଜୀବନ ବହୁଧା ଓ ବହୁ ବିରୋଧାଭାସ ଧାରଣ କରି ପ୍ରକାଶିତ ହୁଏ । ସାହିତ୍ୟ ବ୍ୟଥା ବିନୋଦ, ପ୍ରଜ୍ଞାପ୍ରସଙ୍ଗ, ଭାବଭାବନା ଇତ୍ୟାଦି ମାଧ୍ୟମରେ ଏକ ମାନବିକ ସମ୍ପର୍କ ସ୍ଥାପନର ମାଧ୍ୟମ ପାଲଟିଯାଏ । ଏହି ସମ୍ପର୍କ ସ୍ଥାପନ ମାଧ୍ୟମରେ ଜୀବନକୁ ସ୍ୱଜୀବନ ଓ ବହୁ ଜୀବନ ସହ ଚିହ୍ନାଇଦିଏ ସାହିତ୍ୟ । ବ୍ୟକ୍ତି ଜୀବନ ଆବିଷ୍କାର କରେ ସେ ଏ ସଂସାରରେ ଏକାକୀ ପଥିକ ନୁହେଁ । ତାର ଅନେକ ସହଯାତ୍ରୀ ଅଛି, ‘‘ଯେଉଁମାନେ ଅବିଚ୍ଛିନ୍ନ ପ୍ରବାହରେ ଏକ ନିଶ୍ଚିତ ଲକ୍ଷ୍ୟପଥରେ ଚାଲିଛନ୍ତି ।’’ ବାସ୍ତବିକ ଜୀବନକୁ ମୂଳଧନ, ଭିତ୍ତିକରି ଜନ୍ମୁଥିବା, ବଢ଼ୁଥିବା ସାହିତ୍ୟ ଜୀବନର କେତେକ ଅନ୍ତରଙ୍ଗ । ସାହିତ୍ୟ ନ ଥିଲେ ଜୀବନ ରହିବ କିନ୍ତୁ ତାହା ବଞ୍ଚିବ ନାହିଁ । ସାହିତ୍ୟର ଅଛି ବିସ୍ତୃତି, ବ୍ୟାପକତା । ତାହା ଦୃଶ୍ୟମାନଙ୍କୁ ଯେତିକି ପ୍ରକାଶ କରେ, ଅଦୃଶ୍ୟକୁ ବି ସେତିକି ଅନ୍ୱେଷଣ କରି ତାର ବିଶ୍ୱରୂପର ଚିତ୍ର ଆଙ୍କେ । ତେଣୁ ସାହିତ୍ୟ ବାସ୍ତବ ଓ ଅବାସ୍ତବ, ଆବେଗ ଓ ପ୍ରଜ୍ଞାର ଚମତ୍କାର ରାସାୟନିକ ମିଶ୍ରଣ । ପ୍ରାବନ୍ଧିକ ଏହା ଆଲୋଚନା କଲାବେଳେ ସାହିତ୍ୟ କିପରି ବିଜ୍ଞାନଠାରୁ ଭିନ୍ନ ତାହା ସୂଚାଇଛନ୍ତି । ଏଇ ଅପାର୍ଥିବ, ଅଦୃଷ୍ଟର ରହସ୍ୟର ଉଦ୍‌ଘାଟନ ସକାଶେ ସାହିତ୍ୟିକ ବ୍ୟଗ୍ର ଓ ପ୍ରୟାସୀ ହେଉଥିବାରୁ ତାହା ଦର୍ଶନର ନିକଟତ । କିନ୍ତୁ ବିଜ୍ଞାନ ସେହି ଅପାର୍ଥିବ, ଅବସ୍ତୁ ପ୍ରତି ସନ୍ଦିହାନ । ତେଣୁ ପ୍ରାବନ୍ଧିକଙ୍କ ଭାଷାରେ, ‘‘ଅବସ୍ତୁତା ବିଜ୍ଞାନର କଥା ବାହାରେ । ମାତ୍ର ସାହିତ୍ୟର ସେଥିପ୍ରତି ଜିଜ୍ଞାସା ନିରନ୍ତ ।’’ ତେଣୁ ସାହିତ୍ୟରେ ଦେହ ଥିଲେ ବିଦେହ ଥାଏ ଦୃଶ୍ୟ ଥିଲେ ଆର ଦୃଶ୍ୟ ଥାଏ । ଷଡ଼ଋତୁ ସତ୍ତ୍ୱେ ସପ୍ତମ ଋତୁ ପ୍ରତି ଆସ୍ପୃହା ପ୍ରକଟିତ ହୁଏ, ‘କସ୍ୟ ତ୍ୱବାଂ କୁତଃ ଆୟାତ, ତତ୍ତ୍ୱଂ ଚିନ୍ତୟ ତଦିତଂ ଭ୍ରାତଃ । ଏଥିପାଇଁ ବିଜ୍ଞାନ ସୀମାବଦ୍ଧ କିନ୍ତୁ ସାହିତ୍ୟ ସୀମାହୀନ ଏବଂ ଅନୈକ୍ୟରେ ଐକ୍ୟ ।’’ ବହୁବାଦ ବିଶ୍ୱସ୍ୱାଦର ଆପାତବୋଧ ସଂକୁଳତାରେ ସାହିତ୍ୟ କିନ୍ତୁ ଶାନ୍ତି, ସଂସ୍କୃତି, ସୌନ୍ଦର୍ଯ୍ୟ ଓ ସମନ୍ୱୟ, ସାଧନ ଓ ସମାଧାନର ସ୍ଥଳୀ । ତେଣୁ ବ୍ୟକ୍ତି ଓ ସମାଜକୁ ଚିହ୍ନିବା ପାଇଁ ସାହିତ୍ୟ ହିଁ ନିରୀକ୍ଷଣୀୟ ଆକାଶ, ଯେଉଁଠି ଆନନ୍ଦ ଥାଏ ସଂଖ୍ୟ ଜ୍ୟୋତିଷ୍କଙ୍କ ଗହଣରେ ପୁଣି ବିସ୍ମୟ ଥାଏ ଅସୀମ ବ୍ୟାପ୍ତି ଓ ବୈଚିତ୍ର୍ୟ ମଧ୍ୟରେ’’ (ପୃ-୧୯୪) । ସାହିତ୍ୟର ଏ ଅନ୍ତରଙ୍ଗ ବିୁଳତା ତଥା ଅନର୍ଘ ସମର୍ପଣ ସକାଶେ ୨୬ ଅକ୍ଟୋବର ୧୯୩୨ରେ ଗର୍କୀ ସଦନରେ ଅନୁଷ୍ଠିତ ଲେଖକମାନଙ୍କ ସମାବେଶରେ ଯୋଶେଫ ଷ୍ଟାଲିନ କହିଥିଲେ, ‘‘There are various forms of production: artillery, automobiles, lorries. You also produce ‘commodities’, ‘works’, ‘products’. Such things are highly necessary too. ‘Products’ are very important for people’s souls. You are engineers of human souls.’’

 

ଅନୁରୂପ ଭାବରେ ସାହିତ୍ୟିକ ବୈକୁଣ୍ଠନାଥ ମାନବାତ୍ମାର ଜଣେ ଜାଗ୍ରତ ପ୍ରହରୀ । ସମୟର ସ୍ୱଚ୍ଛତା ଦୃଷ୍ଟିରୁ ଏହି ବରେଣ୍ୟ ବିଚାର ବିନ୍ଧାଣୀଙ୍କ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧ ଆଲୋଚନା କରିହେଉ ନାହିଁ । ସେ ସାରସ୍ୱତ କାର୍ଯ୍ୟ କୌଣସି ସମ୍ପାଦନର ଅପେକ୍ଷା ରଖେ । ପାଠକର ଚିନ୍ତା ଓ ଚେତନା ରାଜ୍ୟକୁ ସମୃଦ୍ଧ କରିଥିବା ଏହି ଅସ୍ୱୀକୃତ, ଅଘୋଷିତ, ଅନିର୍ବାଚିତ ବିଧାୟକ ଓଡ଼ିଆ ଶବ୍ଦ ସମ୍ଭାରକୁ ପୁଷ୍ଟ କରିଛନ୍ତି ଅନେକ ଶବ୍ଦକୋଶରୁ ଉଦ୍ଧାର କରି ପ୍ରୟୋଗ କରିବା ମାଧ୍ୟମରେ । ସେଗୁଡ଼ିକ ହେଲେ ଆଗୁଳି, ଅପ୍ରଥିମ, ଅନିଭୋଗ, ଅନୀକନୀ, ଆତୋନତି, ଅଭିସରିତ, ଅନାଶୀତ, ଅଶ୍ୱତର, ଆନତି, ଆହମାତ, ଅବିତଥ, ଆହବ, ଅଭିଚାର, ଅନୀତକ, ଉପରତି, ଉଲୁଖା, ଉପଧାୟକ, ଉତ୍‌ସାରଣ, ଉଦୀରଣ, ଓହ, କର୍ବୁରିତ, କଳୋଚିଭ, କୁଲ୍ୟା, କୃତିକ, ଛଳିକତା, ଛଉଳେଇବା, ଜ୍ୟୋତିତ, ଚଳକତା, ଜହ୍ନେଇ, ଧାରଣୀ, ଧୀରଣ, ନାରା, ନିମଦୋହି, ନିରୟ, ନ୍ୟୁବଜ୍‌ପୃଷ୍ଟ, ତର୍କିତ, ଦୃଷଦ, ଦୃଶ୍ୟାଳି, ବିଗର୍ହଣ, ବିବକ୍ଷା, ବୀପ୍‌ସିତ, ବଳନ, ବିପର୍ଯ୍ୟାସ, ବଣୁଆଳି, ବୀପ୍‌ସା, ବିଧ୍ୱାନ୍ତ, ବିକତ୍‌ଥନ, ବିଲୋଳ, ବ୍ୟାକଳିତ, ପ୍ରୋକ୍ଷିତ, ପ୍ରତ୍ୟଭିଜ୍ଞାନ, ପ୍ରତ୍ୟଗ୍ରତା, ପାତ୍ନିକ, ପ୍ରତ୍ୟୁହ, ପ୍ରତିକ୍ଷେପ, ପ୍ରତିଭାବ, ପୋଡ଼, ପରିସମୃତ, ପ୍ରତିଷ୍କ, ପରିବୃତ୍ତି, ପରିଶାମ, ପ୍ରେପ୍‌ସା, ପ୍ରରୋହ୍ନ, ପ୍ରରୋହ, ପ୍ରତୋଜ, ବାହୁଲା, ମଞ୍ଚମାଳା, ମର୍ଷିତ, ଯୁଗକଳି, ଭ୍ୱାସ୍ୱାନ, ବିଜେତବ୍ୟ, ମଡ଼ିଛି, ସ୍ରୋତିଳ, ସଦୈଷୀ, ସ୍ମର୍ତ୍ତା, ସଂଚୟସ୍ୟୂତ, ରାଚନିକ, ସତୈଳ ଇତ୍ୟାଦି ।

 

ଏହି ପ୍ରଜ୍ଞାପୁରୁଷଙ୍କ ପ୍ରବନ୍ଧ ପୃଥିବୀ ପରିକ୍ରମା କଲାବେଳେ ମୋର ବାମନତ୍ୱ ମୁଁ ବେଶ୍ ବାରିପାରେ । ଏହି ପ୍ରସଙ୍ଗରେ ମନେ ପଡ଼ିଯାଏ ଦୀନକୃଷ୍ଣଙ୍କ ଆପଣାର କାବ୍ୟ ରସକଲ୍ଲୋଳ ସମ୍ପର୍କରେ ସେହି ଅମର ଉକ୍ତି ‘‘କେତେ କଉତୁକ ଅଛନ୍ତି ଏଥି’’ – ବୈକୁଣ୍ଠଙ୍କ ରଚନାରେ ଯେଉଁ କେତେ କେତେ ବିଭିବ ନିହିତ, ତାହା ବିବେଚନା କରିବା ପାଇଁ ସାମର୍ଥ୍ୟ ଆବଶ୍ୟକ । କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଯଥାର୍ଥରେ କୋଟି ବ୍ରହ୍ମାଣ୍ଡସୁନ୍ଦରୀରେ ପ୍ରକାଶ କରିଥିଲେ ଯେ, ତାଙ୍କ କାବ୍ୟ ପ୍ରବେଶ କରିବାକୁ ହେଲେ ପାଣ୍ଡିତ୍ୟ ଆବଶ୍ୟକ- ନାନା ଶବ୍ଦ ଅର୍ଥେ ଯେ ବିଚକ୍ଷଣ/ଯେହୁ ଜାଣେ ଅଳଙ୍କାର ଲକ୍ଷଣ / ସେହୁ କରୁ ଏ ଛାନ୍ଦ ବିବେଚନା ।’’ ଭାଷାର ହିରଣ୍ମୟ ପାତ୍ର ଭିତରେ ଭାବର ସତ୍ୟକୁ ସ୍ଥାପନ କରି ବୈକୁଣ୍ଠ ଯୁଗପତ୍ ଯେପରି ଭାଷାର ହିରଣ୍ମୟତାକୁ ତୁଚ୍ଛା ଆଟୋପ କରି ଦେଇନାହାନ୍ତି ସେପରି ମଧ୍ୟ ଭାବର ସତ୍ୟତାକୁ ଗାଣିତିକ ବାସ୍ତବତାରେ ଅନାକର୍ଷଣୀୟ ଓ ଆକର୍ଷଣୀୟ କରିନାହାନ୍ତି । ‘ୟୁନିଫିକେସନ୍ ଅବ୍ ସେନ୍ସିବିଲିଟି’ର ଏତାଦୃଶ ଭୂୟୋଦର୍ଶନ କ୍ୱଚିତ୍, କଦବା, କିଞ୍ଚିତ୍ ପରିଦୃଷ୍ଟ । ଏପରି ସଂସ୍କୃତିବୀର ହିଁ କେବଳ ସାହିତ୍ୟରେ ପ୍ରବନ୍ଧ ସୃଷ୍ଟି କରି ନଥାନ୍ତି ଅପରନ୍ତୁ, ସମଗ୍ର ସହ ମାର୍ଟିନ୍‍ ବୁବର କଥିତ ସର୍ବତୋ ଭାବରେ ସେହି ଆତ୍ମିକ ସଂଳାପର ପ୍ରବନ୍ଧରେ ଅନନ୍ତକାଳ ପାଇଁ ରୂପାନ୍ତର ଯୋଗର ସମ୍ବାଦ ପରିବେଷଣ କରୁଥାଆନ୍ତି । ସେଇଥିପାଇଁ ତାଙ୍କ ପରି ଆକୁତୋଭୟ ଯୋଦ୍ଧା ଶ୍ରଦ୍ଧାରେ, ବିଶ୍ୱରେ, ସମର୍ପଣରେ ପାଲଟି ଯାଆନ୍ତି ଜଣେ ଆନନ୍ଦିତ ସଂଗ୍ରାମୀରେ – Who is the happy warrier ? Who is he/That everyman in arms should wish to be ? xxx who, with a toward or untoward lot/Prosperous of adverse to his wish or not,/Plays in the many games of life, that one/where what he most doth value must be won.” (ଓ୍ୱଡ଼ର୍ସ୍‌ଓ୍ୱର୍ଥ) ।

 

 

ପୁରୁଷୋତ୍ତମ ବିହାର,

ବନ୍ତ ଛକ, ମାଧବ ନଗର, ଭଦ୍ରକ

 

***

 

Unknown

ଓଡ଼ିଆ ଆତ୍ମଜୀବନୀ : ଏକ ଆକଳନ

ଉଦୟନାଥ ସାହୁ

 

-ଏକ-

 

ଫକୀରେମୋହନଙ୍କ ‘ଆତ୍ମଜୀବନ ଚରିତ’ରେ ‘ସୂଚନା’ରେ ସୂଚୀତ ହୋଇଅଛି - ‘‘ଆଜକୁ ଚାରିପାଞ୍ଚ ବର୍ଷ ଗତ ହେଲା । ମୋହର କେତେଜଣ ମିତ୍ର ଏବଂ ପୁତ୍ର ପ୍ରତିମ ଶିକ୍ଷିତ ଯୁବକ ମୋର ଆତ୍ମଜୀବନ କାହାଣୀ ଲେଖିବା ସକାଶେ ମୋତେ ଅନୁରୋଧ କରି ଆସୁଛନ୍ତି । ସେମାନଙ୍କ ଅନୁରୋଧ ଅତିକ୍ରମ କରିବା ମୋ ପକ୍ଷରେ ସହଜସାଧ୍ୟ ନୁହେଁ । ଓଡ଼ିଆ ଭାଷାରେ ଜୀବନ ଚରିତର ବିଶେଷ ଅଭାବ । ମାତ୍ର ମୋ ତୁଚ୍ଛ ଜୀବନରେ ଜୀବନଚରିତ୍ରର ଉପଯୋଗୀ ସେପରି ଗୁରୁତର ଉପାଦାନର ମଧ୍ୟ ନିତାନ୍ତ ଅଭାବ । ବିଶେଷରେ ଯେପରି ସଜାଇ ଲେଖିଲେ, ପାଠକ ମହାଶୟଗଣ ଆଗ୍ରହ ସହିତ ପୁସ୍ତକ ପାଠରେ ପ୍ରବୃତ୍ତ ହେବେ, ସେପରି ଶକ୍ତି ମଧ୍ୟ ମୋର ନାହିଁ, ତେବେ ଏହି ଦୁଃସାହସିକ କାର୍ଯ୍ୟରେ ପ୍ରବୃତ୍ତ ହେବାର ଗୋଟିଏ ମାତ୍ର କୈଫିୟତ ଅଛି । ଅଦୂର ଭବିଷ୍ୟତରେ ଅନେକଗୁଡ଼ିଏ ଆତ୍ମଜୀବନୀ ଲେଖକ ଆମ୍ଭମାନଙ୍କର ଏହି ପବିତ୍ର ଜନ୍ମଭୂମିରେ ବିଚରଣ କରିବେ । ଏହା ମୋର ଧ୍ରୁବ ବିଶ୍ୱାସ । ମୁଁ ସେମାନଙ୍କ ପାଇଁ ମୂଳଦୁଅ ମାତ୍ର ପ୍ରସ୍ତୁତ କରୁଅଛି ।’’ ୧୮୯୭ ମସିହାରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ’ର ପ୍ରଥମ ସଂଖ୍ୟାରେ ଓଡ଼ିଆ ଜୀବନ ଚରିତ ଓ ଆତ୍ମଜୀବନୀ ଚରିତ ସମ୍ପର୍କରେ ଆବଶ୍ୟକତାକୁ ଉପଲବ୍ଧି କରି ଯେଉଁ ଆଲେଖ୍ୟ ପ୍ରକାଶ ପାଇଥିଲା ତାହା ହେଉଛି ଏହିପରି – ‘‘ମହାପୁରୁଷମାନେ ମୁଖ୍ୟ ଓ ଗୌଣ ଭାବରେ ପୃଥିବୀର ଉପକାର କରନ୍ତି । ସେମାନେ କି ଉପାୟରେ ଆପଣାକୁ ଓ ଦେଶକୁ ଗୌରବାନ୍ୱିତ କରିଥିଲେ, ତାହା ଅନୁସନ୍ଧାନ କରି ଓ ସେମାନଙ୍କ ପଦାନୁସରଣ କରି ଭବିଷ୍ୟତ ବଂଶ ଲୋକହିତ ବ୍ରତରେ ରତ ହୁଅନ୍ତି ।’’ ଏହି ଅଭାବକୁ ପୂରଣ କରିଥିଲେ ଫକୀରମୋହନ ।

 

ଫକୀରମୋହନ ହିଁ ଓଡ଼ିଆ ସାହିତ୍ୟରେ ଆତ୍ମଜୀବନୀର ପ୍ରାଣ ପ୍ରତିଷ୍ଠାତା । ୧୯୨୭ ମସିହାରେ ଫକୀରମୋହନଙ୍କ ଆତ୍ମଜୀବନୀ ଚରିତ ତାଙ୍କର ସୁଯୋଗ୍ୟ ପୁତ୍ର ମୋହିନୀ ମୋହନ ସେନାପତିଙ୍କ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶିତ ହୁଏ । କିନ୍ତୁ ଏହାର କେତେକ ଅଂଶ ୧୯୧୫ରେ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ, ତତ୍‌ପରେ ୧୯୧୬ରେ ‘ସତ୍ୟବାଦୀ’ ପତ୍ରିକାରେ ଏବଂ ୧୯୧୮ ମସିହାଠାରୁ କ୍ରମଶଃ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା ।

 

କିନ୍ତୁ ଫକୀରମୋହନଙ୍କ ଆତ୍ମଜୀବନୀ ଅନନ୍ୟ । ଏହି ଆତ୍ମଚରିତ ହେଉଛି ଊନବିଂଶ ଶତାବ୍ଦୀର ସମାଜ ଓ ସଂସ୍କୃତିର ନିଚ୍ଛକ ପ୍ରତିଛବି । ଏଥିରେ ବିଭିନ୍ନ ଧର୍ମ, ଓଡ଼ିଶାରେ ପ୍ରଚଳିତ ସମସାମୟିକ ଶିକ୍ଷା ପଦ୍ଧତି, ଓଡ଼ିଆ ଓ ବଙ୍ଗାଳୀଙ୍କ ମଧ୍ୟରେ ଥିବା ପ୍ରାଦେଶିକ ମନୋଭାବ ତଥା ବିଦ୍ୱେଷ ଭାବ ପ୍ରଭୃତିର ଚିତ୍ର ମିଳିଥାଏ । ଫକୀରମୋହନ ୧୮୭୧-୯୬ ସାଲ ମଧ୍ୟରେ ନୀଳଗିରି, ଡୋମପଡ଼ା, ଢେଙ୍କାନାଳ, ଦଶପଲ୍ଲା, ପାଲଲହଡ଼ା, କେଉଁଝର ପ୍ରଭୃତି ସ୍ଥାନରେ ଶାସକ ଭାବରେ ଜନତାର ସମ୍ପର୍କରେ ଆସିଥିଲେ । ତେଣୁ ତାଙ୍କ ଆତ୍ମଚରିତରେ ସମ୍ଭ୍ରାନ୍ତ ତଥା ସାଧାରଣ ଶ୍ରେଣୀର ପାରିବାରିକ ତଥା ସାମାଜିକ ଚଳଣୀ ସହ ଆଦିବାସୀ ସମ୍ପ୍ରଦାୟ କୋହ୍ଲ, ଭୂୟାଁ ଓ ସାନ୍ତାଳ ଚଳଣି ସମ୍ପର୍କରେ ସୂଚନା ମିଳିଥାଏ ।

 

ଶ୍ରୀ ଦୁର୍ଗାଚରଣ ରାୟ ’ରାଧାନାଥଙ୍କ ଜୀବନୀ’ ପୁସ୍ତକରେ ସୂଚାଇ ଅଛନ୍ତି ଯ, ‘‘ଓଡ଼ିଆ ସାହିତ୍ୟର ପାଠକମାନେ ପ୍ରାୟତଃ ଜାଣନ୍ତି ନାହିଁ ଯ, କବିତାର ରାଧାନାଥ ହେଉଛନ୍ତି ଆମ ସାହିତ୍ୟର ପ୍ରଥମ ଆତ୍ମଚରିତ ଲେଖକ । ଆଧୁନିକ ଓଡ଼ିଆ ସାହିତ୍ୟର ସେ କେବଳ ଅଗ୍ରଦୂତ ନୁହନ୍ତି, ଆତ୍ମଚରିତ ରଚନାରେ ମଧ୍ୟ ତାଙ୍କର ବୈପ୍ଳବିକ ଭୂମିକା ଅନସ୍ୱୀକାର୍ଯ୍ୟ ।’’ (ପୃ.୪୬୩, ୧୯୪୧) ଗଙ୍ଗାଧର ମେହରଙ୍କ ଗ୍ରନ୍ଥାବଳୀରେ ଗଙ୍ଗାଧରଙ୍କର ଏକ ସଂକ୍ଷିପ୍ତ ଆତ୍ମଜୀବନୀ ୧୦ ପୃଷ୍ଠା ବ୍ୟାପୀ ସ୍ଥାନ ପାଇଛି । ତାଙ୍କର ବାଲ୍ୟଜୀବନ ତଥା ସ୍କୁଲର ଜୀବନ କିପରି ଦୁଃଖରେ କଟିଥିଲା ତାହା ପ୍ରକାଶ କରି ଲେଖିଛନ୍ତି – ‘‘ହାକିମ ଆସିଲା ଦିନ ସମସ୍ତେ କୁରୁତା ଲଗାଉଥିଲେ । ମୋ ଭାଗ୍ୟରେ ତାହା କେବେ ଘଟି ନଥିଲା ।’’ ସେ ସମଗ୍ର ଜୀବନ ଚରିତ ଲେଖି ନଥିଲେ ହେଁ ଏହି ଆତ୍ମଲିପିରୁ ତାଙ୍କ ସାହିତ୍ୟକ ଜୀବନର ଅନେକ ସୂଚନା ମିଳିଥାଏ । ଏଠାରେ ସୂଚନା ଦିଆଯାଇପାରେ ଯେ, ଅରକ୍ଷିତ ଦାସଙ୍କ (ଜନ୍ମ ଆନୁମାନିକ ୧୭୮୦-୮୮) ଦ୍ୱାରା ପଦ୍ୟରେ ରଚିତ ‘ମହୀମଣ୍ଡଳ ଗୀତା’ ହେଉଛି ପ୍ରଥମ ଓଡ଼ିଆ ଆତ୍ମଜୀବନୀ ଗ୍ରନ୍ଥ । ଏହା ହେଉଛି ଜଣେ ରାଜକୁମାରଙ୍କ ଆତ୍ମଜୀବନୀ । ଗଞ୍ଜାମର ବଡ଼ଖେମଣ୍ଡି ରାଜବଂଶର ରାଜା ପଦ୍ମଲାଭ ଦେବ ଓରଫ ମଣିଦେବ (ଶାସନ ୧୭୭୪-୧୮୦୫)ଙ୍କର ପୁତ୍ର ବଳଭଦ୍ର ଦେବ । ୧୭ ବର୍ଷ ବୟସରେ ରାଜପ୍ରାସାଦ ତ୍ୟାଗ କରି ବଣଜଙ୍ଗଲ ପାହାଡ଼ରେ ବୁଲି ସତ୍ୟ ଓ ଆତ୍ମା ଉପଲବ୍ଧିର ସନ୍ଧାନରେ ଥିଲେ । ଯୁବରାଜ ବଳଭଦ୍ରରୁ ସେ ହେଲେ ସାଧକ ସନ୍ଥ ଅରକ୍ଷିତ ଦାସ । (ମହାପୁରୁଷ ଅରକ୍ଷିତ ଦାସ- ଗୋଲକ ଚନ୍ଦ୍ର ପ୍ରଧାନ) କିନ୍ତୁ ଫକୀରମୋହନ ସେନାପତିଙ୍କ ‘ଆତ୍ମଚରିତ’ ଓଡ଼ିଆ ସାହିତ୍ୟରେ ରଚିତ ପ୍ରଥମ ଗଦ୍ୟ ଆତ୍ମଜୀବନୀ ଓ ତାହା ଭାରତୀୟ ସାହିତ୍ୟରେ ଏକ ଅନବଦ୍ୟ ଗ୍ରନ୍ଥ ।

 

‘ଅନନ୍ତ ଦାସଙ୍କ ଆତ୍ମଜୀବନୀ’ (୧୮୭୦) ନ’ଅଙ୍କ ଦୁର୍ଭିକ୍ଷ (୧୮୬୬)ରେ ଘଟିଥିବା କରୁଣ ଚିତ୍ରର ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ । ଅନନ୍ତ ଦାସ ଲେଖିଛନ୍ତି, ‘‘ସେ କାଳ କଥା କହିବା କିଛି, ଅନନ୍ତ ଯେମନ୍ତ ଭୋଗ କରିଛି ।’’ ଡକ୍ଟର ମାୟାଧର ମାନସିଂହ ଲେଖିଛନ୍ତି: ‘‘ସେ କାଳ କଥା କହିବା କିଛି, ଅନନ୍ତ ଯେମନ୍ତ ଭୋଗ କରିଛି ।’’ ଡକ୍ଟର ମାୟାଧର ମାନସିଂହ ଲେଖିଛନ୍ତି: ‘‘ଅନନ୍ତ ଦାସଙ୍କ ଆତ୍ମଜୀବନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏକାବେଳେକେ ଅଜ୍ଞାତ ଥିଲେ ହେଁ ଏହା ଯେ ଓଡ଼ିଆ ସାହିତ୍ୟର ଏକ ମୂଲ୍ୟବାନ ସମ୍ପଦରୂପେ ଗିତ ହେବ ଏଥିରେ ସନ୍ଦେହ ନାହିଁ ।’’ ମା’ଙ୍କ ନିର୍ଦ୍ଦେଶରେ ଶଗଡ଼ ଗୁଳାରେ ବାଟ ଖୋଜି ଖୋଜି ଯାଇଥିବା ଅନନ୍ତ ମାମୁଘର ଗାଁ ପାଇଲେ, ମାତ୍ର ମାମୁଘର ପାଇଲେ ନାହିଁ । ଜୀବନରେ ଏହିଠାରୁ ଆରମ୍ଭ ହୋଇଛି ସଂଗ୍ରାମ । ପରିସ୍ଥିତି ସହିତ ଲଢ଼ି ଲଢ଼ି ଗୋପରୁ ପୁରୀ ବଡ଼ଦାଣ୍ଡ, ସେଇଠୁ କଟକ, ଚଉଦ୍ୱାର, ଆଠଗଡ଼ ମଧ୍ୟରେ ଜୀବନଯାତ୍ରା ଚାଲିଛି । ଏହାର ଶୁଦ୍ଧ ଓ ସରଳ ଓଡ଼ିଆ ଭାଷାରେ ଲିଖିତ । ଦୁର୍ଭିକ୍ଷର ବାସ୍ତବ ଚିତ୍ର ଓ ଅନନ୍ତ ଦାସଙ୍କ ଜୀବନଯାତ୍ରା ପାଠ୍ୟାଂଶରେ ବର୍ଣ୍ଣିତ । ଏଥିରେ କୁହାଯାଇଛି-

 

‘‘ଧନୀ ଯେ ଥିଲେ ଧାନକୁ ଜଗିଲେ ।

ମାଗିଲେ କେହି କାହାକୁ ନ ଦେଲେ ।।

ଧାନ ମାଣ୍ଡିଆ କୋଳଥର ଶେଷ ।

ମୁଗ ବିରି ହରଡ଼ ଗଲା ନାଶ ।।

ଖୁଦ କୁଣ୍ଡାଦିର, ଖବର ନାହିଁ ।

କିଏ ତା ଝାଡ଼ି କାଢ଼ିବ କିମ୍ପାଇଁ ।।

କଦଳୀ ମଞ୍ଜା ଖାଇଲେ ତା ମୂଳ,

କାହିଁ ନ ମିଳିଲା ଶାଗ ପତର ।।

ଚାକୁଣ୍ଡା ପତ୍ରର ବୁଡ଼ିଲା ବୀଜ,

କରିଲେ ଗହିରି ବିଲରେ ଖୋଜ ।।’’

(ସମ୍ପାଦନା – ଡକ୍ଟର ଶ୍ରୀଚରଣ ମହାନ୍ତି)

 

-ଦୁଇ-

 

ଆତ୍ମଜୀବନୀ ଲେଖକର ନିଜସ୍ୱ ରୂପାୟନ । ଜଣେ ବ୍ୟକ୍ତି ନିଜର ଜୀବନ କାହାଣୀ ରଚନା କରିବା ହିଁ ଆତ୍ମଜୀବନୀ । ଆତ୍ମଚରିତ ଜୀବନ ଚରିତ ନୁହେଁ । ଏହା ମଧ୍ୟ ଜଣେ ବ୍ୟକ୍ତିର ଜୀବନରେ ଘଟିଥିବା ସାଧାରଣ ଘଟଣାର କ୍ରମାଗତ ବିବରଣୀ ନୁହେଁ । ପରିସ୍ଥିତି ଓ ପରିବେଶ ସହିତ ସଂଘଟିତ କ୍ରିୟା ପ୍ରତିକ୍ରିୟା ହିଁ ଆତ୍ମଜୀବନୀର ମୂଳଭିତ୍ତି । ଆତ୍ମଜୀବନ ଚରିତର ନାୟକ ବ୍ୟକ୍ତି ନୁହେଁ, ତାର ବ୍ୟକ୍ତିତ୍ୱ । ଆତ୍ମଜୀବନୀ, ବ୍ୟକ୍ତିକୁ ସାଧାରଣରେ ପରିଚିତ କରାଏ, ବ୍ୟକ୍ତିର ଚାରିତ୍ରିକ ଲକ୍ଷଣାବଳୀ ଜୀବନୀରୁ ଉପଲବ୍ଧି ହୋଇଥାଏ । ଏ ସମ୍ପର୍କରେ ଡକ୍ଟର ଲାବଣ୍ୟ ନାୟକ ‘ଓଡ଼ିଆ ଚରିତ ସାହିତ୍ୟ’ ପୁସ୍ତକରେ ଲେଖି ଅଛନ୍ତି – ‘‘ଲେଖକ ନିଜ ସମ୍ପର୍କରେ ଓ ବ୍ୟକ୍ତିଗତ ଅଭିଜ୍ଞତାରୁ ଉତ୍ପନ୍ନ ଆନୁଷଙ୍ଗିକ ଘଟଣା ଭିତ୍ତିରେ ହିଁ ଉପସ୍ଥାପନା କରିଥାନ୍ତି । ବାସ୍ତବିକ ବ୍ୟକ୍ତିର ଜୀବନୀ ନିଜେ ସେଇ ବ୍ୟକ୍ତି ଲେଖିଲେ ଯେତେ ସଫଳ ହୁଏ, ଅନ୍ୟଦ୍ୱାରା ସୃଷ୍ଟି ହୋଇଥିବା ଜୀବନୀ ସେତେ ସରସ ଓ ସ୍ୱାଭାବିକ ମନେହୁଏ ନାହିଁ । ଜୀବନୀରେ ବର୍ହିଘଟଣା ସହିତ ଚରିତ୍ରର ଅନ୍ତଃ ପ୍ରକୃତିର ଚିତ୍ର ମଧ୍ୟ ସ୍ଥାନ ପାଇଥାଏ । ଅନ୍ତର୍ଜୀବନର ସମ୍ୟକ ଚିତ୍ର ପ୍ରଦାନ କରିବା ନିଜ ପକ୍ଷରେ ଯେପରି ସହଜ ଅନ୍ୟ ପକ୍ଷରେ ସେପରି ସମ୍ଭବ ନୁହେଁ ।’’ (ପୃ.୨୩-୨୪) ତେବେ ଲେଖକ ସତ୍ୟାଶ୍ରୟୀ ହେବା ଉଚିତ୍ ।

 

ଆତ୍ମଜୀବନୀ ବ୍ୟକ୍ତି ଜୀବନର ଅସମ୍ପୂର୍ଣ୍ଣ ଇତିହାସ । କାରଣ ଲେଖକ ମୃତ୍ୟୁପୂର୍ବରୁ ଅତୀତର ଘଟଣାରାଜିକୁ ସ୍ମରଣ କରି ଆତ୍ମଜୀବନୀ ରଚନା କରିଥାନ୍ତି । ଏହା ହେଉଛି ମଧ୍ୟ ଜୀବନର ଶୃଙ୍ଖଳାବଦ୍ଧ ବିବରଣୀ । ଏଥିରେ ବ୍ୟକ୍ତି ଜୀବନର ଗଭୀର ଅନୁଭୂତି ଜଡ଼ିତ ଘଟଣାର ପ୍ରତ୍ୟେକଟି ମୁହୂର୍ତ୍ତ ପ୍ରକାଶ ପାଇଥାଏ । କାରଣ କୁହାଯାଇଛି – Every iota of our lives activities is generated by the creative current of the Dynamo of the literature,’’ ଆତ୍ମଜୀବନୀରେ ଲେଖକ ନିଃସକୋଚରେ, ନିର୍ଭୀକ ଭାବରେ ନିଜର ଅଭିଜ୍ଞତାକୁ ପ୍ରକାଶ କରିବା ଉଚିତ୍ । ଏହାଦ୍ୱାରା ଆତ୍ମଜୀବନୀ ସାର୍ଥକ ହୁଏ । କିନ୍ତୁ ଅତ୍ୟଧିକ ଆତ୍ମ ସଚେତନ ଭାବ ବା ଅତ୍ୟଧିକ ନମ୍ରଭାବ ଉଭୟ ଆତ୍ମଜୀବନୀ ଲେଖକ ପାଇଁ କ୍ଷତିକାରଣ । କିନ୍ତୁ ନିତାନ୍ତ ବ୍ୟକ୍ତିଗତ ଘଟଣା ଆତ୍ମଜୀବନୀରେ ତ୍ୟାଗ କରାଯାଇ ପାରେ । ସେଥିପାଇଁ ପଣ୍ଡିତ ଗୋଦାବରୀଶ ମିଶ୍ର ତାଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରେ ସୂଚାଇ ଅଛନ୍ତି ଯେ, ‘‘ମୁଁ ଯାହା ଲେଖିବି ସତ ଲେଖିବାକୁ ବାଧ୍ୟ, ମାତ୍ର ଜୀବନର ସବୁକଥା ତ ଲେଖିବାକୁ ବାଧ୍ୟ ନୁହେଁ । କେତେକ ନିତାନ୍ତ ବ୍ୟକ୍ତିଗତ ବିଷୟ ମୁଁ ଜାଣି ଜାଣି ଛାଡ଼ିଯିବି ।’’ (ପୃ.୪) ଏହି ଆତ୍ମଜୀବନୀ ଲେଖକଙ୍କର ସ୍ମୃତି ଉପରେ ନିର୍ଭର କରେ । କାରଣ ନିଜର ଅନୁଭୂତିକୁ ଅଧିକରୁ ଅଧିକ ଭାବରେ ସମାବେଶ କରିବାରେ ସେ ଅକ୍ଷମ ହୋଇପାରନ୍ତି ।

 

ବିଂଶ ଶତାବ୍ଦୀର ବିଖ୍ୟାତ ନାଟ୍ୟକାର ଜର୍ଜ ବର୍ଣ୍ଣାଡଶ ପ୍ରକାଶ କରିଛନ୍ତି ଯେ, ‘‘All autobiographies are lies” । କିନ୍ତୁ ଏହା ଠିକ୍ ନୁହେଁ । ଆତ୍ମଚରିତର ମୂଲ୍ୟବୋଧ ଆମ୍ଭମାନଙ୍କୁ ସ୍ୱୀକାର କରିବାକୁ ହେବ । କାରଣ, ମହତ୍ ଲୋକେ ନିଜର ଆତ୍ମଚରିତ ଲେଖିଥାନ୍ତି ସମାଜର କଲ୍ୟାଣ ପାଇଁ, ଅନ୍ୟକୁ ଉପକୃତ କରିବା ପାଇଁ । (ଜୀବନୀ ସାହିତ୍ୟ : ଏକ ଅଧ୍ୟୟନ, ପଠାଣି ପଟ୍ଟନାୟକ, ପୃ.୧୪) ତେବେ ଆତ୍ମଜୀବନୀ ଜଣେ ଲେଖେ କାହିଁକି ? ନିଜକୁ ଜଣେ ଗୁରୁତ୍ୱପୂର୍ଣ୍ଣ ଲୋକ ବୋଲି ନ ଭାବିଲେ କିଏ କାହିଁକି ଆତ୍ମଜୀବନୀ ଲେଖିବସିବ ? ନିଜର କଥାକୁ ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରିବା କାହିଁକି ? ତଥାପି ପୃଥିବୀର ସମସ୍ତ ସାହିତ୍ୟରେ ଆତ୍ମଜୀବନୀ ଲେଖାଯାଇଛି । ଗେଟେ, ଋଷୋ, ଟଲଷ୍ଟୟ, ଡଷ୍ଟୋଭସ୍କି, ରସ୍କିନ, ଜେ.ଏସ୍. ମିଲ, ପ୍ରଭୃତିଙ୍କର ଆତ୍ମଚରିତ ପ୍ରଭୃତି ବେଶ ଲୋକପ୍ରିୟ ହୋଇପାରିଛି । ଏହି ଆତ୍ମଚରିତର ଲେଖକମାନେ ନିଜର ପରିଚୟ ସୃଷ୍ଟି କରିଥାଆନ୍ତି ସମାଜର ପୃଷ୍ଠପୋଷକ, ରାଜନୀତିଜ୍ଞ, ସାହିତ୍ୟର, ସମାଜ ସଂସ୍କାରକ, ବ୍ୟବସାୟୀ ଭାବରେ । ଏ ଯୁଗର ବ୍ୟବସାୟୀ ହେନେରୀ ଫୋଡ଼ର୍, ରାଜନୀତିଜ୍ଞ ଗାନ୍ଧିଙ୍କ ଆତ୍ମଜୀବନୀ ବିଶ୍ୱବିଖ୍ୟାତ ହୋଇଅଛି । ମହାନ୍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଅଧାଲେଖ ଆତ୍ମଜୀବୀନ ‘ଭାରତ ପଥିକ’ ଆସନ୍ତା ଜାନୁଆରୀ ୨୩ ତାରିଖ ତାଙ୍କର ଜନ୍ମଦିବସରେ ଓଡ଼ିଆ ଭାଷାରେ ଉନ୍ମୋଚିତ ହେବାକୁ ଯାଉଛି । ଭାରତ ସ୍ୱାଧୀନତା ଇତିହାସର ମହାନ୍ ଯୋଦ୍ଧା ସୁବାଷଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଅଗଣିତ ଓଡ଼ିଆ ଜାଣିବାର ସୁଯୋଗ ପାଇବେ ବୋଲି ନେତାଜୀ ସଂଗ୍ରହାଳୟ କର୍ତ୍ତୃପକ୍ଷ ସୂଚନା ଦେଇ ଅଛନ୍ତି । ଧରିତ୍ରୀ, ୧୯.୦୮.୨୦୧୩, ପୃ.୧୧)।

 

ଇଂରାଜୀ Auto-Biography ବା ଆତ୍ମଜୀବନୀ ଆଧୁନିକ କାଳରେ ହିଁ ସୃଷ୍ଟି ହୋଇଛି । କବି ରବର୍ଟ ସାଉଦେ ୧୮୯୦ ସାଲରେ ସର୍ବପ୍ରଥମ ‘autobiography’ ଶବ୍ଦଟି ବ୍ୟବହାର କରନ୍ତି । ତା’ ପୂର୍ବରୁ ଏହା ଜାର୍ନଲ, ଲାଇଫ୍, ମେମୋୟରସ, କନ୍‌ଫେସ ଡାଏରୀ ପ୍ରଭୃତି ଶବ୍ଦରେ ବ୍ୟବହୃତ ହେଉଥିଲା । ଜଣେ ବିଶିଷ୍ଟ ସମାଲୋଚକଙ୍କ ମତରେ ‘‘Auto-biography frequently reflects national character and in so far as this is true, it can supply a rich source of materials for the understanding of diverse people.’’ ନିଜ ନିଜର କଥା ପ୍ରକାଶ ଅପେକ୍ଷା ନିଜସ୍ୱ ଜୀବନର National background ବା ଜାତୀୟ ପଟ୍ଟଭୂମିକୁ ଅଧିକ ଭାବରେ ପ୍ରକାଶ କରିଥାଆନ୍ତି । ସମଗ୍ର ମାନବଜାତି ସହିତ ଏକାତ୍ମୀୟତାବୋଧ ଶିକ୍ଷା କରିବାକୁ ଏବଂ ପୃଥିବୀର ସବୁ ମନୁଷ୍ୟ ଯେ ଏକ ମହତ୍ ଚେତନା ଲାଭ କରିବାକୁ ପ୍ରେରଣା ଦାନ କରେ ଆତ୍ମଚରିତ । (ଚିନ୍ତାମଣି ବେହେରା, ବିଦଗ୍‌ଧ ପାଠକ, ୧୯୭୫, ପୃ.୯୧-୯୨) ବାସ୍ତବିକ ‘‘ଆତ୍ମଜୀବନୀ ହେଉଛି ବ୍ୟକ୍ତି ବିଶେଷଙ୍କର ଆତ୍ମବିଶ୍ଳେଷଣ, ଆତ୍ମବିଚାର ଓ ଆତ୍ମ ଉଦ୍‌ଘାଟନର କଳାତ୍ମକ ଅଭିବ୍ୟକ୍ତି ।’’ (ଦୃଷ୍ଟି ଓ ଦିଗନ୍ତ – ୧୯୭୮ – ଡ. ବୈଷ୍ଣବ ଚରଣ ସାମଲ – ପୃ.୭୫)

 

ଆତ୍ମଜୀବନୀର ସୃଷ୍ଟି ସାହିତ୍ୟର ଅନ୍ୟନ୍ୟ ବିଭବଠାରୁ ଅର୍ବାଚୀନ । ଜୀବନ ପ୍ରତି ମମତ୍ୱବୋଧ ନ ରହିଲେ ଉତ୍କୃଷ୍ଣ ଆତ୍ମଜୀବନୀ ରଚନା ସମ୍ଭବ ନୁହେଁ । ତେଣୁ ସମାଲୋଚକ ପଠାଣି ପଟ୍ଟନାୟକ କହିଛନ୍ତି – ‘‘ଜୀବନ ପ୍ରତି ଗଭୀର ଦୃଷ୍ଟି, ସମାଜ ପ୍ରତି ନିବିଡ଼ ମମତ୍ୱବୋଧ ଥିଲେ ହେଁ ଆତ୍ମଜୀବନୀ ସରସ ଓ ସାର୍ଥକ ହୋଇଥାଏ ।’’ (ସାହିତ୍ୟ ମନୀଷା – ୧୯୯୮, ପୃ.୭୧) ତେବେ ଜଣେ ଆତ୍ମଜୀବନୀ ଲେଖେ କାହିଁକି ? କେଉଁ ପ୍ରେରଣାର ବଶବର୍ତ୍ତୀ ହୋଇ ସେ ଏହାକୁ ରଚନା କରେ ? ସେଗୁଡ଼ିକ ହେଉଛି – ‘‘ଆତ୍ମାଶ୍ରଦ୍ଧା, ଆତ୍ମାଭିମାନ ଓ ଆତ୍ମସମଥର୍ନ ।’’ (ଓଡ଼ିଆ ଚରିତ ସାହିତ୍ୟ, ପୃ.୨୫) ବର୍ତ୍ତମାନ ଆତ୍ମଚରିତ ଲେଖିବା ପାଇଁ ପ୍ରବଣତା ସୃଷ୍ଟି ହୋଇଛି-। ଆତ୍ମଜୀବନୀ ଲେଖିଥିବା କିଛି ସ୍ରଷ୍ଟାଙ୍କର ସେ ସମ୍ପର୍କରେ ସେମାନଙ୍କର ମତକୁ ଅନୁଧ୍ୟାନ କରାଯାଉ ।

 

୧.

‘‘ମୁଁ ଯାହା ଲେଖିବି ତାକୁ ପଢ଼ି କେହି ସେ ଆନନ୍ଦ ବା ଦୁଃଖ ଅନୁଭବ କରିବେ, ସେଥିପାଇଁ ଲେଖିବି ନାହିଁ, ମନୁଷ୍ୟ କିପରି ନିଜ ଦୁର୍ବଳତାର ଦାସ, ତାହା ଦେଖାଇବାକୁ ଲେଖିବି ମାତ୍ର ।’’ (ପଣ୍ଡିତ ଗୋଦାବରୀଶ ମିଶ୍ର- ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ – ୧୯୭୩, ପୃ.୬)

୨.

‘‘ନିଜ ଜୀବନ କାହାଣୀ ଲେଖିବାକୁ ଏତିକି ମାତ୍ର ସମର୍ଥନ ମୋତେ ମିଳୁଛି ନିଜ ଦୋଷଗୁଣ, ସତ ମିଛ ନିଜେ ପରଖି ଜାଣିବା ପାଇଁ ଏହା ଗୋଟିଏ ବାଟ ହୋଇପାରେ ।’’ (କାଳିନ୍ଦୀଚରଣ ପାଣିଗ୍ରାହୀ- ଅଙ୍ଗ ଯାହା ନିଭାଇଛି – ୧୯୭୩, ପୃ.୧୩)

୩.

‘‘ଆତ୍ମଜୀବନୀ ପ୍ରକାଶ କରିବାର ଆଦୌ ଆବଶ୍ୟକତା ନାହିଁ, ଏପରି ଭାବିବା ଠିକ ନୁହେଁ । କୌଣସି ବ୍ୟକ୍ତିବିଶେଷଙ୍କ ଆତ୍ମଜୀବନୀ ପ୍ରକାଶ ପାଇଲେ ତାଙ୍କ ସମୟର ଜାତୀୟ ଜୀବନ, ଜାତୀୟ ଚରିତ, ସାମାଜିକ ଅନୁଭୂତି ଓ ସାଂସ୍କୃତିକ ବିକାଶ ସମ୍ବନ୍ଧରେ ବହୁତ ଆବଶ୍ୟକୀୟ ତଥା ଉପାଦେୟ ବିଷୟ ଜାଣିବାକୁ ମିଳେ ।’’ (ରାଜକିଶୋର ଦାସ- ଅନେକ ଦିନର ଅନେକ କଥା – ୧୯୯୦, ପୃ.୧)

୪.

‘‘ମୁଁ ସର୍ବଦା ଭୁଲ୍ ବୁଝାମଣାର ଶିକାର ହୋଇଛି । ନିଜ କଥା ଅନ୍ୟମାନଙ୍କ ଆଗରେ କହି ବସିଲେ ସେମାନେ ଗର୍ବୀ ଲୋକଟିଏ ପ୍ରୋଢ଼ି କରୁଛି ବୋଲି ସମାଲୋଚନା କରିବେ, କହିବେ ମଧ୍ୟ । ମୋ କାର୍ଯ୍ୟକଳାପ ପାଇଁ ମୁଁ କାହାକୁ ଅବା କୈଫୟତ୍ ଦେବି ? ମୁଁ ଯାହାକୁ କାହା ଆଗରେ କହିପାରିବି ନାହିଁ, ସେହି ଅକୁହା କଥାକୁ ଏହି ବହିରେ ଲେଖିଛି ।’’ (ମୋ ଅକୁହା କାହାଣୀ – ୧୯୯୨, ଶ୍ରୀ ରାମଚନ୍ଦ୍ର ଦାଶ – ପୃ.୧)

୫.

‘‘କଥାରେ କହନ୍ତି – ସତ କହିବି କି ମିଛ କହିବି, ଅଙ୍ଗେ ନିଭେଇବା କଥା କହିବି । ଆଜି ମୋର ସେହି ଅଙ୍ଗେ ନିଭେଇବା ନିଜ କଥା କହିବାକୁ ଯାଉଛି, ସ୍ମୃତିର ପରଦା ତଳୁ ଅଣ୍ଡାଳି ଅଣ୍ଡାଳି ଯାହା କିଛି ପାଇଛି, ତାହାକୁ ଆଜି ମୋର ପାଠକ ପାଠିକାମାନଙ୍କୁ ପରଷିବା ପାଇଁ ଯାଉଛି ।’’ (ମୋ ଜୀବନ ସ୍ମୃତି ୧୯୬୮, ୨ୟ ଭାଗ, ଅନନ୍ତ ପ୍ରସାଦ ପଣ୍ଡା, ପୃ.୨୧୧)

୬.

‘‘ମୁଁ ଡ୍ରଇଁ ମାଷ୍ଟ୍ରଟିଏ ହେଲେ ମଧ୍ୟ ଯେଉଁ ଯେଉଁ ରାସ୍ତା ଦେଇ ଏଇଠି ପହଞ୍ଚିଛି ସେ ସବୁର ମହାର୍ଘ ଅନୁଭୂତି ମୋ ଜୀବନକୁ ରସାଣିତ କରିଦେଇଛି । ଡ୍ରଇଁ ମାଷ୍ଟ୍ରଟିଏ ହେବାର ସାର୍ଥକତା ମୋତେ ଖୁବ୍ ଆନନ୍ଦ ଦେଇଛି । ଏଣୁ ସେ ସବୁ ଅନୁଭୂତିକୁ ଅନ୍ୟମାନଙ୍କ ପାଖରେ ବଖାଣିବାର ଦ୍ୱିଧା କାହିଁକି ରହିବ ।’’ (ଦିଗପହଣ୍ଡିର ଡ୍ରଇଁ ମାଷ୍ଟ୍ରେ-୧୯୯୦, ଦୀନନାଥ ପୀଠ, ପୃ.ଖ.)

୭.

‘‘ମୋର ଆତ୍ମଜୀବନୀ ମୋ ସମୟର ଆତ୍ମଜୀବନୀ । x x x ବିନ୍ଦୁ ଭିତରେ ସିନ୍ଧୁର ପରିଚୟ ପରି ଏ ପସ୍ତୁକଟି ମୋ ଶତାବ୍ଦୀର ଏବଂ ତାହାର ପୂର୍ବବର୍ତ୍ତୀ ସମୟର ଏକ ବିଶ୍ୱସ୍ତ ପ୍ରତିଫଳନ କରିବାକୁ ଚେଷ୍ଟା କରିଛି ।’’ (ଉତ୍ତର କକ୍ଷ- ୧୯୯୮, ସଚ୍ଚିଦାନନ୍ଦ ରାଉତରାୟ- ପ୍ରସ୍ତାବନା)

୮.

‘‘ମୋର ଏ ପୁସ୍ତକ ମୋ ନିଜ ଲାଗି ଗୋଟିଏ ଗବାକ୍ଷ । ମୁଁ ଏ ଗବାକ୍ଷ ଦେଇ ବାହାରକୁ ଯେତେ ଦେଖୁଛି ମୋ ଭିତରରକୁ ସେତେ ଦେଖୁଛି ।’’ (ଗବାକ୍ଷ-୧୯୯୯-ବୈକୁଣ୍ଠନାଥ ରଥ, ପୃ.୩)

୯.

‘‘ଏଇ ରଚନାଟି ମୋର ଜୀବନୀ ନୁହେଁ କି ଆତ୍ମଜୀବନୀ ନୁହେଁ । ଏଥିପାଇଁ ମୁଁ ବେଳାଭୂମିରୁ ଉତ୍ପଳ ସଂଗ୍ରହ କରିନି କି ମହୋଦଧିରୁ ମୁକ୍ତା ଆହରଣ କରିନି । ମୋର ପ୍ରିୟ ସହର/ ଲକ୍ଷ୍ମୀ ସହର କଟକର କିଛି ମାଟି ଗୋଡ଼ି ସଂଗ୍ରହ କରି ସେଥିରେ ମୁଁ ପଥିକର କଳେବରକୁ ସୁସଜ୍ଜିତ କରିବାର ପ୍ରୟାସ କରିଛି ।’’ (ପଥିକ – ୧୯୯୫ – ଗୋପାଳ ଛୋଟରାୟ – ମୁଖବନ୍ଧ)

୧୦.

ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ତାଙ୍କ ଆତ୍ମଜୀବନୀ ‘ଗୋଟିଏ କଲମ ଟୋପାଏ କାଳି’ (୧୯୬୯)ରେ ଲେଖିଅଛନ୍ତି ଯେ, ‘‘ଯେ କେହି ଲୋକ ନିଜର ଆତ୍ମଜୀବନୀ ଲେଖିପାରେ । ଛୋଟବଡ଼ରେ ପ୍ରଭେଦ ନାହିଁ । ଶକ୍ତି ଅପେକ୍ଷା ଆନ୍ତରିକତାର ମୂଲ୍ୟ ଢେର ବେଶୀ । ବିଦୂରର ଦାନ ବା କ’ଣ ଥିଲା ? ସାମାନ୍ୟ ଗୁଣ୍ଡୁଚି ମୁଷାଟିଏ ପିଠିରୁ ବାଲି ଗଣ୍ଡାଏ ଝାଡ଼ି ଦେଇ ପୁଣି ଅମର ହୋଇପାରିଛି । ସେହିପରି ସିନ୍ଧୁ ଗଢ଼ିବାରେ ମୁଁ ମୋ ଜୀବନରେ ଯେଉଁ ବିନ୍ଦୁ ଟିକକ ଦେଇପାରିଛି, ଗୋଟାଏ କଲମ ଓ ଟୋପାଏ କାଳି ସାହାଯ୍ୟରେ ସେତିକି ପ୍ରକାଶ କରିଦେବା ବୋଧହୁଏ ଅସମଚୀନ ହେବ ନାହିଁ ।’’ (ଗ୍ରନ୍ଥାବଳୀ, ପୃ.୨)

୧୧.

ଶ୍ରୀଯୁକ୍ତ ମନମୋହନ ଚୌଧୁରୀ ତାଙ୍କର ଆତ୍ମଜୀବନୀ ‘କସ୍ତୁରୀ ମୃଗସମ’ (୧୯୯୫)ରେ ସୂଚାଇ ଅଛନ୍ତି – ‘‘ଏ ଆତ୍ମକଥା ଲେଖିବାର ତିନୋଟି ଉଦ୍ଦେଶ୍ୟ – ଏକରେ, ଅତୀତର ଏକ ସମୀକ୍ଷା ଭବିଷ୍ୟତର ପଥକୁ ଆଲୋକିତ କରିବା ପାଇଁ, ଦୁଇରେ ଋଣ ସ୍ୱୀକାର, ତିନିରେ ପ୍ରତ୍ୟେକ ବ୍ୟକ୍ତିର ଜୀବନରୁ, ଅଭିଜ୍ଞତାରୁ ସେ ଯେତେ ଅକିଞ୍ଚନ ହୋଇଥାଉ ପଛେ, ଅନ୍ୟମାନଙ୍କର କିଛି ଶିଖିବାର ଥାଏ ।

 

ଏଗୁଡ଼ିକ ହେଉଛି ଆତ୍ମଜୀବନୀକାରଙ୍କ ସ୍ୱୀକାରୋକ୍ତି । ଆତ୍ମଜୀବନୀ, ସ୍ମୃତିଚିତ୍ର ନୁହେଁ, ଏହା ହେଉଛି ବୃହତ୍ତର ଜୀବନର ଆଲେଖ୍ୟ ।

 

-ତିନି-

 

ବର୍ତ୍ତମାନ ‘ଓଡ଼ିଆ ଆତ୍ମଜୀବନୀ’ର ଧାରା ସମ୍ପର୍କରେ ଆଲୋକପାତ କରାଯାଉ । ଓଡ଼ିଆ ସାହିତ୍ୟରେ ବହୁ ଆତ୍ମଜୀବନୀ ରଚିତ ହୋଇଅଛି । ଗାଳ୍ପିକ, ଔପନ୍ୟାସିକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆତ୍ମଜୀବନୀ (୧୯୨୭) ଓଡ଼ିଆ ଜୀବନୀ ସାହିତ୍ୟରେ ସର୍ବପ୍ରଥମ ଓ ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏଥିରେ ସେ ନିଜେ ଜୀବନର ପରିପୂର୍ଣ୍ଣ ଚରିତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସେତେବେଳର ପାରିପାର୍ଶ୍ୱିକ ଘଟଣା ପ୍ରବାହର ଚିତ୍ର ପ୍ରଦାନ କରିଛନ୍ତି । ସୁଗୁଣର ପ୍ରଚାର ତଥା ପ୍ରକାଶ ସଙ୍ଗେ ସଙ୍ଗେ ଜୀବନର କେତେକ ଦୋଷ ଦୁର୍ବଳତା ବିନା ଦ୍ୱିଧାରେ ପ୍ରକାଶ ସହିତ ବହୁ ବିଚିତ୍ର ଅନୁଭୂତି ଓ ଆକର୍ଷଣୀୟତାରେ ଘଟଣାର ସମାବେଶ କରିଛନ୍ତି । ବିଶିଷ୍ଟ ସମାଲୋଚକ ଡକ୍ଟର ନଟବର ସାମନ୍ତରାୟ ତାଙ୍କର ‘ଓଡ଼ିଆ ସାହିତ୍ୟର ଇତିହାସ’ ଗବେଷଣାମୂଳକ ଗ୍ରନ୍ଥରେ ‘ଫକୀରମୋହନଙ୍କ ଆତ୍ମଚରିତ’ ବିଶ୍ଳେଷଣ ଓ ସେଥିରେ ଥିବା ଶିଳ୍ପ – ପରିବେଷଣ ହେଉଛି ତାଙ୍କ ସୃଷ୍ଟି ଚରିତ ରୂପାୟନ କୌଶଳର ପ୍ରଧାନ ପୃଷ୍ଠଭୂମି । ଏହି ସୃଷ୍ଟି କୌଶଳ ହେତୁ ଆତ୍ମଜୀବନ ଚରିତ୍ର ଏକ ସାଧାରଣ ମାମୁଲ ଜୀବନ ଚରିତ ପରିବର୍ତ୍ତେ ହୋଇଉଠିଛି ଶୈଳ୍ପିକ ସୌନ୍ଦର୍ଯ୍ୟ ଦ୍ୟୋତକ, ଉପନ୍ୟାସ ଧର୍ମୀ ଏକ ସ୍ୱତନ୍ତ୍ର ସୃଷ୍ଟି ତାଙ୍କ ଗଳ୍ପ ଉପନ୍ୟାସରେ ଥିବା ଚରିତ୍ରମାନଙ୍କ ଅନ୍ତଃସୌନ୍ଦର୍ଯ୍ୟ ଅବବୋଧ ପାଇଁ ତାହା ଯେପରି ଏକ ନିର୍ଭୁଲ ଓ ଅଭ୍ରାନ୍ତ ଭୂମିକା ।’’ ବାସ୍ତବିକ ସମଗ୍ର ଓଡ଼ିଶାର ଇତିହାସ ହିଁ ଫକୀରମୋହନଙ୍କ ଆତ୍ମଚରିତ ।

 

‘ଓଡ଼ିଆ ଭାଷାର ସଂକଟ’ ପରିଚ୍ଛେଦରେ ଓଡ଼ିଆ ଭାଷାକୁ ଉଠାଇ ଦେଇ ବଙ୍ଗଳା ଭାଷା ପ୍ରଚଳନ ନିମିତ୍ତ ପ୍ରଚେଷ୍ଟା ଏବଂ ରେଭେନ୍ସା ସାହେବଙ୍କର ଓଡ଼ିଆ ଭାଷା ପ୍ରତି ଅନୁକୂଳ ମତ ପ୍ରଭୃତି ପ୍ରକାଶ ପାଇଛି । ତେଣୁ ସରକାରଙ୍କଠାରୁ ହୁକୁମ ଆସିଥିଲା ‘‘ଓଡ଼ିଶାର ସମସ୍ତ ସ୍କୁଲରୁ ବଙ୍ଗଭାଷା ସମ୍ପୂର୍ଣ୍ଣ ରୂପେ ଉଠାଇ ଦିଆଯାଉ ଏବଂ ଉତ୍କଳ ଭାଷାର ବହୁଳ ପ୍ରଚାର ନିମନ୍ତେ ସ୍ଥାନେ ସ୍ଥାନେ ସ୍କୁଲ ସ୍ଥାପିତ ହେଉଛି ।’’ ଫକୀରମୋହନଙ୍କ ଜୀବନକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କଲେ ତାହା ହେବ ଯଥା – ବ୍ୟକ୍ତିଗତ ଜୀବନ, ସାହିତ୍ୟକ ଜୀବନ ଓ ପ୍ରଶାସକ ଜୀବନ । ତାଙ୍କ ଆତ୍ମଚରିତଟି ଆମ ପରମ୍ପରା, ନୂତନ ସଭ୍ୟତା ଏବଂ ସଂଘର୍ଷର ସ୍ୱରଲିପି ବହନ କରିଛି । ‘‘ଓଡ଼ିଶାର ଉପକୂଳରେ ନୌବାଣିଜ୍ୟ, ଓଡ଼ିଆ ଭାଷା ଲୋପ ଆନ୍ଦୋଳନ, ଲୋମହର୍ଷଣକାରୀ ନ’ଅଙ୍କ ଦୁର୍ଭିକ୍ଷ, ଗଡ଼ଜାତର ଅନ୍ଧାରୀ ଶାସନ, ସାହେବ କର୍ମଚାରୀମାନଙ୍କର ଆଚରଣ ପ୍ରଭୃତି ଅତ୍ୟନ୍ତ ନିପୁଣ ଲେଖନୀରେ ବର୍ଣ୍ଣିତ ହୋଇଅଛି ।’’ (ଜୀବନୀ ସାହିତ୍ୟ : ଏକ ଅଧ୍ୟୟନ, ପୃ.୮୭) ଫକୀରମୋହନଙ୍କ ଆତ୍ମଜୀବନ ଚରିତରେ ଲଜ୍ଜାହୀନ, ନିଃସଙ୍କୋଚନ ଆତ୍ମକଥନ, ଆତ୍ମ-ପାପ-ସ୍ୱୀକରଣରୁ ତାଙ୍କ ବଳିଷ୍ଠ ମାନବିକତାର ପରିଚୟ ମିଳେ । (ଓଡ଼ିଆ ସାହିତ୍ୟର ଇତିହାସ – ନଟବର ସାମନ୍ତରାୟ, ପୃ, ୩୮୩) କିନ୍ତୁ ଏହି ପ୍ରକାଶିତ ଆତ୍ମଚରିତଟି ମୌଳିକ ଲେଖାର ବିକୃତ ରୂପାନ୍ତର, ଯାହାକୁ ମୋହିନୀ ମୋହନ ସେନାପତି ମୂଳଲେଖାକୁ କାଣ୍ଟଛାଣ୍ଟ କରି ପ୍ରକାଶ କରିଥିଲେ । ତେଣୁ ଡକ୍ଟର ମାୟାଧର ମାନସିଂହ ପ୍ରଖ୍ୟାତ ସହକାର ମାସିକ ପତ୍ରରେ ‘ଫକୀରମୋହନଙ୍କ ଅଙ୍ଗକର୍ତ୍ତନ’ ଶିରୋନାମାରେ ପ୍ରତିବାଦ କରି ଲେଖା ପ୍ରକାଶ କରିଥିଲେ । (ସହକାର, ୧୩ଶ ଭାଗ/୫ମ ସଂଖ୍ୟା) ଏହି ଆତ୍ମ ଚରିତଟି ସୁସମ୍ପାଦନ ହେଲେ ଅନେକ ତଥ୍ୟ ସହିତ ମୂଳଲେଖାର ସୌନ୍ଦର୍ଯ୍ୟ ଉପଲବ୍ଧ ହେବ ଏବଂ ତାହା କେବଳ ଓଡ଼ିଆ ସାହିତ୍ୟ ନୁହେଁ ଭାରତୀୟ ସାହିତ୍ୟର ହେବ ଅମୂଲ୍ୟ ସମ୍ପଦ ।

 

ଏହାପରେ ଆତ୍ମଜୀବନୀ ଲେଖିବା ପ୍ରାୟ ନୀରବ ହୋଇ ଯାଇଥିଲା । ଓଡ଼ିଆ ସାହିତ୍ୟର ଦ୍ୱିତୀୟ ଆତ୍ମଜୀବନୀ ହେଉଛି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର, ଯାହା ୧୯୪୧-୪୫ ମଧ୍ୟରେ ରଚିତ ହୋଇଥିବା ଅନୁମାନ କରାଯାଏ । କାରଣ ଏହା ଏକ ଅସମ୍ପୂର୍ଣ୍ଣ ଆତ୍ମଜୀବନୀ । ଏଥିରେ ଜମିଦାରୀର ବିଭିନ୍ନ ଚଳଣି, ଇଂରେଜ ପଢ଼ା ଶିକ୍ଷିତ ଯୁବକମାନଙ୍କର କୁସଙ୍ଗରେ ପଡ଼ି ପଥଭ୍ରଷ୍ଟ ହେଉଥିବାର ଉଦାହରଣ ଦେଖିବାକୁ ମିଳେ । ୩୦ ବର୍ଷ କାଳ କଠୋର ସାଧନା ଦ୍ୱାରା ଯେଉଁ ପ୍ରହରାଜ ବିଶାଳ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରସ୍ତୁତ କରି ପାରିଥିଲେ, ଯାହା ଓଡ଼ିଆ ଭାଷାର ଅମୂଲ୍ୟ ସମ୍ପଦ, ତାଙ୍କଦ୍ୱାରା ଳିଖିତ ଆତ୍ମଜୀବନୀ ନିଶ୍ଚିତ ଭାବରେ ରସାପ୍ଳୁତ ଆଲେଖ୍ୟ ଏଥିରେ ସନ୍ଦେହ ନାହିଁ ।

 

‘ପ୍ରସିଦ୍ଧ ଦସ୍ୟୁ ବିହାରୀ ନାୟକଙ୍କର ଆତ୍ମ କାହାଣୀ’ (୧୯୩୮) ବ୍ରଜସୁନ୍ଦର ଦାସଙ୍କ ‘ମୁକୁର’ ପ୍ରେସରେ ମୁଦ୍ରିତ ଓ ପ୍ରକାଶିତ । ଜଣେ ଦସ୍ୟୁର ଆତ୍ମଜୀବନୀ ପ୍ରକାଶ ପାଇବା ଏକ ବ୍ୟତିକ୍ରମ ଏବଂ ନୂତନ ପ୍ରଚେଷ୍ଟା । କାରଣ ସାଧାରଣତଃ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ସେମାନଙ୍କର ଆତ୍ମଜୀବନୀ ରଚନା କରିଥାଆନ୍ତି, ସେମାନଙ୍କର ବିଭିନ୍ନ ଉଦ୍ଦେଶ୍ୟ ନେଇ । ଅଥଚ ଜଣେ ପ୍ରସିଦ୍ଧ ଦସ୍ୟୁ ନିଃସକୋଚରେ ନିଜର ସମସ୍ତ ଦୋଷକୁ ସ୍ୱୀକାର କରିବା ଓଡ଼ିଆ ଆତ୍ମଜୀବନୀ ସାହିତ୍ୟରେ ଏକ ବଳିଷ୍ଠ ପଦକ୍ଷେପ । ଏହା ହେଉଛି ଓଡ଼ିଆ ଆତ୍ମଚରିତ ରଚନାରେ ଦ୍ୱିତୀୟ ପଦକ୍ଷେପ । ଦସ୍ୟୁ ବିହାରୀ ସାହସୀ ଓ ବୁଦ୍ଧିମାନ ଥିଲେ । ‘‘ଶିଶିବାଈକୁ ଆପଣାର କରିବା ପାଇଁ ଏବଂ ଆପଣା କାମନାର ଚରିତାର୍ଥ ପାଇଁ ସେ ଅସାଧୁ ଉପାୟ ଅବଲମ୍ବନ କରିଥିବା ବିଷୟ ଉଲ୍ଲେଖ କରିଛନ୍ତି ।’’ (ଓଡ଼ିଆ ଚରିତ ସାହିତ୍ୟ – ପୃ.୩୪୦) ଘୃଣ୍ୟକାମ କଲେ ମଧ୍ୟ, ତାଙ୍କ ହୃଦୟରେ ରୋଗୀ, ଅଭାବୀ ବ୍ୟକ୍ତିମାନଙ୍କ ପାଇଁ ଥିଲା ଅଶେଷ ଦୟା, କରୁଣା । ତେଣୁ ସେ ସେମାନଙ୍କୁ ଦାନ ମଧ୍ୟ ଦେଉଥିଲେ । ପରିବେଶ ହିଁ ତାଙ୍କର ସ୍ୱଭାବ, ବିଚିତ୍ର ଓ ଭାଗ୍ୟ ପରିବର୍ତ୍ତନ କରିଦେଇଛି । ଏପର୍ଯ୍ୟନ୍ତ ଓଡ଼ିଆ ଆତ୍ମଜୀବନୀ ସାହିତ୍ୟରେ ଅନ୍ୟ କୌଣସି ଦସ୍ୟୁର ଆତ୍ମଚରିତ ପ୍ରକାଶ ପାଇନାହିଁ ।

 

ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଗୋବିନ୍ଦ ଚନ୍ଦ୍ର ମିଶ୍ର (୧୮୯୦)ଙ୍କ ଲିଖିତ ଆତ୍ମଜୀବନୀ ‘ଜାତୀୟ ଜୀବନର ଆତ୍ମବିକାଶ’ (୧୯୪୦) ପ୍ରକାଶିତ ହୋଇଥିଲେ ହେଁ ଏହାର ଦ୍ୱିତୀୟ ସଂସ୍କରଣ ୧୯୬୭ ମସିହାରେ ପ୍ରକାଶିତ । ସ୍ୱାଧୀନତା ଆନ୍ଦୋଳନର ଚରମ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର । ତତ୍କାଳନୀ ଗଡ଼ଜାତ ଅଞ୍ଚଳର ଆର୍ଥିକ ଓ ସାମାଜିକ ବ୍ୟବସ୍ଥା, ଶାସନ ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା ପ୍ରଭୃତି ସମ୍ପର୍କରେ ଏଥିରେ ବର୍ଣ୍ଣନା କରିଅଛନ୍ତି । ସେ ଦିନବନ୍ଧୁ ଅଣ୍ଡୃଜ ଏବଂ ମହାତ୍ମାଗାନ୍ଧୀଙ୍କ ସମ୍ପର୍କରେ ମଧ୍ୟ ଆସିଥିଲେ । ଏହି ଆତ୍ମଜୀବନଟି ହେଉଛି ପ୍ରଥମ ରାଜନୀତିଜ୍ଞ ବ୍ୟକ୍ତିଙ୍କର ଆତ୍ମଜୀବନୀ । ଏହା ହେଉଛି ସ୍ୱାଧୀନତା ସଂଗ୍ରାମର ବିବରଣୀ । ରାଣୀ ଦୁର୍ଗାବତୀ ନିଜ ରାଜ୍ୟର ସ୍ୱାଧୀନତା ରକ୍ଷା ପାଇଁ ଯେଉଁ ଲଢ଼େଇ କରିଥିଲେ ତାହା ତାଙ୍କ ଆଖି ଆଗରେ ନାଚି ଉଠିଥିଲା । ସ୍ୱାଧୀନତା ପ୍ରାପ୍ତିର ଦୁର୍ବାର ଆକାଙ୍‌କ୍ଷା ତେଣୁ ତାଙ୍କ ମନରେ ସୃଷ୍ଟି ହୋଇଥିଲା ।

 

ତତ୍ପରେ ୧୯୪୯ ମସିହାରେ ହରେକୃଷ୍ଣ ମହତାବଙ୍କ ଆତ୍ମଚରିତ ‘ସାଧନାର ପଥେ’ ପ୍ରକାଶିତ ହୁଏ । ତାଙ୍କର ଅଭିଜ୍ଞତା ଓ ସାଧନା ଏଥିରେ ପ୍ରକାଶ ପାଇଛି । ସେ ପ୍ରକାଶ କରିଛନ୍ତି ଯ, ‘‘ନିଜ ଜୀବନର ଅତୀତର ଅନୁଭୂତି ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ଅଛି । x x x ଏହିସବୁ ବିଚାରରୁ ମୋର ଜୀବନ କାହାଣୀ ଲେଖା ।’’ (ସାଧନାର ପଥେ, ୧୯୪୮, ପୃ.୨) ଏଥିରେ ସ୍ୱାଧୀନତା ପ୍ରାପ୍ତିର ପୃଷ୍ଠଭୂମି ଯଥା – ଲୁଣମରା ଆନ୍ଦୋଳନ, ଗାନ୍ଧିଜୀଙ୍କର ଉତ୍କଳ ପଦଯାତ୍ରା, ଓଡ଼ିଶାର ରାଜନୀତିକ ବାତାବରଣ, ‘ଭାରତଛାଡ଼’ ଆନ୍ଦୋଳନ ପ୍ରଭୃତି ବର୍ଣ୍ଣନା କରାଯାଇଛି । ଏହି ଗ୍ରନ୍ଥ ହେଉଛି ତାଙ୍କ ରାଜନୀତିକ ଜୀବନର ସାର୍ଥକ ପ୍ରତିଲିପି ।

 

୧୯୫୫ ମସିହାରେ ପ୍ରକାଶିତ ହୁଏ ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ ‘ପାଣୀ କବିଙ୍କର ଆତ୍ମକାହାଣୀ’ । ଏ ସମ୍ପର୍କରେ ଅନେକ ବାଦ ବିବାଦ ଥିଲେ ମଧ ସେ ଯେ, ନୈସର୍ଗିକ କବି ପ୍ରତିଭାର ଅଧିକାରୀ ଥିଲେ, ତାହା ଅସ୍ୱୀକାର କରିହେବ ନାହିଁ । ଏଥିରେ ଅଛି ତାଙ୍କ ଅଙ୍ଗଲିଭା କାହାଣୀ । ତାହା ଶାଳୀନତା ଓ ରୁଚିବୋଧ ଦୃଷ୍ଟିରୁ ଉଚିତ୍ ହୋଇ ନ ପାରେ ; ଜୀବନଚରିତର ମୂଲ୍ୟବୋଧ ଦୃଷ୍ଟିରୁ ଗ୍ରହଣୀୟ ନ ହୋଇପାରେ ତଥାପି ତତ୍କାଳୀନ ସମାଜର ଅନେକ ଚିତ୍ର ପ୍ରତିଫଳିତ ହୋଇଅଛି । ଏଥିପାଇଁ ତାଙ୍କ କଠୋର ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ଏକବିଂଶ ଶତାବ୍ଦୀରେ ମଧ୍ୟ ପ୍ରକାଶିତ ଆତ୍ମଜୀବନୀରେ ଏପରି ଅଶାଳୀନ, ଅରୁଚିବୋଧ ଲେଖା ପ୍ରକାଶ ପାଇଛି ।

 

ପ୍ରାୟ ୨୨୫ରୁ ଉର୍ଦ୍ଧ୍ୱ ଆତ୍ମଜୀବନୀ ଇତିମଧ୍ୟରେ ପ୍ରକାଶିତ ହୋଇସାରିଛି । ସେସବୁର ଗୋଟି ଗୋଟି କରି ଆଲୋଚନା କରିବା ଏଠାରେ ସମ୍ଭବ ନୁହେଁ । ତେବେ ପ୍ରକାଶିତ ଆତ୍ମଜୀବନୀଗୁଡ଼ିକୁ କେତୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପରେ । ଯଥା – (୧) ସାହିତ୍ୟିକ, (୨) ରାଜନୈତିକ, (୩) ସମାଜ ସଂସ୍କାରକ, (୪) ଶିକ୍ଷାବିତ୍‍, (୫) ସମାଜସେବୀ ।

 

ସାହିତ୍ୟିକମାନଙ୍କର ଆତ୍ମଜୀବନୀ ବିଶେଷ ଉଲ୍ଲେଖଯୋଗ୍ୟ । ବ୍ୟାସକବି ଫକୀରମୋହନଙ୍କ ଠାରୁ ଆରମ୍ଭ କରି ବହୁ ଲେଖକ ଆତ୍ମଚରିତ ରଚନା କରିଛନ୍ତି । ଏଥିରେ ସାହିତ୍ୟିକ ସମ୍ପର୍କ ସହିତ ତତ୍‌କାଳୀନ ସମାଜର କଥା ମଧ୍ୟ ପ୍ରତିଫଳିତ ହୋଇଅଛି । ଏଥିମଧ୍ୟରେ ଅଛନ୍ତି ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ଯାତ୍ରାକାର ପ୍ରଭୃତି । ସେଗୁଡ଼ିକ ହେଲା ଫକୀର ମୋହନଙ୍କ ଆତ୍ମଚରିତ (୧୯୨୭), ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଆତ୍ମଜୀବନୀ (୧୯୪୧), (ପ୍ରକାଶିତ ୧୯୭୦), ଚିନ୍ତାମଣି ମହାନ୍ତିଙ୍କ ‘ଜୀବନପଞ୍ଜିକା’ (୧୯୪୦) (ପ୍ରକାଶିତ ୧୯୭୦), ବୈଷ୍ଣବ ପାଣିଙ୍କ ‘ଆତ୍ମକାହାଣୀ’ (୧୯୫୫), କୁଞ୍ଜବିହାରୀ ଦାସଙ୍କ ‘ମୋ କାହାଣୀ’ (୧୯୬୬), କାଳୀଚରଣ ପଟ୍ଟନାୟକଙ୍କ ‘କୁମ୍ଭାର ଚକ’ (୧୯୭୫), ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ‘ଆତ୍ମଚରିତ’ (ଅସମ୍ପୂର୍ଣ୍ଣ) ୧୯୭୭, କୃଷ୍ଣଚନ୍ଦ୍ର କରଙ୍କ ‘ହଜିଲା ଦିନର ସ୍ମୃତି’ (୧୯୯୧), ଫତୁରାନନ୍ଦଙ୍କ ‘ମୋ ଫୁଟା ଡଙ୍ଗାର କାହାଣୀ’ (୨୦୦୦), ସୀତାଦେବୀ ଖାଡ଼ଙ୍ଗାଙ୍କ ‘ମୋ ଜୀବନ ସ୍ମୃତି’ (୧୯୭୮), ଉଦୟନାଥ ଷଡ଼ଙ୍ଗୀଙ୍କ ‘ଗାନ୍ଧୀ ମହାରାଜାଙ୍କ ଶିଷ୍ୟ’ (୧୯୮୪), ଭଞ୍ଜକିଶୋର ପଟ୍ଟନାୟକଙ୍କ ‘ଜୀବନର ଜୟଯାତ୍ରା’, ପ୍ରଫୁଲ୍ଲ କୁମାର ରଥଙ୍କ ‘ମୋ ଖେଳଘର’ (୧୯୮୮), କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ଅଙ୍ଗେ ଯାହା ନିଭାଇଛି’ (୧୯୭୩), ଗୋପୀନାଥ ମହାନ୍ତିଙ୍କ ‘ସ୍ରୋତସ୍ୱତୀ’ (୧୯୯୨), ଗୋପାଳ ଛୋଟରାୟଙ୍କ ‘ପଥିକ’ (୧୯୯୫), ସଚ୍ଚି ରାଉତରାୟଙ୍କ ‘ଉତ୍ତର କକ୍ଷ’ (୧୯୯୮), ମନୋରଞ୍ଜନ ଦାସଙ୍କ ‘ସ୍ମୃତି ସଂଳାପ’ (୧୯୯୯), ମଙ୍ଗଳୁଚରଣ ବିଶ୍ୱାଳଙ୍କ ‘ହଜିଲା ଦିନର ସ୍ମୃତି’ (୨୦୦୦), ବୈକୁଣ୍ଠନାଥ ରଥଙ୍କ ‘ଗବାକ୍ଷ’ (୧୯୯୯), ଚିତ୍ତରଞ୍ଜନ ଦାସଙ୍କ ‘ରୋହିତର ଡାଏରୀ’ (୧୯୮୪) ଓ ‘ମିତ୍ରସ ଚକ୍ଷୁସା’, ରାଜକିଶୋର ରାୟଙ୍କ ‘ଆଦ୍ୟପ୍ରାଣ ଚିନ୍ମୟ’, କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ‘ନୀରବ କବିଟିଏ’, ଉପେନ୍ଦ୍ର ତ୍ରିପାଠୀଙ୍କ ‘ଗୋଟାଏ କଲମ ଟୋପାଏ କାଳି’, କାର୍ତ୍ତିକ କୁମାର ଘୋଷଙ୍କ ‘ମୋ ନଟ ଜୀବନ’, ଦୀନବନ୍ଧୁ ଦାସ (ଟୀମା)ଙ୍କ ‘କଳାକାରର କାହାଣୀ’ (୨୦୦୦), ହୃଦାନନ୍ଦ ରାୟଙ୍କ’ ଜାଣେ ଅନୁଭବୀ ଅନୁଭବରେ’ (୨୦୦୨), ମାୟାଧର ମାନସିଂହଙ୍କ ‘ଶିକ୍ଷାବିତର ଗାଥା’, କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ମୋ ସମୟର ଓଡ଼ିଶା’, ସତ୍ୟ ନାରାୟଣ ରାଜଗୁରୁଙ୍କ ‘ମୋ ଜୀବନ ସଂଗ୍ରାମ’, ଜାନକୀ ବଲ୍ଲଭ ମହାନ୍ତିଙ୍କ ‘ଏକାକୀ ପଥିକ’ (୨୦୦୦), ଡ. ଦେବୀ ପ୍ରସାଦ ପଟ୍ଟନାୟକଙ୍କ ‘ଅନେକ ଜୀବନ’ (୨୦୦୪) ପ୍ରଭୃତି ।

 

କୁଞ୍ଜବିହାରୀ ଦାଶ ‘ମୋ କାହାଣୀ’ରେ ଜଣେ ସଂସ୍କୃତି ସମ୍ପନ୍ନ, ଜାତିପ୍ରେମୀ ନୀରବ ସାହିତ୍ୟ ସାଧକ ଭାବରେ ଘୋଷଣା କରନ୍ତି – ‘‘ଗ୍ରାମରୁ ଗ୍ରାମାନ୍ତର ମୋର ପଦଯାତ୍ରା, ମୋ ଜାତିର ସଂସ୍କୃତିର ଗଙ୍ଗୋତ୍ରୀ ଆବିଷ୍କାର ଲାଗି, ମୋ ଜାତିର ଜୀବନ କେତେ ବିସ୍ତୃତ, ତାର ରସଧାରା କେତେ ଗଭୀର, ତା’ର ପ୍ରାଣ ପ୍ରାଚୁର୍ଯ୍ୟ କେତେ ଦିଗ ଦିଗନ୍ତ ବ୍ୟାପୀ, ତା’ର ଅନୁଭବ କେତେ ସୁକ୍ଷ୍ମ, ତା’ର ମାନବିକତା କେତେ ସ୍ୱଚ୍ଛନ୍ଦ, ତା’ର ଅନ୍ତର୍ଲୋକ କେତେ ଉଜ୍ଜ୍ୱଳ, ହୃଦୟଙ୍ଗମ କଲି ।’’ (ମୋ କାହାଣୀ – ୧୯୭୬, ପୃ.୨୮୯) ଏଥିରୁ ତାଙ୍କର ସ୍ୱାଭିମାନ ସ୍ପଷ୍ଟ ହୁଏ ।

 

‘‘କବି ଜୀବନଠୁଁ ବଳି ସୁନ୍ଦର ଜୀବନ ଆଉ ପୃଥିବୀରେ ନାହିଁ’ – ଏହା ପ୍ରକୃତରେ ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଭଳି ଜଣେ ଆଦର୍ଶ ଶିକ୍ଷକ ଓ ନୀରବ କବିର ଉଚ୍ଚାରଣ । (ନୀରବ କବିଟିଏ, ପୃ. ୩୧)

 

ଶିକ୍ଷାବିତ୍‍ମାନଙ୍କର ଆତ୍ମଚରିତଗୁଡ଼ିକ ବେଶ୍ ଶିକ୍ଷଣୀୟ । ସେଥିମଧ୍ୟରେ ରାମକୃଷ୍ଣ ନନ୍ଦଙ୍କର ‘ଜୀବନ ତରଙ୍ଗ’ (୧୯୬୯), ବନମାଳୀ ବ୍ରହ୍ମଚାରୀଙ୍କ ‘ଜଣେ ଶିକ୍ଷକର ନିଜ କଥା’ (୧୯୭୩), ଅଧିରାଜ ମୋହନ ସେନାପତିଙ୍କର ‘ଦୃଷ୍ଟିପାତ’ (୧୯୬୫), ଚନ୍ଦ୍ରଶେଖର ମିଶ୍ରଙ୍କ ‘ସତ୍ୟବାଦୀରେ ସାତବର୍ଷ’ (୧୯୬୬), ମନ୍ମଥନାଥ ଦାସଙ୍କ ‘ଜୀବନର ପଥପ୍ରାନ୍ତେ’, ଡ଼. ପ୍ରାଣକୃଷ୍ଣ ପରିଜାଙ୍କ ‘ମୋ ଛାତ୍ର ଜୀବନ’ (୧୯୮୪), ଡକ୍ଟର ରାଧାନାଥ ରଥଙ୍କ ‘ମୋ ସ୍ୱପ୍ନ ମୋ ଜୀବନ’ (୧୯୮୯), କାଳିପ୍ରସାଦ ମିଶ୍ରଙ୍କ ‘ଆତ୍ମକଥା’ (୨୦୦୧), ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶଙ୍କୁ ‘ମୋ ଅକୁହା କାହାଣୀ’ (୨୦୦୩), ଡକ୍ଟର ବିଦ୍ୟାଧର ମିଶ୍ରଙ୍କ ‘ଜୀବନ ଗଙ୍ଗୋତ୍ରୀ, ‘ଗାଁ ମାଟି ଓ ବିଂଶ ଶତାବ୍ଦୀର ଓଡ଼ିଶା : ମୋ ଅନୁଭୂତି’, ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କ ‘ସ୍ମୃତିତୀର୍ଥ’, ମନ୍ମଥନାଥ ଦାସଙ୍କ ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ’, ଶ୍ରୀଧର ଦାସଙ୍କ ‘ସୁଅ ମୁହଁରେ ପତର’ (୧୯୮୦), ଭୁବନେଶ୍ୱର ବେହେରାଙ୍କ ‘ଗାଁର ଡାକ’ (୧୯୯୭), ହୃଦାନନ୍ଦ ରାୟଙ୍କ ‘ଜାଣେ ଅନୁଭବୀ ଅନୁଭବରେ’ (୨୦୦୨) ପ୍ରଭୃତି ଉଲ୍ଲେଖଯୋଗ୍ୟ । ରାମକୃଷ୍ଣ ନନ୍ଦ ଲେଖିଅଛନ୍ତି – ‘‘ଜୀବନ ଗଢ଼ିବାରେ ଯେଉଁ ଆନନ୍ଦ, କାବ୍ୟ ବା କୀର୍ତ୍ତି ନିର୍ମାଣର ଆନନ୍ଦଠାରୁ ତାହା ଉଣା ନୁହେଁ ।’’ (ଜୀବନ ତରଙ୍ଗ – ମୂଳକଥା ପୃ.କ) ଏଥିରୁ ଜଣେ ଶିକ୍ଷକର ନିଷ୍ଠା, ସାଧନା, ଆତ୍ମପ୍ରତ୍ୟୟ, ଚରିତ୍ରବତ୍ତାର ସୂଚନା ମିଳେ ।

 

ସମାଜର ଯେଉଁ କେତେଜଣ ସଂସ୍କାରକ ତଥା ସମାଜେସବକ ସେମାନଙ୍କର ଆତ୍ମକାହାଣୀ ରଚନା କରିଅଛନ୍ତି ସେଗୁଡ଼ିକ ହେଲା ଲକ୍ଷ୍ମୀନାରାୟଣ ସାହୁଙ୍କ ‘ମୋର ବାରବୁଲା ଜୀବନ’ (୧୯୬୮), ବୈରାଗୀ ଚରଣ ମିଶ୍ରଙ୍କ ‘ସ୍ୱଭାବ ନିୟତ ଜୀବନ ଯୁଦ୍ଧ’ (୧୯୬୯), ଶ୍ରୀବତ୍ସ ପଣ୍ଡାଙ୍କ ‘ଆତ୍ମଚରିତ’ (୧୯୫୯), ରମାଦେବୀଙ୍କ ‘ଜୀବନ ପଥେ’ (୧୯୮୪), ମନମୋହନ ଚୌଧୁରୀଙ୍କ ‘କସ୍ତୁରୀ ମୃଗସମ’ (୧୯୯୫), ଚନ୍ଦ୍ରଶେଖର ମିଶ୍ରଙ୍କ ‘ସତ୍ୟବାଦୀରେ ସାତବର୍ଷ’ (୧୯୬୬), ନାରାୟଣ ବୀରବର ସାମନ୍ତଙ୍କ ‘ଜୀବନ ସ୍ମୃତି’ ବୈକୁଣ୍ଠନାଥ ମହାନ୍ତିଙ୍କ ‘ସ୍ମୃତିର ସୁରଭି’ ପ୍ରଭୃତି । ଏଗୁଡ଼ିକ ହେଉଛି ସେମାନଙ୍କ ସଂଘର୍ଷମୟ ଜୀବନର ଆଲେଖ୍ୟ ।

 

ଦେଖାଯାଏ ଯେ, ଓଡ଼ିଆ ଆତ୍ମଜୀବନୀ ମଧ୍ୟରେ ରାଜନେତାଙ୍କର ଜୀବନୀ ଅଧିକ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ (୧୯୫୮), ସାହିତ୍ୟିକ ଓ ରାଜନେତା ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ଆତ୍ମଜୀବନୀ’ (୧୯୬୩), ପବିତ୍ର ମୋହନ ପ୍ରଧାନଙ୍କ ‘ମୁକ୍ତିପଥେ ସୈନିକ’ (୧୯୪୯), ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ‘ମୋ ଜୀବନ ସଂଗ୍ରାମ’ (୧୯୪୮), ନୀଳମଣି ରାଉତରାୟଙ୍କ ‘ସ୍ମୃତି ଓ ଅନୁଭୁତି’ (୧୯୮୭), ସାହିତ୍ୟିକ ତଥା ରାଜନୀତିଜ୍ଞ ସୁରେନ୍ଦ୍ର ମହାନ୍ତିଙ୍କ ‘ପଥ ଓ ପୃଥିବୀ’ (୧୯୮୭), ପ୍ରସନ୍ନ କୁମାର ଦାଶଙ୍କ ‘କର୍ମୀର ସାଧନା’ (୧୯୯୬), ଚିନ୍ତାମଣି ମିଶ୍ରଙ୍କ ‘ଅର୍ଦ୍ଧ ଶତାବ୍ଦୀର ଅନୁଭୂତି’ (୧୯୮୩), ନନ୍ଦ କିଶୋର ଦାସଙ୍କ ‘ମୋ ଜୀବନ ଜଞ୍ଜାଳ କାହାଣୀ’ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀରୁ ତାଙ୍କର ସଂଘର୍ଷମୟ ରାଜନୈତିକ ଜୀବନର ସ୍ୱରୂପ ଉଦ୍‌ଘାଟିତ ହୁଏ । ଆତ୍ମଜୀବନୀରେ ପଣ୍ଡିତ ଗୋଦାବରୀଶ ମିଶ୍ର ସମସ୍ତ ସତ୍ୟକଥା ପ୍ରକାଶ କରିଅଛନ୍ତି । ସେ ଲେଖିଛନ୍ତି, ‘‘ମୁଁ ଯାହା ଲେଖିବି ତାକୁ ପଢ଼ି କେହି ଯେ ଆନନ୍ଦ ବା ଦୁଃଖ ଅନୁଭବ କରିବେ, ସେଥିପାଇଁ ଲେଖିବି ନାହିଁ, ମନୁଷ୍ୟ କିପରି ନିଜ ଦୁର୍ବଳତାର ଦାସ, ତାହା ଦେଖାଇବାକୁ ଲେଖିବି ମାତ୍ର ।’’ (ପୃଷ୍ଠା ୬)

 

ଡ଼. ରାଧାନାଥ ରଥ ଗଣତାନ୍ତ୍ରିକ ସ୍ୱାଧୀନ ଭାରତର ରାଜନୀତିକୁ ଦେଖି ମନ୍ତବ୍ୟ ପ୍ରଦର୍ଶନ କରିଛନ୍ତି । ଯଥା- ‘‘କି ବିଭତ୍ସ ଏଇ ରାଜନୀତିର ରୂପ ବର୍ତ୍ତମାନ । ଡକାୟତମାନଙ୍କର ରାଜ୍ୟ ଶାସନ ଗଣତନ୍ତ୍ର ନାମରେ ଚାଲିଛି ।’’ (ମୋ ସ୍ୱପ୍ନ ମୋ ଜୀବନ – ଡ଼. ରାଧାନାଥ ରଥ, ପୃ.୩୭) ।

 

ରାଜନୀତି ସମ୍ପର୍କରେ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ମଧ୍ୟ ତାଙ୍କର ଅନୁଭୂତିକୁ ପ୍ରକାଶ କରି କୁହନ୍ତି ଯେ, ଭାରତବର୍ଷରେ ପ୍ରକୃତରେ କ’ଣ ରାଜନୀତି ହେଉଛି ? ଦୁର୍ନୀତିଗ୍ରସ୍ତ କାରବାର ନ କଲେ ସୁନାମକୁ ପାଥେୟ କରି କେହି ରାଜନୀତିରେ ଉଧେଇ ପାରିବେ ନାହିଁ । ରାଜନୀତି ସମ୍ପର୍କରେ ଏହା ହେଉଛି ସେମାନଙ୍କର ନିଚ୍ଛକ ଅଭିବ୍ୟକ୍ତି ।

 

‘ଓଡ଼ିଆ ଆତ୍ମଜୀବନୀ’ର ଗଠନ କଳା ସମ୍ପର୍କରେ ଦୃଷ୍ଟିପାତ କଲେ ଜଣାଯାଏ ଯେ, ଅନେକ ଆତ୍ମଜୀବନୀ କେତୋଟି ଖଣ୍ଡରେ ଲିଖିତ । ସେଗୁଡ଼ିକ ଗୋଟିଏ ନାମ କିମ୍ବା ବିଭିନ୍ନ ନାମରେ ନାମିତ ହୋଇଛି । କେତେକ ଖଣ୍ଡରେ ବିଭକ୍ତ ହୋଇଥିବା ଆତ୍ମଜୀବନୀଗୁଡ଼ିକ ହେଲା – ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ‘ଜାତୀୟ ଜୀବନର ଆତ୍ମ ବିକାଶ’ (୨ୟ ଖଣ୍ଡ), ପବିତ୍ର ମୋହନ ପ୍ରଧାନଙ୍କ ‘ମୁକ୍ତିପଥେ ସୈନିକ’ (୨ୟ ଖଣ୍ଡ), ଗୋପୀନାଥ ମହାନ୍ତିଙ୍କର ‘ସ୍ରାତସ୍ୱତୀ’ (୩ୟ ଖଣ୍ଡ), ଚିତ୍ତରଞ୍ଜନ ଦାସଙ୍କ ‘ମିତ୍ରସ୍ୟ ଚକ୍ଷୁସା‘’ (୩ ଭାଗ), ରବି ସିଂହଙ୍କର ‘ନିଃସଙ୍ଗ ପଦାତିକ’ (୩ ଭାଗ), ସଚ୍ଚି ରାଉତରାୟଙ୍କର ‘ଉତ୍ତରକକ୍ଷ’ (୨ଭାଗ), ମୁକ୍ତେଶ୍ୱର ପଟେଲଙ୍କର ‘ଏକ ନଗଣ୍ୟ ଆତ୍ମକାହାଣୀ’ (୨ଭାଗ), ଚିନ୍ତାମଣି ମିଶ୍ରଙ୍କର, ‘ଅର୍ଦ୍ଧଶତାବ୍ଦୀର ଅନୁଭୂତି’ (୨ୟ ଖଣ୍ଡ), ବଳରାମ ମହାନ୍ତିଙ୍କର ‘ସ୍ମୃତିର ସ୍ମୃତିଲିପି’ (୨ୟ ଖଣ୍ଡ) ପ୍ରଭୃତି ।

 

ବିଭିନ୍ନ ନାମରେ ପ୍ରକାଶିତ ହୋଇଥିବା ଆତ୍ମଜୀବନୀଗୁଡ଼ିକ ହେଲା ଯଥା – ଦୀନନାଥ ପାଠୀଙ୍କର ‘ଦିଗପହଣ୍ଡିର ଡ୍ରଇଁ ମାଷ୍ଟ୍ରେ’ (୧୯୯୦), ‘ପୁଞ୍ଜକୟାଁର ଫକୀର’ (୨୦୦୪), ‘ଚିଲିକା ପାଣିରେ ଛାଇ’ (୨୦୦୫), ଓ ‘ରୂପଜୀବିର ଡାଏରୀ’ (୨୦୦୯), ‘କଲେଜଟିଏ ଗଢ଼ିବାର ବେଳ’ (୨୦୧୩), ବିନୋଦ କାନୁନ୍‌ଗୋଙ୍କର ‘ପାଠ ପଛେ ପଛେ ଅପାଠୁଆ’ (୧୯୮୭) ଓ ‘ଋଣ ପରିଶୋଧ’ (୨୦୦୩), ସାତକଡ଼ି ହୋତାଙ୍କର ‘ମୋ ସମୟ’ (୧୯୯୮), ‘ଦୀର୍ଘ ରୋମାଞ୍ଚର ଯାତ୍ରା’ (୨୦୦୫) ଓ ‘ସ୍ମୃତିଲିପି’ (୨୦୦୮), ମନୋଜ ଦାସଙ୍କର ‘ସମୁଦ୍ର କୂଳର ଏକ ଗ୍ରାମ’ (୨୦୦୩) ଓ ‘ସ୍ମୃତିର ପ୍ରଦୀପ’ (୨୦୦୪), ଭାଗବତ ପ୍ରସାଦ ମହାନ୍ତିଙ୍କର ‘ସଂଗ୍ରାମର ସ୍ୱରଲିପି’ (୨୦୦୯), ଓ ‘ସ୍ୱରଲିପିର ସ୍ୱର’ (୨୦୦୯), ଅକ୍ଷୟ ମହାନ୍ତିଙ୍କର ‘ଆର୍ଯ୍ୟଦାସର ଆତ୍ମଲିପି’ (୨୦୦୨), ଓ ଆର୍ଯ୍ୟଦାସର ‘ଶେଷଲିପି’ (୨୦୦୩), ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କର ‘ପ୍ରେମ ଓ ପ୍ରତାରଣା’ (୨୦୧୦) ଓ ‘ପ୍ରେମ ଓ ପରିତାପ’ (୨୦୧୦), ଗଣେଶ୍ୱର ମିଶ୍ରଙ୍କ ‘ନିଜ ଠିକଣା) (୨୦୦୬), ଓ ‘ଆତ୍ମକଥା: ଜଣେ ପଥଭ୍ରାନ୍ତ ପରିବ୍ରାଜକର’ (୨୦୧୦), ଡକ୍ଟର ଶ୍ରଦ୍ଧାକର ସୁପକାରଙ୍କର ‘ମଧ୍ୟମ ପୁରୁଷ’ (୧୯୮୨), ଓ ‘ଅସ୍ତରାଗ’ (୧୯୯୩), ଗିରିଜା ଭୂଷଣ ପଟ୍ଟନାୟକଙ୍କର ‘ଜୀବନର ବାଟେଘାଟେ’ (୨୦୦୧) ଓ ‘ଜୀବନର ଜନପଥରେ’ (୨୦୦୭) ପ୍ରଭୃତି ।

 

ଆତ୍ମଜୀବନୀ ନିଶ୍ଚିତ ଭାବରେ ସାହିତର ଗୋଟିଏ ସ୍ୱୀକୃତ ବିଭାଗ । ଆତ୍ମଜୀବନୀରେ ଲେଖକର ଜୀବନର ଗୋଟିଏ ସଂଗଠିତ ବିବରଣୀ ପ୍ରକାଶ ପାଏ । କେତେବେଳେ ଏହି କଥନ ଭଙ୍ଗୀ ସିଧାସଳଖ ତ ପୁଣି କେତେବେଳେ ଶୈଳୀ ଅନୁଭୂତିର କଳାତ୍ମକ ରୂପ ନେଇଛି । ସେଥିରେ ସ୍ଥାନ ପାଇଛି କବିତା, ବିଭିନ୍ନ ଚିଠି ପ୍ରଭୃତି । ଓଡ଼ିଆ ଆତ୍ମଜୀବନୀ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହି ଆତ୍ମଜୀବନୀଗୁଡ଼ିକ ନାମକରଣରେ ବିଭିନ୍ନ କାବ୍ୟିକ ରୂପରେ ରୂପାୟିତ ହୋଇଛି । ଯଥା- କାବ୍ୟାମୃତ ଅନୁଭବ (୨୦୦୫-ଅନ୍ନପୂର୍ଣ୍ଣା ମହାରଣା), କସ୍ତୁରୀ ମୃଗସମ (ମନମୋହନ ଚୌଧୁରୀ- ୧୯୯୫), ସ୍ମୃତିର ସୁରଭି (ବୈକୁଣ୍ଠନାଥ ମହାନ୍ତି) ୧୯୮୫), ଜୀବନର ଜୟଯାତ୍ରା (ଭୀମକିଶୋର ପଟ୍ଟନାୟକ), ସ୍ମୃତିର ସଂଳାପ (ମନୋରଞ୍ଜନ ଦାସ-୨୦୦୬), ମୋ ଖେଳଘର (ପ୍ରଫୁଲ୍ଲ କୁମାର ରଥ – ୧୯୯୮), ହଜିଲା ଦିନର ସ୍ମୃତି (ପଣ୍ଡିତ କୃଷ୍ଣଚନ୍ଦ୍ର କର- ୧୯୯୧), ଜୀବନର ସନ୍ଧ୍ୟା (ରାଜକିଶୋର ପଟ୍ଟନାୟକ ୧୯୮୪), ସ୍ମୃତି ତୀର୍ଥ (ଡକ୍ଟର ବୈଦ୍ୟନାଥ ମିଶ୍ର-୨୦୦୮), ସ୍ମତିଲିପି (ସାତକଡ଼ି ହୋତା-୨୦୦୮), ଜୀବନ ତରଙ୍ଗ (ରାମକୃଷ୍ଣ ନନ୍ଦ – ୧୯୮୯), ସ୍ମୃତିର ପ୍ରଦୀପ (ମନୋଜ ଦାସ – ୨୦୦୪), ସାତରଙ୍ଗର ସ୍ମୃତି (ଯୁଗଳ କିଶୋର ଦତ୍ତ-୨୦୧୦), ଜୀବନର ଛାପ (ଡାକ୍ତର ବିକ୍ରମ ଦାସ-୨୦୦୫), ତିନୋଟି ପୃଥିବୀ (ଡାକ୍ତର କବିପ୍ରସାଦ ମିଶ୍ର-୨୦୧୧), ନୀଳଜହ୍ନ (ନରସିଂହ ମିଶ୍ର-୨୦୦୪), ସ୍ମୃତି ସୁମନ (ଡକ୍ଟର ପ୍ରଭାତ କୁମାର ମିଶ୍ର-୨୦୧୧), ସ୍ମୃତି ବାତାୟନ (ଶନ୍ମୋଦେବୀ-୨୦୦୩), ସ୍ମୃତିର ସ୍ୱରଲିପି (ବଳରାମ ମହାନ୍ତି-୨୦୦୨) ପ୍ରଭୃତି । ଜୀବନର ଅନୁଭୂତି ମଧ୍ୟ ବେଶ୍ କାବ୍ୟିକ ହୋଇଉଠିଛି ।

 

ପୁଣି ଆତ୍ମଜୀବନୀ ସ୍ରଷ୍ଟାମାନେ ନିଜ ଜୀବନ କାହାଣୀକୁ ଲେଖିଥିବାରୁ ‘ମୋ’ ଅର୍ଥା ନିଜ ଉପରେ ପ୍ରାଧାନ ଦେଇ ନାମରକଣ ଏହିପରି କରିଅଛନ୍ତି ଯଥା – ‘ମୋ ପୂର୍ବ ସ୍ମୃତି କଥା’ (୧୯୬୬) – ଭାରତ ନାୟକ, ‘ମୋ ବାରବୁଲା ଜୀବନ’ (୧୯୯୬)- ଲକ୍ଷ୍ମୀ ନାରାୟଣ ସହୁ, ‘ମୋ ଜୀବନ ସ୍ମୃତି (୨୦୦୨)- ଗଙ୍ଗାଧର ମହାପାତ୍ର, ‘ମୋ କଥା’ (୨୦୦୩)- ବାଞ୍ଛାନିଧି ପଟ୍ଟନାୟକ, ‘ମୋ ଜୀବନ ସଂଗ୍ରାମ’ (୧୯୮୪)- ଡକ୍ଟର ପ୍ରାଣକୃଷ୍ଣ ପରିଜା, ‘ମୋ ଅକୁହା କାହାଣୀ’ (୨୦୦୩)- ଡକ୍ଟର ଶ୍ରୀରାମଚନ୍ଦ୍ର ଦାସ, ‘ମୁଁ ବିଭୁଦତ୍ତ କହୁଛି’ (୨୦୦୧)- ବିଭୁଦତ୍ତ ମିଶ୍ର, ‘ମୋ କାହାଣୀ, ମୋ ଫୁଟା ଡଙ୍ଗାର କାହାଣୀ’ – ଫତୁରାନନ୍ଦ, ‘ମୋ ସମୟ- ସାତକଡ଼ି ହୋତା, ‘ମୋ ଜୀବନ କଥା’ (୨୦୦୧), - ଡକ୍ଟର ଜଗନ୍ନାଥ ମହାନ୍ତି, ‘ମୋ ଜୀବନ ପଥେ’ (୨୦୧୧)- ନଟବର ସାହୁ, ‘ମୋ ଶିକ୍ଷକ ଜୀବନ’ (୨୦୦୯) – କୈଳାଶ ଚନ୍ଦ୍ର ପଣ୍ଡା, ‘ମୋ କଥା, ମୋ ବ୍ୟଥା’ (୨୦୦୫) – ଗୁଣନିଧି ମହାପାତ୍ର, ‘ମୋ ପୁଲିସ ଜୀବନ’ (୨୦୦୧) – ବଟକୃଷ୍ଣ ତ୍ରିପାଠୀ, ‘ମୋ ଜୀବନ ମୋ ସମୟ’ (୨୦୦୭) – ଡାକ୍ତର ରାଧାଦେବୀ, ‘ମୋ ଜୀବନ ସ୍ମୃତି (୨୦୦୨) – ସୀତାଦେବୀ ଖାଡ଼ଙ୍ଗା, ‘ମୋ କଥା’ (୨୦୦୩) – ଶାନ୍ତିପ୍ରିୟା ବେହେରା, ‘ମୋ କଥା : ଶାନ୍ତିନିକେତନ କଥା’ (୨୦୦୭) – ଡ. ପ୍ରସନ୍ନ କୁମାର ମିଶ୍ର, ‘ମୋ ସ୍ୱପ୍ନ ମୋ ଜୀବନ’ (୨୦୦୦) – ପ୍ରଫେସର ରାଧାନାଥ ରଥ, ‘ମୋ ଜୀବନ କିଛି ସ୍ମୃତି କିଛି ଅନୁଭୂତି’, (୨୦୦୮) – ନରୋତ୍ତମ ବେହେରା, ‘ମୋ ଜୀବନର ସ୍ମୃତି ଓ ଅନୁଭୂତି’ (୨୦୦୮) – ପ୍ରଫେସର ପତିତପାବନ ମିଶ୍ର, ‘ମୋ ଜୀବନ’ (୧୯୯୯) – ଲୋକନାଥ ଚୌଧୁରୀ, ‘ମୋ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ (୨୦୦୯) – ଡାକ୍ତର ସନାତନ ରଥ, ‘ମୋ ଜୀବନ (୨୦୧୨) – ଡାକ୍ତର ନିମାଇଁ ଚରଣ ପଣ୍ଡା, ‘ମୋ ଜୀବନ ସଂଗ୍ରାମ’ (୧୯୮୪) – ସୁରେନ୍ଦ୍ର ନାଥ ଦ୍ୱିବେଦୀ, ‘ମୋ ଜୀବନ କାହାଣୀ’ – ବରେନ୍ଦ୍ରକୃଷ୍ଣ ଧଳ ପ୍ରଭୃତି । ମଣିଷର ଚାରିତ୍ରିକ ବିକାଶ ତା’ର ପରିବେଷ୍ଟନୀର ପ୍ରଭାବରେ ସୃଷ୍ଟି ହୋଇଥାଏ । ନିଜ ଜୀବନର ପରିସର ଏବଂ ପରିବେଶ ମଧ୍ୟରେ ନିଜେ ଅନୁଭବ କରିଥିବା ଏବଂ ନିଜେ ସମ୍ମୁଖୀନ ହୋଇଥିବା ଘଟଣାବଳୀକୁ ଏମାନେ ଆତ୍ମଜୀବନୀରେ ପ୍ରକାଶ କରିଛନ୍ତି । ଏହା ଭିତରେ ସେମାନଙ୍କର ସଂଯତ୍ନ ‘ମୁଁ’ ଟି ଆତ୍ମପ୍ରକାଶ କରିଯାଇଛି ।

 

-ଚାରି-

 

ଜୀବନ ସାହିତ୍ୟରୁ ଗୋଟିଏ ଜାତିର ଆତ୍ମାକୁ ପରୀକ୍ଷା କରାଯାଇପାରେ । ଏହି ଆତ୍ମଜୀବନୀଗୁଡ଼ିକ ହେଉଛି ଆତ୍ମ ସଚେତନତାର ସର୍ବୋତ୍କୃଷ୍ଟ ଆଲେଖ୍ୟ । ସଚ୍ଚି ରାଉତରାୟଙ୍କ ‘ଉତ୍ତରକକ୍ଷ’ରେ ଲେଖିଛନ୍ତି – ‘‘ମୋର ଆତ୍ମଜୀବନୀ ମୋ ସମୟର ଆତ୍ମଜୀବନୀ’ (ପ୍ରସ୍ତାବନା) । ରାମକୃଷ୍ଣ ନନ୍ଦ ସୂଚାଇଛନ୍ତି ଯେ, ‘‘ପୁରାତନ ଓ ନୂତନର ସନ୍ଧିକ୍ଷଣରେ ଯେତେବେଳେ ପରିବର୍ତ୍ତନ ମଧ୍ୟରେ ଆମ ସମାଜ ଗତି କରୁଛି, ତା’ର ଛାୟା ପଡ଼ିଛି ମୋର ଏହି କ୍ଷୁଦ୍ର ଜୀବନରେ ଏବଂ ଏଇ ଲିପିବଦ୍ଧ ଅନୁଭୂତିରୁ ତା’ର କିଞ୍ଚିତ ଧାରଣା ମିଳିପାରେ ।’’ (ଜୀବନ ତରଙ୍ଗ, ପୃ ୧୭୮) ଗୋଦାବରୀଶ ମିଶ୍ର ଲେଖିଛନ୍ତି ‘‘ସେହି ପଚାଶ ବର୍ଷ (୧୮୮୬-୧୯୩୬) ମୋର ଦେଶସେବା ଓ ଜନସେବା ନିମନ୍ତେ ନିଜ ଜୀବନ ଗଢ଼ିବାର କାଳ ।’’ (ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ, ପୃ.୪) ପ୍ରକୃତରେ ଆତ୍ମଜୀବନୀଗୁଡ଼ିକ ସମସାମୟିକ ସମାଜ, ରାଜନୀତି, ସାହିତ୍ୟର ରସୋତୀର୍ଣ୍ଣ ଇତିହାସ । ଏହା ହେଉଛି ଓଡ଼ିଆ ଜାତି, ସଂସ୍କୃତି, ସମାଜର ଆତ୍ମଲିପି ।

 

ଓଡ଼ିଆ ଆତ୍ମଜୀବନୀର ଇତିହାସ ଦୀର୍ଘ ନୁହେଁ । ଫକୀରମୋହନଙ୍କ ଆତ୍ମଜୀବନୀ (୧୯୨୭) ଠାରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ଅର୍ଥାତ୍ ୨୦୧୩ ପର୍ଯ୍ୟନ୍ତ ବହୁ ଲେଖକ ଆତ୍ମଚରିତ ରଚନା କରିଅଛନ୍ତି । ଗତବର୍ଷ ଡାକ୍ତର ନିମାଇଁ ଚରଣ ପଣ୍ଡାଙ୍କର ‘ମୋ ଜୀବନ’, ଡକ୍ଟର ସୁବାସିନୀ ଲେଙ୍କାଙ୍କର ‘ପଥ ଅସରନ୍ତି‘, ନିରଞ୍ଜନ ଶତପଥୀଙ୍କର ‘ପୂର୍ଣ୍ଣରୁ ପୂର୍ଣ୍ଣ ଫେଡ଼ିଲା ପରେ’ ଏବଂ ଚଳିତ ବର୍ଷ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ‘ମୋ ଜୀବନ- ଅନ୍ୟ ଏକ ଉପନ୍ୟାସ’, ବିଶିଷ୍ଟ ସ୍ତମ୍ଭକାର ବରେନ୍ଦ୍ର କୃଷ୍ଣ ଧଳଙ୍କର ‘ମୋ ଜୀବନ କାହାଣୀ’ (ଡିସେମ୍ବର ୨୦୧୩), ଦୀନନାଥ ପାଠୀଙ୍କର ‘କଲେଜଟିଏ ଗଢ଼ିବାର ବେଳ’ (୨୦୧୩) ଓ ବୈଷ୍ଣବ ଚରଣ ସାମଲଙ୍କର ‘ଜଣେ ବଣା ବାଟୋଇର କାହାଣୀ’ (୨୦୧୩) ପ୍ରଭୃତି ପ୍ରକାଶିତ ହୋଇଛି । ଫକୀରମୋହନଙ୍କ ଆତ୍ମ ଚରିତଟି ପ୍ରାଚୀନ ପରମ୍ପରା, ନୂତନ ସଭ୍ୟତା ଓ ସଂଘର୍ଷର ସ୍ୱରଲିପି ବହନ କରିଛି । ଓଡ଼ିଆ ଆତ୍ମଜୀବନୀରେ ସେ ସମୟର ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଧର୍ମ, ରାଜନୀତି ଓ ସମାଜନୀତି ସ୍ଥାନୀତ ହୋଇଛି । ଅନେକ ଆତ୍ମଜୀବନୀର ରଚନାଶୈଳୀ ହୋଇଛି ରୁଚିକର ଓ ଭାଷା ହୋଇଛି ସରଳ, ସାବଲୀଳ । ଅନେକ ରାଜନୀତିଜ୍ଞଙ୍କ ଆତ୍ମଜୀବନୀରେ ସ୍ୱାଧୀନତା ସଂଗ୍ରାମର କେତେକ ଘଟଣା ଓ ତାଙ୍କର ବ୍ୟକ୍ତିଗତ ଅନୁଭବ ପ୍ରକାଶ ପାଇଛି । ଦେଶ ପାଇଁ ଓ ଜାତି ପାଇଁ ସେମାନେ ଯେଉଁ ତ୍ୟାଗ ସ୍ୱୀକାର କରିଛନ୍ତି ସେସସବୁ ପ୍ରତିଫଳିତ ହୋଇଛି ଏହି ଆତ୍ମଜୀବନୀଗୁଡ଼ିକରେ । ସାହିତ୍ୟିକମାନଙ୍କ ଆତ୍ମଜୀବନୀରୁ ତତ୍କାଳୀନ ଉତ୍କଳର ସାଂସ୍କୃତିକ ତଥା ସାହିତ୍ୟକ ବାତାବରଣ ସମ୍ପର୍କରେ ସୂଚନା ମିଳେ । ଅନେକ ସମୟରେ ଲେଖକମାନେ ଆତ୍ମଗ୍ଳାନି ଓ ଦୁଃଖକୁ ପ୍ରକାଶ କରିବାରେ ଦ୍ୱିଧା କରିନାହାନ୍ତି । ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ଲେଖିଅଛନ୍ତି । ଏହା ହୁଏତ ଅତୀତର ସ୍ମୃତିଚାରଣ, ଆତ୍ମବିଶ୍ଳେଷଣ ଏବଂ ଜୀବନର ଚଲାପଥରେ ଅନ୍ୟଠାରୁ ପାଇଥିବା ଆଦର, ସ୍ନେହ, ସହାନୁଭୂତିର ଋଣକୁ ପରିଶୋଧ କରିବା ପାଇଁ । ତେବେ ଅଦ୍ୟାବଧି ପ୍ରକାଶିତ ଆତ୍ମଚରିତଗୁଡ଼ିକରେ ବ୍ୟକ୍ତିବିଶେଷଙ୍କର ଚାରିତ୍ରିକ ମହତ୍ତ୍ୱ ଓ ସ୍ଖଳନର ପରିଚୟ ମଧ୍ୟ ମିଳେ । ତଥାପି ସେମାନେ ସମାଜରେ, ସାହିତ୍ୟରେ କଳଙ୍କ ନୁହନ୍ତି, ତିଳକର ଟୀକା ବହନ କରିଛନ୍ତି । ଆତ୍ମଜୀବନୀର ଏହି ବିସ୍ତୃତ ପଟ୍ଟଭୂମିରେ ଜୀବନୀକାରମାନେ ପାଠକର ଘୃଣା, ବିଦ୍ୱେଷ ପୁଣି ସ୍ନେହ ସୋହାଗ, ସମ୍ମାନ ନେଇ ବଞ୍ଚି ରହିଛନ୍ତି । ସେମାନଙ୍କ ଜୀବନ ଯେତେବେଳେ ରହସ୍ୟ ରୋମାଞ୍ଚଭରା ହୋଇଛି ତ ପୁଣି ଜୀବନୀକାରମାନେ ନିଜ ଜୀବନର ସତ୍‌କର୍ମ, ଅପକର୍ମକୁ ଲଜ୍ଜାହୀନ ନିଃସଙ୍କୋଚ ଭାବରେ ସ୍ୱୀକାର କରି ବଳିଷ୍ଠ ମାନବିକତାର ପରିଚୟ ଦେଇଅଛନ୍ତି । ସେମାନଙ୍କ ଜୀବନ – ମୁକୁରରେ ସମସାମୟିକ ପରିସ୍ଥିତି ଯେପରି ପ୍ରତିବିମ୍ବିତ ହୋଇଛି, ସେସସବୁ ଏହି ଆତ୍ମଜୀବନୀଗୁଡ଼ିକରେ ଅଙ୍କିତ ହୋଇଅଛି । ଆତ୍ମଜୀବନୀ ଓଡ଼ିଆ ସାହିତ୍ୟ ଜଗତରେ ବିଂଶ ଶତାବ୍ଦୀର ଆଦ୍ୟପାଦରୁ ସୃଷ୍ଟି ହୋଇ ଅଦ୍ୟାବଧି ଏହାର ଧାରା ପ୍ରବାହିତ ହୋଇ ନୂତନ ଦିଗନ୍ତ ସୃଷ୍ଟି କରିଛି ଏବେ ମଧ୍ୟ ବିଭିନ୍ନ ସାହିତ୍ୟ ପତ୍ରପତ୍ରିକାରେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ପ୍ରତିଭା ରାୟ, ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ପ୍ରଭୃତିଙ୍କ ଆତ୍ମଜୀବନୀରେ ଜୀବନର ଗଭୀର ରହସ୍ୟ ଓ ସତ୍ୟ, ଆଶା ବା ଆକାଙ୍‌କ୍ଷା, ବ୍ୟର୍ଥତା ଓ ବେଦନା ଉପଲବ୍‌ଧି ସବୁ ପ୍ରକଟିତ ହୋଇଛି ।

 

ଓଡ଼ିଆ ଆତ୍ମଜୀବନୀ ମଧ୍ୟରୁ ଇତିମଧ୍ୟରେ ସାହିତ୍ୟ ଏକାଡେମୀ, ଦିଲ୍ଲୀ ଦ୍ୱାରା ୧୯୫୫ ମସିହାଠାରୁ ଅଦ୍ୟାବଧି ୬ ଗୋଟି ଆତ୍ମଜୀବୀନୀ ପୁରସ୍କାର ଲାଭ କରିଛି । ସେଗୁଡ଼ିକ ହେଲା – (କ) ଅର୍ଦ୍ଧଶତାବ୍ଦୀର ଓଡ଼ିଶା: ତହିରେ ମୋ ସ୍ଥାନ (୧୯୬୧) – ଗୋଦାବରୀଶ ମିଶ୍ର (ଖ) ଆତ୍ମଜୀବନୀ (୧୯୬୪) – ନୀଳକଣ୍ଠ ଦାସ, (ଗ) କୁମ୍ଭାର ଚକ (୧୯୭୭) – କାଳୀଚରଣ ପଟ୍ଟନାୟକ (ଘ) ମୋ କାହାଣୀ (୧୯୭୯) – କୁଞ୍ଜବିହାରୀ ଦାଶ (ଙ) ମୋ ଜୀବନ ସଂଗ୍ରାମ (୧୯୯୬) – ସତ୍ୟନାରାୟଣ ରାଜଗୁରୁ (ଚ) ଜୀବନର ଚଲାପଥେ (୨୦୧୦) – ପଠାଣି ପଟ୍ଟନାୟକ । ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପ୍ରତିବର୍ଷ ଜୀବନୀ/ଆତ୍ମଜୀବନୀ ଆଧାରିତ ପୁସ୍ତକଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯାଇଥାଏ । ଆତ୍ମଜୀବନୀ ନିମିତ୍ତ ପୁରସ୍କାର ପ୍ରାପ୍ତ ପୁସ୍ତକଗୁଡ଼ିକ ହେଲା – (୧) ଜାତୀୟ ଜୀବନର ଆତ୍ମବିକାଶ (୧୯୫୬-୫୮ ମସିହାରେ ପୁରସ୍କୃତ ପୁସ୍ତକ) – ଗୋବିନ୍ଦ ଚନ୍ଦ୍ର ମିଶ୍ର (୨) ମୋର ପୂର୍ବ ସ୍ମୃତିକଥା (୧୯୬୫-୬୭) – ଭାରତ ଚନ୍ଦ୍ର ନାୟକ (୩) ମୋ ସମୟର ଓଡ଼ିଶା – (୧୯୭୯) କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୪) ନାଽହଂ ତିଷ୍ଠାମି ବୈକୁଣ୍ଠେ (୧୯୮୦) – ନିତ୍ୟାନନ୍ଦ ମହାପାତ୍ର, (୫) ଗାନ୍ଧୀ ମହାରାଜାଙ୍କ ଶିଷ୍ୟ (୧୯୮୨) – ଉଦୟନାଥ ଷଡ଼ଙ୍ଗୀ (୬) ମୋ ଜୀବନ ଓ ଜଞ୍ଜାଳ କାହାଣୀ (୧୯୮୩) – ନନ୍ଦ କିଶୋର ଦାସ (୭) ଋଣ ପରିଶୋଧ (୧୯୮୪) – ବିନୋଦ କାନୁନଗୋ (୮) ଜୀବନପଥେ (୧୯୮୫) – ରମାଦେବୀ ଚୌଧୁରୀ (୯) ପଥ ଓ ପୃଥିବୀ (୧୯୮୭) – ସୁରେନ୍ଦ୍ର ମହାନ୍ତି (୧୦) ସ୍ମୃତି ଓ ଅନୁଭୂତି (୧୯୮୮) – ନୀଳମଣି ରାଉତରାୟ (୧୧) କାରାଗାରର କାହାଣୀ (୧୯୮୯) – ସୁରେନ୍ଦ୍ର ଦ୍ୱିବେଦୀ (୧୨) ମୋ ସ୍ୱପ୍ନ ମୋ ଜୀବନ (୧୯୯୧)- ରାଧାନାଥ ରଥ (୧୩) ଦିଗପହଣ୍ଡିର ଡ୍ରଇଁମାଷ୍ଟ୍ର (୧୯୯୩) – ଦୀନନାଥ ପାଠୀ (୧୪) ଅସ୍ତରାଗ (୧୯୯୪) – ଶ୍ରଦ୍ଧାକର ସୁପକାର (୧୫) ଜୀବନର ଡାକ (୧୯୯୫) – ଅଲେକ ପ୍ରସାଦ ଦାସ (୧୬) ଅନିର୍ବାଣ (୧୯୯୭) – ପଦ୍ମଚରଣ ନାୟକ (୧୭) ଫାଶୀ ମଞ୍ଚରେ ବିପ୍ଳବୀ (୧୯୯୮) – ପ୍ରଫୁଲ୍ଲ ଦାସ (୧୮) ବିଂଶ ଶତାବ୍ଦୀର ଓଡ଼ିଶା – ମୋ ଅନୁଭୂତି (୧୯୯୯) – ବିଦ୍ୟାଧର ମିଶ୍ର (୧୯) ଜୀବନର ବାଟେଘାଟେ (୨୦୦୨) – ଗିରିଜା ଭୂଷଣ ପଟ୍ଟନାୟକ (୨୦) ଜଣେ ଅନୁଭବୀ ଅନୁଭବରେ (୨୦୦୩) – ହୃଦାନନ୍ଦ ରାୟ (୨୧) ଆଜ୍ଞା (୨୦୦୪) – ସୁବାସ ଚନ୍ଦ୍ର ମିଶ୍ର (୨୨) ଜୀବନର ପଥପ୍ରାନ୍ତେ (୨୦୦୫) – ଶରତ ଚନ୍ଦ୍ର ମିଶ୍ର ।

 

କିନ୍ତୁ ଏସବୁ ସତ୍ତ୍ୱେ ‘ଓଡ଼ିଆ ଆତ୍ମଜୀବୀନୀ’ ଧାରାରେ କିଛି ଅଭାବ ପରିଲକ୍ଷିତ ହୁଏ । କାରଣ,ଏପର୍ଯ୍ୟନ୍ତ ଜଣେ ଇଞ୍ଜିନିୟର, ବ୍ୟବସାୟୀ, ଖେଳାଳି, ଗୃହିଣୀ, ସାମରିକ ବ୍ୟକ୍ତି, ଶ୍ରମିକ କିମ୍ବା ରୂପଜୀବିର ଆତ୍ମଜୀବନୀ ଦୃଷ୍ଟି ଆକର୍ଷଣ କଲାଭଳି ପ୍ରକାଶ ପାଇନାହିଁ । ‘‘ଯେତେ ବୃତ୍ତି, ଯେତେ ଜୀବନଧାରାକୁ ନେଇ ଅଧିକରୁ ଅଧିକ ଆତ୍ମଜୀବୀନୀ ପ୍ରକାଶ ପାଇବ, ସେତେ ଏ ସମାଜକୁ ବୁଝିବାକୁ ଆମକୁ ସହଜ ହେବ ।’’ (ଆତ୍ମଜୀବନୀ ପ୍ରସଙ୍ଗ. ପୃ.୨୮)ଏଥିରେ ବ୍ୟକ୍ତିଜୀବନ ଅପେକ୍ଷା ସମାଜ ଜୀବନର ପରିସର ଉନ୍ମୋଚିତ ହୋଇଥାଏ । ଯାହା କହିବି, ସତ କହିବି – ଏହି ନ୍ୟାୟରେ ଏଥିରେ କପଟଣା, ଛଳନା ବା ନିଜକୁ ବଡ଼ କରି ଦେଖାଇବାର ମୋହ ନ ରହୁ । ଆତ୍ମଜୀବନୀ ବ୍ୟକ୍ତିର ପ୍ରଚାର ପତ୍ର ନୁହେଁ । ଫକୀରମୋହନଙ୍କ ‘ଆତ୍ମଚରିତ’ ଭଳି ତଥ୍ୟଭିତ୍ତିକ ଏବଂ ଉପନ୍ୟାସ ଭଳି ମଧ୍ୟ ସୁଖପାଠ୍ୟ ହେଉ । ନିଜ ଅଭିଜ୍ଞତା ମାଧ୍ୟମରେ ଏକ ସାର୍ବଜନୀନ ଅଭିଜ୍ଞତାର ପ୍ରତିଫଳନ କରାଇପାରିଲେ ଆତ୍ମଜୀବନୀ ଚରମ ସଫଳତା ଲାଭ କରିପାରିବ । ସ୍ମୃତିଚିତ୍ର ସହ ଆତ୍ମଜୀବନୀର ସମ୍ପର୍କ ଅଧିକ । ବ୍ୟକ୍ତି ଜୀବନର ବାହ୍ୟଘଟଣା ଓ ଅନ୍ତର୍ଜୀବନର ଚିତ୍ର ସହିତ ସାହିତ୍ୟ ଗୁଣରେ ବିକଶିତ ହେଲେ ଆତ୍ମଜୀବନୀ ଉପନ୍ୟାସ ତୁଲ୍ୟ ପ୍ରତୀୟମାନ ହେବ ଏବଂ ପାଠକର ଆଦର ଳାଭ କରିବ ।

 

 

ବିନ୍ଦୁସାଗର ପଶ୍ଚିମ ପାଖ,

ବୈତାଳ ମନ୍ଦିର ନିକଟ,

ଭୁବନେଶ୍ୱର – ୭୫୧୦୦୨

 

***

 

ସହାୟକ ଗ୍ରନ୍ଥସୂଚୀ

୧-

ଓଡ଼ିଆ ଚରିତ ସାହିତ୍ୟ – ଡକ୍ଟର ଲାବଣ୍ୟ ନାୟକ – ୧୯୮୮

୨-

ଓଡ଼ିଆ ଆତ୍ମଚରିତ ଏକ ଅଧ୍ୟୟନ – ଡକ୍ଟର ଜ୍ୟୋତି ରଞ୍ଜନ ସାମଲ - ୨୦୦୩

୩-

ସେମାନଙ୍କ ଆତ୍ମଲିପି – ଡକ୍ଟର ଶରତ ଚନ୍ଦ୍ର ରଥ – ୨୦୦୦

୪-

ବିଦଗ୍‌ଧ ପାଠକ – ଚିନ୍ତାମଣି ବେହେରା – ୧୯୭୫

୫-

ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ – ଓଡ଼ିଆ ସାହିତ୍ୟର ଇତିହାସ – ୧୯୬୫

୬-

ଓଡ଼ିଆ ସାହିତ୍ୟର ଇତିହାସ – ଡକ୍ଟର ନଟବର ସାମନ୍ତରାୟ – ୧୯୮୩

୭-

ଜୀବନୀ ସାହିତ୍ୟ : ଏକ ଅଧ୍ୟୟନ – ପଠାଣି ପଟ୍ଟନାୟକ – ୨୦୦୫

୮-

ଆତ୍ମଜୀବନୀ ପ୍ରସଙ୍ଗ – ସଂ – ଡକ୍ଟର ବିଜୟାନନ୍ଦ ସିଂହ – ୨୦୦୪

 

ସାମ୍ପ୍ରତିକ ଓଡ଼ିଆ ଶିଶୁଗଳ୍ପ ରଚନାର ସମସ୍ୟା

ମନୀନ୍ଦ୍ର ମହାନ୍ତି

 

।। ଏକ ।।

 

ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକାର ରଚନାର ଆବଶ୍ୟକତା ରହିଛି, ଏହା ବିଦଗ୍ଧ ସାହିତ୍ୟ ରଚନା ଠାରୁ ବହୁଗୁଣରେ ଭିନ୍ନ । ଏହା ବହୁବର୍ଷ ପୂବର୍ରୁ ଜଣାଇଥିଲେ ମଧ୍ୟ ବହୁତ ପରେ ଏହି କଥାକୁ ଉପଲବ୍ଧି କରାଯାଇଥିଲା । ପୁଣି, ଯେତେବେଳେ ଏହାକୁ ଉପଲବ୍ଧି କରି ସେ ଦିଗରେ ରଚନା କରାଗଲା, ସେତେବେଳେ ଏହିସବୁ ରଚନାର ମୁଖ୍ୟ ଉଦ୍ଦେଶ୍ୟ ହେଲା – ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ପାଇଁ ‘ପାଠ୍ୟପୁସ୍ତକ’ (Text Book) ରଚନା ।

 

ପରେ ପରେ ସମୟକ୍ରମେ ପୁଣି ଉବଲବ୍ଧି କରାଗଲା ଯେ ପିଲାମାନଙ୍କ ପାଇଁ ବିଦ୍ୟାଳୟର ‘ପାଠ୍ୟପୁସ୍ତକ’ ସହିତ ଅନ୍ୟ ଏକ ସ୍ୱତନ୍ତ୍ର ପ୍ରକାରର ରଚନାର ଆବଶ୍ୟକତା ରହିଛି । କାରଣ ବିଦ୍ୟାଳୟର ପାଠ୍ୟପୁସ୍ତକ ପିଲାର ମାନସିକ ବିକାଶ ପାଇଁ ଯଥେଷ୍ଟ ନୁହେଁ । ଏହାକୁ ‘ଶିଶୁ ମନୋବିଜ୍ଞାନ’ ଶାସ୍ତ୍ର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କଲା । ପରିଣାମରେ, ବିଦ୍ୟାଳୟରେ ପାଠ୍ୟପୁସ୍ତକ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକ ଭିନ୍ନ ଏକ ସ୍ୱତନ୍ତ୍ର ରଚନାର ଧାରା ପିଲାମାନଙ୍କ ପାଇଁ ସୃଷ୍ଟି ହେଲା- ତାହାହିଁ ‘ଶିଶୁ ସାହିତ୍ୟ’ ନାମରେ ନାମିତ ହେଲା ।

 

‘ପାଠ୍ୟପୁସ୍ତକ’ର ମୁଖ୍ୟ ସ୍ୱର ହେଲା – ଶିଶୁର ‘ଜ୍ଞାନ ଅର୍ଜନ’ ଓ ‘ମନୋରଞ୍ଜନ’ । କିନ୍ତୁ ‘ଶିଶୁ-ସାହିତ୍ୟ’ର ମୁଖ୍ୟ ସ୍ୱର ହେଲା – ‘ମନୋରଞ୍ଜନ’ ଓ ‘ଜ୍ଞାନଅର୍ଜନ’ । ଯଦିଓ ଏହି ଦୁଇଟି ମଧ୍ୟରେ ସମାନତା ରହିଛି, ତଥାପି ଏହି ଦୁଇଟି ମଧ୍ୟରେ ଆଗପଛ ହୋଇ ପାର୍ଥକ୍ୟ ମଧ୍ୟ ରହିଛି । ଏହାକୁ ବିଭିନ୍ନ ଆଲୋଚନା ଓ ଗବେଷଣା ମଧ୍ୟରେ ଭାରତର ବିଭିନ୍ନ ଭାଷା ଶିଶୁ-ସାହିତ୍ୟର ଗବେଷଣା କ୍ଷେତ୍ରରେ ପ୍ରତିଷ୍ଠିତ ରୂପ ନେଇ ସାରିଲାଣି ।

 

ଏବେ ଭାରତୀୟ ସାହିତ୍ୟ ଜଗତରେ ଶିଶୁ-ସାହିତ୍ୟର ରୂପରେଖ ଏକ ସ୍ୱତନ୍ତ୍ର ଆସନରେ ଆସୀନ ହୋଇସାରିଲାଣି । ପୁଣି ସମୟକ୍ରମେ ଏହା ଏକ ସ୍ୱତନ୍ତ୍ର ‘ଅଭିଧା’ରେ ପରିଣତ ହୋଇଗଲାଣି । ଅର୍ଥାତ୍ ଏହାର ସ୍ୱତନ୍ତ୍ର ‘ବ୍ୟାକରଣ’ (Grammar) ରଚିତ ହୋଇଗଲାଣି ।

 

।। ଦୁଇ ।।

 

ଶିଶୁ-ସାହିତ୍ୟର ବିଭିନ୍ନ ବିଭାଗ ଯଥା – ଗୀତ ବା କବିତା ବା ଗାଥାକବିତା, ନାଟକ, ଜୀବନୀ, ପ୍ରବନ୍ଧ ପ୍ରଭୃତି ରଚନା ବିଭାଗ ମଧ୍ୟରୁ ଶିଶୁର ସବୁଠାରୁ ପ୍ରିୟ ଓ ଆକର୍ଷଣୀୟ ବିଭାଗ ହେଲା – ‘କାହାଣୀ’ ବା ‘ଗଳ୍ପ ବିଭାଗ’ । ପିଲାଟି ଯଦିଓ ମା’ କୋଳରୁ ‘ନାନାବାୟାଗୀତ) (Nursery Rhyme) ଶୁଣି ଏବଂ ପରେ ଖେଳ ଓ ବିଭିନ୍ନ ଅବସର ବେଳେ ଗୀତସବୁ ଗାଇ ଗାଇ ମୁଗ୍ଧ ହୋଇଥାଏ, ତଥାପି, ଗଳ୍ପ ପ୍ରତି ତା’ର ଅଧିକ ଆକର୍ଷଣ ରହିଥାଏ । ଏହାକୁ ବିଭିନ୍ନ ସମୟରେ ବିଭିନ୍ନ ଗବେଷକମାନେ ପରୀକ୍ଷା କରି ତଥ୍ୟ ସଂଗ୍ରହ କରି ଏହି ମତ ପ୍ରକାଶ କରିଛନ୍ତି । (ଶିଶୁ-ସାହିତ୍ୟର ଗବେଷକ ଡ. ଜଗନ୍ନାଥ ମହାନ୍ତି ଓ ଡ ଦିଗରାଜ ବ୍ରହ୍ମ ୧୯୮୨-୮୩ ମସିହାରେ ଏକ ସର୍ବେକ୍ଷଣ ‘ପିଲାଙ୍କ ଆଗ୍ରହ’କୁ ନେଇ କରିଥିଲେ । ସେତେବେଳେ ଜଣା ପଡ଼ିଥିଲା ଯେ – ଶିଶୁ ସାହିତ୍ୟର ୧୬ ଗୋଟି ବିଭାଗ ମଧ୍ୟରୁ ଅଧିକ ସଂଖ୍ୟକ ପିଲା – ‘ଗଳ୍ପ’କୁ ପ୍ରଥମ ପସନ୍ଦ ବୋଲି ଶତକଡ଼ା ୯.୪୧ ମତ ଦେଇଥିଲେ । ତା’ପରେ କବିତା ବା ଗୀତ – ଶତକଡ଼ା ୯.୩୪ ଏବଂ ନାଟକ – ଶତକଡ଼ା ୮.୫୭ Children’s Literature and Education in India – Dr. Digraj Brahma – Deep and Deep Publications- New Delhi – 27 – 1989 – Table – 7.1, Page – 156)

 

ସେଇଥିପାଇଁ ବୋଧହୁଏ କୁହାଯାଏ – ‘ଗଳ୍ପାତ୍ ପରତରଂ ନହି’ – ଅର୍ଥାତ୍, ଗଳ୍ପଠାରୁ ଉତ୍କୃଷ୍ଟ ଆଉ କିଛି ନାହିଁ ।

 

ଶିଶୁ ମନୋବିଜ୍ଞାନବିତ ଏବଂ ଶିଶୁ-ସାହିତ୍ୟର ଗବେଷକମାନେ ଶିଶୁମାନଙ୍କର ଏହି ଗଳ୍ପ ଶୁଣିବା, କହିବା ଓ ପଢ଼ିବାକୁ କାହିଁକି ଯେ ଅଧିକ ପସନ୍ଦ କରନ୍ତି, ସେଥିପାଇଁ ସେମାନେ କେତୋଟି କଥା କହିଥାନ୍ତି । ସ୍ଥୁଳତଃ କହିବାକୁ ଗଲେ ପିଲାଟି ଯେଉଁ ପରିବାର ବା ସମାଜରେ ବାସ କରୁଛି, ତା’ର ସଦସ୍ୟମାନଙ୍କ ଚିହ୍ନିବା । ବିଭିନ୍ନ ପରିସ୍ଥିତି ସହିତ ପରିଚିତ ହେବା, ବିଭିନ୍ନ ସମସ୍ୟା ସହିତ ପରିଚିତ ହେବା ଏବଂ ତା’ର ସମାଧାନ ଦିଗରେ ପଦକ୍ଷେପ ନେଇ ନିଜେ ତିଷ୍ଠି ରହିବା, ଉଚିତ ଓ ଅନୁଚିତ କଥା ଜାଣିବା, କଷ୍ଟ ଓ ଯନ୍ତ୍ରଣାରୁ ନିବୃତ୍ତ ରହିବା, ଧୈର୍ଯ୍ୟ ଧରିବା, ସମାଜର ଅନ୍ଧବିଶ୍ୱାସ ଓ ଚଳଣୀକୁ ଜାଣିବା, ସର୍ବୋପରି ମଣିଷ ଜୀବନକୁ ଜାଣିବା ଓ ଚିହ୍ନିବା ଭିତରେ ନିଜ ଜୀବନକୁ କିପରି ତା’ରି ଭିତରେ ବିପଦ ମୁକ୍ତ ହୋଇ ସୁଖରେ ଚଳିବା, ତାକୁ ଶିକ୍ଷା କରିବା ପାଇଁ ଏହାର ଆବଶ୍ୟକତା ରହିଛି ।

 

ବିଭିନ୍ନ ଗଳ୍ପର ବିଭିନ୍ନ ଚିତ୍ର, ଘଟଣା, ସମସ୍ୟା ଓ ତା’ର ସମାଧାନର ମିଶାଣ-ଫେଡ଼ାଣ ମଧ୍ୟରେ ଏହି ଗଳ୍ପ ମଧ୍ୟରେ ନିଜକୁ ଦେଖେ ଓ ସେହି ଅନୁସାରେ ସେ ସତର୍କ ରହେ ବା ପ୍ରସ୍ତୁତ ହୁଏ-। ପ୍ରଥମେ ମାନସିକ ପ୍ରସ୍ତୁତି ଓ ପରେ ଶାରୀରିକ ପ୍ରସ୍ତୁତି ପର୍ବ ମଧ୍ୟରେ ସେ ଜୀବନରେ ଗୋଟିଏ ପରେ ଗୋଟିଏ ପାହାଡ଼କୁ ଅତିକ୍ରମ କରିଯିବାକୁ ବାଟ ପାଏ – ଧୈର୍ଯ୍ୟ ଧରେ ଓ ଶେଷରେ ସେ ବିଜୟୀ ହୁଏ ।

 

ଶିଶୁ-ସାହିତ୍ୟର ଏହି ଗଳ୍ପ ବା କାହାଣୀ ବିଭାଗ ଯଦି ପିଲାମାନଙ୍କ ଜୀବନରେ ଏତେବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତେବେ ଏହାର ଗାଳ୍ପିକମାନଙ୍କର ଦାୟିତ୍ୱବୋଧ କଥା ଆପେ ଆପେ ଆସିଯାଉଛି । ସେଥିପାଇଁ ବୋଧହୁଏ, ଶିଶୁଗଳ୍ପ ରଚନାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ତା’ର ବିଭିନ୍ନ ଦିଗପ୍ରତି ନଜର ଦେଇ ତାକୁ ସମସ୍ୟା ମୁକ୍ତ କରିବା ପାଇଁ ଉଦ୍ୟମ କରାଯାଉଛି ।

 

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଯେଉଁ ଶିଶୁଗଳ୍ପ ସବୁ ରଚନା କରାଯାଉଛି, ସେଥିରେ ଯେଉଁ ସମସ୍ୟାମାନ ମୁଣ୍ଡଟେକି ଉଠିଛି, ସେଥିପ୍ରତି ଦୃଷ୍ଟିଦେଇ ତା’ର ସମାଧାନ ଦିଗରେ ଚେଷ୍ଟିତ ହେବା । ଏବେ ଏହି କେତୋଟି ସମସ୍ୟାକୁ ଠିକେ ଠିକେ ଆଲୋଚନା କରାଯାଉଛି ।

 

।। ତିନି ।।

 

ଓଡ଼ିଶାରେ ଯେଉଁ ଗାଳ୍ପିକମାନେ ଶିଶୁଗଳ୍ପ ଦିଗରେ ଲେଖନୀ ଚାଳନା କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଗାଳ୍ପିପଙ୍କ ଶିଶୁଗଳ୍ପର ସଂଜ୍ଞା ଓ ସ୍ୱରୂପ ସହିତ ପରିଚୟ ନାହିଁ । ଅର୍ଥାତ୍ ଶିଶୁଗଳ୍ପର ‘ଅଭିଧାନ’ ବା ‘ବ୍ୟାକରଣ’ ସହିତ ପରିଚୟ ନାହିଁ । ଏପରିକି ସେମାନେ ଏହାକୁ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । (ଓଡ଼ିଶାରେ ୧୯୮୨ ମସିହାରୁ ‘ଓଡ଼ିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ’ ପ୍ରତିବର୍ଷ ଶିଶୁ-ସାହିତ୍ୟର ବିଭିନ୍ନ ବିଷୟରେ କର୍ମଶାଳା (workshop) କରନ୍ତି ତଥାପି ଆଶାନୁରୂପ ଫଳ ମିଳୁନାହିଁ । ) ଏଥିପାଇଁ ଦାୟୀ ସେମାନଙ୍କର ଅଜ୍ଞତା । କାରଣ, ସେମାନେ ପିଲାଙ୍କ ପାଇଁ ଗଳ୍ପ ଲେଖି ସୁନାମ ଅଜର୍ନ କରିବା ତାଙ୍କର ଲକ୍ଷ୍ୟ ରହିଲା । ଆଉ ସେମାନେ ଯେଉଁ ଗପସବୁ ସୃଷ୍ଟିକଲେ ତନ୍ମଧ୍ୟରୁ ଅଧିକାଂଶ ଶ୍ରେଣୀର ପାଠ୍ୟପୁସ୍ତକର ଗଳ୍ପ ହୋଇଗଲା । ଯାତ୍ରାର ‘ନିୟତି’ ଚରିତ୍ରପରି କେବଳ ଉପଦେଶର ବେତ ନେଇ ସେମାନେ ଲେଖନୀ ଚଳାଇଲେ । ମାତ୍ର, ଏସବୁ ପିଲାମାନଙ୍କ ମନକୁ କେତେ ଛୁଇଁଲା, ସେଥିପ୍ରତି ଲକ୍ଷ୍ୟ ଦେଲେ ନାହିଁ ।

 

ପୁଣି, ଓଡ଼ିଶାରେ ଅନ୍ୟ ଏକ ସମସ୍ୟା ହେଲା – ବିଦଗ୍ଧ ସାହିତ୍ୟକମାନେ ଶିଶୁଗଳ୍ପ ରଚନା କରିବାକୁ ସଂକୋଚ କରନ୍ତି । ଯଦିଓ ସେମାନଙ୍କ ଲେଖକ ଜୀବନ ଏହି ଶିଶୁ-ରଚନାରୁ ଆରମ୍ଭ ହୋଇଥାଏ, ତଥାପି ସେମାନେ ପିଲାମାନଙ୍କ ପାଇଁ ଆଉ ଲେଖିବାକୁ ଆଗ୍ରହ ଦେଖାନ୍ତି ନାହିଁ । ଏହା ଆମ ପାଇଁ ଗୋଟେ ବଡ଼ ସମସ୍ୟା । ଆମର ପଡ଼ୋଶୀ ରାଜ୍ୟରେ ସାହିତ୍ୟକମାନଙ୍କୁ ସେମାନେ ଲକ୍ଷ୍ୟ କରିବାର କଥା ।

 

ଅନ୍ୟ ଏକ ସମସ୍ୟା ହେଲା – କ୍ରମେ ଚାକିରୀରୁ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ସଂଖ୍ୟା କ୍ରମେ ବଢ଼ି ବଢ଼ି ଚାଲିଛି । ଏହା ଏକ ଜାତୀୟ ସମସ୍ୟା । ସେମାନେ ନିଜର ଅବସର ସମୟ କଟାଇବା ପାଇଁ ଟାଇମ ପିଲାମାନଙ୍କ ପାଇଁ ଗଳ୍ପ ଲେଖନ୍ତି । ଫଳରେ ରଚନା କରିବାର ଅଭ୍ୟାସ ନ ଥିଲେ ମଧ୍ୟ ସେମାନେ ବିଭିନ୍ନ ପତ୍ରପତ୍ରିକା ପୃଷ୍ଠାରେ ଏବଂ ପରେ ପେନସନ ପଇସାରେ ସେସସବୁକୁ ଏକତ୍ର କରି ବହିଟିଏ ପ୍ରକାଶ କରି ନିଜର ମୃତ୍ୟୁପର ଜୀବନର ସନ୍ତକ ଭାବରେ ରଖିଯାଉଛନ୍ତି । ଏହିସବୁ ବ୍ୟକ୍ତିଙ୍କର ଜୀବନାନୁଭୂତି ଥିଲେ ମଧ୍ୟ ପିଲାମାନଙ୍କ ପାଇଁ ଲେଖିବାର ଅଭ୍ୟାସ ନ ଥିବାରୁ ଏହିସବୁ ଲେଖାର ‘ମାନ’ ଯଥୋଚିତ ହେଉନାହିଁ । ଏହା ଏକ ସ୍ୱାଭାବିକ କଥା ।

 

‘ଗଳ୍ପ’ର ଆତ୍ମା ହେଲା – ଏହା ‘କଥାବସ୍ତୁ’ । ଏହି କଥାବସ୍ତୁ ପିଲାକୁ ଯେପରି ଆକୃଷ୍ଟ କରିବ, ସେହିପରି ତା’ର ମନେ ରହିବ ଓ ଭଲ ପାଇବ । ସେହି କାହାଣୀ ଭିତରେ ପିଲାଟି ନିଜକୁ ଦେଖେ । ‘ଉଚିତ’ – ‘ଅନୁଚିତ’ ମଧ୍ୟରେ ତଫାତ ଦେଖେ । କିନ୍ତୁ, କଥାବସ୍ତୁରେ ସ୍ୱାଭାବିକତା, ଶିଶୁର ପରିବେଶ ଏବଂ ତା’ର ସମସ୍ୟା ଦିଗରେ ଯଦି କଥାବସ୍ତୁ ପ୍ରଭାବ ପକାଇ ନ ପାରିଲା, ତେବେ ତାହା ସଫଳ ଗଳ୍ପ ହୋଇ ପାରିବକି ? ଏଥିପାଇଁ ଆବଶ୍ୟକ, ଶିଶୁ ମହଲ ସହିତ ପରିଚିତ ହେବା, ସେମାନଙ୍କ ଭାବନା, ଅନୁଭୂତି, ଅଭିଜ୍ଞତା ଓ ରୁଚିବୋଧକୁ ଜାଣିବା ଓ ଚିହ୍ନିବା । କିନ୍ତୁ, କେତେଜଣ ଗାଳ୍ପିକ ଏ ଦିଗରୁ ଲକ୍ଷ୍ୟ କରିଛନ୍ତି ?

 

ପୁଣି, ଅଧିକାଂଶ ଗଳ୍ପର କଥାବସ୍ତୁ ପ୍ରାୟ ଏକପ୍ରକାର । ତେଣୁ ପିଲାଟି ପଢ଼ିଲାବେଳେ ତା’ର ଆଉ ଆଗ୍ରହ ରହୁନାହିଁ । ଅର୍ଥାତ୍ ‘ଉତ୍କଣ୍ଠା’ ନ ଥିବାରୁ ସେହି ଗଳ୍ପଟିକୁ ଅଧାରୁ ପଢ଼ା ବନ୍ଦ କରିଦେବ । ଏହା ଏକ ବଡ଼ ସମସ୍ୟା ।

 

କଥାବସ୍ତୁରେ ଗୋଟିଏ ଘଟନା ସହିତ ପର ଘଟନାର ସମ୍ପର୍କ ରହିବା ନିହାତି ଆବଶ୍ୟକ । କେବଳ ସେତିକି ନୁହେଁ, ସେଥିରେ ‘ଉତ୍କଣ୍ଠା’ ରହିବା ମଧ୍ୟ ନିହାତି ଆବଶ୍ୟକ ।

 

ପୁଣି ଗଳ୍ପର କଥାବସ୍ତୁ ଯଦି ପରିବାର, ବନ୍ଧୁମହଲ ଓ ବିଦ୍ୟାଳୟ ପରିସରରୁ ଗ୍ରହଣ କରାଯିବ, ତେବେ ପିଲାଟିର ଗଳ୍ପଟିକୁ ଗ୍ରହଣ କରିବାକୁ ସୁବିଧା ହୁଏ । ବିଶେଷତଃ ପରୀକ୍ଷା କରି ଦେଖାଯାଉଛି, ଯଦି ଗଳ୍ପରେ ‘ବନ୍ଧୁମହଲର’ର ବିଭିନ୍ନ ଘଟନା ଓ ଚରିତ୍ରକୁ ସ୍ଥାନ ଦିଆଯାଏ, ତାକୁ ସେ ଅଧିକ ଭାବରେ ଗ୍ରହଣ କରିନିଏ । କାରଣ ପରିବାର ଓ ବିଦ୍ୟାଳୟ ଅପେକ୍ଷା ବନ୍ଧୁମହଲରେ ସେ ଖୁବ୍ ‘ସ୍ୱାଧୀନ’ ବା ‘ମୁକ୍ତ’ ବୋଲି ଅନୁଭବ କରେ । ତେଣୁ ଗାଳ୍ପିକମାନେ ଏହି ଦିଗଟି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

 

ଗଳ୍ପମାନଙ୍କର ଉପଦେଶ ପରାମର୍ଶ ବା ଉଚିତ କଥାପ୍ରସଙ୍ଗରେ ଏତେ ଗୁରୁତ୍ୱ ଦିଆଯାଉଛି ଯେ ପିଲାର ପଠନେଚ୍ଛା ଆଉ ରହୁନାହିଁ । ପିତା ଔଷଧକୁ କିଏ ବା ପସନ୍ଦ କରେ ? ମାତ୍ର, ଏହାକୁ କେପସୁଲ ପରି ଦେବା ଆବଶ୍ୟକ । କିନ୍ତୁ ଆମ ଲେଖକମାନେ ଗଳ୍ପ ଶେଷରେ କହିଉଠନ୍ତି, ‘‘ପିଲାମାନେ, ଏଥିରୁ କ’ଣ ଶିଖିଲ ?’’ ଏହା ଗଳ୍ପ ପଠନଜନିତ ସବୁ ଆନନ୍ଦ ନିରାନନ୍ଦରେ ପରରିଣତ ହୋଇଥାଏ । ପିଲାଟି ଭାବେ ତାକୁ ଗପ ଶୁଣାଇ ଖୁସି କରିବା ପାଇଁ ନୁହେଁ, ତାକୁ ଉପଦେଶ ଦେବାପାଇଁ ଗପଟି କୁହାଯାଇଛି ।

 

ଓଡ଼ିଶାର ଆଦିବାସୀ ପିଲାଙ୍କ ପାଇଁ ଗଳ୍ପ ରଚନା ମଧ୍ୟ ଅତ୍ୟଳ୍ପ । ଯେଉଁ ଆଦିବାସୀ ଭାଷାରେ ଲିପି ରହିଛି, ଯଥା – ଅଲଚିକି ପ୍ରଭୃତି ସେସସବୁ ଭାଷାରେ କିଛି ଗଳ୍ପ ରଚିତ ହେବା ଆବଶ୍ୟକ । ଏହି ଭାଷାର ଲୋକମୁଖରେ ପ୍ରଚଳିତ ଶିଶୁଗଳ୍ପର ଅନୁବାଦ ସଂକଳନ ମଧ୍ୟ ପ୍ରକାଶ ପାଇବା ଆବଶ୍ୟକ । ଅବଶ୍ୟ କେତୋଟି ପତ୍ରିକାରେ ପ୍ରକାଶ ପାଉଛି । ମାତ୍ର ଏହା ଅତି ଅଳ୍ପ । ‘କେବଳ ସେତିକି ନୁହେଁ, ଆଦିବାସୀ ଭାଷାରେ ଓ ଆଦିବାସୀ ଲିପିରେ ଶିଶୁଗଳ୍ପର ପ୍ରକାଶ ପାଇବା ଆବଶ୍ୟକ । ଅବଶ୍ୟ ‘ଗେହ୍ଲିବହିନ’ ନାମରେ ଶ୍ରୀ ବିଜୟ ମହାପାତ୍ରଙ୍କ ସଂପାଦନାରେ ଏକ ପତ୍ରିକାରେ ଆଦିବାସୀ ଶିଶୁଗଳ୍ପ କେତୋଟି ପ୍ରକାଶ ପାଇଛି ।

 

ଅନ୍ୟ ଭାରତୀୟ ଭାଷାରୁ ଓଡ଼ିଆ ଭାଷାକୁ ଶିଶୁଗଳ୍ପମାନ ବହୁ ସଂଖ୍ୟାରେ ଅନୁବାଦିତ ହେବା ଆବଶ୍ୟକ । ଏ ଦିଗରେ National Book Trust ର ‘ନେହେରୁ ବାଳପୁସ୍ତକାଳୟ’ କିଛି ପଦକ୍ଷେପ ନେଇଛି । ତଥାପି ଏହା ଯଥେଷ୍ଟ ନୁହେଁ । ଏ ଦିଗରେ ଗଳ୍ପରେ ସରକାରୀ ଓ ବେସରକାରୀ ଉଦ୍ୟମ ହେବା ଆବଶ୍ୟକ । ଏ ଦିଗରେ ‘ଭାଷା ପ୍ରତିଷ୍ଠାନ, ସାହିତ୍ୟ ଏକାଡେମୀ’ ପଦକ୍ଷେପ ନେବା ଆବଶ୍ୟକ । ଏବେ ତ ଓଡ଼ିଆଭାଷା ସ୍ୱତନ୍ତ୍ର ମର୍ଯ୍ୟାଦା ପାଇଯିବ । ତେଣୁ ପାଣ୍ଠିର ଅଭାବ ରହିବ ନାହିଁ ।

 

ଏବେବି ଅକ୍ଷର ପରିଚିତ ହୀନ ପିଲାମାନେ ବନଜଙ୍ଗଲ ସହିତ ସହରତଳି ବସ୍ତି ଅଞ୍ଚଳରେ ରହୁଛନ୍ତି । ସେମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବାକୁ ପଡ଼ିବ । ଏମାନଙ୍କ ପାଇଁ ମାଧ୍ୟମ ହେଲା – ଧ୍ୱନି ବା ରେଡ଼ିଓ ଏବଂ ଦୂରଦର୍ଶନ । ସେମାନେ ତ ଅକ୍ଷର ଚିହ୍ନିପାରିବେ ନାହିଁ । ତେଣୁ ‘ଧ୍ୱନି’ ହେଲା ଏହାର ବଡ଼ ମାଧ୍ୟମ । ଆଉ ଦୂରଦର୍ଶନ ପାଇଁ ଆର୍ଥିକ କ୍ଷମତା ଥିଲେ କିଛିଟା ସମସ୍ୟା ଦୂର ହୋଇଥାଏ । ସେହି ପିଲାମାନେ ରେଡ଼ିଓରୁ ଗପ ଶୁଣନ୍ତି ଓ ଦୂରଦର୍ଶନରେ ଗପ ଶୁଣନ୍ତି ଓ ଦେଖନ୍ତି । ‘ଶିଶୁ ସଂସାର’ ଓ ‘କିଶୋର ଚକ୍ର’ କାର୍ଯ୍ୟକ୍ରମରେ ଏହାର ପରିବେଷଣ କରାଯାଇ ପାରୁଛି । ମାତ୍ର, କେତେଜଣ ବସ୍ତି ବା ଜଙ୍ଗଲ ପିଲା ଏହି ସୁଯୋଗ ପାଇପାରୁଛନ୍ତି ? ଏଥିପାଇଁ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ ।

 

‘ଗଳ୍ପ’ ରଚନା ଏବେ ଏକ ମାଧ୍ୟମରେ ପରିଣତ ହୋଇଯାଇଛି । ଇତିହାସର ଘଟନା, କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ଓ ବିଜ୍ଞାନର କୌଣସି ଏକ ତଥ୍ୟକୁ ପିଲାମାନଙ୍କ ପାଇଁ ପରିବେଷଣ କରିବାକୁ ହେଲେ ଲେଖକ ଯଦି ଗଳ୍ପ ମାଧ୍ୟମରେ ପରିବେଷଣ କରନ୍ତି, ତେବେ ଏହା ପିଲାମାନଙ୍କ ପକ୍ଷରେ ସୁଖପାଠ୍ୟ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଆକର୍ଷଣ କରେ । ଅର୍ଥାତ୍, ଏଠାରେ ‘ଗଳ୍ପ’ ସାହିତ୍ୟର ଏକ ବିଭାଗ ହୋଇ ରହେ ନାହିଁ । ଏହା ଏକ ‘ଶୈଳୀ’ (Style)ରେ ପରିଣତ ହୋଇଯାଏ । ଏଣୁ, ଶିଶୁ-ସାହିତ୍ୟ ଜଗତରେ ଗଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାତ୍ର ଏ ଦିଗରେ ବି ସମସ୍ୟା ରହିଛି ।

 

ଶିଶୁଗଳ୍ପରେ ଅଳ୍ପ ଚରିତ୍ର ରହିବା ଆବଶ୍ୟକ । କାରଣ, ବେଶୀ ଚରିତ୍ର ଥିଲେ ପିଲାମନରେ ଅସ୍ପଷ୍ଟଭାବ ସୃଷ୍ଟି ହେବ ଏବଂ ଗଳ୍ପର କଳେବର ଦୀର୍ଘ ହୋଇଯିବ । ଅଧିକ ଦୀର୍ଘ ହେଲେ ପିଲାର ପଢ଼ିବାକୁ ମନଯୋଗ କ୍ଷମତା (Attention) ରହିବ ନାହିଁ । ଯେଉଁ ଅଳ୍ପ କେତୋଟି ଚରିତ୍ର ସୃଷ୍ଟି କରାଯିବ, ତା’ଭିତରେ ପରସ୍ପରଠାରୁ ବିପରୀତ ଚରିତ ରହିଲେ ସେମାନଙ୍କ ବିରୋଧରେ ଭାବ ସୃଷ୍ଟି ହେବ । ପିଲାଟି କଥାର ଦୁଇଟି ଦିଗ ପ୍ରତି ଧାରଣା ସ୍ପଷ୍ଟ ହେବ । ମାତ୍ର ଅଧିକାଂଶ ଗଳ୍ପରେ ଗୋଟିଏ ପ୍ରକାର ଚରିତ ରହୁଛି ।

 

ଓଡ଼ିଆ ଶିଶୁଗଳ୍ପର ଶୈଳୀ ମୁଖ୍ୟତଃ ଚାରି ପ୍ରକାରର । ଯଥା – ବର୍ଣ୍ଣନାତ୍ମକ ଶୈଳୀ, ଆତ୍ମକଥନ ଶୈଳୀ, କଥୋପକଥନ ଶୈଳୀ ଓ ପାଠ୍ୟପୁସ୍ତକ ଶୈଳୀ । ପ୍ରଥମ ଶ୍ରେଣୀରେ ଶୈଳୀ ଅର୍ଥାତ୍ ବର୍ଣ୍ଣନାତ୍ମକ ଶୈଳୀର ବ୍ୟବହାର ସବୁଠାରୁ ଅଧିକ । କିନ୍ତୁ, ଛୋଟ ପିଲାମାନଙ୍କ ପାଇଁ ମଝିରେ ମଝିରେ କଥୋପକଥନ ଅଥବା ପଦକିଆ ଗୀତ ରହିବ ଆବଶ୍ୟକ ।

 

ବିଜ୍ଞାନ ବିଷୟକ ଗଳ୍ପ ପଢ଼ିଲା ବେଳେ ଏବେ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୈଜ୍ଞାନିକ ପ୍ରକ୍ରିୟାକୁ ଓ ସେଥିରେ ବ୍ୟବହୃତ ‘ପରିଭାଷା’ (Term)କୁ ଯେପରି ବର୍ଣ୍ଣନା କରାଯାଉଛି, ତାହା ପିଲାମାନଙ୍କୁ ଶ୍ରେଣୀର ପାଠ୍ୟପୁସ୍ତକ ପରି ମନେହେଉଛି । ପିଲାମାନଙ୍କୁ ତାଙ୍କ ପରିବେଶ ଓ ବୟସ ଅନୁଯାୟୀ ବାକ୍ୟ ଓ ଭାଷାରେ ବୁଝାଇଦେବା ଆବଶ୍ୟକ-। ବୈଜ୍ଞାନିକ ସୂତ୍ରରୁ ବୁଝାଇବାକୁ ହେଲେ, ସେହିପରି ଘଟନା ବା ପରିସ୍ଥିତିକୁ ପିଲା ଉପଯୋଗୀ ସୃଷ୍ଟି କରିବା ଆବଶ୍ୟକ । ଏ ଦିଗରେ ଆମ ବିଜ୍ଞାନ ବିଷୟକ ଗଳ୍ପ ରଚନାରେ ବି ସମସ୍ୟା ରହିଛି । ଏସବୁ ଗଳ୍ପକୁ ଶିଶୁ ମହଲରେ ପଢ଼ାଇ ଶୁଣାଇ ତାକୁ ସଂଶୋଧନ କରିନେବା ନିରାପଦ ହେବ ।

 

ଗଳ୍ପରଚନା ଦିଗରେ ‘ଭାଷା’ ଏକ ସମସ୍ୟା । ଗଳ୍ପ ରଚନା ପୂର୍ବରୁ ଗାଳ୍ପିକ ଯେଉଁ ବୟସ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ତାହା ସେ ସ୍ଥିର କରିଥାନ୍ତି ମାତ୍ର, ଏବେ ଏହାର ବିଘ୍ନ ଘଟୁଛି । ତେଣୁ ସମସ୍ୟା ସୃଷ୍ଟି ହେଉଛି ।

 

ପିଲାମାନେ ବୁଝିବା ଶବ୍ଦ, କହିବା ଶବ୍ଦ ଏବଂ ଲେଖିବା ବା ପଢ଼ିବା ଶବ୍ଦର ରୂପରେଖ, ତଥା ଶବ୍ଦ ସଂଖ୍ୟା ବିଷୟରେ ଗାଳ୍ପିକ ଜାଣିବା ଦରକାର । ଲିଖିତ, କଥିତ ଓ ପରିଭାଷା କେଉଁଠି କେମିତି ପ୍ରୟୋଗ କରାଯିବ ତାହା ସ୍ଥିର କରାଯାଏ । ଏହା ଲେଖକଙ୍କ ଅଭିଜ୍ଞତା ଉପରେ ନିର୍ଭର କରିଥାଏ । ମାତ୍ର, ଏପରି ଅଭିଜ୍ଞତା ସମ୍ପନ୍ନ ଗାଳ୍ପିକ ଓଡ଼ିଶାରେ କେତେଜଣ ଅଛନ୍ତି ? ବାକ୍ୟର ଗଠନରୀତି କ୍ଷୁଦ୍ର ହେବା ଆବଶ୍ୟକ । କିନ୍ତୁ ଏବେ ତ ଜଟିଳ ବାକ୍ୟର ପ୍ରୟୋଗ ପ୍ରଚୁର ହେଉଛି ।

 

ଓଡ଼ିଶାରେ ଅତ୍ୟଳ୍ପ ଶିଶୁଗାଳ୍ପିକ ଅଛନ୍ତି, ଯେଉଁମାନେ ତାଙ୍କ ନିଜର ଗଳ୍ପ ପାଇଁ ଚିତ୍ର ଆଙ୍କି ପାରନ୍ତି । ଅଧିକାଂଶ ଗାଳ୍ପିକ ଚିତ୍ର ଆଙ୍କି ପାରନ୍ତି ନାହିଁ । ଏପରିକି ଚିତ୍ର ସମ୍ପର୍କରେ ଧାରଣା ବି ନ ଥାଏ । ତେଣୁ ସେ ଗପଟିକୁ ଲେଖି ସାରିବା ପରେ ଚିତ୍ରକରଙ୍କ ଦ୍ୱାରସ୍ଥ ହୁଅନ୍ତି । ଯଦି ଗାଳ୍ପିକଙ୍କର ଧାରଣା ଓ ଚିତ୍ରକରଙ୍କ ଧାରଣା ଦୁଇଟି ଏକ ହୋଇଯାଏ, ତେବେ ସେହି ଗଳ୍ପଟି ପିଲାମନରେ ଗଭୀର ଭାବରେ ରେଖାପାତ କରେ । ଯଦି ଦୃଷ୍ଟି ଓ ଧାରଣା ସମାନ ନ ହୁଏ, ତେବେ ପିଲାଟି ମନରେ ଗଳ୍ପଟି ଅଧେ ରେଖାପାତ କରେ । କାରଣ, ଶିଶୁ-ସାହିତ୍ୟ କ୍ଷେତ୍ରରେ ଚିତ୍ରର ଭୂମିକା ଅର୍ଦ୍ଧେକ । ଅର୍ଥାତ୍ ଶିଶୁଗଳ୍ପର ମୂଲ୍ୟାୟନର ଚିତ୍ରର ଭୂମିକା ଅର୍ଦ୍ଧେକ ।

 

ଏହାର ଅର୍ଥ ନୁହେଁ ଯେ, ପିଲାଙ୍କ ପାଇଁ ଗଳ୍ପ ଲେଖିବାକୁ ହେଲେ ଚିତ୍ରକର ହେବା ନିହାତି ବାଧ୍ୟ । କିନ୍ତୁ ସେ ପ୍ରସଙ୍ଗର ଧାରଣା ରହିଥିବା ଆବଶ୍ୟକ ।

 

ଛୋଟ ପିଲାମାନଙ୍କ ପାଇଁ (ବିଶେଷତଃ ୩/୪ ବର୍ଷରୁ ୭/୮ ବର୍ଷର ପିଲା) ଚିତ୍ରକଥା ବା comicsର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ । ଗଳ୍ପଟି ମୋଟାମୋଟି ଭାବରେ ଲେଖା ଯାଉଥିବ ଏବଂ ଏହାକୁ କେତେଗୁଡ଼ିଏ ଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇ ପାରୁଥିବ । ତେଣୁ ଏଠାରେ ପିଲାଟି ଚିତ୍ର ମାଧ୍ୟମରେ ଗପକୁ ପଢ଼େ ବା ପିତାମାତାମାନେ ଚିତ୍ର ମାଧ୍ୟମରେ ଗପଟିକୁ ଶୁଣାଇଥାନ୍ତି । ଏହା ହେଉଛି ପିଲାଟି ଗଳ୍ପ ଶୁଣିବା ପାଇଁ ପ୍ରାଥମିକ ଅବସ୍ଥା ।

 

ଏ ଦିଗରେ National Book Trustର ‘ନେହେରୁ ବାଳ ପୁସ୍ତକାଳୟ, ‘ନବଯୁଗ ଗ୍ରନ୍ଥାଳୟ’ ‘ରାଜ୍ୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ’ (SCERT), ଆଦି କେତୋଟି ସରକାରୀ ସଂସ୍ଥାର ଅବଦାନ ଅବଶ୍ୟ ସ୍ୱୀକାର୍ଯ୍ୟ । ମାତ୍ର ଏ ଦିଗରେ ଚିତ୍ରକଥା ଅତ୍ୟଳ୍ପ ପ୍ରକାଶ ପାଉଛି । ଅବଶ୍ୟ କେତେକ ମାସିକ ଶିଶୁ ପତ୍ରିକାରେ ନିୟମିତ ଚିତ୍ରକଥା (comics) ପ୍ରକାଶ ପାଉଛି । ଏସବୁ ଓଡ଼ିଆ ଶିଶୁ ଗଳ୍ପ ପୁଷ୍କରିଣୀର ତୁଠପଥର ।

 

କୁହାଯାଏ, ‘ଶିଶୁ-ସାହିତ୍ୟ’ ହେଉଛି ‘ଶିଶୁ ମନୋବିଜ୍ଞାନ’ର ପରିଣତି । ଅର୍ଥାତ୍ ଶିଶୁର ମାନସିକ ବିକାଶ ଦିଗରେ ଶିଶୁ-ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷତଃ ଶିଶୁ-ସାହିତ୍ୟର ଅନ୍ୟ ବିଭାଗଠାରୁ ଗଳ୍ପର ଅବଦାନ ଅବର୍ଣ୍ଣନୀୟ ।

 

ଯଦି ଓଡ଼ିଆ ଶିଶୁ ଗାଳ୍ପିକ ଜଣକ ନିର୍ଦ୍ଦିଷ୍ଟ ବୟସର ପିଲାମାନଙ୍କ ପାଇଁ ଲେଖି, ତାକୁ ସେହି ବୟସବର୍ଗର ପିଲାଙ୍କୁ ପଢ଼ାଇ, ତାଙ୍କ ପରାମର୍ଶ ନେଇ ଏହାକୁ ସଂଶୋଧନ କରିନିଅନ୍ତେ, ତେବେ ବହୁ ସମସ୍ୟାର ସମାଧାନ ହୋଇଯାଆନ୍ତା । କାରଣ ପରୀକ୍ଷାଗାରରେ ପରୀକ୍ଷା କରିଦେଲା ପରେ ଆଉ ସନ୍ଦେହ ରହନ୍ତା ନାହିଁ ।

 

ପରିଶେଷରେ ଏତିକି କୁହାଯାଇ ପାରେ ଯେ, ଯେତେବେଳେ ଶିଶୁ-ସାହିତ୍ୟ କେବଳ ଭାରତ ନୁହେଁ, ଆନ୍ତର୍ଦ୍ଦେଶୀୟ କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ବିଭାଗରେ ରୂପ ନେଲାଣି, ସେତେବେଳେ ଓଡ଼ିଶାରେ ଓଡ଼ିଆ ଶିଶୁ-ସାହିତ୍ୟ, ବିଶେଷତଃ ଶିଶୁଗଳ୍ପ ରଚନା କ୍ଷେତ୍ରରେ ସଚେତନ ହେବାର ସମୟ ଆସିଛି । ଏହିସବୁ ସମୟରେ ସମାଧାନ ପାଇଁ ପ୍ରଥମେ ଗାଳ୍ପିକମାନେ ଖୋଲାମନରେ ଉଦ୍ୟମ କରିବା ଆବଶ୍ୟକ । ଏହା ଏବେ ଏକ ଜାତୀୟ କାର୍ଯ୍ୟ । କାରଣ, ଏହି ପିଲାମାନେ ହେଉଛନ୍ତି ଭାରତର ଭବିଷ୍ୟତ ବଂଶଧର ।

 

 

ଅପର୍ଣ୍ଣା ସଦନ, ନୂଆବଜାର,

ଭଦ୍ରକ – ୭୫୬୧୦୦

 

***

 

ସହାୟକ ଗ୍ରନ୍ଥସୂଚୀ:

୧-

ଶିଶୁ-ସାହିତ୍ୟ ପରିକ୍ରମା- ଡ. ଜଗନ୍ନାଥ ମହାନ୍ତି – ପ୍ରାଚ୍ୟସାହିତ୍ୟ ପ୍ରତିଷ୍ଠାନ, କଟକ-୨, ୨୦୦୦

୨-

ଓଡ଼ିଆ ଶିଶୁଗଳ୍ପର ସ୍ୱରୂପ ଓ ବିକାଶ- ଡ. କୃତ୍ତିବାସ ନାୟକ – ଅରୁଣ-ତରୁଣ-କେନ୍ଦୁଝର-୧୯୯୫

୩-

ସାମ୍ପ୍ରତିକ ଓଡ଼ିଆ ଶିଶୁଗଳ୍ପ – ସମ୍ପାଦକ, ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ପବ୍ଲିଶିଂ ହାଉସ-ଭୁବେନଶ୍ୱର-୨୦୦୬

୪-

ଓଡ଼ିଆ ଶିଶୁ-ସାହିତ୍ୟ ଚର୍ଚ୍ଚା – ଶ୍ରୀ ରମେଶ ଚନ୍ଦ୍ର ଦାସ ନାନାବାୟା ପ୍ରକାଶନୀ – ବି. ଘାଟିକିଆ-ଖଣ୍ଡଗିରି- ଭୁବନେଶ୍ୱର-୩୦-୨୦୧୧

୫-

ଓଡ଼ିଆ ଶିଶୁ-ସାହିତ୍ୟ ପ୍ରସଙ୍ଗରେ – ଡ. ମନୀନ୍ଦ୍ର ମହାନ୍ତି – ଅପର୍ଣ୍ଣା ପ୍ରକାଶନୀ, ଭଦ୍ରକ, ୨୦୧୨

୬-

ଓଡ଼ିଆ ଶିଶୁ-ସାହିତ୍ୟର ସିଂହଦ୍ୱାର- ଡ. ମନୀନ୍ଦ୍ର ମହାନ୍ତି – ଅପର୍ଣ୍ଣା ପ୍ରକାଶନୀ, ଭଦ୍ରକ, ୨୦୧୨

୭-

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଶିଶୁ-ସାହିତ୍ୟ- ଡ. ଭାଗବତ ପ୍ରସାଦ ଲେଙ୍କା – ତକ୍ଷଶିଳା- ବାଲୁବଜାର – କଟକ- ୨ – ୨୦୦୦

୮-

बाल साहित्य के प्रतिमान - डॉक्टर नागेश पांडेय संजेय बुनिआदी साहित्य प्रकाशन, रामकृष्ण पार्क - अममीनाबाद - लखनऊ – 2001

୯-

Children’s Literature and Education in India – Dr. Digraj Braham – Deep and Deep Publication – D-1/24-Rajouri – New Delhi – 110027-1989

 

***

 

କୋରାପୁଟ ଜିଲ୍ଲାର

ଆଦିବାସୀ ଲୋକ କବିତା : ଏକ ସାଂସ୍କୃତିକ ବିଶ୍ଳେଷଣ

ସୁବାସ ଚନ୍ଦ୍ର ମିଶ୍ର

 

ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ସମାଜର ପାରମ୍ପରିକ ଭାବ ପ୍ରକାଶର ମାଧ୍ୟମ ହେଉଛି ଲୋକ କବିତା । ଏପରିକି ଆଧୁନିକ ସମାଜରେ ମଧ୍ୟ ଲୋକ କବିତା ମାନବୀୟ ଅନୁଭବର ସହଭାଗୀ ହୋଇ ନିଜସ୍ୱ ଏକ ଭୂମିକା ନିର୍ବାହ କରିଥାଏ । କୋରାପୁଟ ଜିଲ୍ଲାର ଆଦିବାସୀ ସମାଜ ପ୍ରାୟତଃ ସାମ୍ପ୍ରତିକ ଶିକ୍ଷାର ସମସ୍ତ ସୁଫଳ ଭୋଗ କରିବା ସମ୍ଭବପର ହୋଇପାରି ନାହିଁ । ଏହି ସମାଜରେ ସାଂସ୍କୃତିକ ଓ ଭାଷାଗତ ବିଭିନ୍ନତା ରହିଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଷ୍ଟୋଦ୍ରାବିଡ଼ ଭାଷା ଗୋଷ୍ଠୀର ପ୍ରାୟ ୬୦ ଆଦିବାସୀ ଗୋଷ୍ଠୀ ବାସ କରନ୍ତି ।

 

ଲୋକ କବିତା କୋରାପୁଟ ଜିଲ୍ଲାର ଭାବପ୍ରକାଶର ମାଧ୍ୟମ ଭାବେ ଲୋକ ସାହିତ୍ୟରେ ଏକ ଦୃଢ଼ଭିତ୍ତି ସ୍ଥାପନ କରିପାରିଛି । ଆଦିବାସୀ ଗୀତ ମୂଳତଃ ଗେୟଧର୍ମୀ । ଏହି ଗୀତଗୁଡ଼ିକର ବିଷୟବସ୍ତୁ ଲୋକ କବିତାର ଏକ ଉଚ୍ଚତର ସ୍ତରକୁ ଛୁଇଁ ପାରିବାର କ୍ଷମତାକୁ ସୂଚିତ କରିଥାଏ । ଏହି ଗୀତଗୁଡ଼ିକୁ ଆମେ ଗୀତ କବିତା ବୋଲି କହିପାରିବା । ଏହି ମୌଖିକ ଗୀତ-କବିତାଗୁଡ଼ିକ ବହୁ ପ୍ରକାରର ହୋଇଥାଏ । ଯେମିତି କି ପ୍ରେମ ସମ୍ବନ୍ଧୀୟ, ମୃତ୍ୟୁ ସମ୍ବନ୍ଧୀୟ, ପହେଳି, ପବିତ୍ର ମନ୍ତ୍ର, ସାମାଜିକ ମିଳନ ଓ ଧାର୍ମିକ ଅନୁଷ୍ଠାନ ଆଦିକୁ ଏହି ଗୀତ-କବିତାଗୁଡ଼ିକରେ ଶୁଣି ହୁଏ ।

 

ମୂଳ ଆଦିବାସୀ ଲୋକ ଗୀତ ଯଦି ବିଷୟ ହୁଏ, ସେହି ଗୀତର ମୁଦ୍ରିତ ସ୍ୱରୂପକୁ ଲୋକ କବିତା କୁହାଯାଏ । ଏହି ଲିଖିତ ରୂପ ଲୋକଗୀତକୁ ଲୋକ କବିତାରେ ପରିଣତ କରିଥାଏ । ଫଳରେ ମୌଖିକ ଗୀତର କାର୍ଯ୍ୟ ପରିବର୍ତ୍ତିତ ହୋଇଯାଏ । ଏହି ନିବନ୍ଧରେ ଯେଉଁ ପ୍ରତିନିଧି ସ୍ଥାନୀୟ ଲୋକଗୀତଗୁଡ଼ିକୁ ଲିଖିତ ରୂପରେ ଉପସ୍ଥାପନା କରାଯାଇଛି ସେଗୁଡ଼ିକୁ କୋରାପୁଟ ଜିଲ୍ଲାର ଲୋକ କବିତା ଭାବେ ଅଭିହିତ କରାଯାଇଛି ବା ନାମ ଦିଆଯାଇଛି ।

 

ସାଧାରଣତଃ କୋରାପୁଟ ଜିଲ୍ଲା (ଅବିଭକ୍ତ) ଆଦିବାସୀ ମୌଖିକ କବିତାଗୁଡ଼ିକ ବହୁ ବିଷୟର ବର୍ଣ୍ଣନାରେ ରୁଦ୍ଧିମନ୍ତ । ପର୍ବ-ପର୍ବାଣୀ, ପରବ-ଯାତରାକାଳୀନ, ଧର୍ମାନୁଷ୍ଠାନ ସମ୍ବନ୍ଧୀୟ, ଘରେ ଓ ପରିବାରରେ, ସାମାଜିକ ମେଳଣରେ ଶ୍ରମ କରୁଥିବା ସମୟରେ ଶ୍ରମ ଲାଘବ ପାଇଁ ଗାଉଥିବା, ଜନ୍ମ-ବିବାହ-ମୃତ୍ୟୁକାଳୀନ, ଖେଳୁଥିବା ସମୟରେ ଓ ମନୋରଞ୍ଜନ ପାଇଁ, ଆର୍ଥିକ, ଶାସକୀୟ, ମାନବୀୟ ସମସ୍ୟା ଆଦି ଏହି ଲୋକ କବିତାଗୁଡ଼ିକରେ ପ୍ରତିଫଳିତ ହୋଇଥାଏ ।

 

କୋରାପୁଟ ଜିଲ୍ଲାର ଲୋକ କବିତା ସମ୍ବନ୍ଧରେ ଜାଣିବା ପୂର୍ବରୁ ଏହି ଜିଲ୍ଲାର ଭୂଗୋଳ, ଇତିହାସ ଓ ଜନବସତି ଆଦିକୁ ଜାଣିବା ଉଚିତ୍ ହେବ । କୋରାପୁଟ ଜିଲ୍ଲା ଭାରତର ଓଡ଼ିଶା ପ୍ରଦେଶରେ ଅବସ୍ଥିତ । ଏହି ଜିଲ୍ଲା ୨୦୩" ରୁ ୧୭" ଉତ୍ତର ଅକ୍ଷାଂଶ ତଥା ୮୧୨୭" ରୁ ୮୪୧" ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । କୋରାପୁଟ ଜିଲ୍ଲା ତାହାର ପର୍ବତମାଳା, ସବୁଜ ବନାନୀ, ତରଙ୍ଗାୟିତ ଉପତ୍ୟକା, ଖରସ୍ରୋତା ନଦୀ ଓ ନାଳ, ଆକର୍ଷଣୀୟ ପ୍ରପାତ ସମୂହ, ସୋପାନମୟ ଉପତ୍ୟକାର ପର୍ବତଶିଖର ଯାଏ ବିସ୍ତାର, ଯାହା ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର, ଯାହାର ତୁଳନା ନାହିଁ, ଯାହାକୁ ସ୍ୱର୍ଗୀୟ ସୁଷମାର ଆତ୍ମା ବୋଲି କୁହାଯାଏ, ତାହା ମନୋହରୀ ରୂପ ପାଇଁ ପ୍ରସିଦ୍ଧ ।

 

ଏହି ଜିଲ୍ଲାର ନାମକରଣ ପଛରେ ବହୁ କିମ୍ବଦନ୍ତୀ ଶୁଣାଯାଏ ଲୋକ ମୁଖରେ । ଯେହେତୁ କିମ୍ବଦନ୍ତୀଗୁଡ଼ିକ କଳ୍ପନାଶ୍ରୟୀ, ଏଣୁ କୋରାପୁଟ ଜିଲ୍ଲା ନାମକରଣର ଏକ ପ୍ରମାଣ ସିଦ୍ଧ ସିଦ୍ଧାନ୍ତରେ ଉପନ୍ନୀତ ହେବା ସମ୍ଭବ ନୁହେଁ । ଏହି ଜିଲ୍ଲାର ଉତ୍ତରରେ କଳାହାଣ୍ଡି ଜିଳ୍ଲା ଓ ଛତିଶଗଡ଼ର ରାୟପୁର ଜିଲ୍ଲା, ପଶ୍ଚିମରେ ବସ୍ତର ଜିଲ୍ଲା, ଦକ୍ଷିଣରେ ପୂର୍ବଗୋଦାବରୀ ତଥା ବିଶାଖାପାଟଣା ଜିଲ୍ଲା ଏବଂ ପୂର୍ବପଟେ ଶ୍ରୀକାକୁଲମ ଓ ଗଞ୍ଜାମ ଜିଲ୍ଲା ଅବସ୍ଥିତ ଥାଇ ଜିଲ୍ଲାର ଚତୁଃସୀମା ନିର୍ଦ୍ଧାରଣ କରୁଛି । କୋରାପୁଟ ଜିଲ୍ଲା ଭୂକ୍ଷେତ୍ରଫଳ ହେଉଛି ୨୭,୪୨୦ ବର୍ଗ କିଲୋମିଟର ।

 

୨୦୦୧ ମସିହା ଜନଗଣନା ଭିତ୍ତିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ଜନସଂଖ୍ୟା ହେଉଛି ୩୫,୪୧,୦୦୦ ଏବଂ ଏହି ଜନସଂଖ୍ୟାର ୧,୯୩,୦୦୦ ହେଉଛନ୍ତି ଆଦିବାସୀ ଗୋଷ୍ଠୀର । ମୋଟ ଜନସଂଖ୍ୟାର ୫୩.୭୪% ହେଉଛନ୍ତି ଜନଜାତି ଗୋଷ୍ଠୀର । କୋରାପୁଟ ଜିଲ୍ଲାର ମୋଟ ଜନସଂଖ୍ୟାର ୮୦% ଲୋକ ଗ୍ରାମାଞ୍ଚଳରରେ ବାସ କରନ୍ତି ଏଣୁ କୋରାପୁଟ ଜିଲ୍ଲାର ସାଂସ୍କୃତିକ ଉତ୍ସଗୁଡ଼ିକୁ ଚିହ୍ନଟ କରିବା ଓ ସେ ସମ୍ବନ୍ଧରେ ଜାଣିବାକୁ ହେଲେ ଗ୍ରାମାଭିମୁଖୀ ହେବାକୁ ହେବ ।

 

କୋରାପୁଟ ଜିଲ୍ଲାର ମାନବ ଜାତିଗୁଡ଼ିକର ବିଜ୍ଞାନରୁ ଜଣାଯାଏ ସେମାନେ ବହୁବର୍ଣ୍ଣା । ସେମାନଙ୍କ ଶରୀର ଗଠନ, ଭାଷା, ରାଜନୀତି ଓ ଧର୍ମ ସମ୍ବନ୍ଧରେ ବହୁ କଥା ଜାଣିହୁଏ । ମାନବ ଜାତିର ତତ୍ତ୍ୱ ବିଦ୍ୟା ଅଧ୍ୟୟନ ଦ୍ୱାରା । ମାନବଜାତି ସମ୍ବନ୍ଧରେ ବିଜ୍ଞାନ ସମ୍ମତ ଅଧ୍ୟୟନ ଓ ଗବେଷଣା କରି ଏକ ନିର୍ଦ୍ଦିଷ୍ଟ ସଂସ୍କୃତି ବିଷୟରେ ସମ୍ପୂର୍ଣ୍ଣଭାବେ ଅବଗତ ହୋଇ ହୁଏ, ଏହା ନୃତତ୍ତ୍ୱ (History of Men)ର ଏକ ଶାଖା ବିଷୟ ଭାବେ ଗବେଷଣା କରା ଯାଇଥାଏ । ଏଥିରୁ ମନୁଷ୍ୟ ଜାତିର ଇତିହାସ, ମନୁଷ୍ୟର ଉତ୍ପତ୍ତି, ବିକାଶ, ପ୍ରାଚୀନ ଜୀବନଧାରା, ରୀତି, ଅବୟବ ଗଠନ ସମ୍ବନ୍ଧୀୟ ବିଜ୍ଞାନକୁ ଜାଣିହୁଏ ।

 

କୋରାପୁଟ ଜିଲ୍ଲା ଆଦିବାସୀ ମାନବ ଜାତିର ଅଧ୍ୟୟନରୁ ସେମାନଙ୍କ ସଂସ୍କୃତିର ସମସ୍ତ ଦିଗ ଦିଗନ୍ତକୁ ଜାଣିହୁଏ ଯଥା ସେମାନଙ୍କ ସାମାଜିକ, ଧାର୍ମିକ, ଅର୍ଥନୀତିକ, ରାଜନୈତିକ ବ୍ୟବସ୍ଥା ଓ ସଂସ୍କୃତିର ଅନ୍ୟ ଆନୁଷଙ୍ଗିକ ଅନୁଷ୍ଠାନଗୁଡ଼ିକ ସମ୍ବନ୍ଧରେ ସମ୍ପୂର୍ଣ୍ଣଭାବେ ଜାଣି ହୁଏ । ଏହି ଅଧ୍ୟୟନରୁ ସେମାନଙ୍କର ଚିନ୍ତା ଓ ଚେତନାର ଧାରା, ଚିନ୍ତା କରିବାର ପଦ୍ଧତି, ସେମାନଙ୍କ ବିଶ୍ୱାସ ବୋଧ, ମାନବୀୟ ଆଦର୍ଶସମୂହ, ଯାହା ତାଙ୍କ ମନୋମସ୍ତିଷ୍କରେ ଯୁଗ ଯୁଗ ଧରି ବସାବାନ୍ଧି ରହିଛି, ତା’ଛଡ଼ା ସେମାନଙ୍କ ଉପରେ ପଡ଼ିଥିବା ସାମାଜିକ ପ୍ରଭାବ, ରୀତିନୀତି, ଧର୍ମାନୁଷ୍ଠାନ ଓ ସେମାନଙ୍କର ସଂସ୍କାର, ବିଭିନ୍ନ ପ୍ରକାର କର୍ମକାଣ୍ଡ, ନୃତ୍ୟ, ଉପଚାର, ଆଚାର ସଂହିତା, ନୈତିକତା, ଲୋକାଚାର, ଲୋକ ସ୍ୱଭାବ ସମ୍ବନ୍ଧରେ ଜାଣିହୁଏ । ଯାହା ଏକ ଜାତିକୁ ଅନ୍ୟ ଏକ ଜାତିରୁ ପୃଥକ କରି ଚିହ୍ନିବାରେ ସହାୟତା କରିଥାଏ ।

 

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେଉଁ ମୁଖ୍ୟ ଓ ଗୌଣ ଆଦିବାସୀ ଗୋଷ୍ଠୀ ବାସ କରନ୍ତି, ସେମାନେ ହେଲେ ଭତ୍‌ରା, ଭୂମିଆ, ଗଣ୍ଡ, କନ୍ଧ, କୋୟୀ, ପରଜା (୬ ଗୋଷ୍ଠୀ) ଯେଉଁମାନଙ୍କ ସଂଖ୍ୟା ଏକଲକ୍ଷରୁ ଉର୍ଦ୍ଧ୍ୱ । ଯେଉଁମାନଙ୍କ ସଂଖ୍ୟା ଦଶହଜାରରୁ ଅଧିକ କିନ୍ତୁ ଏକଲକ୍ଷରୁ କମ୍ ସେମାନେ ହେଲେ ଦୁରୁଆ, ଗଜବୀ, ହାଲବା, କଣ୍ଡାଦୋରା, କୋଟିଆ, ଅମନାତ୍ୟ, ଶବର, ସଉରା (୮ ଗୋଷ୍ଠୀ), ବଣ୍ଡା, ଭୂଇଁଆ, ଡିଡ଼ାୟା (ଦିଦାଇ), ପେଣ୍ଟିଆ, ସାନ୍ତାଳ (୫ଟି ଗୋଷ୍ଠୀ) । ଯେଉଁମାନଙ୍କ ସଂଖ୍ୟା ପାଞ୍ଚ ହଜାରରୁ ଦଶହଜାର ମଧ୍ୟରେ ସୀମିତ । ବଡଜାରା, ଗୋଣ୍ଡିଆ, ଜାତାପୁ, କନ୍ଧଗୌଡ଼, ମାଟିଆ ମାଣ୍ଡା, ଲୋହରା, ପାରେଶା ( ୮ଟି ଗୋଷ୍ଠୀ) ।

 

ଏହିସବୁ ଆଦିବାସୀ ଗୋଷ୍ଠୀ ଓ ସେମାନଙ୍କ ସମ୍ପର୍କରେ ଆସୁଥିବା ଅଣ ଆଦିବାସୀ ଗୋଷ୍ଠୀର ଅନ୍ତଃକ୍ରିୟା ଫଳରେ ସମ୍ପ୍ରତି ଏକ ମିଶ୍ର ସଂସ୍କୃତି ଦେଖିବାକୁ ମିଳୁଛି । ପରସ୍ପର ଗୋଷ୍ଠୀର ନିଜସ୍ୱ ସଂସ୍କୃତି ତଥା ଭାଷା, ଉପଭାଷା ରହିଥିଲେ ମଧ୍ୟ ଦେଶିଆ ଭାଷାକୁ ସଂଯୋଗକାରୀ ଭାଷା ରୂପେ ବ୍ୟବହାର କରି ଏମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇପାରୁଛି । ଗୀତ ମାଧ୍ୟମରେ ଭାବ ପ୍ରକାଶର ପରମ୍ପରା (Expressive Tradition), ଆଦିବାସୀ ଗୋଷ୍ଠୀଙ୍କ ମୌଖିକ ସାହିତ୍ୟର ଏକ ବିଶିଷ୍ଟ ଅଙ୍ଗ । ମୌଖିକ ସାହିତ୍ୟର ପରମ୍ପରା ବହୁ ପ୍ରାଚୀନ ।

 

କୋରାପୁଟ ଜିଲ୍ଲାର ମୌଖିକ କବିତା ବିଶେଷତଃ ଗେୟଧର୍ମୀ । ଏହି ଗୀତଗୁଡ଼ିକୁ ସାଧାରଣତଃ ଉଭୟ ସ୍ତ୍ରୀ ଓ ପୁରୁଷ ଗାଇଥାନ୍ତି । କୋରାପୁଟ ଅଞ୍ଚଳ ଲୋକଗୀତର ଏକ ଅସରନ୍ତି ଖଣି ଯାହାକି ଆଦିବାସୀଙ୍କ ହୃଦୟରେ ସଞ୍ଚିତ ହୋଇ ରହିଥାଏ । ଲୋକଗୀତ ଅଣ ଆଦିବାସୀଙ୍କର ମଧ୍ୟ ମୌଖିକ ପରମ୍ପରାର ଏକ ଅଙ୍ଗଭାବେ ପରିଗଣିତ ହୋଇଥାଏ । ଲୋକଗୀତଗୁଡ଼ିକୁ ଆମେ ଯେତେ ବ୍ୟବହାର କରିବା ତାହା ସେତେ ବିକଶିତ ହେବ । ବିଶେଷତଃ କୋରପୁଟ ଜିଲ୍ଲାର ଅଧିକାଂଶ ଲୋକଗୀତ ସ୍ତ୍ରୀ ଓ ଝିଅମାନେ ଗାଇଥାନ୍ତି । କେତେକ ଗୀତ ପୁରୁଷମାନେ ମଧ୍ୟ ଗାଇଥାନ୍ତି ।

 

କୋରାପୁଟ ଜିଲ୍ଲାର ଲୋକଗୀତଗୁଡ଼ିକୁ ପୂର୍ବ-ନିର୍ଦ୍ଧାରିତ ସୂତ୍ର ଅନୁସାରେ ବର୍ଗୀକରଣ କରିବା ଯୁକ୍ତିଯୁକ୍ତ ମନେହୁଏ ନାହିଁ । କାରଣ ଏହା ଗବେଷକମାନଙ୍କ ବିଚାର ବୁଦ୍ଧି ଉପରେ ନିର୍ଭର କରିଥାଏ । ଲୋକଗୀତଗୁଡ଼ିକୁ ସେଗୁଡ଼ିକର ବିଷୟବସ୍ତୁ, ସଂରଚନା, ସ୍ୱରୂପ, ଆବଶ୍ୟକତା ଓ ବ୍ୟବହାର ଉପଯୋଗୀତାକୁ ନେଇ ଶ୍ରେଣୀ ବିଭାଗ କରାଯାଇପାରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକଗୀତଗୁଡ଼ିକୁ ସାମାଜିକ, ଧାର୍ମିକ, ଅର୍ଥନୀତିକୁ, ରାଜନୀତିକ ଦୃଷ୍ଟିକୋଣରୁ ଶ୍ରେଣୀ ବିଭାଗ କରିବା ଉଚିତ୍ ହେବ ।

 

ଏଣୁ କୋରାପୁଟ ଜିଲ୍ଲାର ଲୋକଗୀତଗୁଡ଼ିକ ନିମ୍ନଲିଖିତ ଶ୍ରେଣୀ ପାଇଁ ପରିକଳ୍ପନା କରାଯାଇପାରେ ଯଥା-

 

(କ)

ଜୀବନ ଚକ୍ର ସମ୍ପର୍କିତ ଗୀତ : ଜନ୍ମ, ବିବାହ, ମୃତ୍ୟୁ, ଜୁମାଉତ୍‍ରାନି

(ଖ)

ଧର୍ମାନୁଷ୍ଠାନକାଳୀନ ମନ୍ତ୍ର (ଗୀତ) : ବାଲିଯାତ୍ରା ଗୀତ, ଠାକୁରାଣୀ ଗୀତ, ଟୋକି ପରବ ଗୀତ ।

(ଗ)

ପୁରାଣ ଗୀତ : ଲକ୍ଷ୍ମୀ ପୁରାଣ, ରାମାୟଣ, ମହାଭାରତ

(ଘ)

ଖେଳ ଗୀତ – ସାଇଁଲୋଡ଼ି, ବାଲାଏ ମାତାନି ଆଦି

(ଙ)

କର୍ମକାଳୀନ ଗୀତ – ପଲାରୋପା, ଧାନ ନିଞ୍ଚାନି ଆଦି

(ଚ)

ମନୋରଞ୍ଜନ ଜୀବନଧର୍ମୀ ଗୀତ ସମୂହ ।

 

ଜୀବନ ଚକ୍ର ସମ୍ବଳିତ ଗୀତ (Life Cycle) ଗୁଡ଼ିକରେ ମଣିଷର ଜନ୍ମ, ବିକାଶ, ବୃଦ୍ଧି ଓ ମୃତ୍ୟୁକୁ ନେଇ ବହୁଭାବପୂର୍ଣ୍ଣ ଗୀତ ଶୁଣିବାକୁ ମିଳିଥାଏ । ନିମ୍ନରେ ଦୁଇ ଚାରିଟି ଉଦାହରଣରୁ ଏହା ସ୍ପଷ୍ଟ ହେବ :

 

ନାଁଧରାନି ଗୀତ୍ :

ବଇଶାକୁ ବଇଶାକୁ, ବାଟେ ଆଡ଼େ ମକାଡାଲ

ମତ୍ ସରି ଟୁଟା

ତର ବାବା ଆୟାକେ ଆନିବେସ ଟେଣ୍ଡକା, ବେଣ୍ଡକା

ଆମଦେ ଆନିକେସ ଡ଼ାଲ ବାଜି

ବଇଶାକୁ ବଇଶାକୁ... (ଭତରା ଗୀତ, ଉମରକୋଟ ପଞ୍ଚକ)

 

ଏହି ଗୀତରୁ ପିଲାର ନାମ ଓ ସେବଡ଼ ହେଲେ ତା’ର ବାପ-ମା ଓ ଅନ୍ୟମାନଙ୍କ ପ୍ରତି କି କର୍ତ୍ତବ୍ୟ ରହିଛି ତାହାର ସୂଚନା ମିଳିଥାଏ ।

 

ମନୁଷ୍ୟ ଜୀବନରେ ବିବାହ ସଂସ୍କାର ଏକ ମୁଖ୍ୟ ସ୍ଥାନ ଅଧିକାର କରିଥାଏ । ବହୁ ବିଧିବିଧାନ ମଧ୍ୟ ଦେଇ ବିବାହ କର୍ମ ସମ୍ପନ୍ନ ହୋଇଥାଏ । ବିଭିନ୍ନ ଆଦିବାସୀ ଗୋଷ୍ଠୀର ବିବାହ କର୍ମାନୁଷ୍ଠାନ ସମୟରେ ଅନେକ ପ୍ରଥା ପରମ୍ପରା ପାଳନ କରାଯାଇଥାଏ । ଉଦାହରଣ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ‘ଗଣ୍ଡ’ ଗୋଷ୍ଠୀଙ୍କ ବିବାହ କର୍ମର କ୍ରମିକତାକୁ ଲକ୍ଷ୍ୟ କରାଯାଇପାରେ : (୧) ମାହାଲା ବିାହା (୨) ଠେଙ୍ଗା ଉତ୍‌ରାଣି ବିହା (୩) ଉଦ୍‌ଲିଆ ବିହା (୪) ପଇସାମୁଣ୍ଡି ବିହା (୫) ମିଟ୍‍ହାନା ବିହା (୬) ଘରଜୋଇଁଆ ବିହା ।

 

ମାହାଲା ବିହା (ମଧ୍ୟସ୍ଥି ଦ୍ୱାରା ବିବାହ କର୍ମ) ତିନି ପର୍ଯ୍ୟାୟରେ ଶେଷ ହୁଏ ଯଥା (୧) ସମଦାନ (ସଗା) ମାହାଲା (୨) ଚିନାରି ମାହାଲା (୩) ଜନାରି ମାହାଲା । ମୁଖ୍ୟତଃ ମାହାଲା ବିହା ୧୦ଟି ପ୍ରକରଣ ଦେଇ ଶେଷ ହୋଇଥାଏ ଯେମିତି (୧) ସମଦାନ ମାହାଲା (୨) ଚିହ୍ନାରି ମାହାଲା (୩) ଜନାରି ମାହାଲା (୪) ହଳ୍‌ଦୀ କୁଟନୀ (୫) ତେଲ ଚେଗାନି (୬) ଲଗିନ୍ ୭) ଯିକାନା (୮) ଭୋଜିଭାତ (୯) ଝିଅ ବିକା ୯୧୦) ବର ଘରେ କନ୍ୟାକୁ ଗ୍ରହଣ ।

 

ଗଣ୍ଡମାନଙ୍କ ବିବାହକାଳୀନ ଲୋକଗୀତରୁ ସେମାନଙ୍କ ସାମାଜିକ ବିଧି ବ୍ୟବସ୍ଥା, କର୍ମାନୁଷ୍ଠାନର ଧାରଣା, ପ୍ରଥା ଓ ପରମ୍ପରା ସମ୍ବନ୍ଧରେ ଜଣାପଡ଼େ । ସେହି ଗୀତଗୁଡ଼ିକ ହେଲା (୧) କଳସ ବରତ ଫାଟା (୨) ଦେଓ ଫାଟା (ଗୀତ) (୩) ତେଲ୍‍ ଚେଗାଶି ଗୀତ୍ (ଫାଟା) ) (୪) ବରର ବାପା-ମା’ଠାରୁ ଅନୁମତି ଭିକ୍ଷା (୫) ଦୁଲାନାଚ ଫାଟା (୬) ଫନ୍ଦି ଫାଟା (୭) ଲଗିନ୍ ଫାଟା-। ଏବେ ସେହି ଲୋକ ଗୀତରୁ କେତୋଟିକୁ ଅନୁଧ୍ୟାନ କରିବାର ବେଳ :

 

(୧) କଳସ ବରତ ଫାଟା : ‘‘ରିରିଲିୟୋ... ରେଲା ରେଲା କରସା/ବହୁନ ମସି ନିନ୍ଦୋ ମାମା ଡୋରି ନିନ୍ଦକରସା/ତଣ୍ଡଓ୍ୱା ତୁସିଂ ତଣ୍ଡକାର କରସା ନିହକା, ଭାଚି ନନ୍ ଭାଚି ଓ୍ୱାରକରସା/ନିନ୍ଦକା ଭାଚି ମାମାନିତା କରସା ନିନ୍ଦୋଭାଚି । ବହୁନ୍ ମସି ନିନ୍ଦେ କରସା/ତଣ୍ଡଓ୍ୱା ତୁସି ତଣ୍ଡକାଡ଼୍ ମାମା କରସା ନିରକା/ବହୁନ୍ ମାମା ନିନ୍ଦେ କରସା/ନିଚୋଟ ବହୁନ ମସି ନିନ୍ଦୋ ।’’

 

‘‘ରିରିଲିୟୋ – ରେଲା ରେଲା ସ୍ୱର ଧରି କଳସୀରେ ଧାନ ପୂରଣ କରିବାର ଗୀତ ଆମେ ପାଉଛୁ । ଏହା ବିବାହ ସମୟର ଗୀତ । ବିବାହ ସମୟର ଗୀତରେ ମାମୁ କେମିତି ଏହି କଳସୀ ଧାନ ପୂର୍ଣ୍ଣ ହେବ । ଏବେ ଯାଏ ହୋଇନାହିଁ । ମୁଁ ତ ଧାନ ବାହାର କରିନାହିଁ ତୁ ଡୋର ବାନ୍ଧି ଦେ (ଭାଣିଜୀ ମୋର)/ଧାନ ପୂର୍ଣ୍ଣ ହୋଇଯିବ । ସେଇ ପୂର୍ଣ୍ଣଧାନ କଳସୀରୁ ଜରାଜୀର୍ଣ୍ଣ ବାହାର କରି ମୁଁ ବାନ୍ଧିଛି/ଭାଣିଜୀ ମୋର । ମୁଁ ତୋର ମାମୁଁ କହୁଛି ଧାନ ପୂର୍ଣ୍ଣ ହୋଇନାହିଁ । ବିଲକୁଲ୍‍ ପୂର୍ଣ୍ଣ ହୋଇନାହିଁ । ତଥାପି ଧାନ ବାହାର କର ।’’

 

ଦେଓ ଫାଟା (ଦେବ ଦେବୀ ବନ୍ଦନା : ସାମୂହିକ ଗାନ, ଝିଅମାନଙ୍କ ଦ୍ୱାରା) :

 

‘‘ଦୋସି ବାନା ଲିଖେ ଦେ/ଆଚ୍ଛା ବାନା ଲିଖକିମ ଦୋସି/ବୁଡ଼ାମାୟ ଓ୍ୱାୟାଡ଼୍ ମାଟି ମାୟ ଓ୍ୱାୟଡ଼ ତାନ୍/ମନ୍ଦେ ଓ୍ୱାୟାବେ ପାରେ ଗୁଚାଡ଼୍/ତାନ୍ ମାନ୍ଦେ ଓ୍ୱାତେକି ମୁଚୁକ୍‍/ମୁଚୁକ୍‍ କୌସଙ୍କ ଓ୍ୱାୟାଡ଼ । ଓ୍ୱାସି ଖାଲା ମାତା ଉଡ଼ାଡ଼୍ ।’’

 

‘‘ହେ ! ବିବାହକର୍ମର ସମସ୍ତ କାର୍ଯ୍ୟ କରୁଥିବା ଦୋସି (ପୁରୋହିତ) ହଳଦୀ ଓ ଚାଉଳ ଚୂନାରେ ବେଦୀ ଉପରେ ଅତି ସୁନ୍ଦର ଝୋଟି ଆଙ୍କି ଦେ । ଯାହା ଦେଖି ବୁଢ଼ାଦେଓ (ଗଣ୍ଡଗୋଷ୍ଠୀର ସୃଷ୍ଟିକର୍ତ୍ତା ଦେବତା) ଓ ମାଟିମା’ (ଧରିତ୍ରୀ ମୁଗ୍ଧ ହୋଇ ସ୍ୱୟଂ ବେଦୀରେ ଆବିର୍ଭାବ ହେବେ । ସେମାନଙ୍କ ସ୍ମିତହାସ୍ୟ: ଚହଟିଯିବ ତୋର ଆଙ୍କିବା ଝୋଟି ଦେଖି । କେଡ଼େ ସୁନ୍ଦର ହସିବେ । ଚକାପିଢ଼ା ମାରି ସେମାନେ ତୋ ଝୋଟି ଉପରେ ବିଜେ ହେବ । ଦୋସି ତୁ ସୁନ୍ଦର ଝୋଟି ଆଙ୍କି ଦେ ।’’

 

ଗଣ୍ଡ ବିବାହରେ ଦେଓଫାଟା ଯେମିତିକି ପ୍ରତ୍ୟେକ କର୍ମାନୁଷ୍ଠାନର ଶ୍ଳୋକ । କୋରାପୁଟ ଜିଲ୍ଲାର ସମସ୍ତ ଆଦିବାସୀ ଗୋଷ୍ଠୀର ବିବାହ କର୍ମର ବିଭିନ୍ନ ପର୍ଯ୍ୟାୟରେ ଗୀତ ଗାଇବାର ଏକ ପ୍ରାଚୀନ ପରମ୍ପରା ରହିଛି, ଏବେ ବଣ୍ଡାମାନଙ୍କ ବିବାହକାଳୀନ ଗୀତଟିଏ ଉଦ୍ଧାର କରୁଛି । ଏହି ମତର ପ୍ରମାଣ ସ୍ୱରୂପ:

 

‘‘ମଏନାତମ୍ ନା କିମି ରାମ୍ବିତମନା କିମି ବାଇ ପୁସାଂତମ୍ ନା କିମି ମଏନାନ । ପିତଲ ମାଲି ସପ୍‌ଦେ ପିତଲ ଖାଡ଼ୁ ସପ୍‍ଦେ ବାଇ ଲାର୍ଲାଇ ମାଲି ସପବେ ମଏନା ନ/ତିରେ ତାଟେଗୁ ତିରେ ତିରେ ଫାଟେଷୁ ତିରେ ତିରେ ସବ୍‍ବିତି କୁଇବେଢ଼େ/ସିବ୍‌ତମ ନା କିମି ଓର୍‌ଲେ ତମ୍‌ନା କିମି କୁମ୍ପେ ତମ୍‌ ନା କିମି ମଏନା ନ...।’’

 

‘‘ମଇନା (ଶାରୀ) ଭଳି ବୋହୂ ତୁମେ, ବଣି ଚଢ଼େଇ ଭଳି ବୋହୁ ତୁମେ ହଳଦୀ ବସନ୍ତ ପରି ବୋହୂ ଯେ/ପିତଳ ମାଳି ଧର ପିତଳ ଖଡ଼ୁ ଧର, ଗିନି ମାଳି ଧର, ମଇନା ଭଳି ବୋହୂ ତୁମେ । ଧର ହୋ (ଗୋ ଅର୍ଥରେ ପ୍ରୀତିପଦ ସମ୍ବୋଧନ) ମଇନା ଧର ହୋ ବଣି ଧର ହୋଇ ହଳଦୀବସନ୍ତ ଧର ହୋ ତୁମେ/ସଙ୍ଗେ ସଙ୍ଗେ ହାଟରେ, ସଙ୍ଗେ ସଙ୍ଗେ ବାଟରେ ଆମ ସଙ୍ଗେ ଲୁଣ କିଣିବ ତୁମେ/ସିବ୍ ଚଢ଼େଇ ବୋହୂ ଶୁଆ ପକ୍ଷୀ ବୋହୂ କୁମ୍ଫେ ଚଢ଼େଇ ବୋହୁ ମଇନା ଭଳି ବୋହୂ ତୁମେ ।’’ [ପରବ:୨୦୦୭]

 

ବିବାହ ଜୀବନକୁ ଶୃଙ୍ଖଳିତ, ସଂହତ, ସୁନ୍ଦର କରିଥାଏ । ଏହା ମଣିଷର ସୀମା ନିଜ ଜୀବନକୁ ଦୃଢ଼ କରିଥାଏ । ଏହା ପାରସ୍ପରିକ ସାହାଯ୍ୟ, ସହଯୋଗ ଓ ଦୁଇ ମଣିଷ ଭିତରେ ସ୍ନେହ, ସୌହାର୍ଦ୍ଦ୍ୟ, ପ୍ରେମ, ପ୍ରୀତି, ଭଲ ପାଇବା, ସମ୍ବେଦନାର ବିକାଶ ଓ ପାରିବାରିକ ସମ୍ପର୍କକୁ ଦୃଢ଼ କରିଥାଏ । ମୃତ୍ୟୁ ମଣିଷ ପାଇଁ ଏକ ଚିରନ୍ତନ ସତ୍ୟ । ଭାରତୀୟ ପରମ୍ପରା ଓ ଲୋକ ବିଶ୍ୱାସ ଅନୁସାରେ ମୃତ୍ୟୁ, ଏକ ଘଟରୁ ଅନ୍ୟ ଘଟରେ ବାସ ଲୋଡ଼ିଥାଏ, ଏହି ଭାବକୁ ନେଇ କୋରାପୁଟ ଲୋକଗୀତରେ ଅନେକ ଉଦାହରଣ ଶୁଣିବାକୁ ମିଳେ : ପଢ଼ନ୍ତୁ ଗୋଟିଏ ଗଣ୍ଡ ଗୀତକୁ ଏବଂ ସେହି ଗୀତରେ ଥିବା ଭାବପ୍ରକାଶକୁ ଅନୁଭବନ୍ତୁ :

 

(୧) ‘‘ୟା ୟା ନନି ୟା ୟା

      ନାକୁନ୍ ଦୋତି ହିମ୍

      ନାକୁନ୍ କୁର୍ତ୍ତା ହିମ୍

 

ନାନା ଦେସ ପସ୍‌ସି ଡାଲତାନା (ଗଣ୍ଡିଗୀତ/ରାଇଘର ଅଞ୍ଚଳ ନବରଙ୍ଗପୁର ଜିଲ୍ଲା: ଯେତେବେଳେ ଶ୍ୱଶୁରଙ୍କ ମରଣ ହୋଇଯାଇଛି ପ୍ରଥା ଅନୁସାରେ ବୋହୂମାନେ ମୃତ ଦେହକୁ ଲୁଗା ପିନ୍ଧାଇବା ସମୟରେ ଜମା ହୋଇଥିବା ଜ୍ଞାତିକୁଟୁମ୍ବ ଶ୍ୱଶୁର ତରଫରୁ ଉପଯୁକ୍ତ ଗୀତ ଗାଇଥାନ୍ତି ଯାହାର ଅନ୍ତର୍ନିହିତ ଭାବ ହେଲା –

 

‘‘ବୋହୂଲୋ, ଝିଅଲୋ ! ମୋତେ ଖଣ୍ଡେ ଲୁଗା ପିନ୍ଧିବାକୁ ଦିଅ, ମୋତେ ଖଣ୍ଡେ କମିଜ୍ ପିନ୍ଧିବାକୁ ଦିଅ, ମୁଁ ଏବେ ଦେଶ ଛାଡ଼ି ଚାଲିଯାଉଛି ।’’ ଏହି ଗୀତରେ ମୃତ୍ୟୁଚେତନାର ସୁସ୍ପଷ୍ଟ ପରିପ୍ରକାଶ ଘଟିଛି । ଦେଶଛାଡ଼ି ଚାଲିଯିବାର ବ୍ୟଞ୍ଜନା : ମାଟି ପୃଥ୍ୱୀରୁ ଚିର ବିଦାୟ ନେଇ ଅନ୍ୟଦେଶକୁ ସବୁଦିନ ପାଇଁ ଚାଲି ଯିବାର ଇଙ୍ଗିତଟିକୁ ଗୀତରେ ଅତି ସଂକ୍ଷେପରେ କୁହାଯାଇଛି ।

 

(୨) ‘‘ତିରିନା ନାନା ତିରିନା ନାନା ତିରିନା ନାନାରେ/କାକେ ବଲୁନ୍ କାକ୍ ଯେ କାକ୍ ବଲୁନ୍ କାକ xx ମଙ୍ଗ୍ ମଙ୍ଗ୍ ବାସ୍ ଦୟା, ମଙ୍ଗ୍ ମଙ୍ଗ୍ ବାସ୍/କାକ୍‍ ବଲୁନ୍ କାକ୍ ଯେ କାକ୍ ବଲୁନ୍ କାକ୍ / ଆମି ଆତ ଗୁଟଲୁ କାକ୍ ଆମି ଆତ ଗୁଟଲୁ । ସକଲ ଡକଲ କରେତ ଦୟା ଇସପୁରି ଝଅଁରା ଦୟା (୨) ଥର ଗାଇବା, କାଢ୍ ବଲୁନ୍ କାକ୍ ଯେ କାକ୍ ବଲୁନ୍ କାକ୍ ।’’ (ମରନ ଗୀତ/ବାଟିବେଡ଼ା ଗ୍ରାମ ଉମରକୋଟରୁ ସଂଗ୍ରହ : ଭାଷା : ଭତ୍ରୀ : ସଂଗ୍ରହ : ସୁବାସ ଚନ୍ଦ୍ର ମିଶ୍ର)

 

‘‘ତରିନା ନାନ ସ୍ୱରରେ ଗୀତ ଗାଉଛୁ ଯେ/ଏବେ ଆଉ ବୋଲି କାହାକୁ ଖୋଜିୁ ଯେ କାହାକୁ ଖୋଜିବୁ x x ବାସନା ଧାନ କୁଟି ଖାଉଥିଲୁ ଯେ କୁଟି ଖାଉଥିଲୁ / ମହ ମହ ବାସୁଥିଲା ଯେ ମହ ମହ ବାସୁଥିଲା/ ଏବେ ଆଉ ବୋଲି କାହାକୁ ଖୋଜିବୁ ଯେ କାହାକୁ ଖୋଜିବୁ । ଆମେ ହାତରେ ଧାନ କୁଟୁଥିଲୁ ଯେ ଧାନ କୁଟୁଥିଲୁ/ ଧାନକୁଟି ଚାଉଳକୁ ଗୋଟାଇ ନେଲାପରି ଯମ ଈଶ୍ୱର ତୋତେ ଗୋଟେଇ ପୋଟେଇ ନେଇଗଲା ଯେ । ଆଉ ଯମ ଈଶ୍ୱର ଜଣକ ଗୋଟେଇ ପୋଟେଇ ନେଇଗଲା । ଧାନ ପାଛୁଡ଼ିଲା ବେଳେ ପୋଲା ଧାନ ଉଡ଼ିଯାଏ ନିଦାଧାନ ରହିଗଲା ପରି ଶରୀର ଜରାଜୀର୍ଣ୍ଣ ହୋଇଗଲେ ଜୀବନ ଶରୀର ଛାଡ଼ି ଚାଲିଯାଏ, ଏଠି ଲୋକ କବିର କଳ୍ପନାକୁ ହେଜନ୍ତୁ, ଉଡ଼ିଗଲା ପୋଲାଧାନ ସହିତ ମୃତ୍ୟୁର ତୁଳନା କେତେ ଜୀବନ୍ତ ହୋଇଛି ।

 

(୩) ନାନା ଜାତି ଫୁଲେ ବସେ ଭ୍ରମଣ/ସ୍ତିରୀ ପୁରୁଷର ମାୟା ସଂସାର/ଯମର କାକୁଡ଼ି ବାଡ଼/ଯମର କାକୁଡ଼ି ଯମ ଘେନିଗଲେ ମଶାଣେ ପଡ଼ିବ ହାଡ଼/ ଏକଥା ଜାଣଇ ମୁହଁ । ଲୋକ ନିନ୍ଦା କଥା କେସନେ କରିବା/ମଞ୍ଚପୁରେ ଜାତ ହୋଇ [ଚଇତ ପରବ ଗୀତ : ନବରଙ୍ଗପୁର ଅଞ୍ଚଳରୁ ସଂଗୃହୀତ]

 

ଯେମିତି ଭ୍ରମର ନାନା ଜାତି ଫୁଲ ପ୍ରତି ଆକର୍ଷିତ ହୋଇ ସେଗୁଡ଼ିକରେ ବସେ, ଫୁଲର ରଙ୍ଗ, ବାସ୍ନାରେ ବିଭୋର ହୋଇଯାଏ ଠିକ୍ ସେମିତି ଏହି ସଂସାରରେ ସ୍ତ୍ରୀ-ପୁରୁଷର ସମ୍ପର୍କ । ଏସବୁ ମାୟା, ଅନିତ୍ୟ, କ୍ଷୟଶୀଳ, ସରନ୍ତି ସ୍ତ୍ରୀର ରୂପ, ଯୌବନ ସୌନ୍ଦର୍ଯ୍ୟ, ପୁରୁଷର ତେଜ, ବୀର୍ଯ୍ୟ, ପୌରୁଷ କ୍ଷଣସ୍ଥାୟୀ, ଏ ସଂସାର ଯମର କାକୁଡ଼ିବାଡ଼, କାକୁଡ଼ି ପାଚିଗଲେ ଯମ ତାକୁ କାଟି ନେଲା ପରି, ଦେହ ପୁରୁଣା ହୋଇଗଲେ ଜୀବନ ତାକୁ ଛାଡ଼ି ଚାଲିଯାଏ ଓ ଜୀବନ ମଶାଣିରେ ହାଡ଼ ପଡ଼ି ରହେ, ମୁଁ ଏକଥା ଜାଣେ ବୋଲିତ ବିବାହ ପୂର୍ବ ସଂଭୋଗକୁ ମୁଁ ପାପ ମନେକରେ । ଏହା ଲୋକନିନ୍ଦାର କାରଣ ହେବ ସିନା, ଏହା କେମିତି କରିବା । ଜୀବନର ନଶ୍ୱରତାକୁ ନେଇ ଏହି ଲୋକ କବିତା ଏକ ସାର୍ବଜନୀନ ସତ୍ୟର ଅବତାରଣା କରିଛି ।

 

କୋରାପୁଟ ଜିଲ୍ଲା ଲୋକ କବିତାରେ ମନୁଷ୍ୟର ଧର୍ମୀୟ ଭାବନା ଓ ବହୁ ଦେବାଦେବୀ ବିଶ୍ୱାସର ଅନେକ ଭାବପ୍ରକାଶ ହୋଇଛି । ବହୁ ପ୍ରାଚୀନ ଏହି ପରମ୍ପରା । ମଣିଷର ଲୋକ ବିଶ୍ୱାସରେ ଦେବଦେବୀଙ୍କୁ ସନ୍ତୁଷ୍ଟ କଲେ ମଣିଷ, ପଶୁପକ୍ଷୀ, ଜୀବଜଗତ, ସମସ୍ତ ସୃଷ୍ଟିର ମଙ୍ଗଳ ହେବ । ଏହି ସବର୍କଲ୍ୟାଣକାରୀ ଭାବର ମନ୍ତ୍ରମୟତା ବହୁ ଆଦିବାସୀ ଗୋଷ୍ଠୀଙ୍କ ଲୋକ କବିତା (ଗୀତ)ରେ ପ୍ରତିଫଳିତ । ଉଦାହରଣ ସ୍ୱରୂପ:

 

(୧)

ଲେ, ଅଁ ଦର୍ମୁ, ଡୋଇଁ ଦର୍ତ୍ତନୀ, ଆଜ୍ଜି ହିଲ୍ଲେଏ । (କନ୍ଧସ୍ତୋତ୍ର) ମୁଣ୍ଡ ଉପରେ ଧର୍ମଦେବତା, ପାଦ ତଳେ ବସୁମାତା, ଆମକୁ ଭୟହୀନ କରୁ ‘ଏହି ଏକପଦୀ ସ୍ତୋତ୍ରରେ କନ୍ଧ ମଣିଷ ଧର୍ମ ଦେବତା ଓ ଧରଣୀମାତାଙ୍କ ଉପରେ ଗଭୀର ବିଶ୍ୱାସ ସ୍ଥାପନ କରି ସମସ୍ତ ପ୍ରକାର ଦୈବୀ ଦୁର୍ବିପାଗ, ଜାଗତିକ ଭୟରୁ ତାକୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଛି ।

 

(୨)

ଲେ’ ଅ ଦର୍ମୁ, ଡୋଇଁ ଦର୍ତ୍ତନୀ, ଆଜି ହିଲ୍ଲେଏ

 

ତ୍ରାୟୁତାଂ କଡ଼୍‌ଡ଼ାନି ତୋଲ୍ଲୁ, ସତବ ଓ୍ୱେସିମାଲ

 

ଉଜେଃ ଆଏ, ଉଜେଃ ଓ୍ୱେସ୍ତେ କଣ୍‍କା ପିଦାହାନେ

 

କୋଡ଼ିଂଗା ପୋଦିପୋଜା ହାନେ ।’’

(ପେଙ୍ଗୋପରଜା ସ୍ତୋତ୍ର)

 

ହେ ମୁଣ୍ଡ ଉପରେ ଥିବା ଧର୍ମଦେବତା, ପାଦତେଳ ଥିବା ମା’ ଧରିତ୍ରୀ, ଆଶୀର୍ବାଦ କର, ଆମେ ନିର୍ଭୟ ହେଉ । ମୋ ମୁଣ୍ଡ ଉପରେ ବାସଗୃହ । ମୁଁ ସବୁବେଳେ ସତ କହିବି । ମିଛ କହିବି ନାହିଁ । ଯଦି ମିଛ କହେ ଆଖି ଫୁଟିଯିବି, ଗୋରୁଗାଈ ପିଲାଟିଲା ମରିଯିବେ ।

 

ଏହି ସ୍ତୋତ୍ରରେ ଏକ ଉଦାର ମାନବ ଧର୍ମର ଶ୍ଳୋକାୟିତ ଛନ୍ଦ ମାଧ୍ୟମ । ସତ୍ୟ ପ୍ରତି ନିଷ୍ଠା ଏବଂ ମିଥ୍ୟାବାଦୀ ହେଲେ ତା’ର କୁପରିଣାମ ସମ୍ବନ୍ଧରେ ଯେଉଁ ଇଙ୍ଗିତ ମିଳେ ତାହା ନିମ୍ନ ଶ୍ଳୋକରେ ଆହୁରି ପ୍ରାଞ୍ଜଳଭାବେ ପ୍ରକାଶ ହୋଇଛି :

 

(୩)

ହୁଡ଼ା ମାହାପ୍ରୁ! ତଲେ ବସୁମାତା, ଉପରେ ଦର୍ମୁରାଜା

ନାନାତି ଆମାତି ଯୁତାତାଂ ରାଡ଼ାତୀତର କିଦନାଗା

ମୁଣ୍ଡତି ଲାଟା ଓ୍ୱାମେତ୍‍ ଗାଗଡ଼ତି କେସ ଓ୍ୱାମେତ୍

ହେବା କିଦୁଂଗ, କାଟିବି କିଦୁଂଷ

ନାନାତି ଅମାତି ଇଜ୍ଜତ୍ ହିଞ୍ଜନାଥ ।

(ପେଙ୍ଗୋପରଜା ସ୍ତୋତ୍ର)

 

‘‘ଦେଖେ ମହାପ୍ରୁ ! ତଳେବ ବସୁମାତା, ଉପରେ ଧର୍ମଦେବତା ଅଛନ୍ତି, ଅନେକ ଦେବ ଦେବୀ ଅଛନ୍ତି । ମୁଁ ତୋତେ କୌଣସି ଉଚ୍ଛିଷ୍ଟ ଦେଉନାହିଁ । ମୁଁ ତୋତେ ଜଣା କରୁଛି; ମଣିଷକୁ ବିପଦ ନଆସୁ, ଦେହକୁ ରୋଗ ବ୍ୟାଧି ନ ଆସୁ, (ତୁ ଯଦି ମୋର ପ୍ରାଥର୍ନା ନଶୁଣୁ) ତୋତେ ସେବା କରିବି ନାହିଁ, ଧୂପବାସ ଦେବି ନାହିଁ, ହେ ଦେବ-ଦେବୀ, ଠାକୁର-ଠାକୁରାଣୀ ମୋର ଇଜ୍ଜତ ମହତ ବୁଡ଼ିଯିବ ।’’

 

ଏହି ସମୂହ କଲ୍ୟାଣର ମନ୍ତ୍ର ଯେତେବେଳେ ଜାନି (କନ୍ଧ ପୁରୋହିତ) ଉଚ୍ଚାରଣ କରେ, ବାୟୁ ମଣ୍ଡଳରେ ସଂଚରି ଯାଏ ପବିତ୍ର ଭାବତରଙ୍ଗ । ପୂଜାସ୍ଥଳ ହୋଇଯାଏ ଯେମିତି ସମର୍ପିତ ଭାବଭୂମିର ଶୁଦ୍ଧ ପବିତ୍ର ପୀଠ ।

 

କୋରାପୁଟ ଜିଲ୍ଲାର ଦାର୍ଣ୍ଣିଯାତ୍ରା, ଟୋକିମାରା ପରବ, ବାଲିଯାତ୍ରା ଆଦି ବିଭିନ୍ନ ଅବସରରେ ଭିନ୍ନ ଭିନ୍ନ ଆଦିବାସୀ ଗୋଷ୍ଠୀଯେ ପୂଜାରୀ, ଦିସାରି, ଶମନ ଦୋସା, ଶିଶା, ଗୁରୁମାଈଙ୍କ କଣ୍ଠରେ ଏମିତି ବହୁ ଛନ୍ଦାୟିତ ଶ୍ଳୋକାଧର୍ମୀ ଗୀତ ଶୁଣିବାକୁ ମିଳେ ଯହିଁରେ ସେମାନଙ୍କ ଧର୍ମୀୟ ଚିନ୍ତା ଓ ଚେତନାର ଭାବମୟ ପରିପ୍ରକାଶ ଘଟିଥାଏ ।

 

କୋରାପୁଟ ଜିଲ୍ଲାର ଗୀତ କୁଡ଼ିଆ ଓ ଗୀତ କୁଡ଼ିଆଣି, ଗୀତ ଗାଇବାରେ ଦକ୍ଷତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ । ଏମାନେ ଆଶୁକବି । ହଠାତ୍ କୌଣସି ବିଷୟକୁ ନେଇ ପଦଯୋଡ଼ି ଗୀତ ଗାଇବାରେ ଏମାନେ ପଟୁ, ଏମାନେ ପ୍ରାୟ ସବୁ ଶ୍ରେଣୀୟ ଗୀତ ଗାଇ ପାରନ୍ତି । ପୁରାଣର ବିଚ୍ଛିନ୍ନ ଆଖ୍ୟାୟିକ, ଉପାଖ୍ୟାନକୁ ରୋଚକ ଢଙ୍ଗରେ ଲୋକଗୀତ ଶୈଳୀରେ ଗାଇ ଶ୍ରୋତାଙ୍କୁ ଦୀର୍ଘ ସମୟ ଧରି ମନ୍ତ୍ରମୁଗ୍ଧ କରିବାର କଳାକୌଶଳରେ ଏମାନେ ଦକ୍ଷ । ସମାଜରେ ଏମାନେ ବହୁ ସମ୍ମାନର ଅଧିକାରୀ । କାହାଣୀଗୁଡ଼ିକୁ ଗୀତର ରୂପ ଦେଇ ସୁସ୍ୱରରେ ଗାନ କରିଥାନ୍ତି । କହିବା ବାହୁଲ୍ୟ ଯେ ଲକ୍ଷ୍ମୀପୁରାଣ, ରାମାୟଣ, ମହାଭାରତ, ମହାପୁରାଣ, ଯମପୁରାଣ ସହିତ ସ୍ଥାନୀୟ କୌଣସି ଘଟିଥିବା ଘଟଣାଗୁଡ଼ିକୁ ଗୀତରେ ରୂପାନ୍ତରିତ କରି ପରିବେଷଣ କରିଥାନ୍ତି ଯଥାଁ ଡିଣ୍ଡା ନକୁଳ, କୋବମତିରାନି, ନୂରପନାସ, ଯମ ପୁରାନ, ବାଇତୁଣ୍ଡି ରାଜା, କୋକ୍‌ଡ଼ାରାଜା, ମକୁଟ ବାନ୍ଦା କୁମର, ସମର ସାଥ କାଉନି, ସୂରିଜ ରାଜା, ଚନ୍ଦନମତି ରାନି, ଶବର ରାଜା, ବାଂଜା ରାଜା, ଗୋଉ ରାଜା, ଅନନ୍ତ କୁମାର, ଶାଲୋବନ ରାଜେ, କୁମୁଡ଼ା ଫୁଲିଆ ରାଜା, ଲିଟିକୁମର ଆଦି । [ତଥ୍ୟ ପ୍ରଦାନ : ଆସମତି ଗଉଡ଼ୁଣୀ, ଲକ୍ଷ୍ମୀ ଗଉଡ଼ୁଣୀ, ଗଣପତି ଭତ୍ରା (ପୂଜାରୀ), ମାନସିଂ ହରିଜନ ଗ୍ରାମ : ମୁଣ୍ଡିଗୁଡ଼ା ପୋ : କାରାଗାଁ/ଉମରକୋଟ ଜିଲ୍ଲା: ନବରଙ୍ଗପୁର]

 

ଯେତେବେଳେ ସଞ୍ଜ ଓହ୍ଲାଇ ଆସେ ଗାଁ ଦାଣ୍ଡକୁ । ଆକାଶର ଧୂସର ଜହ୍ନ ଆଲୁଅ ଛୁଇଁଯାଏ, ଗାଁ ଦାଣ୍ଡର ଛାତି, ଗାଁ ଗହଳିର ପିଲାପିଲିମାନେ ଦାଣ୍ଡ ମଝିକୁ ଆସି ବିଭିନ୍ନ ଖେଳ ଖେଳିଥାନ୍ତି ଆଉ ଗୀତ ଗାଇଥାନ୍ତି ଲୌକିକ ସ୍ୱରରେ ରାହାଧରି । ଅସଂଖ୍ୟ ଖେଳଗୀତ ଏହି ଜିଲ୍ଲାର ଆଦିବାସୀ ଓ ଅଣ ଆଦିବାସୀ ପିଲାଙ୍କ ମୁହଁରେ ଯାହା ସେମାନେ ଶିଖିଥାନ୍ତି ତାଙ୍କ ନିଜ ନିଜ ପରିବାରରୁ, ସମାଜରୁ, ସାଙ୍ଗସାଥିଙ୍କଠାରୁ । ଏଠାରେ ‘‘ସାଇଁଲୋ‘‘ ଓ ‘‘ବାଲାଏ ମାତାନି’’ ଖେଳଗୀତର ଉଦାହରଣ ଦେବା ଉଚିତ୍ ହେବ ।

 

ସାଇଁ ଲୋଡ଼ି ପଦର ଅର୍ଥ ହେଉଛି ସାଙ୍ଗ ଲୋଡ଼ିବା ବା ଖୋଜିବା, ବିନା ବାଦ୍ୟଯନ୍ତ୍ରରେ ଗୋଡ଼କୁ ଗୋଡ଼ ଛନ୍ଦି ଝିଅମାନେ ଏହି ଗୀତ ଗାଇ ଗାଇ ନାଚନ୍ତି (୧) ‘‘ଆସା ସାଇଁଲୋଡ଼ି ଖେଲିତେ ଯିବା/ନାଇକ ଘରର ଡାଣ୍ଡେ/ନାଇକ ଘରର ସିଂହ ଦୁଆରେ (୨ଥର) ଦେଉଲ ବନ୍ଧାଇ ଦେବା ଯେ/ସାଇଁଲୋ ମୋର ସାଇଁ କରୁଣା/ମଲ୍ଲୀଫୁଲ ବାସନା କରାପାନର ମଲ୍ଲୀଫୁଲ ବାସନା-।’’

 

‘‘ଆ ସାଙ୍ଗ ଖେଳିଯିବା । ଗାଁ ମୁଖିଆ ନାୟକର ଦାଣ୍ଡରେ ଖେଳିବା । ନାୟକ ଘର ସିଂହ ଦୁଆର ନିକଟରେ ଦେଉଳ ତିଆରି କରିବା । ମୋ ସାଙ୍ଗ ତୁ ମଲ୍ଲୀଫୁଲର ବାସ୍ନା କରି ସୁଗନ୍ଧମୟ ଯେ, କୁଆପଥରର ପାଣି ପରି ଚଞ୍ଚଳ ଯେ ଆ ଖେଳିଯିବା ।’’

 

(୨)

ରାଇସେରି ପାଖ, ରାଇସେରି ପାଖ/ଧାନ ରାଇସେରି ପାଖ/ ଖସି ଆମଲକ ନୁଆଁରେ । ଆଏ ରାଜା ଖେନ୍ଦାନେ ପାଖ/ପାପା ଯମନା ଖେଳିବା ଛମନା, [ଉତ୍ତମ ଖେଳଗୀତ ; କସାଗୁମୁଡ଼ା ଅଞ୍ଚଳ/ନବରଙ୍ଗପୁର ଜିଲ୍ଲା]

 

କଣ୍ଟା କୋଳି ଗଛ ପାଖ, କଣ୍ଟା କୋଳି ଗଛ ପାଖ, ଭାଣିଜୀରେ କଣ୍ଡକୋଳି ଗଛ ପାଖ ଖସି ଗଛ କଣ୍ଟା, ଅଁଳା ଗଛର ନୂଆପତର ଭାଣିଜୀରେ ! ଆ ଖେଳିଯିବା ଖେଳ, ଡାଳରେ ଖେଳିବା ଖେଳ ।

 

ସାଇଁଲୋଡ଼ି ଗୀତ, ବାଲାଏ ମାତାନି ଗୀତ ଶ୍ରେଣୀୟ ବହୁଲୋକ ଗୀତ, ଯାହା ଖେଳିବା ସମୟରେ ଗାନ କରାଯାଇଥାଏ ପ୍ରାୟ ଏହି ଜିଲ୍ଲାର ସବୁ ଗୋଷ୍ଠୀର ଲୋକ ସମାଜରେ ଶୁଣିବାକୁ ମିଳେ । କେବଳ ଖେଳ ନୁହେଁ, ଖେଳ ଗୀତ ମାଧ୍ୟମରେ ଜୀବନର ଅନେକ ଛୋଟ ବଡ଼ ଘଟଣାର ଅବତାରଣା କରାଯାଇଥାଏ । ଉଦାହରଣ ସ୍ୱରୂପ:

 

‘‘ବଡ଼ ଛକମି ନରଙ୍ଗିଆ ଫଳ/ଆୟା ବୁଆ ଘରେ ଡେମସୀ ଧରା/ସୁନ୍ଦର ଗଛ ମେନା ବାଇ/ମୁନୁଷ ଘରେ ଡଅଡ/ପାପା ଯମନା ଖେଳିବା ଛମନା ।’’

 

ବାଟ ରାସ୍ତାରେ ଆତଫଳ, ବାପା ମା ଘରେ କେତେ ନାଚ ଖେଳ, ସଙ୍ଗୀତରେ ବରଘରେ କଷ୍ଟ ବଡ଼, ଭାଣିଜୀରେ ଆ ଖେଳିଯିବା ଖେଳ । ‘‘ଏହି କ୍ଷୁଦ୍ର ଖେଳଗୀତରେ ଝିଅର ବାପଘରର ସୁଖ ଓ ଶାଶୂଘରର ଦୁଃଖର, ଆନନ୍ଦ ଓ ବିଷାଦର ଚିତ୍ର ପରିପ୍ରକାଶ ଘଟିଛି ।

 

କର୍ମକାଳୀନ ଶ୍ରମ ଲାଘବ ପାଇଁ ଏହି ଜିଲ୍ଲାର ଶ୍ରମକାରୀ ମହିଳା ଓ ପୁରୁଷମାନେ ପରସ୍ପରକୁ ଉପଲକ୍ଷ୍ୟ ଦେଇ ଗୀତମାନ ଗାଇଥାନ୍ତି । ଧାନ ତଳି ରୋଇବା, ଧାନ ଜମିରୁ ବାଳୁଙ୍ଗା ଓ ଅନାବନା ଗଛ ବାଛିବା ସମୟରେ ଯେଉଁ ପଲାରୋପା ଓ ଧାନ ନିଞ୍ଜାନି ଗୀତ ଶୁଣିବାକୁ ମିଳିଥାଏ, ତାହାର କାବ୍ୟିକ ଆବେଦନ, ଉପମା ପ୍ରୟୋଗ, ଭାବ ସଞ୍ଚରଣଶୀଳତା, ଶ୍ରୋତାକୁ ମନ୍ତ୍ରମୁଗ୍ଧ କରିଥାଏ :

 

(୧)

‘‘ବେଡ଼ାନେ ପଶିଲି/ଧାନ ନିଞ୍ଜାଇଲି/ପାତୀ ପାଛେ ଥେବିଗାଲି/ଚୁନଟି ହିଟାର ଧୁଙ୍ଗିଆ ଖାଇ/ଛନେ ପୁରେ ନିଭାରିଲି / ନିହାରି ହୋଇଲି ଛନ୍/ଦାନ୍ ବେଡ଼ା ଥାନେ ଉତ୍‌ରି ଗାଲାକି ପୁନିଆ ରାତିର ଜନ/ପୁନିଆ ରାତିର ଜନ/କି ବୋଲି ଡାକିବି ଅଜନା ଅଚିନା/ସାଙ୍ଗଦିଆ ତୋମର ନାମ ।’’ [ଚଇତି ପରବ ଧ୍ୟାନ ନିଞ୍ଜାନି ଗୀତ]

 

‘‘ଧାନ ଜମିରେ ପଶିଲି । ବାଳୁଙ୍ଗା ବାଛିଲି । ଜମି ହୁଡ଼ା ପାଖରେ ଟିକିଏ ସ୍ଥିର ହୋଇ ଛିଡ଼ା ହୋଇଗଲି । ଅଣ୍ଟା କରାଟରୁ ଧୂଆଁପତ୍ର ଗୁଣ୍ଡ ବାହାର କରି ପାଟିରେ ପକାଇଲି । ଝିପି ଝିପି ବର୍ଷାରେ ଚାରିଆଡ଼କୁ ବିସ୍ମିତ ହୋଇ ଚାହିଁ ରହିଲି । ଆଶ୍ଚର୍ଯ୍ୟଚକିତ ହୋଇ ମନେକଲି ଯେ, ଧାନ ଜମିକୁ ଯେମିତି ପୂର୍ଣ୍ଣମୀର ଜହ୍ନ ଓହ୍ଲାଇ ଆସିଛି । ଗୋ ପୂର୍ଣ୍ଣିମା ଜହ୍ନପରି ସୁନ୍ଦର ଦିଶୁଥିବା ଅପରିଚିତା, ଅଚିହ୍ନା ଯୁବତୀ, ତୁମକୁ କ’ଣ ବୋଲି ସମ୍ବୋଧନ କରିବି । ତୁମ ନାମ କ’ଣ କହିବ କି-?’’

 

ଏହି ଗୀତର ଉତ୍ତରରେ ଝିଅଟି ଗାଇ ଦେଉଛି ଏମିତି ପଦେ ଗୀତ । ପୁଅର ପ୍ରଶ୍ନର ଉତ୍ତର ସ୍ୱରୂପ-

 

‘‘ଚିଖଲ ବେଡ଼ାନେ ଖୁଦର ମନ୍ଦୀ/ବେଡ଼ା ପାନି ହେଲା ଗାର/ଦାନ କି କାମ୍ପୁନି ଚିନାଇ ନା ହୁଏ ପାନି ମାରେ ଝର ଝର । ବାଦଲି ରଏଲାଛେ ଜାକି/ଅଜନା ଅଚିନା ଗୀତକୁଡ଼ିଆ/ଚେତନେ ସପନା ଦେକି /ଚେତନେ ସପନା ଦେକି/ଗେଲା ରାତି ଦିନ ପାବି ବିତରେ/ସବୁରି ନଜରେ ଆଚି/ନାଓଁ ଗାଓଁ ଜାନି କାୟ କରିବୁ । ଆୟାବୁଦାଗରେ ଆଚି ।’’

 

‘‘ଜମି ସାରା କାଦୁଅ ସରସର । ବଡ଼ ପାଖରେ ଠେକୁଆଙ୍କ ଦଳ । ଜମିରେ ପାଣି ଭରପୂର । ଧାନ ଗଛ କେଉଁଟା, ବାଳୁଙ୍ଗା ଗଛ କେଉଁଟା ଚିହ୍ନି ହେଉନାହିଁ । ଘନ ଘୋର ବର୍ଷା ହେଉଛି । ଆକାଶସାରା ମେଘ ଢାଙ୍କି ରହିଛି । ରେ ଅଜଣା, ଅଚିହ୍ନା ଗୀତ କୁଡ଼ିଆ (ଗୀତ ଗାଉଥିବା ଲୋକ) ତୁ ଚେତା ଥାଇ ସ୍ୱପ୍ନ ଦେଖୁଛୁକି ସମସ୍ତେ ଜାଣନ୍ତି ଗତରାତିରୁ ଜହ୍ନ ଦିଶି ନାହିଁ, ତୋତେ କେମିତି ମେଘ ଢଙ୍କା ଆକାଶରେ, ପାଣି ଭିତରେ ପୂର୍ଣ୍ଣମୀର ଜହ୍ନ ଦିଶୁଛି ? ତୁ ମୋର ନାମ, ଗ୍ରାମର ନାମ ଜାଣି କ’ଣ କରିବୁ, ମୁଁ ମୋ ବାପ-ମା ଘରେ ଅଛି ।’’

 

ଏହି ଦୁଇ ଲୋକ ଗୀତରେ ଯେଉଁ ସାଦୃଶ୍ୟ ଉପମାର ପ୍ରୟୋଗ, ତାହା ସ୍ୱତଃସ୍ପୂର୍ତ୍ତ ଓ ଅନାୟାସ ସୃଷ୍ଟି । ମେଘ ଢଙ୍କା ଆକାଶ ତଳେ, ସୁନ୍ଦର ଝିଅର ଚନ୍ଦ୍ର ପରି ମୁହଁକୁ ପୂର୍ଣ୍ଣମୀର ଜହ୍ନ ସହ ତୁଳନା କରିବାର କବି କଳ୍ପନା ଏବଂ ଜହ୍ନର ଅବର୍ତ୍ତମାନରେ ଝିଅର ମୁହଁକୁ ଜହ୍ନ ସହିତ ତୁଳନା କରିବାର ପ୍ରୟାସକୁ ଦିବାସ୍ୱପ୍ନ (ଚେତନରେ ସ୍ୱପ୍ନ ଦେଖିବା) ବୋଲି ବର୍ଣ୍ଣନା କରିବା ଏହି ଗୀତର ଭାବପକ୍ଷ । ଏମିତି ବହୁ ପ୍ରସ୍ଥୀୟ ଭାବଚେତନାକୁ ନେଇ କୋରାପୁଟ ଜିଲ୍ଲାର ଲୋକଗୀତ ସମୃଦ୍ଧ । ଏହି ଭାବପକ୍ଷକୁ ଆହୁରି ନିବିଡ଼ କରିବା ପାଇଁ ନିମ୍ନ ଉଦାହରଣଦ୍ୱୟ ସହାୟକ ହେବ :

 

‘‘ଝିପ୍‌ରି ଝିପ୍‌ରି ପାନି ମାରେ ହାଏ ... ହାଏ

ପାଲା ରୋପା ଚାଲ୍‌ରେ ନନି ପଲା ରୋପା ଚାଲ୍

ଦେଖଚି ନନି କଦମ୍ ଫୁଲ କେଡ଼ବି ନିମାନ ଦିଶେ

ମାଲ୍‍ତି ନିନିର ଖୁସାତାନେ ଜନ ମାମୁ ପରା ମିଶେ

ହଲିଆ ଦାଦାର ବାଗ୍‌ରି ବାଲେ ଝୁମ୍ପା ମଲି ଫୁଲ

ପଲା ରୋପା ଚାଲରେ ନନି, ପଲାରୋପା ଚାଲ । [ଭତ୍ରୀଲୋକ ଗୀତ]

 

‘ଝିପରି ଝିପିରି ପାଣି ବରଷୁଛି । ଆସ ଗାଁର ଝିଅମାନେ ତଳି ରୋଇବାକୁ ଯିବା । ତୁମେ ସବୁ ଦେଖ କଦମ୍ବ ଗଛରେ ଫୁଲଫୁଟି କେଡ଼େ ସୁନ୍ଦର ଦିଶୁଛି । ମାଳତୀର ଖୋସାରେ କଦମ୍ବ ଫୁଲ, ରାତି ଆକାଶରେ ଚମକି ଯାଉଥିବା ଜହ୍ନ ପରି ଦିଶୁଛି । ହଳିଆ ଭାଇର ବାବୁରି ବାଳରେ ଝୁମ୍ପା ଝୁମ୍ପା ମଲ୍ଲୀପ୍ରସ୍ଥକୁ ଦେଖ । ଆସ ଝିଅମାନେ ଜମିକୁ ଯିବା ତଳି ରୋଇବା ।’’

 

‘‘ଧାଡ଼ିକେ ଧାଡ଼ି ଦଙ୍ଗଡ଼ି ରାଶି ନିଞ୍ଜାନି ବେଡ଼ାତାନେ

ବୁକ୍‌ଲା ବୁକ୍‌ଲି ହେତେ ରେବାୟ ଫୁଲ ଖୁଞ୍ଚିକାନେ

କାଦ ସର୍ ସର୍ ଲସର୍ ପସର୍ ଗୀତିମାରା କାନିଝୁଲ

ପଲାରୋପା ଚାଲରେ ନନି ପଲାରୋପା ଚାଲ ।

[ମଇଦଲପୁର ଅଞ୍ଚଳର ଲୋକଗୀତ]

 

ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ, ଅଣ ଆଦିବାସୀ ଲୋକଗୀତରେ ଚଇତ ପରବ ଗୀତର ସ୍ଥାନ ସର୍ବପ୍ରଥମରେ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚଇତ ପରବ ଗୀତର ଅସୁମାରି ଉଦାହରଣ ଶୁଣିବାକୁ ମିଳେ ଏହା ଲୋକ କବିଙ୍କର ମୌଖିକ ଗୀତ । ଏହା ଯେତିକି ପାରମ୍ପରିକ, ସେତିକି ନିତ୍ୟ ନୂତନ । ଏହାର ଏକ ବିଶିଷ୍ଟ ବିଭାଗ ହେଲା ମନଦିଆନିଆ ଗୀତ । ଏହି ଗୀତର ମୂଳ ଉଦ୍ଦେଶ୍ୟ ହେଲା ଗୀତରେ ଗୀତରେ ଶୁଣିବା ଲୋକର ମନୋରଞ୍ଜନ କରିବା । ଚଇତ ପରବ ଗୀତକୁ ସଂରଚନା ଓ ଭାବ ପ୍ରକାଶରେ ବ୍ୟଞ୍ଜିତ ବିଷୟବସ୍ତୁକୁ ଆଧାର କରି ୧୨ (ବାର) ଖେନ୍ଦା ବା ଶାଖାରେ ବିଭକ୍ତ କରାଯାଇପାରେ । ସେଗୁଡ଼ିକ ହେଲା : (୧) ଦେବ ଦେବୀ ଜୁହାରନି, (୨) ଜବାବ-ସୁଆଲ, (୩) ଠେସା (୪) ରସବିଷ, (୫) ମାଙ୍ଗନି-ଟାକ୍‌ନିଏ (୬) ଡାଲମୁଲିଆ, (୭) ମନ୍ତର ଯନ୍ତର, (୮) ଘର-ସଂସାର, (୯) ଛାଡ଼ାଛାଡ଼ି, (୧୦) ଶାସ୍ତ୍ରର, (୧୧) ବିଭାବଡ଼ପଣ, (୧୨) ମରନା-ଜୀଇନା ।

 

ଅବିଭକ୍ତ କୋରାପୁଟ ଜିଲ୍ଲାର ନନ୍ଦପୁର, ମାଲକାନଗିରିର କେତେକ ଅଞ୍ଚଳ, ବଇପାରିଗୁଡ଼ା, ଜୟପୁର, ବୋରିଗୁମ୍ମା, କୋଟପାଡ଼, ନବରଙ୍ଗପୁର, କସାଗୁମୁଡ଼ା, ଉମରକୋଟ, ଡାବୁଗାଁ ଆଦିର ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହା ଶୁଣିହୁଏ ।

 

ନିବନ୍ଧର କଳେବର ଦୃଷ୍ଟିରୁ ଏଠାରେ କେବଳ ଚଇତପରବ ଗୀତର ବାର ଖେଦା ମଧ୍ୟରୁ ଦେହ ଓ ଦାହକୁ ନେଇ ଗାନ କରାଯାଉଥାଏ ଯୌନଧର୍ମୀ ଗୀତ ସମ୍ବନ୍ଧରେ ଆଲୋଚନା କରିବି କାରଣ ମଣିଷ ମାତ୍ରେଇ ଦେହ ଭୋଗର ବାସନାମୟ କଳ୍ପକଳ୍ପନାରେ ଚେତନେ, ଅବଚେତନରେ ଥାଏ ଲୋକ କବିର ଗୀତରେ ଶୃଙ୍ଗାରର ଶ୍ରୁତ କଳରୋଳ ସବୁବେଳେ ଶୁଭେ । ଦେହ ଭୋଗମୁଖୀ-। ଏହା ହିଁ ମଣିଷ ପାଇଁ ଚିରନ୍ତନ ସତ୍ୟ । ଲୋକ କବି ଜାଣେ ନାହିଁ ତ୍ୟାଗ, ତପସ୍ୟା, ନିବୃତ୍ତି, ସଂଯମତର କଥା । କିଏ ନ ଲୋଡ଼େ- ସମ୍ଭୋଗର ସୁଖ, ଆନନ୍ଦ । ମଣିଷ ପାଇଁ ସଂଭୋଗ, ଦେହଭୋଗ ଏକ ଚିରକାଳିକ ସତ୍ୟ । ଏହା ଏଠା ମାଟି-ପବନ-ପ୍ରକୃତିରେ, ପକ୍ଷୀର କାକଳିରେ ଝରଣାର ମର୍ମରରେ, ବର୍ଷାର ବାରିପାତରେ, ପୁଷ୍ପର ସୁଗନ୍ଧରେ, ଭ୍ରମରର ଗୁଣୁଗୁଣୁରେ ସର୍ବଦା ଗୁଞ୍ଜିରିତ ହେଉଥାଏ । ଚଇତ ପରବ ଗୀତ ଆଦିବାସୀ ଓ ଅଣ ଆଦିବାସୀ ଲୋକକବିଙ୍କ ମୌଖିକ ଗୀତ ରୂପେ ବହୁ ଖ୍ୟାତି ଓ ଯଶର ଅଧିକାରୀ । ଏବେ ଚଇତ ପରବ ଗୀତରେ ଥିବା ରସ-ବିଷ (ମିଳନ-ବିରହ)ର ଗୀତ ଶୁଣିବାର ବେଳ: ଏହି ଗୀତ ମଧୁର, ମଦିର, ରସମୟ, ପ୍ରତୀକାତ୍ମକ ଓ ଶୃଙ୍ଗାରର କଳରୋଳରେ ଭାବସିକ୍ତ ହୋଇଥାଏ । ଏହା କୋରାପୁଟ ଜିଲ୍ଲାର ମାଳ ଅଞ୍ଚଳର ଆଦିମ ଭାବର ଗୀତ । ଏହି ଗୀତ ଉଭୟ ପୁରୁଷ ଓ ସ୍ତ୍ରୀ କ୍ରମାନ୍ୱୟରେ ଗାଇଥାନ୍ତି ।

 

ମୂଳ ଚଇତ ପରବ ଗୀତ

ଅନୁବାଦ

ପୁରୁଷ

 

ଆମରଲି ଭାସ୍ନେଲ ବାକ୍‌ଲି ତୋଡ଼

ବିବାହ ପାଇଁ ତିଆରି ହୋଇଥିବା ଭଣ୍ଡାର ଘରର

ଭଣ୍ଡାର ମୁଖିଆ ସାୟଲୋରା

ମୁଖିଆ ସାୟଲୋରୀ (ସାଙ୍ଗ ଲୋଡ଼ିବାର ଗୀତ)

ଏ ବାସିନି କାରନି ତମର ଆସିବା

ଶୁଣି ଗୋ ବାସିନୀ ଗାଁର ଯୁବତୀ ! ତୁମେ ଆସିବ

ଆସି ଗଲୁ ମୁଦି ଧରି ।।

ଜାଣି ମୁଁ ଭାସ୍କେଲ ନଈ କୂଳର ବାକ୍‌ଲି ଗାଁର

ଜମିକୁ ଆସିଛି ମୁଦି ଧରି ତୋତେ ଦେବା ପାଇଁ ।

ଆମ ବାଟି ବେଡ଼ା ଲଅପ ଲଦି

ଆମ ବାଟିବେଡ଼ା ଗାଁ ମୁଣ୍ଡେ ନଈ ବହିଯାଉଛି

ମଙ୍ଗନାରେ ଡେଙ୍ଗ ସିନ୍ଦି

ନଈକୂଳେ ଲମ୍ବା ଖଜୁରିର ଗଛ । ସେଇ ଗଛ

ଦେଇ ପକା ନନି ସଲମୁଦି

ମୂଳେ ତ ତୋର ଦେହକୁ ମୋତେ ସମର୍ପି ଦେ,

ଆମେ ଗରେ ଯିବୁ ପିନ୍ଧି ।।

ମୁଁ ସଂଭୋଗ ସନ୍ତୁଷ୍ଟି ନେଇ ଆନନ୍ଦରେ ଘରକୁ ଫେରିଯିବ

ବରଷା ଦିନରେ ବଡ଼େ କାଳର

ବରଷା ଦିନେ ଭାରି କାକର ପଡ଼େ । ମାର୍ଗଶୀର

ପଣ୍ଡମାସେ ବଡ଼ ଶୀତ

ମାସ ଭାରି ଜାଡ଼ ପଡ଼େ । ଶୀତ ଦିନରେ ଦେହଟିଏ

ମୁଦି ଦେବା କାଜେ ଲୋବ୍‍ଲାଗ୍‌ଲେ

ଅନ୍ୟ ଏକ ଦେହ ଲୋଡ଼ିଥାଏ । ଯଦି ତୋର ଦେହ

ଆଲୋ ଗାଇଦେକା

ଦେବା ପାଇଁ ଲୋଭ କରୁଛୁ, ତାହା ହେଲେ ସେଇ

ଚଇତ ପରବ ଗୀତ ।

ଦେହ ଓ ଦାହକୁ ନେଇ ଚଇତ ପରବ ଗୀତ ଗାଇବୁ କି ?

ସ୍ତ୍ରୀ

 

ରସରେ ଡାକିଦେଲି ଗଟେ ଗୀତ

ରସମୟ ପଦେଗୀତ ଶୁଣାଇ ଦେଉଛି ଯେ

ପଣ୍ଡମାସେ ବଡ଼ଶୀତ

ମାର୍ଗଶୀର ମାସରେ ଭାରିଶୀତ, ହେ ପାଟିବେଡ଼ା

ଏ ବାଟିବେଡ଼ା ଦାଦା

ଗାଁର ଯୁବକ ମୋତେ କୋଳାଗ୍ରତ କର, ଦୁଇ

ଆଜି ଲାଗିଯାଅ ଅନ୍ତପିତ ।      

ଦେହ ଏକ ହୋଇଯାଉ, ତୋର ମୋର ଏହି

 

ମିଳନ ଅନ୍ତପିତ୍ତ ପରି ନିବିଡ଼ ହେଉ ।

[ଗୀତ ପ୍ରଦାନ : ରବି ସିଂ ମାଝୀ, ଉମରକୋଟ/ସ୍ୱାଧୀନତା ସଂଗ୍ରାମୀ]

 

ଚଇତ ପରବ ଗୀତର ଆବେଦନକୁ ଅଣ ଆଦିବାସୀ ଲୋକ କବି ଯେତେବେଳେ ଓଡ଼ିଆ ଦେଶିଆ ଓ ଆଦିବାସୀ ଭାଷାର ଶବ୍ଦ ବ୍ୟଞ୍ଜନାରେ ମିଶ୍ରିତ ପଦ ସଂଯୋଜନା କରି ଗୀତ ଗାଏ ଓ ତହିଁରେ ଶୃଙ୍ଗାରିତ ମନର ରତିଚ୍ଛାନ୍ନ ଆସକ୍ତିକୁ ପ୍ରକଟ କରେ, ତାହାର ସ୍ୱରୂପ ଏମିତି ହୁଏ :

 

ପୁରୁଷ :

‘‘ଆସ ଆସ ମୋର ଚମ୍ପା ବରନି/ଖାଇବାକୁ ଦେବି କେଲା ମୁଗୁନି/ତୋର କୋଲେ ବସିଥିବି/ରହି ରହି କରି ମାୟା ଲାଗିଗଲେ/କାୟମତି ଛାଡ଼ିଯିବି/ବିରସ ନକର ମନ/ଯେ ଯାଁ’ର ସେ ତା’ର ନୋହିର୍ଦ୍ଦିକି ଦିନେ/ବିଚାର କର ମୋ ଧନ ।’’

ସ୍ତ୍ରୀ

ଉଡ଼ିଗଲେ ହଂସ ଯିବୁ ତୋର ଦେଶ/କାହାକୁ ରଖିବି ପାଶ/କାଟିକୁଟି କରି ମାରି ପକାଉଛି ଯୁବାକୁ ଯୁବା ବୟସ/ନିତି ଆସି ଥରେ ସୁନ୍ଦର ବଦନ ଦେଖାଉଥିବୁ ମୋତେ/ବିନତି କରୁଚି ତୋତେ

ପୁରୁଷ

‘‘ଘଡ଼ିମରା ଜହ୍ନ ଉଆଁସ ରାତି/କୁକୁଡ଼ା ବାନ୍ଧିବା କାତି/ହାଡ଼ ନୋହିଲାର ଗାଡ଼ ମାଛ ପିଲା/ରସରେ ସେ ଯିବ ମାତି/ଦେଖ ରସବତୀ ତୋମର ଦୟା, ଦିନ-ଗଣି କ୍ଷୀଣ କାଥୟା ।’

ପୁରୁଷ

ପ୍ରଥମ ଘଡ଼ିର ଜହ୍ନ ମରି ସାରିଲାଣି (ଆକାଶରୁ ଅଦୃଶ୍ୟ ହୋଇଗଲାଣି), ଏବେ ଉଆଁସର ରାତି (ରତିକ୍ରିୟା ପାଇଁ ଅନୁକୂଳ ସମୟ) । କୁକୁଡ଼ା ଯୁଦ୍ଧରେ ଦୁଇ କୁକୁଡ଼ା ଦେହରେ ବନ୍ଧା ହୋଇଥିବା କାତି ଯୁଦ୍ଧ କାଳରେ ଦୁଇ ପ୍ରତିଦ୍ୱନ୍ଦିତାର ଛାତି ବିଦ୍ଧ କଲାପରି ମୋର ହାଡ଼ ନଥିବା ମାଛବାଲା (ମାଂସଳ ଯୌନାଙ୍ଗ) ତେର ଖାଡ଼ (ଗାତ/ଯୋନିଦେଶ)ରେ ଖେଳିବା ପାଇଁ ମାତି ଉଠିଲାଣି ଯେ/ଗୋ ରସବତୀ, ରସପୂର୍ଣ୍ଣା ଯୁବତୀ, କେବେ ତୋର ଦୟାରେବ, ତୋ ସହିତ ମିଳିତ ହେବାର ତୀବ୍ର କାମନାରେ ମୁଁ ଯେ କ୍ଷୀଣ ହୋଇଗଲିଣି । ଏହି ଗୀତରେ ଶୃଙ୍ଗାରାଚ୍ଛନ୍ନ ମାନସିକତାର ଭାବପକ୍ଷ ଉଚ୍ଛୁଳି ଉଠିଛି ।

 

ଲୋକ କବିତାର ଭାଷାକୁ ସେଗୁଡ଼ିକରେ ପ୍ରଯୁକ୍ତ, ବ୍ୟବହୃତ ପ୍ରତୀକ, ଉପମା, ରୂପକ ଓ କାବ୍ୟିକ କଳ୍ପନାକୁ ଆଧାର କରି ବିଶ୍ଳେଷଣ କଲେ ତାହାର ଉପଯୁକ୍ତ ରସବୋଧ, ଭାବବୋଧ, ଶ୍ରୋତା ଓ ପାଠକ ମନରେ ସଂଚରିତ ହୋଇପାରିବ ଏବଂ ଏହି ଗୀତଗୁଡ଼ିକ ମଧ୍ୟ ଦେଇ ସେମାନଙ୍କ ସମୃଦ୍ଧ ସାଂସ୍କୃତିକ ପରିଚୟ ମଧ୍ୟ ମିଳିପାରିବ ।

 

କୋରାପୁଟ ଜିଲ୍ଲାର ଲୋକଗୀତ (ଲିଖିତ ରୂପକୁ ଲୋକ କବିତା କହିବା) ବ୍ୟକ୍ତିଗତ ଅନୁଭବ, ସାମୂହିକ ଅନୁଭୂତି, ଗ୍ରାମୀଣ ପରିବେଶର ପ୍ରତିଫଳନ, ଜୀବନର ବାସ୍ତବତା, ସ୍ୱପ୍ନ ଓ ଅଭିଳାଷ ସମୂହ, ଜୀବନର କ୍ଷଣଭଙ୍ଗୁର, ଦୁଃଖ ଓ ଦୈନ୍ୟ, ପ୍ରେମ-ପ୍ରୀତି-ପ୍ରଣୟ ଓ ସଂଭୋଗ, ଖୁସି, ସୁଖ ଓ ଆନନ୍ଦ, ଦାରିଦ୍ର୍ୟ ଓ ସ୍ୱଚ୍ଛଳତା, ଅଭାବ ଓ ପ୍ରାଚୁର୍ଯ୍ୟ, ପ୍ରଭାବ ଓ ପ୍ରଦୋଷ, ପ୍ରକୃତି ଓ ପରିବେଶ, ପର୍ବ ଓ ପର୍ବାଣି, କଳ୍ପନା ଓ ସବେଦନା ବ୍ୟତୀତ ଓ ବର୍ତ୍ତମାନର ଘଟଣାବଳୀ, ବନ୍ଧୁତ୍ୱ ଓ ଶତ୍ରୁତା, ପୁରୁଷର ସ୍ତ୍ରୀ ପ୍ରତି ବ୍ୟବହାର, ସ୍ତ୍ରୀଙ୍କ କର୍ମାନୁବନ୍ଧନ, ଯୁବାଗୃହର ଜୀବନ ସମ୍ବନ୍ଧରେ କହିଥାଏ ।

 

ନିବନ୍ଧର ଶେଷରେ କାଲେଭେଲା ପୁସ୍ତକର ମୁଖବନ୍ଧରୁ ମାର୍ଟିନ ବୁବେରଙ୍କ ମତାମତକୁ ଉଦ୍ଧାର କରୁଛି-

 

‘‘Singing is older than speech. In singing the human being has always been expressed his relatendness with his forces with totality in life. In his speech he expressed his relationship to things. Songs is the primeval communion of all, the ancient-inimical closeness of nature whose pulse educated its rhythm. Speech is acquired separation- song is magic.’’

 

କୋରାପୁଟ ଜିଲ୍ଲାରେ ଲୋକଗୀତ (କବିତା)ରେ ଅନ୍ତର୍ନିହିତ ଥିବା ଏହି କୁହୁକ ବିଦ୍ୟା ଚିରକାଳ ସମସ୍ତଙ୍କୁ ସମ୍ମୋହନ କରୁଥିବ, ଏଥିରେ ସନ୍ଦେହ ନାହିଁ ।

 

 

ନିର୍ଦ୍ଦେଶକ,

ଆଦିବାସୀ ଭାଷା ଓ ସଂସ୍କୃତି ଗବେଷଣା କେନ୍ଦ୍ର

ଉମରକୋଟ, ଜିଲ୍ଲା: ନବରଙ୍ଗପୁର, ପିନ-୭୬୪୦୭୩

 

***

 

Unknown

ଓଡ଼ିଆ ଜୀବନୀ ଓ ଆତ୍ମଜୀବନୀ ସାହିତ୍ୟ

ଭୋଳାନାଥ ରାଉତ୍

 

ଜୀବନୀ

 

ସଂଜ୍ଞା ଓ ସ୍ୱରୂପ

ଜୀବୀନ ଚରିତ ସାହିତ୍ୟର ଅନ୍ୟତମ ବିଭାଗ । ବ୍ୟକ୍ତି ଜୀବନୀ କାହାଣୀ, ଏକ ସାହିତ୍ୟିକ ଶୈଳୀରେ କୌଣସି ରଚୟିତାଙ୍କ ଦ୍ୱାରା କଥିତ ହେଲେ ତାହା ଜୀବନ ଚରିତ ମର୍ଯ୍ୟାଦା ଲାଭ କରିଥାଏ । ‘‘କୌଣସି ବ୍ୟକ୍ତିର ଜୀବନର ଘଟଣାବଳୀ, ତାଙ୍କ ଚରିତ୍ରର ଗତି ପ୍ରକୃତି, ତାଙ୍କ ଆଦର୍ଶ ଓ ଯୁଗ ପାଇଁ ତାଙ୍କ ଆବଶ୍ୟକତା କଥନ ଦୃଷ୍ଟିରୁ ଜୀବନୀ ସାହିତ୍ୟ ରଚନାର ଆବଶ୍ୟକତା ଉପଲବ୍ଧ ହୋଇଛି । Oxford Dictionary ଅନୁସାରେ ଏହା ହେଉଛି ‘‘The history of the lives of Individual men as a branch of literature’’ ଜୀବନ ଲେଖକ ଜୀବନୀ ଚରିତର ନାୟକଙ୍କୁ ଏକ ବିଶିଷ୍ଟ ବ୍ୟକ୍ତି ରୂପେ ଗ୍ରହଣ କରି ଜାତି ଓ ମାଟି ପ୍ରତି ତାଙ୍କର ଚରିତ୍ରକୁ ପରିସ୍ଫୁଟ କରୁଥିଲେ ମଧ୍ୟ ଏହାକୁ ଜୀବନ ଚରିତ ରୂପେ ଅଭିହିତ କରିବାର ଚଳଣି ନାହିଁ । ଚରିତ କେବଳ ଚରିତ୍ର ଚିତ୍ରଣ ବା ଚରିତ୍ର ସମାହାର ନୁହେଁ ତାହା ଠାରୁ ବହୁ ଅଧିକ କଥା ବା ବିଷୟର ସମାହାର । ଏଥିରେ କେବଳ ତଥ୍ୟ ଉପରେ ଗୁରୁତ୍ୱ ଦିଆ ହୋଇ ନଥାଏ । ତହିଁରେ ଲେଖକଙ୍କର ନିରପେକ୍ଷ ଦୃଷ୍ଟିଭଙ୍ଗୀ ଦେଖିବାକୁ ମିଳିଥାଏ । ଚରିତ୍ର ଲେଖକଙ୍କର ଏପରି କୌଶଳ ହିଁ ଜୀବନୀ ଲେଖାକୁ ସଜୀବ ଓ ସ୍ୱାଦ କରିଥାଏ । Leon Literary Biography ରେ କୁହାଯାଇଛି ‘‘A biography is recorded in words of something that is as mercurried and as flowing as compact of temperament and emotion as the human spirit itself.’’ ଚରିତ୍ରର କେବଳ ଗୁଣାଗୁଣ ବିଚାର ହେଲେ ତାହା ଜୀବନୀ ଚରିତ ହୁଏ ନାହିଁ । ଚରିତ ଓ ଚରିତ୍ର ଏମାନେ ଅର୍ଥ ବ୍ୟଞ୍ଜନା ଦୃଷ୍ଟିରୁ ଗୋଟିଏ ବୋଲି ଜଣା ପଡ଼ୁଥିଲେ ବି ପ୍ରଚଳନରେ ଜୀବନୀ ଲେଖାକୁ ଜୀବନ ଚରିତ ରୂପେ ଗ୍ରହଣ କରାଯାଇଛି ।

 

ଜୀବନୀ ଓ ଜୀବନ ଚରିତ କୌଣସି ବ୍ୟକ୍ତିର ଜନ୍ମ ଓ ମୃତ୍ୟୁ ଏହି ଦୁଇଟି ନିର୍ଦ୍ଦିଷ୍ଟ ଘଟଣାର ସୀମା ମଧ୍ୟରେ ବ୍ୟାପି ରହିଥାଏ । ବ୍ୟକ୍ତିର ଜୀବନ ପ୍ରବାହର ଚିତ୍ର ଏହା ପ୍ରଦାନ କରେ । ବିବିଧ ଘଟଣାର ସ୍ରୋତ ବ୍ୟକ୍ତି ଜୀବନକୁ ଯେଉଁଆଡ଼କୁ ଟାଣି ନେଇଥାଏ ତାହାର ପ୍ରତିଫଳନ ଜୀବନ ଚରିତରେ ପରିଲକ୍ଷିତ ହୁଏ । ସମାଜର ପରିଚିତ ପୁରୁଷମାନଙ୍କୁ ଜୀବନ ଚରିତର ପରିଧି ମଧ୍ୟକୁ ଅଣା ଯାଇଥାଏ । ଜୀବନୀ ବ୍ୟକ୍ତିକୁ ସାଧାରଣରେ ପରିଚିତ କରାଏ । ବ୍ୟକ୍ତିର ଚାରିତ୍ରିକ ଲକ୍ଷଣାବଳୀ ଜୀବନୀ ଚରିତରୁ ଉପଲବ୍ଧ ହୁଏ । ତାହା କେତେକାଂଶରେ ସାର୍ବଜନୀନ ଓ ଆଉ କେତେକ କ୍ଷେତ୍ରରେ ଅସାଧାରଣ ହୋଇଥାଏ । ବ୍ୟକ୍ତିବର୍ଗମାନଙ୍କର ସଦ୍‌ଗୁଣର ବିକାଶ ଓ ଚରିତ୍ର ଗଠନ ପାଇଁ ଜୀବନୀ ପ୍ରେରଣା ହୋଇଥାଏ । ବିବିଧ ପରିସ୍ଥିତି ସହିତ ଆପଣଙ୍କୁ ଚଳେଇ ନେବଲାଗି ଆବଶ୍ୟକ ଅଭିଜ୍ଞତା ଜୀବନୀ ଅଧ୍ୟୟନରୁ ମିଳିଥାଏ । ଉତ୍କଳ ସାହିତ୍ୟ ନବମ ଭାଗ ଦ୍ୱାଦଶ ସଂଖ୍ୟା ପୃ ୩୩୦-୩୪୨ରେ କୃଷ୍ଣଚନ୍ଦ୍ର ଦାଶଶର୍ମା ବକ୍ତୃତାରେ କହନ୍ତି – ‘‘ଜୀବନୀ ଚରିତ ଅପେକ୍ଷା ଜୀବନ ବଡ଼ ହେଲେ ମଧ୍ୟ ଏକ ପକ୍ଷରେ ଜୀବନ ଚରିତ ମଧ୍ୟ ଶ୍ରେଷ୍ଠ । ମହାଜନମାନେ ନିଜ ଜୀବନରେ ଯାହା ଦେଖାଇ ତିରୋହିତ ହୁଅନ୍ତି, ଗ୍ରନ୍ଥ ତାହା ଲିପିବଦ୍ଧ କରି ରଖେ । ଏ ଅଂଶରେ ଜୀବନ, ଜୀବନ ଚରିତ ଅପେକ୍ଷା ବଡ଼ ହେଲେ ହେଁ ଜୀବନ ଚରିତ ନ ଥିଲେ ମହାଜନମାନଙ୍କ ମହତ୍ତ୍ୱକୁ ଆକଳନ କରିବାର ସାମର୍ଥ୍ୟ ଅନ୍ୟ କାହାରି ନାହିଁ ବୋଲି ଜୀବନ ଚରିତ ମଧ୍ୟ ଆଦରଣୀୟ । ଜୀବନ ଚରିତ ମହାଜନମାନଙ୍କର ଶବ ଦେହସ୍କନ୍ଦରେ ଧରି ବର୍ତ୍ତମାନ ଯୁଗ ପ୍ରାୟ ଭାବୀଯୁଗରେ ଦ୍ୱାରେ ଦ୍ୱାରେ ଉପନୀତ ହୋଇ ଏକ ଆଡ଼େ ଆଦର୍ଶ ଜୀବନର ପ୍ରତିକୃତି ଅଙ୍କିତ କରାଇ ନେବା ନିମନ୍ତେ ସାଧାରଣ ଯେପରି ସାହାଯ୍ୟ କରେ, ଅନ୍ୟଆଡ଼େ ସେହିପରି ସମସ୍ତ ଉଜ୍ଜଳ ଚରିତ୍ରର ଆକର୍ଷଣରେ ଭାବୀ ସମାଜକୁ ଏକତ୍ର କରି ଜାତୀୟ ପ୍ରେମକୁ ସଜୀବ ରଖିବାକୁ ଚେଷ୍ଟା କରେ ।’’

 

କେବଳ ବ୍ୟକ୍ତିର ଗୁଣ କୀର୍ତ୍ତନ ଓ ସ୍ମୃତି ତର୍ପଣରେ ଜୀବନ ଚରିତ ଲେଖା ଯାଇପାରେ । ଆଦର୍ଶ ଓ ବାସ୍ତବ ଉଭୟର ସମନ୍ୱୟରେ ଲିଖିତ ଜୀବନ ଚରିତ ଜାତିର ବଂଶଧରମାନଙ୍କ ପାଇଁ ପ୍ରେରଣାର ସମ୍ବଳ ହୋଇଥାଏ । ଆମ ଚରିତ ସାହିତ୍ୟରୁ ଏପରି ଦୃଷ୍ଟାନ୍ତ କିଛି ମିଳେ । ଦୁର୍ଗାଚରଣ ରାୟଙ୍କର ରାଧାନାଥ ଜୀବନୀ ଏହି ଧରଣର । ଯେଉଁ ଜୀବନ ଚରିତରୁ ବ୍ୟକ୍ତିର ଆଦର୍ଶ ଚେତନା ମିଳେ ତାହା ହିଁ ସାଧାରଣ ଜୀବନରେ ଲକ୍ଷ୍ୟକୁ ସ୍ଥିର କରେ । ତେଣୁ କୃଷ୍ଣପ୍ରସାଦ ଚୌଧୁରୀ ଉତ୍କଳ ସାହିତ୍ୟ ୧୩୧୪ ସାଇ ଦଶମ ଭାଗ ପଞ୍ଚମ ସଂଖ୍ୟା ପୃଷ୍ଠା ୧୨୪ରେ ଲେଖିଛନ୍ତି – ‘‘ଅତି ଉତ୍କୃଷ୍ଟ ଜୀବନ ଚରିତଗୁଡ଼ିକ ପ୍ରାୟ ଧର୍ମଶାସ୍ତ୍ରତୁଲ୍ୟ । ଆତ୍ମଚେଷ୍ଟା, ସ୍ଥିର ଅଭିପ୍ରାୟ, ଦୃଢ଼ ପ୍ରତିଜ୍ଞ ପ୍ରଭୃତି ବିଷୟରେ ସେମାନେ ଆମ୍ଭମାନଙ୍କୁ ଉଚ୍ଚ ଜୀବନଯାପନ ଓ ଉଚ୍ଚ ଚିନ୍ତା କରିବାକୁ ସାହାଯ୍ୟ କରନ୍ତି । ଆତ୍ମଚେଷ୍ଟା, ସ୍ଥିର ଅଭିପ୍ରାୟ, ଦୃଢ଼ ପ୍ରତିଜ୍ଞା ପ୍ରଭୃତି ବିଷୟରେ ସେମାନେ ଆମ୍ଭମାନଙ୍କ ସମ୍ମୁଖରେ ଯେଉଁ ମୂଲ୍ୟବାନ ଦୃଷ୍ଟାନ୍ତମାନ ସ୍ଥାପନ କରନ୍ତି ତାହା ଆମ୍ଭମାନଙ୍କର ନିଜର ଶକ୍ତି ଓ ସାମର୍ଥ୍ୟକୁ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଦିଏ ଏବଂ ଆତ୍ମମର୍ଯ୍ୟାଦା ଓ ଆତ୍ମନିର୍ଭରଶୀଳତାର ମହିମା ବୁଝାଏ ।’’ ଜୀବନ ଚରିତ୍ରକୁ ପୁଣ୍ୟ ସହିତ ପାପ ଏବଂ ଭଲ ସହିତ ମନ୍ଦର ପରିଚୟ ପାଇ ଆପଣା ଆବେଗକୁ ପରିତୃପ୍ତ କରିବା ପାଠକଙ୍କ ପକ୍ଷରେ ସହଜ ହୋଇଥାଏ । ତେଣୁ ଜୀବନ ଚରିତ ମାଧ୍ୟମରେ ମାନବ ଜୀବନର ଅନ୍ଧକାର ଦିଗକୁ ଚିହ୍ନି ହୁଏ । ଜୀବନ ଚରିତ ବା ଜୀବନୀ ହେଉଛି ଉନ୍ନତକାମୀ ମଣିଷର ପ୍ରେରଣାର ଉତ୍ସ । ବିଶ୍ୱର ଅସୀମ ବିଭିନ୍ନତା ମଧ୍ୟରେ ଜୀବନ ଚରିତ ମଣିଷ ସହିତ ମଣିଷର ସର୍ବୋଚ୍ଚ ସମ୍ପର୍କ ସ୍ଥାପନ କରାଇପାରେ ।

 

ଜୀବନ ଚରିତର ସଫଳତା ସର୍ବୋତଭାବେ ଜୀବନୀକାର ଉପରେ ନିର୍ଭର କରିଥାଏ । କଳାଶକ୍ତି ବଳରେ ଜଣେ ଅସାମାଜିକ ବ୍ୟକ୍ତିର ଜୀବନ ମଧ୍ୟ ଚିତ୍ତାକର୍ଷକ ହୁଏ ପୁଣି କଳାଶକ୍ତିର ଅଭାବରେ ପୁଣ୍ୟବାନ ମହତ ପୁରୁଷର ଜୀବନ କ୍ଳାନ୍ତିକର ବୋଧହୁଏ । Sir Edward Cook – Literary Recreations (1918) The Art of Biography – Macmillian Co. Ltd. London page – 21-22 ରେ ଲେଖିଛନ୍ତି ‘‘There are excellent biographies and autobiographies of rascals and there are very dull books about saints. Neither is if sufficienty along that the subjects should be persons of that importance in their day. The first qualification of good subjects are that the life of the man or woman should be really memorable, the there should be marked personality behind the actions, that the character should be distinctive and interesting. The practice of biography differs widely in its choice of subjects from these requirements of the art’’ ଏ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ଲେଖକର ସମୁଚିତ ଦୃଷ୍ଟି, ଅନୁରାଗ ଜ୍ଞାନ ଓ କଳ୍ପନା । ଶ୍ରଦ୍ଧା ଓ ଅନୁରାଗ ବିନା କୌଣସି ଯୁଗରେ ସାର୍ଥକ ଜୀବନ ଚରିତର ସୃଷ୍ଟି ସମ୍ଭବ ହୋଇନାହିଁ । Edward Cookଙ୍କ ଭାଷାରେ ‘‘The biographer must be honest. He must have general sympathy with his subjects for without it he can not hope to gain the insight which will enable him to understand and to interprete.’’

 

ଜୀବନରେ ଯାହାସବୁ ଘଟେ ଜୀବନରେ ଏକ ଶତାଂଶ ମଧ୍ୟ ସ୍ଥାନ ପାଏ ନାହିଁ । ଯେଉଁ ଘଟଣାବଳୀ ଅର୍ଥବୋଧକ ଓ ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ପରିସ୍ଫୁଟ କରାଏ ତାହା ହିଁ ଚରିତରେ ସ୍ଥାନ ପାଇଥାଏ । ଜୀବନୀ ଲେଖକ ଘଟଣାସଜ୍ଜା ଓ ବିଷୟବସ୍ତୁ ଉପସ୍ଥାପନାରେ ଆବଶ୍ୟକ ସ୍ଥଳେ କଳ୍ପନା ଶକ୍ତିର ଆଶ୍ରୟ ନେଇଥାନ୍ତି । ମାତ୍ର କଳ୍ପନା ଘଟଣା ଚୟନ ଉଚିତ୍ ନୁହେଁ । Lord Edel Literary Biography (1957 Page-1ରେ କହିଅଛନ୍ତି – The biography may be as imaginative as the pleases the more imaginative the better in the way in which the brings together his materials, but he must not imagine the materials.’’ ଜୀବନୀକାର ତଥ୍ୟ ସଂଗ୍ରହ ପାଇଁ ଦିନଲିପି, ସ୍ମୃତିଚିତ୍ର, ଚିଟାଉ, ସଂରକ୍ଷିତ ସଂଳାପକୁ ଅବଲମ୍ବନ ରୂପେ ଗ୍ରହଣ କରିପାରନ୍ତି । ମାତ୍ର ସଂଗୃହୀତ ତଥ୍ୟ ଭିତ୍ତିରେ ଚରିତ ନାୟକଙ୍କର ରୂପାୟନ ବେଳେ ଲେଖକ ଚରିତ ନାୟକ ସ୍ୱୟଂ ପ୍ରକାଶିତ ହେବା ଲାଗି ସୁଯୋଗ ସୃଷ୍ଟି କରୁଥିବେ ।’’ Charles Richard Sanders – Lytton Strachey: His mind and Art ପୁସ୍ତକରେ କହିଛନ୍ତି ‘‘It should be based on the facts. It should be art with judicious selections, good structure and good style. It should make it subject live again before the eyes of the reader. It should be written from a definite point view. It must be the product of free mind, bound only by considerations of impartiality and justice.’’ ‘‘ତେଣୁ ନିର୍ଦ୍ୱନ୍ଦରେ କୁହାଯାଇପାରେ ଯେ, ଉଚ୍ଚକୋଟୀର ଜୀବନ ଚରିତର ସୃଷ୍ଟି କେବଳ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଷୟ ରୂପେ ଗ୍ରହଣ କରିବା ଉପରେ ନିର୍ଭର କରେ ନାହିଁ । ବରଂ ନିଗୁଣ ଚରିତକାରଙ୍କ ଅପେକ୍ଷା ରଖେ ।’’

 

ଜୀବନୀ କଳ୍ପନାମୂଳକ ସାହିତ୍ୟ ନୁହେଁ ବା ଐତିହାସିକ ସତ୍ୟ ଏହାର ସର୍ବସ୍ୱ ନୁହେଁ କଳାନୁକ୍ରମିକ ବର୍ଣ୍ଣନାରେ ନୁହେଁ । ବ୍ୟକ୍ତିକୁ ଜୀବନ୍ତଭାବେ ରୂପାୟନ କରିବାରେ ତାଙ୍କର ଚାରିତ୍ରିକ ବ୍ୟକ୍ତିତ୍ୱ ଫୁଟି ଉଠିଥାଏ । ଜୀବନୀର ଘଟଣା ପାଠକର କୌତୁହଳତାକୁ ଖୋରାକ ଯୋଗାଇବା ସହ ତାହାର କଳାପୂର୍ଣ୍ଣ ଉପସ୍ଥାପନା ପାଠକର ରସବୋଧକୁ ଜାଗ୍ରତ କରାଇଥାଏ ।

 

Harlod Nicolsonଙ୍କ ମତରେ ଜୀବନର ସାହିତ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ (୧) ବିଶୁଦ୍ଧ ଜୀବନୀ (Pure Biography) (୨) ଅଶୁଦ୍ଧ ଜୀବନୀ (Impure Biography).

 

ଶୁଦ୍ଧ ଜୀବନୀରେ ଐତିହାସିକ ସତ୍ୟତା ଓ ଲେଖକର ନିର୍ଲିପ୍ତତା ସହ ପାଠକର ପୀନବଦ୍ଧତା ତଥା ସାହିତ୍ୟକ ସୌକୁମାର୍ଯ୍ୟ ରହିଥାଏ ଏହା ପାଠକର କୌତୁହଳ ମେଣ୍ଟାଏ ଓ ଜୀବନୀ ବର୍ଣ୍ଣିତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧା ଜାତ କରାଇଥାଏ । Harlod Nicolsonଙ୍କ ମତରେ, ‘‘There must result for the reader, an active and not merely a passive adjustment of sympathy, there must result for him an acquisition not of facts only but for experience, there must reamin for him a definite mental impression, an altered attitude of mid. There must finally be consciousness of creation, a conviction that some creative mind has selected and composed these facts in such a manner as to give to them a convincing interpretation that, in a word the given biography is a work of intelligence.’’

 

ତିନୋଟି କାରଣ ଯୋଗୁଁ ଜୀବନୀ ରଚନା ଅଶୁଦ୍ଧ ହୋଇଥାଏ । ପ୍ରଥମତଃ କେତେକ ଲେଖକ ବର୍ଣ୍ଣିତ ବ୍ୟକ୍ତିଙ୍କ ମାହାତ୍ମ୍ୟ କେବଳ ବର୍ଣ୍ଣନା କରିଥାନ୍ତି । ତାଙ୍କ ଦୋଷ ଦୁର୍ବଳତାକୁ ଲୁଚାଇ ରଖନ୍ତି । ଫଳରେ ବର୍ଣ୍ଣିତ ବ୍ୟକ୍ତି ଜଣେ ମହାପୁରୁଷ ଭାବରେ ପ୍ରତୀୟମାନ ହୁଅନ୍ତି । ତେଣୁ ତାଙ୍କର ଧୂଳିମାଟି ସଂସାର ସହିତ କୌଣସି ସମ୍ପର୍କ ରୁହେ ନାହିଁ । ଯେତେବେଳେ ପୁରାଣର ପ୍ରାଧାନ୍ୟ ଥିଲା ସେତେବେଳେ ଏ ଧରଣର ଜୀବନୀ ରଚନା କରା ଯାଇଥିଲା । ଦ୍ୱିତୀୟରେ ବର୍ଣ୍ଣିତ ବ୍ୟକ୍ତିଙ୍କୁ ଏଠାରେ ଲେଖକ ଏକ ସ୍ୱତନ୍ତ୍ର ସ୍ଥାନରେ ରଖିଥାନ୍ତି । ଯାହାଙ୍କୁ ଉଦାହରଣ ଭାବରେ ଗ୍ରହଣ କରାଯାଇଥାଏ । ଏଠାରେ ଲେଖକ ବର୍ଣ୍ଣିତ ବ୍ୟକ୍ତିଙ୍କୁ ଜଣେ ଆଦର୍ଶ ସ୍ଥାନୀୟ ବ୍ୟକ୍ତିଭାବେ ଚିତ୍ରଣ କରିଥାନ୍ତି । ଏଥିରେ ଲେଖକ ବର୍ଣ୍ଣିତ ବ୍ୟକ୍ତିଙ୍କ ଦୋଷତ୍ରୁଟି ଇତ୍ୟାଦି ନ ଦେଖାଇ ତାଙ୍କର ଗୁଣଗୁଡ଼ିକ ଦେଖାଇଥାନ୍ତି । ତୃତୀୟରେ ଲେଖକ ଜୀବନୀରେ ସ୍ଥଳ ବିଶେଷରେ ବ୍ୟକ୍ତିଗତ ମତାମତ ଦେଇ ଜୀବନର ମହତ୍ତ୍ୱ ଉପରେ ଆଞ୍ଚ ଆଣିଥାନ୍ତି । ଏଠାରେ ଲେଖକ ଚରିତ୍ର ଚିତ୍ରଣ କଲାବେଳେ ପ୍ରାକ୍ ଧାରଣାର ବଶବର୍ତ୍ତୀ ହୋଇଥାନ୍ତି ଫଳରେ ବର୍ଣ୍ଣିତ ବ୍ୟକ୍ତି ପାଠକର ହୃଦୟଗ୍ରାହୀ ହୋଇପାରେ ନାହିଁ ।

 

ଉପସ୍ଥାପନା ପଦ୍ଧତି

ଜୀବନୀ ଲେଖକ ଦୁଇଟି ଉପାୟରେ ଜୀବନୀ ଉପସ୍ଥାପନା କରିଥାନ୍ତି । ପ୍ରଥମ ଉପାୟଟି ହେଉଛି ସବିସ୍ତର ଉପସ୍ଥାପନା ପଦ୍ଧତି (Exhaustive Method). ଏହି ପଦ୍ଧତିରେ ଜୀବନୀ ଲେଖକ ବର୍ଣ୍ଣିତ ବ୍ୟକ୍ତିଙ୍କ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥାନ୍ତି । ସମସ୍ତ ପାଠ କରିସାରିଲା ପରେ ପାଠକ ବର୍ଣ୍ଣିତ ବ୍ୟକ୍ତିଙ୍କ ସହ ପରିଚିତ ହୋଇଥାଏ । ଦ୍ୱିତୀୟଟି ହେଉଛି ସୁନିରୂପିତ ଘଟଣା ଉପସ୍ଥାପନା ପଦ୍ଧତି (Selective Method).ଏଥିରେ ବର୍ଣ୍ଣିତ ବ୍ୟକ୍ତିଙ୍କ ଜୀବନର କେତେକ ନିର୍ଦ୍ଦିଷ୍ଟ ଘଟଣାକୁ ବର୍ଣ୍ଣନା କରା ଯାଇଥାଏ । ଏହି ଘଟଣାମାନଙ୍କରେ ସତ୍ୟ ଉଦ୍‌ଘାଟିତ ହୋଇଥାଏ । ଆଧୁନିକ ଜୀବନୀ ଲେଖକମାନେ ପ୍ରାୟତଃ ଏହି ପଦ୍ଧତି ଅବଲମ୍ବନ କରି ବିଶେଷ ପ୍ରିୟ ହୋଇ ପାରିଛନ୍ତି ।

 

ଇତିହାସ ଓ ଜୀବନୀ ଏକା ଧରଣର ରଚନା ହେଲେ ହେଁ ତାହା ପ୍ରକୃତରେ ଏହା ନୁହେଁ । ଐତିହାସିକ ଓ ଜୀବନୀ ଲେଖକଙ୍କ ଯୋଗ୍ୟତା ଏକ ହେଲେ ହେଁ ସେ ଦୁଇଙ୍କର ସ୍ୱରୂପ ଭିନ୍ନ । ବିବରଣୀ ସଂଗ୍ରହ, ଯଥାଯଥ ଉପସ୍ଥାପନା କରିବା ଓ ମତାମତ ଦେବା ଉଭୟଙ୍କର ଦାୟିତ୍ୱ ହୋଇଥିଲେ ହେଁ ଜୀବନୀ ଲେଖକ ବର୍ଣ୍ଣିତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ମୂର୍ତ୍ତିମନ୍ତ କରନ୍ତି । ଐତିହାସିକ ଭଳି ପ୍ରତ୍ୟକ୍ଷ ଭାବେ ମତାମତ ନ ଦେଇ ନିଜକୁ ସର୍ବଦା ନିର୍ଲିପ୍ତ ରଖି ଘଟଣା ଓ ବିବରଣୀ ମାଧ୍ୟମରେ ଉପସ୍ଥାପନା କରିଥାନ୍ତି । ଫଳରେ ବର୍ଣ୍ଣିତ ବ୍ୟକ୍ତିଙ୍କ ଜୀବନର ସମସ୍ତ ଘଟଣା ବର୍ଣ୍ଣିତ ନ ହୋଇ ବଛାବଛି ଘଟଣା ଉପସ୍ଥାପିତ ହୋଇଥାଏ । ବର୍ଣ୍ଣିତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ୱାଧୀନ ଭାବରେ ଲେଖକ ମତାମତ ଦେଇପାରି ନ ଥାନ୍ତି । Strachey ଙ୍କ ଭାଷାରେ, “a point of view, it must be remembered, by no means sympathy. One might almost say that it implies the reverse.” ଲେଖକ ବର୍ଣ୍ଣିତ ବ୍ୟକ୍ତିଙ୍କୁ ଯେଉଁଭଳି ବିଚାର କରିଥାନ୍ତି ବିବରଣୀ ଉପସ୍ଥାପନା ମାଧ୍ୟମରେ ସେହିଭଳି ଚରିତ୍ରଟିଏ ଚିତ୍ରଣ କରିଥାନ୍ତି ।

 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚରିତ ରଚନାର ପରମ୍ପରା

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚରିତ ରଚନାର ପରମ୍ପରା ପୁଷ୍କଳ ନଥିଲା । ତଥାପି ଏ ଦେଶର ବହୁ କବି, ସାହିତ୍ୟକ, ରାଜା ଓ ଐତିହାସିକ ବ୍ୟକ୍ତିବର୍ଗ ଆଂଶିକ ଭାବରେ ଜୀବନର ଘଟଣାକୁ ଲିପିବଦ୍ଧ କରିବାର ଦୃଷ୍ଟାନ୍ତ ମିଳିଥାଏ । ଶିଳାଲେଖ, ତାମ୍ରାନୁଶାସନ ଓ ପୋଥିପତ୍ରର ଅଂଶବିଶେଷରେ ଏଗୁଡ଼ିକର ଆଭାସ ମିଳିଥାଏ । ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ମଧ୍ୟରେ ବହୁ ଶିଳାଲେଖ ଓ ଅନୁଶାସନ ସୃଷ୍ଟି ହୋଇଥିବାର ଇତିହାସରୁ ଜଣାପଡ଼େ । ଏଥିରୁ ରାଜାମାନଙ୍କର ବଂଶ ପରିଚୟ, ରାଜ୍ୟଶାସନ, ଶିକ୍ଷା, ଧର୍ମଧାରଣା, ବ୍ୟକ୍ତିତ୍ୱ ଇତ୍ୟାଦିର ପରିଚୟ ମିଳିଥାଏ । ମାଧବ ବର୍ମାଙ୍କର ତାମ୍ର ଶାସନ ଭଳି କେତେକ ତାମ୍ର ଶାସନେ ଉତ୍କୃଷ୍ଟ କବିତାଗୁଡ଼ିକର ସନ୍ଧାନ ମିଳିଥାଏ । (ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ- ଓଡ଼ିଆ ସାହିତ୍ୟର ଇତିହାସ-ପ୍ରଥମ ଭାଗ) ଶିଳାଲେଖ ବ୍ୟତିତ ଅନ୍ୟ ଗଦ୍ୟରଚନା ଯଥା ମାଦଳା ପାଞ୍ଜି ଓ ବିଭିନ୍ନ ରାଜବଂଶାବଳୀରୁ ରାଜ୍ୟ, ରାଜ୍ୟ ଓ କ’ଣ ଚରିତର ସୂଚନା ମିଳିଥାଏ । ମାଦଳାପାଞ୍ଜି ଓଡ଼ିଶାର ଇତିହାସ, ରାଜନୀତି, ସମୀପନୀତି ଓ ବିଶେଷଭାବରେ ଉତ୍କଳୀୟ ସଂସ୍କୃତି ସମ୍ପର୍କରେ କେତେକ ତଥ୍ୟ ପରିବେଷଣ କରିଅଛି । ମାଦଳାପାଞ୍ଜି ଅନୁକରଣରେ କଳାହାଣ୍ଡି ମାଦଳା, କେନ୍ଦୁଝର ମାଦଳା ଇତ୍ୟାଦିର ସୃଷ୍ଟି ଏବଂ ଏଥିରେ ରାଜାଙ୍କର ରାଜ୍ୟ, ରାଜାଙ୍କର ଆଂଶିକ ଚରିତ ଉଲ୍ଲେଖ କରାଯାଇଛି । ପଟିଆ ରାଜବଂଶାବଳୀ, (ଗୋପୀନାଥ ମିଶ), ମଂଜୁଷା ରାଜ ବଂଶାବଳୀ, ଘୁମୁସର ରାଜ ବଂଶାବଳୀ (ସୂର୍ଯ୍ୟମଣି ଚ୍ୟାଉପଟ୍ଟନାୟକ) ଭଞ୍ଜ ବଂଶାନୁଚରିତ (ସଂ. ମାଗୁଣି ଦାସ) ନାଗବଂଶ ଚରିତ (ପଦ୍ମନ ସିଂହ), ତୁଙ୍ଗ ବଂଶାବଳୀ ( ତିଗିରିଆ ଅଞ୍ଚଳରୁ ସଂଗୃହୀତ, ବିଶ୍ୱଭାରତୀ ଓଡ଼ିଆ ବିଭାଗରେ ସଂରକ୍ଷିତ) ପ୍ରଭୃତି ଗ୍ରନ୍ଥ ପୋଥିପତ୍ରରେ ବହୁ ଐତିହାସିକ ଘଟଣା ଓ ଚରିତର ଆଙ୍ଗିକ ଉଲ୍ଲେଖ ହୋଇଅଛି । ଯଦିଓ ଏଗୁଡ଼ିକ ତଥ୍ୟମୂଳକ ଓ ଇତିହାସ ରଚନାର ଉପଯୋଗୀ ତଥାପି ଚରିତ ସାହିତ୍ୟର ଯଥାର୍ଥ ପ୍ରତିନିଧି ନୁହନ୍ତି । ଏହା ବ୍ୟତିତ ଅନେକ ଯୁଦ୍ଧର ଘଟଣାବଳୀ ଓ ସମରାଭିଯାନ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ରହିଅଛି, ଯାହାକୁ ଚରିତ ସାହିତ୍ୟର ଅନ୍ତର୍ଭୁକ୍ତ କରାଯାଇ ନ ପାରିଲେ ମଧ୍ୟ ଏଗୁଡ଼ିକ ଯେ ଚରିତ ସାହିତ୍ୟର ଉତ୍ସ ଏଥିରେ ସନ୍ଦେହ ନାହିଁ । ସେଗୁଡ଼ିକ ହେଲା ଖଲ୍ଲିକୋଟ ଯୁଦ୍ଧ (ଚୈତନ୍ୟ ଦାସ), ରଣତରଙ୍ଗ (ଅନୁଗୁଳ ଓ ଢେଙ୍କାନାଳ ରାଜାଙ୍କ ଯୁଦ୍ଧ ଘଟଣା) ବୁଢ଼ାପଙ୍କ ଯୁଦ୍ଧ (ନୃସିଂହ ରାଜଗୁରୁ), ତେଣ୍ଟାପୋଷି ଯୁଦ୍ଧ (କୃପାସିଦ୍ଧୁ), ବୀର ପ୍ରଭା (କାଶୀନାଥ), ସମର ତରଙ୍ଗ (ବ୍ରଜନାଥ) ଇତ୍ୟାଦି । ଏଗୁଡ଼ିକୁ ସମର କାବ୍ୟର ପର୍ଯ୍ୟାୟଭୁକ୍ତ କରାଯାଇପାରେ । ଚିନ୍ତାମଣି ବେହେରା ତାଙ୍କ ‘ବିଦଗ୍ଧ ପାଠକ’ରେ କହି ଅଛନ୍ତି ଏଗୁଡ଼ିକରେ ବିଭିନ୍ନ ଚରିତ୍ରର ଶୌର୍ଯ୍ୟ, ବୀରତ୍ୱ, ମହତ୍ତ୍ୱ ଓ କାର୍ଯ୍ୟକଳାପର ବର୍ଣ୍ଣନା ଥିବାରୁ ପ୍ରକାରାନ୍ତରେ ଏହାକୁ ଚରିତ ସାହିତ୍ୟ କୁହାଯାଇପାରେ । ମାତ୍ର ଏହାକୁ ଚରିତ ସାହିତ୍ୟ କୁହା ନ ଯାଇ ଚରିତ ସାହିତ୍ୟର ଉତ୍ସ ଭାବେ ଅନେକ ଗ୍ରହଣ କରିଛନ୍ତି ।

 

କାବ୍ୟମାନଙ୍କରେ କବି ଜୀବନର ଉଲ୍ଲେଖ

କାବ୍ୟ ବର୍ଣ୍ଣିତ ଘଟଣାକୁ ଭିତ୍ତି କରି କବି ଜୀବନୀ ଜାଣିବାର ଅବକାଶ ମିଳିଥାଏ । କବିଙ୍କ ବଂଶ, ଜାତି, ଜନ୍ମସ୍ଥାନ, କାବ୍ୟକୃତି, କାବ୍ୟ ରଚନାର ସମୟ, ସମାଜର ଚିତ୍ର, କବିଙ୍କର କାବ୍ୟାଦର୍ଶ ଓ ଜୀବନ ଦର୍ଶନ ଇତ୍ୟାଦିର ଚିତ୍ର ଏଥିରୁ ମିଳିଥାଏ । ସାରଳା ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ ପ୍ରଭୃତି କବିଗଣ ନିଜ ନିଜ କାବ୍ୟ କବିତାରେ ସେମାନଙ୍କର ଜନ୍ମସ୍ଥାନ, ପୂର୍ବପୁରୁଷମାନଙ୍କର ପରିଚୟ ଦେଇ ଅଛନ୍ତି । ସାରଳା ଦାସଙ୍କ ଜନ୍ମସ୍ଥାନ ଓ ବଂଶ ପରିଚୟ ସମ୍ପର୍କରେ ତାଙ୍କର ମହାଭାରତ ଓ ବିଲଙ୍କା ରାମାୟଣରେ ସ୍ପଷ୍ଟ ଉଲ୍ଲେଖ ହୋଇଅଛି । ଏମାନଙ୍କ ଜାତି ଗୋତ୍ରର ସୂଚନା ମିଳିଥାଏ । ଅଚ୍ୟୁତାନନ୍ଦଙ୍କ ‘ହରିବଂଶ’ ଓ ଦିବାକର ଦାସଙ୍କ ‘ଜଗନ୍ନାଥ ଚରିତାମୃତ’ରୁ ଏହାର ସ୍ପଷ୍ଟ ଉଲ୍ଲେଖ ଦେଖିବାକୁ ମିଳେ । ଅଚ୍ୟୁତାନନ୍ଦ ଦାସଙ୍କ ନାମରେ ପ୍ରଚାରିତ ‘ଉଦୟ କାହାଣୀ’ରେ ପଞ୍ଚସଖାଙ୍କର ଜନ୍ମବର୍ଷର ସୂଚନା ମିଳେ । ଭୀମ ଦାସଙ୍କର ‘ଭକ୍ତି ରଚନାବଳୀ’ କେଶବରାଜ ହରିଚନ୍ଦନଙ୍କ ‘ରସସିଦ୍ଧୁ ସୁଲକ୍ଷଣା’, ବିପ୍ର ନୀଳାମ୍ବର ଦାସଙ୍କ ‘ହରିଭକ୍ତି ରତ୍ନମାଳୀ’, କବି ଦୟାଳୁ ଦାସଙ୍କର ‘ବୈଷ୍ଣବାମୃତ ସାରୋଦ୍ଧାର’ କବି କୃପାସିନ୍ଧୁ ଦାସଙ୍କ ‘ବ୍ରଜବିହାର’, କବି ଦୟା ଦାସଙ୍କ ‘ଶବ୍ଦ ବ୍ରହ୍ମଗୀତା’, କବି ଭୂଷଣ ଗୋପୀନାଥ ପାତ୍ରଙ୍କ ‘ରାମଚନ୍ଦ୍ର ବିହାର’, ଉପେନ୍ଦ୍ର ଭଞ୍ଜଙ୍କ ‘ରସଲେଖା’ ଇତ୍ୟାଦି ଏହାର ସାକ୍ଷ୍ୟ ପ୍ରଦାନ କରିତାଏ । ଏତଦ୍‌ବ୍ୟତୀତ ସେ ଯୁଗର କବିମାନେ ନିଜ ଗ୍ରନ୍ଥରେ ତାଙ୍କ କୃତିର ତାଲିକା ମଧ୍ୟ ଦେଉଥିଲେ । ଉପେନ୍ଦ୍ର ଭଂଜଙ୍କ ‘ଚିତ୍ରକାବ୍ୟ ବନ୍ଧୋଦୟ’, ଦ୍ୱାରିକା ଦାସଙ୍କ ‘ପରଚ ଗୀତା’ରୁ ଏହାର ପ୍ରମାଣ ମିଳିଥାଏ । ଏହା ବ୍ୟତିତ ଅନେକ ସମସାମୟିକ ତଥ୍ୟର ମଧ୍ୟ ସୂଚନା ମିଳିଥାଏ । ସେଥିମଧ୍ୟରୁ ଅଚ୍ୟୁତାନନ୍ଦଙ୍କ ‘ଅନ୍ନସଂସ୍ଥାନ’ର ପୀଡ଼ାଦାୟକ ବହୁ ସମସ୍ୟା ଉଲ୍ଲେଖିତ । ବୃନ୍ଦାବତୀ ଦାସୀ ମଧ୍ୟ ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’ରେ ନିଜର ବଂଶ ପରିଚୟ, ଗ୍ରନ୍ଥ ରଚନାର ସମୟ ଇତ୍ୟାଦି ସ୍ଥାନ ଦେବା ସହିତ ଗୃହ ଜଞ୍ଜାଳରେ ରହି ବୃଦ୍ଧାବସ୍ଥାରେ ସେ ସାରସ୍ୱତ ସାଧନାରେ ଲିପ୍ତ ରହିଥିବା କହିଛନ୍ତି । ପ୍ରାଚୀନ ଯୁଗରେ କାବ୍ୟ କବିତାରେ କି ଜୀବନ ଓ ସାହିତ୍ୟଦର୍ଶନ ଆଙ୍ଗିକ ରୂପାୟନ ଘଟିଅଛି । କବି ଦୀନକୃଷ୍ଣ ନିର୍ମଳ କବିତ୍ୱ ଉପରେ ବିଶେଷ ଦୃଷ୍ଟି ଦେଇଥିଲେ । ଦୀନକୃଷ୍ଣ କବି ଓ କବିତା ସମ୍ପର୍କରେ ଯେଉଁ ମତ ‘ରସକଲ୍ଲୋଳ’ରେ ଦେଇଛନ୍ତି ତାହା ତାଙ୍କ ଜୀବନକୁ ଜାରିବା ପାଇଁ ତଥ୍ୟ ପ୍ରଦାନ କରିଅଛି । ପ୍ରାଚୀନ ଯୁଗରେ ସାହିତ୍ୟ କୃତିରୁ କବିଙ୍କର ଭକ୍ତିମତ୍ତା ଓ ଅଲୌକିକତା ନିଦର୍ଶନ ମିଳିଥାଏ ଯାହାକି ସାରଳା ଦାସଙ୍କ ମହାଭାରତ ଓ ଚଣ୍ଡୀ ପୁରାଣରେ ଭକ୍ତ ହୋଇଛି । ପୂର୍ଣ୍ଣାଙ୍ଗ ଜୀବନ ଚରିତରୁ ଚରିତ ନାୟକ ଏବଂ ସମସାମୟିକ ସମାଜ ତଥା ବ୍ୟକ୍ତିମାନଙ୍କର ଚିତ୍ର ମିଳିଥାଏ । ପ୍ରାଚୀନ କବିମାନଙ୍କ ଚରିତ କେତେକ ରଚନାରୁ ଆତ୍ମ ପରିଚୟ ଓ ସମସାମୟିକ ବ୍ୟକ୍ତିମାନଙ୍କ ସମ୍ପର୍କରେ ବିବରଣୀ ମିଳିଥାଏ । ପୁରୀ ମୁକ୍ତିମଣ୍ଡପରେ ବଳରାମ ଦାସ ଏବଂ ଅଚ୍ୟୁତାନନ୍ଦ ଦାସଙ୍କ ଉପରେ ପଣ୍ଡିତମାନେ ଈର୍ଷା ପ୍ରଣୋଦିତ ହୋଇ ତାଙ୍କୁ କିପରି ଶାସ୍ତ୍ର ପରୀକ୍ଷା ଦେବାକୁ କହିଥିଲେ ତାହା ଉଲ୍ଲେଖ କରାଯାଇଛି । ବଳରାମ ଦାସଙ୍କ ‘ବେଦାନ୍ତସାର ଗୁପ୍ତଗୀତା’, ଅଚ୍ୟୁତାନନ୍ଦ ଦାସଙ୍କ ‘ଶୂନ୍ୟ ସଂହିତା’ରୁ ଏହାର ପ୍ରମାଣ ମିଳିଥାଏ । ଦୀନକୃଷ୍ଣ ରାଜାଙ୍କଠାରୁ ଧମକ ଓ ନିର୍ଯ୍ୟାତନା କିଭଳି ସହ୍ୟ କରିଥିଲେ ତାହାର ଉଲ୍ଲେଖ ’ଦାର୍ଢ଼୍ୟତା ଭକ୍ତି’ରେ ହୋଇଅଛି । କବି ରାମଦାସ ଦୀନକୃଷ୍ଣଙ୍କର ନିର୍ଭୀକ ଓ ଆଧ୍ୟାତ୍ମବାଦୀ ବ୍ୟକ୍ତିତ୍ୱର ସୂଚନା ଦେଇଛନ୍ତି । ମାର୍କଣ୍ଡ ପୁରାଣରେ ମହାଦେବ ଦାସ ମାର୍କଣ୍ଡକୁ ଆଶ୍ରୟ କରିଥିବା ସୂଚିତ ହୋଇଛି ।

 

ପ୍ରାଚୀନ ଓଡ଼ିଆ ଚରିତ ସାହିତ୍ୟ

ଦିବାକର ଦାସଙ୍କ ରଚିତ ‘ଶ୍ରୀଜଗନ୍ନାଥ ଚରିତାମୃତ’ ହେଉଛି ଓଡ଼ିଆ ଚରିତ ସାହିତ୍ୟ କ୍ଷେତ୍ରରେ ଏକ ଅନବଦ୍ୟ ସୃଷ୍ଟି । କବି ଜଗନ୍ନାଥ ଦାସଙ୍କର ଜୀବନ ବୃତ୍ତାନ୍ତକୁ ଏହାର ମୁଖ୍ୟ କଥାବସ୍ତୁ ରୂପେ ଗ୍ରହଣ କରିଥିଲେ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମ୍ୟ, ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ଶ୍ରୀଚୈତନ୍ୟ ଦେବଙ୍କର ଆବିର୍ଭାବ ଓ ତିରୋଧାନ ଇତ୍ୟାଦି ବହୁବିଷୟ ଏଥିରେ ବର୍ଣ୍ଣିତ ହୋଇଛି । ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଅଲୌକିକ ବର୍ଣ୍ଣନା ଏକାନ୍ତ ଭାବେ ଏକ ସନ୍ଥ ଜୀବନୀ । ଦିବାକର ଦାସ ଓଡ଼ିଆ ସାହିତ୍ୟର ପ୍ରଥମ ଜୀବନୀ ଲେଖକ ଭାବରେ ସ୍ମରଣୀୟ ।

 

ଈଶ୍ୱର ଦାସ ‘ଶ୍ରୀଚୈତନ୍ୟ ଭାଗବତ’ର ସ୍ରଷ୍ଟା । ଏହା ପ୍ରାଚୀନ ଚରିତ ସାହିତ୍ୟ ପରମ୍ପରାରେ ରଚିତ ହୋଇଅଛି । ଏହା ୧୭ଶ ଶତାବ୍ଦୀର ରଚନା । ପ୍ରତାପ ରୁଦ୍ରଦେବଙ୍କ ପୃଷ୍ଠପୋଷକତାରେ ଶ୍ରୀଚୈତନ୍ୟ ଓଡ଼ିଶାର ଯେଉଁ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ତାହା ଏଥିରେ ସ୍ଥାନ ପାଇଛି । ଶ୍ରୀଚୈତନ୍ୟଙ୍କ ମହନୀୟ ବ୍ୟକ୍ତିତ୍ୱ ତାଙ୍କୁ ଦେବତା ଭାବରେ ଅଧିଷ୍ଠିତ କରିଥିଲା । ଶ୍ରୀଚୈତନ୍ୟଙ୍କ ଜୀବନର ବହୁ ଛୋଟବଡ଼ ଘଟଣା ଏ ଗ୍ରନ୍ଥରେ ସ୍ଥାନ ପାଇଛି । କବି ଭଗବାନ ଦାସ (୧୭ଶ-୧୮ଶ) ‘ଗୌରାଙ୍ଗ ଭାଗବତ’ ରଚନା କରିଅଛନ୍ତି । ସନ୍ଥଚରିତ୍ରର ଅଲୌକିକ ଉପାଦାନକୁ ଏଥିରେ ସ୍ଥାନ ଦିଆଯାଇଛି । କବି ରାମଦାସ (୧୮ଶ ଶତାବ୍ଦୀ) ‘ଦାର୍ଢ୍ୟତା ଭକ୍ତି’ ରଚନା କରିଅଛନ୍ତି । ଏହା ଏକ ସ୍ମରଣୀୟ ଜୀବନୀ ଗାତାଗ୍ରନ୍ଥ । ବ୍ୟକ୍ତି ଚରିତ୍ରର ଭାବଧର୍ମ ଏଥିରେ ବିଦ୍ୟମାନ । ’ଦାର୍ଢ଼୍ୟତା ଭକ୍ତିର ଅନୁପ୍ରେରଣାରେ ବିଂଶ ଶତାବ୍ଦୀରେ ‘ଭାବେ ଭୋଳା’ ନାମକ ଏକ ସମଧର୍ମୀ ଚରିତ ଗ୍ରନ୍ଥ ବାସୁଦେବ ମହାପାତ୍ରଙ୍କ ଦ୍ୱାରା ରଚିତ ହୋଇଥିଲା ।

 

ପ୍ରାଚୀନ ଚରିତର ବିଶେଷତ୍ୱ ହେଉଛି ସନ୍ଥମାନଙ୍କର ଜୀବନ କାହାଣୀ ନେଇ ପରିକଳ୍ପିତ-। ଏଥିରେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱର ପ୍ରତିଫଳନ ଘଟିଅଛି । ସନ୍ଥମାନଙ୍କର ବହୁମୁଖୀ ପ୍ରତିଭାବର ପରିଚୟ ଏହି ଗ୍ରନ୍ଥମାନଙ୍କରୁ ମିଳିଥାଏ । କୌଣସି ସାଧୁସନ୍ଥଙ୍କ ଜୀବନର ଉପଯୋଗୀ ତଥ୍ୟ ସଂଗ୍ରହ, ଉପଲବ୍ଧ ନଥିପତ୍ର ବା ପ୍ରଚଳିତ କାହାଣୀର ବିଶ୍ଳେଷର ସମ୍ଭାବ୍ୟ ପ୍ରାମାଣିକତା ସହିତ ସଂଗୃହୀତ ତଥ୍ୟାଦିର ବିନିଯୋଗ ଓ ଅନୁଶୀଳନ ହିଁ ଥିଲା ଯଥାର୍ଥ କୌଶଳ । ଆମ ସାହିତ୍ୟର ସନ୍ଥ ଚରିତାବଳୀ ଚରିତ ନାୟକଙ୍କର ଉପଲବ୍ଧ ତଥ୍ୟ ଭାବରେ ନିର୍ଭର କରିଅଛି । କୌଣସି ପୀଠ, ଗୁରୁଧାମ ଓ ସ୍ମୃତିତୀର୍ଥକୁ କେନ୍ଦ୍ରକରି ଅଲୌକିକ ଅତିକଥନରେ ଏହା ଭରପୁର ହୋଇଛି ।

 

ଆଧୁନିକ ଚରିତ ସାହିତ୍ୟ ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରଚଳନ, ମୁଦ୍ରା ଯନ୍ତ୍ରର ପ୍ରତିଷ୍ଠା ଓ ପତ୍ର ପତ୍ରିକାର ପ୍ରକାଶ ଯୋଗୁଁ ମାନବର ଦୃଷ୍ଟିକୋଣ କ୍ରମଶଃ ପରିବର୍ତ୍ତିତ ହେଲା । ଜୀବନ ସମସ୍ୟାର ସଂଗ୍ରାମ ଭୂମିରେ ବିକଶିତ ମଣିଷର ପୁରୁଷାକାରକୁ ନାନାଦିଗରୁ ପ୍ରତ୍ୟକ୍ଷ କି ତାହାର ମୂଲ୍ୟବୋଧକୁ ଆଗାମୀ ବଂଶଧରଙ୍କ ପ୍ରେରଣା ପାଇଁ ଲେଖକମାନେ ଆଗ୍ରହୀ ହେଲେ । କେବଳ ସାଧୁସନ୍ଥଙ୍କ ଜୀବନ ଅପେକ୍ଷା ତ୍ୟାଗୀ, କର୍ମୀ, ସାହିତ୍ୟିକ, ଦେଶସେବକ, ଐତିହାସିକ ଓ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତିମାନଙ୍କର ଜୀବନୀ ରଚନା ଓ ଏ ଯୁଗରେ ଆଗ୍ରହ ସୃଷ୍ଟି କଲା । ଜୀବନର ସମ୍ମୁନତ ବିକାଶ ପାଇଁ ପ୍ରେରଣାଦାନ ଜୀବନୀ ସାହିତ୍ୟର ଅନ୍ୟତମ ଉଦ୍ଦେଶ୍ୟ । ପାଠ୍ୟପୁସ୍ତକରେ ଜୀବନୀ ଚରିତର ସମାବେଶ ହେଲା । ସାହିତ୍ୟ ପୁସ୍ତକମାନଙ୍କର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେଲା । ଏହାର ମୁଖ୍ୟ ପୁରୋଧା ଥିଲେ ରାଧାନାଥ ରାୟ । ମଧୁସୁଦନ ଦାସଙ୍କର ‘ପ୍ରବନ୍ଧମାଳା’ ଫକୀରମୋହନଙ୍କ ଦ୍ୱାରା ଅନୁଦିତ ଜୀବନ ଚରିତ, ମୃତ୍ୟୁଞ୍ଜୟ ରଥଙ୍କର ‘ପ୍ରବନ୍ଧପାଠ’ ଚନ୍ଦ୍ରମୋହନ ମହାରଣାଙ୍କ ‘କଥାବଳୀ’ ଗୋଦାବରୀଶ ମିଶ୍ରଙ୍କର ‘ରଚନାବୋଧ’ ଇତ୍ୟାଦି ପ୍ରଧାନ । ବିଂଶ ଶତାବ୍ଦୀର ପୂର୍ବଦିନମାନଙ୍କର ପ୍ରେରଣାରୁ ପୂର୍ଣ୍ଣାଙ୍ଗ ଜୀବନ ଲେଖା ସମ୍ଭବ ହୋଇଥିଲା । ପାଠ୍ୟପୁସ୍ତକତୁଲ୍ୟ ପତ୍ରପତ୍ରିକା ମଧ୍ୟ ଜୀବନୀ ସାହିତ୍ୟ ବିକାଶ ନିମନ୍ତେ ଯଥେଷ୍ଟ ସାହାଯ୍ୟ କରିଥିଲା । ବିଶ୍ୱନାଥ କରଙ୍କର ‘ବିଶ୍ୱଜୀବନ’ ‘ପରଲୋକ ଗତ ସାଧୁଚରଣ’, ପରଲୋକଗତ ଜଗମୋହନ’, ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । ରାଧାନାଥ ରାୟଙ୍କର ‘କବିତାବଳୀ’ରେ ବ୍ୟକ୍ତି ବିଶେଷଙ୍କ ଜୀବନୀ ଲିପିବଦ୍ଧ ହୋଇଛି । ଓଡ଼ିଆ ‘ସାହିତ୍ୟ ପ୍ରଚାର ସଂଘ’ ବୀର ଜୀବନୀ ପ୍ରଚାର ଉଦ୍ୟମ କରିଥିଲା । ଏହାରି ଆଗ୍ରହରେ ଜଗବନ୍ଧୁ ସିଂ, ଦାମୋଦର ମିଶ୍ର ଓ ଦିବ୍ୟସିଂହ ପାଣିଗ୍ରାହୀ କ୍ଷୁଦ୍ରଜୀବନ ପୁସ୍ତକମାନ ରଚନା କରିଥିଲେ ।

 

ଆଧୁନିକ ଚରିତ ସାହିତ୍ୟ ଜୀବନୀ ଓ ଜୀବନୀ ଲେଖକ

ଆଧୁନିକ ଓଡ଼ିଆ ଚରିତ ସାହିତ୍ୟ କ୍ଷେତ୍ରରେ ଫକୀରମୋହନ ସର୍ବଦା ସ୍ମରଣୀୟ । ଫକୀରମୋହନଙ୍କ ସମୟରେ ପ୍ରଚଳିତ ଅର୍ଥରେ ଜୀବନୀ ସାହିତ୍ୟ ଆଦୌ ନ ଥିଲା । ଫକୀରେମାହନଙ୍କ ଜୀବନ ଚରିତକୁ ଆଧୁନିକ ଜୀବନ ଚରିତ କୁହାଯାଇପାରେ । ଅବଶ୍ୟ ଏହା ଜଣେ ବ୍ୟକ୍ତିର ପୂର୍ଣ୍ଣାଙ୍ଗ ଜୀବନୀ ନୁହେଁ । ଏହି ପୁସ୍ତକରେ ‘ଗାଲିଲିଓ, ନିଉଟନ୍’ ଇତ୍ୟାଦି ଅନେକ ବ୍ୟକ୍ତିଙ୍କ ଜୀବନକୁ ନେଇ ଏହା ରଚିତ ହୋଇଅଛି । ଏହା ଫକୀରମୋହନଙ୍କ ମୌଳିକ ରଚନା ନୁହେଁ । ବଙ୍ଗଳା ଲେଖକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପୁସ୍ତକର ଅନୁବାଦ । ବୁଦ୍ଧଦେବଙ୍କ ଜୀବନୀକୁ ନେଇ ଫକୀରମୋହନ ବୌଦ୍ଧବତାର କାବ୍ୟ ରଚନା କରିଥିଲେ । ଏହାର ବହୁବର୍ଷ ପରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ପାରଳାଖେମୁଣ୍ଡି ରାଜା କୃପାମୟ ଦେବଙ୍କ ଜୀବନୀ ରଚନା କରିଥିଲେ । ‘ମୃତ୍ୟୁଞ୍ଜୟ ରଥଙ୍କର ‘ସାରଳା ଚରିତ’, ‘କର୍ମଯୋଗୀ ଗୌରୀଶଙ୍କର ଚରିତ’ ସାହିତ୍ୟ ସୃଷ୍ଟିରେ ଏକ ନୂତନ ଦୃଷ୍ଟିକୋଣ ଉନ୍ମୋଚିତ କରିଅଛନ୍ତି । ଏହି ଲେଖକଙ୍କର ‘ନାରୀ ଦର୍ପଣ’ ଚରିତ ପ୍ରବନ୍ଧ ସମାରୋହରେ ରୁଦ୍ଧିମନ୍ତ । ଏହା ବ୍ୟତୀତ ସେ କି ରାଧାନାଥ, ସାମନ୍ତ ଚନ୍ଦ୍ରଶେଖର, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ମଧୁସୁଦନ ରାଓ, ଫକୀରମୋହନ ଇତ୍ୟାଦିଙ୍କ ଜୀବନୀକୁ ନେଇ ବହୁ ପ୍ରବନ୍ଧ ରଚନା କରିଥିଲେ ।

 

ପଦ୍ମଚରଣ ପଟ୍ଟନାୟକ, ମହାତ୍ମା ଗାନ୍ଧୀ, ମାର୍ଟିନ ଲୁଥର, ଫକୀରମୋହନ ସେନାପତି ଓ ନେପୋଲିୟନ ପ୍ରଭୃତି କେତେକ ଜୀବନୀ ଗ୍ରନ୍ଥ ପ୍ରକାଶ କରିଥିଲେ । ପଣ୍ଡିତ କୁଳମଣି ଦାଶ ଦୁଇଟି ଜୀବନୀ ଗ୍ରନ୍ଥ ପ୍ରକାଶ କରିଥିଲେ ତାହା ହେଉଛି ‘ମହାତ୍ମା ରାଜା ରାମମୋହନ ରାୟ ଓ କବି ସୂର୍ଯ୍ୟ ବଳଦେବ ରଥ । ସେ ମଧ୍ୟ ବହୁ ଜୀବନୀ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ କରିଥିଲେ । ସେ ଚରିତ ରଚନାର .ଐତିହାସିକ ଉପଯୋଗିତା ସୃଷ୍ଟି ଲାଗି କିଞ୍ଚିତ୍ ଚେଷ୍ଟା କରିଅଛନ୍ତି । ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ଜୀବନୀ ଗ୍ରନ୍ଥ ‘ନେପୋଲିୟନ’ ପ୍ରକାଶ ପାଇଥିଲା । ଏହାକୁ ଏକ ସ୍ମରଣୀୟ ଜୀବନୀ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଏ । ଦୁର୍ଗାଚରଣ ରାୟଙ୍କର ’ରାଧାନାଥ ଜୀବନୀ’ ଏକ ପୂର୍ଣ୍ଣାଙ୍ଗ ଜୀବନୀ ଗ୍ରନ୍ଥ । ରାଧାନାଥ ଜୀବନୀରେ ରାଧାନାଥଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱର ମୂଲ୍ୟାୟନ କଲାବେଳେ ବହୁବ୍ୟକ୍ତିଙ୍କର ଚିଠିପତ୍ର ଅଭିମତ ଇତ୍ୟାଦି ସଂଯୋଗ କରି ନିଜ ମତର ପ୍ରାମାଣିକତା ଦର୍ଶାଇଛନ୍ତି । ଏଥିରେ ରାଧାନାଥଙ୍କର ଶୈଶବରୁ ଅନ୍ତିମ ଜୀବନର ରୂପାୟନ ଘଟିଛି । ରାଧାନାଥଙ୍କ ସମୟରେ ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ସାମାଜିକ ଅବସ୍ଥା କିପରି ଥିଲା ତାହା ରାଧାନାଥଙ୍କ ଜୀବନୀରୁ ଜଣାଯାଏ । ଗୋଦାବରୀଶ ମହାପାତ୍ର ‘ଉତ୍କଳ ବୀର ଚରିତମାଳା’ ନିମନ୍ତେ ନିୟମିତ ଭାବେ ଜୀବନୀ ରଚନା କରିଥିଲେ । କପିଳେନ୍ଦ୍ରଦେବ ଓ ପ୍ରତାପ ରୁଦ୍ର ଦେବ ଆଦି ତାଙ୍କର ସୃଷ୍ଟି । ‘ରାଣା ପ୍ରତାପ ସିଂହ’, ‘ମାଟ୍‌ସିନ’ ତାଙ୍କର ଅନ୍ୟଦୁଇଟି ଜୀବନୀ ଗ୍ରନ୍ଥ । ଅନନ୍ତ ପଦ୍ମନାଭ ପଟ୍ଟନାୟକ ତିନୋଟି ଜୀବନୀ ଗ୍ରନ୍ଥ ରଚନା କରିଅଛନ୍ତି । ସେଗୁଡ଼ିକ ହେଲା ‘କବି ସମ୍ରାଟ ଉପେନ୍ଦ୍ରଭଞ୍ଜ’, ‘ବୀର ଚକରା’ ଓ ‘ଦୋହରା ବିଶୋଇ’ । ଏହି ବୀରମାନଙ୍କ ସହିତ ତତ୍‌କାଳୀନ ସାମାଜିକ ଓ ରାଜନୈତିକ ପରିସ୍ଥିତିର ବହୁ ସୂଚନା ମିଳିଥାଏ । ଶରତ ଚନ୍ଦ୍ର ମୁଖୋପାଧ୍ୟାୟ ‘ରାମାନୁଜ ଚରିତ’ ଗ୍ରନ୍ଥଟି ଓଡ଼ିଆରେ ରଚିତ ପ୍ରଥମ ରାମାନୁଜ ଚରିତ ବୋଲି ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି । ଗ୍ରନ୍ଥଟିରୁ ଚରିତ୍ର ଉପସ୍ଥାପନାରେ ଚରିତ୍ର କୁଶଳତା ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଉଅଛି । ସରଳାଦେବୀଙ୍କ ବିଶ୍ୱ ବିପ୍ଳବିନୀ, ରାୟ ରାମାନନ୍ଦ ପ୍ରଭୃତି ହେଉଛି ଓଡ଼ିଆ ଜୀବନୀ ସାହିତ୍ୟର ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସୃଷ୍ଟି । ବିଶ୍ୱ ବିପ୍ଳବିନୀ ୧୨ ଗୋଟି ଜୀବନୀ ପ୍ରବନ୍ଧର ସମାହାର । ନାରୀକବି କୁନ୍ତଳା କୁମାରୀଙ୍କଠାରୁ ବୀରରାଣୀ ଲକ୍ଷ୍ମୀବାଇ, ଅହଲ୍ୟାବାଈ ଓ ଋଷର ସୋଫିଆ ବାର୍ତ୍ତିକା ପ୍ରମୁଖ ଏଥିରେ ସ୍ଥାନ ପାଇଛନ୍ତି । ରାୟ ରାମାନନ୍ଦ ଓଡ଼ିଶାର ଜଣେ ବିଶିଷ୍ଟ ବ୍ୟକ୍ତି । ‘ରାୟ ରାମାନନ୍ଦଙ୍କ ଜୀବନୀ’ ପ୍ରସଙ୍ଗରେ ସେ ବହୁବାର ଚୈତନ୍ୟଙ୍କ କଥା ଉଲ୍ଲେଖ କରିଛନ୍ତି । କୃଷ୍ଣଚନ୍ଦ୍ର ସାହୁଙ୍କ ମହାତ୍ମା ସାଧୁସୁନ୍ଦର ଦାସ ଏକ ଜୀବନୀ ଗ୍ରନ୍ଥ । ଲେଖକ ଚରିତ ନାୟକଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ପୋଥି ଏବଂ ମିଶନାରୀଙ୍କ ରିପୋଟରୁ ବହୁତ ତଥ୍ୟ ସଂଗ୍ରହ କରିଛନ୍ତି । ତତ୍‌କାଳୀନ ଓଡ଼ିଶାର ସଂସ୍କୃତି ଚିତ୍ର ରୂପାୟନରେ ଏହି ଚରିତ ଗ୍ରନ୍ଥଟିର ବିଶେଷ ଭୂମିକା ରହିଅଛି । ଡକ୍ଟର ମାୟାଧର ମାନସିଂହ ‘ସରସ୍ୱତୀ ଫକୀରମୋହନ’ ଜୀବନୀ ଚରିତ୍ରର ଲେକକ । ତାଙ୍କ ମତରେ ଆତ୍ମଜୀବନୀଠାରୁ ଜୀବନୀ ଅଧିକ ସଫଳ ଓ ପୂର୍ଣ୍ଣାଙ୍ଗ-। ଫକୀରମୋହନଙ୍କ ଦୋଷ ଓ ତୃଟିର ମୂଲ୍ୟାୟନ କଲାବେଳେ ସମସାମୟିକ ବହୁ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରିଅଛନ୍ତି । ଯେଉଁ ଘଟଣାଗୁଡ଼ିକ ବିଶେଷ ଶିକ୍ଷାପ୍ରଦ ଓ ଉତ୍ସାହ ସଂଚାରୀ ତାକୁ ହିଁ ଏଥିରେ ଲିପିବଦ୍ଧ କରାଯାଇଛି । ଲେଖକଙ୍କର କାବ୍ୟିକ ଛଟା ଏହି ଗ୍ରନ୍ଥଟିକୁ ବେଶ୍ ସୁଖପାଠ୍ୟ କରିଅଛି ।

 

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଜୀବନୀ ସାହିତ୍ୟର ଜଣେ ଧୁରୀଣ ବ୍ୟକ୍ତିତ୍ୱ । ‘ନିମ୍ବାର୍କ’ ଶ୍ରୀରାମାନୁଜ, ଶ୍ରୀବଳରାମ ଦାସ, ଶ୍ରୀ ଜଗନ୍ନାଥ ଦାସ, ଦେଶପ୍ରାଣ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଇତ୍ୟାଦିଙ୍କ ଜୀବନୀ ସେ ରଚନା କରିଛନ୍ତି । ଲେଖକ ସଚେତନ ଭାବରେ କ୍ରମିକତା ରକ୍ଷା କରିଅଛନ୍ତି । ଐତିହାସିକ ତଥ୍ୟ ପରିବେଷଣ, ବହୁ ଘଟଣାର ସଂଯୋଜନା ଓ କାହାଣୀ ଧର୍ମୀ କଥାଭଙ୍ଗୀ ଏହି ରଚନାଗୁଡ଼ିକୁ ସୁଖପାଠ୍ୟ କରିଅଛି । ଚକ୍ରଧର ମହାପାତ୍ରଙ୍କ ରଚିତ ‘କୁନ୍ତଳା କୁମାରୀ ସାବତ’ରେ ମୂଲ୍ୟବାନ ବ୍ୟକ୍ତିତ୍ୱର ବିଭିନ୍ନ ଦିଗରୁ ଆଲୋଚନା କରିଛନ୍ତି । ଏହି ଗ୍ରନ୍ଥରେ କବି ଜୀବନର ଅନେକ ଅଜ୍ଞାତ ବିଷୟ ସନ୍ନିବେଶିତ ହୋଇଛି । ଏହା ଓଡ଼ିଶାର ସାଂସ୍କୃତିକ ଇତିହାସ ଲାଗି ଅନେକ ତଥ୍ୟ ଯୋଗାଇଛି । ବ୍ୟକ୍ତିତ୍ୱର ଉନ୍ମୋଚନ ପାଇଁ ମନୋବିଶ୍ଲେଷଣ ଧାରା ଅନୁସରଣ ଲେଖକଙ୍କର ଆଧୁନିକ ରୁଚିର ଅନ୍ୟତମ ପରିଚୟ । ଗୋପାଳ ବଲ୍ଲଭ ଦାସ ‘ଶ୍ରୀ ରମେଶ ଚନ୍ଦ୍ର ଦତ୍ତ’ଙ୍କର ସଂକ୍ଷିପ୍ତ ଜୀବନୀ ରଚନା କରିଛନ୍ତି । ଚରିତ ନାୟକ ରମେଶଚନ୍ଦ୍ରଙ୍କୁ ଜଣେ ଇତିହାସ ରଚୟିତା, ଅନୁବାଦକ ହିସାବରେ ଦେଖିଛନ୍ତି । ତାଙ୍କ ବ୍ୟକ୍ତିତ୍ୱ ସହିତ, ସାଂସ୍କୃତିକ ବ୍ୟକ୍ତିତ୍ୱର ଉଣା ଅଧିକେ ରୂପାୟିତ କରିଅଛନ୍ତି । ଚିନ୍ତାମଣି ମହାନ୍ତି ‘ପଣ୍ଡିତ ନୀଳମଣି ବିଦ୍ୟାରତ୍ନ’ ଚରିତଟି ରଚନା କରିଅଛନ୍ତି । ଏକାଧାରାରେ ଶିକ୍ଷା, ସାହିତ୍ୟ, ସମ୍ବାଦପତ୍ର, କୃଷି, ଶିଳ୍ପ, ଚିକିତ୍ସା ପ୍ରଭୃତି ବିଭିନ୍ନ ବିଭାଗରେ ବିଦ୍ୟାରତ୍ନ ଧୁରୀଣଥିବାର ଏଥିରେ ବର୍ଣ୍ଣିତ ହୋଇଅଛି । ପ୍ରତିକୂଳ ପରିବେଶ ସହିତ ସଂଗ୍ରାମ କରି ବିଦ୍ୟାରତ୍ନ ଧୁରୀଣଥିବାର ଏଥିରେ ବର୍ଣ୍ଣିତ ହୋଇଅଛି । ପ୍ରତିକୂଳ ପରିବେଶ ସହିତ ସଂଗ୍ରାମ କରି ବିଦ୍ୟାରତ୍ନ ନିଜକୁ ନଜେ ଗଢ଼ିଥିଲେ । ବାବାଜୀ ଚରଣ ଦାସ ଆଧୁନିକ ଯୁଗର ଅନ୍ୟତମ ସନ୍ଥ ଚରିତକାର । ସେ ‘ରାୟ ରାମାନନ୍ଦ, ପ୍ରଭୁ ଶ୍ରୀ ରସିକାନନ୍ଦ ଦେବ, ପ୍ରଭୁ ଶ୍ରୀ ଶ୍ୟାମାନନ୍ଦ’ ପ୍ରଭୃତିଙ୍କ ଜୀବନୀ ରଚନା କରିଛନ୍ତି । ଧର୍ମତତ୍ତ୍ୱର ବ୍ୟାଖ୍ୟା, ଭକ୍ତି ତତ୍ତ୍ୱର ବିବରଣୀରେ ଏଗୁଡ଼ିକର ପୃଷ୍ଠା ମଣ୍ଡିତ ହୋଇଅଛି । ଜଗବନ୍ଧୁ ସିଂହଙ୍କର ‘ଓ୍ୱାଶିଂଟନ୍’ ଓଡ଼ିଆ ସାହିତ୍ୟ ପ୍ରଚାର ସଂଘଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ଲେଖାରେ ମଳିକ ଚିନ୍ତନ ଅପେକ୍ଷା ଅନୁସରଣ ପ୍ରକ୍ରିୟା ଅଧିକ ଘଟିଅଛି । ଲେଖକଖଙ୍କର ପ୍ରକାଶ ଭଙ୍ଗୀ ସହଜ ଓ ସରଳ । ଏହି ସଂଘ ଦ୍ୱାରା ‘କର୍ମବୀର’ ରମେଶ ଚନ୍ଦ୍ର ଦତ୍ତ, କର୍ମବୀର ରାଣାଡ଼େ’ ଆଦି ଜୀବନୀ ପ୍ରବନ୍ଧ ଆକାରରେ ପ୍ରକାଶ ପାଇଥିଲା । ବାଙ୍କାନିଧି ପଟ୍ଟନାୟକ ଓ କୁଞ୍ଜବିହାରୀ ମହାନ୍ତିଙ୍କର ମିଳିତ ଉଦ୍ୟମରେ ‘ସାଧୁ ଚରିତ’ ୧୯୩୨ ସାଲରେ ପ୍ରକାଶିତ ହୋଇଥିଲା । ଏଥିରେ ୨୫ ଜଣ ସାଧୁଙ୍କ ଜୀବନୀ ସନ୍ନିବେଶିତ ହୋଇଅଛି । ଏହା ସାମ୍ବାଦିକ ଶୈଳୀରେ ରଚିତ । ଏହାକୁ ‘ଦାର୍ଢ଼୍ୟତା ଭକ୍ତି ରସାମୃତ’ ପରମ୍ପରାର ଅନ୍ୟତମ ଦାୟାଦ ଭାବରେ ଗ୍ରହଣ କରାଯାଇପାରେ । ପ୍ରଫୁଲ୍ଲ କୁମାର ମହାପାତ୍ର ଖ୍ରୀଷ୍ଟୀୟ ଧର୍ମଯାଜକ, ସନ୍ଥ, ସଂସ୍କାରକ, ଜନସେବୀ, କର୍ମବୀରଙ୍କର ସଂକ୍ଷିପ୍ତ ଜୀବନୀ ଲେଖିଥିଲେ । ଏ ଜୀବନୀଗ୍ରନ୍ଥଗୁଡ଼ିକରେ ଲେଖକ ଚରିତ ନାୟକଙ୍କର ଧର୍ମୀୟ ଜୀବନ ଓ ଖ୍ରୀଷ୍ଟୀୟ ସାଂଗଠନିକ କାର୍ଯ୍ୟାବଳୀ ଉପରେ ଅଧିକ ଗୁରୁତ୍ୱ ଦେଇଅଛନ୍ତି । ମୀର୍ଜା ମହମ୍ମଦ ଆକୁବ୍ ବେଗ୍‌ଙ୍କ ଦ୍ୱାରା ରଚିତ ‘ମହାପୁରୁଷ ମହମ୍ମଦ’ ଏକ ଜୀବନୀ ଗ୍ରନ୍ଥ । ପୁସ୍ତକଟି ସଂକ୍ଷିପ୍ତ ହେଲେ ମଧ୍ୟ ମହମ୍ମଦଙ୍କ ଜୀବନ ବୃତ୍ତାନ୍ତ (ଜନ୍ମଠାରୁ ମହାପ୍ରୟାଣ ପର୍ଯ୍ୟନ୍ତ) ବିଭିନ୍ନ ଘଟଣାବଳୀ, ଆଚାର, ବ୍ୟବହାର, ବେଶ ପରିଧାନ, ରୀତିନୀତି ପ୍ରଭୃତି ପ୍ରସଙ୍ଗ ଏଥିରେ ସ୍ଥାନିତ ହୋଇଅଛି । ଇସଲାମ ଚରିତ୍ରର ଏକ ସଂଗ୍ରହଣୀୟ ସୃଷ୍ଟି ରୂପେ ଏହାର ବିଶେଷତ୍ୱ ଅନୁଭୂତ ହୁଏ । ଡାକ୍ତର ରାଧାଚରଣ ପଣ୍ଡା କେତେକ ଜୀବନୀ ପୁସ୍ତକ ରଚନା କରିଛନ୍ତି । ‘ବିକ୍ରମ ଦେବ ବର୍ମା, ଗୋଦାବରୀଶ, ଅନ୍ନପୂର୍ଣ୍ଣା ଦେବୀ, ଗୋପୀନାଥ ନନ୍ଦ’ ଇତ୍ୟାଦି ତାଙ୍କର ଜୀବନୀ ପୁସ୍ତକ । ଏହି ଚରିତ ନାୟକମାନେ ନିଜ ନିଜର କାର୍ଯ୍ୟଯୋଗୁ ଦେଶବାସୀଙ୍କ ନିକଟରେ ସ୍ମରଣୀୟ ହୋଇ ପାରିଛନ୍ତି । ଦୟାନିଧି ମିଶ୍ରଙ୍କର ‘ରାଣା ପ୍ରତାପ ସିଂହ’ ଏକ ଜୀବନୀ ପୁସ୍ତକ । ସତ୍ୟପ୍ରତି ତାଙ୍କର ଅକପଟ ଅନୁରକ୍ତି ରହିଥିଲା । ଚନ୍ଦ୍ରଶେଖର ମିଶ୍ରଙ୍କର ‘ସାମନ୍ତ ଚନ୍ଦ୍ରଶେଖର’ ଏକ ବିଶିଷ୍ଟ ଜୀବନୀ ଗ୍ରନ୍ଥ । ସାମନ୍ତଙ୍କ ବାଲ୍ୟଜୀବନରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଘଟଣାବଳୀ ଏଥିରେ ସ୍ଥାନ ପାଇଛି । ‘ସିଦ୍ଧାନ୍ତ ଦର୍ପଣ’ ରଚନା ଇତ୍ୟାଦିର ବର୍ଣ୍ଣନା ଏଥିରେ କରାଯାଇଛି । ବନମାଳୀ ପଣ୍ଡାଙ୍କ ରଚିତ ‘ଦୟାନନ୍ଦ’ ପାରମ୍ପରିକ ରୀତିରେ ଚରିତ ଏକ ଜୀବନୀ ଗ୍ରନ୍ଥ । ସେ ଅଧିକ ଭାବରେ ଦୟାନନ୍ଦଙ୍କ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱକୁ ଦେଖିଛନ୍ତି । ଏ ଲେଖକଙ୍କର ଅନ୍ୟତମ ଜୀବନୀ ଗ୍ରନ୍ଥ ହେଉଛି ‘ନେପୋଲିୟନ’ । ତଥ୍ୟର ସୌନ୍ଦର୍ଯ୍ୟାତ୍ମକ ବିନ୍ୟାସ ଏଥିରେ ହୋଇଅଛି । ଏହା ବୀରପୂଜା ଉଦ୍ଦେଶ୍ୟରେ ଲିଖିତ । କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ଭକ୍ତ କବି ମଧୁସୁଦନ’ ଏକ ଜୀବନୀ ଗ୍ରନ୍ଥ । ଏହା ଓଡ଼ିଆ ସାହିତ୍ୟପ୍ରଚାର ସଂଘ ଦ୍ୱାରା ପ୍ରକାଶିତ । ପ୍ରାୟତଃ ଦେଖିବାକୁ ଗଲେ ଏହି ସମୟରୁ ସାହିତ୍ୟିକ ଜୀବନୀ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି । ଉକ୍ତ କବି ମଧୁସୁଦନ ଗ୍ରନ୍ଥରେ ରାଧାନାଥ ରାୟ, ହରିହର ଦାଶ, ପ୍ୟାରିମୋହନ ଆଚାର୍ଯ୍ୟ ପ୍ରତିଭାର ସୂଚନା ଦେଖିବାକୁ ମିଳିଥାଏ । ଚିନ୍ତାମଣି ଦାଶ ହେଉଛନ୍ତି ଐତିହାସିକ ‘କୃପାସିନ୍ଧୁ’ ଜୀବନୀ ଗ୍ରନ୍ଥର ରଚୟିତା । କୃପାସିନ୍ଧୁଙ୍କ ଜୀବନର ଧାରା, ଜୀବନ ଚିନ୍ତା, ବ୍ରତାଚାରୀ ଶିକ୍ଷକର କୁଳଧର୍ମ ଇତ୍ୟାଦି ଏଥିରେ ସ୍ଥାନିତ । ଏହା ପ୍ରବନ୍ଧଧର୍ମୀ ଗଦ୍ୟ ଶୈଳୀରେ ଲିଖିତ ।

 

ବ୍ରଜବନ୍ଧୁ ଦାଶଙ୍କର ‘ଈଶ୍ୱରଚନ୍ଦ୍ର ବିଦ୍ୟାସାଗର’, ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କର ‘ଜାମ୍‌ସେଦ୍‌ ଜି ଟାଟା, ବାଞ୍ଛାନିଧି ସାମନ୍ତରାୟଙ୍କ ‘ଜ୍ୱଳନ୍ତ ଜୀବନ ମାଳୀ’ ଚିନ୍ତାମଣି ମିଶ୍ରଙ୍କର ‘ଗ୍ୟାରିବାଲଡ଼ି’, ବଟକୃଷ୍ଣ ପ୍ରହରାଜଙ୍କର ‘କପିଳେନ୍ଦ୍ରଦେବ’, ନବକିଶୋର ଦାସଙ୍କର ‘ଉତ୍କଳ ଗୌରବ ମଦୁସୁଦନ’, ନିତ୍ୟାନନ୍ଦ ମହାପାତ୍ରଙ୍କର ‘ଭାରତ ଭାଗ୍ୟ ବିଧାତା’, ଇତ୍ୟାଦି ବିଂଶ ଶତାବ୍ଦୀର ଗୋଟିଏ ଗୋଟିଏ ବିଶିଷ୍ଟ ଜୀବନୀ ଗ୍ରନ୍ଥ । କଥାଶିଳ୍ପୀ ଗୋପୀନାଥ ମହାନ୍ତିଙ୍କର ‘ଦୀପଂ ଜ୍ୟୋତି’, ଧୂଳିମାଟିର ସନ୍ଥ’ ବିଖ୍ୟାତ ଦେଶସେବୀ ଗୋପବନ୍ଧୁ ଚୌଧୁରୀଙ୍କ ଜୀବନୀ । ଏଥିରେ ଗୋପବନ୍ଧୁ ତ୍ୟାଗ ଓ ଆଦର୍ଶ ଚିତ୍ର ପରିବେଷଣ କରାଯାଇଛି । ସ୍ୱାଧୀନତାର ମହାଯଜ୍ଞରେ ସେ ଥିଲେ ଅନ୍ୟତମ ସଂଗ୍ରାମୀ ନାୟକ । ଭୂଦାନ ଆନ୍ଦୋଳନର ଅନ୍ୟତମ ସାରଥୀ । ପଦ୍ମଚରଣ ନାୟକଙ୍କର ‘ଅନିର୍ବାଣ’ ନବକୃଷ୍ଣ ଚୌଧରୀଙ୍କର ଜୀବନୀ ଓ ସମୟର ଇତିହାସ । ନବକୃଷ୍ଣ ଚୌଧୁରୀଙ୍କର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ, ବରି ଆଶ୍ରମ ପ୍ରତିଷ୍ଠା ଇତ୍ୟାଦି ସ୍ଥାନ ପାଇଥିବାବେଳେ ଓଡ଼ିଶାର ସମାଜବାଦୀର ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ପ୍ରଶଂସନୀୟ । ଜଣେ ମୁଖ୍ୟମନ୍ତ୍ରୀ ଭାବରେ ସରଳ, ନିରାଡ଼ମ୍ବର ଜୀବନଯାପନ ସହିତ ସମାଜ ସଂସ୍କାର ଥିଲା ତାଙ୍କର ଧର୍ମ । ଏହି ଗ୍ରନ୍ଥ ରଚନା କରିବା ନିମନ୍ତେ ଶ୍ରୀ ନାୟକ ତାଙ୍କର ଆତ୍ମୀୟସ୍ୱଜନଙ୍କଠାରୁ ଆରମ୍ଭ କରି ଓଡ଼ିଶା ବିଧାନସଭା ଲାଇବ୍ରେରୀ ଓ ରାଜ୍ୟ ଅଭିଲେଖାଗାରରୁ ବହୁ ତଥ୍ୟ ସଂଗ୍ରହ କରିଛନ୍ତି ।

 

ଉପେନ୍ଦ୍ର ମିଶ୍ରଙ୍କର ‘ମହାମହୋପାଧ୍ୟାୟ ସଦାଶିବ’, ‘ବୈଦ୍ୟରତ୍ନ ମାଗୁଣି ବ୍ରହ୍ମା’ ଦୁଇଟି ଜୀବନୀ ପୁସ୍ତକ । ଏ ଉଭୟେ ନୀରବ କର୍ମୀ । ଏମାନଙ୍କ ଚରିତ ବର୍ଣ୍ଣନାରେ ଅଭିନବ ଦୃଷ୍ଟିକୋଣ ପ୍ରତିଭାତ ହୋଇଛି । ଲକ୍ଷ୍ମଣ ମହାରଣାଙ୍କର ‘କଣ୍ଟି ଡାକୁଆ’ ଏକ ଅଭିନବ ଜୀବନୀ ସାହିତ୍ୟ । ‘ଡାକୁଆ’ ଓଡ଼ିଶା ମାଟିର ଜଣେ ଅମର ଶହୀଦ । ଧନୀ ପୁଞ୍ଜିପତିମାନଙ୍କ ବିରୁଦ୍ଧରେ ସେ ଲଢ଼ିଥିଲେ-। ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ରଙ୍କର ‘କବି ପୁଷ୍ଟିନ’ ଏକ ଅଭିନବ ଜୀବନୀ ଗ୍ରନ୍ଥ । ସେ ମଧ୍ୟ ‘ଟଲଷ୍ଟୟ ଓ ଗାନ୍ଧୀ’, ‘ପଣ୍ଡିତ ମୃତ୍ୟୁଞ୍ଜୟ ରଥ’,ଙ୍କ ଜୀବନୀ ରଚନା କରିଛନ୍ତି । ଏହି ଜୀବନୀଗୁଡ଼ିକ ରଚନା କରି ଡକ୍ଟର ମିଶ୍ର ଓଡ଼ିଆ ଜୀବନୀ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି । ଡକ୍ଟର ନିତ୍ୟାନନ୍ଦ ଶତପଥୀ ‘ହେ ସାଥୀ ହେ ସାରଥୀ’ ଜୀବନୀ ଗ୍ରନ୍ଥର ରଚୟିତା । ଏହି ଗ୍ରନ୍ଥରେ ଗୋପବନ୍ଧୁଙ୍କର ଜୀବନୀ ଚରିତ ଲିପିବଦ୍ଧ ହୋଇଅଛି । ଲେଖକଙ୍କ ପ୍ରକାଶ ରୀତିରେ କାବ୍ୟିକତାର ପରିଚୟ ମିଳେ । ଡକ୍ଟର ପ୍ରତିଭା ଶତପଥୀ ଓ ଡକ୍ଟର ଅଜୟ କୁମାର ମିଶ୍ର ନାରୀ ନେତ୍ରୀ, ‘ସରଳାଦେବୀ’ଙ୍କ ଜୀବନୀ ଗ୍ରନ୍ଥ ରଚନା କରିଛନ୍ତି । ସରଳାଦେବୀ ଏକାଧାରାରେ ଜଣେ ରାଜନୀତିଜ୍ଞ, ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ବିଧାୟକ ଭାବରେ ନିଜକୁ ପରିଚିତ କରିଥିଲେ । ଡକ୍ଟର ସୁରେନ୍ଦ୍ର କୁମାର ମହାରଣାଙ୍କର ‘ନାଟ୍ୟାଚର୍ଯ୍ୟ ବାଳକୃଷ୍ଣ ମହାନ୍ତି’, ଏକ ଅମୂଲ୍ୟ ଜୀବନୀ ଗ୍ରନ୍ଥ । ଏଥିରେ ତାଙ୍କର ଶୈଶବରୁ ମହାପ୍ରୟାଣ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଡକ୍ଟର ମହାରଣା ପ୍ରଦାନ କରିଅଛନ୍ତି ।

 

ମହେନ୍ଦ୍ର ପଟ୍ଟନାୟକଙ୍କ ‘ଉତ୍କଳ ପ୍ରତିଭା’, ବାଞ୍ଛାନିଧି ମହାପାତ୍ରଙ୍କ ‘ଜ୍ୱଳନ୍ତ ଜୀବନୀମାଳା’, ବିନୋଦ କାନୁନ୍‍ଗୋଙ୍କର ଦେଶସେବୀମାନଙ୍କର ଜୀବନୀ ଲିଙ୍ଗରାଜ ମିଶ୍ରଙ୍କର ‘ପଣ୍ଡିତ ଜବାହରଲାଲ’, ମୌଲାନା ଆଜାଦ୍, ପଣ୍ଡିତ ଗୋପାବନ୍ଧୁ, ଗୋଦାବରୀଶ ମହାପାତ୍ରଙ୍କର ‘ପିଲାଙ୍କ ଅଷ୍ଟବକ୍ର’, ‘ପିଲାଙ୍କ ବଶିଷ୍ଟ’, ଗୋଲୋକ ବିହାରୀ ଧଳଙ୍କର ‘ଅମର ମଣିଷ’, ‘ଅମର ଯାତ୍ରୀ’, ‘ଅମର କାହାଣୀ’, ରବୀନ୍ଦ୍ରନାଥ ଦାସଙ୍କ ‘ପିଲାଙ୍କ ଜଗନ୍ନାଥ ଦାସ’, ‘ପିଲାଙ୍କ ବଳରାମ ଦାସ’, ରାମକୃଷ୍ଣ ନନ୍ଦଙ୍କ ‘ତୁଳସୀ ଦାସ’ ଭାବଗ୍ରାହୀ ପତିଙ୍କ ‘ଉତ୍କଳ କେଶରୀ ମଧୁସୁଦନ’ ଶ୍ରୀଧର ଦାସଙ୍କ ‘ପଞ୍ଚପ୍ରଦୀପ’, ବୀରକିଶୋର ଦାସଙ୍କ ‘ଅମର ଶହୀଦ୍ ଲାଜ୍‌ପତ ରାୟକ’ ‘କର୍ମଯୋଗୀ ଡକ୍ଟର ରାଜେନ୍ଦ୍ର ପ୍ରସାଦ‘, ‘ସର୍ବପଲ୍ଲୀ ରାଧାକୃଷ୍ଣନ୍’, ‘ଚକ୍ରବର୍ତ୍ତୀ ରାଜଗୋପାଳଚାରୀ’, ଇତ୍ୟାଦି ରଚିତ ହୋଇ ଓଡ଼ିଆ ଜୀବନୀ ସାହିତ୍ୟକୁ ସମୃଦ୍ଧ କରିଅଛି ।

 

ଏହା ବ୍ୟତୀତ ଭାରତ ସରକାରଙ୍କ ପ୍ରକାଶନ ବିଭାଗ, ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅନେକ ପ୍ରକାଶନ ସଂସ୍ଥା, ଜାତୀୟ ଜୀବନ ଚରିତ ଗ୍ରନ୍ଥମାଳା ପ୍ରକାଶ କରୁଛନ୍ତି ।

 

***

 

ଆତ୍ମଜୀବନୀ

 

ସଂଜ୍ଞା ଓ ସ୍ୱରୂପ

ବ୍ୟକ୍ତି ନିଜ ଜୀବନର ଘଟଣା ଓ ବିବରଣୀକୁ ନିଜେ ଲେଖିଥିଲେ ତାହାକୁ ଆତ୍ମଜୀବନୀ (Autobiography) କୁହାଯାଏ । ଆତ୍ମଜୀବନୀର ସହଜାତ ଅସୁବିଧା ହେଲା ଏହା କେବେ ସମ୍ପୂର୍ଣ୍ଣ ହୋଇପାରେ ନାହିଁ । କାରଣ ମୃତ୍ୟୁ ପୂର୍ବରୁ ଏହାର ଲେଖା ବନ୍ଦ ହୋଇଥାଏ । J.T. Shipley ଆତ୍ମଜୀବନୀର ସଂଜ୍ଞା ଓ ଲକ୍ଷ୍ୟ ସମ୍ପର୍କରେ କୁହନ୍ତି “The Autobiography proper is connected narrative of the author’s life, with stress laid on introspection or on the significance of his life against a wider background,” ଅର୍ଥାତ୍ ‘‘ଏକ ବୃହତ୍ତର ପଟ୍ଟଭୂମି ଉପରେ ପର୍ଯ୍ୟବେଶିତ ଲେଖକର ଅନ୍ତର୍ଦୃଷ୍ଟି ସମ୍ପନ୍ନ ଓ ତାତ୍ପର୍ଯ୍ୟପୂର୍ଣ୍ଣ ଜୀବନ କାହାଣୀର ବିବରଣୀ ହିଁ ପ୍ରକୃତ ଆତ୍ମଜୀବନୀ ।’’ ଆତ୍ମଜୀବନୀରେ ଚରିତକାର ଓ ବର୍ଣ୍ଣନୀୟ ଚରିତ ମଧ୍ୟରେ କୌଣସି ଭେଦ ଲକ୍ଷିତ ହୁଏ ନାହିଁ । ଏଥିରେ ଲେଖକ ନିଜ ବ୍ୟକ୍ତି ଅଭିଜ୍ଞତାରୁ ଉତ୍ପନ୍ନ ଆନୁସଙ୍ଗିକ ଘଟଣା ଭିତ୍ତିରେ ହିଁ ଉପସ୍ଥାପନା କରିଥାଆନ୍ତି । ବ୍ୟକ୍ତିର ଜୀବନୀ ନିଜେ ଲେଖିବା ଦ୍ୱାରା ଏହା ଅଧିକ ସୁନ୍ଦର ହୋଇଥାଏ । ତାଙ୍କ ଲେଖାରେ ବହିଃଘଟଣା ସହିତ ଅନ୍ତଃ ପ୍ରକୃତିର ଚିତ୍ର ଅଙ୍କିତ ହୋଇଥାଏ । ଆତ୍ମଜୀବନୀ ଆତ୍ମସତ୍ତାର ବାସ୍ତବ ଅଭିବ୍ୟକ୍ତିରେ ପ୍ରମୂର୍ତ୍ତ ହୋଇଉଠେ । ‘‘ଆତ୍ମ ବିଶ୍ଳେଷଣ ହେଉଛି ଆତ୍ମଜୀବନୀ ରଚନାର ଏକ ଅନ୍ତର୍ନିହିତ କାରଣ । ଆତ୍ମଜୀବନୀ ଉଦ୍ଦେଶ୍ୟ ହେଉଛି ଆତ୍ମ ନିର୍ମାଣ, ଆତ୍ମ ପରୀକ୍ଷଣ, ଆତ୍ମସମର୍ଥନ ଓ ଅତୀତ ସ୍କୃତିର ସଂଜୀବନ । ଏହା ନିଜକୁ ନିଜେ ଅନ୍ୱେଷଣ କରିବାର ସାତ୍ତ୍ୱିକ ପ୍ରୟାସ ।’’

 

Shipley ଆତ୍ମଜୀବନୀ ରଚନା ମୂଳରେ ତିନୋଟି କାରଣ ବିଦ୍ୟମାନ ବୋଲି କହି ଅଛନ୍ତି । ପ୍ରଥମରେ କୌଣସି ଜାତୀୟ ସମସ୍ୟା ବା ଐତିହାସିକ ଆନ୍ଦୋଳନ ସହିତ ଯଦି ବ୍ୟକ୍ତି ପ୍ରତ୍ୟକ୍ଷ ସମ୍ପର୍କରେ ଆସିଯାଆନ୍ତି ତା’ହେଲେ ଭବିଷ୍ୟତ କାଳର ଦଲିଲ ଭାବେ ତାକୁ ଲେଖିଥାନ୍ତି । ଦ୍ୱିତୀୟତଃ ଐତିହାସିକ ବ୍ୟକ୍ତିମାନେ ଆତ୍ମଜୀବନୀ ମାଧ୍ୟମରେ ସେହି କାଳର ଘଟଣା ଉପରେ ନିଜର ମତାମତ ଦେଇଥାନ୍ତି । ତୃତୀୟତଃ ବ୍ୟକ୍ତିବିଶେଷଙ୍କ ଜଗତ ଓ ଜୀବନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟିକୋଣ ଏଥିରେ ଉପସ୍ଥାପିତ ହୋଇଥାଏ । ଆତ୍ମଜୀବନୀ ପାଠରୁ ଦୁଇ ପ୍ରକାର ଫଳ ଭୋଗ କରାଯାଇଥାଏ । ଆତ୍ମଜୀବନୀକାର ଯେଉଁ ଲାଭ ପାଏ ପାଠକ ମଧ୍ୟ ତଦନୁରୂପ ଲାଭର ଅଂଶୀଦାର ହୁଏ । ଆତ୍ମଜୀବନୀ ଲେଖକ ନିଜକୁ ଆବିଷ୍କାର କରିଥାଆନ୍ତି । ଡକ୍ଟର କୁଞ୍ଜିବିହାରୀ ଦାସ ଆତ୍ମଜୀବନୀକୁ ଅତୀତ ଓ ବର୍ତ୍ତମାନ ଭୂମିରେ ପରିପୁଷ୍ଟ ଏକ ଭ୍ରମଣ କାହାଣୀ ରୂପେ ଅଭିହିତ କରିଛନ୍ତି । ଆତ୍ମଦର୍ଶନ, ଆତ୍ମବିଚାର ଓ ଆତ୍ମଉପଲବ୍ଧି ସହିତ ଆତ୍ମ ଚରିତର ସମ୍ପର୍କ ଥିବାରୁ ଏହାକୁ ଆତ୍ମକୈନ୍ଦ୍ରିକ ରଚନା କୁହାଯାଏ । ମାତ୍ର ଏଥିରେ ସାମାଜିକ, ରାଜନୈତିକ ଓ ଐତିହାସିକ ଘଟଣା ସହିତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ କର୍ମଧାରା ମଧ୍ୟ ଉତ୍କୀର୍ଣ୍ଣ ହୋଇଥାଏ । ଏଥିରୁ ଆତ୍ମଚରିତକାରଙ୍କ ପରିଚୟ ମଧ୍ୟ ମିଳିଥାଏ । ଏହା ସହିତ ଆତ୍ମଚରିତକାରଙ୍କ ସହେଯାଗୀମାନଙ୍କର ମଧ୍ୟ ପରିଚୟ ମିଳିଥାଏ ।

 

ଆତ୍ମଚରିତକାର ତିନୋଟି ପ୍ରେରଣାର ବଶବର୍ତ୍ତୀ ହୋଇ ଆତ୍ମଜୀବନୀ ଲେଖେ । ତାହା ହେଉଛି ଆତ୍ମଶ୍ରଦ୍ଧା, ଆତ୍ମାଭିମାନ, ଆତ୍ମସମର୍ଥନ । ଆତ୍ମଶ୍ରଦ୍ଧା ନ ଥିଲେ ମଣିଷ ନିଜ କଥା ଭବିଷ୍ୟତ ପାଇଁ ସାଇତି ରଖନ୍ତା ନାହିଁ । ଆତ୍ମାଭିମାନ ନ ଥିଲେ ସେ ଆତ୍ମଜୀବନୀ ଲେଖିବ ନାହିଁ । ଆତ୍ମସମର୍ଥନ ନ ଥିଲେ ତାହାକୁ ସେ ଅନ୍ୟଦ୍ୱାରା ସମର୍ଥିତ କରାଯାଇ ପାରିବ ନାହିଁ । ସତ୍ୟାଶ୍ରିତ ତଥ୍ୟ ହିଁ ଆତ୍ମଚରିତର ମୌଳିକ ଉପାଦାନ । ପଣ୍ଡିତ ଗୋଦାବରୀଶ ମିଶ୍ର କହିଛନ୍ତି ‘‘ଛଳନାହୀନ ଅଭିବ୍ୟକ୍ତି ଓ ଆତ୍ମଦୋଷ ପ୍ରଖ୍ୟାପନ ଆତ୍ମଚରିତ ରଚନାର ବିଶେଷତ୍ୱ ।’’ ଆତ୍ମଜୀବନୀ ନୀତି ଓ ଆଦର୍ଶର ବାର୍ତ୍ତାବହ ହେଲେ ମଧ୍ୟ ଯଦି ଏହା ସମ୍ପୂର୍ଣ୍ଣ ନିର୍ଭୁଲ ଓ ନିର୍ଦ୍ଦୋଶ ଚରିତ୍ରର ଆଲେଖ୍ୟ ଅଙ୍କନ କରିଥାଏ ତେବେ ତାହା ଅବାସ୍ତବ ଜଣାଯାଏ । ଏହି ଦୃଷ୍ଟିରୁ ବିଚାରିଲେ ଅନେକ ଆତ୍ମଜୀବନୀକାର ପ୍ରାୟତଃ ମିଥ୍ୟାବାଦୀ । ନାଟ୍ୟକାର ଜର୍ଜ ବର୍ଣ୍ଣାଡ଼ଶ’ଙ୍କ ମୁଖରୁ ଏପରି ଏକମତ ସର୍ବବିଦିତ । All autobiographies are lies (ଓଡ଼ିଆ ଚରିତ ସାହିତ୍ୟ ଡକ୍ଟର ଲାବଣ୍ୟ ନାୟକ) ବହୁସ୍ଥାନରେ ଆତ୍ମଜୀବନୀ ସତ୍ୟାଶ୍ରିତ ତଥ୍ୟଠାରୁ ଦୂରେଇ ଯାଇଥାଏ । ତଥାପି କଳାଦୃଷ୍ଟିରୁ ଏହାର ମୂଲ୍ୟହୀନ ହୁଏ ନାହିଁ । ଆତ୍ମଚରିତକାରର ଆତ୍ମଦୋଷ ଉଲ୍ଲେଖ ବଡ଼କଥା ନୁହେଁ, ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ହେଉଛି ଆତ୍ମଚରିତର ସାହିତ୍ୟିକ ଗୁଣ । ଅନେକ ସମୟରେ ଆତ୍ମଜୀବନୀକାର ସତ୍ୟ ଘଟଣାକୁ ଦେବାକୁ ଚାହିଁଲେ ମଧ୍ୟ ତା ସମ୍ଭବ ହୋଇପାରେ ନାହିଁ । ଅନେକ ସମୟରେ ସେ ଜନଶ୍ରୁତି ଉପରେ ନିର୍ଭର କରିଥାଏ । ଫଳରେ ସତ୍ୟଠାରୁ କେତେକାଂଶରେ ଦୂରେଇ ଯାଇଥାଏ । କେବଳ ସତ୍ୟକଥନ ଆତ୍ମଜୀବନୀ ଚରିତର ଆବେଦନ ହେଲେ ହେଁ ଅଭିଜ୍ଞତା ମାଧ୍ୟମରେ ଏହାର ସାର୍ବଜନୀନତା ପ୍ରକଟ କରିବା ସବୁଠାରୁ ବଡ଼କଥା । ଆତ୍ମକଥାରେ ସ୍ୱାଭାବିକତା ଓ ନିଷ୍କପଟତା ସହିତ ସହୃଦୟତାର ସ୍ପର୍ଶ ରହିଲେ ତାହା ରସୋତୀର୍ଣ୍ଣ ହୋଇଥାଏ ।

 

ଅନେକ ସମୟରେ ଜୀବନର କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣାର କ୍ଷୀଣ ଆଭାସ ରହିଥାଏ । ହେଲେ ସାଧାରଣ ଘଟଣାର ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା କରାଯାଇଥାଏ । ମାତ୍ର ଏହା ହେଲେ ପୂର୍ଣ୍ଣାଙ୍ଗ ଆତ୍ମଜୀବନୀ ସମ୍ଭବ ହୁଏ ନାହିଁ । ଆତ୍ମଜୀବନୀକାର ନିଜ ଜୀବନର କଥା କହିଲାବେଳେ ନିଜର ବନ୍ଧୁ ଓ ସମାଜର ବହୁ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରିଥାନ୍ତି, ଏହା ଶୋଭନୀୟ । ଫଳରେ ଏହାଦ୍ୱାରା ଆତ୍ମଜୀବନୀର ମୁଖ୍ୟ ଚରିତ୍ରକୁ ଚିହ୍ନିବାକୁ ସୁବିଧା ହୁଏ । ବର୍ଣ୍ଣନାର ସମାନୁପାତିକତା ନ ରହିଲେ ଆତ୍ମଜୀବନୀ ଅବାସ୍ତବ ହୋଇଥାଏ । ଉତ୍କୃଷ୍ଟ ଆତ୍ମଜୀବନୀରୁ ତତ୍କାଳୀନ ପରିବେଶ ଉପରେ ଲେଖକଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱର ପଦଚିହ୍ନ ଲକ୍ଷ୍ୟ କରାଯାଇଥାଏ । ଆତ୍ମଜୀବନୀକାର ନିଜ ଜୀବନର ଘଟଣା ନିର୍ବାଚନ ସମୟରେ ଅତୀତ ଓ ବର୍ତ୍ତମାନ ପ୍ରତି ଦୃଷ୍ଟିଦେବା ଅତ୍ୟନ୍ତ ଆବଶ୍ୟକ । ସଂଗତି ସହ ଅତୀତ ଓ ବର୍ତ୍ତମାନର କ୍ରମରକ୍ଷା କରି ନ ପାରିଲେ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ । କଳାତ୍ମକ ଅଭିବ୍ୟକ୍ତି ଆତ୍ମଜୀବନୀକୁ ଉଚ୍ଚକୋଟିର କରିଥାଏ ।

 

ଜୀବନୀ ଓ ଆତ୍ମଜୀବନୀ ସମସ୍ୟାରେ ସମାନ ହେଲେ ମଧ୍ୟ ଆଙ୍ଗିକ ଗୁଣରେ ପୃଥକ୍ । ଆତ୍ମଜୀବନୀରେ ଲେଖକ ନିଜର ପ୍ରତ୍ୟକ୍ଷ ଅନୁଭୂତି ସହିତ ସଂପୃକ୍ତ ଉଦ୍ଭାସିତ ଘଟଣାବଳୀ ପ୍ରକାଶ କରିଥାଆନ୍ତି । କିନ୍ତୁ ଜୀବନୀକାର ଲିପିବଦ୍ଦ କୌଣସି ତଥ୍ୟ ଉପରେ ବିଶେଷଭାବରେ ନିର୍ଭର କରିଥାନ୍ତି । ‘‘ସାମଗ୍ରିକ ଭାବରେ ବିଚାର କଲେ ଜଣାଯାଏ ଜୀବନର ଅନନ୍ତ ଜଟିଳତା ଓ ବିଚିତ୍ର ବିବିଧତାର କାହାଣୀ ଯଥାଯୋଗ୍ୟ କେତୋଟି ଘଟଣାର ନିର୍ବାଚନ, ଯଥାଯଥ ପରିବେଷଣ ଓ ଅଭିବ୍ୟକ୍ତିର ସୁଡ଼ାମତାରେ ଆତ୍ମଜୀବନୀର ସ୍ୱଧର୍ମ ପ୍ରତିଷ୍ଠିତ ହୋଇଥାଏ । ‘‘Ray Pascal ତାଙ୍କ “The Design and truth in Autobiography (1960) ରେ କହିଛନ୍ତି Autobiography means therefore discrimination and selection in face of the endless complexity of life selection of facts, distribution of emphasis choice of expression.” କେତେକ ଜୀବନ ସାହିତ୍ୟ ତଥ୍ୟଭିତ୍ତିକ ଓ ଇତିହାସ ଶୈଳୀରେ ଲେଖା ଯାଇଥାଏ ପୁଣି କେତେକ କାହାଣୀଧର୍ମୀ ହୋଇଥାଏ । ସେଥିରେ ଆବେଗର ପ୍ରଭାବ ପ୍ରକଟିତ ହୋଇଥାଏ । ଦ୍ୱିତୀୟ ପ୍ରକାର ଶୈଳୀ ବିଶେଷ ଆଦୃତ ହେବାର ଦେଖାଯାଏ । ପାଠକ ଏହାକୁ ଉପନ୍ୟାସ ପରି ପାଠ କରିଥାଏ ।

 

କେତେକ ଆଲୋଚକ ଆତ୍ମଜୀବନୀ ଅପେକ୍ଷା ଜୀବନୀକୁ ପସନ୍ଦ କରିଥାନ୍ତି । ଡ. ଜନସନ କହିଛନ୍ତି The wirter of his own life has atleast the first qualification of a historian, the knowledge of the truth, and thought it may be plausibly objected that his temptation disguise it are equal confidence from him that relates the passages of his own life, as from him that delivers the transaction of another. “କିନ୍ତୁ ଜୀବନୀ ଅପେକ୍ଷା ଆତ୍ମଜୀବନୀ ଲେଖିବା ଏତେ କଷ୍ଟକର ନୁହେଁ । ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ଏହା ଅଧିକ ସତ୍ୟମୂଳକ କାରଣ ଜଣଙ୍କର ମନସ୍ତାତ୍ତ୍ୱିକ ଚିନ୍ତାଧାରା ଅନ୍ୟ ଜଣେ ଜାଣିବା ସହଜ ନୁହେଁ । ଜଣେ ବ୍ୟକ୍ତିର ମର୍ମକଥା ଆତ୍ମଜୀବନୀରୁ ମିଳିଥାଏ । ଲଙ୍ଗ ଫେଲଙ୍କ ମତେ ଆତ୍ମଜୀବନୀରେ First hand experience ଥାଏ କିନ୍ତୁ ଜୀବନୀର ବିବରଣୀ Second hand experience.

 

ଆତ୍ମଜୀବନୀର ପ୍ରକାର ଭେଦ – ଆତ୍ମଜୀବନୀକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ବସ୍ତୁନିଷ୍ଠ ଆତ୍ମଜୀବନୀ ଓ ବ୍ୟକ୍ତିନିଷ୍ଠ ଆତ୍ମଜୀବନୀ । ବସ୍ତୁନିଷ୍ଠ ଆତ୍ମଜବୀନୀରେ ବ୍ୟକ୍ତି ତାଙ୍କ ଜୀବନରେ ଘଟିଥିବା କେବଳ ବିବରଣୀ ଦେଇଥାନ୍ତି । ଏହାକୁ ଘଟଣା ଓ ବିବରଣୀର କଳାନୁକ୍ରମିକ ଉପସ୍ଥାପନା କୁହାଯାଇପାରେ । ଏଥିରେ ବାହ୍ୟ ଘଟଣାକୁ ଛାଡ଼ିଦେଲେ ଅନ୍ତର୍ନିହିତ ସତ୍ୟର ଉପସ୍ଥାପନା ଦେଖିବାକୁ ମିଳେ ନାହିଁ । ସିଜରଙ୍କ Commentaries ଓ ମାର୍କୋପୋଲଙ୍କ Travels ଏହାର ଉଦାହରଣ ।

 

ବ୍ୟକ୍ତିନିଷ୍ଠ ଆତ୍ମଜୀବନୀରେ ଲେଖକଙ୍କର ଚରିତ ଓ ଅନ୍ତସ୍ୱରର ଆତ୍ମପ୍ରକାଶ ଘଟିଥାଏ । ସେଠାରେ ବାହ୍ୟଘଟଣା ଉପଲକ୍ଷ୍ୟ ମାତ୍ର ନଥାଏ । କେତେବେଳେ ବେଶି ତ କେତେବେଳେ କମ୍ କରିଥାଏ । କିନ୍ତୁ ଆତ୍ମଜୀବନୀ ସର୍ବଦା ସତ୍ୟମୂଳକ ଦଲିଲ ହେବା ଆବଶ୍ୟକ । ଲେଖକ କୌଣସି ଘଟଣାକୁ ଲଜ୍ଜାରେ ଭାବିବା ଉଚିତ୍ ନୁହେଁ । ମହାତ୍ମାଗାନ୍ଧୀ ଜୀବନୀ ଏ ଦୃଷ୍ଟିରୁ ଏକ ଉନ୍ନତ ରଚନା-। ସେ ନିଷ୍କପଟ ଭାବେ ତାଙ୍କ ଜୀବନର ସମସ୍ତ କଥାକୁ ଲେଖିଛନ୍ତି । ନିଜର ଦୋଷରୁ ଦୂରେଇ ରଖିଲେ ରଖିଲେ ଜଣେ ଉତ୍କୃଷ୍ଟ ଆତ୍ମଜୀବନୀ ଲେଖକ ହୋଇପାରେ ନାହିଁ । ଏହା ଏହା ଜୀବନ୍ତ ରଚନା ହେବା ଦରକାର । ନିଜର ସମୟ ଓ ସମାଜର ଚିତ୍ର ଏଥିରେ ରହିବା ଉଚିତ । ଅଯଥା ବର୍ଣ୍ଣନା ଅପେକ୍ଷା ସଂକ୍ଷେପ ଉପସ୍ଥାପନା ଅଧିକ ଉପଯୋଗୀ । ଲେଖକ ଜୀବନର ସବୁଦିଗର ବର୍ଣ୍ଣନା କରିବା ଉଚିତ୍ । ବାଲ୍ୟଠାରୁ ବାର୍ଦ୍ଧକ୍ୟ, ପ୍ରେମଠାରୁ ରାଜନୀତି ଓ ଧର୍ମ ସମ୍ବନ୍ଧୀୟ ସମସ୍ତ ଘଟଣା ଉପସ୍ଥାପନ ହୋଇଥିଲେ ପାଠକ ପାଖରେ ସେ ବ୍ୟକ୍ତି ଅନୁକରଣୀୟ ହୋଇଥାନ୍ତି । ଆତ୍ମଜୀବନୀ ଉତ୍ତମ ଓ ଉପଭୋଗ୍ୟ ଶୈଳୀରେ ଲେଖା ହେବା ଉଚିତ୍ । ଗୁରୁଗମ୍ଭୀର ଶୈଳୀର ଆତ୍ମଜୀବନୀ ବିଶଷ ଆଦୃତ ହୋଇ ନଥାଏ ।

 

ଭାରତର ବିଭିନ୍ନ ଭାଷା ସାହିତ୍ୟରେ ଅନେକ ଆତ୍ମଜୀବନୀ ରଚିତ ହୋଇଅଛି । ଓଡ଼ିଆ ସାହିତ୍ୟରେ ଆତ୍ମଜୀବନୀ ରଚନା ପ୍ରାୟତଃ ରାଧାନାଥଙ୍କ ସମୟରୁ । ଦୁର୍ଗାଚରଣ ରାୟଙ୍କ ପ୍ରକାଶିତ ରାଧାନାଥ ଜୀବନୀ (୧୯୪୧)ରେ ‘ଆତ୍ମକଥାର’ କିୟଦ ଅଂଶ ଭାବରେ ସ୍ଥାନିତ ହୋଇଅଛି । ସେ ଗ୍ରନ୍ଥର ସାରସ୍ୱତ ସାରବତ୍ତା ସହଜରେ ପ୍ରଣିଧାନ ଯୋଗ୍ୟ । ଏହା ୧୯୦୭ରେ ‘‘ରାଧାନାଥଙ୍କ ଆତ୍ମ ନିବେଦନ’’ ଶୀର୍ଷକ ପ୍ରକାଶିତ ହୋଇଥିଲା । ମାତ୍ର ଏହା ପୂର୍ଣ୍ଣାଙ୍ଗ ଆତ୍ମଜୀବନୀ ନୁହେଁ । ଏହି କାରଣରୁ ଫକୀରମୋହନଙ୍କ ଆତ୍ମଜୀବନୀ ଓଡ଼ିଆ ସାହିତ୍ୟର ପ୍ରଥମ ଆତ୍ମଜୀବନୀ ଭାବରେ ଗ୍ରହଣ କରାଯାଇପାରେ ।

 

ଫକୀରମୋହନ ୧୯୧୭ ମସିହାରେ ‘ଆତ୍ମଜୀବନୀ ଚରିତ’ ଶିରୋନାମାରେ ଯାହା ପ୍ରକାଶ କରିଥିଲେ ତାହା ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ଆତ୍ମଜୀବନୀର କେତେକ ଅଂଶ ସମ୍ବଲପୁର ହିତୈଷିଣୀ (୧୯୧୫) ସତ୍ୟବାଦୀ ମାସିକ ପତ୍ର (୧୯୧୬) ଉତ୍କଳ ସାହିତ୍ୟ (୧୯୧୮)ରେ ପ୍ରକାଶିତ ହୋଇଥିଲା । ଏହାର ସଂକଳିତ ରୂପ ଫକୀରମୋହନ ଗ୍ରନ୍ଥାବଳୀ ଦ୍ୱିତୀୟ ସଂସ୍କରଣରେ ଡକ୍ଟର ଶ୍ରୀନିବାସ ମିଶ୍ରଙ୍କ ଦ୍ୱାରା ସ୍ଥାନିତ ହୋଇଅଛି । ଏଥିରେ ବସ୍ତୁତଃ ଓଡ଼ିଶାର ଐତିହାସିକ, ରାଜନୈତିକ, ସାମାଜିକ ଓ ସାହିତ୍ୟକ ପାଣିପାଗ ଚିତ୍ର ରହିଛି । ଏ ପୁସ୍ତକରେ ତତ୍‌କାଳୀନ ଓଡ଼ିଶାର ଭାଷା, ସାହିତ୍ୟ ଓ ଶିକ୍ଷାଗତ ପରିସ୍ଥିତି କ’ଣ ଥିଲା ସେଥିରେ ଫକୀରମୋହନ କି ଧରଣର ଭୂମିକା ଗ୍ରହଣ କରିଥିଲେ ଏଥିରେ ସ୍ଥାନିତ ହୋଇଛି । ତତ୍କାଳୀନ ରାଜାରାଜୁଡ଼ାମାନେ ଯେପରି ଅଭିଜାତ ଜୀବନୀଯାପନ କରୁଥିଲେ ତାହା ଦର୍ଶାଯାଇଛି । ଭାଷା ସଂଗ୍ରାମରେ ଫକୀରମୋହନ ଚୂଡ଼ାନ୍ତ ବିଜୟଲାଭ କରି ‘ବେଟାରିଙ୍ଗ ଲିଡ଼ର’ ଭାବରେ ଆଖ୍ୟାତ ହୋଇଥିଲେ । ଖ୍ରୀଷ୍ଟିଆନମାନଙ୍କର ଧର୍ମ ପ୍ରଚାର ସହିତ ସେ କାଳ ଓଡ଼ିଶାର ହିନ୍ଦୁ, ମୁସଲମାନ ମିଳିତ ସଂସ୍କୃତିର ଆଭାସ ମଧ୍ୟ ଏ ଗ୍ରନ୍ଥରୁ ମିଳିଥାଏ । ଏଥିରେ ବ୍ରାହ୍ମଧର୍ମ ସମ୍ପର୍କରେ ଆଭାସ ମିଳେ । ସ୍ତ୍ରୀ ଶିକ୍ଷାର ପ୍ରସାର ଲାଗି ସେ ଯତ୍‌ପରୋନାସ୍ତି ଚେଷ୍ଟା କରିଥିଲେ । ଓଡ଼ିଶାର ସାଂସ୍କୃତିକ ପରିସ୍ଥିତିର ଚିତ୍ର ଫକୀରମୋହନଙ୍କ ‘ଆତ୍ମଜୀବନୀ ଚରିତ’ରେ ଅଙ୍କିତ ହୋଇଛି । ଏହି ଗ୍ରନ୍ଥରେ ଓଡ଼ିଶାର ନୌବାଣିଜ୍ୟ, ରାଜ୍ୟଶାସନ ଓ ଅର୍ଥନୈତିକ ଚିତ୍ର ବିଭିନ୍ନ ପ୍ରକାରେ ଉତ୍କୀର୍ଣ୍ଣ ହୋଇଛି । ଫକୀରମୋହନଙ୍କର ରାଧାନାଥ, ମଧୁସୁଦନ, ବୈକୁଣ୍ଠନାଥ ଦେ, ନନ୍ଦକିଶୋର ବଳ, ବୀମ୍‌ସାହେବ ଓ ରେଭେନ୍ସା ସାହେବଙ୍କ ସହିତ କି ପ୍ରକାର ସମ୍ପର୍କ ଥିଲା ତାହା ମଧ୍ୟ ବର୍ଣ୍ଣିତ ହୋଇଛି । ସେ ଜଣେ ଦକ୍ଷ ପ୍ରଶାସକ ଥିଲେ । ସେ ଗଭୀର ଆତ୍ମବିଶ୍ୱାସୀ, ଏହା ସତ୍ତ୍ୱେ ତ୍ରୁଟି ବିବର୍ଜିତ ନୁହନ୍ତି ।

 

ପ୍ରସିଦ୍ଧ ଦସ୍ୟୁ ବିହାରୀ ନାୟକଙ୍କ ଆତ୍ମକାହାଣୀ (୧୯୩୮)ରେ ପ୍ରକାଶିତ ହୋଇଥିଲା । ଓଡ଼ିଆ ସାହିତ୍ୟରେ ସେକାଳର ଜଣେ ଦସ୍ୟୁର ଆତ୍ମକାହାଣୀ ରଚନା ଏ ଭାବଧାରାର ଫଳଶ୍ରୁତି ମାତ୍ର । ‘ଜାତୀୟ ଜୀବନର ଆତ୍ମବିକାଶ’ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ଆତ୍ମଚରିତ । ଏ ଗ୍ରନ୍ଥର ବିଶେଷତ୍ୱ ହେଲା ଲେଖକଙ୍କର ନିରହଂକାର ଓ ସତ୍ୟନିଷ୍ଠ ଅଭିବ୍ୟକ୍ତି । ଲେଖକ ଓଡ଼ିଶା ତଥା ଭାରତର ରାଜନୀତି ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ଜ୍ଞାତବ୍ୟ ତଥ୍ୟ ଦେଇ ଅଛନ୍ତି । ଜାତୀୟ ଜୀବନର ଆତ୍ମବିକାଶ ଜଣେ ସମାଜସେବୀଙ୍କ ଆତ୍ମକାହାଣୀ ।

 

ଓଡ଼ିଆ ଆତ୍ମଜୀବନୀର ଉନ୍ମେଷ ଓ ବିକାଶ କ୍ଷେତ୍ରରେ ହରେକୃଷ୍ଣ ମହତାବଙ୍କ ‘ସାଧନାର ପଥେ’ (୧୯୪୯) ଏକ ବିଶିଷ୍ଟ ସ୍ଥାନ ଦାବି କରେ । ଡକ୍ଟର ମହତାବ ଜାତୀୟ ସଂଗ୍ରାମର ଥିଲେ ଜଣେ କର୍ଣ୍ଣଧାର ଓ ଓଡ଼ିଶାର ରାଜ୍ୟ ମିଶ୍ରଣ କାର୍ଯ୍ୟରେ ଥିଲେ ଜଣେ ପୁରୋଧା । ଡକ୍ଟର ମହତାବ ଜଣେ ସମାଜେସବୀ, ନିଷ୍ଠାପର ସାହିତ୍ୟିକ ଓ ବିଶିଷ୍ଟ ଐତିହାସିକ । ଦୁଇଟି ସମାନ୍ତରାଳ ରେଖାପରି ସାହିତ୍ୟ ଓ ରାଜନୀତି ଡକ୍ଟର ମହତାବଙ୍କର ଜୀବନର ଦୁଇଟି ସ୍ରୋତ । ଡକ୍ଟର ମହତାବଙ୍କର ଜୀବନର ଅନେକ ନାଟକୀୟ ଘଟଣା ଏଥିରେ ସ୍ଥାନିତ ହୋଇଛି । ସେ ତାଙ୍କ ଅତୀତ ସ୍ମୃତି ଆଧାରରେ ତାଙ୍କ ଆତ୍ମଜୀବନୀ ଲେଖିଛନ୍ତି । ଡକ୍ଟର ମହତାବ ଜଣେ ବିଚିତ୍ର କର୍ମା ।

 

ପବିତ୍ର ମୋହନ ପ୍ରଧାନଙ୍କ ‘ମୁକ୍ତିପଥେ ସୈନିକ’ ହେଉଛି ଜଣେ ସ୍ୱାଧୀନତା ସଂଗ୍ରାମୀ ଜନନାୟକଙ୍କ ଆତ୍ମଜୀବନୀ । ଏହା ବିଶେଷ ଭାବରେ ଜଣେ ସଂଗ୍ରାମୀ ସୈନିକର ଆତ୍ମଗାଥାକୁ ଅଧିକ ପ୍ରକଟିତ କରିଅଛି । ଏଥିରେ ରାଜାମାନଙ୍କ ଅତ୍ୟାଚାର ଓ ଶୋଷଣର ଚିତ୍ର ଦିଆଯାଇଛି । ବୈଷ୍ଣବ ପାଣିଙ୍କ ‘ପାଣିକବିଙ୍କର ଆତ୍ମକାହାଣୀ’ରେ କବିଙ୍କ ଜୀବନରେ ଘଟିଥିବା ଛୋଟବଡ଼ ଘଟଣା ଏଥିରେ ସ୍ଥାନ ପାଇଛି । ସେ କିଭଳି ବହୁ ଘାତ ପ୍ରତିଘାତ, ସଂଘର୍ଷ ମଧ୍ୟରେ ଗତି କରୁଥିଲେ ତାହା ଏହି ଆତ୍ମଜୀବନୀ ଗ୍ରନ୍ଥରେ ପ୍ରକାଶିତ ହୋଇଛି ।

 

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ’ ହେଉଛି ତାଙ୍କ ଜୀବନ ଚରିତ । ମାତ୍ର ଏହା ପୂର୍ଣ୍ଣାଙ୍ଗ ନୁହେଁ । ତତ୍‌କାଳୀନ ଓଡ଼ିଶାର ଅବସ୍ଥା ଓ ଲେଖକଙ୍କର ପରିଚତ ବ୍ୟକ୍ତିଙ୍କ ସମ୍ବନ୍ଧରେ ବହୁତଥ୍ୟ ଏଥିରୁ ମିଳିଥାଏ । ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ସେ ଗୋପବନ୍ଧୁ, ନୀଳକଣ୍ଠ, ଆଚାର୍ଯ୍ୟ ହରିହର ପ୍ରଭୃତିଙ୍କ ସହିତ ସମ୍ପର୍କିତ ଥିଲେ । ଏ ଗ୍ରନ୍ଥ ଓଡ଼ିଆ ଆତ୍ମଜୀବନୀ ରଚନାର ଗତିପଥକୁ ପ୍ରସାରିତ କରିଅଛି । ଶୈଳୀ ଓ ସମ୍ବେଦନ ଦୃଷ୍ଟିରୁ ନୂତନତାର ବାହକ ହୋଇଛି ।

 

ଶ୍ରୀବତ୍ସ ପଣ୍ଡାଙ୍କ ‘ଶ୍ରୀବତ୍ସ ଆତ୍ମଚରିତ’ ଏକ ସମାଜସେବୀର ଆତ୍ମଜୀବନୀ । ସେ ଜଣେ ନିଷ୍ଠାପର, ସମାଜେସବୀ ଓ ସଂସ୍କାରକ । ମାତୃଭୂମି ଓ ମାତୃଭାଷାର ଉନ୍ନତିକଳ୍ପେ ସେ ସର୍ବତା ନିଜକୁ ନିୟୋଜିତ କରିଥିଲେ । ବୈରାଗୀ ଚରଣ ମିଶ୍ରଙ୍କର ‘ସ୍ୱଭାବ ନିୟତ ଜୀବନ ଫୁଲ’ ବିପ୍ଳବୀ ବୈରାଗୀଙ୍କର ଆତ୍ମଜୀବନୀ । ପ୍ରଚଳିତ ସମାଜର ପ୍ରଥାବଦ୍ଧତା ସହିତ ବ୍ୟକ୍ତି ଜୀବନର ଅଙ୍ଗୀକାର ଯେଉଁ ନିତ୍ୟ ସଂଘର୍ଷ ତାହାର ଜୀବନ ଆଲେଖ୍ୟ ହେଉଛି ତାଙ୍କର ଏହି ଜୀବନ ଚରିତ ।

 

ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ଆତ୍ମଜୀବନୀ’ରେ ତାଙ୍କ ସାହିତ୍ୟିକ ପ୍ରତିଭା, ରାଜନୀତିକ ଦକ୍ଷତା, ନିଃସ୍ୱାର୍ଥପରତା ଦେଶେସବା ଓ ଉନ୍ନତ ବ୍ୟକ୍ତିତ୍ୱ ରୂପାୟିତ ହୋଇଛି । ଆତ୍ମଜୀବନୀକାରଙ୍କ ଜୀବନରେ ଘଟିଥିବା ସାମାନ୍ୟ କେତୋଟି ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶ, ଜାତି ଓ ମାନବସମାଜର ସେବା ପାଇଁ ନୀଳକଣ୍ଠ ନିଜକୁ ଉତ୍ସର୍ଗ କରିଥିଲେ । ନବଭାରତ ପତ୍ରିକାର ପ୍ରକାଶନ ଓ ବନ୍ଦ ହେବାର ଚିତ୍ର ଏଥିରେ ବର୍ଣ୍ଣିତ ହୋଇଛି । ଲେଖକଙ୍କର ମହନୀୟ ବ୍ୟକ୍ତିତ୍ୱର ଚିତ୍ର ଏଥିରେ ଦେଖିବାକୁ ମିଳେ । ଓଡ଼ିଶାର ରାଜନୈତିକ, ଐତିହାସିକ ସାମାଜିକ ଅବସ୍ଥା ଏଥିରେ ବର୍ଣ୍ଣିତ । ଲେଖକଙ୍କର ଦାର୍ଶନିକ ଦୃଷ୍ଟିଭଙ୍ଗୀ ପରିପକ୍ୱ ।

 

ଅଧିରାଜ ସେନାପତିଙ୍କ ଜୀବନ ଚରିତ ହେଉଛି ‘ଦୃଷ୍ଟିପାତ’ । ଜଣେ ଶିକ୍ଷାବିତର ଜୀବନୀ ଏଥିରେ ଅଙ୍କିତ ହୋଇଛି । ଜଣେ ଆଦର୍ଶବାଦୀ ଶିକ୍ଷକର ଜୀବନୀ ଏଥିରେ ବିଚିତ୍ର । ତାଙ୍କ ଜୀବନର ଘାତ ପ୍ରତିଘାତ ଏଥିରେ ସ୍ଥାନ ପାଇଛି । ଭରତ ଚନ୍ଦ୍ର ନାୟକଙ୍କ ମୋର ‘ପୂର୍ବ ସ୍ମୃତିକଥା’ ଏକ ଉପାଦେୟ ଆତ୍ମଜୀବନୀ ଗ୍ରନ୍ଥ । ଏହା ଏକ ସ୍ମୃତିକଥା ଶିରୋନାମାରେ ପରିଚିତ । ସଂସ୍କାର ପ୍ରିୟ ମନୋଭାବ ଲେଖକଙ୍କ ଚିତ୍ତବୃତ୍ତିକୁ ବିଶେଷ ଭାବରେ ପୃଷ୍ଟି କରିଛି । ସେ ଫକୀରମୋହନଙ୍କ ଶୈଳୀଦ୍ୱାରା ଅନୁପ୍ରାଣୀତ । ଅନନ୍ତ ପ୍ରସାଦ ପଣ୍ଡାଙ୍କ ‘ମୋ ଜୀବନ ସ୍ମୃତି’ରୁ ଲେଖକଙ୍କର ସାହିତ୍ୟ ଓ ଅନୁରାଗ ଓ ସାହିତ୍ୟକ ପ୍ରତିଭାର ପରିଚୟ ମିଳେ । ଦାର୍ଶନିକତ୍ୱର ତାତ୍ତ୍ୱିକ ଦୃଷ୍ଟି ଗ୍ରନ୍ଥରେ ଅଧିକ ସ୍ପଷ୍ଟ ହୋଇଛି ।

 

ଲକ୍ଷ୍ମୀନାରାୟଣ ସାହୁଙ୍କର ‘ମୋର ବାରବୁଲା ଜୀବନ’ରୁ ଲେଖକଙ୍କ ବଳିଷ୍ଠ ବ୍ୟକ୍ତିତ୍ୱର ପରାକାଷ୍ଠା ସୂଚୀତ ହୁଏ । ଜାତିଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଶ୍ରଦ୍ଧା କରୁଥିଲେ । ଚିନ୍ତାର ଗଭୀରତା ଏ ଗ୍ରନ୍ଥର ମୂଲ୍ୟବୃଦ୍ଧି କରିଅଛି । ଏହା ସେବା ସାଧନାର ପ୍ରେରଣା ଦୀପ୍ତ ଏକ ଚରିତ ଗ୍ରନ୍ଥ । ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କର ‘ଗୋଟିଏ କଲକ ଟୋପାଏ କାଳି’ରେ ତାଙ୍କର ଶିକ୍ଷକ ଜୀବନର ଗାଥା ଲିପିବଦ୍ଧ ହୋଇଛି । ଏହି ଗ୍ରନ୍ଥରେ କଳାଗତ ଐଶ୍ୱର୍ଯ୍ୟ ବ୍ୟାହତ ହୋଇଥିଲେ ମଧ୍ୟ ତଥ୍ୟପୂର୍ଣ୍ଣ ଜୀବନ ଗାଥା ପରିବେଷଣରେ ଲେଖକ ସଫଳ ହୋଇଛନ୍ତି । ରାମକୃଷ୍ଣ ନନ୍ଦଙ୍କର ‘ଜୀବନ ତରଙ୍ଗ ଏକ ସ୍ମରଣୀୟ ସୃଷ୍ଟି’ ଶିଶୁ ଓ କିଶୋର ସାହିତ୍ୟର ଲେଖକ ହିସାବରେ ତାଙ୍କର କୃତି ସ୍ମରଣୀୟ । ଏ ଗ୍ରନ୍ଥ ମୁଖ୍ୟତଃ ତଥ୍ୟ ପିଣ୍ଡିତ । ଚିନ୍ତାମଣି ମହାନ୍ତିଙ୍କ ‘ଆତ୍ମଜୀବନୀ ପଞ୍ଜିକା’ରେ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ଚିତ୍ର ଅଙ୍କିତ ହୋଇଛି । ସାମ୍ବାଦିକତାର ନିରପେକ୍ଷତାକୁ ଆଦର୍ଶ ଭାବରେ ଗ୍ରହଣ କରି ବିଭିନ୍ନ ପତ୍ରପତ୍ରିକା ସମ୍ପାଦନା କରିଥିଲେ । ସିଏ ଥିଲେ ସାରସ୍ୱତ କ୍ଷେତ୍ରରେ ଜଣେ ନିଷ୍ଠାପର ସାଧକ । ଉଦୟନାଥ ରଥଙ୍କର ‘ସଂସାର ପଥେ’ ତାଙ୍କର ଆତ୍ମଜୀବନୀ । ଲେଖକଙ୍କ ଅଭିବ୍ୟକ୍ତି ସିଧାସଳଖ ।

 

କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ଅଙ୍ଗେ ଯାହା ଲିଭାଇଛି’ ଏକ ଆତ୍ମଜୀବନୀ ଚରିତ । ଆତ୍ମଜୀବନୀ ରଚନାର ଅନ୍ତରାଳରେ ଆତ୍ମପ୍ରକାଶର ପ୍ରବଣତା ରହିଅଛି । ସମବାୟ ସମିତି, ବେତାର କେନ୍ଦ୍ରରେ କାର୍ଯ୍ୟଠାରୁ ପାଠ୍ୟପୁସ୍ତକ ରଚନା ପର୍ଯ୍ୟନ୍ତ ସବୁ ଏଥିରେ ସ୍ଥାନ ପାଇଛି । ଜଣେ କୁଶଳୀ ସାହିତ୍ୟିକଙ୍କ ଲେଖନୀରେ ରଚିତ ଏହା ଯଥାର୍ଥ ସାହିତ୍ୟକୃତି । ବନମାଳୀ ବ୍ରହ୍ମଚାରୀଙ୍କ ‘ଶିକ୍ଷକର ନିଜକଥା’ ତାଙ୍କ ଶିକ୍ଷକତା, ସମାଜେସବା, ସଂସ୍କାର କଥା ଉଲ୍ଲେଖିତ ତାଙ୍କର ଶିକ୍ଷଣୀୟ ଗୁଣ ସହିତ ଦୋଷ ଦୁର୍ବଳତା ମଧ୍ୟ ଏଥିରେ ବର୍ଣ୍ଣିତ ହୋଇଛି ।

 

କାଳୀଚରଣ ପଟ୍ଟନାୟକଙ୍କ ଆତ୍ମଜୀବନୀ ହେଉଛି ‘କୁମ୍ଭାର ଚକ’ । ଏଥିରେ ଓଡ଼ିଶା ନାଟ୍ୟ ଆନ୍ଦୋଳନ ତଥା ରଙ୍ଗମଞ୍ଚ ସଂଗଠନର ଇତିହାସ ରହିଛି । ଏଥିରେ ତାଙ୍କର ବଂଶ ପରମ୍ପରା ପ୍ରତିଫଳିତ ହୋଇଛି । ତାଙ୍କର କଳା ଓ ସଂସ୍କୃତି ପ୍ରୀତି, ସଙ୍ଗୀତ ଶ୍ରଦ୍ଧା ଓ ସାଧନା ଜାତୀୟତା ବୋଧର ସ୍ୱାକ୍ଷର ବହନ କରେ । ଜୀବନର ଅନୁଭୂତିକୁ ସ୍ୱାଭାବିକ ଉଚ୍ଚାରଣରେ ପ୍ରକାଶ କରିଛନ୍ତି ।

 

ଡକ୍ଟର କୁଞ୍ଜବିହାରୀ ‘ମୋ କାହାଣୀ’ ସଂସ୍କୃତି ପ୍ରେମୀ ଜଣେ ଶିଳ୍ପୀର ମର୍ମଗାଥା । ଏଥିରେ ତାଙ୍କର ଆତ୍ମଶକ୍ତିର ଚିନ୍ତନକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଗୋପାଳ ପ୍ରହରାଜଙ୍କ ଆତ୍ମଜୀବନୀ ଅସମ୍ପୂର୍ଣ୍ଣ । ବିଚ୍ଛନ୍ଦ ପଟ୍ଟନାୟକଙ୍କ ଆତ୍ମଜୀବନୀ ଅସମ୍ପୂର୍ଣ୍ଣ । ଚିନ୍ତାମଣି ମିଶ୍ରଙ୍କ ଆତ୍ମଜୀବନୀ ‘ଲାଇନମ୍ୟାନ’ ନାମରେ ପ୍ରକାଶିତ । ରଘୁନାଥ ପାଣିଗ୍ରାହୀଙ୍କ ଆତ୍ମଜୀବନୀ ତାଙ୍କ ଗ୍ରନ୍ଥାବଳୀରେ ସନ୍ନିବେଶିତ ହୋଇଛି । ରବି ସିଂହଙ୍କ ଆତ୍ମଜୀବନୀ ‘ନିଃସଙ୍ଗ ପଦାତିକ’ ଆତ୍ମଜୀବନୀ ହିସାବରେ ବେଶ ଆଦୃତ ହୋଇଛି ।

 

ରମାଦେବୀ ଚୌଧୁରୀଙ୍କ ‘ଜୀବନୀ ପଥେ’ ତାଙ୍କ ଆତ୍ମଜୀବନ । ଏହା ଗୋଟିଏ ବହୁମୂଲ୍ୟ ଉପାଦେୟ ଗ୍ରନ୍ଥ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ । ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ସେ ବହୁବାର ଜେଲ ବରଣ କରିଛନ୍ତି । ତାଙ୍କ ଜୀବନର ଆଦର୍ଶ ତାଙ୍କ ବ୍ୟକ୍ତିତ୍ୱ ଗଠନ କରିବାରେ କିପରି ସାହାଯ୍ୟ କରିଥିଲା, ତାଙ୍କ ଜୀବନର ବିକାଶ କିପରି ସଂଗଠିତ ହୋଇଥିଲା ତାହା ଏହି ଆତ୍ମଜୀବନୀରୁ ମିଳିପାରିବ । ଅନ୍ନପୂର୍ଣ୍ଣା ମହାରଣାଙ୍କର ‘ଅମୃତ ଅନୁଭବ’ ତାଙ୍କର ଆତ୍ମଜୀବନୀ । ଓଡ଼ିଶାର ସମାଜବାଦୀ ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଶ୍ରୀମତୀ ମହାରଣାଙ୍କ ଲେଖାରେ ଏକ ଯାଦୁକାରୀ ସ୍ପର୍ଶ ରହିଛି, ସେ ଜଣେ ସମାଜେସବୀ ।

 

ମନୋରଞ୍ଜନ ଦାସଙ୍କ ‘ସ୍ମୃତିସଂଳାପ’ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ । ସାହିତ୍ୟ, ସଂଗୀତ, ନୃତ୍ୟ, ଚିତ୍ରକଳା, ମଞ୍ଚକଳା ସହିତ ସେଗୁଡ଼ିକର ପ୍ରକାଶ ଓ ପ୍ରସାର ପାଇଁ ସାରା ଜୀବନ ଅତିବାହିତ କରି ମନୋରଞ୍ଜନ ଦାସ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଜଡ଼ିତ ରହି ଯେଉଁ ଅନୁଭୂତି ଲାଭ କରିଥିଲେ ତାହାରି ରୂପାୟନ ହିଁ ସ୍ମୃତି ସଂଳାପ । ଏଗୁଡ଼ିକୁ ଛାଡ଼ିଦେଲେ ଅନେକ ଘଟଣା, ଅନେକ ଦୃଶ୍ୟ, ଅନେକ ଅନୁଭୂତି ଏହି ସ୍ମୃତି ସଂଳାପରେ ଗୁମ୍ଫିତ ହୋଇଛି । ହୃଦାନନ୍ଦ ରାୟଙ୍କର ‘ଜଣେ ଅନୁଭବୀ ଅନୁଭବରେ’ ତାଙ୍କ ଆତ୍ମକାହାଣୀ । ତାଙ୍କ ଜୀବନର ବିସ୍ତୃତ କାହାଣୀ ଏଥିରେ ସନ୍ନିବେଶିତ । ଜଣେ ବାଗ୍ମୀ ହିସାବରେ ବିଭିନ୍ନ ସ୍ଥାନକୁ ଯାଇ ସେ ଯେଉଁ ଅନୁଭୂତି ଅର୍ଜନ କରିଛନ୍ତି ଏଥିରେ ତାହା ରୂପାୟିତ ହୋଇଛି । ବାଲ୍ୟାବସ୍ଥାରୁ ଏ ଯାବତ୍ ସେ କିଭଳି ଜୀବନ ନିର୍ବାହ କରିଛନ୍ତି ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ତାଙ୍କର ଆତ୍ମଜୀବନୀ ।

 

ଏଗୁଡ଼ିକ ଛାଡ଼ିଦେଲେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଆତ୍ମକାହାଣୀ ଦେଖିବାକୁ ମିଳେ । ସେଗୁଡ଼ିକ ହେଲା – ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଆତ୍ମଜୀବନୀ ‘ମୋ ସମୟର ଓଡ଼ିଶା’, ଡକ୍ଟର ଶ୍ରୀରାମ ଚନ୍ଦ୍ର ଦାସଙ୍କର ଆତ୍ମଜୀବନୀ ‘ମୋ ଅକୁହା କାହାଣୀ’, ଜଷ୍ଟିସ୍ ହରିହର ମହାପାତ୍ରଙ୍କ ଆତ୍ମଜୀବନୀ ‘ଜୀବନ ଓ ଜୀବିକା’, ବିନୋଦ କାନୁନଗୋଙ୍କର ଆତ୍ମଜୀବନୀ ‘କସ୍ତୁରୀ ମୃଗସମ’, ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସାହିତ୍ୟ ପାଇଁ ସଂଗ୍ରାମ’, ଐତିହାସିକ ସତ୍ୟ ନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀ ‘ମୋ ଜୀବନ ସଂଗ୍ରାମ’ ଫତୁରାନନ୍ଦଙ୍କ ଆତ୍ମଜୀବନୀ ‘ଫୁଟା ଡଙ୍ଗାର କାହାଣୀ’, ଡକ୍ଟର ମନ୍ମଥ ଦାସଙ୍କ ଆତ୍ମଜୀବନୀ ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ’, ଗଙ୍ଗାଧର ରଥଙ୍କ ଆତ୍ମଜୀବନୀ ‘ଭୁଲିନାହିଁ’ ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କ ଆତ୍ମଜୀବନୀ ‘ସ୍ମୃତି ତୀର୍ଥ’, ଚିତ୍ତରଞ୍ଜନ ଦାସଙ୍କ ଆତ୍ମଜୀବନୀ ‘ମିତ୍ରସ୍ୟ ଚକ୍ଷୁସା’, ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ ‘ପଥିକ’ ପ୍ରଫେସର ପଠାଣି ପଟ୍ଟନାୟକଙ୍କ ‘ଜୀବନର ଚଲାପଥେ’, ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କର ‘ପ୍ରେମ ଓ ପ୍ରତାରଣା’, ‘ପ୍ରେମ ଓ ପରିତାପ’, ଡକ୍ଟର ରବୀନ୍ଦ୍ରନାଥ ପ୍ରହରାଜଙ୍କ ଆତ୍ମଜୀବନୀ ‘ଉଜାଣି ସୁଅର ଢେଉ’ ଇତ୍ୟାଦି ।

ଦୁର୍ଗାବଜାର, ଜଗତସିଂହପୁର

 

ସହାୟକ ଗ୍ରନ୍ଥ:

୧-

ଓଡ଼ିଆ ଚରିତ ସାହିତ – ଡକ୍ଟର ଲାବଣ୍ୟ ନାୟକ

୨-

ଓଡ଼ିଆ ସାହିତ୍ୟ ତତ୍ତ୍ୱ ଓ ତଥ୍ୟ – ଡକ୍ଟର ଭୋଳାନାଥ ରାଉତ ।

 

***

 

ବସନ୍ତ କୁମାର ଶତପଥୀଙ୍କ ଗଳ୍ପ – ପ୍ରତିଭା

ବିଚିତ୍ରାନନ୍ଦ ସାହୁ

 

ଗାଳ୍ପିକ ବସନ୍ତ ଶତପଥୀଙ୍କର ଗାଳ୍ପିକ ଜୀବନ ଷାଠିଏ ଉତ୍ତର ଦଶକରେ ହିଁ ବିକାଶ ଲାଭ କରିଥିଲା । ସେତେବେଳେ ତାଙ୍କର ବୟସ ପରିପକ୍ୱ । ସଂସାରୀ ଭାବରେ ତାଙ୍କର ଅଭିଜ୍ଞତା ମଧ୍ୟ ପୋଖତ । ଜଣେ ପ୍ରବୀଣ ଅଧ୍ୟାପକ ଭାବରେ ଇଂରାଜୀ ସାହିତ୍ୟରେ ତାଙ୍କର ଦକ୍ଷତା ମଧ୍ୟ ପ୍ରତିଷ୍ଠିତ ହୋଇ ସାରିଥିଲା । ପତ୍ନୀ ଓ ପୁତ୍ର ବିୟୋଗଜନିତ ଦୁଃଖରେ ଯେତେବେଳେ ତାଙ୍କ ମନ ଭାରାକ୍ରାନ୍ତ, ଠିକ ସେତିକିବେଳେ ବନ୍ଧୁଙ୍କ ଅନୁରୋଧରେ ତାଙ୍କର ସହଜାତ ଗାଳ୍ପିକ ପ୍ରତିଭାର ଉନ୍ମେଷ ଓ ବିକାଶ ।

 

ସମକାଳୀନ ଗଳ୍ପ ସାହିତ୍ୟରେ ଉଭୟ ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିରୁ ଯୁଗରୁଚିର କେତେକ ସାମ୍ୟ ପରିଦୃଷ୍ଟ ହେଲେ ମଧ୍ୟ ପ୍ରତ୍ୟେକ ସ୍ରଷ୍ଟାର ନିଜସ୍ୱ ସୃଷ୍ଟି ଶୈଳୀ ଥାଏ । ଏହା ହିଁ ତା’ର ବୈଶିଷ୍ଟ୍ୟ ପ୍ରତିପାଦନ କରେ । ସମକାଳୀନ କେତେକ ପ୍ରତିଷ୍ଠିତ ଗାଳ୍ପିକଙ୍କ ସଙ୍ଗେ ବସନ୍ତ ଶତପଥୀଙ୍କ ରଚନାର ତୁଳନାତ୍ମକ ଆଲୋଚନା କଲେ ତାଙ୍କର ବୈଶିଷ୍ଟ୍ୟ ପ୍ରତିପାଦିତ ହୋଇଥାଏ । ଆଙ୍ଗିକ ଦୃଷ୍ଟିରୁ ଓ ଆତ୍ମିକ ଭାବରୁ ଯେଉଁ ଗାଳ୍ପିକଗଣ ଏ ଦିଗରେ ଆଲୋଚନାର ପରିସରକୁ ଆସନ୍ତି ସେମାନଙ୍କ ମଧ୍ୟରେ ଫତୁରାନନ୍ଦ (୧୯୧୫), ମହାପାତ୍ର ନୀଳମଣି ସାହୁ (୧୯୨୬), ଅଖିଳମୋହନ ପଟ୍ଟନାୟକ (୧୯୨୭), କିଶୋରୀ ଚରଣ ଦାସ (୧୯୨୪), ଶାନ୍ତନୁ ଆଚାର୍ଯ୍ୟ (୧୯୩୩), ମନୋଜ ଦାସ (୧୯୩୪), ରାଜକିଶୋର ରାୟ (୧୯୧୪), ରାଜକିଶୋର ପଟ୍ଟନାୟକ (୧୯୧୨) ଅନ୍ୟତମ ।

 

ବସ୍ତୁତଃ କଥାକାର ବସନ୍ତ ଶତପଥୀଙ୍କର ଯେଉଁ ହାସ୍ୟ ବ୍ୟଙ୍ଗଭରା ଶୈଳୀଟି ଶବ୍ଦ ରଚନାରେ ଅନୁସୃତ ହୋଇଛି, ତାହା ଫତୁରାନନ୍ଦ ଏବଂ ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ରଚନାରେ ମଧ୍ୟ ଅନୁସୃତ । ଏମାନଙ୍କର ଶୈଳୀଗତ ସାଦୃଶ୍ୟ ଆଲୋଚନା ସାପେକ୍ଷ । ରମ୍ୟ ରଚନା ଶୈଳୀରେ ଗଳ୍ପ ଲେଖିବାରେ ଓଡ଼ିଆ ସାହିତ୍ୟରେ ଫତୁରାନନ୍ଦ ହିଁ ଅଗ୍ରଗଣ୍ୟ । ଗାଳ୍ପିକ ଶତପଥୀଙ୍କ ପରି ଫତୁରାନନ୍ଦ ମଧ୍ୟ ଫକୀରମୋହନଙ୍କୁ ନିଜର ଗୁରୁଭାବରେ ମାନି ନେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ‘‘ଫକୀମୋହନଙ୍କ ଦ୍ୱାରା ସବୁଠାରୁ ମୁଁ ବେଶି ପ୍ରଭାବିତ ହୋଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ଓ ଗୋଦାବରୀଶ ମହାପାତ୍ର ମଧ୍ୟ ମୋତେ ଯଥେଷ୍ଟ ପ୍ରଭାବିତ କରିଛନ୍ତି । ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ମଧ୍ୟ ଊଣା ଅଧିକେ ପ୍ରଭାବିତ ହୋଇଛି ।’’ ହାସ୍ୟ-ବ୍ୟଙ୍ଗ-କରୁଣର ତ୍ରିବେଣୀ ଧାରା ଉଭୟ ଫତୁରାନନ୍ଦ ଓ ଶତପଥୀଙ୍କ ଗଳ୍ପଗୁଡ଼ିକୁ ରସସିକ୍ତ କରିଛି । ମନୁଷ୍ୟ ନିଜ ଜୀବନର ଚରଣ ଦୁଃଖଦ ମୁହୂର୍ତ୍ତରେ ମଧ୍ୟ ହସିପାରେ ଏହା ଫତୁରାନନ୍ଦ ଜୀବନ ଓ ସାହିତ୍ୟ ସୃଷ୍ଟିକୁ ଦେଖିଲେ ଯେଭଳି ପ୍ରମାଣିତ, ଠିକ୍ ସେହିଭଳି ଗାଳ୍ପିକ ଶତପଥୀଙ୍କ ଜୀବନରେ ଘଟଣାବଳୀକୁ ଅନୁଧ୍ୟାନ କଲେ ମଧ୍ୟ ହିଁ ଏକା ସତ୍ୟରେ ଉପନୀତ ହେବାକୁ ହୁଏ । ଶ୍ରୀ ଶତପଥୀଙ୍କ ଗଳ୍ପର ନାମକରଣ ଯେପରି ରମ୍ୟରଚନା ଧର୍ମୀ ଏବଂ ଅନନ୍ୟ ସାଧାରଣ, ଫତୁରାନନ୍ଦ ଗଳ୍ପଗୁଡ଼ିକର ନାମକରଣରେ ମଧ ସେହିଭଳି ବିଭିନ୍ନତା ଦେଖାଯାଏ । ଗାଳ୍ପିକ ଶତପଥୀଙ୍କ ଗଳ୍ପର ନାମକରଣ ‘ନେଉଳ ଓ ସାନ୍ତଳା’, ‘ମାଛ ଧର ଧର ବେଙ୍ଗଟା ଧର’, ‘ମେଜର ଅପେରସନ’, ‘କୁକୁର’, ‘ଖୁଚୁରା’, ‘ଗୋଟାଏ ଆଳୁ’, କାଣିଚିଆଁ ଏଣ୍ଟିରୋମାଣ୍ଟିକ’, ଭି.ଆଇ.ପି., ‘କୁଆ’, ‘କ୍ଲାସିକାଲ କମେଡ଼ି’, ଭଦ୍ରାମୀ ଓ ଛେନାପୋଡ଼’ ଇତ୍ୟାଦି । ଫତୁରାନନ୍ଦ ମଧ୍ୟ ‘ହେରେସା’, ‘ବିଦୂଷକ’, ‘ବୃହତଭାଣ୍ଡ’, ‘ଅମୃତବେହିଆ’, ‘ସାହିତ୍ୟ ଚାଷ’, ‘ଫମାଲୋଚନା’, ଭାଲୁକବି’ ‘ଝାଡ଼ୁଦାର’, ‘ଗାତୁଆ ମୂଷା’, ‘ଷଣ୍ଢ ଲଢେଇ’ ଇତ୍ୟାଦି ଗଳ୍ପର ହାସ୍ୟୋଦ୍ଦୀପକ ନାମକରଣ କରିଛନ୍ତି । ବିଷୟବସ୍ତୁ ନିର୍ବାଚନରେ ଉଭୟ ଗାଳ୍ପିକଙ୍କର ଦୃଷ୍ଟିଭଙ୍ଗୀ ସମାନ । ଯେକୌଣସି ବିଷୟ ଉପରେ ଗଳ୍ପ ରଚନା କରି ପାଠକର ମନୋରଞ୍ଜନ କରିବାରେ ଉଭୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଫତୁରାନନ୍ଦଙ୍କ ଗଳ୍ପଗୁଡ଼ିକ ନିରୋଳ ହାସ୍ୟରସ ସୃଷ୍ଟି କରିଥାଏ । କିନ୍ତୁ ବସନ୍ତ ଶତପଥୀଙ୍କ ରଚନାରେ ହାସ୍ୟ-ବ୍ୟଙ୍ଗ –କରୁଣ ଭାବ ମୁଖ୍ୟ ଉପଜୀବୀ ହେଲେ ହେଁ ଜୀବନର ଅନ୍ୟ ଉପାଦାନଗୁଡ଼ିକୁ ରୂପଦେବାରେ ମଧ୍ୟ ଗାଳ୍ପିକଙ୍କର କଲମ ସମାନ ଦକ୍ଷତା ପ୍ରଦର୍ଶନ କରିଥାଏ । ‘ଆକାଶଫୁଲ’ ଗଳ୍ପରେ ଆମେ ଯେଉଁ ଗାଳ୍ପିକ ଶତପଥୀଙ୍କୁ ଭେଟୁ, ସେ ହାସ୍ୟପ୍ରିୟ ନିଶ୍ଚୟ, କିନ୍ତୁ ପ୍ରକୃତି ବର୍ଣ୍ଣନାରେ ତାଙ୍କର ରସଗ୍ରହୀତା ଅମଳିନ ହୋଇ ଫୁଟିଉଠିଛି । ସହଜ ସାବଲୀଳ ଭାଷା ଏବଂ ଉପମା ପ୍ରୟୋଗର ଅନନ୍ୟତା ନିମ୍ନୋକ୍ତ ବାକ୍ୟରୁ ପ୍ରତିପାଦିତ ହୁଏ । ଗାଳ୍ପିକଙ୍କ ବର୍ଣ୍ଣନାରେ-

 

‘‘ଲମ୍ବାଲମ୍ବ ଡେମ୍ଫ ଆଗରେ ସୁଦୂର ଟିକି ତାରା ପରି ପାଞ୍ଚ ପାଖୁଡ଼ିଆ ଫୁଲଟି ଲାଗି ରହିଛି । ସାନ୍ତାଳ ଯୁବତୀର ଟଭାଫଳ ପରି ଚୂଡ଼ାରେ ରୂପାକାଠିର ରୁଣୁଝୁଣିଆ ଝୁମ୍ଫାପରି ।’’

 

‘କାଣିଚିଆଁ, ଗଳ୍ପରେ ସେହିପରି ଚିଲ ଖୁମ୍ପାରେ କୁକୁଡ଼ା ଚିଆଁର ବିଦୀର୍ଣ୍ଣପରର ବର୍ଣ୍ଣନା ଦେଇ ଗାଳ୍ପିକ ସୁନ୍ଦର ଉଦାହରଣ ଦେଇ ଲେଖିଛନ୍ତି – ‘‘ଖୁବ୍ ଉଚ୍ଚ ଶିମୁଳିଗଛର ଆଗରେ ଥିବା ଫଟା ଶିମୁଳି ଫଳରୁ ଦମକା ପବନରେ ଯେମିତି ଗୋଛାଏ ତୁଳା ଉଡ଼ିଯାଏ ସେମିତି ଛୋଟ ଛୋଟ ପରର ରୋଷଣି ଆକାଶରେ ଖେଳିଗଲା ।’’ ଚିଲବସାକୁ ସମୂଳେ ଧ୍ୱଂସ କରିବା ପାଇଁ ଜ୍ୱଳନ୍ତ ମଶାଲ ନେଇ ଶିମିଳ ଗଛରେ ଉଠିଥିବା ଶନିମଣ୍ଡଳର ବର୍ଣ୍ଣନା ଦେବାକୁ ଯାଇ କେତେବେଳେ ତାକୁ କୈଳାସର ତ୍ରିଶୁଳ ଧାରଣ କରିଥିବା ଶିବସଙ୍ଗେ, କେତେବେଳେ ନାଲି ନେତ ଧରି ଜଗନ୍ନାଥ ମନ୍ଦିର ଚୂଡ଼ାକୁ ଉଠୁଥିବା ମଣିଷ, କେତେବେଳେ କ୍ରୁଧ ଚାଣକ୍ୟ ତ କେତେବେଳେ ଏଭେରେଷ୍ଟ ଶୃଙ୍ଗ ଆରୋହୀ ତେନ ସିଂ ସଙ୍ଗେ ତୁଳନା କରିଛନ୍ତି । ପୁଣି ସୁବର୍ଣ୍ଣରେଖା ନୀଳବେଣୀ କୂଳରେ ଯାଉଥିବା ବସ୍‌କୁ ସଁବାଳୁଆର ଗତି ସହିତ ତୁଳନା କରିଛନ୍ତି । ‘ନୀତାଶ୍ରୟୀ’ ଗଳ୍ପରେ ଅଭିନବ ଶୈଳୀ ପ୍ରୟୋଗ କରି କେବଳ ସ୍ୱାମୀ ସ୍ତ୍ରୀଙ୍କ କଥୋପକଥନ ଛଳରେ ମାଆ ମନର ସୁନ୍ଦର ଚିତ୍ରଟିଏ ଦେଇଛନ୍ତି । ଯେଉଁଠି ଘରଚଟିଆ ଏବଂ ମଣିଷ ଗୋଟିଏ ଅନୁଭୂତିରେ ଛନ୍ଦି ହୋଇ ଯାଇଛନ୍ତି । ଗାଳ୍ପିକଙ୍କ ଭାଷାରେ ‘‘ଦୁଇ ମାଆ ଚାରିଛୁଆକୁ ଧରି ଏକାପରି ଏକାଠି ଜାଗର ଜାଳିଲୁ ଏକା ମନ୍ଦିରରେ ତା’ ଏକା ଉଦ୍ଦେଶ୍ୟ ରଖି ।’’ ଏହା ବସନ୍ତଙ୍କ ନାରୀ ଚରିତ୍ରର ମାନସିକ ଆବର୍ତ୍ତନ ଚିତ୍ର । ଫତୁରାନନ୍ଦଙ୍କ ଗଳ୍ପ ସମ୍ପୂର୍ଣ୍ଣ ନାରୀ ଚରିତ୍ର ବିବର୍ଜିତ ନ ହେଲେ ମଧ୍ୟ ଯୁବକ ଯୁବତୀଙ୍କର ପ୍ରେମଚିତ୍ର କ୍ୱଚିତ୍ ଦେଖିବାକୁ ମିଳେ । ବସନ୍ତ ଶତପଥୀଙ୍କ ଗଳ୍ପ ଗୁଡ଼ିକରେ ମଧ୍ୟ ନାରୀ ଚରିତ୍ରର ପ୍ରାଧାନ୍ୟ ବେଶି ନୁହେଁ । ସେ ନିଜେ ମଧ୍ୟ ଏକ ସାକ୍ଷାତକାରରେ ଏହା ସ୍ୱୀକାର କରିଛନ୍ତି । ତେବେ ନାୟିକା ଭାବରେ ତାଙ୍କ ଗଳ୍ପ ଗୁଡ଼ିକରେ ନାରୀ ଚରିତ୍ର ପ୍ରାଧାନ୍ୟ ଲାଭ କରି ନଥିଲେ ମଧ୍ୟ ସମ୍ପୂର୍ଣ୍ଣ ନାରୀ ଚରିତ୍ର ବିବର୍ଜିତ ନୁହେଁ । ତାଙ୍କର ବିଶେଷତ୍ୱ ହେଉଛି, ତାଙ୍କ ଗଳ୍ପରେ ଘରେ କାମ କରୁଥିବା ଚାକରାଣୀ ‘ଆଈବୁଢୀ’ ଠାରୁ ଆରମ୍ଭ କରି ସାମାନ୍ୟ ଗାଉଁଲି ଝିଅ ବକଟେ କୁଳିଗାଁର ‘ଶ୍ରୀମତୀ ସରୋଜିନୀ ମହାନ୍ତି’ ଯାଏଁ ସମସ୍ତେ ସମାନ ଆଦରରେ ସ୍ଥାନ ପାଇଛନ୍ତି । ବିହାରୀ ରୁଟିବାଲୀ ଏବଂ ମେହେନ୍ତରାଣୀ ଯୁବତୀ ବାସନ୍ତୀ ଗାଳ୍ପିକଙ୍କ କଲମରେ ରସୋତ୍ତୀର୍ଣ୍ଣ ହୋଇ ଫୁଟି ଉଠିଛନ୍ତି । ତାଙ୍କ ନିଜ ଭାଷାରେ – ‘‘ଅନ୍ତସତ୍ତ୍ୱା, ବୃଦ୍ଧା, ବିଧବା ଏମାନଙ୍କ କଥା ଲେଖିବାକୁ ମୋତେ ଆଗ୍ରହ ଲାଗେ ।’’ ନାରୀର ମାତୃରୂପହିଁ ଗାଳ୍ପିକଙ୍କ ରଚନାରେ ବାରମ୍ବାର ଶ୍ରର୍ଦ୍ଧାର୍ଘ୍ୟ ପାଇଛି । ଏହା ହିଁ ତାଙ୍କର ବିଶେଷତ୍ୱ । ଏହି ଭାବ ତାଙ୍କର ‘ଧରିତ୍ରୀ’ ଗଳ୍ପରେ ଅତି ନିଖୁଣ ସୁନ୍ଦର ଭାବରେ ପ୍ରକାଶିତ । ଗାଳ୍ପିକ ଏହି ଗଳ୍ପରେ ଚିରନ୍ତନ ଶିଶୁଟିଏ ହୋଇ ଧରିତ୍ରୀ ରୂପା ଆଦିବାସୀ ଯୁବତୀ ମା’ର ସ୍ତନ୍ୟପାନ କରି ଯୁଗଯୁଗର କ୍ଷୁତ୍‌ପିପାସା ମେଣ୍ଟାଇ ଶୋଇଯିବାକୁ ଚାହିଁଛନ୍ତି । ପ୍ରାଦେଶିକ ଜାତିଆଣ ଭାବରୁ ଉର୍ଦ୍ଧ୍ଵକୁ ଉଠି ରୁଟିବାଲୀ ଭିତରେ ସେ ଦେଖିଛନ୍ତି ନିଜ ମା’କୁ । ତାଙ୍କରି କଥାରେ ‘‘ନାକରେ ସେଇ ଗୁଣା’ କପାଳରେ ସିନ୍ଦୁରବିନ୍ଦୁ, ଝୁରୁମୁରୁ ମୁଣ୍ଡରେ ଦି ଆଙ୍ଗୁଳି ଓଢ଼ଣା x x x ବାତ୍ସଲ୍ୟରେ ଛଳ ଛଳ ।’’

 

ଗାଳ୍ପିକ ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପରେ ଜୀବନ ଯୁଦ୍ଧରେ ଅବତୀର୍ଣ୍ଣ କ୍ଷତବିକ୍ଷତ ଆଧୁନିକ ନାରୀ ଚରିତ୍ରର ଚିତ୍ର ମିଳେ । ଗାଳ୍ପିକ ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପରେ ଜୀବନ ଯୁଦ୍ଧରେ ଅବତୀର୍ଣ୍ଣ କ୍ଷତବିକ୍ଷତ ଆଧୁନିକ ନାରୀ ଚରିତ୍ରର ଚିତ୍ର ମିଳେ । ସମାଲୋଚକ ନିତ୍ୟାନନ୍ଦ ଶତପଥୀ କହନ୍ତି – ‘‘ଆଧୁନିକ ସଭ୍ୟଶିକ୍ଷିତ ସମାଜରେ ଯେଉଁ କେତୋଟି ଚରିତ୍ର ସମ୍ପର୍କରେ ଗାଳ୍ପିକ ନିବିଡ଼ ଭାବରେ ଆସିଛନ୍ତି ସେ ଲକ୍ଷ୍ୟ କରିଛନ୍ତି ସେ ସେମାନେ ବାଘର ଖୋଳ ପିନ୍ଧି ସହର, ବଜାର, ଟ୍ରାମ୍, ବସ୍‌, ଟ୍ରେନ, ହୋଟେଲ, କଲେଜ ଓ ମିଟିଂ ଆଦିରେ କୁଦାପାରନ୍ତି, ହେଁଟାଳ ଛାଡ଼ନ୍ତି ଓ ଲାଞ୍ଜି ପିଟନ୍ତି ମଧ୍ୟ । ମାତ୍ର ନିଭୃତରେ ଦେଖିଲେ ଜଣାଯିବ ସେ ସେମାନେ କେତେ ଅସହାୟ, କେତେ ଦୁର୍ବଳ, କେତେ ନୀରିହ; ସତେ ଅବା ଗୋଟିଏ ଗୋଟିଏ ନିରୀହ ନିର୍ବୋଧ ମେଷଶିଶୁ । କିନ୍ତୁ ଆଧୁନିକ ସଭ୍ୟତାର ପ୍ରତାରଣା ତଥା ମୋହ ଭିତରେ ସେମାନେ ଏପରି ଛନ୍ଦି ହୋଇ ପଡ଼ିଛନ୍ତି ଯେ ସେମାନେ ସହଜରେ ସେମାନଙ୍କର ଭୁଲ୍ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ଯଦିଓ ପ୍ରତି ମୁହୂର୍ତ୍ତରେ ସେମାନଙ୍କ ଅଜାଣତରେ ଦେହରୁ ବାଘର ଖୋଳ ଖସି ପଡ଼ୁଛି, ସେଥିପ୍ରତି କିନ୍ତୁ ସେମାନେ ଆଦୌ ସଚେତନ ନୁହନ୍ତି ।’’ (୧) ‘ମିଛ ବାଘ’ ଗଳ୍ପରେ ନମିତା ଓ ଶ୍ରୀମନ୍ତ, ‘ପ୍ରତ୍ନତତ୍ତ୍ୱବିତ’ର ବିଚିତ୍ରାନନ୍ଦ ଓ ପତ୍ନୀ ଲାବଣ୍ୟ, ‘ଅଭିନୟର ଲୁହ’ର ମାଧବୀ, ‘ଡାକ୍ତର ମୃଣାଳିନୀ’ ଗଳ୍ପର ମୃଣାଳିନୀ । ସମସ୍ତେ ପରିସ୍ଥିତି ଓ ଭାଗ୍ୟ ପାଖରେ ବ୍ୟସ୍ତବିବ୍ରତ ହୋଇପଡ଼ିଛନ୍ତି । ପରାହତ ଜୀବନକୁ ନେଇ କେହି ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଏସବୁ ସତ୍ତ୍ୱେ ଗାଳ୍ପିକ ଶ୍ରୀ ସାହୁ ସୁମିତ୍ରା, ରାନୁ ଅପା, ପିଙ୍ଗଳା ପ୍ରଭୃତି ରିକ୍ତ ନାରୀ ଚରିତ୍ରଗୁଡ଼ିକୁ ଯେଉଁଭଳି ଅଶ୍ରୁଳ ସହାନୁଭୂତି ସହକାରେ ଚିତ୍ରଣ କରିଛନ୍ତି, ତାହା ବାସ୍ତବିକ ତାଙ୍କ ମନର ଶ୍ରଦ୍ଧା ଓ ସମ୍ବେଦନଶୀଳତାର ପରିଚୟ ଦିଏ । ଏକଥା ଲେଖକ ନିଜେ ସ୍ୱୀକାର କରିଛନ୍ତି । ସେ କହନ୍ତି, ‘‘ଏ ବିଫଳତାକୁ ମୁଁ ସବୁବେଳେ ବ୍ୟଙ୍ଗ କରିନାହିଁ । ମୋ ହୃଦୟର କରୁଣା, ସହାନଭୂତି ଓ କ୍ଷମତା ସେମାନେ ପାଇଛନ୍ତି । ସେମାନେ ମୋର ଶ୍ରଦ୍ଧାର ପାତ୍ର ଓ ପାତ୍ରୀ ।’’ (୨) ଶ୍ରୀଯୁକ୍ତ ସାହୁଙ୍କର ଗଳ୍ପର ଚରିତ୍ରମାନେ ଗାଳ୍ପିକଙ୍କ ନିକଟରେ ନିଜର ଅବସ୍ଥା ପାଇଁ ଯେପରି ସହାନୁଭୂତିର ପାତ୍ର ହୋଇ ଉଠିଛନ୍ତି, ଶ୍ରୀଯୁକ୍ତ ବସନ୍ତ ଶତପଥୀଙ୍କ ଗଳ୍ପରେ ତତୋଽଧିକ ଶ୍ରଦ୍ଧାର ପାତ୍ର ହୋଇ ଉଠିଛନ୍ତି । ‘ଏଣ୍ଟିରୋମାଣ୍ଟିକ’ ଗଳ୍ପର ଅନ୍ଧୁଣୀଟିକୁ ମଧ୍ୟ ସେ ଆପଣା ଚରିତ୍ର ଭାବେ ତୋଳି ନେଇଛନ୍ତି । ତେବେ ଶ୍ରୀଯୁକ୍ତ ଶତପଥୀ ନାରୀର ପ୍ରେମିକା ରୂପ ନୁହେଁ, ମାତୃରୂପକୁ ଅତ୍ୟନ୍ତ ଉଜ୍ଜଳ ଓ ମାର୍ମିକ ଭାବରେ ନିଜ ଗଳ୍ପରେ ଫୁଟାଇ ପାରିଛନ୍ତି । ‘ସାମାନ୍ୟ ଅଶ୍ଳୀଳ’ ଗଳ୍ପରେ ସ୍ୱାମୀ ଜଣେ ବେଶ୍ୟା ନିକଟରୁ ଫେରିଆସି ପତ୍ନୀ ପାଖରେ ଅକପଟରେ ନିଜ ଦୋଷ ସ୍ୱୀକାର କରିବା ପରେ ତାଙ୍କଠାରୁ ସାନ୍ତ୍ୱନା ପାଇ ଛୋଟ ପିଲାଟିଏ ପରି ନିଶ୍ଚିତ ହୋଇ ଶୋଇ ଯାଇଛନ୍ତି । ଏଠାରେ ସ୍ତ୍ରୀ କ୍ଷମାଶୀଳ । ବରାଭୟଦାୟିନୀ ମା’ ପାଲଟି ଯାଇଛନ୍ତି । ବସନ୍ତଙ୍କ ଗଳ୍ପରେ ଆଦିବାସୀ ସ୍ତ୍ରୀ ଲୋକଟି ସନ୍ତାନକୁ ବକ୍ଷର ଅମୃତ ଦାନକରି ଲେଖକଙ୍କ ଆଖିରେ କେବଳ ଆଦି ମାତାର ଗୌରବ ଲାଭ କରିନାହିଁ, ଅଧିକନ୍ତୁ ଲେଖକ ନିଜେ ସ୍ତନ୍ୟପାୟୀ ଶିଶୁଟିଏ ପାଲଟିଯିବା ଲାଗି ବ୍ୟାକୁଳ ହୋଇ ପଡ଼ିଛନ୍ତି । ବିରୋଧାଭାସ ରୂପେ ସହଯାତ୍ରୀ ପୋଲିସ ଦାରୋଗାର ସ୍ତ୍ରୀ ଓ ସନ୍ତାନ ଗୁଣ୍ଡଦୁଧର ଆୟୋଜନ କୃତ୍ରିମତା ପ୍ରତି ଗାଳ୍ପିକଙ୍କର ଅଶ୍ରଦ୍ଧାକୁ ସ୍ପଷ୍ଟ କରିଛି ।

 

ବସନ୍ତ ଶତପଥୀ ଓ ଫତୁରାନନ୍ଦଙ୍କ ଗଳ୍ପଗୁଡ଼ିକ ଆମରି ନିତିଦେଖା ପାରିବାରିକ ଜୀବନରୁ ସଂଗୃହୀତ ହୋଇଥିବା ସ୍ଥଳେ କଥାକାର ମହାପାତ୍ର ନୀଳମଣି ସାହୁଙ୍କର ଗଳ୍ପର ଚରିତ୍ରମାନଙ୍କ ସାଂସାରିକ ଜୀବନର ଆଧ୍ୟାତ୍ମିକ ଉତ୍ତରଣ ଚିତ୍ର ମିଳେ । ବାଦ ବା ଇଜିମ୍ ପ୍ରତି କୌଣସି ପ୍ରବଣତା ଫତୁରାନନ୍ଦ କିମ୍ବା ବସନ୍ତ ଶତପଥୀଙ୍କ ରଚନାରେ ନାହିଁ । ଗାଳ୍ପିକ ମହାପାତ୍ର ନୀଳମଣି ସାହୁଙ୍କ ରଚନାରେ ଆଧ୍ୟାତ୍ମିକବାଦର ପ୍ରକାଶ ଘଟିଛି । ଏସବୁ ସତ୍ତ୍ୱେ ଏହି ଗାଳ୍ପିକଗଣ ସମାଜ ସଚେତନ ଅଥଚ ସମାଜକୁ କୌଣସି ମେସେଜ୍ ଦେବାର ଉଦ୍ଦେଶ୍ୟରେ ଏମାନେ ଗଳ୍ପ ଲେଖି ନାହାନ୍ତି । ଯାହା ଦେଖିଛନ୍ତି, ଯାହା ଅନୁଭବ କରିଛନ୍ତି, ତାହା ହିଁ ଲେଖିଛନ୍ତି । ପାଠକ ନିଜର ବୋଧଶକ୍ତି ଅନୁସାରେ ସେମାନଙ୍କ ଗଳ୍ପର ଚରିତ୍ର, ଘଟଣା ଓ ପରିଣତିକୁ ଗ୍ରହଣ କରିବା ତହିଁରେ ପ୍ରତିଫଳିତ ହୋଇଥିବା ସତ୍ୟକୁ ନିଜ ଜୀବନର ଅନୁଭୂତିକୁ ପରୀକ୍ଷା କରିବ । ଫତୁରାନନ୍ଦ ନିଚ୍ଛକ ହାସ୍ୟରସର ସ୍ରଷ୍ଟା । ତାଙ୍କ ଗଳ୍ପଗୁଡ଼ିକ ପଢ଼ିବା ବା ବୁଝିବା ପାଇଁ ଶାଣିତ ବୌଦ୍ଧିକତା ଆବଶ୍ୟକ ନାହିଁ । ଗାଳ୍ପିକ ଶତପଥୀଙ୍କ ଗଳ୍ପରେ ଅନେକ ସମୟରେ ହସ ଓ ବ୍ୟଙ୍ଗର ସ୍ୱରକୁ ବୁଡ଼ାଇ ଦେଇ କରୁଣା ରାଗିଣୀଟିଏ ଅତି ସ୍ପଷ୍ଟ ଭାବରେ ଶୁଣାଯାଏ । ମହାପାତ୍ର ନୀଳମଣି ସାହୁଙ୍କ ରଚନାରେ କାରୁଣ୍ୟ ରସ ହିଁ ଅଗ୍ର ପ୍ରାଧାନ୍ୟ ଲାଭ କରିଛି । ସେ ନିଜେ ସାକାର କରିଛନ୍ତି ଯେ ବ୍ୟଙ୍ଗ ବିଦ୍ରୁପ ଦ୍ୱାରା ସମସ୍ୟାର ସମାଧାନ କରିବା ସମ୍ଭବ ନୁହେଁ । ସମାଜର ଦୋଷ ଦୁର୍ବଳତାକୁ କ୍ଷମାଶୀଳ ଭାବରେ ଦେଖିବା ଦ୍ୱାରା ତାଙ୍କର ରଚନାର ସ୍ୱର ବଦଳିଗଲା । ସୁମିତ୍ରାର ଉତ୍ତାଳ ହସ ଅନ୍ତରାଳରେ ତା’ହୃଦୟର ହା-ହା କାର ଓ କରୁଣା ରୋଦନ ପାଠକ ମନକୁ ସହାନୁଭୂତିରେ ଆଦ୍ର କରିଦିଏ । ଆଜିର ବସ୍ତୁବାଦୀ ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ସୁମିତ୍ରା ସତେ ଯେପରି ବଞ୍ଚିତ ନାରୀ ଜୀବନର ପ୍ରତୀକ ଭାବରେ ମହାପାତ୍ର ନୀଳମଣି ସାହୁଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି । ତେବେ ଗାଳ୍ପିକ ବସନ୍ତ କୁମାର ଯେଉଁ କରୁଣରସର ଅବତାରଣା କରିଛନ୍ତି, ତାହା ତାଙ୍କ ବ୍ୟକ୍ତିଗତ ଅନୁଭୂତିର ତୀବ୍ରତାରୁ ସୃଷ୍ଟି । ସମାଜର ଗୋଟିଏ ଅବହେଳିତ ଚରିତ୍ରକୁ ଦେଖିବା ପୂର୍ବରୁ ଗାଳ୍ପିକ ନିଜ ଅସହାୟତା ପ୍ରତି ଦରଦୀ ହୋଇ ଉଠିଛନ୍ତି ।

 

ସମାଜର ଉଚ୍ଚମଧ୍ୟବିତ୍ତ ଲୋକ ଜୀବନର ଚିତ୍ରକୁ ନିଜଗଳ୍ପ ମଧ୍ୟରେ ଚିତ୍ରିତ କରୁଥିବା ଗାଳ୍ପିକ ହେଲେ ଅଖିଳମୋହନ ପଟ୍ଟନାୟକ । ତାଙ୍କ ଗଳ୍ପକୁ ବୁଝିବାକୁ ହେଲେ ବେଶ ବୌଦ୍ଧିକତା ଓ ମାନସିକ କସରତ ଆବଶ୍ୟକ । ତେଣୁ କବି ସୌରୀନ୍ଦ୍ର ବାରିକ କହନ୍ତି ‘‘ସମାଜର ବିଭିନ୍ନ ସ୍ତରରେ ଥିବା ମଣିଷର କଥା ତାଙ୍କ ଗଳ୍ପରେ ମିଳେ ନାହିଁ । ତାଙ୍କର ସବୁ ନାୟକନାୟିକା ପ୍ରାୟ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର । ଆଭିଜାତ୍ୟ ପୂର୍ଣ୍ଣ ପରିବେଶ ମଧ୍ୟରେ ସେମାନେ ବିଚରଣ କରିଥାନ୍ତି । ବାହ୍ୟ ଜୀବନର ବିଭିନ୍ନତା ପ୍ରକାଶ କରିବା ଗାଳ୍ପିକଙ୍କ ଉଦ୍ଦେଶ୍ୟ ନୁହେଁ । ତାଙ୍କ ଉଦ୍ଦେଶ୍ୟ ଅନୁଭୂତିର ଗଭୀରତାକୁ ପ୍ରକାଶ କରି ଜୀବନର ଚିରନ୍ତନ ରହସ୍ୟକୁ ପ୍ରକଟିତ କରିବା । (୩) ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ବା ଅଙ୍ଗୀକାରର ସ୍ରଷ୍ଟା ସେ ନୁହନ୍ତି । ବସନ୍ତ କୁମାର ଶତପଥୀଙ୍କ କ୍ଷୁଦ୍ରଗଳ୍ପରେ ସେ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଗଳ୍ପ ଲେଖିନାହାନ୍ତି । ସମାଜର ନିମ୍ନବଗର୍ର ଚରିତ୍ରମାନଙ୍କୁ ନେଇ ଗଳ୍ପ ଲେଖିଲାବେଳେ, ଏମାନଙ୍କ ସହିତ ସଂଶ୍ଳିଷ୍ଟ ଉଚ୍ଚ ମଧ୍ୟବିତ୍ତ ପରିବାରର ଚରିତ୍ରମାନଙ୍କର ହିପୋକ୍ରାସୀକୁ ଚିତ୍ରିତ କରିଛନ୍ତି । ବୌଦ୍ଧିକତା ଅପେକ୍ଷା ମାନବିକତାକୁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । ମଣିଷ ମଧ୍ୟରେ ଥିବା ମଣିଷତ୍ୱ କିପରି ଧୀରେ ଧୀରେ କମି କମି ଯାଉଛି ତା’ର ଚିତ୍ର ତାଙ୍କ ଗଳ୍ପମାନଙ୍କରୁ ଦେଖିବାକୁ ମିଳେ । ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ (୧୯୨୭) ଶ୍ରୀଯୁକ୍ତ ଶତପଥୀଙ୍କ ସମସାମୟିକ ଜଣେ ବଳିଷ୍ଠ ସ୍ରଷ୍ଟା ନିଶ୍ଚୟ । କିନ୍ତୁ ତାଙ୍କ ରଚନାରେ ବୌଦ୍ଧିକତା ସୁସ୍ପଷ୍ଟ । ଗାଳ୍ପିକ ଶତପଥୀଙ୍କ ରଚନାରେ ସମାଜର ନିମ୍ନବର୍ଗ ହିଁ ଚରିତ୍ର ଭାବରେ ଉପସ୍ଥାପିତ ହୋଇଥିବା ସ୍ଥଳେ ଅଖିଳମୋହନଙ୍କ ରଚନାର ଚରିତ୍ର ସାଧାରଣତଃ ଉଚ୍ଚ ବର୍ଗରୁ ଗୃହୀତ ହୋଇଥିବାରୁ ଉଭୟ ଲେଖକଙ୍କ ଲେଖାର ବୈଶିଷ୍ଟ୍ୟ ସ୍ପଷ୍ଟ ବାରି ହୋଇପଡ଼େ ।

 

ଅଖିଳମୋହନଙ୍କ ଗଳ୍ପ ଜଗତର ନାୟକ ନାୟିକାମାନେ ସେମାନଙ୍କର ଜୀବନର ଅଧୋଗତି ପାଇଁ ଦୁଃଖ କରିନାହାନ୍ତି । ତା’ଅପେକ୍ଷା ସେମାନେ ଭ୍ରାନ୍ତି, ସ୍ୱପ୍ନ, ପ୍ରତାରଣା ଓ ମୋହ ଆଦିରେ ଜୀବନକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିଛନ୍ତି । ସତ୍ୟର ବୃଶ୍ଚିକ ଦଂଶନରେ ସେମାନେ ଭୋଗ କରନ୍ତି ମାର୍ମାନ୍ତିକ ଯନ୍ତ୍ରଣା । ପ୍ରକୃତରେ ଏଇ ଉଚ୍ଚ ମଧ୍ୟବିତ୍ତ ପରିବାର ଚରିତ୍ରମାନଙ୍କର ସତ୍ୟକୁ ସମ୍ମୁଖୀନ ହେବାର ସାହସ ନଥାଏ । ଗାଳ୍ପିକଙ୍କ ‘ଡିମିରିଫୁଲ’ ଗଳ୍ପକୁ ବିଚାରକୁ ନେଲେ ଗଳ୍ପର ମଞ୍ଜୁ ପିତାମାତାର ସବୁଅଛି । ଉନ୍ନତ ସମ୍ଭ୍ରାନ୍ତ ଘର, ଗାଡ଼ି ଏମିତି କିଛି, କିନ୍ତୁ ଏକମାତ୍ର କନ୍ୟା ବହୁ ଦୂରରେ । ମଞ୍ଜୁର ମୃତ୍ୟୁ ରହସ୍ୟ ବିଷୟରେ ତା’ର ବାପା ତା’ ମାଆକୁ କହିଦେଇ ପାରି ଥାଆନ୍ତେ, ତାହା ନ କହି, ବରଂ ‘ମଞ୍ଜୁ ବିଦେଶରେ ଗବେଷଣଣାରେ ବ୍ୟସ୍ତ ଅଛି’ – ଏ କଥା କହିବା ମଧ୍ୟରେ ସତ୍ୟ ସହିତ ସମ୍ମୁଖୀନ ହେବାର ଭୟ ସ୍ପଷ୍ଟ ବାରିହୁଏ । ସତ୍ୟ ଯେ କେତେ ନିଷ୍ଠୁର, କର୍କଶ, ପୀଡ଼ାଦାୟକ, ତାହା ଗଳ୍ପନାୟକ ସାରା ଜୀବନ ଅନୁଭବ କରିଛନ୍ତି । ତେଣୁ ସେ ବାସ୍ତବତା ଅପେକ୍ଷା ଥିମ୍ (ଗୁରୁତ୍ୱପୂର୍ଣ୍ଣ ଭାବବାହୀ ବିଷୟବସ୍ତୁ)କୁ ଗୁରୁତ୍ୱ ଦେଇଛନ୍ତି । ସେ ନିଜେ ଏକ ସାକ୍ଷାତକାରରେ କହନ୍ତି ‘‘ମୋର ବଡ଼କଥା ହେଲା ଉପଯୁକ୍ତ ଥିମ୍ ଭିନ୍ନ ଭଲ ଗଳ୍ପ ହେବନାହିଁ । ପୁଣି ଗଳ୍ପ ଭିତରେ human element ବଡ଼କଥା, ଯାହା ଗଳ୍ପକୁ ବଡ଼ କରେ । ଥିମ ନ ଥାଇ ଭାଷା ଓ ଶୈଳୀର ଯେତେ କଂକ୍ରିଟ ଦେଲେ ବି ତାହା ଗଳ୍ପ ହେବନାହିଁ । ମାନବିକତା ନ ଥିଲେ ଗଳ୍ପ ମଣିଷ ମନକୁ ସ୍ପର୍ଶ କରିବ କାହିଁକି ?’’ (୪) ବସନ୍ତ ଶତପଥୀଙ୍କ କାଠ ଗଳ୍ପରେ ଗଳ୍ପନାୟକ ବୃଦ୍ଧ କାଠ ଚିରାଳିକୁ ବାସିରୁଟି ଦୁଇପଟ ଦେଇ ତା’ର ଘରବାଡ଼ି କଥା ପଚାରି ନ କରିବା କାମ ମଧ୍ୟ କରେଇ ନେଇଛନ୍ତି । ଗଳ୍ପନାୟକ ବଡ଼ଲୋକ, ମାତ୍ର ଭିତରେ ଛଳନାର ଇନ୍ଦ୍ରଜାଲରେ ଛନ୍ଦି ହୋଇଛନ୍ତି । ସାଧାରଣ ଲୋକଟି ପାଖରେ ସତ୍ୟ କହିବାର ସାହସ ନାହିଁ । ବରଂ ପରିଣତିରେ ନିରୀହ ଲୋକଟିକୁ ଅବିଶ୍ୱାସ କରିଛନ୍ତି । ଉଚ୍ଚବର୍ଗର ହିପୋକ୍ରାସିକୁ ଦେଖାଇବା ସହିତ ସେ ମାନବିକ ମୂଲ୍ୟବୋଧର ତର୍ଜମା କରିଛନ୍ତି । ଚାରଣା ପଇସା ହୁଏତ ସେ ନ ଫେରାଇ ପାରେର ପଦେ କଥାରେ ସମୁଦାୟ ପଇସା ସେ ଗଳ୍ପ ନାୟକଙ୍କ ଉପରକୁ ଫୋପାଡ଼ି ଦେଇଯିବା ମଧ୍ୟରେ ସାଧାରଣ ଲୋକର ମାନବିକତାକୁ ସେ ଅନୁଭବ କରିଛନ୍ତି । ଏ ମାନବିକତା ସ୍ଵାଭିମାନର ମାନବିକତା । ଅଖିଳମୋହନଙ୍କ ଗଳ୍ପରେ ପ୍ରାଚୁର୍ଯ୍ୟ ମଧ୍ୟରେ ମଣିଷ ଶାନ୍ତି ପାଉନାହିଁ । ଶ୍ରୀଯୁକ୍ତ ଶତପଥୀଙ୍କ ଗଳ୍ପରେ ଆଜିର ସମ୍ଭ୍ରାନ୍ତ ବୋଲାଉଥିବା ହିପୋକ୍ରାସୀ ମଣିଷର ଶଠତାଗୁଣ ତାକୁ ଶାନ୍ତି ଦେଇପାରୁ ନାହିଁ । ତେଣୁ ଗାଳ୍ପିକ ଶତପଥୀ କହୁଥିଲେ – ‘ସେ ନୀଚତା, ଫୁଟାଣି ଓ ଭଣ୍ଡାମିକୁ ଘୃଣା କରନ୍ତି ଏବଂ ପିନ୍ କଣ୍ଟା ମାରି ରବର ବେଲୁନ୍ ଫୁଟାଇବାକୁ ଭଲପାଆନ୍ତି ।’ ଜୀବନର କଳାର ବାସ୍ତବ ଧର୍ମକୁ ସେ ଅନୁଭବ କରିଥିଲେ ।

 

ଅଖିଳମୋହନ ଓ ବସନ୍ତ କୁମାର ଉଭୟ ଅତି ବାସ୍ତବବାଦୀ (Surrealist) ଗାଳ୍ପିକ । ଯାହା ବାସ୍ତବ ଜଗତରେ ସାଧାରଣ ଭାବେ ସମ୍ଭବ ନୁହେଁ । ଯାହା ବିରୋଧର ସମ୍ମୁଖୀନ ହୁଏ । ଅତିବାସ୍ତବବାଦୀ ଚିନ୍ତାଧାରାର ବ୍ୟକ୍ତିବିଶେଷ ଅବଚେତନର ବିମନ୍ଥନ ଓ ରୂପାୟନ ମଧ୍ୟଦେଇ ମନର ବିକୃତ, ବିଦ୍ରୋହାତ୍ମକ ଚିନ୍ତାଧାରାକୁ ସୁନ୍ଦରଭାବରେ ରୂପାୟିତ କରିଥାନ୍ତି । ଅଖିଳମୋହନଙ୍କ ‘ଚନ୍ଦ୍ରର ଅଭିସାର’ ‘ଲାମ୍ଫ ପୋଷ୍ଟର ଇତିକଥା’ ଗଳ୍ପରୁ ଏହା ଜଣାଯାଏ । ସ୍ଥାଣୁ ଲାମ୍ପପୋଷ୍ଟ ସହିତ ଗଳ୍ପନାୟକ ଯଶୋଦା ଜୀବନକୁ ଓ ନିଜକୁ ଚିହ୍ନିବାକୁ ଚେଷ୍ଟା କରିଛନ୍ତି । ବସନ୍ତବାବୁଙ୍କ ‘ଆକାଶ ଫୁଲ’ ଗଳ୍ପରେ ଆତ୍ମହତ୍ୟା କରିବାକୁ ଯାଉଥିବା ଅଧ୍ୟାପକ ନିଜ ଜୀବନର ରହସ୍ୟ ପାଇଛନ୍ତି ସୀତାହାର ଫୁଲର ମେଲଣରୁ । ସେହିପରି ‘ଅଜାଗା ଘା’ର ଯନ୍ତ୍ରଣାରେ ମଧ୍ୟ ଗାଳ୍ପିକ ଜୀବନର ଭିନ୍ନ ସ୍ୱାଦକୁ ଅନୁଭବ କରନ୍ତି ।

 

ଉଭୟ ଅଖିଳମୋହନ ଓ ବସନ୍ତକୁମାର ମଣିଷର ଦାରିଦ୍ର୍ୟ, ଅସହାୟତାକୁ ଦେଖାଇବା ବେଳେ ଅଜ୍ଞାତସାରରେ ନିଜର ଅସହାୟତାକୁ ପ୍ରତିପାଦନ କରିଛନ୍ତି । ଅଖିଳ ମୋହନଙ୍କ ସେହି କଥାଟି ସତ୍ୟ ମନେହୁଏ । ‘‘କିନ୍ତୁ ଆଜି ଏ ପରିଣତ ବୟସରେ ମୁଁ ବୁଝୁଛି ସେ ଗଳ୍ପ କାହିଁକି, ଯେକୌଣସି ସୃଜନଶୀଳ ସାହିତ୍ୟର ବିଭାଗରେ ଲେଖିବା ସମ୍ଭବ ନୁହେଁ । ଯଦି ଲେଖକର ଗଭୀର ଯନ୍ତ୍ରଣାବୋଧ ନ ଥାଏ । ଆମେ ଯେପରି ଆମ ଦୁଃଖ ଦୀନବନ୍ଧୁ ଆଗରେ କହିଦେଉ ଦୁଃଖ ଲାଘବ ପାଇଁ, ଠିକ୍ ସେହିପରି ଲେଖକ ଯନ୍ତ୍ରଣାରେ ଛଟପଟ ହୁଏ, ନିଜକୁ ପ୍ରକାଶ କରିଦେବା ପାଇଁ ରାସ୍ତା ଖୋଜେ ଓ ସେ ଜଣକୁ ଏକୁଟିଆ କହି ନ ଦେଇ ଲେଖକର ମାଧ୍ୟମ ଗ୍ରହଣ କରେ ନିଜର ସେହି ଯନ୍ତ୍ରଣା ଲବ୍‌ଧ ଆନନ୍ଦକୁ ସାର୍ବଜନୀନ କରିବା ପାଇଁ ।’’ (୫)

 

ବସନ୍ତ ଶତପଥୀଙ୍କ ଅନ୍ୟତମ ସମସାମୟିକ ପ୍ରତିଷ୍ଠିତ ଗାଳ୍ପିକ କିଶୋରୀ ଚରଣ ଦାସ (୧୯୨୪) । ସମାଜର ଅତି ଉଚ୍ଚବର୍ଗର କଥାକୁ ନେଇ ତାଙ୍କର ଗଳ୍ପ ରୁଦ୍ଧିମନ୍ତ । ଉଚ୍ଚବର୍ଗର ପୂର୍ଣ୍ଣତା ମଧ୍ୟରେ ଶୂନ୍ୟତାକୁ ସେ ବେଶ ଅନୁଭବ କରି ପାରିଛନ୍ତି । ସକଳ ପ୍ରକାର ପ୍ରାଚୁର୍ଯ୍ୟ ମଧ୍ୟରେ ସେମାନେ ମାନସିକ ଅବକ୍ଷୟର ଶିକାର ହେଉଛନ୍ତି । ସେ ନିଜେ କହନ୍ତି ‘‘କାଳେ ମୁଁ ସେମାନଙ୍କୁ ରୋମାଣ୍ଟିକ ଅଥବା ଉଦାର ଦୃଷ୍ଟିରେ ଦେଖିବି, ମୋର ମଧ୍ୟବିତ୍ତ ଦୋଷରେ ଦୂଷିତ କରି କିମ୍ବୁତ କିମାକାର କରି ଥୋଇବି ।’’ ଏହିଭାବରେ ଦେଖିବାକୁ ଗଲେ କିଶୋରୀ ଚରଣ ଉଚ୍ଚ ମଧ୍ୟବିତ୍ତ ସମାଜର ପ୍ରତିନିଧି ଏହି ଉଚ୍ଚବର୍ଗର ଚିତ୍ର ପ୍ରଦାନ କଲାବେଳେ ଅଧିକାଂଶ ଗଳ୍ପେ ବସନ୍ତଙ୍କ ସଦୃଶ ଗାଳ୍ପିକ ନିଜେ ହିଁ ଗଳ୍ପ ନାୟକ । ‘ଭଙ୍ଗା ଖେଳନା’, ‘ମଣିହରା’, ‘ଗମନ’ ଆଦି ଗଳ୍ପଗୁଡ଼ିକ ଏହି ଶ୍ରେଣୀର । ବସନ୍ତ ଶତପଥୀଙ୍କ ‘ଟି.ଭି. କ୍ଲବ’, ‘ଚା’, ‘କୁକୁର’, ‘କାଣିଚିଆଁ’, ‘ଗୋଟାଏ ଆଳୁ’, ‘ନୀତାଶ୍ରୟୀ’ ‘ପେଜର ଅପରେଶନ’ ଆଦିରେ ଗାଳ୍ପିକ ନାୟକ ଭାବରେ ନିଜର ଆଭିଜାତ୍ୟର ରୂପଟିକୁ ଦେଖାଇବାକୁ ଯାଇ ତା’ତଳେ ଥିବା ଅସହାୟତାକୁ ମଧ୍ୟ ଦେଖାଇଛନ୍ତି । କଥାବସ୍ତୁକୁ ଚିତ୍ରଣ କଲାବେଳେ ଓ ଚରିତ୍ରକୁ ଚିତ୍ରଣ କଲାବେଳେ ତାଙ୍କର ଗୋଟିଏ ନୂତନ ଆବିଷ୍କାର ଚିନ୍ତାଧାରା ଥାଏ । ଏ ଆବିଷ୍କାର ତାଙ୍କର ‘ମୁଁ ର ନିକଟତର ହେବା । ଏହି ନିକଟତା ନିକଟରେ ଅଛି ଅନୁଭୂତିର ଗଭୀରତା । ପାଠକ ଏହାକୁ ପାଠକଲା ବେଳେ ଲେଖକ ‘ମୁଁ ସାମିଲ ହୋଇଯାଏ । ଏହି ‘ମୁଁ’ ଜରିଆରେ ବିଶ୍ୱକୁ ଦେଖିବା ତାଙ୍କର ଆବିଷ୍କାର ।

 

ବସନ୍ତ ଶତପଥୀଙ୍କ ଗଳ୍ପପରି କିଶୋରୀ ଚରଣ ମଧ୍ୟ ତାଙ୍କ ଗଳ୍ପ ମଧ୍ୟରେ କାରୁଣ୍ୟକୁ ଗୁରୁତ୍ୱ ଦେଇଛନ୍ତି । ମାତ୍ର ତାଙ୍କର ବର୍ଣ୍ଣିତ କାରୁଣ୍ୟ ପରିଣତିରେ ପହଞ୍ଚିପାରି ନାହିଁ । ନାରୀ ମନର ଅନ୍ଧାରି ମୁଲକର ସନ୍ଧାନ କରୁ କରୁ ଗଳ୍ପ ତାଙ୍କର ଶେଷ ହୋଇଯାଇଛି । ଗଳ୍ପ ମୁହୁର୍ତ୍ତ ସର୍ବସ୍ୱ ହେଲେ ମଧ୍ୟ ସମଗ୍ର ଜୀବନର ଏକ ପ୍ରତିବିମ୍ବ ଛଲକ ଖେଳିଯାଏ । କିଶୋରୀ ଚରଣଙ୍କ ଗଳ୍ପଗୁଡ଼ିକ ମୂହୁର୍ତ୍ତର ଭାବକୁ ବେଶ ପ୍ରକାଶ କଲେ ମଧ୍ୟ ପରିଣତି ସହିତ ସେମାନେ ଖାପଛଡ଼ା ହୋଇଉଠନ୍ତି । ‘କୁଆପଥର’ ଗଳ୍ପର ଚଂଚିତା ପରି ଚରିତ୍ର ମନରେ ଏତେ ଆଲୋଡ଼ନ ସୃଷ୍ଟି କରିପାରି ନାହାନ୍ତି, ଯେଉଁ ଆଲୋଡ଼ନ ସମାନ୍ତର ଭାବେ ନାରୀ ମନର ଅସହାୟତା ବୋଧକୁ ବସନ୍ତଙ୍କ ଗଳ୍ପରେ ଦେଖିବାକୁ ମିଳେ । ନାରୀ ମନର ସମସ୍ୟାକୁ ନେଇ କିଶୋରୀ ଚରଣଙ୍କର ‘ଶୀତକାର’, ‘ବଡ଼ଅପା’, ‘ଜିଘାଂସା’ ଓ ‘ଦଶହରାଠୁ ଦିୱାଲୀ ଯାଏ’ ଗଳ୍ପଗୁଡ଼ିକର ନାୟିକା ମୋନା, ସୁମତି ବା ‘ଶୋଭନା ଦେଶାଇ’ ସମସ୍ତେ ଆଭିଜାତ ଶ୍ରେଣୀର । ଏମାନଙ୍କର ସମସ୍ୟା ସମାଜ ବା ପାରିପାର୍ଶ୍ଵିକ ପରିବେଶର ସୃଷ୍ଟି ନୁହେଁ । ବରଂ ବେଶିଭାଗରେ ମାନସିକ ଓ ପାରିବାରିକ ବୋଲି ମନେହୁଏ । ପ୍ରେମ ବା ସେକ୍‌ସ ପ୍ରତି ବିରକ୍ତ ମନା ସୁଲକ୍ଷଣା ପୁଣି ପ୍ରୌଢ଼ ବୟସର ଯୁବକ ଆଇ.ଏ.ଏସ୍. ସହିତ ଦେହଭୋଗର କାମନାରେ ଜଳିବା, ପୁଣି ଦେଶସେବାକୁ ନିଜ ଜୀବନର ବ୍ରତ ବୋଲି ଗ୍ରହଣ କରିନେବା ମଧ୍ୟରେ ବିରୋଧାଭାସ ସୃଷ୍ଟି କରେ । ଏସବୁ ସତ୍ତ୍ୱେ ତାଙ୍କର ଗଳ୍ପସବୁରୁ ଊଣା ଅଧିକ ସେକ୍‌ସ ଚିନ୍ତଧାରା ପ୍ରକଟିତ ହୁଏ । ବସନ୍ତ ଶତପଥୀଙ୍କ ‘ଚିତ୍ରପ୍ରତିମା‘ ଗଳ୍ପର ଫ୍ଲାଟ ଅଧିବାସୀମାନେ ନିଜ ନିଜର ସ୍ୱାମୀଙ୍କ ଅନୁପସ୍ଥିତିରେ ନିଜ ନିଜର କାମନାର ଜ୍ୱାଳାକୁ ପରପୁରୁଷ ଦ୍ୱାରା ପ୍ରଶମିତ କଲାପରେ ବେଶ ନିଜ ବଡ଼ପଣରେ ମସଗୁଲ ।

 

ଭାଷା ପ୍ରୟୋଗ କ୍ଷେତ୍ରରେ ସାଙ୍କେତିକ ଭାଷାର ପ୍ରୟୋଗ ଉଭୟ ଗାଳ୍ପିକଙ୍କ ମଧ୍ୟରେ ଦେଖାଯାଏ । ପ୍ରଚ୍ଛନ୍ନ ବ୍ୟଙ୍ଗର ପ୍ରକାଶ କିଶୋରୀ ଚରଣଙ୍କ ଗଳ୍ପରେ ଦେଖାଯାଏ । ସହଜ ଭାଷା ମଧ୍ୟରେ ଅନେକ ସାଙ୍କେତିକ ଭାବର ପ୍ରକାଶକ କିଶୋରୀ ଚରଣ । ‘ବଡ଼ଅପା’ ଗଳ୍ପରୁ ଉଦାହରଣଟିଏ ନିଆଯାଇପାରେ ‘‘ମୁଁ ତାଙ୍କୁ ଏତେ ଭଲପାଏ ବୋଲି ପଳେଇବି ନହେଲେ ମଞ୍ଜିରୁ ଗଛ ଉଠିବ । ମୋର ଚେହେରା ବଦଳିଯିବ ।’’ ଦେଶସେବାକୁ ବ୍ରତକରି ନେଇଥିବା ସୁଲକ୍ଷଣାର ଏ ପ୍ରତିକ୍ରିୟା ଆଧୁନିକ ନାରୀମନର ଚିତ୍ର ଠିକ୍ ଭାବରେ ପ୍ରତିଭାତ କରିପାରେ । ବସନ୍ତ ଶତପଥୀ ସାଙ୍କେତିକ ଭାଷାର ପ୍ରୟୋଗରେ ତୀର୍ଯ୍ୟକ ଦୃଷ୍ଟିକୋଣ ପରିଲକ୍ଷିତ ହୁଏ । ଏହା ପାଠକକୁ ଗଳ୍ପପାଠ ମଧ୍ୟରୁ ଜୀବନୀୟ ଭାବଜଗତକୁ ନେଇଯାଏ । ତାଙ୍କ ଗଳ୍ପର ଭାଷା ବୌଦ୍ଧିକ ନୁହେଁ । ତାଙ୍କର ଭାଷା ହାସ୍ୟୋଦ୍ଦୀପକ କରୁଣ ଭାବ ମିଶ୍ରିତ ଭାଷା । ଯେପରି ଗଳ୍ପର ନାଆଁ ‘ଏଣ୍ଟିରୋମାଣ୍ଟିକ’ । ରୋମାଣ୍ଟିକ ଭାବର ମୂଳମନ୍ତ୍ର ‘ମୁଁ’ରେ ପର୍ଯ୍ୟବେଶିତ । ମାତ୍ର ‘ଏଣ୍ଟିରୋମାଣ୍ଟିକ’ରେ ଅଭିବ୍ୟକ୍ତ ‘ମୁଁ’ ଭାବପ୍ରବଣ ‘ମୁଁ’ ନୁହେଁ, ଯୁକ୍ତିନିଷ୍ଠ । ସେ ନିଜେ ‘ଗୋଟାଏ ଆଳୁ’ ଗଳ୍ପ ପୁସ୍ତକର ମୁଖବନ୍ଧରେ କହିଛନ୍ତି – ‘‘ମୁଁ ଇଂରାଜୀ ସାହିତ୍ୟର ଅଧ୍ୟାପକ । ସର୍ବଦା ବକ୍ର ଦୃଷ୍ଟିକୋଣ, ଶ୍ଳେଷ, ବ୍ୟଙ୍ଗ ଓ ବିଦ୍ରୁପ ବକ୍ରୋକ୍ତି ଆଦି ଅସ୍ତ୍ରଶସ୍ତ୍ର ହାସ୍ୟ କରୁଣା ରସରେ ରସାଣିତ କରି ପରଶିବା ମୋର ଅଭ୍ୟାସ- ପ୍ରକୃତି ଧର୍ମ ।’’ ସେହିପରି ଏକ ଉଦାହରଣ ନିଆଯାଇପାରେ ବସନ୍ତବାବୁଙ୍କ ଅବଶୋଷ ଗଳ୍ପରୁ – ‘‘ମାଆ ଯେ ମାଉସୀଙ୍କୁ କି ଆଖିରେ ଦେଖୁଥିଲା, ହିଂସା, ଦ୍ୱେଷ, ଈର୍ଷା ବା ସନ୍ଦେହ ଆଦି ତା ହୃଦୟରେ ଥିଲା କି ନାହିଁ ପାକଳ ବୟସରେ ବି ଜାଣିପାରିଲା ନାହିଁ । ସେହିପରି ପ୍ରାୟ ଅଜଣା ରହିଲା ବାପା ସହିତ ମାଉସୀର ସମ୍ପର୍କ, ଅର୍ଥାତ ସେ ଦୁହେଁ ପରସ୍ପକୁ କେଉଁ ଦୃଷ୍ଟିରେ ଦେଖୁଥିଲେ । ବାପା, ମାଆ ଓ ମାଉସୀକୁ ନେଇ ଏ ଯେଉଁ ତ୍ରିଭୁଜ ତାହାର ରୂପରେଖ ଯେପରି ରହସ୍ୟମୟ, ସେମିତି ବିସ୍ମୟକର ତଥା କୁତୁହଳପ୍ରଦ । ସେମାନେ ଏକାନ୍ତରେ ଖୁସିଗପ ଥଟ୍ଟା, ତାମସା ହେବାର ଆମେ ଦେଖୁନାହୁଁ ।

 

କିଶୋରୀ ଚରଣଙ୍କ ଭାଷା ମନପ୍ରାଣକୁ ଛୁଇଁ ପାରୁଥିବା ଭାଷା । ନିତିଦିନିଆ ଜୀବନରୁ ସେ ଶବ୍ଦ ଚୟନ କରନ୍ତି । ପୁଣି ଖୁବ ଚିତ୍ତ ଆଚ୍ଛନ୍ନକାରୀ ପରିବେଶର ବର୍ଣ୍ଣନାରେ ତାଙ୍କର ଗଳ୍ପର କୋଣାର୍କ ଗଢ଼ି ଉଠେ । ବସନ୍ତ ଶତପଥୀ ତାଙ୍କ ଗଳ୍ପରେ କିଶୋରୀ ଚରଣଙ୍କ ପରି ନିତିଦିନିଆ ଭାଷାକୁ ବ୍ୟବହାର କରିଛନ୍ତି । ‘ଗରିବୀ ହଟାଓ’ ଗଳ୍ପରୁ ଗୋଟିଏ ଉଦାହରଣ ଦେଲେ ବସନ୍ତ ଶତପଥୀଙ୍କ ଆକର୍ଷଣୀୟ ଭାଷାର ପ୍ରୟୋଗ ବୁଝାପଡ଼ିବ- ‘‘ବେଞ୍ଚରୁ କଷ୍ଟେମଷ୍ଟେ ଓହ୍ଲାଇ ପଡ଼ି ଗୋଟାଇବାକୁ ଯେମିତି ସେ ହାତ ବଢ଼ାଇଛି ସେମିତି ମୋଟ ବହଳ ଧୋତିଟା ତା’ଉପରେ ଦେହରୁ ତଳକୁ ଗୋଟିକଯାକ ଖସିଗଲା । କି ଆଶ୍ଚର୍ଯ୍ୟ ! ସୁସ୍ଥା ବିବାହିତା ଯୁବତୀର ପଦ୍ମକୋଷରେ ଅଭିଲୀନ ଭ୍ରମରର ଭ୍ରମ ସଂଚାର କରୁଥିବା ପଦ୍ମଯୋଡ଼ିକ ଗଲା କୁଆଡ଼େ ? କେବଳ ବଡ଼ ବଡ଼ ଭ୍ରମର ପରି ଯୋଡ଼ିଏ ଚୂଚୁକାଗ୍ର । କାଳିଦାସଙ୍କ ପୁରାଣ ପ୍ରସିଦ୍ଧ ରୋମାଣ୍ଟିକ ନାୟିକାର ପଙ୍କଜ ବନରେ ବଡ଼ଜେନାଙ୍କ ମାର୍ଜାରମୁଖୀର ଦିଓଟି ‘ଗୁବାକ’ ବା ‘ଇୟେ’ ଖେଳୁଥିବା ଯୋଡ଼ାଏ ଗେଣ୍ଡା ଆସିଲା କେମିତି ? ତରୁଣୀ ନାରୀ ପ୍ରତି ଭଗବାନଙ୍କର ଏ କି ବିଦ୍ରୁପ ? ଯେତିକି ବିଭତ୍ସ, ସେତିକି କରୁଣ । ଏତେ କମ୍‍ ବୟସ ଅଥଚ ବିଚିତ୍ର ଆମ ଦେଶ । ‘ଶ୍ରୀଯୁକ୍ତ ଶତପଥୀ ପାତ୍ରୋପଯୋଗୀ ଭାଷାର ବ୍ୟବହାର କରିଛନ୍ତି । ଆଦିବାସୀ ମୁଖରେ ଆଦିବାସୀ ଭାଷା, ସଭ୍ୟ ଶିକ୍ଷିତ ମୁଖରେ ଆଭିଜାତ୍ୟର ଭାଷା । ଭାଷା ପ୍ରୟୋଗେ ବସନ୍ତ କୁମାରଙ୍କର ଅନନ୍ୟ ପ୍ରତିଭା ପ୍ରତିଭାତ ହୋଇଛି ।

 

ବସନ୍ତଙ୍କ ଅନ୍ୟ ଜଣେ ସମସାମୟିକ ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟ (୧୯୩୩) । ଶାନ୍ତନୁ ଆଚାର୍ଯ୍ୟ ସରଳ ଗଳ୍ପର ପ୍ରବକ୍ତା ନୁହନ୍ତି । ତାଙ୍କ ଗଳ୍ପରେ ଦୁଇଟି ଦିଗ ଥାଏ । ଗୋଟିଏ ଦିଗରେ ପାଠକ ବୁଲୁବୁଲୁ ଅତୃପ୍ତି ଓ ହତାଶାରେ ଆଚ୍ଛନ୍ନ ହୋଇଥାଏ – କାରଣ ଏକ ଆଧିଭୌତିକ ଚେତନା ରାଜ୍ୟରେ ସେ ପ୍ରବେଶ କରିଯାଏ । ଅନ୍ୟ ଗୋଟିଏ ଦିଗରେ ଅତିବାସ୍ତବବାଦୀ ଚିନ୍ତାଧାରା । ଗାଳ୍ପିକଙ୍କ ‘ଭକ୍ତଲୋକ’, ଯେଉଁଠି ମୀନ ଖେଳୁଛି’, ‘ଚାଲ ସେଇଠିକି ଯୋଉଠି ଭଗବାନ ଅଛନ୍ତି’ । ଗଳ୍ପଗୁଡ଼ିକ ସାଧାରଣ ଅର୍ଥରେ ଯାହା ବୁଝାଯାଏ, ତା’ଠାରୁ ଅନ୍ୟ ଏକ ଅର୍ଥରେ ଧାବିତ । ରହସ୍ୟ, ସଂଶୟ, ଭାବାନ୍ତର ଆଦି ନାନାଦି ଭାବରେ ବାହକ । ବାଘର ବାରମ୍ବାର କିଶୋରଟି ଉପରକୁ ଲମ୍ଫ ପ୍ରଦାନ ଓ ଗଛ ଡାଳରେ ଚଢ଼େଇର ଆଖିରୁ ଆନନ୍ଦାଶ୍ରୁ ଓ କଣ୍ଠରୁ ଲଳିତ ମୁର୍ଚ୍ଛନାର ସଂଗୀତ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ଅଧିକାଂଶ ଗଳ୍ପରେ ଶାନ୍ତନୁବାବୁ ଭାରତବର୍ଷର ଅନ୍ତରାତ୍ମାର ଅନ୍ୱେଷଣରେ ବ୍ରତୀ । ଯୁଗ ଯୁଗର ସଂସ୍କାର, କୁସଂସ୍କାର, ବିଶ୍ୱାସ, ଅବିଶ୍ୱାସ ଦୈତ୍ୟଧାରାରେ ମହୀୟାନ । ତାଙ୍କର ଗଳ୍ପର ବିଷୟବସ୍ତୁ ଶସ୍ତା ପ୍ରେମର ଫୁଆରା ନୁହେଁ । ପାଠକର ମନକୁ ଗଭୀରଭାବେ ଆଚ୍ଛନ୍ନ କରି ରଖୁଥିବା ଗାଳ୍ପିକ ସେ ଅଟନ୍ତି । ମୃତ୍ୟୁର ଚରଣ ସତ୍ୟତାକୁ ଶାନ୍ତନୁବାବୁ ଉପଲବ୍‌ଧି କରିଛନ୍ତି ଓ ତାହା ତାଙ୍କ ଗଳ୍ପରେ ପ୍ରତିପାଦିତ କରିଛନ୍ତି । ବୈଜ୍ଞାନିକ ସତ୍ୟତାର ପ୍ରବକ୍ତା ଅପେକ୍ଷା ମାନବିକ ସତ୍ୟକୁ ବେଶି ଭାବରେ ଗୁରୁତ୍ୱ ଦେଇଛନ୍ତି । ଯୁଗଯୁଗର ବିଶ୍ୱାସକୁ ବୈଜ୍ଞାନିକମାନେ ଅଳିକ କହିଲେ ମଧ୍ୟ ସେ ଏହାକୁ ଜୀବନର ସତ୍ୟବୋଲି ଗ୍ରହଣ କରିଛନ୍ତି । ଏ ଦୃଷ୍ଟିରୁ ଶାନ୍ତନୁବାବୁ ଜଣେ ରକ୍ଷଣଶୀଳ ଗାଳ୍ପିକ ଭାବରେ ପ୍ରତୀୟମାନ ହୁଅନ୍ତି-। ତାଙ୍କର ‘କରଞ୍ଜିଆ ଡାଏରୀ’, ବଣ ମୂଲକର ଗଳ୍ପଗୁଡ଼ିକ ଏଇ ଧରଣର । ଯେପରି ଭୂତଗଳ୍ପ, ‘କାଳିଆ- ଏକ ପରିବାରର ପୋଷାଭୂତ’, ‘ଯନ୍ତାଘୂରା’, ‘ପତ୍ରୀଙ୍କ ବେତାଳ’, ‘ଯଶୀପୁର ମଠ : ଶାଳଗ୍ରାମ ଓଜନ ବଢ଼ୁଛି’ ଆଦି ଗଳ୍ପରେ ତାଙ୍କର ଲୋକ ଉପାଦାନ ଭରପୂର । ବସନ୍ତ ଶତପଥୀ ଏହି ଲୋକ ବିଶ୍ୱାସକୁ ନେଇ କିଛି ଗଳ୍ପ ଲେଖିଛନ୍ତି । ଯେପରି ‘କାଣିଚିଆଁ’ ଗଳ୍ପର ଶିମୁଳିଗଛ, ବ୍ରହ୍ମରାକ୍ଷଣ, ରକ୍ତବାନ୍ତି କରିବା, ଆଦି ଘଟଣା ଏହାର ଏକ ନମୁନା । ସେହିପରି ‘ଅଲୌକିକ’, ‘ଲୋକେ କ’ଣ କହିବେ’ ଆଦି ଗଳ୍ପରେ ଜଗନ୍ନାଥଙ୍କ ମହିମା, ବଧିରା ହାତର ସ୍ପର୍ଶଶକ୍ତି, ସ୍ୱର୍ଗଲୋକ ଆଦି ଲୋକ ଉପାଦାନକୁ ଗ୍ରହଣ କରିଛନ୍ତି । ପଦାର୍ଥ ବିଜ୍ଞାନର ଗବେଷଣା କେତୋଟି ଗ୍ରହଗ୍ରହାନ୍ତରକୁ ଗତି କଲାବେଳେ ଏହି ଦିବ୍ୟଚେତନା ସୂକ୍ଷ୍ମସ୍ତରରେ କେଉଁ ସ୍ତରକୁ ଚାଲିଯାଇଛି ତା’ର କୌଣସି ନିର୍ଦ୍ଦିଷ୍ଟ ସ୍ଥିରତା ନାହିଁ । ଶାନ୍ତନୁ ବାବୁଙ୍କ ପରି ବସନ୍ତକୁମାର ମଣିଷକୁ ଭଲ ପାଇଛନ୍ତି-

 

ଅନ୍ୟ ଦିଗରେ ଶାନ୍ତନୁ ଆଚାର୍ଯ୍ୟଙ୍କ ବାସ୍ତବବାଦୀ ଦୃଷ୍ଟିକୋଣ ଏକ ବିଚାର୍ଯ୍ୟ ଦିଗ । ସମୟ, ସମାଜ ଓ ରାଜନୈତିକ ଚିତ୍ରକୁ ମଧ୍ୟ ସେ ବାସ୍ତବ ଦୃଷ୍ଟିକୋଣରୁ ଚିତ୍ରିତ କରିଛନ୍ତି । ‘କ୍ଲାସମେଟ’ ଗଳ୍ପରେ ସରକାରୀ ଶାସନକଳର ଅଯଥା ବିରୋଧୀ ଦଳର କୋକୁଆ ଭୟ ଉତ୍ସୁକତାକୁ କିପରି ନଷ୍ଟ କରେ ତା’ର ଚିତ୍ର ଦେଇଛନ୍ତି । ଅତି ତୀକ୍ଷ୍ମ ବ୍ୟଙ୍ଗାତ୍ମକ ଶୈଳୀରେ ସେ ଯେପରି ଏହାକୁ ସମାଲୋଚନା କରିଛନ୍ତି, ଠିକ୍ ସେହିପରି ବସନ୍ତ ଶତପଥୀ ମଧ୍ୟ ‘ଉନ୍ନୟନ’ ଗଳ୍ପରେ ରାଜନୈତିକ ଭ୍ରଷ୍ଟାଚାରକୁ ରୂପ ଦେଇଛନ୍ତି । ଉଭୟ ଗାଳ୍ପିକ ମାନି ନେଇଛନ୍ତି ଅର୍ଥ ଆଜି ସମାଜକୁ କବଳିତ କରିଛି । ସମାଜର ଅଧୋଗତି ହେଉଛି । ଶାନ୍ତନୁବାବୁ ଆଗାମୀ ଦିନରେ ସମାଜ ସୁଧୁରିଯିବ ବୋଲି ଆଶାବାଦୀ ହେବାବେଳେ ବସନ୍ତ ଶତପଥୀ ତାହା ପ୍ରଳୟ ପରେ ଶାନ୍ତି ଫେରିବ ବୋଲି ଭାବିଛନ୍ତି । ରାଜନୀତି ଏକ ବିରାଟ ରାକ୍ଷସ ପରି ସମସ୍ତଙ୍କୁ ଗ୍ରାସ କରିଚାଲିଛି । କୃଷିକାରୀ ସଭ୍ୟତା ଧୀରେ ଧୀରେ ଭାଙ୍ଗିଯାଉଛି । ଗ୍ରାମ୍ୟଜୀବନ ଶାନ୍ତି ନଷ୍ଟ ହୋଇଯାଇଛି । ବିଚ୍ଛିନ୍ନ ଯୌଥ ପରିବାର ଜନିତ ବ୍ୟକ୍ତି ସ୍ୱାର୍ଥପରତା ହିଁ ଏହାର ପ୍ରଧାନ କାରଣ ଭାବରେ ଉଭୟ ଗାଳ୍ପିକଙ୍କ ଗଳ୍ପରୁ ଦେଖିବାକୁ ମିଳେ ।

 

ଶାନ୍ତନୁ ଆଚାର୍ଯ୍ୟ ପ୍ରତୀକ ଭାଷା ଅପେକ୍ଷା ପ୍ରତୀକଭାବ ଓ ଚିତ୍ରକଳ୍ପକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦେବାର ଦେଖାଯାଏ । ଗଳ୍ପର ଶେଷଭାଗଟି ଅତି ଚମତ୍କାର ଭାବରେ ଗାଳ୍ପିକ ଲେଖିଥାନ୍ତି । ଯେପରି ପାଠକର ପୁନରାବୃତ୍ତି ପାଇଁ ଆଗ୍ରହ ସୃଷ୍ଟି କରିବ । ଭିତିରି ଅର୍ଥ ଖୋଜି ଖୋଜି ଯେପରି ନୟାନ୍ତ ହୋଇଯିବ । ଯେପରି ‘ଆଦ୍ୟ ସକାଳ’ ଗଳ୍ପର ଶେଷ ବାକ୍ୟଟି – ‘‘ଏସବୁ ସତ୍ତ୍ୱେ ବାଘ ତଥାପି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଇ ନ ଥିଲା । ସେ କେବଳ ଅପେକ୍ଷାମାଣ ଥିଲା – କେଜାଣି କେଉଁ ସୁଯୋଗକୁ ।’’ ପାଠକ ଅନେକ ତତ୍ତ୍ୱ ଏଥିରେ ଖୋଜିବ । ସ୍ପଷ୍ଟ ଅସ୍ପଷ୍ଟର ଦ୍ୱନ୍ଦ ଭିତରେ ବାଘ କ’ଣ ଖୋଜୁଛି ଠିକ କରିପାରିବ ନାହିଁ । ବସନ୍ତ ଶତପଥୀଙ୍କ ପ୍ରତୀକାତ୍ମକ ଭାଷା ଦ୍ୱନ୍ଦପୂର୍ଣ୍ଣ ନୁହେଁ । ସେ ଅନେକାର୍ଥରେ ଭାଷାକୁ ବ୍ୟବହାର କରିନାହାନ୍ତି । ତେଣୁ ଅଧ୍ୟାପକ ଚିନ୍ତାମଣି ବେହେରା କହନ୍ତି, ‘‘ବସନ୍ତବାବୁ ଦୁର୍ଗମ ହେଲେ ହେଁ ଜୀବନର ସତ୍ୟାନୁସନ୍ଧିତ୍ସାର ସରଣୀରେ ଗତି କରୁଛନ୍ତି ଏବଂ ସେହି ସତ୍ୟ ଚେତନା ଓ ସତ୍ୟ ସାଧନାର ସ୍ୱାକ୍ଷର ତାଙ୍କ ଗଳ୍ପଗୁଡ଼ିକରେ ସ୍ପଷ୍ଟ । ତାଙ୍କ କଳା ସୃଷ୍ଟି ଜୀବନଧର୍ମୀ ଓ ଜୀବନବୋଧ କଳାଧର୍ମୀ ’’। (୭) ଏ କଥାର ସତ୍ୟତା ପାଇଁ ତାଙ୍କର ‘ମାଂସାଶୀମାନଙ୍କ ଉଦ୍ଦେଶ୍ୟରେ’ ଗଳ୍ପରୁ ଉଦାହରଣଟିଏ ନେଲେ ହେବ । ଛେଳି କଟା ଯାଉଥିବା ସ୍ଥାନଟିର ବର୍ଣ୍ଣନା ଓ ଭାଷାରୁ ତାଙ୍କର ପ୍ରତୀକାତ୍ମକ ଭାଷାର ପ୍ରୟୋଗ କୁଶଳତା ବୁଝିହୁଏ । ତାଙ୍କ ଭାଷାରେ ‘‘ଦେଖୁଛି, ପ୍ରାୟ ଶହେ ଗଜ ଦୂରର କୋଡ଼ିଏ ତିରିଶଫୁଟ ଉଚ୍ଚ କିଆବଣକୁ । ପର୍ବତଶ୍ରଣୀ ପରି ଦିଶୁଥିବା ସ୍ଥାନର ଠିକ୍‍ ମଝିରେ ମେଲା ଗୁମ୍ଫା ବା ଦରଜାହୀନ ତମ୍ବୁପରି ଗୋଟାଏ ଛାୟା ଶୀତଳ, ଅନ୍ଧାରୁଆ, ଓଦାଳିଆ, ଗଡ଼ାଣିଆ ହିଡ଼ । ସେଇଠି ଚାରିପାଞ୍ଚଟା ଛେଳି ଝୁଲୁଛନ୍ତି ଦଉଡ଼ିରେ ବିଭିନ୍ନ ଅବସ୍ଥାରେ । କାହାର ଚମଛେଲା ହେଉଛି, କାହାର ଅନ୍ତବୁଜୁଳା ବାହାରି ପଡ଼ିଛି, କାହାର ଆଗ ଗୋଡ଼ ସହିତ ମୁଣ୍ଡ ନଥିବା ବେକ ଆଉ କାହାର ବା ଖାଲି ପଛ ଫଡ଼ିଆ ଯିମିତି ଇଉନିଭରସିଟିର କଣ୍ଟ୍ରୋଲର ଅଫ ଏକଜାମିନେସନ କେନ୍ଦ୍ରୀୟ ମୂଲ୍ୟାୟନ ବେଳେ ଅଧ୍ୟାପକ ଦଳକୁ ଗୋଟାଏ ବଡ଼ ହଲରେ ଭର୍ତ୍ତିକରି ଫାଟକରେ ଝୁଲାଇଥାନ୍ତି ‘‘ଅପେରସନ ଏକଜାମିନେଶନ’’ ସମିତି ଏଠାରେ ମଧ୍ୟ ସର୍ବସାଧାରଣଙ୍କ ଅବଗତି ଓ କର୍ମ ତତ୍ପରତାର ବିଜ୍ଞାପନ ପାଇଁ କଂସେଇମାନେ ଅପରେସନ ଛେଳି’ ବୋଲି ଲେଖାଟାଏ ଝୁଲାଇ ଦେବା ଉଚିତ୍ ।

 

ଉଭୟ ଗାଳ୍ପିକ ଅନେକ ଗଳ୍ପରେ ଆଦିବାସୀ ଚରିତ୍ରକୁ ଚିତ୍ରଣ କରିଛନ୍ତି । ଶାନ୍ତନୁବାବୁଙ୍କ ‘କରଞ୍ଜିଆ ଡାଏରୀ’ ଗଳ୍ପ ପୁସ୍ତକର ଅଧିକାଂଶ ଗଳ୍ପ ଚରିତ୍ରଗୁଡ଼ିକ ଆଦିବାସୀ ସମାଜର । ସେମାନଙ୍କ ମଧ୍ୟରେ ଥିବା ଆତ୍ମୀୟତାକୁ ଉଭୟ ଗାଳ୍ପିକ ଅନୁଭବ କରିଛନ୍ତି । ଶାନ୍ତନୁ ଆଚାର୍ଯ୍ୟ ଏହି ସରଳ ଆଦିବାସୀମାନଙ୍କୁ ଦେବତା ବୋଲି ମନେ କରୁଛନ୍ତି । ମଣିଷକୁ ସେମାନେ ଏତେ ଭଲପାଆନ୍ତି, ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ମୟୂରଭଞ୍ଜର ମଣିଷ ଓ ପ୍ରକୃତିକୁ ଉଭୟ ଗାଳ୍ପିକ ଭଲପାଇ ବସିଛନ୍ତି । ଶାନ୍ତନୁବାବୁ ‘କରଞ୍ଜିଆ ଡାଏରୀ’ ପୁସ୍ତକର ମୁଖବନ୍ଧରେ ଏ ଭାବବ୍ୟକ୍ତ କରିବାକୁ ଯାଇ ଲେଖିଛନ୍ତି – ମୟୂରଭଞ୍ଜର ମାତୃ ପ୍ରତିମ ପ୍ରକୃତି ତା କୋଳର ବାଘ ଭାଲୁଙ୍କୁ ସୁଦ୍ଧା ମାନବୀୟ କାହାଣୀର ଚରିତ୍ର ଭଳି, ପରମ ସମ୍ବେଦନର ଆଧାର ଭଳି ଗଢ଼ି ଦେଇଛି-। ମୋ ଅନ୍ତରରେ ପଞ୍ଚତନ୍ତ୍ର ଓ ହିତୋପଦେଶ ଜୀବନ୍ୟାସ ପାଇଗଲେ । ମୁଁ ଗଛଲତା, ପଶୁପକ୍ଷୀ, ପାହାଡ଼, ଝରଣା, ଗଭୀର ଅରଣ୍ୟ ଓ ଅରଣ୍ୟର ସହଜାତ ଭୂତପ୍ରେତମାନଙ୍କ ସହିତ ମଧ୍ୟ ସହଜରେ କଥାବାର୍ତ୍ତା କରିପାରିଲି । ଅରଣ୍ୟର ଏପରି ଇଲାକା ଦେଖିଲି, ଯେଉଁଠି ଦିନ ଦି’ପ୍ରହରରେ ଚନ୍ଦ୍ରମାଶୋଭିତ ନିଶାର୍ଦ୍ଧର ପ୍ରଶାନ୍ତି ଓ ନୀରବତା ଅନୁଭବ କରିହୁଏ । ଏଠାରେ ସ୍ୱର୍ଗର ପରୀମାନେ ପ୍ରତିଦିନ ବିହାର କରନ୍ତି ଓ ଦେବଲୋକର ବାଦ୍ୟ ବାଜଣା ଭିତରେ ଅପ୍‌ସରୀମାନେ ନୃତ୍ୟ କରନ୍ତି – ଏହା ମୋର ବିଶ୍ୱାସ ନୁହେଁ, ଖାଲି ଆଖିରେ ଦେଖିଛି, କାନରେ ଶୁଣିଛି ବୋଲି ଦାବି କରିପାରେ ।’’ ବସନ୍ତ ଶତପଥୀ ମୟୂରଭଞ୍ଜର ମହତ୍ତ୍ୱକୁ ତାଙ୍କ ଗଳ୍ପ ‘ଡବ୍ଲି/ଦୋଉରି’ ଗଳ୍ପରେ ଦେଖିବାକୁ ମିଳେ । ତାଙ୍କ ଭାଷାରେ ‘‘ଏ ଦେଶ ବାଘମାମୁଁ, ଭାଲୁ, ସମ୍ବର, ହରିଣ, କୁଟୀର, ବାର୍‌ହା, ହେଟାବାଘ ଏବଂ ହାତୀ ପଲର ଦେଶ । ଏ ଦେଶ ମୟୂର, ଶୁଆଶାରୀ, କପୋତ, କପୋତୀର ଦେଶ, ଏଠି ମିଳେ ଝରଣା, ଆମ୍ବ, କାଙ୍କଡ଼, ବଣ କୁନ୍ଦୁରୀ, ପଣସ, ସପୁରୀ, ଚାରକେନ୍ଦୁ ଆଦି ଫଳ, ପାଳୁଅ ଓ କେତେ କେତେ ଚେରମୂଳ । ଏଠି ମିଳେ କେତେ କେତେ ଫୁଲ, ପତର, ଛାଲିର ମହକ ଓ ରଙ୍ଗ, ଅଗସ୍ତି, ଶାଳେଇ, ସୁନାରୀ, ପଳାଶ, ଚମ୍ପା ଆହୁରି କେତେ କ’ଣ । ଗଛରୁ ପଥରରୁ ତ ମହୁ ଝରୁଛି । ଭୂଇଁ ଫୁଟାଇ ଛତୁ ଉଠନ୍ତି ।’’ ବସନ୍ତ ଶତପଥୀଙ୍କ ‘ଡବ୍ଲିଂ/ଦୋଉରୀ’ ଗଳ୍ପର ସୁମୀ, ଭୋଙ୍ଗେଲ, ‘ନେଉଳ ଓ ସାନ୍ତାଳ’ ଗଳ୍ପର ସାନ୍ତାଳା, ‘ଶ୍ୱେତପଦ୍ମ’ ଗଳ୍ପର ଫୁଲ ବିକାଳି ସାନ୍ତାଳ ବୁଢ଼ା, ‘କାଠ’ ଗଳ୍ପର କାଠ ଚିରାଳି ସାନ୍ତାଳ ବୁଢ଼ା, ‘ସାନ୍ଧ୍ୟଭାଷା’ ଗଳ୍ପର ମେଣ୍ଢା ଜଗୁଆଳି ସହିତ ଭୀମ ସିଂ, ରାମ ସିଂ ଆଦିବାସୀ ସମାଜର ପ୍ରତିନିଧିତ୍ୱ କରନ୍ତି । ଶାନ୍ତନୁ ଆଚାର୍ଯ୍ୟଙ୍କ ‘କରଞ୍ଜିଆ ଡାଏରୀ’ର ଚାଙ୍ଗୁ ବାଦକ ଦେବ ନାଏକ, ଆଶୁକବି ସୁଶୀଳା, ଯୋଗୀ ମଠର ପୂଜାରୀ ସୁନାମାଝୀ, ଡିମ୍ବାପିଙ୍ଗୁଆ ସମସ୍ତେ ତାଙ୍କର ଚିନ୍ତାଧାରାର ବାହକ । ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପର ଏହି ଚରିତ୍ରମାନେ ଆଧୁନିକ ଯୁଗରେ ଲୋକ ଗଳ୍ପର ଚରିତ୍ର ପରି ପ୍ରତୀୟମାନ ହେଲେ ମଧ୍ୟ ଏମାନେ ଲୋକଗଳ୍ପର ଚରିତ୍ର ନୁହଁନ୍ତି । ଆଧୁନିକ ସଭ୍ୟ ସମାଜରେ ମଧ୍ୟ ଏମାନଙ୍କୁ ଗାଳ୍ପିକ ଆଣି ଥୋଇ ପାରିଛନ୍ତି । ଅନାବିଳ ଭାବରେ ଗାଳ୍ପିକ ଦ୍ୱୟ ସେମାନଙ୍କୁ ଭଲ ପାଇଛନ୍ତି । ଆଧୁନିକ ସଭ୍ୟତାର ଅଧୋଗତିରେ ମଧ୍ୟ ଏମାନଙ୍କ ମଧ୍ୟରେ ମାନବିକତା ବଞ୍ଚି ରହିଥିବାର ଗାଳ୍ପିକଦ୍ୱୟ ଲକ୍ଷ୍ୟ କରିଛନ୍ତି ।

 

ବସନ୍ତ ଶତପଥୀଙ୍କ ସମସାମୟିକ ଅନ୍ୟତମ ଗାଳ୍ପିକ ହେଲେ ମନୋଜ ଦାସ (୧୯୩୪)-। ମଣିଷ ଜୀବନରେ ଅସହାୟତା, ଅସଙ୍ଗତି, ମନସ୍ତାତ୍ତ୍ୱିକ ଭାବାବେଗ, ଆଧିଭୌତିକ ଚେତନା, ଉଦ୍ଭଟତା ଆଦିକୁ ନେଇ ଆଧୁନିକ ଲୋକ ଜୀବନରେ ଚିତ୍ର ଦେବାର ଚମତ୍କାରିତା ମନୋଜ ଦାସଙ୍କୁ ବେଶ୍ ଜଣା । ଆଧୁନିକ ଲୋକ ଜୀବନର ଅସଂଗତ ଚିନ୍ତାଧାରାକୁ ବିଭିନ୍ନ ପଶୁପକ୍ଷୀର ପ୍ରତିକାତ୍ମକ ମଧ୍ୟରେ ବସନ୍ତ ଶତପଥୀ ଯେପରି ବ୍ୟଙ୍ଗ କରିଛନ୍ତି, ମନୋଜ ଦାସ ମଧ୍ୟ ସେଇପରି ଚିତ୍ରିତ କରିଛନ୍ତି । ମାତ୍ର ବସନ୍ତଙ୍କ ଚରିତ୍ରଗୁଡ଼ିକ ଗାଳ୍ପିକଙ୍କ ଭାଷା ଓ ଭାବରେ ପରି ପ୍ରକାଶିତ । ମାତ୍ର ମନୋଜ ଦାସଙ୍କ ଚରିତ୍ରମାନେ ମଣିଷ ପରି କଥାବାର୍ତ୍ତା କରୁଛନ୍ତି । ସେମାନେ କେବଳ ନାମ ବ୍ୟତୀତ ଅନ୍ୟାନ୍ୟ ପରିଚୟ ହରାଇ ବସନ୍ତି । ଉଭୟ ଗାଳ୍ପିପଙ୍କର ଇନ୍ଦିୟାନୁଭୂତି କ୍ରମେ ଅତିନ୍ଦ୍ରିୟ ସ୍ତରକୁ ଗତି କରିଛି । ବସନ୍ତବାବୁ ସମାଜ ସଂସ୍କାର, ବାଦର ପରୀକ୍ଷାନିରୀକ୍ଷା, ପୁରସ୍କାର ପ୍ରଲୋଭନ ଠାରୁ ଦୂରରେ ରହି ସେ ସାମାନ୍ୟରୁ ଅସାମାନ୍ୟ ମହାନ୍‌କୁ, ଇନ୍ଦ୍ରିୟରୁ ଇନ୍ଦ୍ରିୟାତୀତକୁ, ମେଣ୍ଟାଲରୁ ସୁପ୍ରାମେଣ୍ଟାଲକୁ, ଅନ୍ଧାରରୁ ଆଲୋକକୁ, ଅଜ୍ଞାନରୁ ଜ୍ଞାନରୁ, ବର୍ତ୍ତମାନରୁ ଭବିଷ୍ୟତକୁ, ଏକ କଥାରେ ‘ମରା ମରା’ରୁ ‘ରାମ ରାମ’କୁ ଗତି କରିଛନ୍ତି ବୋଲି ମତ ଦିଅନ୍ତି । ମନୋଜ ଦାସଙ୍କ ‘ରାଜକନ୍ୟା’, ‘ବ୍ୟାଘ୍ରାରୋହଣ’ ଗଳ୍ପକୁ ପାଠ କଲେ ଉଦ୍ଭଟତା ମଧ୍ୟରେ ମଧ୍ୟ ଲେଖକ ମଣିଷ ଚରିତ୍ରର ଅମାନବିକତା, ବିଚାରହୀନତା, ମୂଢ଼ତା ପ୍ରତି ବିଦ୍ରୁପ କରିଛନ୍ତି । ‘ବ୍ୟାଘ୍ରାରୋହଣ’ ଗଳ୍ପର ରାଜକୁମାର ସରଳ, ସୁଗୁଣବାନ, ଛଳନା ବିବର୍ଜିତ ଚରିତ୍ରଟିଏ । ପରିଣତିରେ ଚତୁର ଲୋକଙ୍କର ପ୍ରରୋଚନା ପ୍ରୋତ୍ସାହନରେ ବାଧ୍ୟବାଧକତାରେ ସେ ବ୍ୟାଘ୍ରପୃଷ୍ଠରେ ଆରୋହଣ କରିଛନ୍ତି । ଏହାର ଚରମ ପରିଣତି ସ୍ୱରୂପ ବ୍ୟାଘ୍ର ମୁହଁରେ ଲୀନ ହୋଇ ଯାଇଛନ୍ତି । ମଣିଷର ହିଂସ୍ରତା କିପରି ଉଗ୍ରରୂପ ଧାରଣ କରୁଛି ଓ ନିରୀହ ସେଠି ଛଳନାର ଶିକାର ହୋଇ କିପରି ବଳି ପଡ଼ୁଛି ତା’ର ସୁନ୍ଦର ସଂଯୋଜନା କରିଛନ୍ତି ଲୋକକଥାକୁ ନେଇ । ବସନ୍ତ କୁମାରଙ୍କ ‘ଭାଲୁ ଶିକାର (୨)’ ଗଳ୍ପର ବାର୍ଦ୍ଧକ୍ୟରେ ଉପନୀତ ଅଣ୍ଡିରା ଭାଲୁକୁ ଗାଳ୍ପିକ ଏକ ବିବେକବାନ ଅହିଂସ୍ର ଚରିତ୍ର ଭାବରେ ତୋଳି ଧରିଛନ୍ତି । ଗାଳ୍ପିକଙ୍କ ଭାଷାରେ ‘‘ସୀତାକୁ ହରାଇ ରାମଚନ୍ଦ୍ର ଯେମିତି ‘ବନଘନେ ରଘୁମଣି ବିପଥ ପଥ ନଗଣି’ ପାଗଳପରି ବୁଲୁଥିଲେ ସେମିତି ଆମର ବିପତ୍ନୀକ ନାୟକର ଅବସ୍ଥା । ଆଗରୁ ସେ ମଣିଷକୁ ଦେଖିଥିଲା, ଜାଣିଥିଲା ମଧ୍ୟ । ଏବେ ତା’ର ଅନ୍ୟ ରୂପ ଦେଖିଲା । କାହିଁକି ତାକୁ ସେମାନେ ଦଳବାନ୍ଧି ଧନୁଶର ମାଦକ ଧୁମୁଷାଧରି ଚିତ୍କାର କରି ବଣ ଏପଟସେପଟ କରନ୍ତି । ସେ କିନ୍ତୁ ଅହିଂସ୍ର । ମହାତ୍ମା ଗାନ୍ଧିର ଦେଶ ଜାଣିପାରି ବୋଧହୁଏ ସେ ତା’ର ଦାନ୍ତ ନଖ ଯୁଦ୍ଧ ପାଇଁ ବ୍ୟବହାର ନ କରି ଅହିଂସା ଉପାୟରେ ଖାଦ୍ୟ ସଂଗ୍ରହ କରିବା ପାଇଁ ବ୍ୟବହାର କରେ । ଫଳମୂଳ ଖାଏ, ଉଇହୁଙ୍କା ଭାଙ୍ଗି ତାଡ଼ି ସଡ଼ସଡ଼ ହୁଡ଼ୁରୁ ହୁଡ଼ୁରୁ କରି ମହୁ ମହକ ଥିବା ଉଇପୋକ ଖାଏ । ନ ହେଲେ ଗାଁ ଗୋବର ଖାତରୁ ବୁଢ଼ା ଆଙ୍ଗୁଳି ମୋଟ ପୋକ ଖାଏ ।’’ ଏ ବର୍ଣ୍ଣନା ଲୋକ କଥାର କାହାଣୀ ନୁହେଁ, ବରଂ ନିତାନ୍ତ ବାସ୍ତବ ଅଥଚ ପ୍ରତୀକାତ୍ମକ । ନିରୀହ ବୃଦ୍ଧି ଅହିଂସ୍ର ଭାଲୁ ମାରି ଲୋକେ ଗର୍ବ ଅନୁଭବ କରିଛନ୍ତି । ଆଧୁନିକ ମଣିଷର ବର୍ବରତାକୁ ଅତି ବିଦ୍ରୁପ କରିଛନ୍ତି ଗାଳ୍ପିକ ।

 

ସମାଜର ଉଚ୍ଚବର୍ଗ ବିଶେଷ କରି ସଂଭ୍ରାନ୍ତ ବୋଲାଉଥିବା ମଣିଷମାନଙ୍କର ନୀଚତା, ଅହଂକାର ପାପ ମନୋବୃତ୍ତି, ଶଠତା ଆଦିର ଶିକାର ହୋଇ କେତେ ନିରୀହ ଲୋକ ଦୁଃଖଯନ୍ତ୍ରଣା ଭୋଗ କରନ୍ତି, ତା’ର ଗଣନା ନାହିଁ । ଏହି ସମାଜପତିମାନଙ୍କୁ, ଆଗ ଧାଡ଼ିର ଲୋକମାନଙ୍କୁ ମନୋଜ ଦାସ ତାଙ୍କ ଗଳ୍ପରେ ଅତିମାତ୍ରାରେ ବିଦ୍ରୁପ କରିଛନ୍ତି । ଚାଣକ୍ୟ ନୀତି ‘‘କଣ୍ଟକେ ନୈବ କଣ୍ଟକମ୍’’ କଥାଟିକୁ ସେ ବେଶ ଉପଲବ୍ଧି କରିଛନ୍ତି । ତାଙ୍କର ‘କନ୍ୟାୟନ’, ‘ବ୍ୟାଘ୍ରାରୋହଣ’, କିମ୍ବଦନ୍ତୀର ଉପସଂହାର’ ଆଦି ଗଳ୍ପଗୁଡ଼ିକରେ ଏହି ଚେତନା ସ୍ପଷ୍ଟ । ଗଳ୍ପଗୁଡ଼ିକର ପରିଣତି ବସନ୍ତଙ୍କ ଗଳ୍ପର ପରିଣତି ପରି ଅତି କରୁଣାତ୍ମକ । ମନୋଜ ଦାସଙ୍କ ‘କନ୍ୟାୟନ’ ଗଳ୍ପେ ରାଜା ସନ୍ତାନର ହୃଦୟର ଭାବ ବୁଝିବା ପାଇଁ ଅକ୍ଷମ । ପ୍ରଚଣ୍ଡ ଖରାରେ ଦୌଡ଼ୁଥିବା ଓ ମୂଷଳ ଧାରାର ବର୍ଷାରେ ଭିଜୁଥିବା କାଠୁରିଆ କନ୍ୟାକୁ ରାଜକୁମାରଙ୍କ ଉପଯୁକ୍ତ କରିବା ପାଇଁ ସୌନ୍ଦର୍ଯ୍ୟ କୁଶଳୀ, ନୀତିହୀନ, ହୃଦୟହୀନ କାରୀଗରମାନଙ୍କୁ ନିଯୁକ୍ତ କରି ତା’ର ଦାନ୍ତକୁ ସୁନାଦାନ୍ତରେ ଖଞ୍ଜିବା, ହୃତପିଣ୍ଡକୁ ବିଦ୍ୟୁତ ଚାଳିତ ଯନ୍ତ୍ର ଖଞ୍ଜିବା ପରି କାର୍ଯ୍ୟ କରି ଏକ ଯନ୍ତ୍ରରେ ପରିଣତ କରି ଦେଇଛନ୍ତି-। ସେ ରାଜକୁମାରଙ୍କୁ ବରଣମାଳା ଦେବାକୁ ଗଲାବେଳେ ତା’ର ଦାନ୍ତଗୁଡ଼ିକ କଣ୍ଢେଇର ଦାନ୍ତ ପରି ଦେଖାଯାଇଛି । ନିଜର ଈପ୍‌ସିତା କନ୍ୟାର ଏ ରୂପ ଦେଖି ରାଜକୁମାରଙ୍କ ହୃଦଯନ୍ତ୍ର ବନ୍ଦ ହୋଇଯାଇ ମୃତ୍ୟୁ ହୋଇଛି । ଏପରି ଛଳନା କୃତ୍ରିମତାର ରୂପକୁ ବସନ୍ତ କୁମାର ମଧ୍ୟ ଘୃଣା କରିଛନ୍ତି । ସେ ଛଳନା, ଫୁଟାଣି, ବଡ଼ଲୋକୀକୁ ପସନ୍ଦ କରନ୍ତି ନାହିଁ । ପିନ୍‌କଣ୍ଟା ମାରି ରବର ବେଲୁନ ଫୁଟାଇବାକୁ ପସନ୍ଦ କରନ୍ତି । ‘ଆଈବୁଢ଼ୀ’ ଗଳ୍ପର ପୁଅବୋହୁ, ଝିଅଜ୍ୱାଇଁ, ‘ଶାନ୍ତି ପୁରସ୍କାର’ ଗଳ୍ପର ନାୟକ, ‘କ୍ଲାସିକାଲ କମେଡ଼ି’ର ଅଧ୍ୟାପକ ଡକ୍ଟର ପାଳ, ‘ହାଇଦ୍ରାବାଦ ଅଙ୍ଗର’ ଗଳ୍ପର ନାୟକ ‘ଆକାଶ ଫୁଲ’ ଗଳ୍ପର ଶୁଭେନ୍ଦୁ ଶୁଭ୍ରା, ‘ଚିତ୍ର ପ୍ରତିମା’ ଗଳ୍ପର ଫ୍ଲାଟ ଅଧିବାସୀମାନେ ନିଜ ନିଜର ବଡ଼ଲୋକୀ ଖିଆଲରେ ମସଗୁଲ । ପୃଥିବୀ ଭାଙ୍ଗିଯିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ । ନିଜେ ସେମାନେ କେବଳ ନିଜ ପାଇଁ ବଞ୍ଚିଛନ୍ତି । ପରିଣତି ସେମାନଙ୍କର ସେପରି ମଧ୍ୟ । ତାହା କେଉଁଠି ଆତ୍ମହତ୍ୟାର ପ୍ରୟାସତ କେଉଁଠି ଅପମାନ, ଆଉ କେଉଁଠି ମୃତ୍ୟୁ ।

 

ବସନ୍ତଙ୍କ ପରି ମନୋଜ ଦାସ ଯୁଦ୍ଧ ପରବର୍ତ୍ତୀ ସମାଜର ଚେହେରାଟିକୁ ଅତି ଚମତ୍କାର ଭାବରେ ତାଙ୍କର ଗଳ୍ପମାନଙ୍କରେ ଦେଖାଇଛନ୍ତି । ପ୍ରତୀକାତ୍ମକ ଭାଷା ଓ ଶ୍ଳେଷାତ୍ମକ ଭଙ୍ଗୀ ପ୍ରକାଶ କରିବାର ସେ ଦକ୍ଷ । ତାଙ୍କ ଗଳ୍ପଗୁଡ଼ିକ ସମ୍ବନ୍ଧରେ ସମାଲୋଚକ ନିତ୍ୟାନନ୍ଦ ଶତପଥୀ କହନ୍ତି – ‘‘ଅନେକ କଥା ତ ସିଧାସଳଖ କୁହାଯାଇଛି, ଯିବ ମଧ୍ୟ, କିନ୍ତୁ କିଛି କଥା ଆନାଲଜି ଓ ରୂପକ ଛଳରେ କହିବାର ଦକ୍ଷତା ବୋଧହୁଏ ଖୁବ୍ କମ୍ ଲେଖକ ହାସଲ କରିଥାନ୍ତି ।’’ ତାଙ୍କର କଥନ ଭଙ୍ଗୀରେ ବସନ୍ତଙ୍କ ପରି ଲଘୁଧର୍ମୀ ଚଟୁଳତା ଦେଖାଯାଏ । ଏଣୁ ସମାଲୋଚକ ସୁରେନ୍ଦ୍ର ମହାନ୍ତି ମନୋଜ ଦାସଙ୍କ ଗଳ୍ପ ସମ୍ବନ୍ଧରେ କହନ୍ତି – ‘‘ତାଙ୍କୁ କ୍ଷୁଦ୍ରଗଳ୍ପର ଲେଖକ ଅପେକ୍ଷା କ୍ଷୁଦ୍ରଗଳ୍ପ କଥକ କହିବା ଅଧିକ ସମୀଚୀନ ହେବ । ତାଙ୍କ କଥନ ଶୈଳୀର ବିଦଗ୍‌ଧ ଭଙ୍ଗୀରେ ଲଘୁଧର୍ମୀ ଚଟୁଳତା, ପୁଣି ଘଟଣା ସୃଷ୍ଟିରେ ବିଶ୍ୱାସର ଅଯୋଗ୍ୟ ଏକ ପ୍ରତ୍ୟୟ ପାଠକ ମାନସରେ ସୃଷ୍ଟି କରି ପାଠକ ମନରେ ବିସ୍ମୟ ସୃଷ୍ଟିକାରୀ ଓ ହେନେରୀୟ ପରିସମାପ୍ତି ଟାଣିବା ମନୋଜ ଦାସଙ୍କ ଗଳ୍ପ ଗୁଡ଼ିକର ବୈଶିଷ୍ଟ୍ୟ ।’’ ବସନ୍ତ ଶତପଥୀଙ୍କ ଗଳ୍ପଗୁଡ଼ିକ ଲଘୁଧର୍ମୀ ହେଲେ ମଧ୍ୟ ହାସ୍ୟର ଜୁଆରା ଛୁଟିଥାଏ । କିନ୍ତୁ ଏହା ତଥାକଥିତ ହାସ୍ୟଠାରୁ ଭିନ୍ନ । କେତେଗୁଡ଼ିଏ ଅଶାଳୀନ କଥା କହିଦେଲେ ଯେ ହାସ୍ୟରସ ହୋଇଯିବ ତାହା ନୁହେଁ । ତାଙ୍କର ହାସ୍ୟରସ ମଧ୍ୟରେ ଯେଉଁ କରୁଣ ଭାବଟି ରହିଛି । ତାହା ହିଁ ତାଙ୍କର ଅନ୍ୟତମ ବୈଶିଷ୍ଟ୍ୟ । ସମାଜରୁ ପାଇଥିବା ପ୍ରତିକ୍ରିୟାକୁ ସେ ନିଜର ଅନୁଭୂତିକୁ ମିଶାଇ ପ୍ରକାଶ କରିଛନ୍ତି । ତେଣୁ ତାଙ୍କ ଗଳ୍ପଗୁଡ଼ିକ ଏତେ ଜୀବନ୍ତ ଓ କାଳଜୟୀ ।

 

କେତେକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣର ବିଚାର କରି ଦେଖିବାକୁ ଗଲେ ବସନ୍ତ ଗଳ୍ପମାନସ ସ୍ୱତନ୍ତ୍ର ଗୁଣରେ ମହୀୟାନ । ତାଙ୍କର ବିଶେଷତା ହିଁ ତାଙ୍କୁ ନିଆରା ଗାଳ୍ପିକ ଭାବରେ ପରିଚୟ କରିପାରିଛି । ଆଧୁନିକ ଗଳ୍ପରେ ମଣିଷର ଯୌନ ଚେତନାର ବର୍ଣ୍ଣନା ବିଶେଷ ଭାବରେ ଦେଖାଯାଏ । କିନ୍ତୁ ଗାଳ୍ପିକ ଶତପଥୀଙ୍କ ରଚନାରେ ଯୌନଚେତନାର ରୂପ ନଗଣ୍ୟ । ସମାଜର ଦୁଃଖ, ଦୁର୍ଦ୍ଦଶା, ଭ୍ରଷ୍ଟାଚାର, ଶଠତା, ଭଣ୍ଡାମି ଆଦି ବର୍ଣ୍ଣନା କରିବାରେ ତାଙ୍କ ଲେଖନୀ ଅଧିକ ଆଗ୍ରହୀ । ଆଧୁନିକ ଜୀବନର ଚଳଣିରେ ଯେଉଁ ବିରୋଧାଭାସ ଓ ତା’ର ବର୍ଣ୍ଣନା ଶ୍ରୀ ଶତପଥୀଙ୍କ ଗଳ୍ପରେ ବହୁଳ ଭାବରେ ରହିଛି । ଯେଉଁ କେତୋଟି ଗଳ୍ପରେ ଯୌନ ଆବେଦନର ବର୍ଣ୍ଣନା ରହିଛି, ତାହା ମଧ୍ୟ ଏହି ବିରୋଧାଭାସକୁ ଦେଖାଇ ଦେବା ଲାଗି ଉଦ୍ଦିଷ୍ଟ । ‘ଏଣ୍ଟିରୋମାଣ୍ଟିକ’ ଗଳ୍ପରେ ମାଦଳ କୁଷ୍ଠରୋଗୀକୁ ଆଲିଙ୍ଗନ କରି ଅନ୍ଧୁଣୀ ପାଞ୍ଚବର୍ଷ ତଳର ସ୍ମୃତିଚାରଣ କରିବା ଅବସରରେ ଗାଳ୍ପିକ ଲେଖିଛନ୍ତି । ‘‘ନରାଜ ପାହାଡ଼କୁ ଜାବୁଡ଼ି ଧରିଥାଏ ମେଘଟା, ଦେବଦାରୁ ଗଛର ଲମ୍ବାଡାଳଗୁଡ଼ାକ ଥରକୁ ଥର ଝଙ୍କା ବରଗଛର ଓସାରିଆ ମେଲା ପତ୍ରଗୁଡ଼ାକୁ ଆଲିଙ୍ଗନ କରୁଥାନ୍ତି ଭ୍ରମର ଶୁଣ୍ଢ ଦେଇ ଫୁଲକୁ ଛୁଇଁଲା ପରି । ‘‘ଅଥଚ ପରିବେଶ ଓ ପାତ୍ରର ବିକଳାଙ୍ଗତ୍ୱ, ଏହି ବର୍ଣ୍ଣନାରେ ଯୌନ ଆବେଦନକୁ ଦେଇଛି ବିରୋଧାଭାସ । ‘ସାମାନ୍ୟ ଅଶ୍ଳୀଳ’ ଗଳ୍ପର ପରିଣତି ଗଳ୍ପର ସମସ୍ତ ଅଶ୍ଳୀଳତାକୁ ଧୋଇ ନିର୍ମଳ କରିଦେଇଛି । ‘ଦିବ୍ୟ ଅଦିବ୍ୟ’ ଗଳ୍ପେ ଗାଳ୍ପିକ ଶତପଥୀ ପୁରୀ ମନ୍ଦିରର ଉତ୍କୀର୍ଣ୍ଣ ପଥର ମୂର୍ତ୍ତିର ବର୍ଣ୍ଣନା କରିଛନ୍ତି । ଏହି ମୂର୍ତ୍ତିରେ କାମାତୁରା ନାରୀଟି ନିଜର ଜନନେନ୍ଦ୍ରିୟକୁ ଦୁଇହାତରେ ବିଦୀର୍ଣ୍ଣ କରି ସତେ ଯେପରି ପଥିକ, ଦର୍ଶନେଚ୍ଛୁମାନଙ୍କୁ ରତି ଆଶ୍ଳେଷ ପାଇଁ ଆହ୍ୱାନ କରୁଛି । କିନ୍ତୁ ଗାଳ୍ପିକ ଶତପଥୀଙ୍କ ଦୃଷ୍ଟିଭଙ୍ଗୀରେ ଏହି ଆହ୍ୱାନ ଯୌନଲାଳସା ପରିପୂର୍ତ୍ତି ପାଇଁ ନୁହେଁ; ଏ ଆହ୍ୱାନ ସତେ ଯେପରି ସନ୍ତାନ ଧାରଣ କରିବାର ଶାଶ୍ୱତ ଇଚ୍ଛାରୁ ଜାତ-। ଏଇଠି ପୁଣି ଗାଳ୍ପିକ ନାରୀର ନାୟିକା ରୂପଠାରୁ ମାତୃରୂପ ଏବଂ ତା’ର ସୃଷ୍ଟିକାରିଣୀ ଶକ୍ତିକୁ ଅଧିକ ମହିମାନ୍ୱିତ କରିଛନ୍ତି । ମଣିଷର ଯୌନ ଚେତନାକୁ ପ୍ରକାଶ କରିବାରେ ଫତୁରାନନ୍ଦ ଗଳ୍ପରେ କୌଣସି ଅବକାଶ ନ ଥିବା ସ୍ଥଳେ, ମହାପାତ୍ର ନୀଳମଣି ସାହୁଙ୍କର ‘ବାଘର ବିଳାପ’, ‘ସୁମିତ୍ରାର ହସ’, ‘ମନମତ୍ତଦୁହାଳ ‘ଗାଈ’ ଆଦି କେତେକ ଗଳ୍ପରେ ଏହାର ପ୍ରକାଶ ଘଟିଛି । ସୁମିତ୍ରାର ହସ ଭିତରେ ନାରୀର ବିଫଳ ଯୌନାକାଂକ୍ଷାର ପ୍ରକାଶ ଘଟିଥିଲା ବେଳେ ‘ମନମତ୍ତ ଦୁହାଳଗାଈ’ ଆଦି କେତେକ ଗଳ୍ପରେ ସମାଜର ଭଦ୍ରମୁଖା ତଳେ ଲୁଚି ରହିଥିବା ବିକୃତ ଯୌନ କାମନାକୁ ଅନାବୃତ୍ତ କରି ଦିଆଯାଇଛି ।

 

ଉତ୍ତର ଷାଠିଏ ଦଶକରେ ପଶୁପକ୍ଷୀ ପ୍ରଭୃତି ମାନବେତର ପ୍ରାଣୀ, ପୁଣି କାଠ, ପଥର ଆଦି ନିଷ୍ପ୍ରାଣ ବସ୍ତୁ ଗଳ୍ପରେ ସ୍ଥାନ ପାଇଛନ୍ତି । ବସନ୍ତ ଶତପଥୀଙ୍କ ଗଳ୍ପରେ ପଶୁପକ୍ଷୀ ଆଦି ଚରିତ୍ର ମରିଷର ପରମ ଅନ୍ତରଙ୍ଗ ଭାବରେ ଚିତ୍ରିତ । ‘ହଳେ ବଳଦ, ଯୋଡ଼ାଏ ଖାସି ଓ ଦୁଇଟି ପ୍ରାଣୀ’ ଗଳ୍ପରେ ନିଃସନ୍ତାନ ଦମ୍ପତ୍ତି ଅନାବିଳ ସନ୍ତାନ ସ୍ନେହ ଛେଳି ଓ ଛଡ଼ା ଉପରେ ଅଜାଡ଼ି ଦେଇଛନ୍ତି । ଗ୍ରାମ୍ୟ ବ୍ୟାଙ୍କର ଫିଲ୍‌ଡ଼ ଅଫିସରଙ୍କୁ ଦମ୍ଭର ସହିତ ଶାମ କହିଛି, ‘‘ମଣିଷଠୁ ପଶୁର ବେଶି ଦାମ୍ ଯେବେ ଜାଣିବୁ ମୋ ପାଖକୁ ଆସିବ ଛେଳି ମୁଲାଇବା ପାଇଁ ।’’ କୁକୁର ଗଳ୍ପରେ ମଧ୍ୟ ଗାଳ୍ପିକ କେଡ଼େ ଦମ୍ଭର ସହିତ କହିଛି- ‘‘ମୋତେ ସ୍ୱର୍ଗର କୁତ୍ତା ଦେଲେ ବି ମୁଁ ରାଜି ନୁହେଁ । ବ୍ଲାକି କ’ଣ କୁକୁର ଅଛି ? ସେ ଅନେକ ଦିନରୁ ମଣିଷ ହୋଇଗଲାଣି ।’’ ନିଦ୍ରାଶ୍ରୟୀ’ ଗଳ୍ପରେ ଘରଚଟିଆ ମା’ଟି ମଣିଷର ମା’ଟିର ଦୁଃଖରେ ଅଂଶୀଦାର ହୋଇଛି, ଠିକ୍ ମା’ ପେଟରେ ଭଉଣୀ ଭଳି । ସେହିଭଳି ‘କାଠ’ ଗଳ୍ପରେ କାଠକୁ ଆଧୁନିକ ସହରୀ ମଣିଷର ସ୍ୱାର୍ଥସର୍ବସ୍ୱ ସନ୍ଦେହୀ ମନର ରୂପକ ଭାବରେ ଗ୍ରହଣ କରିଛନ୍ତି ଲେଖକ । ସମକାଳୀନ ଲେଖକ ରାଜକିଶୋର ପଟ୍ଟନାୟକ ‘ଡାମରା କାଉ’ ଗଳ୍ପରେ କୁଆକୁ ମଣିଷର ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି । ‘ଡାମରା କାଉ’ ଏଠାରେ ବୟସ୍କ ସମ୍ପ୍ରଦାୟର ପ୍ରତୀକ । ଏହି ଗଳ୍ପରରେ ଯୁବପିଢ଼ିକୁ ନିର୍ଭୀକ ଭାବରେ ଚିତ୍ରଣ କରାଯାଇଛି, ଯେ କି ଦରକାର ପଡ଼ିଲେ ବିପ୍ଳବର ନିଆଁରେ ନିଜ ଜୀବନକୁ ସ୍ୱାହା କରିବାକୁ ପ୍ରସ୍ତୁତ । ଅତି ସାବଧାନ ବୟସ୍କ ସମ୍ପ୍ରଦାୟ । ଯେଉଁମାନେ କି ଘଡ଼ି କଲମ, ନକଲି ଦାନ୍ତ, ସଞ୍ଚୟ, ବୀମା ଆଦି ଅସ୍ତ୍ରରେ ନିଜକୁ ତାଳୁରୁ ତଳିପାଯାଏ ସଜାଇ ରଖି ଯୁବପିଢ଼ିକୁ ଉପଦେଶ ଦେଇଛନ୍ତି, ସେମାନଙ୍କୁ ଯୁବପିଢ଼ିର ପ୍ରତିନିଧି ‘କୁମାର’ ସମାଲୋଚନା କରିଛି । କାରଣ ସେମାନଙ୍କର ସାବଧାନତା ଯୁବ ସଂପ୍ରଦାୟର ଉଦ୍ଦାମତାର ବାଟ ଓଗାଳୁଛି । ଗାଳ୍ପିକ ବସନ୍ତ ଶତପଥୀଙ୍କର ‘କୁଆ’ ଗଳ୍ପରେ ତାକୁ ମେହେନତୀ ଜାତିର ଏବଂ କୋଇଲି ପୁଞ୍ଜିବାଦୀ ଶ୍ରେଣୀର ପ୍ରତୀକ ଭାବରରେ ଚିତ୍ରଣ କରିଛନ୍ତି । ବସନ୍ତ ବାବୁ ତାଙ୍କ ସ୍ୱଭାବ ସୁଲଭ ହାସ୍ୟ-ବ୍ୟଙ୍ଗ ଶୈଳୀରେ ଲେଖିଛନ୍ତି, ‘‘ମାନୁଛି, କୁଆ ସୁନ୍ଦର ନୁହେଁ, ତାକ୍ଷର ଦୃଷ୍ଟିବକ୍ର, ଶ୍ଳେଷାତ୍ମକ କିନ୍ତୁ ଯଥାର୍ଥ ବିଚାର କଲେ ସେ ଏକ କ୍ଲାସିସିଜିମର ପ୍ରତୀକ-। ଆମ କଳା ବଡ଼ଠାକୁରକୁ ବଳି କିଏ ବେଶି କ୍ଲାସିକ ହୋଇପାରିବ ।’’

 

ଗାଳ୍ପିକ ମହାପାତ୍ର ନୀଳମଣି ସାହୁ ‘କମଳ’ ଗଳ୍ପରେ ଆପଣା ଖୋଳପା ଭିତରେ ଆତ୍ମଗୋପନ କରିଥିବା କମଳକୁ ଅଧ୍ୟାପକ କୃଷ୍ଣ ପ୍ରସାଦଙ୍କ ବ୍ୟକ୍ତିତ୍ୱର ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି । ଯେଉଁ କୃଷ୍ଣ ପ୍ରସାଦ ଜୀବନସାରା କାନ୍ଦକୁ ଦୁର୍ବଳତାର ଚିହ୍ନ ଭାବି ଘୃଣା କରି ଆସିଥିଲେ, ସେ ପୁଣି ଶ୍ରେଣୀ ଗୃହରେ କେଶବ କୋଇଲି ପଢ଼ାଇଲାବେଳେ ଯଶୋଦାଙ୍କର ପୁତ୍ର ବିଚ୍ଛେଦ ଜନିତ ଦୁଃଖରେ ଅଶ୍ରୁ ସମ୍ବରଣ କରିପାରିଲେ ନାହିଁ । ଆଦ୍ୟ ଯୌବନ କାଳରୁ ବିସ୍ମୃତ ହୋଇଥିବା ନିଜ ଖୁଡ଼ିଙ୍କର ବ୍ୟର୍ଥ ଜୀବନ ଓ ମାତୃ ପ୍ରତୀକ ସ୍ନେହ ତାଙ୍କର ଚକ୍ଷୁକୁ ବାରମ୍ବାର ଆର୍ଦ୍ର କରି ଦେଇଥିଲା । ତାଙ୍କର ଆପାତ କଠୋର ବ୍ୟକ୍ତିତ୍ୱ ଭିତରୁ କୋମଳ ମନଟି ଠିକ କଇଁଚ ପରି ଆତ୍ମପ୍ରକାଶ କଲା । ବସନ୍ତଙ୍କ ଗଳ୍ପ ମାନସରେ କୁଆ, କୁକୁର, ଚଟିଆପରି ଜୀବମାନେ ମାନବୀୟ ମୂଲ୍ୟବୋଧର ପରିଚୟ ଦେଇଛନ୍ତି । ରାଜକିଶୋର ପଟ୍ଟନାୟକ ‘ପଶୁ’, ‘ଯୁଗଧର୍ମ’, ରାଜକିଶୋର ରାୟଙ୍କର ‘ବଉଳୀ’ ଆଦି ଗଳ୍ପଗୁଡ଼ିକରେ ଏହିଭଳି ପଶୁ ଓ ମଣିଷଙ୍କର ଅନ୍ତରଙ୍ଗତାର ଚିତ୍ର ରହିଛି । କେଉଁଠାରେ ମାନବେତର ଚରିତ୍ରଗୁଡ଼ିକ ଚିତ୍ରକଳ୍ପ ଭାବରେ ତ କେଉଁଠାରେ ପ୍ରତୀକ ଭାବରେ ଚିତ୍ରିତ ହୋଇଛନ୍ତି । ଫତୁରାନନ୍ଦ ‘ଭାଲୁକବି’ ଗ୍ରନ୍ଥରେ ନଛୋଡ଼ ବନ୍ଧା ‘ଭାନୁ’ କବିଙ୍କୁ ଭାଲୁ କବି କହିବା ମୂଳରେ ଏପରି ମନୋଭାବ କାମ କରିଛି ।

 

ସମାଜଚେତନା ଏହି ଯୁଗର ଗାଳ୍ପିକମାନଙ୍କୁ କରିଛି ଚିନ୍ତାଶୀଳ । ସମାଜର ଅବକ୍ଷୟକୁ ଦେଖାଇ ଦେବାଲାଗି ଏମାନେ ଯେଭଳି ତତ୍ପର, ନିଜ ଚରିତ୍ରର ଅନ୍ଧକାର ଦିଗକୁ ଖୋଲି କହିବାରେ ମଧ୍ୟ ସେତିକି ଅକୁଣ୍ଠ । ମହାପାତ୍ର ନୀଳମଣି ସାହୁଙ୍କର ଗଳ୍ପ ‘ମନମତ୍ତ ଦୁହାଁଳ ଗାଈ’ ଗଳ୍ପରେ ସମାଜର ଅବକ୍ଷୟର ଚିତ୍ର ଅତି ସ୍ପଷ୍ଟ ଭାବରେ ବର୍ଣ୍ଣିତ । ବସନ୍ତ ଶତପଥୀଙ୍କ ବହୁ ଗଳ୍ପରେ ସମାଜର ଅଜାଗା ଘାଆର ବର୍ଣ୍ଣନା ରହିଛି । ‘ସାନ୍ଧ୍ୟ ଭାଷା’ ଗଳ୍ପରେ ଆଧୁନିକ ଦେହବାଦୀ ଯୁବକ ଯୁବତୀଙ୍କ ସ୍ଥୂଳ ପ୍ରେମ ବର୍ଣ୍ଣନା, ମେଷପାଳକ ବୁଢ଼ା ଭାଷାରେ ଯେତେ କର୍କଶ ଲାଗୁ ପଛକେ ତାହାକୁ ଅସ୍ୱୀକାର କରିବାର ଉପାୟ ନାହଁ । ମଣିଷ କିପରି ଆତ୍ମସର୍ବସ୍ୱ ହୋଇପଡ଼ିଛି ତା’ର ଚିତ୍ର ମିଳେ ଗାଳ୍ପିକଙ୍କର ‘ହାଇଦ୍ରାବାଦ ଅଙ୍ଗୁର’ ଗଳ୍ପରୁ । ଫତୁରାନନ୍ଦ ଗଳ୍ପଗୁଡ଼ିକରେ ଅବିକଳ ହାସ୍ୟଛଟା ମଧ୍ୟରେ ସମାଜର ବିଭିନ୍ନ ଦିଗର ବିଶଦ ଚିତ୍ର ରହିଛି । ଏଠାରେ ସାହିତ୍ୟ ଚାଷଠାରୁ ଭୋଟଚାଷ ପର୍ଯ୍ୟନ୍ତ ସବୁ ଚିତ୍ର ମିଳେ । ରାଜକିଶୋର ରାୟଙ୍କ ପରି ଜଣେ ଲବ୍ଧ ପ୍ରତିଷ୍ଠିତ ରୋମାଣ୍ଟିକ ଗାଳ୍ପିକ ‘କ୍ଷମାପ୍ରାର୍ଥନା’ ଗଳ୍ପରେ ଛାତ୍ର ଶିକ୍ଷକ ସମ୍ପର୍କରେ ଅବକ୍ଷୟ ଚିତ୍ର ଦେଇଛନ୍ତି । ଯେଉଁଠି ଦେଶର ଭବିଷ୍ୟତ ନାଗରିକ ଗଢ଼ିବା ବ୍ରତ ନେଇଥିବା ସଂସ୍କୃତଜ୍ଞ ପଣ୍ଡିତ ଶେଷରେ ଅନୁଭବ କରନ୍ତି, ଗୁରୁ ଆଜି ଗୋରୁ ହୋଇ ଯାଇଛନ୍ତି । ବସନ୍ତ ଶତପଥୀଙ୍କର ’ତସ୍ମୌଶ୍ରୀ ଗୁରବେ’ ଗଳ୍ପରେ ମଧ୍ୟ ଗୁରୁ ପୂଜାର ଆୟୋଜନର ଅନ୍ତ ହୋଇଛି ଗୁରୁଜୀଙ୍କର ଗୋ ଅନ୍ୱେଷଣରେ । ଗୁରୁପତ୍ନୀ ସ୍ୱାମୀଙ୍କର ଶୁଖିଲା ମୁହଁ ଦେଖି ବୁଝିଗଲେ ଏବଂ କହିଲେ, ‘‘ଆସ ଏଥର ଗୋରୁ ଦିବସତ ସରିଲା, ଆଉ ଡେରି କାହିଁକି ? ଗଣ୍ଡିଏ ଖାଇ ଶୋଇପଡ଼ିବ ଆସ ।’’ ଠିପି ନ ଥିବା ପୁରୁଣା ଲଣ୍ଠନରେ ନାଲି ଶିଖାଟି ଭଳି ଆଦର୍ଶର ଶେଷବତୀ ଯେପରି ଦପ୍ କରି ଲିଭିଗଲା ।

 

ନଗ୍ନ ବାସ୍ତବରେ ଅବିମିଶ୍ର ଚିତ୍ରଣ ଆଧୁନିକ ଗଳ୍ପରେ ସ୍ଥାନ ପାଇଛି । ଗାଳ୍ପିକ ଶତପଥୀଙ୍କ ଗଳ୍ପରେ ମଧ୍ୟ ଆମେ କଠୋର ବାସ୍ତବତାକୁ ସାମ୍ନା କରୁ । ଆଦର୍ଶବାଦର ଅଳିକ ଚିତ୍ରଣ ତାଙ୍କ ଗଳ୍ପରେ ନାହିଁ । ତଥାପି ମାନବିକତାବୋଧରେ ତାଙ୍କ ରଚନା ଉଦାର, କ୍ଷମାଶୀଳ । ତଥା ଈର୍ଷା, ଦ୍ୱେଷ, ସ୍ୱାର୍ଥନ୍ଧତା ସତ୍ତ୍ୱେ ମଣିଷ ଭିତରେ ଥିବା ସୁପ୍ତ ମନୁଷ୍ୟତ୍ୱ, ଯେ ତାକୁ ସକଳ ଦୁର୍ବଳତାକୁ ରକ୍ଷା କରିବ, ଏହି ସତ୍ୟ ତାଙ୍କର ‘ହାଇଦ୍ରାବାଦ ଅଙ୍ଗୁର’ ପରି ବହୁ ଗଳ୍ପରେ ପ୍ରତିପାଦିତ । ମହାପାତ୍ର ନୀଳମଣି ସାହୁଙ୍କର ‘ଅନ୍ଧରାତିର ସୂର୍ଯ୍ୟ’ ଗଳ୍ପରେ ଆମେ ମଣିଷ ଜାତିର ଭବିଷ୍ୟତ ପ୍ରତି ସେହି ଆସ୍ଥା ପ୍ରକାଶ ପାଇଥିବାର ଦେଖୁ । ମାଂସାଶୀ ଝଡ଼ ସନ୍ଧ୍ୟାର ଅବସାନ ପରେ ମୃତ୍ୟୁଞ୍ଜୟ ବାବୁ ଯେତେବେଳେ ନିଜର ମଳିନ ଛୋଟିଆ ଘରଟିରେ ନିରୀହ, ନିଷ୍ପାପ ଦରିଦ୍ର ପରିବାରର ଆନନ୍ଦ କଳରବ ମଧ୍ୟରେ ନିଜକୁ ଆବିଷ୍କାର କରିଛନ୍ତି, ସେତେବେଳେ ସେ କହିଛନ୍ତି, ‘‘ମଣିଷ ନୁହେଁ – ତା’ ଭିତରେ ଶୁପ୍ତ ମନୁଷ୍ୟତା ହିଁ ଦିନେ ଏ ପୃଥିବୀକୁ ରକ୍ଷା କରିବ ।’’ (୧୦) ସତେ ଯେପରି ମୃତ୍ୟୁଞ୍ଜୟ ନାମ ଭିତରେ ମଣିଷର ଅମରତ୍ୱର ସନ୍ଧାନ ଦେଇଛନ୍ତି ଲେଖକ ।

 

ଆଧୁନିକ ଗଳ୍ପରେ ବ୍ୟକ୍ତି, ସମାଜ ଉପରେ ନିଜର ବ୍ୟକ୍ତିତ୍ୱର ସ୍ଥିତିକୁ ଜାହିର କରିପାରିଛି-। ବସନ୍ତଙ୍କ ଗଳ୍ପରେ ସେହି ବ୍ୟକ୍ତିସତ୍ତା ହୋଇଛି ଗଳ୍ପ ନାୟକ ‘ମୁଁ’‘ । ମଣିଷର ଆଶା, ନିରାଶା, ହସ, କାନ୍ଦ, ଦୁର୍ବଳତା, ଲୋଭ, ସ୍ୱାର୍ଥପରତା, ପୁଣି କ୍ଷମାଶୀଳତା, ନିର୍ଲୋଭତା ନିସ୍ୱାର୍ଥପରତା, ଆତ୍ମବିଶ୍ୱାସ ବସନ୍ତ ଗଳ୍ପର ‘ମୁଁ’ କାର ଭିତରେ ପ୍ରକଟିତ । ଏହି ବ୍ୟକ୍ତି ‘ମୁଁ’ ହିଁ ଗାଳ୍ପିକ ବସନ୍ତ ଶତପଥୀଙ୍କର ଭାବସତ୍ତାର ପ୍ରକାଶ । ସମଗ୍ର ମାନବ ଜାତିର ପ୍ରତୀକ ଏଇ ‘ମୁଁ’ ଗାଳ୍ପିକ ରାଜକିଶୋର ରାୟଙ୍କର ଅନେକ ଗଳ୍ପରେ ଦେଖିବାକୁ ମିଳେ ।

 

ଆଧୁନିକ ଗଳ୍ପରେ ସାଧାରଣ ଲୋକଙ୍କର କଥିତ ଭାଷାକୁ ମାଧ୍ୟମ ଭାବରେ ଗ୍ରହଣ କରିନେବାରେ କୌଣସି ପ୍ରତିବନ୍ଧକ ନାହିଁ । ବସ୍ତୁତଃ ଫକୀରମୋହନଙ୍କ ଲେଖନୀରେ ଓଡ଼ିଶାର ଜନଗଣଙ୍କ ଭାଷା କେବଳ ମାନ୍ୟତା ପାଇ ନଥିଲା ବରଂ ଏହା ଏହି କଥା ସମ୍ରାଟଙ୍କ ଅମର ରଚନାକୁ ଅନନ୍ୟ କରି ତୋଳିଥିଲା । ତାଙ୍କର ଅନୁଗାମୀ ଭାବରେ ନିଜକୁ ପରିଚିତ କରିଥିବା ହାସ୍ୟରସିକ ଫତୁରାନନ୍ଦ, ତଥା ହାସ୍ୟ-ବ୍ୟଙ୍ଗ-କରୁଣ ତ୍ରିବେଣୀ ଧାରାର ସୃଷ୍ଟିକର୍ତ୍ତା । ଗାଳ୍ପିକ ଶତପଥୀଙ୍କ ରଚନାରେ ମଧ୍ୟ ଲୌକିକ ଭାଷାର ପ୍ରୟୋଗ ତାଙ୍କ ଗଳ୍ପଗୁଡ଼ିକୁ ପାଠକର ଅନ୍ତରଙ୍ଗ କରିଦିଏ । ଏ ବିଷୟରେ ସେ ନିଜେ ସ୍ୱୀକାର କରି କହନ୍ତି – ‘‘ଗଳ୍ପ ଲେଖିଲାବେଳେ ମୁଁ ଭାବେ ଯେଉଁ ଭାଷାରେ ମୁଁ କଥା କହୁଛି, ସେଇ ଭାଷାରେ ନିଚ୍ଛକ ଗପ ଲେଖିହେବ ।’’ ତାଙ୍କ ଗଳ୍ପରେ ସ୍ଥାନେ ସ୍ଥାନେ କିନ୍ତୁ କବିସତ୍ତାର ପ୍ରକାଶ ଘଟିଛି । ଯେପର ‘ଆକାଶ ଫୁଲ‘, ‘ଏଣ୍ଟିରୋମାଣ୍ଟିକ ଗଳ୍ପ’ । ଏପରି ଅନେକ ସ୍ଥାନରେ ତାଙ୍କର ଭାଷାରେ କାବ୍ୟିକତାର ଛଟା ଦେଖିବାକୁ ମିଳେ । ତାଙ୍କର ଉପମାଗୁଡ଼ିକ ମଧ୍ୟ ସାଧାରଣ ଜନଜୀବନରୁ ଗୃହୀତ । କିନ୍ତୁ ବ୍ୟଞ୍ଜନା ଧର୍ମୀତା ଯୋଗୁଁ ଏହାର ପ୍ରୟୋଗ ଗଳ୍ପଗୁଡ଼ିକୁ ରସୋର୍ତ୍ତୀର୍ଣ୍ଣ କରିଛି । ହାସ୍ୟରସର ଯୁଗସ୍ରଷ୍ଟା ଭାବରେ ପରିଚିତ ଫତୁରାନନ୍ଦଙ୍କର ରଚନାରେ ମଧ୍ୟ ଲୌକିକ ଭାଷାର ପ୍ରୟୋଗ ସଫଳ ଭାବରେ ବ୍ୟବହୃତ । ସେ ଆହୁରି ପାଦେ ଆଗକୁ ଯାଇ ଶଳା, ବେଧୁଆ, ନିଲଠା ଆଦି ବହୁ ଗ୍ରାମ୍ୟ ଶବ୍ଦ ବ୍ୟବହାର କରିଛନ୍ତି । ଫତୁରାନନ୍ଦ ଓଡ଼ିଶାର ସମତଳ ଭୂମି ବିଶେଷ କରି କଟକର ଲୌକିକ ଭାଷା ବ୍ୟବହାର କରିଥିବା ସ୍ଥଳେ ଶ୍ରୀଯୁକ୍ତ ଶତପଥୀ ଉତ୍ତର ଓଡ଼ିଶାର ଲୌକିକ ଭାଷା ବ୍ୟବହାର କରି ସାହିତ୍ୟରେ ଏହାର ପ୍ରୟୋଗାତ୍ମକ ସାର୍ଥକତା ପ୍ରତିପାଦନ କରିଛନ୍ତି ।

 

କଥାକାର ବସନ୍ତ ଶତପଥୀ ଗଳ୍ପ ଜଗତରେ ଏକ ନୂଆ କଥା ଶିଖାଇ ଦେଇଗଲେ, ତାହା ହେଉଛି ଗଳ୍ପ ନିଜ ଜୀବନରେ ଭରପୂର ଅଛି । ଯେ ଜୀବନକୁ ଦେଖିଜାଣେ, ଅନୁଭବ କରି ଜାଣେ ସେ ଗଳ୍ପ ଖୋଜିବାକୁ ବାହାର ଦୁନିଆକୁ ଯିବା ଦରକାର ନାହିଁ । ନିଜେ ଓ ନିଜର ପରିବେଶର ଚରିତ୍ରମାନେ ଗଳ୍ପର ଚରିତ୍ର ହୋଇପାରିବେ । ସାମାନ୍ୟ କଥାକୁ ନେଇ ଗଳ୍ପ ଲେଖାଯାଇ ପାରିବ ।

 

 

ବାସ୍ତବ ଜୀବନର ମୂଲ୍ୟବୋଧ, ଅନୁଭୂତିର ତୀବ୍ରତା, ସୂକ୍ଷ୍ମ ଦର୍ଶନ, ଉଦାର ଦୃଷ୍ଟିଭଙ୍ଗୀ, ଅମାପ ସ୍ନେହ, ଜୀବନ ଓ ଜଗତ ପ୍ରତି ଆସ୍ତିକ ମନୋଭାବ ଜଣଙ୍କୁ ସଫଳ ଗାଳ୍ପିକ କରି ତୋଳିପାରିବ ।

 

 

ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ବାରିପଦା ମହାବିଦ୍ୟାଳୟ,

ବାରିପଦା-୨, ମୟୁରଭଞ୍ଜ ।

 

***

 

ଅନୁବାଦ ସାହିତ୍ୟ

ବାବାଜୀ ଚରଣ ପଟ୍ଟନାୟକ

 

ବିଂଶ ଶତାବ୍ଦୀର ଷଷ୍ଠ ଦଶନ୍ଧିଠାରୁ ବିଶ୍ୱରେ ଅନୁବାଦକୁ ସାହିତ୍ୟ ଶୃଙ୍ଖଳା (discipline) ଅଥବା ତତ୍ତ୍ୱ (studies) ଭାବେ ପରିଶୀଳନ କରାଯାଇଛି । ଏପରି ହୋଇଛି ଯେ, ଅନୁବାଦ କଳା ସମ୍ପର୍କରେ ଅବବୋଧ ନ ଥାଇ ସାହିତ୍ୟର କୌଣସି ବିଭାଗ ସମ୍ପର୍କରେ ଆଲୋଚନା କରିବା ଅଥବା ଧ୍ୱନିବିଜ୍ଞାନ ସମ୍ବନ୍ଧୀୟ ପରିଚର୍ଚ୍ଚା କରାଯିବା ଯେକେହି ଗବେଷକ ବ୍ୟକ୍ତିତ୍ୱଙ୍କପକ୍ଷେ କଷ୍ଟକର କଥା ହୋଇଛି ।

 

ସୁଜିତ ମୁଖାର୍ଜୀ ଲେଖିଛନ୍ତି – Karl Marx said some-where that, the theif, the translator and the seller were necessary for nineteenth century European Colonial enterprise, and that all the three categories were volunteers from among the people undergoing colonization. [Translation as Discovery, Reprint-2006, P-125] ଅର୍ଥାତ କାର୍ଲମାର୍କସ କୋଉଠି କହିଥିଲେ ଊନବିଂଶ ଶତାବ୍ଦୀର ଉପନିବେଶବାଦୀ ବେପାର ବଣିଜରେ ଚୋର, ଅନୁବାଦକ, ବିକାଳି ବା ବେପାରି ଦରକାର ପଡ଼ିବେ । ଉପନିବେଶ ବନିଥିବା ଦେଶର ଲୋକମାନଙ୍କୁ ଭିତରୁ ଏମାନେ ବାହାରିବେ । କଥାଟି ଏତେ ସତ, ତାହା ବିଶ୍ଳେଷଣର ଅପେକ୍ଷା ରଖେନା । ଊନବିଂଶ ଶତାବ୍ଦୀରେ ଯେଉଁମାନେ ଥିଲେ ଦରକାର ଏକବିଂଶ ଶତାବ୍ଦୀରେ ସେମାନଙ୍କ ବ୍ୟତିରେକେ ସେଦିନର ଇଂରେଜମାନଙ୍କ ଉପନିବେଶ ଓ ଆଜି ମୁକ୍ତ ହୋଇଥିବା ଭାରତବର୍ଷର ଲୋକମାନେ ଆଦୌ ଚଳିପାରିବେ ନାହିଁ । ପଲ ଇଞ୍ଜେଇ Writing from the world-II ବହିର ମୁଖବନ୍ଧରେ ଲେଖିଛନ୍ତି – As the world shrinks like an aging orange and all people in all cultures move closer together, it may be that the crucial sentence for our remaining years on earth may be very simple-translate or die. ଅର୍ଥାତ୍ ଏବେ ପୃଥିବୀ ତ ବହୁଦିନରେଖା କମଳାଭଳି ସେମେଟି ଯାଉଛି । ତେଣୁ ପୃଥିବୀରେ ବାସ କରୁଥିବା ଭିନ୍ନ ଭିନ୍ନ ସଂସ୍କୃତିର ଲୋକ ପାଖାପାଖି ହେଉଛନ୍ତି । ପୃଥିବୀରେ ରହୁଥିବା ଲୋକମାନଙ୍କ ପାଇଁ ଭବିଷ୍ୟତ ସମୟ ନିମିତ୍ତ ସ୍ଲୋଗାନ ହେବ – ଅନୁବାଦ କର ନ ହେଲେ ମର । ଅନୁବାଦ ସାହିତ୍ୟ ସମ୍ପର୍କୀୟ ପୂର୍ବ ଅବବୋଧ ଯାହାକୁ ଗ୍ରାମସ୍କି (Gramsci) ସାଧାରଣ ଜ୍ଞାନ (common sense) କହିଛନ୍ତି ବୋଲି ତେଜସ୍ୱିନୀ ନିରଞ୍ଜନ ତାଙ୍କ ସିଟିଂ ଟ୍ରାନ୍ସଲେସନ (1995) ପୁସ୍ତକରେ ଉଦ୍ଧାର କରିଛନ୍ତି, ସେହି ଆଧାରରେ ଅନୁବାଦ ସାହିତ୍ୟ ଆଲୋଚନା କରିବ ।

 

ଅନୁବାଦ ସାହିତ୍ୟ ସମ୍ବନ୍ଧରେ ସାଧାରଣ ଧାରଣା (common sense) ଉପସ୍ଥାପନ କରିବାକୁ ଯିବାବେଳେ ଓଡ଼ିଆ ଭାଗବତର ଅନୁବାଦକ ଓ ତ୍ରୟୋଦଶ ଅଧ୍ୟାୟ ବିଶିଷ୍ଟ ଭାଗବତ ଦ୍ୱାଦଶ ସ୍କନ୍ଧର ଅନୁବାଦକ ମହାଦେବ ଦାସ ସ୍ମରଣକୁ ଆସିବା ଖୁବ୍ ସ୍ୱାଭାବିକ ।

 

ନାମ ମୋହର ମହାଦେବ ।

ବିପ୍ରର କୁଳେ ମୁଁ ସମ୍ଭବ ।।

କୃଷ୍ଣ ସଙ୍ଗତେ ଜଗନ୍ନାଥ ।

ଚଳିଲେ ଗୋଲକ ଯେ ପଥ ।।

ମୁଁ ଏହା କରଇ ବିଚାର ।

ପୁରାଣ ଅଷ୍ଟାଦଶ ସାର ।।

ଦ୍ୱାଦଶ ଅଧ୍ୟା ତ୍ରୟୋଦଶ ।

ଯେମନ୍ତେ ହୋଇବ ପ୍ରକାଶ ।।

 

ମହାଦେବ ଦାସ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ ପୁରାଣକାର । ପ୍ରଥମ ସ୍କନ୍ଧରୁ ଏକାଦଶ ସ୍କନ୍ଧ ପର୍ଯ୍ୟନ୍ତ ଭାଗବତ ଓଡ଼ିଆ ଭାଷାରେ କହିଛନ୍ତି ଷୋଡ଼ଶ ଶତାବ୍ଦୀର କବି ବିପ୍ର ଜଗନ୍ନାଥ ଦାସ । ଭାଗବତରେ ‘ଅନୁବାଦ’ ଶବ୍ଦର ପ୍ରଚୁର ପ୍ରୟୋଗ ପରିଲକ୍ଷିତ ଯେପରି –

 

(କ)

ବିଷ୍ଣୁର ହସ୍ତେ ପ୍ରାଣ ଦେଇ ।

ଶାପୁ ତରିବେ ବେନି ଭାଇ ।

 

କୃଷ୍ଣ ସଙ୍ଗତେ ଜଗନ୍ନାଥ ।

ଚଳିଲେ ଗୋଲକ ଯେ ପଥ ।।

 

ମୁଁ ଏହା କରଇ ବିଚାର ।

ପୁରାଣ ଅଷ୍ଟାଦଶ ସାର ।।

 

ଦ୍ୱାଦଶ ଅଧ୍ୟା ତ୍ରୟୋଦଶ ।

ଯେମନ୍ତେ ହୋଇବ ପ୍ରକାଶ ।।

 

ମହାଦେବ ଦାସ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ ପୁରାଣକାର । ପ୍ରଥମ ସ୍କନ୍ଧରୁ ଏକାଦଶ ସ୍ପନ୍ଧ ପର୍ଯ୍ୟନ୍ତ ଭାଗବତ ଓଡ଼ିଆ ଭାଷାରେ କହିଛନ୍ତି ଷୋଡ଼ଶ ଶତାବ୍ଦୀର କବି ବିପ୍ର ଜଗନ୍ନାଥ ଦାସ । ଭାଗବତରେ ‘ଅନୁବାଦ’ ଶବ୍ଦର ପ୍ରଚୁର ପ୍ରୟୋଗ ପରିଲକ୍ଷିତ । ଯେପରି –

 

(କ)

ବିଷ୍ଣୁର ହସ୍ତେ ପ୍ରାଣ ଦେଇ ।

ଶାପୁ ତରିବେ ବେନି ଭାଇ ।

 

ତାହାଙ୍କ ପୁତ୍ରଙ୍କର ମଧ୍ୟେ ।

ବିଷ୍ରୁଭକତି ଅନୁବାଦେ ।

(ତୃତୀୟ ସ୍କନ୍ଧ – ଚତୁର୍ଦ୍ଦଶ ଅଧ୍ୟାୟ)

(ଖ)

ଯେ ଯୋଗ ମାର୍ଗେ ଅନୁବାଦେ ।

କଠୋରତମ କର୍ମ ସାଧେ ।।

(ତୃତୀୟ ସ୍କନ୍ଧ – ପଞ୍ଚଦଶ ଅଧ୍ୟାୟ)

(ଗ)

ସଙ୍ଗୀତ ରସ ବୀଣାନାଦେ ।

ଲଳିତ ଗୀତ ଅନୁବାଦ ।।

(ତୃତୀୟ ସ୍କନ୍ଧ – ୨୨ଶ ଅଧ୍ୟାୟ)

(ଘ)

ଅନେକ ଜନ୍ମେ ଯୋଗ ସାଧ୍ୟେ ।

ଯୋଗସମ୍ପାଦି ଅନୁବାଦ ।।

(ତୃତୀୟ ସ୍କନ୍ଧ – ୨୪ଶ ଅଧ୍ୟାୟ)

 

ଭାଗବତରେ ବ୍ୟବହୃତ ‘ଅନୁବାଦ’ ଶବ୍ଦ ଅନୁସରଣ ଅଥବା ପଛରେ ଅର୍ଥପ୍ରକାଶ କରୁଛି-। ବସ୍ତୁତଃ ‘ଅନୁବାଦ’ ଶବ୍ଦଟି ଏହିଭଳି ଗଠିତ – ଅନୁ (ଉପସର୍ଗ) + ବଦ୍‌(ଧାତୁ ) + ଘଞ୍ଚ ପ୍ରତ୍ୟୟ । ଅନୁବାଦର ଅର୍ଥ ହେଉଛି ପୁନଃକଥନ, ପରେ କହିବା ଅଥବା ପଶ୍ଚାତକଥନ । ଏବେ ଏହି ‘ଅନୁଦାନ’ ଶବ୍ଦଟି ଇଂରାଜୀରେ ବ୍ୟବହୃତ ‘Translation’ର ଓଡ଼ିଆ ପରିଭାଷାର ହୋଇଛି । ମୂଳତଃ Translation ହେଉଛି ଏକ ଲାଟିନ ଶବ୍ଦ । Transର ଅର୍ଥ ଅନ୍ୟତ୍ର, Lationର ଅର୍ଥ ବହନ କରିଆଣିବା । ଅନ୍ୟଭାଷାରୁ ନିଜଭାଷାକୁ ଅଥବା ଗୋଟେ ଭାଷାରେ କୁହାଯାଇଥିବା କଥାକୁ ଆଉ ଗୋଟେ ଭାଷାରେ ପ୍ରକାଶ କରିବାକୁ Translation ବା ଅନୁବାଦ କୁହାଯାଇଛି ।

 

Translation ବା ଅନୁବାଦ କର୍ମକୁ ସାହିତ୍ୟରେ ଭଲ ଦୃଷ୍ଟିରେ ଦେଖା ଯାଉ ନ ଥିଲା-। ଅନୁବାଦକଙ୍କୁ ସାହିତ୍ୟକ କହିବାକୁ ଅନେକେ ପସନ୍ଦ କରୁ ନ ଥିଲେ । ଅନୁଦିତ କୃତିର ବି ନ୍ୟୁନ ବିବେଚିତ ହେଉଥିଲା । ଇଟାଲିରେ ଏକ ପ୍ରଚଳିତ ଉକ୍ତି ଥିଲା – Translators are traitors ଅର୍ଥାତ ଅନୁବାଦକ ମାତ୍ରକେ ଠକ । Grant Showerman କହନ୍ତି – Translation is sin (ଅନୁବାଦ ହେଉଛି ପାପ କାର୍ଯ୍ୟ) Hamboldt ଙ୍କ ମତରେ, All translation seems to me to be simply as attempt to solve as insoluble problems. ଅର୍ଥାତ ସମାଧାନହୀନ ବ୍ୟାପାରକୁ ସମାଧାନ କରିବାର ସାମାନ୍ୟ ପ୍ରଚେଷ୍ଟା ହେଉଛି ‘ଅନୁବାଦ’ । ଇଂରାଜୀ ସାହିତ୍ୟର ରୋମାଣ୍ଟିକ କବିମାନେ, ଏପରିକି ଆଲୋଚକ A.C. Bradley ଅନୁବାଦ କର୍ମକୁ ପସନ୍ଦ କରୁ ନ ଥିଲେ । Percy Bysshe Shelley ଲେଖିଛନ୍ତି- କବିତାର ଧ୍ୱନି ଶୃଙ୍ଖଳା ଅନୁବାଦରେ ସମ୍ଭବ ହେବ କିପରି ? Hence the vanity of translation; it were as wise to cast a violet into a crucible that you might discover the formal principles of its colour and odour, as seek to transfuse from one language into another the creation of poet. The plant must spring again from its seed, or it will bear no flower- and this is the burhten the course of Bable. [A Defence of Poetry] ଏଠାରେ ବ୍ୟବହୃତ Babel ଶବ୍ଦ ପଛରେ ଯେଉଁ କାହାଣୀ ରହିଛି ତାହା ‘ଅନୁବାଦ’ ଆଲୋଚନା ପର୍ଯ୍ୟାୟରେ ଉଦ୍ଧାରଯୋଗ୍ୟ । ଅନୁବାଦର ଲକ୍ଷ୍ୟ ହେଉଛି ଦୂରକୁ ନିକଟ କରିବା ଏଥର ଏକମାତ୍ର ସାଧନ ହେଉଛି ଭାଷା । ବାଇବେଲର କାହାଣୀଟି ଏହିଭଳି । ବେବିଲୋନବାସୀ ସ୍ୱର୍ଗକୁ ଯିବା ପାଇଁ ଟାୱାର ଗଢ଼ୁଥିଲେ । ସେମାନଙ୍କର ଏ କାମରେ ଈଶ୍ୱର ସନ୍ତୁଷ୍ଟ ନ ଥିଲେ । ତେଣୁ ସେ ଲୋକମାନଙ୍କର ଭାଷା ଅଲଗା କରିଦେଲେ । କେହି କାହାରିକୁ ବୁଝିଲେ ନାହିଁ । କଳି କରି ଯେ ଯୁଆଡ଼େ ଚାଲିଗଲେ । ବେବିଲୋନ ଟାୱାର ଅସମ୍ପୂର୍ଣ୍ଣ ରହିଲା । ବିଭ୍ରାନ୍ତ କରିବା ଅର୍ଥରେ ‘ବାଇବେଲ’ ବ୍ୟବହୃତ ହେଉଛି ।

 

ଅନୁବାଦ ବା Translation ଯଦିଓ ସାହିତ୍ୟ ରଚନାର ଆଦ୍ୟ କଳା ଏବଂ କୌଶଳ, ଏହାକୁ କର୍ମରୂପେ ଅବଲମ୍ବନ କରିବା ପାଇଁ ଅତୀତରେ କେବେ ବି ଇଂରାଜୀ ଅଥବା ସମାଜରୁ ସାହାଯ୍ୟ ମିଳିନାହିଁ । ଏଇ ଯେମିତି ଇଂଲଣ୍ଡର ପ୍ରୋଟେଷ୍ଟାଣ୍ଟ ଧର୍ମଯାଜକ ଓ୍ୱିଲିୟମ ଟିଣ୍ଡେଲ (William Tyndale) ଲଣ୍ଡନର କୃଷକମାନଙ୍କ ଭାଷାରେ ବାଇବେଲ ଅନୁବାଦ କରିବାକୁ ଚାହିଁବାରୁ ରାଜା ତାଙ୍କୁ ୧୫୩୬ ଖ୍ରୀ.ଅରେ ପ୍ରାଣଦଣ୍ଡ ଦେଲେ । ଏହି ସମୟରେ ଓଡ଼ିଶାରେ ଅନୁବାଦ କର୍ମବରଣ କରିଥିବା ଓଡ଼ିଆ ସନ୍ଥମାନେ କେତେ ଯେ ଚତୁରପନ୍ଥ ଅବଲମ୍ବନ କରୁଥିଲେ, ତା’ର ହିସାବ ମିଳିବ ନାହିଁ । ଆକବର ମଧ୍ୟ ମହାଭାରତ, ରାମାୟଣଣକୁ ଆଞ୍ଚଳିକ ଭାଷାମାନଙ୍କରେ ଅନୁବାଦ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ପଣ୍ଡିତମାନେ ସେ କାର୍ଯ୍ୟ କରିବାକୁ ମନା କଲେ । କହିଲେ, ‘‘ଯାହା ଦେବଭାଷାରେ ଅଛି, ତାକୁ ମ୍ଳେଚ୍ଛଭାଷାରେ ଅନୁବାଦ କରିବା ପାଷାଣ୍ଡର କାର୍ଯ୍ୟ । ଏତେସବୁ ବିଘ୍ନ ସତ୍ତ୍ୱେ, ଅନୁବାଦ ଯେ ସାହିତ୍ୟ ରୂପେ ବିଶ୍ୱର ସବୁଭାଷାରେ ଆଦ୍ୟରୁ ଗୃହୀତ ଓ ସମ୍ମାନିତ, ତାହା ସ୍ୱୀକାର କରିହେବ ।

 

ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବ ବିନିମୟପାଇଁ ଭାଷା ଅନ୍ୟତମ ମାଧ୍ୟମ ଓ ସାଧନା ଗୋଟିଏ ଭାଷା ବ୍ୟବହାର କରୁଥିବା ଲୋକେ ଏକ ବସ୍ତୁ ବା କଥାକୁ ଯେଭଳି ବୁଝନ୍ତି, ଅନ୍ୟ ଭାଷାର ଲୋକ ଯେ, ସେହିଭଳି ଜାଣନ୍ତି ତାହା ବହୁଭାଷା ଜାଣିଥିବା ଲୋକ ଜାଣନ୍ତି । ଏ ଘେନି ସୁଫି ଧର୍ମରେ ଗୋଟେ ମଜା ଗପ ଚଳେ । କୌଣସି ଗୋଟେ ବନ୍ଦରରେ ଜାହାଜ ଲାଗିଲା ଜାହାଜରୁ ଓହ୍ଲାଇ ସାଙ୍ଗହୋଇ ଆସୁଥିବା ଲୋକମାନଙ୍କ ମଧ୍ୟରୁ ଇରାନୀ ଲୋକଟିଏ ମୁଦ୍ରାଟିଏ ପାଇ କହିଲା ‘ଅଙ୍ଗୁର’-। ସାଙ୍ଗରେ ଥିବା ତୁର୍କୀଯାତ୍ରୀ କହିଲା ‘ଉଜୁମ’ । ଆରବଯାତ୍ରୀ କହିଲା ‘ଇନାବ’ ଓ ପ୍ରାକଯାତ୍ରୀ ‘ଷ୍ଟାଫିଲ’ କିଣିବାକୁ ଇଙ୍ଗିତ କଲେ । ଏ ଘେନି ପରସ୍ପର ଉଚ୍ଚବାଚ୍ଚ କଲେ । ସମସ୍ତଙ୍କର ଭାଷା ଅଲଗା, କେହି କାହାରିକୁ ବୁଝୁ ନ ଥାନ୍ତି । ସେତିକିବେଳେ ଜଣେ ଦେଖଣାହାରି ମୁଦ୍ରାଟି ନେଇଯାଇ ଅଙ୍ଗୁର କିଣି ଆଣିଲେ । ପୂର୍ବୋକ୍ତ ଚାରିଜଣଯାକ ତାହା ନେବାକୁ ହାତ ବଢ଼ାଇଲେ । ସେମାନେ ଅଙ୍ଗୁର କିଣିବାକୁ ଚାହୁଁଥିଲେ, ହେଲେ କହୁଥିବା ଭାଷା ଅଲଗା ହୋଇଥିବାରୁ କେହି କାହାକୁ ବୁଝୁ ନଥିଲେ । ସେହିପରି ବିଶ୍ୱରେ ଲୋକେ ଏକାଭଳି ଗୋଟିଏ କଥା ଭାବୁଥାନ୍ତି, ଅଥଚ ଭାଷା ସେମାନଙ୍କୁ ଅଲଗା କରି ରଖିଥାଏ । ଭାଷା ହେଉଛି ସାହିତ୍ୟ ସାଧନାର ବଳିଷ୍ଠ ଉପକରଣ । ‘‘କୁହାଯାଏ ସାହିତ୍ୟ ଦୂର ସହିତ ନିକଟର ବର୍ତ୍ତମାନ ସହିତ ଭବିଷ୍ୟତର ଓ ମଣିଷ ସହିତ ମଣିଷ ସମ୍ପର୍କ ଯୋଡ଼ିଥାଏ ।’’ (ଦାଶରଥି ଦାସ) ଏହା କେବଳ ଭାଷା ଘଟିତ ସଂକୀର୍ଣ୍ଣତାକୁ ଅତିକ୍ରମି ହେଲ ସମ୍ଭବପର ହୋଇଥାଏ । ‘‘ଏହାକୁ ଅତିକ୍ରମ ନ କରି ହେବା ପର୍ଯ୍ୟନ୍ତ ଗୋଟିଏ ଭାଷାରେ ଚଳପ୍ରଚଳ ହେଉଥିବା ଲୋକେ ଗୋଟେ ଚିନ୍ତନର ବର୍ଣ୍ଣନାକୁ ତାଙ୍କ ଜାତିର ମୌଳିକତା କହୁଥାନ୍ତି । ଉଦାହରଣ ସ୍ୱରୂପ ଖ୍ରୀ.ପୂର୍ ୧୦୦୦ର ଗ୍ରୀକ୍‍ କବି ହୋମରଙ୍କ ଓଡ଼େଶୀର ଓଡ଼େଶୀୟଶଙ୍କ କାହାଣୀ ବିଚାର କରାଯାଉ । ଓଡ଼େଶୀୟଶ (Odysseus) ଥିଲେ ଗ୍ରୀକର ରାଜକୁମାର, ଯୋଦ୍ଧା ଓ ଟ୍ରୟ ଅବରୋଧର ମୁଖ୍ୟନାୟକ । ସେ ଯେଉଁ ଜାହାଜରେ ଯାଇଥିଲେ, ସେହି ଯୁଦ୍ଧତରୀ ସମୁଦ୍ରରେ ବୁଡ଼ିଗଲା । ଓଡ଼େଶୀୟସ ସମୁଦ୍ରରେ ଭାସି ଭାସି ଆସି ପହଞ୍ଚିଛି ନିଜ ବାସସ୍ଥଳ ସହରରେ । କିନ୍ତୁ ତା’ର ଚେହେରା ଏମିତି ହୋଇଯାଇଛି ଯେ ସେ ଚିହ୍ନି ହେଉନି । ଯୁଦ୍ଧକୁ ଯିବାବେଳେ ସେ ଘରେ ଛାଡ଼ି ଯାଇଥିଲା ସୁନ୍ଦରୀ ପତ୍ନୀ ପେନେଲୋପ (Penelope) ଓ ଅଳ୍ପ ବୟସର ପୁଅ ଟେଲମାକସ (Telemachus)ଙ୍କୁ । ଓଡ଼େଶୀୟସ ଆସି ଦେଖନ୍ତି, ପେନେଲୋପଙ୍କୁ ବାହାହେବା ପାଇଁ ସେହି ସହରର କେତେ କେତେ ପୁରୁଷ ଜିଦ କରି ଘର ପିଣ୍ଡାରେ ହିଂସ୍ର କୁକୁରମାନଙ୍କ ଭଳି ଘୂରାଫେରା କରୁଛନ୍ତି । ଟେଲେମାକ୍‌ସ ତ ବାଳକ । ସେ ଏମାନଙ୍କ ଅଦଉତିକୁ ପ୍ରତିହତ କରିପାରୁନାହିଁ । ସେତିକିବେଳେ ପେନେଲୋପ ଯାହା କହିଲେ, ଭାରତବର୍ଷରେ ରଚିତ ମହାଭାରତ ଓ ରାମାୟଣ (ରଚନାକାଳ ଖ୍ରୀଷ୍ଟୀୟ ୪ର୍ଥ-୫ମ) ର ବୀର୍ଯ୍ୟଶୁଳ୍‍କା କନ୍ୟାଙ୍କ ଅନୁରୂପ । ଗ୍ରୀକର ଲାଟିନ ଭାଷାରୁ S. H. Butchere ଏବଂ Andrew ଇଂରାଜୀ ଭାଷାରେ ତାହା ଏହିଭଳି ଅନୁବାଦ କରିଛନ୍ତି – Penelope announces that she will marry the winner in a special trial of strength and skill. If any man can rival her lost husband by stringing his bow and sholting and arrow through the wholes in twelve perforated ax-heads set vertically in the ground, she will accept him and end the wooing. ଅର୍ଥାତ ପେନେଲୋପ ବିବାହ ପାଇଁ ସର୍ତ୍ତ ଘୋଷଣା କଲେ – ତାଙ୍କ ସ୍ୱାମୀ ଓଡ଼େଶୀୟସର ଧନୁ ଓ ତୀର ଅଛି । ଯେଉଁ ଲୋକ ସେହି ଧନୁରେ ତୀର ଯୋଖି ସିଧାସଳଖ ବାରଟି ଫୋଡ଼ଥିବା ସ୍ତମ୍ଭ ଯାହା ମାଟିରେ ପୋତା ହୋଇଛି, ତହିଁବାଟେ ଭେଦ କରାଇବେ, ତାଙ୍କୁ ବରରୂପେ ବରଣ କରିବେ । ବ୍ୟାସଙ୍କ ମହାଭାରତରେ ଅଜୁର୍ନଙ୍କ ଲାଖଭେଦ ଓ ବାଲ୍ମୀକିଙ୍କ ରାମାୟଣରେ ରାମଚନ୍ଦ୍ରଙ୍କ ସପ୍ତଶାଳ ଭେଦ ଅନୁରୂପ ପ୍ରସଙ୍ଗୟେ । ଭାଷା ଅଲଗା । କାଳର ବ୍ୟବଧାନ ବି ପାଖାପାଖି ପନ୍ଦରଶହ ବର୍ଷର । ଭାବ କିନ୍ତୁ ଆପାତତଃ ସମାନ । ବିଶ୍ୱରେ ଏହିଭଳି ଭାରସାମ୍ୟଥିବା ଭିନ୍ନ ଭିନ୍ନ ଭାଷାର ସାହିତ୍ୟ ରହିଛି । ଏସବୁକୁ ଜାଣିବା ପାଇଁ ବହୁଭାଷୀ ବ୍ୟକ୍ତିମାନଙ୍କର ଆବଶ୍ୟକତା ଯେପରି ରହିଛି, କଥାଟାକୁ ବିଶ୍ୱବାସୀଙ୍କୁ ଜଣାଇବା ପାଇଁ ଭିନ୍ନ ଭିନ୍ନ ଭାଷାରେ ଦକ୍ଷତା ଲଭିଥିବା ଅନୁବାଦକମାନଙ୍କର ଆବଶ୍ୟକତା ରହିଛି । ଯେଉଁ ଭାଷାରେ ସାହିତ୍ୟ ଲିଖିତ, ତାହାକୁ ମୁଖ୍ୟଭାଷା କୁହାଯାଇଛି (Source language) । ଯେଉଁ ଭାଷାକୁ ଅନୁବାଦ ହେବ ତାହାଙ୍କୁ ଉଦ୍ଦିଷ୍ଟ ଭାଷା (Target language) କୁହାଯାଉଛି । ଅନୁବାଦର ଉଭୟ SL ଓ TL ରେ ପାରଦର୍ଶୀ ହୋଇଥିବା ବାଞ୍ଛନୀୟ ।

 

ଅନୁବାଦତତ୍ତ୍ୱ ଦୃଷ୍ଟିରୁ ପ୍ରାଚୀନ ଭାରତୀୟ ଅଥବା ଓଡ଼ିଆ ସାହିତ୍ୟ ଠିକ ଅର୍ଥରେ ଅନୁବାଦ ନୁହେଁ । ଏଠି ସ୍ମରଣ କରାଯାଇପାରେ, ଗୁଣାଢ଼୍ୟଙ୍କ ‘ବୃହତ କଥା’ ପୈଶାଚ ପ୍ରାକୃତ ଭାଷାରେ ଲେଖା ଯାଇଥିଲା । ଏହା ଏବେ ଅନୁପଲବ୍‌ଧ । ଅଥଚ ତାହା ମିଳୁଛି ସଂସ୍କୃତ ଭାଷା ଓ ତାମିଲ ଭାଷାର ଅନୁସୃଷ୍ଟିରୁ । ସଂସ୍କୃତ ଆଳଙ୍କାରିକମାନେ ରୂପାନ୍ତରଣ ସମ୍ବନ୍ଧରେ ଅବିହିତ ଥିଲେ । ରାଜଶେଖର ଯେ କାବ୍ୟ ମୀମାସାଂର ରଚୟିତା, ସେ ପ୍ରାକୃତ ଭାଷାରେ ଏକ ସଟ୍ଟକ ଛାଡ଼ି ଯାଇଛନ୍ତି । ସଟ୍ଟକର ନାମ ‘କର୍ପୁର ମଞ୍ଜରୀ’ । ତହିଁରେ ଉଲ୍ଲେଖ ଅଛି –

 

ସବ୍ୱ ଭାଷା ଭେରେଣ ତେଣ ଭଣିଦଂ ଯେବ

ଯଧା ଅତ୍‌ଥଣିଏସାତେ ଯେବ ସଦାତେ

ଯେବ ପରିଣମନ୍ତାବି ଭତ୍ତି ବିସେସୋ

ତବଂ ଭାଷା ଯା – ହୋଇ ସା ହଉ ।

 

ଅର୍ଥାତ ସମସ୍ତ ଭାଷାରେ ଚତୁରକବି କହିଛନ୍ତି, କୌଣସି ଭାଷାର ଶବ୍ଦ ଅନ୍ୟ ଭାଷାରେ ରୂପାନ୍ତରିତ ହେଲେ ମଧ୍ୟ ତା’ର ଅର୍ଥ ସମାନ ରୁହେ । ଯେକୌଣସି ଭାଷାରେ ଲେଖା ହେଲେ ବି ଚମତ୍କାର ଭକ୍ତି ହିଁ କାବ୍ୟ ।

 

ଏଠାରେ ସମସ୍ତ ଭାଷା କହିଲେ, ସଂସ୍କୃତ, ପ୍ରାକୃତ ଓ ଅପଭ୍ରଂଶ । ଆଜି କିନ୍ତୁ ବିଶ୍ୱର ଭାଷାମାନଙ୍କ ସମ୍ବନ୍ଧରେ ଜଣେ ବ୍ୟକ୍ତିପକ୍ଷେ ଅବିହିତ ହେବା କଷ୍ଟକର । ଲୋଡ଼ା ହେଉଛି ଲିଙ୍କ ଭାଷା (Link Language) । ଇଂରାଜୀ ଭାଷା ଏହି କାମ ତୁଲାଇ ପାରୁଛି । ତେଣୁ ଇଂରାଜୀ ଭାଷା ଦେଇ ଅନୁବାଦ ମାଧ୍ୟମରେ ଅନୁବାଦକମାନେ ବିଶ୍ୱକୁ ଗବାକ୍ଷ ଖୋଲିପାରିଛନ୍ତି ।

 

ଅନୁବାଦକାରୀ ମାତ୍ରକେ ବହୁଭାଷା ଜ୍ଞାତହେବା ବାଞ୍ଛନୀୟ । Barbara Josnsonଙ୍କ ମତରେ Translation has always been the translation of mearing ଅର୍ଥକୁ ଧରି ଅନୁବାଦ କରାଯାଏ । ହେଲେ, ଯେଉଁ ଭାଷାରୁ ଓ ଯେଉଁ ଭାଷାକୁ ଅନୁବାଦ କରାଯିବ- ଏ ଦୁଇଟିଯାକ ଭାଷାରେ ଅନୁବାଦକଙ୍କର ପାରଦର୍ଶିତା ଥିବା ବାଞ୍ଛନୀୟ । ଏତଦଭିନ୍ନ ତାଙ୍କର ଆନୁଗତ୍ୟ ଓ ବିଶ୍ୱସ୍ତତା ଅନୁବାଦକୃତି ପ୍ରତି ରହିବା ଆବଶ୍ୟକ । Tejaswini Niranjan କହିଛନ୍ତି; ଇଲିୟାଡ଼ ଅନୁବାଦ କଲାବେଳେ William Cowper ଲେଖିଥିଲେ – Fiditity is indeed the very essence of translation. ଜନ ଡ୍ରାଇଡେନ ଅନୁବାଦକୁ ତିନି ପର୍ଯ୍ୟାୟର ବୋଲି ଦର୍ଶାଇଛନ୍ତି –

 

(1)

Metaphrase (Line by line, word for word)

(2)

Parapharase (Translating with ‘latitude’)

(3)

Imitation (Claiming that his own practice steered between the first two

 

ଏହି ଭିତ୍ତିରେ Translation (ଅନୁବାଦ), Transfiguration (ଭାଷାନ୍ତର ଓ Transcreation (ଅନୁସୃଷ୍ଟି)ର ପ୍ରଚଳନ ଘଟିଛି ।

 

ସମୟ ଥିଲା; କୁହାଯାଉଥିଲା – The art of translation is a subsidiary art and derivative, ଆଜି କିନ୍ତୁ Translation, History and Culture ବହିର ମୁଖବନ୍ଧରେ ସୁଭୋରେ ବେସନେଟ ଓ ଆନ୍ଦ୍ରେ ଲିଫେସାନ ଯାହା ଲେଖିଛନ୍ତି ତାହା ସ୍ମରଣୀୟ –

 

Translation has been a major shaping force in the development of world culture and no study of comparative literature can take place without regard to translation.

 

 

ଅନୁବାଦ ନାହିଁ ତ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ନାହିଁ । ବିଶ୍ୱର ଗତି ପରିପ୍ରେକ୍ଷିତରେ ଅନୁବାଦ – ସାହିତ୍ୟର ଚାହିଦା ଆଜି ସର୍ବତ୍ର ସ୍ୱୀକୃତ ।

 

ବି/୪୯. ସେକ୍ଟର-୮

ସି.ଡ଼ି.ଏ., କଟକ-୧୪

 

***